ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ

ଲକ୍ଷହୀରା ନିକଟରୁ ବିଷ୍ଣୁ ଦାସ ଓ ଅନସୂୟା ଫେରିବା ବେଳକୁ ଅର୍ଦ୍ଧରାତ୍ରି Ι କୃଷ୍ଣପକ୍ଷ ହେତୁ ଘୋର ଅନ୍ଧକାର Ι ପତି ପତ୍ନୀ ହାତ ଧରାଧରି ହୋଇ ବାଟ ଚାଲୁଥାଆନ୍ତି Ι ହଠାତ ବିଷ୍ଣୁଦାସ ଜଣେ କାହାକୁ ଝୁଣ୍ଟି ପଡିଲା Ι ଅନ୍ଧାର ଭିତରୁ କାହାର ଗୋଟାଏ କରୁଣ ଚିତ୍କାର ଶୁଭିଲା Ι “ଆହା, ଆହା, ଓଃ କିଏ କିଏ ସେ ପାପିଷ୍ଠ ? କିଏ ମୋତେ ଏ ଅକାରଣ ଦଣ୍ଡ ଉପରେ ଆହୁରି ଦଣ୍ଡ ଦେଉଛ ? ମୋତେ ଚିହ୍ନିନାହଁ ? ମୁଁ ଆଗ୍ନିକ ଋଷି Ι ତୁମେ ମୋ ଉପରେ ପଦାଘାତ କରି ମୋର ଅପମାନ କରିବା ସହ ମୋର ଯନ୍ତ୍ରଣାକୁ ବଢ଼ାଇ ଦେଇଛ Ι

ତୁମର ଏହି ଅପରାଧ ପାଇଁ ମୁଁ ତୁମକୁ ଅଭିଶାପ ଦେବି Ι”
ଘଟଣାଟି ଏହିପରି ଘଟିଥିଲା Ι କେତେ ଜଣ ଚୋର ରାଜାଙ୍କ ଉଆସରୁ କିଛି ଅଳଙ୍କାର ଚୋରିକରି ନେଇଯାଇଥିଲେ Ι ସେମାନେ ସେହି ସବୁ ମୂଲ୍ୟବାନ ଦ୍ରବ୍ୟକୁ ଆଗ୍ନିକ ଋଷିଙ୍କ ବସିଥିବା ସ୍ଥାନ ନିକଟରେ ନିଜ ନିଜ ମଧ୍ୟରେ ବଣ୍ଟନ କରୁଥିଲେ Ι ଋଷି ସେମାନଙ୍କ ଆଲୋଚନା ଶ୍ରବଣ କରି ସେମାନେ କିଏ ଏବଂ କଣ କରୁଛନ୍ତି ବୋଲି ପଚାରିଲେ Ι ଚୋରମାନେ ଭାବିଲେ,”ୟେ ଆମକୁ ଦେଖିଲାଣି Ι ୟାକୁ କିଛି ନ ଦେଲେ ୟେ ରାଜାଙ୍କ ସମ୍ମୁଖରେ ଆମ ବିଷୟରେ ସୂଚନା ଦେଇଦେବ Ι ତେଣୁ ସେମାନେ ରତ୍ନଝରୀଟିଏ ଋଷିଙ୍କ ଆସ୍ଥାନ ନିକଟରେ ଛାଡି ଦେଇ ଗଲେ Ι କଟୁଆଳ କେତେଜଣ ସିପାହୀଙ୍କୁ ଧରି ନିଆଁ ହୁଳା ହସ୍ତରେ ଚୋରମାନଙ୍କ ଅନୁଧାବନ କରୁଥିଲେ Ι ସେ ଆଗ୍ନିକ ଋଷିଙ୍କ ନିକଟରେ ରତ୍ନଝରୀ ଦେଖି ତାଙ୍କୁ ‘ଚୋରଙ୍କ ମଧ୍ୟରୁ ଜଣେ’ ବୋଲି ଭାବି ଧରି ନେଲେ Ι

ରାଜା କିଛି ନ ବୁଝି ନ ଶୁଝି ତାଙ୍କୁ ଶୂଳିରେ ବସାଇବାକୁ ଆଦେଶ ଦେଇଦେଲେ Ι ବିଷ୍ଣୁ ଦାସ ଓ ଅନସୂୟା ଅନ୍ଧକାରରେ ଶୂଳିରେ ବସିଥିବା ଋଷିଙ୍କୁ ଝୁଣ୍ଟି ପଡ଼ିଥିଲେ Ι ପ୍ରଚଣ୍ଡ କ୍ରୋଧରେ ମୁନି ଆଗ୍ନିକ ଅଭିଶାପ ଦେଲେ,”ଯିଏ ମୋତେ ପଦାଘାତ କରି ମୋର ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଛି, ସେ କାଲି ପ୍ରଭାତର ସୂର୍ଯ୍ୟୋଦୟ ମାତ୍ରେ ମୃତ୍ୟୁ ବରଣ କରିବ Ι” ଅନସୂୟା ଓ ବିଷ୍ଣୁଦାସ ଋଷିଙ୍କୁ ଯେତେ ଅନୁନୟ ବିନୟ କରି କ୍ଷମା ପ୍ରାର୍ଥନା କଲେ ମଧ୍ୟ ସେ ନିଜ ଅଭିଶାପକୁ ନିଷ୍କ୍ରିୟ କରିବା ତ ଦୂରର କଥା, ଲାଘବ ମଧ୍ୟ କଲେ ନାହିଁ Ι ସତୀ ଅନସୂୟା ଏହି ଅନ୍ୟାୟ ଅଭିଶାପ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ Ι ସେ କହିଲେ, ଆମେ ନିର୍ଦ୍ଦୋଷ ବୋଲି ବାରମ୍ବାର କହିବା ସତ୍ତ୍ୱେ ଆପଣ ଯେଉଁ ଅଭିଶାପ ଦେଇଛନ୍ତି, ତାହା କଦାପି ସଫଳ ହେବ ନାହିଁ Ι

ଯଦି ସୂର୍ଯ୍ୟୋଦୟ ସହିତ ମୋ ସ୍ୱାମୀଙ୍କର ମୃତ୍ୟୁ ଜଡିତ, ତେବେ ମୁଁ ସୂର୍ଯ୍ୟୋଦୟ ହିଁ ହେବାକୁ ଦେବିନାହିଁ Ι”ମୁଁ ଯଦି ସତୀ, ନ ପାହୁ ରାତି, ନ ମରୁ ପତି, ଏକ ରାତି ହେଉ ସପତ ରାତି Ι” ରାତ୍ରି ପାହିଲା ନାହିଁ Ι ସଚରାଚର ସୃଷ୍ଟି ଟିକିଏ ଆଲୋକ ପାଇଁ ହାହାକାର କରିବାକୁ ଲାଗିଲେ Ι ସ୍ଵର୍ଗରେ ଦେବତାମାନେ ବ୍ରହ୍ମାଙ୍କୁ ଭେଟିଲେ Ι ବ୍ରହ୍ମ ଗୋଲୋକବିହାରୀ ବିଷ୍ଣୁଙ୍କୁ ଭେଟିଲେ Ι ସେମାନେ ସତୀ ଅନସୂୟାଙ୍କୁ ସ୍ୱର୍ଗକୁ ଭେଟି, ନିଜର ବାକ୍ୟ ଫେରାଇ ନେଇ ସୂର୍ଯ୍ୟୋଦୟ ହେବାପାଇଁ ଅନୁମତି ଦେବାକୁ କହିଲେ Ι ସାରା ସୃଷ୍ଟିର ମଙ୍ଗଳ ପାଇଁ ଅନସୂୟା ନିଃସର୍ତ୍ତ ସମ୍ବରଣ କଲେ ନିଜର ସତୀତ୍ଵର ଶକ୍ତିରେ ଉଦ୍ ଘୋଷିତ ଅଟଳ ଆଦେଶ Ι ଆଗ୍ନିକ ରୁଷିଙ୍କୁ ତାଙ୍କ ଅଭିଶାପ ପ୍ରତ୍ୟାହାର କରିବାକୁ ବ୍ରହ୍ମା ଅନୁରୋଧ କଲେ Ι ସେ ବେଦବରଙ୍କର ଆଜ୍ଞା ପାଳନ କଲେ Ι ଅନସୂୟାଙ୍କର ଏହି ତ୍ୟାଗ ପାଇଁ ବିଷ୍ଣୁ ତାଙ୍କ ସ୍ୱାମୀଙ୍କୁ ସୁସ୍ଥ ଏବଂ ଦୀର୍ଘଜୀବୀ ହେବାପାଇଁ ଆଶୀର୍ବାଦ ଦେଲେ Ι ଆଗ୍ନିକ ରୁଷି ମଧ୍ୟ ବିନା ଦୋଷରେ ଏ ଦଣ୍ଡ ଭୋଗୁ ନ ଥିଲେ Ι ସେ ପିଲାଦିନେ ଗୋଟିଏ ଝିଣ୍ଟିକାକୁ ଧରି ତା ଦେହରେ କଣ୍ଟା ଫୋଡି ତାକୁ ମୃତ୍ୟୁ ଦେଇଥିଲେ Ι ସେଥିପାଇଁ ସେ ବିନା ଅପରାଧରେ ଶୂଳିରେ ବସିଥିଲେ Ι ବ୍ରହ୍ମା ତାଙ୍କର ପୂର୍ବକୃତ ପାପରୁ ତାଙ୍କୁ ମୁକ୍ତ କଲେ ଓ ସେ ସ୍ଵ ଦେହରେ ସ୍ୱର୍ଗକୁ ଗମନ କଲେ Ι ସୂର୍ଯ୍ୟ ଉଇଁଲେ Ι ଅନସୂୟାଙ୍କର ଭାଗ୍ୟାକାଶରେ ମଧ୍ୟ ଉଇଁଲେ ସୁଖ ଓ ସୌଭାଗ୍ୟର ସହସ୍ରାଂଶୁ Ι


ସଂଶିତ ଉପାଖ୍ୟାନଟି ନାନା ପ୍ରମାଦରେ ପରିପୂର୍ଣ୍ଣ Ι ଆମ ପିଲାଦିନେ ଆମର ଅଳ୍ପ ବୁଦ୍ଧିରେ ଆମେ ଏହି କାହାଣୀକୁ ବିନା ଯୁକ୍ତିରେ ଗ୍ରହଣ କରିନେଉଥିଲୁଁ Ι ଆଜି ବି ଏହି ବିଷୟର ସମାଲୋଚନା କରିବା ବେଳେ ବହୁ ପାଠକଙ୍କ ଅଶ୍ରଦ୍ଧାର ସମ୍ମୁଖୀନ ହେବାକୁ ପଡିବ Ι ତଥାପି ଆମେ କାହାଣୀର ରଚୟିତାଙ୍କୁ କ୍ଷମା ମାଗିନେଇ ଯୌକ୍ତିକତା ଭିତ୍ତିରେ ସୁସ୍ଥ ଆଲୋଚନା କରିବା Ι ଋଷି ଆଗ୍ନିକଙ୍କର ଏତେ ତପଃଶକ୍ତି ଥାଇ ସେ ଶୂଳିରେ ବସିବା ପୂର୍ବରୁ ତାଙ୍କ ଶକ୍ତି ପ୍ରୟୋଗ କଲେ ନାହିଁ କାହିଁକି ? “ଅନସୂୟା ଏକ ରାତି ହେଉ ସପତ ରାତି” କହିବାରେ ପ୍ରାସଙ୍ଗିକତା ହ୍ରାସ ହେଉନାହିଁ କି ? ସାତ ରାତି ପରେ ? କେବଳ “ନ ପାହୁ ରାତି ନ ମରୁ ପତି” କହିବାର ଥିଲା Ι
ଅବଶ୍ୟ ଏହି ପ୍ରସଙ୍ଗକୁ ଏକ ସ୍ୱତନ୍ତ୍ର କାହାଣୀ ଭାବେ ଗ୍ରହଣ କରି ଆମେ ତନ୍ମଧ୍ୟରୁ ତିନୋଟି ଶିକ୍ଷା ଲାଭ କଲୁଁ Ι ସତୀତ୍ଵର ପରାକାଷ୍ଠାରେ ଅସମ୍ଭବକୁ ସମ୍ଭବ କରାଯାଇପାରେ Ι ବାରନାରୀଟିଏ ମଧ୍ୟ ଆଭ୍ୟନ୍ତରୀଣ ଉତ୍କର୍ଷରେ ମହୀୟସୀ ହୋଇପାରେ Ι ଆମର ପ୍ରତ୍ୟେକ ଅପକର୍ମ ପାଇଁ ସେହି ମୁହୂର୍ତ୍ତରେ ଦଣ୍ଡ ନିର୍ଦ୍ଧାରିତ ହୋଇଯାଏ Ι


ଏବେ ଆମେ ଆମର “ଅଭିଶପ୍ତ ଦ୍ୱାରପାଳ’ ଅଧ୍ୟାୟ ସହ ଏହି କାହାଣୀକୁ ସମ୍ପର୍କିତ କରିବା କି ନାହିଁ ତାହା ଆଲୋଚନା କରିବା Ι ଏହା ଆଦିକବି ଲେଖିନାହାନ୍ତି Ι ଏହା ରାମଚରିତମାନସରେ ନାହିଁ Ι ସ୍ୱର୍ଗୀୟ ରତ୍ନାକର ଗର୍ଗବଟୁ ଏହାକୁ ଓଡ଼ିଆ ରାମାୟଣ ସହ ସଂଶ୍ଳିଷ୍ଟ କରିଥିଲେ Ι ସ୍ୱର୍ଗତଃ କ୍ଷେତ୍ରମୋହନ ପ୍ରଧାନ ମଧ୍ୟ ତାହାହିଁ କରିଛନ୍ତି Ι ପୁରନ୍ଦର ବ୍ରହ୍ମାଙ୍କୁ ପଚାରିଲେ,”
“ଦିବା ତେର ଘଡି ତେର ଲିତା ସମୟରେ,ଶକତି ମାଇଲା ଦୈତ୍ୟ ଲକ୍ଷ୍ମଣ ଅଙ୍ଗରେ Ι


ଶ୍ରୀରାମ ଯୁଝନ୍ତେ କୋପେ ରବି ହେଲା ଅସ୍ତ, ପ୍ରହରେକ ଗଲା କାନ୍ଦୁ କାନ୍ଦୁ ରଘୁନାଥ Ι
ବିଷ୍ଣୁଙ୍କର ମାୟା କିମ୍ବା ହନୁର ଏ କୃତ୍ୟ, ସଂଶୟ ଫେଡ଼ନ୍ତୁ ଆମ୍ଭ ଆଗେ କହି ସତ୍ୟ Ι
ଗୋଟିଏ ରାତିରେ ଏତେ ସବୁ ଘଟଣା କିପରି ଘଟିଲା ? ଏହା ଥିଲା ଦେବତାମାନଙ୍କର ପ୍ରଶ୍ନ Ι ତତ୍ପରେ ବ୍ରହ୍ମା ଦେବତାମାନଙ୍କୁ ସେହି ନିର୍ଦ୍ଦିଷ୍ଟ ନିଶିରେ ଘଟିଥିବା ଏହି କାହାଣୀ ଶୁଣାଇଲେ Ι ସେମାନେ କଣ ଗୋଟାଏ ରଜନୀର ଅବଧି କେତେ ଜାଣିପାରୁ ନ ଥିଲେ ? ସୃଷ୍ଟିର ସମସ୍ତ ଜୀବ ବିଚଳିତ ହେଉଥିଲା ବେଳେ ଦେବତାମାନେ ଏତେ ବଡ ପରିବର୍ତ୍ତନକୁ ଅନୁଭବ କରି ନ ପାରିବା ଗ୍ରହଣଯୋଗ୍ୟ ବର୍ଣ୍ଣନା ହୋଇ ନ ପାରେ Ι ଏକା ସମୟରେ ଅତ୍ରିଙ୍କ ସ୍ତ୍ରୀ ସତୀ ଅନସୂୟାଙ୍କ ଉପାଖ୍ୟାନ ପରେ ବିଷ୍ଣୁଦାସ ସ୍ତ୍ରୀ ଅନସୂୟା କାହାଣୀ ଅନୁଚିତ ସଂଯୋଗ ଭଳି ଲାଗୁଛି Ι ଆଜି ଆଲୋଚିତ ଅନସୂୟାଙ୍କୁ ସ୍ୱଦେହରେ ସ୍ୱର୍ଗକୁ ଆଣିବା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ କହିଲେ ଏବଂ ସେଠାରେ ତାଙ୍କ ମଧ୍ୟରେ ଆଲୋଚନା ହେଲା ବୋଲି ଗୀତିନାଟ୍ୟରେ ଦେଖିଲି Ι କ୍ଷେତ୍ରମୋହନଙ୍କ ରାମାୟଣରେ ସ୍ୱୟଂ ବିଷ୍ଣୁ ରଥଟିଏ ସଙ୍ଗରେ ନେଇ ଗରୁଡ଼ ପୃଷ୍ଠରେ ବସି ଅନସୂୟାଙ୍କ ନିକଟକୁ ଆସିଲେ ବୋଲି ଲେଖା ଅଛି Ι ସେଠାରୁ ସେ ବିଷ୍ଣୁ ଦାସ ଓ ଅନସୂୟାଙ୍କୁ ସ୍ୱର୍ଗକୁ ନେଇଗଲେ ବୋଲି ଲେଖିଛନ୍ତି Ι ଯେତେବେଳେ ସାରା ସୃଷ୍ଟିର ଏକ ବିକଟ ସମସ୍ୟାର ସମାଧାନ ହେବାକୁ ଯାଉଛି, ଯେତେବେଳେ ସ୍ୱୟଂ ବିଷ୍ଣୁ ଶ୍ରୀରାମ ଅବତାର ନେଇ ରାବଣ ନିଧନ ପାଇଁ ସଚେଷ୍ଟ, ଯେତେବେଳେ ଲକ୍ଷ୍ମଣଙ୍କ ଜୀବନ ସଂକଟାପନ୍ନ, ସେତେବେଳେ ବ୍ରହ୍ମା ବିଷ୍ଣୁ ଓ ଦେବତାମାନଙ୍କୁ ନେଇ ଅନ୍ୟତ୍ର ନିୟୋଜିତ କରିବା ଅପ୍ରାସଂଗିକ ଲାଗିବା ସହ ମୂଳ ବିଷୟବସ୍ତୁର ଆଧ୍ୟାତ୍ମିକ ମୂଲ୍ୟ ହ୍ରାସ ହେଲାପରି ଲାଗୁଛି Ι


ଏ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କର ମହିମା ଓ ମାରୁତିଙ୍କର ପରାକ୍ରମ ଉପରେ ରଖିଥିବା ଆସ୍ଥା ଏପରି ଏକ କାହାଣୀର ଆବିର୍ଭାବ ଫଳରେ ଦୁର୍ବଳ ହୋଇ ଯାଉନାହିଁ କି ? ତେଣୁ ପାଠକମାନଙ୍କର ମନୋରଞ୍ଜନ ପାଇଁ ଏହି ଉପାଖ୍ୟାନର ଉପସ୍ଥାପନା କଲେ ମଧ୍ୟ ଏହାକୁ ଆମର ଧାରା ପ୍ରବାହରୁ ଭିନ୍ନ କରି ଏକ ସ୍ୱତନ୍ତ୍ର ଗଳ୍ପରୁପେ ଗ୍ରହଣ କରିବାକୁ ଅନୁରୋଧ Ι ଯେଉଁମାନେ ଏହାକୁ ବିଶ୍ୱାସ କରୁଛନ୍ତି, କରନ୍ତୁ Ι ସେମାନଙ୍କୁ ମୋର ବାଧା ଦେବାର ଅଭିପ୍ରାୟ ଆଦୌ ନାହିଁ Ι କାରଣ ପୁରୁଷ ପୁରୁଷ ଧରି ସେମାନେ ଏହାକୁ ସ୍ୱୀକାର କରି ଆସିଛନ୍ତି Ι
ଆଉ ଏକ ବିଭ୍ରାନ୍ତିକର ପ୍ରସଙ୍ଗ ହେଉଛି ଗନ୍ଧମାର୍ଦ୍ଦନ Ι ଏହି ନାମ କେବଳ ଓଡିଆ ରାମାୟଣରେ ଦେଖାଯାଏ Ι ଓଡିଶାର ଗନ୍ଧମାର୍ଦ୍ଦନ ନେବାକୁ ଆସିଥିବା ହନୁମାନ ଅଯୋଧ୍ୟାକୁ ଯିବାର ପ୍ରଶ୍ନ ଉଠୁନାହିଁ Ι ବାଲ୍ମୀକି ରାମାୟଣ ଓ ରାମଚରିତ ମାନସରେ ଏହି ପର୍ବତ ଶୃଙ୍ଗକୁ ଔଷଧ ଶୃଙ୍ଗ ବୋଲି କୁହାଯାଇଛି Ι”ସୌମ୍ୟ ଶୀଘ୍ରମିତୋ ଗତ୍ଵା ଶୈଳମ୍ ‘ଓଷଧୀ’ ପର୍ବତମ୍, ଦକ୍ଷିଣ ଶିଖରେ ତସ୍ୟ ଜାତମୌଷଧୀମାନୟ Ι” ରାମ ପଦାରବିନ୍ଦ ଶିର ନାୟଉ ଆଇ ସୁଷେନ, କହା ନାମ ଗିରି ‘ଔଷଧୀ’ ଜାହୁ ପବନ ସୁତ ଲେନ Ι” ଏହି ଔଷଧୀ ପର୍ବତର ଭୌଗୋଳିକ ସ୍ଥିତି ବିଷୟରେ ବର୍ଣ୍ଣନା ନାହିଁ Ι ଏଣୁ ରାମଚରିତ ମାନସ ଅନୁସାରେ ଅଯୋଧ୍ୟା ସେପଟରେ କୌଣସି ଏକ ପର୍ବତ ହୋଇଥିବା କଳ୍ପନା କରାଯାଇ ପାରେ Ι

[କ୍ରମଶଃ]

✿❁❣️༒ ଜୟ ଶ୍ରୀ ରାମ༒ ❣️❁✿

Leave a Comment

Your email address will not be published. Required fields are marked *