ଭାରତର ଏକ ପ୍ରମୁଖ ଶୈବପୀଠ ଏକାମ୍ରକ୍ଷେତ୍ର ଭୁବନେଶ୍ୱର l ଏ ପୀଠର ଅଧିଷ୍ଠାତା ହେଉଛନ୍ତି ତ୍ରିଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମହାପ୍ରଭୁ ଓ କ୍ଷେତ୍ର ରକ୍ଷକ ବାସୁଦେବ l ଏକାମ୍ର କ୍ଷେତ୍ରରେ ଶ୍ରୀକ୍ଷେତ୍ର ପରି ବର୍ଷ ସାରା ପର୍ବ ପର୍ବାଣୀ ଲାଗି ରହି ଥାଏ l ଶ୍ରୀକ୍ଷେତ୍ରରେ ବାର ମାସରେ ତେର ଯାତ ହୁଏ l କିନ୍ତୁ ଏକାମ୍ର କ୍ଷେତ୍ରରେ ବାର ମାସରେ ଚତୁର୍ଦ୍ଦଶ ଯାତ୍ରା ଅନୁଷ୍ଠିତ ହୁଏ l ସେହି ପର୍ବମାନଙ୍କ ମଧ୍ୟରୁ ଏକ ପ୍ରମୁଖ ପର୍ବ ହେଉଛି ଅଶୋକାଷ୍ଟମୀ ଏବଂ ରୁକୁଣା ରଥଯାତ୍ରା l ଅଶୋକାଷ୍ଟମୀର ଏ ରୁକୁଣା ରଥ ଯାତ୍ରାକୁ ଚୈତ୍ର ଗୁଣ୍ଡିଚା ଭାବେ ଆଖ୍ୟାୟିତ କରାଯାଏ l ଚୈତ୍ର ମାସ ଶୁକ୍ଲ ଅଷ୍ଟମୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୁଏ l ଲିଙ୍ଗରାଜଙ୍କ ବିଜେ ପ୍ରତିମା ଶ୍ରୀଚନ୍ଦ୍ରଶେଖରଙ୍କ ସହ ବାସୁଦେବ ଏବଂ ରୁକ୍ମିଣୀଙ୍କୁ ରଥରେ ବସାଇ ଏହି ଦିନ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥାଏ l ଶ୍ରୀକୃଷ୍ଣଙ୍କ ପତ୍ନୀ ତଥା ଲିଙ୍ଗରାଜଙ୍କ ଭଗ୍ନୀ ରୁକ୍ମିଣୀ ରଥରେ ବିଜେ କରୁଥିବାରୁ ଏହାର ନାମ ରୁକୁଣା ରଥ l ଆହୁରି ମଧ୍ୟ କେତେକ ମତ ଦେଇଥାନ୍ତି ଏକାମ୍ର କ୍ଷେତ୍ରର ଅଧିଶ୍ୱରୀ ମାଆ ଗୋପାଳୁଣୀଙ୍କ ଗୋଟିଏ ନାମ ରୁକୁଣା l ତାଙ୍କ ନାମାନୁସାରେ ରଥ ନାମ କରଣ ହୋଇଛି, ରୁକୁଣା ରଥ l ଏହାକୁ ଅଣ ଲେଉଟା ରଥବୋଲି କୁହାଯାଏ l ଓଡ଼ିଆରେ ଗୋଟିଏ ଢଗ ରହିଛି ରୁକୁଣାରଥ ଅଣଲେଉଟା ବୋଲି l କାରଣ ବାହୁଡ଼ା ଯାତ୍ରା ବେଳେ ଏ ରଥକୁ ବୁଲାଇ ମୋଡ଼ କରାଯାଏ ନାହିଁ l କେବଳ ରଥର ସମ୍ମୁଖ ଭାଗକୁ ବନ୍ଦ କରାଯାଇ ରଥ ଉପରେ ଥିବା ସିଂହାସନକୁ ପଛକୁ ବୁଲାଇ ଦିଆଯାଏ l ରୁକୁଣା ରଥର ପଞ୍ଚମ ଦିନ ବାହୁଡା଼ ଯାତ୍ରା ହୁଏ l ଆମ୍ଭ ମାନଙ୍କର କେହି ସମ୍ପର୍କୀୟ ଦୀର୍ଘ କାଳ ପର୍ଯ୍ୟନ୍ତ ବନ୍ଧୁବାନ୍ଧବ ଘରେ ରହି ଗଲେ ଥଟ୍ଟାରେ କୁହା ଯାଏ ,” ରୁକୁଣା ରଥ, ରୁକୁଣା ରଥ,ଆଉ ପାଞ୍ଚପାଳି ରହିଥାଆନ୍ତ,ଘରକୁ କୁଣିଆଁ ହୋଇ ଥାଆନ୍ତ l”
ରୁକୁଣାରଥ ଯାତ୍ରାକୁ ନେଇ ରୋଚକ ପୌରାଣିକ ଓ ଐତିହାସିକ କାହାଣୀମାନ ରହିଛି l ଗୋଟିଏ କିମ୍ବଦନ୍ତୀରୁ ଜଣା ଯାଏ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଏକାମ୍ର ପୀଠରେ ତାଙ୍କ ଚାରି ଭାଇଙ୍କୁ ଧରି କିଛିକାଳ ଅବସ୍ଥାନ କରିଥିଲେ l ଶଙ୍କରଙ୍କ ନିର୍ଦ୍ଧେଶ କ୍ରମେ, ସେହି ସମୟରେ ଏଠାରେ ସେ ଚାରିଟି ମନ୍ଦିର ସ୍ଥାପନ କରିଥିଲେ, ଯାହା ଏବେ ବିଦ୍ୟମାନ ହୋଇଛି ଶ୍ରୀରାମେଶ୍ୱର,ଲକ୍ଷ୍ମଣେଶ୍ୱର, ଭରତେଶ୍ୱର ଓ ଶ୍ରୀଶତ୍ରୁଘ୍ନେଶ୍ୱର ନାମରେ l ଏହି ମନ୍ଦିରରେ ଲିଙ୍ଗଙ୍କୁ ପ୍ରତିଷ୍ଠା କରିବାପାଇଁ ସେ ପ୍ରଭୁ ଲିଙ୍ଗରାଜ ଓ ଦେବୀ ଭୁବନେଶ୍ୱରୀଙ୍କୁ ନିମନ୍ତ୍ରଣ କରିଥିଲେ l ସେମାନେ ଚୈତ୍ର ଶୁକ୍ଲ ଅଷ୍ଟମୀ ଦିନ ସେଠାକୁ ରଥରେ ଯାତ୍ରା କରି ଥିଲେ l ତାହାରି ସ୍ମୃତି ବହନ କରି ଅନୁଷ୍ଠିତ ହେଉଛି ଏହି ରୁକୁଣା ରଥଯାତ୍ରା l
ଦ୍ୱିତୀୟ କିମ୍ବଦନ୍ତୀରୁ ଜଣାଯାଏ ରାମଚନ୍ଦ୍ର ରାବଣ ସଂହାର କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲା ପରେ ବ୍ରାହ୍ମଣ ରାବଣ ହତ୍ୟା ଜନିତ ପାପରୁ ମୁକ୍ତ ହେବା ପାଇଁ କୁଳ ଗୁରୁ ବଶିଷ୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକାମ୍ର କ୍ଷେତ୍ରକୁ ଆସି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୂଜା କରିଥିଲେ l ସେ ଦିନ ଶୁକ୍ଳ ଚୈତ୍ର ଅଷ୍ଟମୀ ଥିଲା ଏବଂ ଶ୍ରୀଲିଙ୍ଗରାଜ ଓ ମାଆ ଭୁବନେଶ୍ୱରୀ ରଥ ଉପରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନଦେଇ ଆଶୀର୍ବାଦ କରିଥିଲେ l
ଆଉ ଗୋଟିଏ କିମ୍ବଦନ୍ତୀରୁ ଜଣାଯାଏ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ସପ୍ତଦିନ ଧରି ନବପତ୍ରିକା ପୂଜା କରି ମାଆ ଦୁର୍ଗାଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇ ଚୈତ୍ର ଶୁକ୍ଳ ଅଷ୍ଟମୀ ଦିନ ରାବଣ ନିଧନ କରି ଥିଲେ l ବିଜୟ ଉତ୍ସବ ସ୍ୱରୂପ ସେ ଶିବ ଓ ମାଆ ଦୁର୍ଗାଙ୍କୁ ରଥରେ ବସାଇ ପରିକ୍ରମା କରାଇ ଥିଲେ l ଏହାର ସ୍ମୃତି ସ୍ବରୁପେ ପାଳିତ ହେଉଛି ରୁକୁଣା ରଥଯାତ୍ରା l
ଇତିହାସରୁ ଜଣାଯାଏ ମଗଧ ସମ୍ରାଟ ଅଶୋକ କଳିଙ୍ଗଯୁଦ୍ଧ ବିଭୀଷିକା ପରେ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରିତ ହୋଇ ଥିଲେ l ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସେ ବୌଦ୍ଧଭିକ୍ଷୁ ବେଶରେ ଏହିଦିନ ଧଉଳି ଠାରୁ ଶ୍ରୀରାମଶ୍ୱର ମନ୍ଦିର ଯାଏ ରଥରେ ଯାତ୍ରା କରି ଥିଲେ l ଏହାରି ସ୍ମୃତିକୁ ବହନ କରି ପ୍ରତିବର୍ଷ ଲିଙ୍ଗରାଜ ମନ୍ଦିରରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରୁକୁଣା ରଥଯାତ୍ରା ହୋଇଥାଏ l ମାଉସୀ
ମାଆ ବା ରାମେଶ୍ୱର ମନ୍ଦିରରେ ରୁକୁଣା ରଥରେ ବିଜେ କରିଥିବା ଶିବ, ବିଷ୍ଣୁ ଓ ରୁକ୍ମିଣୀ ଚାରିଦିନ ଅବସ୍ଥାନ କରି ପଞ୍ଚମ ଦିନ ପ୍ରତ୍ୟାବର୍ତ୍ତନ କରନ୍ତି l
ଶ୍ରୀକ୍ଷେତ୍ରରୁ ଦେବୀ ସୁଭଦ୍ରାଙ୍କ ରଥ ଦଉଡ଼ି ଅଣା ଯାଇ ଏ ରୁକୁଣା ରଥରେ ବ୍ୟବହାର କରାଯାଏ l ଯାତ୍ରା ଶେଷରେ ଏହାକୁ ଶ୍ରୀ ମନ୍ଦିରକୁ ଫେରସ୍ତ ଦିଆଯାଏ l ଏଣୁ ଏ ରଥର ନାମ ଦେବଦଳନ ଓ ଏହା ମାଆ ସୁଭଦ୍ରାଙ୍କ ରଥର ପ୍ରତୀକ l ରଥର ସାରଥୀ ବ୍ରହ୍ମା l ରୁକୁଣା ରଥ ଲିଙ୍ଗରାଜ ମନ୍ଦିରରୁ ଯିବା ପୂର୍ବରୁ ପ୍ରଥମେ ଜୀଉ ମାନଙ୍କ ଏକ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୁଏ l ଏହା ପରେ ମୁକ୍ତେଶ୍ୱର ମନ୍ଦିର ନିକଟସ୍ଥ ମରିଚୀ କୁଣ୍ଡ ଜଳରେ ରୁକୁଣା ରଥର ମାଜଣା କରା ଯାଏ l ସେବକ ଗଣ ମରିଚି କୁଣ୍ଡ ଜଳରେ ସ୍ନାନକରି ବ୍ରତ କରିଥାନ୍ତି l ମରିଚି ଜଣେ ବୁଦ୍ଧ ସନ୍ନ୍ୟାସୀ l ତାନ୍ତ୍ରିକ ବୌଦ୍ଧ ଧର୍ମରେ ତାଙ୍କର ଯଥେଷ୍ଟ ପ୍ରଭାବ ଥିଲା l ତାଙ୍କ ନାମ ଅନୁସାରେ ଏହି କୁଣ୍ଡର ନାମ ମରିଚୀ କୁଣ୍ଡ ହୋଇଛି ବୋଲି କୁହାଯାଏ l ଶୁଣା ଯାଏ ପୂର୍ବେ ଏ କୁଣ୍ଡ ପାର୍ଶ୍ଵରେ ବହୁ ତପସ୍ୱୀ ତପସ୍ୟା କରି ସିଦ୍ଧଲାଭ କରିଛନ୍ତି l କୁହାଯାଏ ମରିଚି କୁଣ୍ଡ ଜଳରେ ସ୍ନାନ ଓ ଜଳକୁ ଅଶୋକକଢି ସହିତ ଭକ୍ଷଣ କଲେ ବନ୍ଧ୍ୟାତ୍ବ ଦୂର ହୁଏ l ଯେଉଁମାନଙ୍କ ସନ୍ତାନସନ୍ତତି ବଞ୍ଚୁ ନାହାଁନ୍ତି , ସେମାନଙ୍କ ପାଇଁ ମଧ୍ୟ ଏହା ଏକ ନିଦାନ ସ୍ୱରୂପ କାର୍ଯ୍ୟ କରିଥାଏ l ଏଣୁ ମରିଚି କୁଣ୍ଡ ଜଳ ମନ୍ଦିର ପ୍ରଶାସନ ତରଫରୁ ଚଢ଼ା ଦରରେ ନିଲାମ କରା ଯାଇଥାଏ l
ଶ୍ରୀରାମେଶ୍ୱର,ଶ୍ରୀ ଲକ୍ଷ୍ମଣେଶ୍ୱର,ଶ୍ରୀଭରତେଶ୍ୱର, ଶ୍ରୀ ଶତ୍ରୁଘ୍ନେଶ୍ୱର ମନ୍ଦିରରେ ପୂଜିତ ଲିଙ୍ଗ ମାନେ ବୌଦ୍ଧଧର୍ମ ତତ୍ତ୍ୱର ପ୍ରତୀକ ବୋଲି, କେହି କେହି କହିଥାନ୍ତି l
କପିଳସଂହିତା ଅନୁଯାୟୀ ଅଶୋକାଷ୍ଟମୀରେ ଶ୍ରୀ ରାମେଶ୍ୱରଙ୍କୁ ଦର୍ଶନ କଲେ ସର୍ବ ପାପ ମୋଚନ ହୋଇ ଥାଏ l କୁହାଯାଇଛି :-
ଚୈତ୍ରେମାସି ଚ ସଂପ୍ରାପ୍ତେ
ଯଦା ଶୁକ୍ଲାଷ୍ଟମୀ ଭବେତ୍ l
ଯାସ୍ୟେ ଗିରି ଜୟା ସାଦ୍ଧ
ରାମଲିଙ୍ଗସ୍ୟ ସନ୍ନିଧଂ ll
ରଥସୁଂ ତତ୍ରମାଂଦୃଷ୍ଟୱା
ବ୍ରହ୍ମହତ୍ୟାଦି ପାତକୈଃ l
ମୁଚ୍ୟତେ ନ୍ୟତ୍ର ସନ୍ଦେହ
ଅପି ଚଣ୍ଡାଳ ଯୋନିଜଃ ll
ଚୈତ୍ରମାସ ଶୁକ୍ଲପକ୍ଷ ଅଷ୍ଟମୀ ଦିନ ମହିଳାମାନେ ଅଶୋକାଷ୍ଟମୀ ବ୍ରତ ପାଳନ କରିଥାନ୍ତି l ଅଶୋକ ବା ଶୋକ ରହିତ ହେବା ପାଇଁ ଏହି ବ୍ରତ ପାଳନ କରାଯାଇ ଥାଏ l ରାବଣପୁରି ଅଶୋକ ବନରେ ମାଆ ଜାନକୀ ରାମଙ୍କ ବିହୁନେ ଶୋକରେ ଦିନ ବିତାଉ ଥିଲେ l ଏହି ଅଷ୍ଟମୀରେ ସେ ଆଠଗୋଟି ଅଶୋକ କଳିକା ଆହାରକରି ଏହି ବ୍ରତ ଆଚରଣ କରି,ଶୋକରୁ ମୁକ୍ତି ପାଇଥିଲେ l ଏଣୁ ଏ ଅଷ୍ଟମୀ ନାମ ଅଶୋକାଷ୍ଟମୀ l ଆଉ କେତେକଙ୍କ ମତରେ ଏହିଦିନ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଅଶୋକକଢି ସମର୍ପଣ ହେଉଥିବା ଦୃଷ୍ଟିରୁ ଏହାର ନାମ କରଣ ଅଶୋକାଷ୍ଟମୀ ହୋଇଛି l ନାରୀମାନେ ସ୍ୱାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ ମନାସି ଏ ବ୍ରତ ପାଳନ କରିଥାନ୍ତି l ଏହା ଦ୍ୱାରା ବନ୍ଧ୍ୟାତ୍ବ ଦୂରହୁଏ ବୋଲି ବିଶ୍ୱାସ ରହିଛି l ବନ୍ଧ୍ୟା ନାରୀ ମାନଙ୍କୁ ମରିଚୀ ବୋଲି କୁହା ଯାଏ l ବୃକ୍ଷ ରାଜ ଅଶୋକର ପୁଷ୍ପ, ପତ୍ର, ଛାଲି, ଚେର ସ୍ତ୍ରୀ ରୋଗର ଔଷଧି ଭାବେ ଆୟୁର୍ବେଦରେ ପ୍ରମାଣିତ,ଆମେ ସବୁ ବ୍ୟବହାର କରୁଥିବା ଆୟୁର୍ବେଦୀୟ ଅଶୋକାରିଷ୍ଟ ଅଶୋକ ବୃକ୍ଷରୁ ପ୍ରସ୍ତୁତ l
ରୁକ୍ମିଣୀଙ୍କୁ ଛାଡି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଆଉ ଜଣେ ଭଉଣୀ ଅଛନ୍ତି ଦେବୀ କାମାକ୍ଷୀ,ଭାରତୀ ମଠରେ l ଯମ ଦ୍ଵିତୀୟାରେ ଓ ଶିବ ବିବାହ ଦିନ ମହାପ୍ରଭୁ ଏଠାକୁ ଯାତ୍ରା କରି ଥାନ୍ତି l ରଥଯାତ୍ରା ସାରି ଫେରି ଆସିଲା ପରେ ଭଉଣୀ ରୁକ୍ମିଣୀଙ୍କୁ ସାଥିରେ ନେଇ ଯାଇଥିବାରୁ ମା’ପାର୍ବତୀ ରୋଷ ଭର ହୋଇ ମନ୍ଦିର ଦ୍ଵାର ବନ୍ଦ କରିଦିଅନ୍ତି l ପୁରୀ
ରଥଯାତ୍ରା ଉପରାନ୍ତେ ଅନୁଷ୍ଠିତ ହେଉଥିବା ଲକ୍ଷ୍ମୀ ନାରାୟଣ କଳି ପରି ଏଠାରେ ଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ଦ୍ୱନ୍ଦ୍ୱ ଲାଗେ l ମହାପ୍ରଭୁ ଚନ୍ଦନ ଯାତ୍ରା ସମୟରେ ମାଆଙ୍କୁ ବାଇଶି ଦିନ ଧରି ସଙ୍ଗରେ ନେବାର ପ୍ରତିଶୃତି ଦେଲା ପରେ ମନ୍ଦିରର ଦ୍ଵାର ଉନ୍ମୁକ୍ତ ହୋଇଥାଏ l
ଗବେଷକମାନେ ରୁକୁଣା ରଥକୁ ଜୈନ ଓ ବୌଦ୍ଧ ପରମ୍ପରାରୁ ଉଦ୍ଭବ କହୁଥିଲେହେଁ ଏହା ଶୈବ ଓ ବୈଷ୍ଣବ ସଂସ୍କୃତିର ମିଶ୍ରଣ l ଏକାମ୍ର କ୍ଷେତ୍ର ଏକ ପ୍ରାଚୀନ ଶୈବକ୍ଷେତ୍ର ହୋଇଥିବାରୁ ରୁକୁଣା ରଥ ଯାତ୍ରାର କାଳ ନିର୍ଣ୍ଣୟ କରିବା କଷ୍ଟକର l
କାହିଁ କେଉଁ ଯୁଗରୁ ରୁକୁଣାରଥ ଓ ଅଶୋକାଷ୍ଟମୀ ପାଳିତ ହୋଇଆସୁଛି l ଏହା ଆମ ସଂସ୍କୃତି ଏବଂ ପରମ୍ପରାର ପରିଚାୟକ,ଯୁଗଯୁଗ ଧରି ଏ ଯାତ୍ରା ଚାଲିଥିବ l
ଓଁ ନମଃ ଶିବାୟଃ !
🙏🙏🙏
ମୋ -7693091971