କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୨)
ରାଜା ପୃଥୁ ଦେବର୍ଷି ନାରଦଙ୍କୁ ପ୍ରଣିପାତ କଲେ ଓ କହିଲେ ଭୋ ମୁନି ! ଭଗବାନ ବିଷ୍ଣୁ ପାର୍ବତୀଙ୍କ ନିକଟକୁ ଆସିଲେ ? ପାର୍ବତୀ ତାଙ୍କୁ ଜଳନ୍ଧର ବିଷୟରେ କହିବାକୁ ଭଗବାନ ବିଷ୍ଣୁ କହିଲେ ତାହାରି ମାୟା ତାହାରି ଠାରେ ପ୍ରୟୋଗ ହେବ ? ସତରେ କଣ ବିଷ୍ଣୁ ଭଗବାନ ଜଳନ୍ଧର ପତ୍ନୀ ଠାରେ ମାୟା ପ୍ରୟୋଗ କଲେ । ଯଦି କଲେ ତାହା କେମିତି ଘଟିଲା । ସେ ବିଷୟରେ ମୋତେ ବିସ୍ତାର କରି କୁହନ୍ତୁ ?,ନାରଦ କହିଲେ ହେ ରାଜନ ମୁଁ ଯାହା ଭଗବାନ ଶ୍ରୀକୃଷ୍ଣ ଙ୍କ ଠାରୁ ଶୁଣିଛି ତାହା ତୁମ ନିକଟରେ କହୁଛି ଶୁଣ ନାରଦ କହିଲେ ................................!!!!
ଭଗବାନ ବିଷ୍ଣୁ ଶିବପୁର ରୁ ଆସି ଜଳନ୍ଧର ପୁରରେ ପ୍ରବେଶ କଲେ ।ଜଳନ୍ଧର ଠାରେ ମାୟା ରଚନା କଲେ ବିଷ୍ଣୁ ଭଗବାନ । ଯୋଉ ମାୟାକୁ ଦେବତା ମାନେ ଜାଣିପାରିଲେ ନାହିଁ ଉତ୍ତମ ଜନ ଙ୍କ ହିତ ପାଇଁ ବିଷ୍ଣୁ ଭଗବାନ ନିଜ ପଞ୍ଚଭୁତମନରେ ବିଚାର କଲେ।ମାୟାଧର ଅଚ୍ୟୁତ ବୈଷ୍ଣବି ମାୟା ଧରି ଜଳନ୍ଧରର ଘରଣୀ ବୃନ୍ଦାବତୀ ର ଚିତ୍ତ କୁ ମୋହିଲେ । ଜଳନ୍ଧର ରାଜ ରାଣୀ ବୃନ୍ଦାବତୀ ସର୍ଵଦା ସ୍ଵାମୀ ଙ୍କୁ ସ୍ନେହ କରିବା ସହିତ ତାଙ୍କୁ ମନ ଭିତରେ ରଖିଥାଏ । ପତି ଙ୍କ ଠାରେ ମନ ରଖି ରାତି ପଲଙ୍କ ଉପରେ ଶୋଇଥିଲେ । ରାତି ପ୍ରାୟ ଅର୍ଦ୍ଧ ସମୟରେ ବୃନ୍ଦାବତୀ ନିଦରେ ଥାଇ ସପନ ଦେଖିଲେ ଯେ ତାଙ୍କ ସ୍ବାମୀ ଜଳନ୍ଧର ନିଜ ଦେହରେ ତେଲ ଜର ଜର ହୋଇ ବସ୍ତ୍ର ନପିନ୍ଧି ,କେଶକୁ ଖୋଲି ଗଳାରେ ବିଭିନ୍ନ ରଙ୍ଗ ଫୁଲର ମାଳ ପକାଇ ମଇଁଷି ବାହାନ ରେ ଚଢି ଦକ୍ଷିଣ ଦିଗକୁ ଯାଉଛନ୍ତି । ପୁଣି ବୃନ୍ଦାବତୀ ସ୍ୱପ୍ନରେ ଦେଖିଲେ ତାଙ୍କ ସ୍ବାମୀ ଜଳନ୍ଧର ହାତରେ କଟା ମୁଣ୍ଡ ଧରିଛନ୍ତି । ଏମିତି ସ୍ୱପ୍ନ ଦେଖି ମୃଗାକ୍ଷୀ ଙ୍କ ସ୍ୱପ୍ନ ଭାଙ୍ଗିଗଲା ।ମହାଦେଈ ଉଠି ବସିଲେ ।
ବୃନ୍ଦାବତୀ ଯେମିତି ବସି ପଡିଲେ ତାଙ୍କ ନାକର ଦକ୍ଷିଣ ପୁଡ଼ାରୁ
ପବନ ଯାଉଥିବାର ଜାଣିପାରିଲେ ଡାହାଣ ଆଖି ଡେଇଁବାରେ ଲାଗିଲା ।ଦୂରରୁ ନିର୍ଘାତ ଶବ୍ଦ ଶୁଭିଲା ବୃନ୍ଦାବତୀଙ୍କୁ । କେଉଁଆଡ଼ୁ ଦୁଇଟି ପେଚା ଉଡି ଆସି ତାଙ୍କ ମହଲ ଉପରେ ବସି ଡାକ ଛାଡିଲେ । ଘର ଓ ବାହାରୁ ଗାଈ ଗୋରୁ ମାନଙ୍କର ରାଵ ଶୁଣି ଶ୍ବାନ ମାନେ ଅସ୍ୱାଭିବିକ ଭାବେ ଭୁକିବାକୁ ଲାଗିଲେ । ଏସବୁ ଉପଦ୍ରବ୍ୟ ଧ୍ୱନି ଶୁଣିବାକୁ ପାଇଲା ଦୈତ୍ୟ ଜଳନ୍ଧର ର ଘରଣୀ । ବୃନ୍ଦାବତୀ ଏପରି ସ୍ଵପ୍ନ ସହିତ ଅସ୍ୱାଭିବିକ ଧ୍ୱନି ଶୁଣି ମନ ତାଙ୍କର ଗୋଳେଇ ଘାଣ୍ଟି ହେଲା ।ତାଙ୍କୁ କିଛି ଭଲ ଲାଗିଲା ନାହିଁ କି ନିଦ ଆଉ ହେଲାନାହିଁ ! ରାତି ସେମିତି ବସି ରହିଲେ ବୃନ୍ଦାବତୀ । ସକାଳ ହେଲା ପରେ ବି ସେ କିଛି ଶୁଭ ଦେଖି ପାରିଲେ ନାହିଁ । ତାଙ୍କ ଆଖୁକୁ ସୂର୍ଯ୍ୟ ଉଦୟ କାଳେ ଧଳା ବର୍ଣ୍ଣ ଦିଶିଲା ଓ ସୂର୍ଯ୍ୟ ମଣ୍ଡଳ ଛିନ୍ନ ଭିନ୍ନ ଦେଖାଗଲା । ସକାଳେ ତାରାମାନେ ଦେଖାଗଲେ । ଦଶ ଦିଗ ଧୂମ ମୟ ଦେଖାଗଲା । ଏମିତି ଦୃଶ୍ୟ ଦେଖି ବୃନ୍ଦାବତୀ ଭୟରେ ଥରିବାକୁ ଲାଗିଲେ ।ତାଙ୍କ ନାୟନରୁ ଅଶ୍ରୁ ବୋହିବାରେ ଲାଗିଲା । ଘର ଭିତରକୁ ଚାଲିଗଲେ ବୃନ୍ଦା ମାତ୍ର ସେଠାରେ ସ୍ଥିର ହୋଇ ବସି ପାରିଲେ ନାହିଁ । ସ୍ୱାମୀଙ୍କ ଠାରେ ଚିତ୍ତ କୁ ନିବେଶ କରି ଆକୁଳରେ ଅନ୍ତର ଭିତରେ ଖୋଜିଲେ । ବୃନ୍ଦା ମନେ ମନେ ଚିନ୍ତାକଲେ ଭଗବାନ ଶିବ ଜୀଵ ସଂହାର କରିବା ପାଇଁ ଧରଣୀ କୁ ଧ୍ୱଂସ କରିବାକୁ ଯୋଗ କରୁଛନ୍ତି ବୋଧେ । ଯେହେତୁ ତାଙ୍କ ନାମ କାଳଜ୍ଞ ତେଣୁ ସେ ଜୀଵ ଙ୍କ ଉପରେ ଜୀବେଶ୍ବର । ସେହି ଭଗବାନ ଶିବ ଙ୍କ ସହିତ ମୋ ପତି ତାଙ୍କୁ ନଜାଣି ତାଙ୍କ ସହ ଅପ୍ରିତୀ କରିବାରୁ ଏସବୁ ହେଉଛି ବୋଧେ । ମୋ ସ୍ୱାମୀ ଶିବ ଙ୍କ ମହିମା କାହୁଁ ଜାଣିବେ ? ନିଜେ ନିଜେ ନାଶ ହୋଇଯିବେ ଏକଥା ମୋତେ ଦୃଶ୍ୟମାନ ହେଉଛି !
ନିଶ୍ଚେ ହୋଇବେ ଆପେ ନାଶ
ଏକଥା ହେଉଅଛି ଦୃଶ୍ୟ ।
ବୃନ୍ଦାବତୀଙ୍କ ମନ ଗୋଳେଇ ଘାଣ୍ଟି ହେଉଥାଏ । ଗୋଟିଏ ପଟେ ଅଶୁଭ ସ୍ୱପ୍ନ ଓ ଆଉଗୋଟେ ପଟେ ଭଗବାନ ଶିବ ଙ୍କ ସହିତ ତାଙ୍କ ସ୍ବାମୀ ଜଳନ୍ଧର ଙ୍କ ସମର ।ବ୍ୟସ୍ତ ହୋଇ ପଡିଲେ ବୃନ୍ଦା ଓ ଭାବିଲେ ମୁଁ କେମିତି ମୋ ସ୍ୱାମୀଙ୍କର ଭଲ ମନ୍ଦ ଖବର ପାଇ ପାରିବି ? ଏପରି ଚିନ୍ତାକରି ବୃନ୍ଦା ଅସୁର ପୁରରେ ବୁଲିବାକୁ ଲାଗିଲା । କେଉଁଠାରେ ତାହାର ମନ ଲାଗିଲା ନାହିଁ ମଇଳା ଲୁଗାକୁ ଓହ୍ଲାଇ ଦେଇ ନିଜର ନିତ୍ୟକର୍ମ ସାରିଦେଲା ।ପ୍ରତି କ୍ଷଣରେ ତାହାର ମତି ଭ୍ରମ ହେଉଥାଏ ।ଅସୁର ଘରଣୀ ବୃନ୍ଦା ଗୋଟିଏ ବସନ ପିନ୍ଧିଥିଲା । କେଶରେ ବେଣୀ କୁ ଛନ୍ଦି ଦେଇ ଥିଲା । ସାଙ୍ଗରେ ଦୁଇଜଣ ସଖୀ ଙ୍କୁ ଧରି ଅସୁର ପୁର ରୁ ଚନ୍ଦ୍ରମୁଖୀ ବାହାର ହୋଇଲା । ବୃନ୍ଦାବତୀ ପ୍ରଥମେ ଯାଇଁ ଗାଈ ମାନଙ୍କ ଗୋଷ୍ଠ ରେ ପହଁଞ୍ଚିଲା ।ସେଠାରେ ଦେଖିଲା ଗାଈ ମାନେ ଶୁଖ ରେ ନାହାଁନ୍ତି । ଉଚ୍ଚ ସ୍ଥାନକୁ ଯାଇ ଦିଗ୍ ମାନଙ୍କୁ ଲକ୍ଷ୍ୟ କଲା କିନ୍ତୁ କିଛି ଭଲ ଲାଗିଲା ନାହିଁ ତାଙ୍କୁ । ପତି ଜଳନ୍ଧରଙ୍କର ଆଗମନ କୁ ଅନୁସରି ନିଜ ହୃଦୟକୁ ସ୍ଥିର କରି ପାରିଲା ନାହିଁ ବୃନ୍ଦା । ଏଠାରେ ସ୍ପଷ୍ଟ ଭାବେ ବୃନ୍ଦାବତୀ ଜାଣି ପାରିଲା ଯେ ନିଶ୍ଚିତ ବିପଦ ମାଡି ଆସୁଛି । ସଖୀ ଦୁଇଜଣ ବୃନ୍ଦା ଙ୍କୁ ବୁଝାଇ ବାରେ ଲାଗିଲେ ମାତ୍ର ବୃନ୍ଦା ସଖୀ କଥା ନମାନି ଏଣେ ତେଣେ ବୁଲିବାକୁ ଲାଗିଲେ ।ସ୍ୱାମୀ ଜଳନ୍ଧର ଙ୍କ କଥା ମନରେ ଭାବି ଭାବି ବୃନ୍ଦାବତୀ ନଗରରୁ ବାହାରି ଗଲେ । ସତୀ ବୃନ୍ଦାବତୀ ନଗରରୁ ବାହାରି ଘୋର ଜଙ୍ଗଲ ମଧ୍ୟରେ ପଶିଲେ । ସେଠାରୁ ପର୍ବତ ଉପରକୁ ଉଠିଲେ । ନିଜେ ନିଜ ଭାଗ୍ୟକୁ ନିନ୍ଦା କଲେ ସତୀ ବୃନ୍ଦା । ଦଶ ଦିଗପାଳ ଙ୍କୁ ଚାହିଁ କାନ୍ଦିଲେ ଅସୁର ରାଜ ରାଣୀ ବୃନ୍ଦାବତୀ । ତାପରେ ଦୁଇ ସଖୀଙ୍କର ବାହୁକୁ ଧରି ବୃନ୍ଦାବତୀ ପର୍ବତ ତଳକୁ ଖସି ଆସିଲେ । ଦୁଃଖରେ ବନ ଭିତରେ ବୁଲୁଥିଲେ ବୃନ୍ଦାବତୀ । ଠିକ୍ ସମୟ ଏଇଟା ! ଭଗବାନ ବିଷ୍ଣୁ ଚିନ୍ତା କଲେ । ବୃନ୍ଦାବତୀ ବିଷ୍ଣୁ ଙ୍କ ମାୟାରେ ବୁଦ୍ଧି ବଣା ହୋଇଗଲେ ।
ଏମିତି ଦେଖିବାକୁ ଗଲେ ସ୍ୱାମୀ ବିଚ୍ଛେଦ ରେ ତାଙ୍କ ମନ ଦୁଃଖ । ବନ ଭିତରେ ଏହି ମନଦୁଃଖରେ ସ୍ୱାମୀଙ୍କୁ ଖୋଜୁଥିବା ସମୟରେ ବିଷ୍ଣୁ ମାୟା ବଳରେ ଦୁଇଟି ଦାନବ କୁ ବୃନ୍ଦାବତୀଙ୍କ ନିକଟକୁ ପଠାଇ ଦେଲେ । ସେ ଦୁଇ ଦାନବ ଦେଖିବାକୁ ଏପରି ..। ସିଂହ ପରି ମୁହଁ ,ବିକଟ ଦାନ୍ତ , ତୀକ୍ଷ୍ଣ ନଖ ,ବିକଟାଳ କଣ୍ଠସ୍ୱର, ହନୁହାଡ଼ ବାହାରି ବିକୃତ ଦେଖା ଯାଉଛି ,ଶରୀର ପର୍ବତ ଆକାରର ,କେଶ ମୁକୁଳା ,ଉଚ୍ଚ ଆଖି । ଏମିତି ଦାନବ କୁ ଦେଖି ଜଳନ୍ଧର ଘେରଣୀ ବୃନ୍ଦା ଭୟ କଲା । ଅସୁର ଦୁଇଜଣ ହାତରେ କଣ୍ଟା ବୃକ୍ଷ କୁ ଧରି ଖୁବ ଯୋରରେ ନାଚିବାକୁ ଲାଗିଲେ । ପାଟିକୁ ବିସ୍ତାର କରି ଧାଇଁ ଆସିବାରୁ ତାଙ୍କୁ ଦେଖି ବୃନ୍ଦାବତୀ ଭୟ କରିବାରେ ଲାଗିଲେ । ବୃନ୍ଦାବତୀ ଚିନ୍ତାକଲେ ଆଉ ବନ ଭିତରେ ମୋ ସ୍ୱାମୀଙ୍କୁ ନଖୋଜି ଦୁଇ ସଖୀ ଙ୍କୁ ଧରି ଏଠାରୁ ଚାଲିଯିବି । ଏହା କହି ଦୁଇ ସଖୀ ଙ୍କ ସହିତ ବୃନ୍ଦା ଭୟରେ ବନରୁ ବାହାରି ଆସିଲେ । ଚାଲିଥାନ୍ତି ଦୁଇ ସଖୀଙ୍କ ସହିତ ବୃନ୍ଦାବତୀ। କିଛି ବାଟ ଗଲା ପରେ ବୃନ୍ଦାବତୀ ଦେଖିଲେ ଜଣେ ଋଷି ଯୋଗ ଧ୍ୟାନରେ ବସି ଛନ୍ତି ! ଅପୂର୍ବ ରୂପ ଓ ଦିବ୍ୟ ଶୋଭା ସହିତ ଅନଳ ପ୍ରାୟ ଜ୍ୟୋତି ତାଙ୍କ ଠାରୁ ବାହାରୁ ଅଛି । କାନରେ କୁଣ୍ଡଳ ମୁଣ୍ଡରେ ଜଟା ପଣି ୠଷି ଜଣଂକ ତମ୍ବା ର କଛା ମାରିଛନ୍ତି !ଦେହର ସବୁ ଅଂଶରେ ଭସ୍ମ ମାରି ହୋଇଛନ୍ତି ।ଗୋଟିଏ ଆସନ ଉପରେ ମୌନ ହୋଇ ବସିଛନ୍ତି ୠଷି । ବୃନ୍ଦାବତୀ ଆହୁରି ଲକ୍ଷ୍ୟକଲେ ୠଷି ଖାଲି ମୌନ ହୋଇ ବସି ନାହାନ୍ତି ,ଦୁଇ ଆଖି ମଧ୍ୟ ବନ୍ଦ କରି ମନ ବ୍ରହ୍ମ ରାଶି ଙ୍କୁ ଦେଇଛନ୍ତି ।ଏହାପରେ ବୃନ୍ଦାବତୀ ସଖୀଙ୍କ ସହିତ ସେହି ୠଷି ଙ୍କ ପାଖକୁ ଗଲେ ଓ ଶରଣ ପଶିଲେ ବୃନ୍ଦାବତୀ ଋଷିଙ୍କ ନିକଟରେ ଶରଣଂ ପଶିବାର ଅସୁର ମାନେ ଦେଖିଲେ । ଅସୁରମାନେ ବୃନ୍ଦାବତୀ ଶରଣଂ ପଶୁଥିବାର ଦେଖି ଆତଙ୍କ ରେ ଡାକ ଛାଡିଲେ । ଅସୁର ମାନଙ୍କର ଡାକ ଶୁଣି ୠଷି ଆଖି ଖୋଲିଦେଲେ । ୠଷି ହାତ ଟେକି ଯେମିତି ହୁଁ ହୁଁ କରି ଦେଲେ ଅସୁରମାନେ ଡରି ପଳାଇଗଲେ । ୠଷି ଙ୍କର ଏମନ୍ତ କାର୍ଯ୍ୟ ଦେଖି ବୃନ୍ଦା ହୃଦୟରେ ଆନନ୍ଦ ଜାତ ହେଲା ।ବୃନ୍ଦାବତୀ ୠଷି ଙ୍କୁ ପ୍ରଣିପାତ କଲେ ଓ ନିଜ ହାତ ଦୁଇଟିକୁ ମୁଣ୍ଡ ଉପରେ ଦେଇ କହିଲେ ହେ ଗୋସାଇଁ ମୋ କଥା ଟିକେ ଶୁଣିବା ହେଉ ? ଆପଣଙ୍କ ପାଇଁ ଆମେ ତିନି ଜଣ ନାରୀ ରକ୍ଷା ପାଇଲୁ । ଆପଣ ସର୍ଵଜ୍ଞ ! ମୁଁ ଜାଣି ପାରୁଛି ଆପଣ ତିନି କାଳର କଥା ଜାଣି ପାରନ୍ତି । ଏବେ ମୋହର କଥା ଟିକେ ଶୁଣନ୍ତୁ । ୠଷି ଙ୍କୁ ବୃନ୍ଦାବତୀ କହିଲେ ହେ ୠଷି ବର !ମୋ ସ୍ୱାମୀଙ୍କ ନାମ ଜଳନ୍ଧର । ଈଶ୍ୱରଙ୍କ ସହିତ ମୋ ସ୍ବାମୀ ଯୁଦ୍ଧ କରୁଛନ୍ତି ଏକମାସ ହୋଇଗଲା ଯୁଦ୍ଧ ସମୂର୍ଣ୍ଣ ହେଲାନାହିଁ । କେହି କାହାକୁ ଜିଣି ପାରିଲେ ନାହିଁ ? ହେ ୠଷି !ଆଜି ମୁଁ ମୋ ସ୍ୱାମୀଙ୍କ ବିଷୟରେ ଖରାପ ସ୍ୱପ୍ନ ଦେଖିଲି ତେଣୁ ମୋ ମନରେ ବହୁତ ଚିନ୍ତା ଆସୁଛି ଓ ସବୁ ମୋତେ ଦେଖିଲେ ପିତା ଲାଗୁଛି । ବାୟାଣୀ ପରି ଏଣେ ତେଣେ ମୁଁ ବୁଲୁଛି ! ଏମିତ ବୁଲି ବୁଲି ଆପଣଙ୍କୁ ଭେଟିଛି ହେ ୠଷି ମୁଁ ଆଶା ରଖିଛି ଯେ ଆପଣ ହିଁ ମୋ ସ୍ୱାମୀଙ୍କର ସନ୍ଦେଶ ଦେବେ । ଆଜି ମୋର ବଡ଼ ଭାଗ୍ୟ ଯେ ଆପଣଙ୍କ ଠାରୁ ମୋ ସ୍ୱାମୀ ଙ୍କ ବାର୍ତ୍ତା ପାଇବି । ହେ ୠଷି ! ମୋତେ କୁହନ୍ତୁ !ମୋର ସ୍ୱାମୀ ଭଲରେ ଅଛନ୍ତି ତ୍ ?ବିଚାର କରି କୁହନ୍ତୁ । ବୃନ୍ଦାବତୀ ଙ୍କର ଏପରି ବଚନ ଶୁଣି ମୁନି ହୃଦପଦ୍ମରେ ଚିନ୍ତା କଲେ । ଉର୍ଦ୍ଧ୍ଵ କୁ ନିଃଶ୍ବାସ ଛାଡି ଉତ୍ତର ପାଇବା ପାଇଁ ଆକାଶ କୁ ଚାହିଁଲେ । ୠଷି ଆକାଶକୁ ଚାହିଁଛନ୍ତି ଏହି ସମୟରେ ଦୁଇଟି ମାଙ୍କଡ଼ ଶୁନ୍ୟରେ ଯାଉଥିବାର ଦେଖିଲେ । ପବନ ଯୋରରେ ବହିବାରୁ ମାଙ୍କଡ଼ ଦୁଇଟି ତଳକୁ ଖସି ଆସିଲେ ।ୠଷି ଦେଖିଲେ ମାଙ୍କଡ଼ ହାତରେ ଛେଦନ ହୋଇଥିବା ମୃତ ଗଣ୍ଡି ଓ ମୁଣ୍ଡ । ଦୁଇଟି ମାଙ୍କଡ଼ ଧରିଛନ୍ତି ଚାରିଗୋଟି କଟାମୁଣ୍ଡ ।ମାଙ୍କଡ଼ ଦୁଇଟି ଋଷିଙ୍କ ଆଗରେ ସେଇ କଟାମୁଣ୍ଡ ଥୋଇ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ ।
ମୁନିଙ୍କ ଆଗେ ତାହା ଥୋଇ ।
ସେ ଗଲେ ଅନ୍ତର୍ଦ୍ଧାନ ହୋଇ ।
ବୃନ୍ଦାବତୀ ସଖୀ ମାନଙ୍କ ସହ ଋଷିଙ୍କ ନିକଟରେ ଥାଇ ଦେଖିଲେ ମୃତଶବ ଦୁଇଖଣ୍ଡ ହୋଇ ଯାଇଛି । ବୃନ୍ଦା ଚିହ୍ନିଲେ ଯେ ଏହି ମୁଣ୍ଡ ମୋ ସ୍ୱାମୀ ଙ୍କର । ଏହା ମୋ ସ୍ୱାମୀ ଜଳନ୍ଧର ଙ୍କ ଶରୀର ,ତାଙ୍କର ପ୍ରତ୍ୟେକ ଅଙ୍ଗ ରକ୍ତରେ ରଙ୍ଗ ଦିଶୁଅଛି । ଯାହା ପିନ୍ଧିଥିଲେ ମୋ ସ୍ୱାମୀ ସେହି ବସ୍ତ୍ର ତାଙ୍କ ଦେହରେ ଅଛି । ହାତରେ ଧନୁ ମଧ୍ୟ ଅଛି । ଏସବୁ ଥାଇ ମଧ୍ୟ କାହାର ବାଣ ରେ ମୋ ସ୍ୱାମୀଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ଯାଇଛି ? ସାଗର ସୁତ ମହାବଳୀ ଜଳନ୍ଧର ଭୂମି ଉପରେ ମୃତ ଶବ ହୋଇ ପଡ଼ିଅଛି ! ଏମନ୍ତ ଦୃଶ୍ୟ ଦେଖି ମହା ସତୀ ବୃନ୍ଦାବତୀ ସ୍ୱାମୀଙ୍କ ନିଧନେ ଭୂମି ଉପରେ ପଡିଯାଇ କାନ୍ଦିବାକୁ ଲାଗିଲେ । ହୃଦୟ କୁ ଦୁଇ ହାତରେ ବାଡେଇ ଖୁବ ଯୋରରେ କାନ୍ଦିଲେ ବୃନ୍ଦାବତୀ । ସ୍ୱାମୀ ଜଳନ୍ଧର ମୁଣ୍ଡକୁ ଅଣ୍ଡାଳି ଦେଉଥାଆନ୍ତି ଓ ଭଲ କରି ଦେଖୁଥାଆନ୍ତି ଓ ରୋଦନ କରି ଚାଲିଥାନ୍ତି । ବୃନ୍ଦାବତୀ ଙ୍କ କାନ୍ଦ ଦେଖି ସଖୀ ମାନେ କାନ୍ଦିବାକୁ ଲାଗିଲେ । ବିକଳ ରେ ବୃନ୍ଦା କାନ୍ଦି କାନ୍ଦି ସ୍ୱାମୀ ଜଳନ୍ଧର ଙ୍କର ଗୁଣ ସବୁ ସ୍ମରଣା କରି ବୃନ୍ଦାବତୀ କହୁଛନ୍ତି ଧିକ୍ ମୋ ଜୀବନ । ଭୋ ନାଥ ! ମୋ ପ୍ରାଣ ରକ୍ଷା ଆପଣ ଥିଲେ ଆପଣ ମୋ ପ୍ରାଣନାହା ,ଆପଣ ନିଜ ବାହୁରେ ରିପୁକୁ ମର୍ଦ୍ଧନ କରି ପାରନ୍ତି ? ବିଧାତାଙ୍କ ଠାରୁ ବଳ ପାଇ ଆପଣ ଚଉଦ ବ୍ରହ୍ମାଣ୍ଡ କୁ ଜିତି ପାରିଲେ । ଆପଣ ଥିଲେ ଶତ୍ରୁ ମାନଙ୍କର ଧୂମକେତୁ କିଏସେ ତୁମକୁ ଏ ଅପମୃତ୍ୟୁ ଦେଲା ନାଥ ?
ଅଇରୀ ବଳ ଧୂମକେତୁ
କେ ତୋତେ ଦେଲେ ଅପମୃତ୍ୟୁ ।
ବୃନ୍ଦାବତୀ ସ୍ଵାମୀଙ୍କ ମୃତ ଶରୀର କୁ ଦେଖି କାନ୍ଦି କାନ୍ଦି କହୁଛନ୍ତି ନାଥ !ତୁମର ଏତେ ଅବସ୍ଥା ଦେଖି ମୋ ପ୍ରାଣ କାହିଁକି ଅଛି ? ତୁମେ ମୋତେ ଜୀବନରେ କଭେ ଦୁଃଖ ଦେଇନ ! ଜୀବନ୍ତ ଥିଲା ବେଳେ ତୁମଠାରୁ ବହୁତ ସୁଖ ପାଇଛି ମୁଁ । ଏତେ ଏତେ ସୁଖ ସବୁ ପାଇଛି ଯେ ତାହା ବର୍ଣ୍ଣନା କରିବା ମୋ ନିକଟରେ ଏବେ ସମ୍ଭବ ନୁହେଁ ନାଥ ! ସେହି ସବୁ ଋଣ ମୁଁ କେମିତି ସୁଝିବି ? ହେ ନାଥ ମୋତେ ତୁମ ନିକଟକୁ ନେଇ ଯାଅ
? ତୁମର ଜୀବନ ଯେଉଁଠାରେ ଅଛି ମୋତେ ସେଠାକୁ ନେଇ ଯାଅ । ମୋ ଜୀବନ ସେହିଠାରେ ପଶିଯାଉ ନାଥ ।ମୋ ଶରୀର ତୁମର ପିଣ୍ଡରେ ଅଗ୍ନିକୁଣ୍ଡ ରେ ଦହନ ହେଉ । ମୋତେ କିଛି ବୁଦ୍ଧି ଦିଶୁନାହିଁ ନାଥ ଏବେ ମୁଁ କଣ କରିବି ? ବୃନ୍ଦାବତୀ ପୁନଶ୍ଚ କାନ୍ଦି କାନ୍ଦି କହୁଥାନ୍ତି ହେ ସ୍ୱାମୀ ! ଆପଣ ଥିଲେ ରାଜା ମାନଙ୍କର ରାଜା ଅର୍ଥାତ ରାଜରାଜେଶ୍ୱର , ଆପଣଙ୍କର ବନ୍ଧୁ ଭଗବାନ ଚକ୍ରଧର , ଦଶ ଦିଗପାଳଙ୍କ ସହିତ ସୁର ଅସୁର ସମସ୍ତେ ଆପଣଙ୍କ ନିକଟରେ ଥିଲେ ଓ ଏମାନେ ସମସ୍ତେ ଆପଣଙ୍କ ବଶବର୍ତ୍ତୀ ଥାଇ ଏତେ ଶାସ୍ତି କିଏ ଆପଣଙ୍କୁ ଦେଲା ନାଥ ? କାହିଁକି ଆପଣ ଅନୀତି କଲେ ଯେ ଈଶ୍ୱର ଙ୍କ ଅପରାଧୀ ହେଲେ ନାଥ ?
ଜାଣିପାରିଲେ ବୃନ୍ଦାବତୀ ଯେ ତାଙ୍କ ସ୍ବାମୀ ଶିବଙ୍କ ନାରୀ ମହାସତୀ ପାର୍ବତୀ ଙ୍କୁ ହରଣ କରିବା ପାଇଁ ମନ ବଳାଇ ବାରୁ ତାଙ୍କର ଏପରି ଦଶା ହୋଇଛି ।କାନ୍ଦୁଥାନ୍ତି ବୃନ୍ଦା ଓ ମନକୁ ବୁଝାଇ କହୁଥାନ୍ତି ମୁଁ କଣ ସୁନ୍ଦରୀ ନଥିଲି ! ମୋ ଠାରେ କଣ ନାଥ ଆପଣ ସନ୍ତୁଷ୍ଟ ନଥିଲେ ? କେଉଁଥିରେ ମୁଁ ଆପଣଙ୍କୁ ଅବହେଳା କଲି ଯେ ଆପଣ ଶିବ ଭଗବାନ ଙ୍କ ପତ୍ନୀ ପାର୍ବତୀଙ୍କୁ ହରଣ କରିବାକୁ ଯାଇଥିଲେ ? ଯଦି ଏପରି କର୍ମ କଲେ ତେବେ ତୁମ ମରଣ ଉଚିତ ଅଟେ ! ଏବେ ମୁଁ ସତୀ ବ୍ରତ ପାଳନ କରିବି ।ମୋର ଧର୍ମ କୁଆଡେ ଗଲା ଯେ ମୁଁ ଆଜି ତୁମର ମୃତପିଣ୍ଡକୁ ଦେଖୁଛି ? ହେ ୠଷି ମୁଁ ଏହାକୁ ସତ ଭାବିବି ନା ନାହିଁ ମୋତେ କୁହନ୍ତୁ ? ମୋ ମନରେ ଅନ୍ୟାୟ କେଭେ ନାହିଁ ? ବିଧବା କେମିତି ହେବି ?
ବୃନ୍ଦାବତୀ ଙ୍କ ପ୍ରଶ୍ନର ଉତ୍ତରରେ ୠଷି କହିଲେ ହେ ସତୀ ! ତୁମର ଯଦି ସ୍ବଧର୍ମ ରେ ମନ ଅଛି ତେବେ ତୁମର ସ୍ୱାମୀ ଜଳନ୍ଧର ନିଶ୍ଚିତ ଏଥିରୁ ବର୍ତ୍ତି ଯାଇ ପାରେ ? କିନ୍ତୁ ଯାହା ସଂଶୟ ଅଛି ଶୁଣ ?ଜଗତ ଈଶ୍ୱର ଭଗବାନ ଶଙ୍କର ସେହିଁ ଯୁଦ୍ଧରେ ତୁମର ସ୍ୱାମୀଜଳନ୍ଧର ର ମୁଣ୍ଡ କୁ କାଟିଛନ୍ତି ? ତାଙ୍କ ଭୃତ୍ୟ ନନ୍ଦୀ ଓ ଭୃକୁଟି ଙ୍କ ହସ୍ତରେ ତୁମ ସ୍ୱାମୀର ମୁଣ୍ଡ ଏଠାରେ ଆଣି ପକାଇଛନ୍ତି । ୠଷି କହିଲେ ପ୍ରତ୍ୟକ୍ଷେ ରେ ଶବକୁ ଦେଖୁଛି ? କେମିତି ଜୀବନ ପାଇବ ବୋଲି କହିବି ? ୠଷି ଙ୍କ ଠାରୁ ଏପରି ବାକ୍ୟ ଶୁଣି ମୁନି ଙ୍କ ଠାରେ ବିନତି କଲା ବୃନ୍ଦା ।ସ୍ୱାମୀଙ୍କ ମୁଣ୍ଡକୁ ୠଷି ଙ୍କ ଆଗରେ ଥୋଇ ସାଷ୍ଟାଙ୍ଗେ ପ୍ରଣିପାତ କରି ଶୋଇ ରହିଲା କିଛି କ୍ଷଣ ପରେ ଉଠି ମୁଣ୍ଡକୁ ହାତରେ ତୋଳି ଧରି ହାତ ଯୋଡି ମୁନିଙ୍କୁ କହିଲା ବୃନ୍ଦା ହେ ମୁନି !ଆପଣ ପ୍ରତ୍ୟକ୍ଷ ରେ ବ୍ରହ୍ମବେତ୍ତା , ଭଗବାନ ବିଷ୍ଣୁ ଙ୍କ ପରି ଆପଣ ବର ଦେଇ ପାରନ୍ତି ? ମୋର ଭକ୍ତି ପୁତ ତୁମ୍ଭେ ଘେନା କର ମୋ ସ୍ୱାମୀଙ୍କୁ ଜୀଵଦାନ ଦିଅ।ଏମିତି କହୁଥାଏ ବୃନ୍ଦାବତୀ ଓ ବାରମ୍ବାର ପ୍ରଣାମ କରୁଥାଏ ୠଷି ଙ୍କୁ ।ୠଷି ବୃନ୍ଦାବତୀର ବିନୟ ଭାବ ଦେଖି ଆଖି ବୁଜି କହିଲେ ବୃନ୍ଦା ତୁମେ କିଛି ସମୟ ବିଷ୍ଣୁଙ୍କୁ ଧ୍ୟାନ କର ନିଶ୍ଚିତ ତୁମ୍ଭର ସ୍ୱାମୀଙ୍କୁ ବଞ୍ଚାଇ ଦେବା । ୠଷି ଙ୍କ ଠାରୁ ଏପରି ଅଭୟ ବାଣୀ ଶୁଣି ଦୁଇ ସଖିଙ୍କ ସହିତ ବୃନ୍ଦା ଆଖି ବୁଜି ଧ୍ୟାନ କରିବାରେ ଲାଗିଲେ । ଯେମିତି ବୃନ୍ଦାବତୀ ଆଖି ବନ୍ଦ କରି ଧ୍ୟାନ କଲେ ୠଷି ମୃତ ପିଣ୍ଡକୁ ଧରି ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ।
ବୃନ୍ଦାବତୀ ଙ୍କ ନିକଟରେ ଜଳନ୍ଧର ଧନୁ ,ନାରାଚ ହାତରେ ଧରି ପହଁଞ୍ଚିଲା ।କଟି କିଙ୍କିଣି ଶବ୍ଦ ଶୁଣି ବୃନ୍ଦାବତୀ ଆଖି ଖୋଲିଲେ । ସ୍ୱାମୀ ଜଳନ୍ଧର ଙ୍କୁ ପ୍ରତ୍ୟକ୍ଷେ ରେ ଦେଖି ବୃନ୍ଦାବତୀ ଆନନ୍ଦିତ ହୋଇଗଲେ । ବୃନ୍ଦାବତୀଙ୍କ ପାଞ୍ଚମନ ଏପରି ଆନନ୍ଦିତ ହେଲାଯେ ସତେ ଯେପରି ମନେ ହେଲା ଦରିଦ୍ର କୋଟିଏ ଧନ ଯେମିତି ପାଇଛି !।ବୃନ୍ଦାବତୀ ସ୍ୱାମୀଙ୍କ ନିକଟକୁ ଯାଇ ଗାଡ଼ ଆଲିଙ୍ଗନ କଲା । ସ୍ୱାମୀ ଙ୍କ ମୁଖରେ ଚୁମ୍ବନ ଦେଲା । ବୃନ୍ଦାବତୀ ର ଲୋମ ସବୁ ଠିଆ ହୋଇଗଲା । ଅତି ଆନନ୍ଦରେ ଆଖିରୁ ଅଶ୍ରୁଜଳ ବୋହି ପଡିଲା । ଅତି ସ୍ନେହ ରେ ବୃନ୍ଦାବତୀ ପଚାରିଲା ଜଳନ୍ଧର କୁ ହେ ନାଥ ! ଆଜି ପର୍ଯ୍ୟନ୍ତ ତୁମେ କେଉଁଠି ଥିଲ ? ତୁମ୍ଭକୁ ନଦେଖି ମୋ ମନ ଡହକ ବିକଳ ହେଉଥିଲା । ଆଜି ତୁମକୁ ପାଇ ସେ ସବୁ ଦୁଃଖ ଦୂର ହୋଇଗଲା । ଏମିତି କହି ଚାଲୁଥାଏ ବୃନ୍ଦାବତୀ ,କହୁ କହୁ ସମସ୍ତ କଥା କହିବାରେ ଲାଗିଲା ସ୍ୱାମୀ ଜଳନ୍ଧର କୁ । ବୃନ୍ଦା ପୁଣି କହିଲା ତୁମେ ସ୍ୱାମୀ ଘୋର ରଣ କରୁଥିଲ ,ଶିବ ବାଣ ରେ ତୁମ ମୁଣ୍ଡ ଛେଦନ ହେଲା । ବାନର ସେହି ମୃତପିଣ୍ଡକୁ ମୋ ନିକଟରେ ଦୁଇ ଖଣ୍ଡକରି ଥୋଇଦେଲା । ଏଠାରେ ଜଣେ ୠଷି ଥିଲେ ,ମୁଁ ତାଙ୍କୁ ଭକ୍ତି କଲି । ସେହି ୠଷି ମୋ ଭକ୍ତିରେ ପ୍ରସନ୍ନ ହୋଇ ତୁମ୍ଭକୁ ଜୀଵଦାନ ଦେଲେ । ଏଠାରୁ ସେହି ୠଷି ଅନ୍ତର୍ଦ୍ଧାନ ହୋଇଗଲେ । ହେ ସ୍ୱାମୀ ତୁମେତ ଜୀଵଦାନ ପାଇଲ ଏଇଟା ମୋହର ବଡ଼ ପୁଣ୍ୟ । ଏବେ ଚାଲ ଆମେ ଆମ ପୁରକୁ ଯିବା । ଏ ବନରେ କାହିଁକି ଆଉ ରହିବା । ବୃନ୍ଦାବତୀ ଙ୍କ ବାକ୍ୟ ଶୁଣି ମହାପୁରୁଷ କହିଲେ ହେ ପ୍ରିୟା ତୁମେ ସାଵଧାନହୋଇ ଶୁଣ ? ଯଦି ଆଜି ମୁଁ ଜୀବନ ଦାନ ପାଇ ଥାଏ କେବଳ ତୁମ ପୁଣ୍ୟ ବଳ ଯୋଗୁଁ । ମରଣ ରୁ ମୋତେ ଜିଆଇଁ ଦେଲ ତୁମେ । ମୁଁ କଣ କହି ତୁମକୁ ଶାନ୍ତ କରିବି ଭାବି ପାରୁନି ?। ହେ ପ୍ରିୟେ ! ଏହି ଅରଣ୍ୟ ରମଣ କରିବା ପାଇଁ ବହୁତ ଭଲ । ଏଠାରେ କିଛି ଦିନ ରହି ସୁସ୍ଥ ମନରେ କ୍ରୀଡା କରିବା । ଯୁଦ୍ଧ କରି ଶରୀର ଦୃବଳ ଲାଗୁଛି । ଟିକେ ଭଲ ଲାଗିଲା ପରେ ନିଜ ପୁରକୁ ଯିବା ।
ସ୍ୱାମୀଙ୍କ ଠାର ଏମନ୍ତ କଥା ଶୁଣି ବୃନ୍ଦାବତୀ ଅତୀ ସ୍ନେହରେ ପ୍ରୀତି ଆରମ୍ଭ କରିଦେଲା । ବନ ମଧ୍ୟର ଗୋଟିଏ ଘର ତିଆରି କରି ଅତି ଆନନ୍ଦରେ ଦିନ କଟାଇଲେ । ଏମିତି ଛ ମାସ ବିତିଗଲା ।ଶରତ ଋତୁ ଆସି ପ୍ରବେଶ ହେଲା ।ଭଗବାନ ବିଷ୍ଣୁ ମାୟା ରୂପ ଧରି ଜଳନ୍ଧର ନାରୀ କୁ ହରଣ କଲେ । ବୃନ୍ଦାବତୀ ର ପାତିବ୍ରତ୍ୟ ନାଶ କରି ନିଜ ବେଶକୁ ଧରିଲେ ଭଗବାନ ବିଷ୍ଣୁ । ହରି ବିଚାର କଲେ ବୃନ୍ଦାବତୀ ଦୋଚାରୁଣୀ ହୋଇଗଲା । ସ୍ବଧର୍ମ ପଣ ତାହାର ନଷ୍ଟ ହୋଇଗଲା । ଏବେ ନିଶ୍ଚିତ ଜଳନ୍ଧର ମରିବ । ଦେବତା ମାନଙ୍କ କାର୍ଯ୍ୟ ଯେବେ ହେବ ଆଉ ମୁଁ କାହିଁକି ଏ ଜଳନ୍ଧର ରୂପ ଧରିଥିବି ସଂଗେ ସଂଗେ ଭଗବାନ ବିଷ୍ଣୁ ନିଜ ରୂପ ଧରିଲେ ।
ମେଘ ଗମ୍ଭୀର ପରି ବାକ୍ୟ ଶୁଣି ଜଳନ୍ଧର ଘରଣୀ ରାଜରାଣୀ ବୃନ୍ଦାବତୀ ଲେଉଟି କରି ଚାହିଁଲେ ।ନିକଟରେ ଭଗବାନ ବିଷ୍ଣୁ ଭୟରେ ଆଖି ବୁଜିଦେଲେ ବୃନ୍ଦା । ଓଠ ତାଙ୍କର ଘନ ଘନକମ୍ପି ଉଠିଲା । ଆଉ ଥରେ ଭଲ କରି ଚାହିଁଲେ ବୃନ୍ଦା । ଦେଖିଲେ ଭଗବାନ ହରି ଙ୍କୁ । କୋଟି କନ୍ଦର୍ପ ରୂପ ଧରି ତାଙ୍କ ନିକଟରେ ଠିଆ ହୋଇଛନ୍ତି । ଅତସୀ ପୁଷ୍ପବର୍ଣ୍ଣ କାନ୍ତି ,ନୀଳବର୍ଣ୍ଣ ଜ୍ୟୋତି ସର୍ବାଙ୍ଗ ରେ କଦମ୍ବ ଓ କାଞ୍ଚନ । ପିତ ବସ୍ତ୍ର ପରିଧାନ କରିଛନ୍ତି । ଚାରି ଭୁଜ , ଧନୁ ନାରାଚ ଗଦା ଧାରଣ କରିଛନ୍ତି । ପଦ୍ମ ଫୁଲ ଗୋଟିଏ ହାତରେ ,ମୁଣ୍ଡରେ ମଣୀ ମୁକୁଟ ।କର୍ଣ୍ଣରେ କୁଣ୍ଡଳ କଣ୍ଠ ରେ ରତ୍ନ ହାର ।ପାଦରେ ନୂପୁର ସୂର୍ଯ୍ୟ ଙ୍କ ପରି ଉଜ୍ଜ୍ୱଳ ,କାପାଳେ ଚନ୍ଦନ ବିନ୍ଦୁ ,କଣ୍ଠେରେ ମାଳ ଲମ୍ବାଇ ଛନ୍ତି ।ସବୁ ଆଙ୍ଗୁଠି ରେ ମୁଦି ।ଏହି ପରି ରୂପ ଧରି ବ୍ରହ୍ମରାଶି ବୃନ୍ଦାବତୀ ଙ୍କୁ ଚାହିଁ ଅଳ୍ପ ଅଳ୍ପ ହସୁଥାନ୍ତି । ବୁନ୍ଦାବତୀ ବ୍ରହ୍ମରାଶି ଭଗବାନ ବିଷ୍ଣୁଙ୍କୁ ଦେଖି କୋପ କରି କହିଲା ହେ ହରି !ଧିକ୍ ତୋହର ଏ ରୂପ । ଧିକ୍ ତୋହର ପ୍ରଭୁ ପଣ ? ତୋତେ ସଂସାର ରେ ବଡ଼ଲୋକ ବୋଲି ସମସ୍ତେ ମାନନ୍ତି ?ତୁ ଏପରି ନିଚ୍ଚ କାମ କଲୁ କିପରି ?ତୋହରି ନାମ ଧରି ପାପୀମାନେ ସଂସାରରୁ ତରି ଯାଆନ୍ତି ? ମୋ ପତି ତୋତେ ଘରେ ରଖିଲେ ଆମେ ସବୁ ପୁଣ୍ୟ ପାଇବା ପାଇଁ ! ଶେଷରେ ତୁ ମୋତେ ଏହି ପୁଣ୍ୟ ଦେଲୁ ?ଧିକ୍ ,ଶତ ଧିକ୍ ତୋତେ ଏତେ ବଡ଼ ଅପକର୍ମ କରିବାକୁ ତୋହର ବିବେକ ବାଧା ଦେଲାନି କେମିତି ।ଆରେ ମୋ ପତି ଶିବ ଘରଣୀ ପାଖକୁ ଯାଇଥିଲେ ସତ କିନ୍ତୁ ପାର୍ବତୀଙ୍କ ସତିତ୍ୱ ନଷ୍ଟ କରି ନାହାଁନ୍ତି ତାପରେ ସେ ଅସୁର କୂଳରେ ଜାତ ତାଙ୍କୁ ଏହା ଶୋଭା ପାଇ ପାରେ ତା ସହିତ ତୁ ସମାନ ହୋଇଗଲୁ ତୋହର ଆଉ କଣ ବଡ଼ ପଣ ରହିଲା ?ଏବେ ମୁଁ ଜାଣିଗଲି ତୁ ୠଷି ହୋଇ ସେଠାରେ ବସି ଥିଲୁ ? ଏ ସବୁ ମାୟା ତୋହର ? ମୁଁ ଅବଳା ନାରୀ ! ଏତେ ଛନ୍ଦ କପଟ ଜାଣି ପାରିଲି ନାହିଁ ? କପଟ କରି ମୋର ତପ କୁ ନଷ୍ଟ କଲୁ ଏବେ ମୁଁ ତୋତେ ଅଭିଶାପ ଦେଉଛି ତୋର ଭାରିଜା କୁ ଅସୁର ହରଣ କରିବେ ମୋତେ ଯେମିତି ଭଣ୍ଡିଛୁ ସେହିପରି ଅସୁର ମାନେ ତୋହରି ଭାରିଜା କୁ ଭଣ୍ଡି ହରିବେ ମୋ ପରି ତୋ ଭାରିଜା କାନ୍ଦୁ ତୁ ଯେମିତି ୠଷି ବେଶଧରି ମୋତେ ମାୟାକରି ଭଣ୍ଡିଲୁ ଓ ବନରେ ହରିଲୁ ସେହିପରି ତୁ ବନରେ ବୁଲିବୁ ତୋହର ସଖା ମାଙ୍କଡ଼ ମାନେ ହେବେ ଧର୍ମ ,ପୁରାଣ ଯଦି ସତ ତାହାଲେ ତୁ ଏହାହିଁ ଭୋଗ କର ମୋତେ ଏପରି ଦଶା ଦେଇଛୁ ତୋତେ ଏହାର ଶହେ ଗୁଣ ଭୋଗ କରିବାକୁ ପଡିବ ବୃନ୍ଦାବତୀ ପୁଣି କହିଲେ
ମୋତେ ଯେ କଲୁ ବିଡ଼ମ୍ବନ ।
ଏ ଦେହ ହେଲା ଅକାରଣ ।
ମୁଁ ଆଉ ଏ ଶରୀର ରଖିବି ନାହିଁ ମୋହର ଏହି ହତ୍ୟା ପାଇଁ ତୁହିଁ ଦାୟୀ ଏହା କହି ବୃନ୍ଦାବତୀ ନିଆଁ କୁ ଆଣିଲା ।ଜଙ୍ଗଲ ଭିତରେ ଯେତେ କାଠ ଥିଲା ସବୁ ସଂଗ୍ରହ କରି ସେଥିରେ ନିଆଁ ଲଗାଇ ଦେଇ ତାହାରି ଭିତରେ ବୃନ୍ଦା ପଶିଗଲା ବେଳକୁ ଜଗତ ଠାକୁର ତାହା ଦେଖି କହିଲେ ବୃନ୍ଦା ତୁମେ ଅନଳ ଭିତରେ ପଶନାହିଁ ତୁମ ପତି ବଞ୍ଚି ଛନ୍ତି ବିପଦ କୁ ଡାକ ନାହିଁ ବୃନ୍ଦା ମୁଁ ସମସ୍ତଙ୍କ ମଙ୍ଗଳ ପାଇଁ ଏହା କରିଛି ଗୋବିନ୍ଦ ଙ୍କ ଏପରି କଥାକୁ କାନରେ ଶୁଣିଲା ନାହିଁ ଜଳୁଥିବା ନିଆଁ ରେ ପଶି ବୃନ୍ଦାବତୀ ଭସ୍ମ ହୋଇଗଲା । ବୃନ୍ଦାବତୀ ର ଏପରି କାର୍ଯ୍ୟ ଦେଖି ଲକ୍ଷ୍ମୀପତି ବିସ୍ମିତ ହୋଇଗଲେ ।ବୃନ୍ଦାବତୀ ର ଭସ୍ମ କୁ ଭଗବାନ ବିଷ୍ଣୁ ନିଜ ଦେହରେ ବୋଲି ହୋଇ ଚିନ୍ତାରେ ଆଉ ଚାଲି ପାରିଲେ ନାହିଁ । ବୃନ୍ଦା କୁ ମନେ ମନେ ଧ୍ୟାନ କଲେ ବିଷ୍ଣୁ ଭଗବାନ । ଭଗବାନ ବିଷ୍ଣୁ କିଛି କ୍ଷଣ ପାଇଁ ମୌନ ହୋଇଗଲେ ।