ଜଗନ୍ନାଥଙ୍କ ସୁନା
ଡ. ରାଜାରାମ ଶତପଥି ମୋ- ୯୮୫୩୨୫୨୬୨୬
ରାଜ୍ୟ ସରକାର ଯଦି କଥା ଦେଇ କଥା ରଖନ୍ତି ତା’ହେଲେ ଜଗନ୍ନାଥ ଆସନ୍ତା ବର୍ଷ ରଥରେ ଭିନ୍ନ ସୁନାବେଶରେ ଦେଖା ଯିବେ I ଏହି ପ୍ରସ୍ତାବ ସାର୍ବଜନୀନ କଲା ବେଳେ ସରକାର ଦୁଇଟି ବିନ୍ଦୁ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି I ତା’ହେଲା ବର୍ତ୍ତମାନ ରତ୍ନ ଭଣ୍ଡାରରେ ଥିବା ସୁନା ନୂତନ ବେଶ ପ୍ରସ୍ତୁତିରେ ବ୍ୟବହୃତ ହେବ ନାହିଁ I ଦ୍ଵିତୀୟ ବିନ୍ଦୁର ଗୁରୁତ୍ୱ ପ୍ରଥମ ବିନ୍ଦୁ ଅପେକ୍ଷା ଅଧିକ ମନେହୁଏ – ନୂଆ ବେଶ ପାଇଁ ଆବଶ୍ୟକ ସୁନା ସରକାର ନିଜେ ଦେବେ ଅବା ଜନ ସାଧାରଣଙ୍କ ଠାରୁ ଦାନ ସୂତ୍ରରେ ଗ୍ରହଣ କରିବେ ସେ ବିଷୟରେ ବିଚାର ଆଲୋଚନା ଚାଲିଛି I

ଏହା ନିଶ୍ଚିତ ଯେ ଶ୍ରୀଜିଉଙ୍କ ବେଶ ପାଇଁ ସାହାଯ୍ୟ ଆହ୍ୱାନ କଲେ ଜନ ସାଧାରଣ ହାତ ଖୋଲି ଅଜାଡି ଦେବେ I ଘରେ ନଥିଲେ ଦୋକାନରୁ କିଣି ଦେବେ I ଏତେ ସୁନା, ହୀରା, ଟଙ୍କା ମିଳିବ ଯେ ସେଥିରେ ଗୋଟିଏ ନୁହେଁ ଅନେକ ପୋଷାକ ହୋଇଯିବ I ଏହାର କାରଣ ଯେତିକି ଧାର୍ମିକ ସେତିକି ଐତିହାସିକ, ଏବଂ ରାଜନୈତିକ ମଧ୍ୟ I ଜଗନ୍ନାଥ ଓଡ଼ିଆଙ୍କ ପରିଚୟ I ସେ ସବୁ ଘରର ମଝି ଖୁଣ୍ଟି, ପରିବାରର ମୁରବି I ସୁବିଧା ଅସୁବିଧାରେ ତାଙ୍କୁ ଖବର ଦିଆଯାଏ I ତାଙ୍କର ଟିକେ ଦର୍ଶନରେ ଜୀବନ ସାର୍ଥକ ହୋଇଯାଏ ବୋଲି ସମସ୍ତଙ୍କ ଧାରଣା I ପୁନର୍ଜନ୍ମରେ ପୂର୍ଣ୍ଣଛେଦ ପାଇଁ ସେ ହିଁ ଶେଷ ଭରସା I ତାଙ୍କ ନାଁ ନନେଇ କେହି ଭଲ କାମଟିଏ କରିବା ପାଇଁ ଗୋଡ ବଢ଼ାନ୍ତି ନାହିଁ I ଗୁହାରି ନଶୁଣିଲେ ଲୋକେ ତାଙ୍କ ଉପରେ ରାଗନ୍ତି I ‘ମୋ କଥା ନବୁଝିଲେ ତୋ କଳା ବଦନକୁ ଦେଖିବି ନାହିଁ’ ବୋଲି ତମତମ ହୋଇ କହନ୍ତି I ଏ ସବୁ ଆତ୍ମୀୟତାର ଶବ୍ଦ, ଅଧିକାର ନଥିଲେ କହି ହୁଏନି I ସମସ୍ତଙ୍କ ପାଇଁ ସେ ଈଶ୍ବର, ଓଡ଼ିଆଙ୍କ ପାଇଁ ଅଧିକନ୍ତୁ ସ୍ୱାଭିମାନର ପ୍ରତୀକ I ରଥରେ ଗୋସେଇଁଙ୍କୁ ସୁନା ବେଶରେ ଦେଖିଲେ ସମସ୍ତଙ୍କ ମୁଣ୍ଡ ଭକ୍ତିରେ ନଇଁଯାଏ, କିନ୍ତୁ ଓଡ଼ିଶାର ଲୋକଙ୍କୁ ଅଧିକ ମିଳେ ଏକ ଐତିହାସିକ ଅନୁଭବ I

ଦାରୁବ୍ରହ୍ମ ଜଗନ୍ନାଥଙ୍କ ନିକଟରେ ଧର୍ମର ସଂଜ୍ଞା କିଛିଟା ନିଆରା: ସେ ଜଗତର ନାଥ, ନିର୍ଦ୍ଦିଷ୍ଟ ଆସ୍ଥା ବିଶ୍ୱାସରେ ସୀମିତ ନୁହନ୍ତି, ତାଙ୍କ ରଥ ଯାତ୍ରା ବିଶ୍ୱ ଭ୍ରାତୃତ୍ତ୍ୱର ଏକ ନିରୋଳା ଉଦାହରଣ I ଜଗନ୍ନାଥ ସଂସ୍କୃତିର ଏହି ଅମୁଲ୍ୟ ତତ୍ତ୍ୱକୁ ବଞ୍ଚେଇ ରଖିବାକୁ ଓଡ଼ିଶାର ଲୋକଙ୍କୁ ପିଢ଼ି ପରେ ପିଢ଼ି ଧର୍ମାନ୍ଧଙ୍କ ଦ୍ୱାରା ଅତ୍ୟାଚାରିତ ହେବାକୁ ପଡିଛି I ସେମାନେ ସର୍ବସ୍ୱାନ୍ତ ନିସ୍ବ ହୋଇଛନ୍ତି, କେତେ ନିରୀହ ଜୀବନ ଯାଇଛି ତା’ର ତୁଳନାତ୍ମକ ଦୃଷ୍ଟାନ୍ତ ଭାରତରେ ବିରଳ I ଇଂରେଜମାନେ ଓଡିଶା ଓ ଓଡ଼ିଆଙ୍କୁ ‘ନିକୃଷ୍ଟ’ ଭାବୁଥିଲେ I ଏହା ସତ୍ତ୍ୱେ ଅନେକ ଅଣ-ହିନ୍ଦୁ ବିଦେଶୀ ଜଗନ୍ନାଥଙ୍କ ସାର୍ବଜନୀନତାକୁ ସ୍ୱୀକାର କରିଛନ୍ତି I ଶହ ଶହ ବର୍ଷରୁ ସମୁଦ୍ରର ଦୁଲୁକା ପବନ ସହି ନୀଳ ଶୈଳରେ ଦଣ୍ଡାୟମାନ ପ୍ରସ୍ତର ମନ୍ଦିରର ବିଶାଳତା, ଏହାର କାରୁକାର୍ଯ୍ୟ, ଜଗନ୍ନାଥଙ୍କ ଆକୃତି, ନୀତିଦିନର ଘଡ଼ିକି ଘଡି ସେବା ପୂଜା, ମହାପ୍ରସାଦ ପ୍ରସ୍ତୁତି, ରଙ୍ଗ ବେରଙ୍ଗ ରେଶମ କନାରେ ଆଚ୍ଛାଦିତ ୩ ବିରାଟ ରଥ ଅବା ଆଖି ପାଉନଥିବା ଜନ ସମାଗମ ସେମାନଙ୍କୁ ମୁଗ୍ଧ କରିଛି I ୧୮୦୩ ମସିହାରେ ଓଡିଶା ଦଖଲ ବେଳେ ଇଂରେଜ ସୈନ୍ୟଙ୍କ ନେତୃତ୍ତ୍ୱ ନେଇଥିବା କର୍ନେଲ ହାରକୋଟ ରଥ ଯାତ୍ରା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ I ଜନ ସମୁଦ୍ର ମଧ୍ୟରେ ସୁରୁଖୁରୁରେ ଦେବ କାର୍ଯ୍ୟ ସମ୍ପନ୍ନ ହେବା ଓଡ଼ିଆ ଲୋକଙ୍କ ଶୃଙ୍ଖଳା ଓ ପ୍ରଗାଢ଼ ଈଶ୍ୱର ବିଶ୍ୱାସର ପ୍ରମାଣ I ତାହା ନହୋଇଥିଲେ ହିନ୍ଦୁ ଧର୍ମକୁ ନିଶ୍ଚିହ୍ନ କରିବା ଉଦ୍ଦେଶ୍ୟରେ ଆଫଗାନ, ମୋଗଲ, ଇଂରେଜ ମାନଙ୍କ ଅନବରତ ଷଡ଼ଯନ୍ତ୍ରରୁ ବର୍ତ୍ତିବାକୁ ଗଜପତି ରାଜା, ସେବକ, ସାଧାରଣ ଲୋକେ ବାରମ୍ବାର ଜଗନ୍ନାଥଙ୍କୁ ନେଇ ଚିଲିକାର ଅଜଣା ଟାପୁ, ଗଡ଼ଜାତର ଅଗମ୍ୟ ଜଙ୍ଗଲ ଅବା ମାଟି ତଳେ ପୋତି ନଥାନ୍ତେ I ଦୁର୍ବୁର୍ତ୍ତ କଳାପାହାଡ଼ ଫିଙ୍ଗି ଦେଇଥିବା ଦର ପୋଡା ଦାରୁରୁ ବ୍ରହ୍ମ ଆଣି ନୂତନ ବିଗ୍ରହ ପ୍ରତିଷ୍ଠା ହୋଇନଥାନ୍ତା I ତେଣୁ ସରକାର ମୁହଁ ଖୋଲିଲେ ଜଗନ୍ନାଥଙ୍କ ପାଇଁ ସୁନା ଅଭାବ ହେବନି I ରାଜ୍ୟ ବଜେଟରେ ମଧ୍ୟ ସୁନା ବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇପାରେ ଏବଂ ସେଥିପାଇଁ ସରକାର ବିରୋଧର ସମୁଖୀନ ହେବା ଆଶଙ୍କା କ୍ଷୀଣ I

ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ଯାହାବି ଅବ୍ୟବହୃତ ସୁନା ଅଛି ସେଥିରେ ନୂଆ ବେଶ ବୋଧହୁଏ ସମ୍ଭବ ହୋଇନପାରେ I ଅନୁମାନ କରାଯାଏ ସେ ସବୁର ବର୍ତ୍ତମାନ ବଜାର ମୂଲ୍ୟ ୧୫୦-୧୬୦ କୋଟିରୁ ଅଧିକ ହେବା କଷ୍ଟ I ପ୍ରାଚୀନତା ଦୃଷ୍ଟିରୁ ପୁରୁଣା ଗହଣା ଓ ବେଶ ସରଞ୍ଜାମ ସବୁକୁ ଭାଙ୍ଗି ନୂଆ କରିବାକୁ କେହି ପସନ୍ଦ କରିବେନି I ତେଣୁ ସୁନା ପାଇଁ ଏହି ବିକଳ୍ପ ଉଦ୍ୟମ I ଇତିହାସ କହେ ରତ୍ନ ଭଣ୍ଡାର ଦିନେ ଅମାପ ଧନ ରତ୍ନରେ ଉଛୁଳୁ ଥିଲା I ସେଠି ଅଭାବର ଛାପ ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ I ଜଗନ୍ନାଥଙ୍କୁ ଗରିବଙ୍କ ଠାକୁର କୁହାଯାଏ I କିନ୍ତୁ ସେ ନିଜେ ଗରିବ ନୁହନ୍ତି I ତାଙ୍କ ସେବା ପୂଜା କୋଉ ରାଜା ଘର ଠାରୁ କମ ନୁହେଁ I ତଫାତ ଏତିକି ଯେ ରାଜାଘରେ ଭୟର ପରିବେଶ, ଏଠି ଭକ୍ତିର ଆସର I ଜଗନ୍ନାଥ ଆଦିବାସୀ ଆଶ୍ରିତଙ୍କ ଗହଣରେ ଘଞ୍ଚ ଜଙ୍ଗଲ ଘେରା ପାହାଡ ଗୁମ୍ଫାରେ ଥିଲେ I ତାଙ୍କ ଠିକଣା ପୁରୀକୁ ବଦଳିଲା I ବିଶାଳ ଭବ୍ୟ ମନ୍ଦିରରେ ସେ ରହିଲେ I ସେବା ପୂଜା ପାଇଁ ରାଜା ସବୁ ଖଞ୍ଜି ଦେଲେ I ରୀତି ନୀତି ଏମିତି ବନ୍ଧା ଯେ ଶହ ଶହ ବର୍ଷ ବିନା ବ୍ୟତିକ୍ରମରେ ଚାଲିଛି I ଶ୍ରୀମନ୍ଦିର ହେବା ଦିନୁ ବଂଶ ପରମ୍ପରା ଭଳି ଜଗନାଥଙ୍କୁ ରାଜାମାନେ ଅମାପ ସୁନା, ହୀରା, ଜମି ଦାନ କରୁଥିଲେ I ଭାରତର ଅନ୍ୟ ରାଜା, ମହାରାଜା, ଧନୀ, ଜମିଦାର ଓ ନେପାଳର ରାଜା ଜଗନ୍ନାଥ ଦର୍ଶନ ବେଳେ ପ୍ରଚୁର ସୁନା ଟଙ୍କା ଦେଉଥିଲେ I ଅନଙ୍ଗଭୀମ ଦେବ ଜଗନ୍ନାଥଙ୍କ ଗହଣା ପାଇଁ ପ୍ରାୟ ୨୮୦ କୁଇଣ୍ଟାଲ ସୁନା ଦେଇଥିଲେ I ମାଦଳା ପାଞ୍ଜି ଅନୁସାରେ ରାଜା ବିଭିନ୍ନ ରାଜ୍ୟ ଜୟ କରି ଫେରିବା ପରେ ୫୫୮ କୁଇଣ୍ଟାଲରୁ ଅଧିକ ସୁନା ଦେଇଥିଲେ I ଆଉ ଜଣେ ଗଙ୍ଗ ରାଜା ୧୧୬ କିଲୋ ସୁନା ଦେଇଥିଲେ I କପିଳେନ୍ଦ୍ର ଦେବ ଦକ୍ଷିଣାତ୍ୟ ବିଜୟ ପରେ ୧୬ଟି ହାଥୀ ପିଠିରେ ଲଦି ଯେତେ ଧନ ରତ୍ନ ଆଣିଥିଲେ ସବୁ ଜଗନ୍ନାଥଙ୍କୁ ଟେକି ଦେଇଥିଲେ I ଠାକୁରଙ୍କ ପାଇଁ ସେ ୧୪୦୦ ପ୍ରକାର ଗହଣା ଦେଇଥିଲେ I ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବରେ ପରିଚିତ ଗଜପତି ରାଜା ରାମଚନ୍ଦ୍ର ଦେବ – ପ୍ରଥମ ଏକ ସ୍ୱତନ୍ତ୍ର ପୂଜା ଅବସରରେ ୧୦୦୦ ସୁନା ମୋହର ଦେଇଥିଲେ l କିନ୍ତୁ ୧୮୦୫ ମସିହାରେ ଇଂରେଜ ସରକାର ଦ୍ୱାରା ରତ୍ନ ଭଣ୍ଡାରର ପ୍ରଥମ ସରକାରୀ ଯାଞ୍ଚ ସମସ୍ତଙ୍କୁ ଆଚମ୍ବିତ କରିଥିଲା I ପୁରୀ ଜିଲାପାଳ ଚାର୍ଲସ ଗ୍ରୋମଙ୍କ ରିପୋର୍ଟରେ ୬୪ ପ୍ରକାର ଗହଣା, ୧୨୮ ସୁନା, ୧୨୯୭ ରୁପା, ୧୦୬ଟି ତମ୍ବା, ୨୪ ପୁରାତନ ସୁନା ଟଙ୍କା ଏବଂ ୧୩୩୩ ଖଣ୍ଡ ସୁତା ଓ ସିଳ୍କ ଶାଢ଼ୀ ଥିବା ଦର୍ଶା ଯାଇଛି I ଏହା ପରେ ରତ୍ନ ଭଣ୍ଡାର ପ୍ରାୟ ୩ ଥର ଯାଞ୍ଚ ହୋଇଛି I ୧୮୦୫ ମସିହା ଠାରୁ ୧୭୩ ବର୍ଷ ପରେ ୧୯୭୮ ମସିହାରେ ଶେଷ ଯାଞ୍ଚ ଅନୁଯାୟୀ ରତ୍ନ ଭଣ୍ଡାରରେ ୧୨୮.୩୮ କିଲୋଗ୍ରାମ ଓଜନର ୪୫୪ଟି ସୁନା ଏବଂ ୨୨୧.୫୩ କିଲୋଗ୍ରାମ ଓଜନର ୨୯୩ଟି ରୂପା ସାମଗ୍ରୀ ଅଛି I


ଗରିବ ଓଡ଼ିଆଙ୍କ ଧନୀ ଠାକୁର ଗରିବ ହେବାର କାରଣ ଖୋଜିଲେ ଯେ କେହି ୧୮ ଥରର ରକ୍ତାକ୍ତ ଆକ୍ରମଣ ଓ ଲୁଣ୍ଠନକୁ ଇଙ୍ଗିତ କରିବେ I କିନ୍ତୁ କାରଣର ତର୍ଜମା କଲାବେଳେ ଅନେକ ଅସହ୍ୟ ଦୁଖଦଃ ଘଟଣା ଅନିଚ୍ଛା ସତ୍ୱେ ଆଖି ସାମ୍ନାକୁ ଆସିଯାଏ I ଗଙ୍ଗ ରାଜାମାନେ ଜଗନ୍ନାଥଙ୍କୁ ‘ରାଷ୍ଟ୍ର ଦେବତା’ ଏବଂ ଓଡ଼ିଶାର ରାଜା ଓ ସେମାନେ ତାଙ୍କର ପ୍ରତିନିଧି ତଥା ସେବକ ବୋଲି ଘୋଷଣା କରିଥିଲେ I ଜଗନ୍ନାଥଙ୍କୁ ଅସ୍ତ୍ର କରି ଶାସନ କରିବାକୁ ଏହା ଏକ ଅଭିନବ ରାଜନୈତିକ ଯୋଜନା କୁହାଯାଇପାରେ I କିନ୍ତୁ ଓଡ଼ିଶା ଏହାଦ୍ୱାରା ପ୍ରଚୁର ଲାଭବାନ ହୋଇଥିଲା I ଗଙ୍ଗା ଠାରୁ କାବେରୀ ପର୍ଯ୍ୟନ୍ତ ବିସ୍ତୃତ ଓଡିଶା ସାମ୍ରାଜ୍ୟକୁ ତତ୍କାଳୀନ ଭାରତର ସର୍ବ ବୃହତ ହିନ୍ଦୁ ସାମ୍ରାଜ୍ୟ ବୋଲି ଗବେଷକମାନେ ମତ ଦିଅନ୍ତି I ପ୍ରାୟ ୪୦୦ ବର୍ଷ ମୁସଲମାନ ଅଧିକାରରୁ ରାଜ୍ୟକୁ ସୁରକ୍ଷା ସହିତ ଓଡ଼ିଶା ଐତିହ୍ୟର ସ୍ମାରକ ଭାବେ କାରୁକାର୍ଯ୍ୟ ଭରା ମନ୍ଦିର ମାଳା ସେ ସମୟରେ ସମୃଦ୍ଧିର ଜ୍ୱଳନ୍ତ ଉଦାହରଣ I ତେବେ ବିଡମ୍ବନା ଯେ ଓଡ଼ିଶା ନିଜ ପ୍ରଯୋଜିତ ଶାସନ ପଦ୍ଧତିକୁ ବଞ୍ଚେଇ ରଖି ପାରିଲାନି I ଗଜପତି ଦାବିଦାର ମାନେ ସିଂହାସନ ଦଖଲ ପାଇଁ ଯୁଦ୍ଧ ଓ ହତ୍ୟା ଭଳି କୁତ୍ସିତ ପନ୍ଥା ଆପଣେଇବାରୁ ଓଡିଶାକୁ ଧନ, ଜନ, ମାନ, ସ୍ଥାନ ସବୁକିଛି ହରେଇବାକୁ ପଡିଲା I ‘ଜଗନାଥଙ୍କ ଆଦ୍ୟ ସେବକ’, ‘ଠାକୁର ରାଜା’, ‘ଚଳନ୍ତି ବିଷ୍ନୁ’ ନାମରେ ପରିଚିତ ଗଜପତି ରାଜାମାନେ ରାଜ୍ୟ ରାଜତ୍ୱ ହରାଇ ଅନ୍ୟର ଦୟାରେ ବଞ୍ଚିବାକୁ ବାଧ୍ୟ ହେଲେ I ଦୁର୍ବଳ ରାଜା ଶତ୍ରୁଙ୍କୁ ସୁହାଏ I ସତେ ଯେମିତି ଅପେକ୍ଷାରେ ଥିଲେ, ଆଫଗାନ, ମୋଗଲ, ମରହଟ୍ଟା, ଇଂରେଜମାନେ ଅସ୍ତଗାମୀ ଗଜପତି ସାମ୍ରାଜ୍ୟକୁ ଭିଣିବାର ସୁଯୋଗକୁ ହାତ ଛଡା କରିନଥିଲେ I ‘ବିରIଧୀବୀରବର …ଅତୁଳ ବଳ ପରାକ୍ରମ ସହସ୍ର ବାହୁ’ ଗଜପତିଙ୍କ ମଧ୍ୟରୁ ୪ ଜଣଙ୍କୁ ବାରବାଟୀ ଦୁର୍ଗରେ ବନ୍ଦୀ ଜୀବନ କାଟିବାକୁ ପଡିଥିଲା I କାରାଗାରରେ ଜଣେ ଗଜପତିଙ୍କ ଧର୍ମ ପରିବର୍ତ୍ତନ କରିଦେଲେ, ତାଙ୍କ ନାମ ରଖାଗଲା ‘ହାଫିଜ଼ କାଦିର ବେଗ’ I ଜଗନ୍ନାଥଙ୍କ ପରମ ସେବକ ଭାବେ ତାଙ୍କର ଅନେକ ସୁନାମ ଥିଲା I କିନ୍ତୁ ହିନ୍ଦୁ ସମାଜ ତାଙ୍କୁ ଆଉ ଗ୍ରହଣ କଲାନି I ଶ୍ରୀମନ୍ଦିରରେ ତାଙ୍କର ପ୍ରବେଶକୁ ବାରଣ କରାଗଲା I ମନ୍ଦିର ଭିତରେ ନ ହେଲା ନାହିଁ, ରାଜା ବଡ ଦାଣ୍ଡରୁ ଜଗନ୍ନାଥ ଦର୍ଶନ ପାଇଁ ସିଂହଦ୍ବାରରେ ପତିତପାବନ ମୂର୍ତ୍ତି ସ୍ଥାପିତ ହେଲା I କିନ୍ତୁ ରାଜାଙ୍କ ବିରୁଦ୍ଧରେ ସାମାଜିକ ରୋଷ ଥମିଲାନି I ଏହା ପରେ ରାଜା ମୁସଲମାନ ରାଣୀଙ୍କ ସହ ନରସିଂହପୁର ନିକଟ ଲIଖପଦ ଗାଁରେ ଆଶ୍ରୟ ନିଅନ୍ତି ଏବଂ କିଛି ଦିନ ପରେ ଉଭୟ ବିଷ ପି ଆତ୍ମହତ୍ୟା କରନ୍ତି I

ଆଉ ଜଣେ ରାଜାଙ୍କୁ ଇଂରେଜମାନେ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ଥ କରି ଗୋଡ଼ରେ ବେଡି ପକେଇ ଆଣ୍ଡାମାନ ଜେଲରେ ରଖିଲେ I ସେଠାରେ ତାଙ୍କର ମୃତ୍ୟୁ ହେଲା I ଜଣେ ଗଜପତି ରାଜା ମରହଟ୍ଟା ସୈନ୍ୟଙ୍କୁ ଭଡ଼ାରେ ଆଣି ପାରଳାଖେମୁଣ୍ଡି ରାଜାଙ୍କ ସହ ଯୁଦ୍ଧ କଲେ, କିନ୍ତୁ ପ୍ରତିଶୃତି ମୁତାବକ ଏକ ଲକ୍ଷ ଟଙ୍କା ଯୁଦ୍ଧ ବିଲ ଦେଇନପାରିବାରୁ ପୁରୀ ମନ୍ଦିର ସମେତ ଅନେକ ଅଞ୍ଚଳ କୋରଖରେ ହରେଇଲେ I ଅତ୍ୟାଚାର ସେତିକିରେ ସରିଲାନି I ତାଙ୍କୁ ମିଛରେ ପାଗଳ ଓ ପୁତ୍ର ହତ୍ୟା ଅଭିଯୋଗରେ ବାରବାଟୀ ଦୁର୍ଗରେ ୧୩ ବର୍ଷ ରଖିଲା ପରେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ I ଗଜପତି ରାଜା ମୁକୁନ୍ଦ ଦେବ- ଦ୍ଵିତୀୟଙ୍କୁ କିଛି କମ ଦୁଃଖ ଭୋଗିବାକୁ ପଡିନି I ଇଂରେଜମାନେ ତାଙ୍କୁ ଓ ତାଙ୍କ ପୁଅ ତଥା ଭାବି ଗଜପତି ରାମଚନ୍ଦ୍ର ଦେବ-ତୃତୀୟଙ୍କୁ ଗିରଫ କରି ବାରବାଟୀ ଦୁର୍ଗରେ ରଖିଲେ I କିଛି ମାସ ପରେ ମୁକୁନ୍ଦ ଦେବଙ୍କର ସେଠାରେ ମୃତ୍ୟୁ ହେଲା I ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଟଙ୍କା ନାହିଁ I ନିରୁପାୟ ହୋଇ ରାମଚନ୍ଦ୍ର ଦେବ ଇଂରେଜ ସରକାରକୁ ୧୦,୦୦୦ ଟଙ୍କା ସାହାଯ୍ୟ ମାଗି ନିରାଶ ହେବା ପରେ ମହାଜନ ଠାରୁ ଅଧିକ ସୁଧରେ ଟଙ୍କା ଆଣି କାମ ଚଳେଇଲେ I ଇଂରେଜମାନେ ରାଜାଙ୍କୁ ମାସିକ ୨୧୩୩ ଟଙ୍କା ପେନସନ ଘୋଷଣା କରି ତାଙ୍କର ସମସ୍ତ ସମ୍ପତି ବାଜ୍ୟାପ୍ତି କରି ନେଇଗଲେ I ଏବେ ଦାରୁମୁର୍ତ୍ତୀଙ୍କୁ ଲୁଚାଇବାର ଭୟ ନାହିଁ I ନା ଅଛି ରତ୍ନ ଭଣ୍ଡାର ଲୁଣ୍ଠନର ଆଶଙ୍କା ଅବା ଧର୍ମାନ୍ଧ ଶାସକଙ୍କ ଦୌରାତ୍ମ୍ୟ I କେବଳ ଅପେକ୍ଷା ନିରାକାରଙ୍କୁ ନୈବେଦ୍ୟ I
