ସକାଳର ଭକ୍ତି ଅର୍ଘ୍ୟ

ସକାଳର ଭକ୍ତି ଅର୍ଘ୍ୟ

ସକାଳର ଭକ୍ତି ଅର୍ଘ୍ୟ

ଭକ୍ତି ଅର୍ଘ୍ୟ -୧୯୯୫
ଓଁ ନମୋ ଭଗବତେ ବାସୁଦେବାୟ


ଦେବେ ଯେ ଥିଲେ ଶୂନ୍ୟପଥେ। ମିଳିଲେ କୃଷ୍ଣର ଅଗ୍ରତେ।
ମାୟାବାଳକ ରୂପ ହୋଇ। କୃଷ୍ଣର ଚଉପାଶେ ଥାଇ।

ସ୍ତୁତି କରନ୍ତି କୃଷ୍ଣରାମେ। ଭାଟେ ଯେସନେ ଗୁଣଗାନେ।
ଏକ ଆରକେ ସାଧୁ ଭଣି। ଶୁଣ ପାଣ୍ତବ ଚୂଡ଼ାମଣି।

ତାଣ୍ଡବ ରସେ ସୁଖେ ହରି। ବୃନ୍ଦାବନରେ କ୍ରୀଡ଼ା କରି।
କୃଷ୍ଣର ନୃତ୍ୟ ଦେଖି ପୋଏ। ରାମଙ୍କୁ ବେଢ଼ିଲେ ଥୋକାଏ।

ଖେମଟାରସେ ଗୀତ ଗାଇ। କେ ଧାଏଁ ଶିଙ୍ଗା ନାଦ ବାଇ।
ତାଳି ମୁରଲୀ ଗାଲତୁର। ନାଚନ୍ତି ବ୍ରହ୍ମାଣ୍ଡଠାକୁର।

ନୃତ୍ୟର ଅନ୍ତେ ପରଶଂସି। କେ ତହିଁ କହନ୍ତି ବିଶ୍ଵାସି।
ଥୋକେ କରନ୍ତି ନାନା ସ୍ତୁତି। ହରଷେ ପୁଷ୍ପ ବରଷନ୍ତି।

କୃଷ୍ଣର ସଙ୍ଗେ ନୃତ୍ୟ କରି। ବୁଲନ୍ତି ବୃନ୍ଦାବନେ ହେରି।
କେ ବଳେ ଏକୁ ଆରେ ଧରି। ଡାକନ୍ତି ବାହାନାଦ କରି।

(ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ ,
ଉନବିଂଶ ଅଧ୍ୟାୟ)

ପ୍ରସଙ୍ଗ – ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣଙ୍କର ଗୋପବାଳକମାନଙ୍କ ସହିତ କ୍ରୀଡ଼ା କୌତୁକ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଦେବତାମାନେ ଶୂନ୍ୟରେ ରହି ଭଗବାନ ଶ୍ରୀକୃଷ୍ଣଙ୍କର କ୍ରୀଡ଼ା କୌତୁକ ଦେଖୁଥିଲେ। ସେମାନେ ମାୟାରେ ଗୋପାଳବାଳକ ରୂପ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଉପସ୍ଥିତ ହେଲେ ଓ ତାଙ୍କ ଚାରିପାଖରେ ବୁଲି ଭାଟମାନେ ରାଜାଙ୍କର ଗୁଣ ଗାନ କଲାପରି ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କର ସ୍ତୁତି ଗାନ କରିବାରେ ଲାଗିଲେ। ହେ ପାଣ୍ଡବ ବଂଶୀ ରାଜା ପରୀକ୍ଷିତ! ସେମାନେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ବାଃ ବାଃ କହି ପ୍ରଶଂସା କରୁଥିଲେ। ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ନୃତ୍ୟ କରି ଗୋପାଳବାଳକମାନଙ୍କ ସହିତ ଆନନ୍ଦରେ କ୍ରୀଡ଼ା କୌତୁକ କରୁଥିଲେ।ଗୋପାଳବାଳକମାନଙ୍କ ମଧ୍ୟରୁ କେତେକ ପିଲା ଶ୍ରୀକୃଷ୍ଣଙ୍କ ନୃତ୍ୟ ଦେଖି ସାରି ବଳରାମଙ୍କ ଆଡ଼କୁ ନାଚି ନାଚି ଧାଇଁ ଯାଉଥିଲେ। ବଳରାମଙ୍କ ପାଖକୁ ଗଲାବେଳେ ସେମାନଙ୍କ ମଧ୍ୟରୁ କେହି କେହି ଖେମଟା ତାଳରେ ଗୀତ ଗାଉଥିଲେ ଓ କେହି କେହି ଶିଙ୍ଗାଧ୍ଵନି କରୁଥିଲେ। ବଳରାମଙ୍କୁ ବେଢ଼ି ଯାଇ ସେମାନଙ୍କ ମଧ୍ୟରୁ କେହି କେହି ତାଳି ମାରି , କେହି କେହି ବଂଶୀ ବଜାଇ ତ ଆଉ କେହି କେହି ପାଟିରେ ପବନ ଭର୍ତ୍ତି କରି ତୁରୀ ବଜାଇ ନୃତ୍ୟ କରୁଥିଲେ। ସେମାନଙ୍କୁ ଦେଖି ବଳରାମ ସେମାନଙ୍କ ଗହଣରେ ନୃତ୍ୟ କରୁଥିଲେ। ନୃତ୍ୟ ଶେଷରେ କୃଷ୍ଣ ଓ ବଳରାମ ବାଃ ବାଃ କହି ଗୋପବାଳକମାନଙ୍କୁ ପ୍ରଶଂସା କରୁଥିଲେ। ଗୋପବାଳକମାନଙ୍କ ମଧ୍ୟରୁ କେହି କେହି କୃଷ୍ଣ ବଳରାମଙ୍କ ଗୁଣ ଗାନ କରି ସେମାନଙ୍କ ଉପରେ ପୁଷ୍ପବୃଷ୍ଟି କରୁଥିଲେ। ଏହିପରି ଭାବରେ ଗୋପାଳବାଳକମାନେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ନାଚି ଗାଇ ବୃନ୍ଦାବନରେ କ୍ରୀଡ଼ା କୌତୁକ କରୁଥିଲେ । ବେଳେବେଳେ ସେମାନଙ୍କ ମଧ୍ୟରୁ କେହି କେହି ବାହାସ୍ପୋଟ ମାରିବା ସହିତ ବଳପୂର୍ବକ ଅନ୍ୟ ଜଣଙ୍କୁ ଭିଡ଼ି ଧରି କୁସ୍ତି କରିବା ପାଇଁଁ ଡାକୁଥିଲେ।

ଭାବାର୍ଥ – ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ଗୋପବାଳକମାନଙ୍କ ସହିତ ବୃନ୍ଦାବନରେ କ୍ରୀଡ଼ା କୌତୁକ କରୁଥିଲେ।

ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୯୯୫

ଭକ୍ତି ଅର୍ଘ୍ୟ -୧୯୯୬
ଓଁ ନମୋ ଭଗବତେ ବାସୁଦେବାୟ


କୃଷ୍ଣ ଉଠିଲେ ଉଚ୍ଚ ବୃକ୍ଷେ। ଫଳ ତୋଳିଲେ ନାନା ଶାଖେ।
ପୋଏ ତୋଳିଲେ ଯେଝାମତେ। ଅମରଲୋକେ ଯୂଥେ ଯୂଥେ।

ଏକ ଆରକେ ମରାମରି। କେ ସାକ୍ଷୀ କରନ୍ତି ମୁରାରି।
କର ଚରଣ ଧରି ଛନ୍ଦେ। ଯୁଦ୍ଧ କରନ୍ତି ନାନା ବନ୍ଧେ।

କେ ପଛେ ଥାଇ ଚକ୍ଷୁ ବୁଜି। ନାମ ଧରନ୍ତି ମନେ ହେଜି।
ମୃଗଙ୍କ ପ୍ରାୟ କେହୁ ଧାଇଁ। ପକ୍ଷୀଙ୍କ ପ୍ରାୟ କେ ଉଡ଼ଇ।

ଭେକର ପ୍ରାୟ କେ ଡିଅଁନ୍ତି। ଚାଲନ୍ତି ଯେହ୍ନେ ହଂସପନ୍ତି।
ବସ୍ତ୍ର ବାନ୍ଧନ୍ତି ବୃକ୍ଷଡାଳେ। ଦୋଳି କରନ୍ତି କୁତୂହଳେ।

ପର୍ବତ କୁଞ୍ଜ ନଦୀକୂଳେ। ଖେଳନ୍ତି ରାମକୃଷ୍ଣ ମେଳେ।
ଗାଈ ଚରାଇ ବେଣୁ ବାଇ। ବନେ ଖେଳନ୍ତି ବେନି ଭାଇ।

( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଉନବିଂଶ ଅଧ୍ୟାୟ )

ପ୍ରସଙ୍ଗ – ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କର ଗୋପବାଳକ ମାନଙ୍କ ସହିତ କ୍ରୀଡ଼ା କୌତୁକ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଗୋପବାଳକମାନଙ୍କ ସହିତ ବୃନ୍ଦାବନରେ କ୍ରୀଡ଼ା କୌତୁକ କରିବା ସମୟରେ ବେଳେବେଳେ ଭଗବାନ ଶ୍ରୀକୃଷ୍ଣ ଉଚ୍ଚ ବୃକ୍ଷ ଉପରକୁ ଚଢ଼ି ଯାଉଥିଲେ ଓ ବୃକ୍ଷର ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଯାଇ ଫଳ ତୋଳୁଥିଲେ। ଶ୍ରୀକୃଷ୍ଣଙ୍କ ସହିତ ଗୋପାଳବାଳକମାନେ ମଧ୍ୟ ବୃକ୍ଷରେ ଚଢ଼ି ଫଳ ତୋଳି ଆଣୁଥିଲେ। ଦେବତାମାନେ ମାୟା ଗୋପବାଳକ ରୂପରେ ରହି ଏସବୁ ଦେଖୁଥିଲେ। ଗୋପାଳବାଳକମାନଙ୍କ ମଧ୍ୟରୁ କେହି କେହି ଜଣେ ଜଣକ ସହିତ ମରାମରି ହୋଇ ଭଗବାନ ଶ୍ରୀକୃଷ୍ଣଙ୍କୁ ସାକ୍ଷୀ କରୁଥିଲେ। ସେମାନଙ୍କ ମଧ୍ୟରୁ କେହି କେହି ହାତ ଗୋଡ଼ ଛନ୍ଦାଛନ୍ଦି ହୋଇ ନିଜ ନିଜ ଭିତରେ ନାନା ପ୍ରକାର କୁସ୍ତି କରୁଥିଲେ। ସେମାନଙ୍କ ମଧ୍ୟରୁ ଯେତେବେଳେ କେହି ଜଣେ ପିଲା ପଛରୁ ଲୁଚି ଲୁଚି ଆସି ଅନ୍ୟ ଜଣେ ପିଲାର ଆଖିକୁ ହାତରେ ବୁଜି ଧରୁଥିଲା ସେ ପିଲାଟି ତା ହାତକୁ ଛୁଇଁ ତାକୁ ଚିହ୍ନି ପାରୁଥିଲା ଓ ଆଖି ବୁଜି ଧରିଥିବା ପିଲାଟିର ନାଆଁ ଧରି ଡାକୁଥିଲା। କେତେବେଳେ ଗୋପାଳବାଳକମାନେ ମୃଗକୁ ଅନୁକରଣ କରି ମୃଗଙ୍କ ପରି ଦୋୖଡୁଥିଲେ ତ ଆଉ କେତେବେଳେ ସେମାନେ ପକ୍ଷୀଙ୍କୁ ଅନୁକରଣ କରି ପକ୍ଷୀ ଭଳି ଉଡ଼ିବାକୁ ଚେଷ୍ଟା କରୁଥିଲେ। କେତେବେଳେ ସେମାନେ ବେଙ୍ଗକୁ ଅନୁକରଣ କରି ବେଙ୍ଗ ଭଳି ପାଣିକୁ ଡେଉଁଥିଲେ ତ କେତେବେଳେ ସେମାନେ ଦଳ ଦଳ ହୋଇ ହଂସ ଭଳି ଝୁଲି ଝୁଲି ଚାଲୁଥିଲେ ଓ ଆଉ କେତେବେଳେ ସେମାନେ ଗଛରେ ବସ୍ତ୍ର ବାନ୍ଧି ସେଥିରେ ଦୋଳି ଖେଳୁଥିଲେ। ହେ ମହାରାଜା ପରୀକ୍ଷିତ ! ଏହିପରି ଭାବରେ ବୃନ୍ଦାବନର ନଦୀକୂଳରେ , ପର୍ବତ ପାଦଦେଶରେ ଓ ବୃକ୍ଷଲତା ଗହଳରେ ଗୋପବାଳକମାନେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କ ସହିତ ନାନା ପ୍ରକାର କ୍ରୀଡ଼ା କୌତୁକ କରୁଥିଲେ। ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଧ୍ୟ ଗୋପବାଳକମାନଙ୍କ ମେଳରେ ବଂଶୀ ବଜାଇ ବଜାଇ ବୃନ୍ଦାବନରେ ଗାଈ ଚରାଇବା ସହିତ ସେଠାରେ ନାନା ପ୍ରକାର କ୍ରୀଡ଼ା କୌତୁକ କରୁଥିଲେ।

ଭାବାର୍ଥ- କୃଷ୍ଣ ଓ ବଳରାମ ଗୋପବାଳକମାନଙ୍କ ସହିତ ବୃନ୍ଦାବନରେ ନାନା ପ୍ରକାର କ୍ରୀଡ଼ା କୌତୁକ କରୁଥିଲେ।

ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୯୯୬

✿❣️༒ ଜୟ ଜଗନ୍ନାଥ ༒❣️✿

Leave a Comment

Your email address will not be published. Required fields are marked *