Collected from Different sources by Pandit Sri Loknath Mishra Jagannath Temple Mukti Mandapa Puri presently at Houston USA
ସମସ୍ତଙ୍କ ଉତ୍କଣ୍ଠାର ଅନ୍ତ ଘଟାଇ ଜାନୁଆରୀ ୨୨ ତାରିଖର ଶୁଭମୁହୂର୍ତ୍ତରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଲଲା ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହେଲା ଅଯୋଧ୍ୟାରେ। ଏହି ନବନିର୍ମିତ ରାମମନ୍ଦିର ବିଶ୍ୱର ଅନ୍ୟତମ ସର୍ବାଧୁନିକ, ଭବ୍ୟ, ଦିବ୍ୟ, ସୁନ୍ଦର କାରୁକାର୍ଯ୍ୟ ମଣ୍ଡିତ ମନ୍ଦିର। କୋଟି କୋଟି ଭାରତୀୟଙ୍କ ଦୀର୍ଘ ପାଞ୍ଚଶହ ବର୍ଷର ଧୈର୍ଯ୍ୟ ଓ ସଂଘର୍ଷର ଏକ ସୁଖଦ ଗରିମାମୟ ପରିସମାପ୍ତି ଘଟିଛି ଏଥିସହିତ। ଏ ରାସ୍ତା କିନ୍ତୁ ଏତେ ସହଜ ନ ଥିଲା। ଶହ ଶହ ସାଧୁସନ୍ଥ, ସମର୍ପିତ ରାଜା, ଜନସେବକ, ସର୍ବୋପରି ଭାରତୀୟ ଜନସାଧାରଣଙ୍କ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ପ୍ରଗାଢ଼ ଭକ୍ତି, ବିଶ୍ୱାସ, ଅସୀମ ତ୍ୟାଗ, ପ୍ରାଣବଳି, ସନାତନ ଧର୍ମ ଓ ମୂଲ୍ୟବୋଧ ପ୍ରତି ଅତୁଟ ଅନୁରକ୍ତି ପାଇଁ ହିଁ ଏହା ସମ୍ଭବ ହୋଇ ପାରିଲା। ଏହାକୁ ବୁଝିବା ପାଇଁ ଭାରତବର୍ଷର ସେହି ଅନ୍ଧକାର କାଳଖଣ୍ଡ ଉପରେ କିଛିଟା ଆଲୋକପାତ କରାଯାଇପାରେ।
ମଧ୍ୟଯୁଗରେ ସମଗ୍ର ଉତ୍ତର-ଭାରତ ବିଦେଶୀ ଆକ୍ରମଣରେ ଜର୍ଜରିତ ଥିଲା। ଆଫଗାନ, ତୁର୍କ, ମୋଗଲ ଆଦି ବିଦେଶୀ ଆକ୍ରମଣକାରୀ ପ୍ରାୟ ୩୦ହଜାର ହିନ୍ଦୁ ମନ୍ଦିର ଧ୍ୱଂସ କରି ସେହିସ୍ଥାନରେ ମସଜିଦ୍ ନିର୍ମାଣ କରିଥିଲେ। ହିନ୍ଦୁମାନଙ୍କୁ କୌଣସି ଭଗ୍ନମନ୍ଦିରର ପୁନରୁଦ୍ଧାର ବା ନୂତନ ମନ୍ଦିର ନିର୍ମାଣର ଅଧିକାର ନ ଥିଲା। ଦୀର୍ଘ ୮୦୦ ବର୍ଷ ଭିତରେ ଦିଲ୍ଲୀରେ ଲକ୍ଷ୍ମୀନାରାୟଣ ମନ୍ଦିର ହିଁ ଏକମାତ୍ର ମନ୍ଦିର, ଯାହା ୧୯୩୩-୧୯୩୯ରେ ସେ ସମୟର ବିଶିଷ୍ଟ ଶିଳ୍ପପତି ଯୁଗଳ କିଶୋର ବିର୍ଲାଙ୍କ ଦ୍ୱାରା ନିର୍ମିତ ଏବଂ ଗାନ୍ଧିଜୀଙ୍କ ହାତରେ ଉଦ୍ଘାଟିତ ହୋଇଥଲା। ସର୍ତ୍ତ ଥିଲା ଯେ ଏହା ଜାତି, ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଖୋଲା ରହିବ। ୧୦୨୪-୨୬ ମସିହାରେ ବିଦେଶୀ ଆକ୍ରମଣକାରୀ ମହମ୍ମଦ ଗଜନି ଗୁଜରାଟର ସୋମନାଥ ମନ୍ଦିରକୁ ଆକ୍ରମଣ କରି ମନ୍ଦିର ଓ ଆରାଧ୍ୟ ମୂର୍ତ୍ତିଗୁଡ଼ିଙ୍କୁ ନଷ୍ଟ ଭ୍ରଷ୍ଟ କରି ସମସ୍ତ ସ୍ୱର୍ଣ୍ଣ, ରୌପ୍ୟ ଆଦି ମୂଲ୍ୟବାନ ରତ୍ନଆଭୂଷଣ ଲୁଟ୍ କରିଥିଲା। ତା’ ପରେ ପରେ ସତର ଥର ଆକ୍ରମଣ ହୋଇଥିଲା। ଶେଷରେ ୧୭୦୬ ମସିହାରେ ମୋଗଲ ସମ୍ରାଟ ଆଉରଙ୍ଗଜେବ ଏହି ମନ୍ଦିରକୁ ସମ୍ପୂର୍ଣ ନଷ୍ଟ କରିଦେଇଥିଲେ। ଏପରି ପ୍ରତିକୂଳ ସମୟରେ ମଧ୍ୟ ହିନ୍ଦୁ ସମାଜ ଆସ୍ଥା, ବିଶ୍ୱାସ ହରାଇ ନଥିଲେ। ଅହିଲ୍ୟାବାଈ ହୋଲକରଙ୍କ ସମେତ ବିଭିନ୍ନ ରାଜା ମହାରାଜଙ୍କ ଦ୍ୱାରା ଏହାର ସାତ ଥର ପୁନଃନିର୍ମାଣ ତଥା ଜୀର୍ଣ୍ଣୋଦ୍ଧାର କରାଯାଇଥିଲା।
୧୯୪୭ ନଭେମ୍ୱର ମାସରେ ଜୁନାଗଡ଼ ରାଜ୍ୟକୁ ଭାରତ ସହିତ ମିଶାଇବା ଅବସରରେ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିର ନବୀକରଣ ପାଇଁ ଉଦ୍ୟମ ଆରମ୍ଭ କଲେ। ୧୯୫୧ ରେ ନବନିର୍ମିତ ସୋମନାଥ ମନ୍ଦିରରେ ପ୍ରାଣପ୍ରତିଷ୍ଠା ପାଇଁ ଦେଶର ପ୍ରଥମ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦ ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବାରଣ ସତ୍ତ୍ବେ। ଉଚ୍ଚପଦରେ ଥିବା କୌଣସି ରାଜନେତା କୌଣସି ଧାର୍ମିକ ଉତ୍ସବରେ ଯୋଗ ଦେବା ଧର୍ମନିରପେକ୍ଷ ନୀତିର ଉଲ୍ଲଂଘନ ବୋଲି ତାଙ୍କ ମତ ଥିଲା। କିନ୍ତୁ ଡ.ରାଜେନ୍ଦ୍ର ପ୍ରସାଦ ରୋକଠୋକ୍ କହିଥିଲେ – ‘ମୁଁ ମୋ ଧର୍ମରେ ବିଶ୍ୱାସ ରଖେ, ନିଜକୁ ଏହାଠାରୁ ଅଲଗା କରି ପାରିବି ନାହିଁ’। ଏଥିପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। କୁହାଯାଏ, ରାଷ୍ଟ୍ରପତି ସୋମନାଥ ମନ୍ଦିର ଉଦ୍ଘାଟନ ଉତ୍ସବରେ ଦେଇଥିବା ଭାଷଣକୁ ରାଷ୍ଟ୍ର ନିୟନ୍ତ୍ରିତ ଗଣମାଧ୍ୟମ ପ୍ରସାର କରି ନଥିଲା।
ସେହିପରି ଅଯୋଧ୍ୟାର ରାମ ଜନ୍ମଭୂମି ବିବାଦ ଏକ ଲମ୍ୱା ଇତିହାସ। ମୋଗଲ ସମ୍ରାଟ୍ ବାବର୍ ୧୫୨୮ ମସିହାରେ ପ୍ରଭୁଶ୍ରୀରାମଙ୍କ ଜନ୍ମସ୍ଥାନରେ ଥିବା ମନ୍ଦିର ଧ୍ୱଂସ କରି ସେଠାରେ ଏକ ମସଜିଦ୍ ନିର୍ମାଣ କରିଥିଲେ। ପରବର୍ତ୍ତୀ ୩୦୦ ବର୍ଷ ପର୍ଯ୍ୟନ୍ତ ଏଠାରେ ନମାଜ ପଢ଼଼ିବାର କୌଣସି ପ୍ରମାଣ ନାହିଁ। ୧୬୦୮ ରେ ୱିଲିୟମ୍ ଫିଞ୍ଚ ନାମକ ଜଣେ ଇଂରେଜ ଭ୍ରମଣକାରୀ ତାଙ୍କ ଲେଖାରେ ଶ୍ରୀରାମଙ୍କ ଜନ୍ମସ୍ଥାନ ଉପରେ ହିନ୍ଦୁମାନଙ୍କ ଅଗାଧ ବିଶ୍ୱାସ ଓ ଆସ୍ଥା ସମ୍ପର୍କରେ ଉଲ୍ଲେଖ କରିଥିଲେ। ୧୭୭୬ରେ ଗଠିତ ଅମୀନି କମିଶନଙ୍କ ଦସ୍ତାବିଜ୍ରୁ ଜଣାପଡ଼େ ଯେ ସାଧାରଣ ହିନ୍ଦୁ ଭକ୍ତମାନେ ମସଜିଦ୍ ପାଖରେ କାର୍ତ୍ତିକ ପୂର୍ଣ୍ଣିମା ଓ ରାମ ନବମୀରେ ଏକତ୍ରିତ ହେଉ ଥିଲେ ଏବଂ ଏକ ବେଦୀ ତିଆରି କରି ଶ୍ରୀରାମଲଲାଙ୍କ ପୂଜା କରୁଥିଲେ। ୧୮୫୮ ରେ ୨୮ ଜଣ ନିହାଙ୍ଗ ଶିଖ ଏହା ଭିତରକୁ ପ୍ରବେଶ କରି ପୂଜା ଓ ହୋମ କରିଥିଲେ ଏବଂ ମସଜିଦ୍ କାନ୍ଥରେ ‘ରାମନାମ’ ଲେଖି ଦେଇଥିଲେ। ୧୯୩୪ରେ ଗୋହତ୍ୟା ଗୁଜବକୁ ନେଇ ଭୀଷଣ ଦଙ୍ଗା ସୃଷ୍ଟି ହୋଇଥିଲା। ପ୍ରାୟ ୨୦୦ ଜଣ ‘ବୈରାଗୀ’ ଗୋଷ୍ଠୀଙ୍କ ସଂଘବଦ୍ଧ ଆକ୍ରମଣରେ ମସଜିଦ୍ର କିଛିଅଂଶ ନଷ୍ଟ ହୋଇଥିଲା। ଇଂରେଜ ସରକାର ଆଯୋଧ୍ୟାର ହିନ୍ଦୁ ସମ୍ପ୍ରଦାୟକୁ ଏଥିପାଇଁ ଦାୟୀ କରି କ୍ଷତିପୂରଣ ବାବଦରେ ୮୪୦୦୦ ଟଙ୍କା ଜରିମାନା କରିଥିଲେ। ପ୍ରାୟ ପ୍ରତି ପରିବାରକୁ ସର୍ବନିମ୍ନ ୧୧ ରୁ ୫୧ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିଥିଲା। ସେ ସମୟରେ ଏହା ଖୁବ୍ ବଡ଼ ମାତ୍ରା ଥିଲା। କ୍ଷୁଧା, ଦାରିଦ୍ର୍ୟ, ଦୁର୍ଭିକ୍ଷ ଜର୍ଜରିତ ଗରିବ ହିନ୍ଦୁମାନଙ୍କ ଜରିମାନା ଦେବାକୁ ସେତିକି ମଧ୍ୟ ସମ୍ୱଳ ନ ଥିଲା। ତେଣୁ ଏହା ଭରଣା କରିବା ପାଇଁ ସେମାନେ ତଳିତଳାନ୍ତ ହୋଇଯାଇଥିବା କୁହାଯାଏ।
ଏହିପରି ୧୯୪୭ ପର୍ଯ୍ୟନ୍ତ ଅନେକଗୁଡ଼ିଏ ‘ଏଫ୍ଆଇଆର୍ ଦିଆଯାଇଥିଲେ ମଧ୍ୟ ଇଂରେଜ ସରକାର ‘ବିଭାଜନ ଓ ଶାସନ’ କୂଟନୀତିରେ ଜାଣିଶୁଣି କୌଣସି ସମାଧାନ କରି ନଥିଲେ।
୧୯୪୯ ଡିସେମ୍ୱର ୨୩ ସକାଳେ ପ୍ରଘଟ ହେଲା ଯେ ବାବ୍ରୀ ମସଜିଦ୍ ଭିତରେ ଶ୍ରୀରାମଲଲା ପ୍ରକଟ ହୋଇଛନ୍ତି। ଏହା ଶୁଣି ଶଙ୍କାଗ୍ରସ୍ତ କେନ୍ଦ୍ର ସରକାର ତତ୍ପର ହୋଇଉଠିଲେ। ପାକିସ୍ତାନ ଓ କଶ୍ମୀରର ମୁସଲମାନମାନଙ୍କ ମଧ୍ୟରେ ନକାରାତ୍ମକ ପ୍ରତିକ୍ରିୟା ହୋଇପାରେ ବୋଲି ଅନୁଭବ କରି ପ୍ରଧାନମନ୍ତ୍ରୀ ନେହେରୁଙ୍କ ପରାମର୍ଶରେ ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥ ଶ୍ରୀରାମଲଲାଙ୍କ ମୂର୍ତ୍ତି ମସଜିଦ୍ରୁ ହଟାଇ ପୂର୍ବ ସ୍ଥିତି ବାହାଲ କରିବାକୁ ନିର୍ଦ୍ଦେଶ ଦେଲେ। ସେ ସମୟରେ ଫୈଜାବାଦ୍ର ଡେପୁଟି ମାଜିଷ୍ଟ୍ରେଟ୍ ଥିଲେ ଆଇସିଏସ୍ ଅଫିସର କେ କେ ନାୟାର। ଚତୁର ଓ ସାହସୀ ନାୟାର କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସରକାରଙ୍କୁ ଲେଖିଥିଲେ ଯେ- ‘ଶ୍ରୀରାମଲଲାଙ୍କୁ ହଟେଇବା ସମ୍ଭବ ନୁହେଁ, ଯେହେତୁ ସେଠାରେ ଅସଂଖ୍ୟ ହିନ୍ଦୁ ପୂଜା କରୁଛନ୍ତି। ଏମିତି କଲେ ହୁଏତ ସାମ୍ପ୍ରଦୟିକ ସଦ୍ଭାବ ବିଗିଡ଼ି ଯାଇ ଦଙ୍ଗା ସୃଷ୍ଟି ହୋଇପାରେ। ବରଂ ଏହାର ସମାଧାନ ଅଦାଲତରେ ହେଉ।’ କହିବା ବାହୁଲ୍ୟ, ଏହା ପରେ ପରେ ସେ ଚାକିରିରୁ ବରଖାସ୍ତ ହେଲେ ସତ, କିନ୍ତୁ ଇତିହାସର ଗତିପଥ ବଦଳି ଯାଇଥିଲା। ‘ରାମ ଜନ୍ମଭୂମି’ ବିବାଦ ବିଚାର ପାଇଁ ଅଦାଲତକୁ ଗଲା। ମୋଗଲ ଶାସନ ତଥା ଇଂରେଜ ସରକାର ଅମଳର ସଂଗୃହୀତ ଓ ସଂରକ୍ଷିତ ନଥିପତ୍ର ଓ ସମସ୍ତ ଦସ୍ତାବିଜ୍ ରାମ ଜନ୍ମଭୂମି ସପକ୍ଷରେ ଗଲେ ମଧ୍ୟ କିଛି ବାମପନ୍ଥୀ ଇତିହାସକାର, ସାମ୍ୱାଦିକ ଏବଂ ସଂଖ୍ୟାଲଘୁ ତୁଷ୍ଟୀକରଣପ୍ରିୟ ରାଜନୀତିଜ୍ଞ ଘଟଣାକୁ ବିଭ୍ରାନ୍ତ କରି ପ୍ରତିବାଦୀ ମୁସଲିମ ପକ୍ଷକୁ ପଛକୁ ନ ହଟିବା ପାଇଁ ଉସୁକାଇ ମାମଲାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଦାଲତରେ ଗଡ଼େଇ ରଖିବା ପାଇଁ ଷଡ଼ଯନ୍ତ୍ର କଲେ।
୧୯୮୦ ଦଶକରେ ‘ରାମ ଜନ୍ମଭୂମି’ ବିବାଦ ବିଶ୍ୱ ହିନ୍ଦୁ ପରିଷଦର ଅଶୋକ ସିଂଘଲ୍ଙ୍କ ନେତୃତ୍ୱରେ ଓ ଅନ୍ୟ ସମଧର୍ମା ସଂଗଠନଙ୍କ ସମର୍ଥନ ପାଇ ଏକ ଗଣଆନ୍ଦୋଳନରେ ପରିଣତ ହେଲା। ୧୯୮୫ରେ ‘ମୁସଲିମ ଓମେନ୍ ଆକ୍ଟ’ ଆଣି ସୁପ୍ରିମକୋର୍ଟଙ୍କ ‘ଶାହବାନୋ ରାୟ’କୁ ନିଷ୍କ୍ରିୟ କରିଥିବାରୁ ବିରୋଧୀ ଦଳଙ୍କ ନିଶାଣରେ ଥିବା ରାଜୀବ ଗାନ୍ଧୀଙ୍କ ସରକାର ସଂଖ୍ୟାଗରିଷ୍ଠ ହିନ୍ଦୁମାନଙ୍କୁ ପ୍ରଭାବିତ କରିବାକୁ ୧୯୮୬ ରେ ରାମ ମନ୍ଦିରର ତାଲା ଖୋଲିବା ପାଇଁ ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀର ବାହାଦୁର ସିଂହଙ୍କୁ ପରାମର୍ଶ ଦେଇଥିଲେ। ୨ ନଭେମ୍ୱର ୧୯୯୦ ରେ ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ଶିବସେନା ଦ୍ୱାରା ‘ରାମ ଜନ୍ମଭୂମି’ ସ୍ଥଳରେ ରାମମନ୍ଦିର ପୁନଃନିର୍ମାଣ ପାଇଁ ଅଭିଯାନ ଆରମ୍ଭ ହେଲା। ଏଥିସହିତ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ‘ସୋମନାଥରୁ ଅଯୋଧ୍ୟା ରଥଯାତ୍ରା’ ସମୟରେ ବିହାରରେ ଆଡଭାନୀଙ୍କ ଗିରଫଦାରୀରେ ଉତ୍ତରପ୍ରଦେଶରେ ଉପୁଜିଥିବା ସ୍ଥିତି ନିୟନ୍ତ୍ରଣ କରିବାକୁ ତତ୍କାଳୀନ ଉତ୍ତରପ୍ରଦେଶର ମୁଲାୟମ ସିଂ ଯାଦବ ସରକାରଙ୍କ ନିର୍ଦ୍ଦେଶରେ ହୋଇଥିବା ପୁଲିସ ଗୁଳିକାଣ୍ଡରେ ଅସଂଖ୍ୟ କରସେବକ ପ୍ରାଣ ହରାଇଥିଲେ। ପରବର୍ତ୍ତୀ ସମୟରେ ୬ ଡିସେମ୍ୱର ୧୯୯୨ରେ ବାବ୍ରୀ ମସଜିଦ୍ର ବିବାଦୀୟ ଢାଞ୍ଚାକୁ ଲକ୍ଷାଧିକ କରସେବକ ଏକତ୍ରିତ ହୋଇ ଭୁ-ଲୁଣ୍ଠିତ କରି ଦେଇଥିଲେ। ଢାଞ୍ଚା ଭାଙ୍ଗିଗଲା ପରେ ଶ୍ରୀରାମଲଲାଙ୍କ ବିଗ୍ରହ ତମ୍ୱୁ ତଳେ ପୂଜିତ ହେଉଥିଲେ।
ଅଦାଲତଙ୍କ ନିର୍ଦ୍ଦେଶରେ ୨୦୦୩ ମସିହାରେ ହୋଇଥିବା ସର୍ବେକ୍ଷଣରେ ଏଏସଆଇର ଖନନରୁ ମିଳିଥିବା ତଥ୍ୟ ମନ୍ଦିର ଉପସ୍ଥିତିର ବଳିଷ୍ଠ ପ୍ରମାଣ ରୂପେ ଉପସ୍ଥାପିତ ହେଲା। ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣର ପୂର୍ବତନ କ୍ଷେତ୍ରୀୟ ନିର୍ଦ୍ଦେଶକ କେ କେ ମହମ୍ମଦ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ବିବାଦୀୟ ଢାଞ୍ଚା ତଳେ ଏକ ମନ୍ଦିର ଥିବାର ଯଥେଷ୍ଟ ପ୍ରମାଣ ୧୯୭୬-୭୭ରେ ଅଯୋଧ୍ୟାରେ ଖନନ ସମୟରେ ସଂଗୃହୀତ ଅବଶେଷ ନମୁନାରେ ଉପଲବ୍ଧ। ଏହି ବିସ୍ଫୋରକ ମନ୍ତବ୍ୟ ଉଭୟ ରାମ ଜନ୍ମଭୂମି ଅଭିଯାନ ଓ ଅଦାଲତ ନିର୍ଣ୍ଣୟକୁ ବଳ ଦେଇଥିଲା। ଶେଷରେ ୯ ନଭେମ୍ୱର ୨୦୧୯ରେ ମାନ୍ୟବର ସୁପ୍ରିମକୋର୍ଟ ରାମ ଜନ୍ମଭୂମି ସପକ୍ଷରେ ଐତିହାସିକ ରାୟ ଶୁଣାଇଲେ। ଏହି ରାୟ ଅନୁସାରେ ୫ ଅଗଷ୍ଟ ୨୦୨୦ ମସିହାରେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ଆନୁକୂଲ୍ୟରେ ଏକ ଭକ୍ତିମୟ ପରିବେଶରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାରେ ଶିଳାନ୍ୟାସ ହେଲା। କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ସାକାର ହେଲା। ଏହି ମହାନ୍ ଦେଶର ସଭ୍ୟତା, ସଂସ୍କୃତି, ଅସ୍ମିତା, ମୂଲ୍ୟବୋଧ, ବିଚାରଧାରା ଓ ପରମ୍ପରା ଉପରେ ବିଶ୍ୱାସ ଆହୁରି ଦୃଢ଼ୀଭୂତ ହେଲା। ଯେଉଁମାନେ କହୁଥିଲେ, ରାମ ମନ୍ଦିର ହେଲେ ସାରା ଭାରତରେ ନିଅାଁ ଜଳିବ, ତାହା ଭୁଲ୍ ପ୍ରମାଣିତ ହେଲା। ସମସ୍ତ ଘଟଣା ପ୍ରବାହର ମୂକସାକ୍ଷୀ ପବିତ୍ର ସରଯୁ ନଦୀ ମଧ୍ୟ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇପଡ଼ିଲା।
ଏ ସମସ୍ତର ଶ୍ରେୟ ଯିବ ସେହି ଶାନ୍ତ, ଉଦାର, ସହିଷ୍ଣୁ ଭାରତୀୟମାନଙ୍କୁ, ଯେଉଁମାନେ କୌଣସି ରାଜା, ମହାରାଜା, ଶାସକ ଆଦିଙ୍କ ସମର୍ଥନ ନ ପାଇ ମଧ୍ୟ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନିଜର ଅସ୍ଥା ଓ ବିଶ୍ୱାସ ହରାଇ ନଥିଲେ ଏବଂ ଶେଷପର୍ଯ୍ୟନ୍ତ ଶ୍ରୀରାମଲଲାଙ୍କୁ ପୂଜା କରି ଆସୁଥିଲେ। ଶହ ଶହ ସାଧୁ, ସନ୍ଥ, ମଠ ମହନ୍ତ, ସେହି ୨୮ ଜଣ ନିହାଙ୍ଗ ଶିଖ, ସେ ସମୟରେ ୮୪ ହଜାର ଟଙ୍କା ଜୋରିମାନା ଦେଇ ସର୍ବସ୍ୱ ହରେଇ ଥିବା ଆଯୋଧ୍ୟାର ହିନ୍ଦୁ ପରିବାର, ସତ୍ୟନିଷ୍ଠ ଓ ସାହସୀ ଆଇସିଏସ ଅଫିସର କେ କେ ନାୟାର, ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣର ପୂର୍ବତନ କ୍ଷେତ୍ରୀୟ ନିର୍ଦ୍ଦେଶକ, ସଚ୍ଚୋଟ, ଦକ୍ଷ ଓ ନିର୍ଭୀକ ଅଫିସର୍ କେ କେ ମହମ୍ମଦ, ଗୁଳିକୁ ଭ୍ରୂକ୍ଷେପ ନ କରି ପ୍ରାଣବଳି ଦେଇଥିବା କରସେବକ – ଏମାନେ ହିଁ ପ୍ରକୃତ ସାଧକ, ଶ୍ରଦ୍ଧା, ସମ୍ମାନ ଓ ଧନ୍ୟବାଦର ପାତ୍ର, ଚିର ନମସ୍ୟ, ଯଥାର୍ଥରେ ‘ଅଦୃଶ୍ୟ ନାୟକ ।