କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪)
ରାଜା ପୃଥୁ ନାରଦ ଙ୍କୁ ପ୍ରଣିପାତ କଲେ ଓ କହିଲେ ଭୋ ମୁନି ! ଭଗବାନ ବିଷ୍ଣୁ ଦେବତା ମାନଙ୍କୁ ତୁଳସୀ ସ୍ଥାପନ ବିଷୟରେ କହିଲେ ?ତୁଳସୀ ବୃକ୍ଷ ପୂଜା କଲେ କି ,କି ,ସୁଫଳ ମିଳେ ତା କହିଥିଲେ କି ,ନାହିଁ ?ଯଦି କହିଥିଲେ ସେ ବିଷୟରେ ମୋତେ କହିବା ହୁଅନ୍ତୁ ?ଦେବର୍ଷି ନାରଦ କହିଲେ ହେ ରାଜନ !ଯାହା ମୁଁ ବିଷ୍ଣୁଙ୍କ ମୁଖରୁ ଶୁଣିଛି ତାହା ତୁମ ନିକଟରେ କହୁଛି ଶୁଣ ନାରଦ କହିଲେ ...........!!!
ଦେବତା ମାନଙ୍କୁ ଭଗବାନ ବିଷ୍ଣୁ କହୁଛନ୍ତି ହେ ଦେବଗଣ ! ତୁଳସୀ ଚଉରା ନିକଟରେ କାର୍ତ୍ତିକ ମାସରେ ଯେଉଁ ଜନ ମୁରୁଜ ପକାଏ ସେ ପୁଣ୍ୟ ଲାଭ କରେ ଓ ମୋ ମନ ମନ୍ଦିର ଭିତରେ ସେହି ରହିଥାଏ ।ସେହି ଜନ ର କୌଣସି ଦୁଃଖ ପଡେ ନାହିଁ ।ସନ୍ଧ୍ୟା ସମୟରେ ଯେଉଁ ଜନ ତୁଳସୀ ମୂଳରେ ଦୀପ ଦାନ ଶ୍ରଦ୍ଧାରେ ପ୍ରତିଦିନ ବସାଏ ଅଗ୍ନି ପରି ତାହାର ଜ୍ୟୋତି ପ୍ରକାଶ ପାଏ ଓ ତାହାର ସବୁଗୁଣ ସୁନ୍ଦର ହୁଏ ଏବଂ ଲକ୍ଷ୍ମୀ ତାଠାରେ ସର୍ବଦା ବାସ କରନ୍ତି ।ସେହି ବ୍ୟକ୍ତି ର କାନ୍ଧରେ ଲକ୍ଷ୍ମୀ ରୁହନ୍ତି ।ତୁଳସୀ ବାଡ଼ ପାଖରେ ଆରାଧନା କଲେ ସେହି ବାଡ଼ ଯେତେଦିନ ଯାଏ ଥାଏ ମୋ ପୁରରେ ସେହି ଜନ ସେତେଦିନ ରୁହେ ।ମୋ ନିକଟରେ କୈବଲ୍ୟ ନୀତି ଭୁଞ୍ଜେ । ଏକଥା ବ୍ରହ୍ମରାଶି ଦେବତା ମାନଙ୍କୁ କହୁଛନ୍ତି । ପୁନଶ୍ଚ ଭଗବାନ ବିଷ୍ଣୁ କହିଲେ ,,ତୁଳସୀ ମୂଳରୁ ଘାସ ବାଛି ଯେଉଁ ଜନ ପରିଷ୍କାର କରେ ତାହାର ସର୍ଵ କଷ୍ଟ ଦୂର ହୁଏ ।ତାହାରି ବଂଶରେ କଳଙ୍କ ଲାଗେ ନାହିଁ ।ତୁଳସୀ ମୂଳରୁ ଯେଉଁମାନେ ନେଇ ଫିଙ୍ଗି ଦିଅନ୍ତି ତାଙ୍କର ବହୁତ ଅନିଷ୍ଟ ହୁଏ ।ତୁଳସୀ ପତ୍ର କୁ ଏକାଠି କରି ମୋତେ ମାଳ କରି ପିନ୍ଧାଇଲେ ଅଥବା ଶୁଖିଲା ତୁଳସୀ ଗଛର କାଠ ରେ ମାଳ କରି ମୋତେ ଅର୍ପଣ କଲେ ଅନେକ ସୁଫଳ ମିଳେ ।ତୁଳସୀ କାଠ ଯେଉଁ ଜନ କର୍ଣ୍ଣ ଓ କଣ୍ଠରେ ଧାରଣ କରେ ତାହାରି ଅଙ୍ଗରେ ପାପ ଲାଗେ ନାହିଁ । ଗରୁଡ଼ ଆଗରେ ସାପ ଯେପରି ସେହି ଜନ ସବୁଠାରେ ବିଜୟୀ ହେବ । ଯାହାର ଗୃହରେ ତୁଳସୀ ବୃକ୍ଷ ଘର ଆଗରେ ଥିବ ଯମ ଦୂତମାନେ ସେଠାକୁ ଯିବେନାହିଁ । ଏହା ସତ୍ୟ ,ସତ୍ୟ ସତ୍ୟ ।
ଯା ଗୃହେ ତୁଳସୀ କାନନ
ଥିବ ମନ୍ଦିର ସନ୍ନିଧାନ
ତେଣୁ ନଯିବେ ଯମ ଦୂତ
ତୁମ୍ଭକୁ କହୁଅଛି ସତ୍ୟ ।।
ଭଗବାନ ବିଷ୍ଣୁ ଦେଵତା ମାନଙ୍କୁ କହୁଛନ୍ତି ଯେଉଁ ଜନ ତୁଳସୀ କାଷ୍ଠ କୁ ଘୋରି ମୁଣ୍ଡରେ ଚନ୍ଦନ କରି ଲଗାଏ ଓ ପୂଜା ସମୟରେ ତୁଳସୀ କାଷ୍ଠ କୁ ଲଗାଇ ସେହି ଜନ ପ୍ରତ୍ୟେକ୍ଷ ଦେବତା ବୋଲି ଗଣା ହୁଏ ।ସେହି ଜନ ଯେଉଁ ମାର୍ଗରେ ଯାଏ ବିପତ୍ତି ଦେଖା ଯାଇନାହିଁ ।ଯେଉଁ ଦ୍ୱାରରେ ତୁଳସୀ ବୃକ୍ଷ ଥିବା ଜାଣିବ ଭଗବାନ ବିଷ୍ଣୁ ସେହି ଘରେ ଅଛନ୍ତି । ଯାହା ଘରେ ବିଷ୍ଣୁ ଅଛନ୍ତି ସେ ଘର ସର୍ବାଦ ପବିତ୍ର ଅଟେ । ଯେଉଁ ଲୋକ ତୁଳସୀ କୁ ପାଳନ କରେ ସେହି ଲୋକ ବିଷ୍ଣୁ ବୋଲି ଜାଣିବ । ତୁଳସୀ ଛାୟାରେ ଯେଉଁ ଜନ ପିତୃ ଶ୍ରାଦ୍ଧ ଓ ପିତୃ ପିଣ୍ଡ ଶ୍ରଦ୍ଧା ସହକାରେ ଦାନ କରେ ତାହାର ସଗୋତ୍ର ସହିତ ସାତ ପୁରୁଷ ବିଷ୍ଣୁ ନିବାସ ଅର୍ଥାତ ବୈକୁଣ୍ଠ ପ୍ରାପ୍ତ ହୁଅନ୍ତି ଓ ବସୁମତୀ ଥିବା ପର୍ଯ୍ୟନ୍ତ ତାହାର ଦୁର୍ଗତି ହୁଏନାହିଁ । ଯେଉଁଜନ ମୃତ୍ୟୁ ସମୟରେ ତୁଳସୀ ନିକଟରେ ଶୟନ କରେ ଓ ତୁଳସୀ ପତ୍ର ଯଦି ତାହାର ମୁଣ୍ଡରେ ଥାଏ ଏବଂ ତୁଳସୀ ଉଦକ ପାଉଥାଏ ସେହି ଲୋକର ପିଣ୍ଡରୁ ସିନା ପ୍ରାଣ ଛାଡି ଚାଲିଯିବି ହେଲେ ସେ ଲୋକ ଆସି ମୋ ଅଙ୍ଗରେ ମିଶିଵ ଭଗବାନ ବିଷ୍ଣୁ ,ଦେବତା ମାନଙ୍କୁ କହିଲେ ହେ ଦେବଗଣ ଏକ ଆଶ୍ଚର୍ଯ୍ୟ କଥା ଶୁଣ !ଯେଉଁଲୋକ ପାପୀ ହୋଇଥିବ ଅକାଳରେ ମୃତ୍ୟୁ ବରଣ କରିବ ସେହି ଲୋକର ମୃତପିଣ୍ଡ ଦଗ୍ଧ ସମୟରେ
ତୁଳସୀ କାଠ ଯଦି ମିଳେ ସେହି ତୁଳସୀ କାଠ କୁ ନିଆଁ ରେ ପକାଇଲେ ତାହାରି ଆତ୍ମା ମୋକ୍ଷ ପାଏ । ତୁଳସୀ ଚରିତ ଯାହା ମୁଁ ତୁମ ମାନଙ୍କୁ କହୁଛି ତାହା ସତ୍ୟ ଅଟେ । ଆହୁରୀ କଥା କହୁଛି ଶୁଣ !ଗ୍ରହଣ ସମୟରେ ,ଦ୍ଵାଦଶୀ , ସଂକ୍ରାନ୍ତି , ଚତୁର୍ଥୀ , ସନ୍ଧ୍ୟା ,ରାତ୍ରି , ଅଶୌଚ ହୋଇ ତୁଳସୀ ପତ୍ର ତୋଳିବ ନାହିଁ କି ତୁଳସୀ ବୃକ୍ଷ କୁ ଛୁଇଁବ ନାହିଁ ଯଦି ଏହାକୁ ନମାନି ତୁଳସୀ ପତ୍ର ଏହି ଦିନ ମାନଙ୍କରେ ତୋଳିବ ତେବେ ବିଷ୍ଣୁ ଦଣ୍ଡିବା ଦୋଷ ରେ ଦୋଷୀ ହେବ । ଯେଉଁ ଜନ ବିଷ୍ଣୁ ଙ୍କ ନାମ ନେଇ ତୁଳସୀ ପତ୍ର ତୋଳିବ ଓ ତୋଳିବ ସମୟରେ ସାବଧାନ ନହୋଇ ତୁଳସୀ କାଣ୍ଡକୁ ନଖରେ ବିଦାରିତ କରିବ ସେହି ଲୋକ ବିଷ୍ଣୁ ଙ୍କ ଶରୀର କୁ କ୍ଷତ କରୁଛି ବୋଲି ଜାଣିବ । ଅତି ସାଵଧାନହୋଇ ଯେଉଁଜନ ସର୍ବଦା ମୋ ଉଦ୍ଦେଶ୍ୟ ରେ ତୁଳସୀ ତୋଳେ ତାହାର ଶତଗୁଣ ପୁଣ୍ୟ ହୁଏ । କାର୍ତ୍ତିକ ମାସରେ ଯେଉଁ ନର ତୁଳସୀ ସେବା କରେ ସେହି ନର କୈବଲ୍ୟ ମୁକ୍ତି ପାଏ ଓ ତାହାର ଅଶେଷ ବିପତ୍ତି ଖଣ୍ଡନ ହୁଏ । ତୁଳସୀ ମୂଳେ ଯେଉଁଜନ ଉଦ୍ ଯାପନ କରି କାର୍ତ୍ତିକ ବିଧାନ କରେ ସେ ଜନ ବୈକୁଣ୍ଠ ପ୍ରାପ୍ତି ହୁଏ । ପୁନଶ୍ଚ ସେହି ଲୋକ ମୋହର ଅଙ୍ଗରେ ଲୀନ ହୁଏ । ଯଦି ଲୀନ ନହୁଏ ତାହାଲେ ମୋ ସାଙ୍ଗରେ ଥାଏ ।କୌଣସି ମତେ ସେ ମୋ ଠାରୁ ଅନ୍ତର ହୁଏ ନାହିଁ ।ଏକଥା ସତ୍ୟ । କାର୍ତ୍ତିକ ମାସରେ ତୁଳସୀ ପତ୍ର ତୋଳିବ ନାହିଁ ଆଶ୍ଵିନ ମାସରୁ ତୁଳସୀ ପତ୍ର ତୋଳି ଆଣି ଘରେ ସାଇତି କରି ରଖିଥିବ ଓ ସେହି ପତ୍ରକୁ କାର୍ତ୍ତିକ ମାସରେ ଆହାର କରିବ । କାର୍ତ୍ତିକ ସ୍ନାନ କରି ବିଷ୍ଣୁ ଙ୍କ ନାମ ଜପି ତୁଳସୀ ପତ୍ର ପାଟିରେ ଯେଉଁ ଜନ ଦିଏ ଅଶେଷ ଜନ୍ମର ପାପ ନାଶ ତାହାର ଯାଏ । କାର୍ତ୍ତିକ ମାସରେ ତୁଳସୀ ବୃକ୍ଷମୂଳେ ଯେଉଁ ଜନ ହବିଷ୍ୟ ଅନ୍ନ ରନ୍ଧନ କରେ ଓ ପଂକ୍ତି ଭୋଜନ କରେ ତାହାରି ପାପ ଦହନ ହୁଏ । ଯଦି ଜୀବନରେ କେଭେ ଅଶୌଚ ଦ୍ରବ୍ୟଭକ୍ଷଣ କରିଥିବ ତେବେ ଏହିମାସରେ ତୁଳସୀ ମୂଳେବସି ହବିଷ୍ୟ ଅନ୍ନ ଖାଇଲେ ସେ ଦୋଷ ଲାଗିବ ନାହିଁ ।
କାର୍ତ୍ତିକ ମାସରେ ଅଁଳା ଖାଇଲେ ଶରୀରର ସମସ୍ତ ରୋଗ ନାଶ ହୁଏ ।ଭଗବାନ ବିଷ୍ଣୁ କହୁଛନ୍ତି ଦେବତା ମାନଙ୍କୁ ଅଁଳା ,ତୁଳସୀ ମାଳତୀ ଏହି ତିନିଜଣ ମୋର ପ୍ରିୟବତୀ ।ବିଶେଷ କରି ତୁଳସୀ ସେମାନଙ୍କ ଠାରୁ ପ୍ରଧାନ ଅଟେ ।ତୁଳସୀ ସେବା ଯିଏ କରିବ ସେହି ମୋତେ ପାଇବ ।ବିନା ତୁଳସୀ ରେ ଯେତେ ଭୋଗ ଦିଆଯିବ ତାହା ବିଷ୍ଣୁ ଙ୍କ ପାଇଁ ଉପଯୋଗ ନୁହେଁ ।ତୁଳସୀ ପତ୍ର ରେ ମୋତେ ପୂଜାକରି ,ତୁଳସୀ ସହିତ ମୋତେ ଡାକିଲେ ଓ ତୁଳସୀ ମୋ ମୁଣ୍ଡ ଉପରେ ଚଢାଇଲେ ପ୍ରାଣୀ ମୋହର ପୁର କୁ ଆସେ ।
ତୁଳସୀ ବିନା ଯେତେ ଭୋଗ
ମୋତେ ନୁହଁଇ ଉପଯୋଗ ।।
ତୁଳସୀ ଦଳେ ମୋତେ ପୂଜି
ତୁଳସୀ ଘେନି ମୋତେ ଭଜି ।।
ତୁଳସୀ ଦେବ ମୋର ଶିରେ
ପ୍ରାଣୀ ବସିବ ମୋର ପୁରେ ।।
ବିଷ୍ଣୁ ଭଗବାନ ବ୍ରହ୍ମା ସମେତ ସମସ୍ତ ଦେବତା ମାନଙ୍କୁ କହିଲେ , ଯକ୍ଷ , ରାକ୍ଷାସ , ନର ,ନାଗ ,ଦଶ ଦିଗପାଳ , ଶିବ ସହିତ ଯେତେ ମୁନି ୠଷି ଜାଣି ରଖ ! ଲକ୍ଷ୍ମୀ ମୋହର ପ୍ରିୟବତୀ ଓ ପାର୍ବତୀ ଆଦି ଯେତେ ସ୍ତ୍ରୀ ଗଣ ଅଛନ୍ତି ସମସ୍ତେ ମୋ ଆଜ୍ଞା ରେ ଚଳନ୍ତି ।ଏମାନେ ମଧ୍ୟ ତୁଳସୀ ସେବା କଲେ ପୁଣ୍ୟ ଫଳ ପାଇବେ । ଏମାନଙ୍କ ମଧ୍ୟରୁ ଯିଏ ତୁଳସୀର ଅପରାଧୀ ହେବ ତାହାର କର୍ମ ସିଦ୍ଧି ହେବନାହିଁ । ହେ ଦେବଗଣ ଶୁଣ !ତୁଳସୀ ସଦା ସର୍ବଦା ପୁଣ୍ୟ ! ସତୀ ସ୍ବାଧି ସେ ! ମୁଁ ତା ଉପରେ ମାୟା ରଚନା କଲି ।ତାହାରି ସତିତ୍ୱ କୁ ନଷ୍ଟ କଲି ମୁଁ !ସେଇ ଚିନ୍ତାରେ ମୁଁ ପର୍ବତ ଉପରେ ରହିଥିଲି ।
ମୋ ଦେହ ସେହି ଭାବେ ଅଛି ।ବୃନ୍ଦାବତୀ ର ଅଭିଶାପ ମୋତେ ନିଶ୍ଚିତ ଭାବେ ସହିବାକୁ ପଡିବ । ତୁଳସୀ ସହ ମୁଁ କରିଥିବା ପାପ ମୋତେ ଓ ମୋ ଦେହକୁ ବଜ୍ର କୀଟ ପରି ଦଂଶନ କରୁଛି ଭଗବାନ ବିଷ୍ଣୁ ଦେବତା ମାନଙ୍କୁ କହିଲେ ମୋ ଦେହରେ ଯେଉଁ ବଜ୍ର କୀଟ କାଟୁଛନ୍ତି ମୁଁ ସେହି କୀଟ ମାନଙ୍କୁ ଗଣ୍ଡୁକୀ ନଦୀ ଜଳରେ ବିସର୍ଜନ କରି ଦେବି । ଭଗବାନ ବିଷ୍ଣୁ ତାହାହିଁ କଲେ । ବଜ୍ର କୀଟ ଙ୍କୁ ନେଇ ଗଣ୍ଡୁକୀ ଜଳ ରେ ଛାଡି ଦେଲେ ସେଠାରେ ବଜ୍ର କୀଟ ମାନେ ସହସ୍ର ସହସ୍ର ଛୋଟ ଛୋଟ ଶିଳା ରେ ପରିଣତ ହୋଇଗଲେ । ଭଗବାନ ବିଷ୍ଣୁ କହିଲେ ସେହି ଶିଳା ମୋର ପ୍ରତିମା ବା ବିଷ୍ଣୁ ମୂର୍ତ୍ତି । ସମସ୍ତ ବ୍ରାହ୍ମଣ ମାନେ ଏହାକୁ ପୂଜା କରିବେ । ବ୍ରାହ୍ମଣ ମାନଙ୍କ ବ୍ୟତୀତ ଅନ୍ୟ କେହି ଏହି ଶାଳଗ୍ରାମ ମୂର୍ତ୍ତି ଙ୍କୁ ଘରେ ରଖିବେ ନାହିଁ କି ପୂଜା କରିବେ ନାହିଁ । ଏହି ଶାଳଗ୍ରାମ ମୂର୍ତ୍ତି ସହିତ ତୁଳସୀ ପତ୍ର ଚଢ଼ାଇ ପୁଜିଲେ ଭାବସାଗର ରୁ ପାରି ହୋଇ ପାରିବେ ।
ଦେବତା ମାନେ ବିଷ୍ଣୁ ଭଗବାନ ଙ୍କ ଠାରୁ ତୁଳସୀ ମହିମା ବିଷୟରେ ଶୁଣୁଥିଲେ । ସବୁ କଥା ଶୁଣି ସାରିବା ପରେ ବିଷ୍ଣୁ ବଚନ ପାଳିବା ପାଇଁ ପ୍ରତିଜ୍ଞା କଲେ ଓ ପ୍ରଣାମ କରି ନିଜ ନିଜ ପୁର କୁ ଚାଲିଗଲେ । ନାରଦ ମୁନି ରାଜା ପୃଥୁ ଙ୍କୁ କହିଲେ ହେ ରାଜନ !ତୁଳସୀ ମହିମା ର ଉପମା ଦେବାକୁ ମୁଁ ଅତି ନଗଣ୍ୟ ।ବିଷ୍ଣୁ ଭଗବାନ ଙ୍କର ଯିଏ ଏଡ଼େ ପ୍ରିୟ ଫୁଲ ସଂସାରେ ତାହା ସହିତ କିଏ ତୁଲ ହେବ ? କେବଳ ସକାଳେ ସ୍ନାନ ସାରି ଏହି ଫୁଲ ବନମାଳୀ ଙ୍କୁ ସନ୍ତୋଷ କରିବ । ଅଶୁଚ ବେଳେ ଏହାକୁ ଯଦି ତୋଳିବ ଦିନକ ର ଧର୍ମ କ୍ଷୟ ହେବ । ସ୍ନାନ ନକରି ଅନ୍ୟ ଫୁଲ ତୋଳିଲେ ଅନ୍ୟ ଦେବତା ମାନେ ସନ୍ତୁଷ୍ଟ ହୋଇପାରନ୍ତି ମାତ୍ର ତୁଳସୀ ଫୁଲ ସ୍ନାନ ନକରି ଯଦି ତୋଳିବ ତେବେ ପୂଜାର ଫଳ କିଛି ନାହିଁ ଏକଥା ମନେ ରଖିଥିବ ରାଜନ ।ଦିନକର ଧର୍ମ ନିଶ୍ଚିତ କ୍ଷୟ ହେବ ଯେମିତି ପାଉଁଶ ଉପରେ ଘିଅ ଢାଳିବା ଯାହା ସ୍ନାନ ନକରି ତୁଳସୀ ଫୁଲ ତୋଳିବା ସେଇୟା । ହେ ରାଜନ ଆପଣ ମୋତେ ପଚାରି ଥିଲେ ତୁଳସୀ କେଉଁଠାରୁ ଉତ୍ପତ୍ତି ? ମୁଁ ଆପଣଙ୍କୁ ଅତି ସଂକ୍ଷେପରେ ତାହା ତୁମ ଆଗରେ ବର୍ଣ୍ଣନା କଲି । ରାଜା ପୃଥୁ ନାରଦ ମୁନିଙ୍କ କଥା ଶୁଣି ଆନନ୍ଦିତ ହେଲେ ଓ ପ୍ରଣାମ ଜଣାଇଲେ ।
ମାଗୋ ତୁଳସୀ ଦେବୀ, ଅଟୁ ଶ୍ରୀକୃଷ୍ଣ ପ୍ରାଣବଲ୍ଲଭୀ ॥
ପ୍ରଭାତୁ ଉଠିଣ ଧରି ତୁମ୍ଭ ନାମ ଯେ କରେ ତୁମ୍ଭ ଦର୍ଶନ
ତୁମ୍ଭରି କୃପାରୁ ସେ ପ୍ରାଣୀର ନିଶ୍ଚେ ସୁଖେ କଟେ ସେହି ଦିନ ॥
ସତ୍ୟ ଯୁଗେ ତୁମ୍ଭ ନାମ ସତ୍ୟବତୀ ଦ୍ୱାପର ଯୁଗେ ମାଳତୀ ।
ତ୍ରେତୟା ଯୁଗରେ ନାମ ତୋ ତ୍ରିପୁରା କଳୀଯୁଗେ ବୃନ୍ଦାବତୀ ॥
ତୁଳସୀର ମାଳ ତୁଳସୀର ଚୂଳ ତୁଳସୀ ଭୂଷଣ ହୋଇ ।
ତୁଳସୀ ମୂଳରେ ଲୟ ଲଗାଇଲେ ନୀଳଚକ୍ର ଦିଶୁଥାଇ ॥
ମୂଳେ ତୋର ଗଙ୍ଗା ଡ଼ାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ ।
ସେ ପତ୍ର ପଡ଼ିଲେ ମଣୋହି ହୁଅଇ ବୋଲଇ ଗୋରଖ ଦାସ ॥