କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦)

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨୦)

           ରାଜା ପୃଥୁ ଦେବର୍ଷି ନାରଦକୁ ପଚାରିଲେ ଭୋ ମୁନି ! ଆପଣ କାର୍ତ୍ତିକ ବ୍ରତ ଉଦ୍ୟାପନ କରି  ବୈକୁଣ୍ଠ ପୁରକୁ ଗମନ କଟିଥିବା ବହୁ ଲୋକଙ୍କ ଦୃଷ୍ଟାନ୍ତ ଦେଲେ ଏହାକୁ ଶୁଣି ମୋହର କର୍ଣ୍ଣ ପବିତ୍ର ହୋଇଗଲା  । ଏବେ ଆପଣ କୁହନ୍ତୁ କାର୍ତ୍ତିକ ବ୍ରତ ଧର୍ମ ବଳରେ ସୂର୍ଯ୍ୟ ଙ୍କ ତଳେ ବାସ କରୁଥିବା କିଏ ଲୋକ ଏମିତି ଅଛିକି ଯିଏ ଏହି ବ୍ରତ କରି ବୈକୁଣ୍ଠ ପ୍ରାପ୍ତି ହୋଇଛି ? ଯଦି ଆପଣ ଜାଣନ୍ତି ତାହାଲେ ମୋତେ ବିସ୍ତାର କରି କୁହନ୍ତୁ ?ନାରଦ କହିଲେ ହେ ରାଜନ ଯାହା ମୁଁ ଶୁଣିଛି ତାହା ତୁମକୁ କହୁଛି ଶୁଣ 

ନାରଦ କହିଲେ ………..!!

       କୃଷ୍ଣ ବେଣୀ ନାମରେ ଏକ ତୀର୍ଥ ଅଛି । ଯେଉଁ ନର କାର୍ତ୍ତିକ ମାସ ଆରମ୍ଭରୁ ଅର୍ଥାତ ରୋହିଣୀ ପ୍ରଥମ ଦିବସର ପ୍ରାତଃ କାଳରେ କୃଷ୍ଣଙ୍କ  ନାମ କୁ ସ୍ମରଣା କରି ସ୍ନାନ କରେ ତାହାର ସକଳ ପାପ ଦୂର ହେବା ସହିତ କାର୍ତ୍ତିକ ବ୍ରତର କୃତ ଫଳ ପାଏ । ସେହି ନର ବୈକୁଣ୍ଠ ପୁର ପ୍ରାପ୍ତି ହୁଏ  । ଏଣୁ କାର୍ତ୍ତିକ ବ୍ରତ କରୁଥିବା ନର ମାନଙ୍କ ପାଇଁ  କୃଷ୍ଣାବେଣୀ ତୀର୍ଥ ଜଳ ରେ ସ୍ନାନ କରିବା ହିଁ ପୁଣ୍ୟ ଅଟେ  । ନାରଦ ଙ୍କ ଠାରୁ କୃଷ୍ଣାବେଣୀ ତୀର୍ଥ କଥା ଶୁଣି ରାଜା ପୃଥୁ ନାରଦଙ୍କୁ ପଚାରିଲେ ହେ ମୁନି କୃଷ୍ଣାବେଣୀ ତୀର୍ଥ କେଉଁଠାରେ ଅଛି  ସେ କେଉଁଠୁ ଉତ୍ତପ୍ତି ହୋଇଛି ? ସେ ପୁଣ୍ୟ ତୀର୍ଥ ବିଷୟରେ ମୋତେ ବିସ୍ତାର କରି କୁହନ୍ତୁ ? ନାରଦ କହିଲେ ହେ ରାଜନ କୃଷ୍ଣାବେଣୀତୀର୍ଥ କଥା କହୁଛି ତାହାକୁ ମନ ଦେଇ ଶୁଣ  ।ନାରଦ କହିଲେ ...................!!

             ସତ୍ୟ ଯୁଗର କଥା  ।ଦିନେ ବ୍ରହ୍ମା ,ଗୋବିନ୍ଦ ଓ ଶଙ୍କର ଭଗବାନ ଙ୍କ ସହିତ ଏକ ଯଜ୍ଞ ଆୟୋଜନ କଲେ ।କର୍ଣ୍ଣେୟ ପର୍ବତ କୁ ସମସ୍ତ ଦେବତା  ଯଜ୍ଞ କରିବାର ପବିତ୍ର ସ୍ଥାନ ବୋଲି ଭାବିଲେ ।ତାହାହିଁ ହେଲା କର୍ଣ୍ଣେୟ ପର୍ବତ ନିକଟରେ ଯଜ୍ଞ ଆରମ୍ଭ ହେଲା  ।ଭୃଗୁ ମୁନି ଙ୍କୁ ଏହି ଯଜ୍ଞରେ ଆଚାର୍ଯ୍ୟ ପଣରେ ବ୍ରହ୍ମା ବରଣ କଲେ ।ବିଷ୍ଣୁ ଭଗବାନଙ୍କୁ ସ୍ମରଣା କରି ଯଜ୍ଞ ସଂକଳ୍ପ କରାଗଲା  ।ସଂକଳ୍ପ ଚାଲିଥାଏ ,ନାରାୟଣ ବ୍ରହ୍ମା ଙ୍କୁ ଚାହିଁ କହିଲେ  ,,,ବେଦବର ତୁମର  ପ୍ରଥମପତ୍ନୀ ସୁରା ଓ ତାଙ୍କ ନନ୍ଦିନୀ ନାମ କ୍ଷୀରା  ଯିଏକି ମୋର ପ୍ରିୟବତୀ ଅଟେ  ।ସେହି କ୍ଷୀରା  ସବୁଗୁଣ ରେ ସରସ୍ୱତୀ ପରି ।ଯେହେତୁ ତାଙ୍କ ମାତା ଆପଣଂକର ପତ୍ନୀ  ଓ ସେ ମଧ୍ୟ ତୁମ ପତ୍ନୀ ମାନଙ୍କ ମଧ୍ୟ ରେ ଜ୍ୟେଷ୍ଠ ତାଙ୍କ ନାମ ମୁଁ ତ ଧରି ଡାକି ପାରିବି ନାହିଁ ? ହେ ବେଦ ବର ତୁମେ ତୁମର ଜ୍ୟେଷ୍ଠ ପତ୍ନୀ ଙ୍କୁ ଏହି ଯଜ୍ଞ ସ୍ଥଳ କୁ ଡାକ? କାରଣ  ତୁମେ ପତି ଓ ପତ୍ନୀ ମିଶି ଯଜ୍ଞ ସଂକଳ୍ପ  ଆରମ୍ଭ କର ।

ଏକା ଅଙ୍ଗରେ ଯଜ୍ଞ ସଂକଳ୍ପ ହୁଏ ନାହିଁ ?ଏଣୁ କ୍ଷୀରା ଙ୍କ ମାତା ଅର୍ଥାତ ଆପଣଂକ ଜ୍ୟେଷ୍ଠ ପତ୍ନୀ ସୁରା ଙ୍କୁ ଡାକି ତୁମେ ଦୁଇଜଣ ଯଜ୍ଞ ସଂକଳ୍ପ କର । ଭୃଗୁମୁନି ନାରାୟଣ ଙ୍କ କଥା ଶୁଣି ଚିନ୍ତାକଲେ ଓ ସମସ୍ତ ଦେବତାଙ୍କ ଉଦ୍ଦେଶ୍ୟ ରେ କହିଲେ ହେ ସଭାଜନ ଏହାର ଶୁଣି ରଖ ବ୍ରହ୍ମା ଙ୍କର ତିନି ପତ୍ନୀ ,ସୁରା , ସାବିତ୍ରୀ , ଗାୟତ୍ରୀ ,।ସୁରା ସାୟଂ କାଳରେ , ସାବିତ୍ରୀ ମଧ୍ୟ କାଳ ଓ ପ୍ରଭାତରେ ଗାୟତ୍ରୀ ଏ ତିନିଜଣ ହେଉଛନ୍ତି ବ୍ରହ୍ମ ଙ୍କ ନାରୀ । ବର୍ତ୍ତମାନ କାଳ କଥା ବିଚାର କରନ୍ତୁ ପ୍ରଥମେ ସନ୍ଧ୍ୟା କାଳକୁ ଭଗବାନ ନାରାୟଣ ଆହ୍ୱାନ କଲେ ଏହି ଯଜ୍ଞପାଇଁ । ଯଜ୍ଞ ଆରମ୍ଭରେ ଗାୟତ୍ରୀ ନାମ ଧରାଯାଏ । ପ୍ରାତଃ କାଳରୁ ଦିନ ଯାଏ ଯିଏ ଗାୟତ୍ରୀ ନାମ ସ୍ମରଣ କରିବ ନିଶ୍ଚିତ ସୁଫଳ ପାଇବ । ମଧ୍ୟ କାଳରେ ସାବିତ୍ର ନାମ ଜପ କରିବା କଥା ।କିନ୍ତୁ …… ଭୃଗୁମୁନି ଙ୍କ ବଚନ ଶୁଣି ସମସ୍ତ ଦେବଗଣ କହିଲେ ଏହା ନିଶ୍ଚିତ କଥା ।ପ୍ରାତଃ କାଳରେ ଯଜ୍ଞ ଆରମ୍ଭ ହେଉଛି ମାନେ ଗାୟତ୍ରୀ ଙ୍କୁ ଆହ୍ୱାନ କରିବା ଉଚିତ ।ସକଳ ଦେବତା ଓ ମୁନିଙ୍କ ସହମତି ରେ ବ୍ରହ୍ମା ,ଗାୟତ୍ରୀ ଙ୍କୁ ହୃଦୟରେ ଚିନ୍ତିଲେ । ଗାୟତ୍ରୀ ନାମ ସ୍ମରଣା କରିବା ମାତ୍ର ଗାୟତ୍ରୀ ସଂଗେ ସଂଗେ ଆସି ଯଜ୍ଞ ସ୍ଥାନରେ ଉପସ୍ଥିତ ହେଲେ ।ବ୍ରହ୍ମାଙ୍କ ଦକ୍ଷିଣ ନିକଟରେ ଠିଆ ହୋଇ ଗାୟତ୍ରୀ ଆନନ୍ଦିତ ହେଲେ ଗାଯାତ୍ରୀଙ୍କୁ ନେଇ ବେଦ ପତି ଯଜ୍ଞର ସଂକଳ୍ପ ରେ ବସିଲେ ।

            ଯେମିତି ଗାୟତ୍ରୀ ଙ୍କୁ ନେଇ ବ୍ରହ୍ମା ଯଜ୍ଞରେ ସଂକଳ୍ପ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଠିକ୍ ଏହି ସମୟରେ ସୁରା ଦେବୀ ମନ ଦୁଃଖରେ ଆସି ଯଜ୍ଞ ସ୍ଥଳରେ ପହଞ୍ଚି ସମସ୍ତ ଦେବଗଣ ଓ ସଭାରେ ଉପସ୍ଥିତ ଥିବା ମୁନି ୠଷି ମାନଙ୍କୁ କହିଲେ  ହେ !ସଭାଗଣ ତୁମେ ସମସ୍ତେ ସବୁ କଥା ଜାଣ ?ମୋ କଥା ଏବେ ତୁମ୍ଭେମାନେ ଶୁଣନ୍ତୁ ? ସୁରା କହିଲେ ,,,,,ଯିଏ ଜଗତ କର୍ତ୍ତା ସେ ମୋତେ ଜ୍ୟେଷ୍ଠ ଭାବେ  ଯଜ୍ଞ ରେ ସଂକଳ୍ପ କରିବାକୁ ଆହ୍ୱାନ କରିଥିଲେ  ।ଏହାହିଁ ଉଚିତ କଥା ଅଟେ ।ଜ୍ୟେଷ୍ଠ ଥାଉ ଥାଉ କନିଷ୍ଠ  କୌଣସି କାର୍ଯ୍ୟ ରେ ଲୋଡ଼ା ଯାଏ ନାହିଁ  ହଁ ,ଯଦି କୌଣସି କାରଣ ରୁ ଜ୍ୟେଷ୍ଠ ଦେହ କିମ୍ବା ବିଶେଷ ଅସୁବିଧା ରେ ସେ ପଡିଥାଏ ତେବେ ତାହାର ପରାମର୍ଶ ନେଇ କନିଷ୍ଠ କର୍ମ ଚଳାଇ ନିଏ ?ମୁଁ  ,ତ ,କାହାକୁ ଅନୁମତି ଦେଇନି କି ମୋ ଦେହ ଅସୁସ୍ଥ ନାହିଁ ତେବେ ଏସବୁ କଅଣ ହେଉଛି ଦେବଗଣ ? ଏହା କଣ ନ୍ୟାୟ ? ଏହା କଣ ଧର୍ମ ? ମୋ ଅଧିକାର କାହିଁକି ଆପଣ ମାନେ ଛଡାଇ ନେଲେ ? ଏବେ ତୁମେ ଅଧର୍ମ କାର୍ଯ୍ୟ କଲ। ଜ୍ୟେଷ୍ଠ ଙ୍କୁ ଯଜ୍ଞରେ ବରଣ ନକରି ତୁମେ ବହୁତ ଅଧର୍ମ କରିଛ । ଅପୂଜ୍ୟ ଜନ କୁ ପୂଜା କରି ତୁମେ ତୁମର ବିବେକ କୁ ବଳି ପକାଇ ଦେଇଛ  ।

  ଅପୂଜ୍ୟ ଜନେ କରି ପୂଜା 
  ବିବେକ ପଣ କଲ ତେଜ୍ୟା ।।

           ସୁରା ପୁନଶ୍ଚ କହିଲେ ଯେଉଁ ଦେଶରେ ବଡ଼ ଥାଉ ଥାଉ ସାନ କୁ ସମ୍ମାନ ଦିଆଯାଏ ସେ ଦେଶରେ ଧର୍ମହାନି ,ଦୁର୍ଭିକ୍ଷ ଓ ମୃତ୍ୟୁ ଏହି ତିନି ଭୟ ଦେଖାଦିଏ  ।ତୁମେ କଣ ଏକଥା ଜାଣିନାହଁ ? ମୁଁ , ତ ,ଭାବିବି ଏଠାରେ ଯେତେ ଲୋକ ଅଛ ସମସ୍ତେ ପ୍ରାୟ ଜଡ ଓ ଅବିବେକି । ମୁଁ ଜ୍ୟେଷ୍ଠ  ବ୍ରହ୍ମାଙ୍କ ଘରଣୀ । ଗାୟତ୍ରୀ ମୋ ସାନ ସଉତୁଣୀ ।ମୋ ସଉତୁଣୀ ଙ୍କ ସହିତ ମୋ ସ୍ୱାମୀ ଙ୍କୁ ଧରି ଯଜ୍ଞ କାମ କେମିତି କଲ ।ଏହା କହି ସୁରା ଖୁବ ଯୋରରେ ରାଗିଗଲେ ଓ ଦେବତା ମାନଙ୍କ ସହିତ ବ୍ରହ୍ମାଙ୍କୁ ଅଭିଶାପ ଦେଇ କହିଲେ  ତୁମେ ମାନେ ସମସ୍ତେ  ଏବେ ଅଚେତ ହୋଇଯାଅ କାହାର ଚେତା ଫେରି ନ ଆସୁ ତୁମେ ମାନେ ନଦୀ ହୋଇ ଏହିଠାରୁ ଅଷ୍ଟ ଦିଗକୁ ବୋହିଯାଅ ସୁରାଙ୍କ ଅଭିଶାପ  ଦେଖି ଗାୟତ୍ରୀ ଆଉ ସ୍ଥିର ହୋଇ ରହି ପାରିଲେ ନାହିଁ  ଅତି କ୍ରୋଧରେ ଗାୟତ୍ରୀ କହିଲେ  ହାଇଲୋ ସୁରା ତୋହର ଗେରସ୍ତ ମୋତେ ସ୍ମରଣା କରି ଏଠାକୁ ଆଣିଲା । ମୁଁ ତ ଏ ବିଷୟରେ କିଛି ଜାଣି ନଥିଲି  କାହିଁକି ରାଗି ତୁ ସମସ୍ତ ଙ୍କୁ ଏଭଳି ଅଭିଶାପ ଦେଲୁ  ଯଦି ଏ ସଂସାର ରେ ଧର୍ମ ଅଛି ?ପୁରାଣ ଅଛି  ସୂର୍ଯ୍ୟ ,ଚନ୍ଦ୍ର ଅଛନ୍ତି ତେବେ ମୁଁ ତୋତେ ଅଭିଶାପ ଦେଉଛି  ତୁ ବି ଏହିଠାରୁ ଏମାନଙ୍କ ସହିତ ନଦୀ ହୋଇ ବୋହିଯା । ଏହାପରେ ସୁରା ଙ୍କ ଅଭିଶାପ ଓ ଗାୟତ୍ରୀ ଙ୍କ ଅଭିଶାପ ଫଳରେ ସମସ୍ତେ ସଂଗେ ସଂଗେ ନଦୀ ହୋଇ ବୋହିଗଲେ । ପର୍ବତ ରେ ରହି ନପାରି  ଅଷ୍ଟ ଦିଗକୁ ନଦୀ ହୋଇ ବୋହିଗଲେ ।ନାରଦ କହିଲେ ହେ ରାଜନ ! ସେହି ନଦୀ ମାନଙ୍କର ନାମ ଏବେ ଶୁଣ । ହରିଓ ହର ଏକ ହୋଇ ଥିବାରୁ କୃଷ୍ଣ ବେଣୀ ନଦୀ ହେଲେ । ସମୁଦ୍ରର ପଶ୍ଚିମ ଦିଗକୁ ବ୍ରହ୍ମା ଗଲେ । ସେ ହେଲେ କୁମୁଦିନି ନଦୀ । ପୂର୍ବ ଦିଗକୁ ଦୁଇ ଜଣ ନାରୀ ସୁରା ଓ ଗାୟତ୍ରୀ ଗଲେ । ସେଠାରୁ ଭାଗ ହୋଇ ଉତ୍ତର ଦିଗକୁ ସୁରା ଗଲେ ଓ ସରସ୍ୱତୀ ନଦୀ ହେଲେ । ଦକ୍ଷିଣ ଦିଗକୁ ଗାୟତ୍ରୀ ଗଲେ ସେ ହେଲେ ଗୋମତି ନଦୀ । ଆଉ  ଯେତକ ଦେବତା ରହିଲେ ଜଣେ ଜଣେ ନଦୀ ହୋଇ ବୋହିଗଲେ ।ସମସ୍ତେ ଜଳ ରୂପ ଧରି ରହିଲେ ।ସହସ୍ର ସଂଖ୍ୟକ ନଦୀ  ହୋଇଗଲା। କୃଷ୍ଣାବେଣୀ ତୀର୍ଥ ସବୁଠାରୁ ଖ୍ୟାତ ହେଲା ।ସେ ତୀର୍ଥରେ ଯିଏ ସ୍ନାନ କରିବ  କୋଟିଏ ଦାନ ଫଳ ପାଇବ ଏକଥା ଭଗବାନ ଙ୍କ ଶ୍ରୀମୁଖ ର କଥା ଓ ଏହାହିଁ ସତ୍ୟ ।କାର୍ତ୍ତିକ ମାସରେ ପ୍ରାତଃ ସ୍ନାନ କଲେ କାର୍ତ୍ତିକ ଧର୍ମ ନିଶ୍ଚିତ ପାଇବ ଏକଥା ମଧ୍ୟ ସତ୍ୟ । ଆଉ ଯେତେ ତୀର୍ଥ ଅଛି କୃଷ୍ଣାବେଣୀ ତୀର୍ଥ ଫଳ କେହି ଦେଇ ପାରିବେନି ।ଏକଥା ପଦ୍ମ ପୁରାଣ ଉତ୍ତର ଖଣ୍ଡରେ କାର୍ତ୍ତିକ ମାହାତ୍ମ୍ୟ କୃଷ୍ଣାବେଣୀ ଚରିତ ରେ କୁହାଯାଇଛି । ରାଜା ପୃଥୁ କୃଷ୍ଣାବେଣୀ ତୀର୍ଥ କଥା ନାରଦଙ୍କ ଠାରୁ ଶୁଣି କୃତ କୃତ ହେଲେ ଓ ନାରଦଙ୍କୁ ପ୍ରାଣାମ ଜଣାଇଲେ ।

କ୍ରମଶଃ …………………..
Writer – Dusmanta Kumar mishra

Leave a Comment

Your email address will not be published. Required fields are marked *