କାର୍ତ୍ତିକ_ମାହାତ୍ମ୍ୟ (ଭାଗ -୪)
ଲେଖକ : ଦୁଷ୍ମନ୍ତ କୁମାର ମିଶ୍ର
ରଥାରୂଢୋ ଗଚ୍ଛନ୍ ପଥି ମିଳିତ ଭୂଦେବ ପଟଳୈଃ
ସ୍ତୁତି ପ୍ରାଦୁର୍ଭାବଂ ପ୍ରତିପଦଂ ଉପାକର୍ଣ୍ଣ୍ୟ ସଦୟଃ
ଦୟା ସିନ୍ଧୁର୍ ବନ୍ଧୁଃ ସକଳ ଜଗତାଂ ସିନ୍ଧୁସୁତୟା
ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ।
ରାଜା ପୃଥୁ ନାରଦ ମୁନି ଙ୍କୁ ପ୍ରଣିପାତ କଲେ ଓ କହିଲେ ଭୋ ମୁନି କାର୍ତ୍ତିକ ବ୍ରତ ବିଧି କଥା ବିଷୟରେ ମୁଁ ଧାରଣା ପାଇଗଲି ଏବେ ମୋତେ କୁହନ୍ତୁ କାର୍ତ୍ତିକ ବ୍ରତ ପାଳନ କଲେ କେଉଁ କେଉଁ ଦ୍ରବ୍ୟ ଛାଡିବାକୁ ପଡିବ ? ନାରଦ ମୁନି କହିଲେ ହେ ରାଜନ ଯାହା ମୁଁ ଭଗବାନ ଶ୍ରୀକୃଷ୍ଣ ତାଙ୍କ ପତ୍ନୀ ସତ୍ୟାଙ୍କୁ କହୁଥିବାର ଶୁଣିଛି ତାହା ତୁମ ନିକଟରେ କହୁଛି ଶୁଣ ?ନାରଦ ମୁନି କହିଲେ ..........!
ବ୍ରହ୍ମାଙ୍କ କୁମାର କହିଲେ ହେ ରାଜନ କାର୍ତ୍ତିକ ବ୍ରତ ପାଳନ କରୁ ଥିବା ଜନ ହବିଷ୍ୟ ଅନ୍ନ ନିଶ୍ଚିତ ଭୋଜନ କରିବ। ଏହି ହବିଷ୍ୟ ଅନ୍ନ ସହିତ ପବିତ୍ର ମାସ କାର୍ତ୍ତିକରେ ମହୁ ,ମାଂସ ,ଓ ଅନ୍ୟାନ୍ୟ ଆମିଷ , କୋଳଥ , ମସୁର , ବାଇଗଣ , ଅନ୍ୟ କଣ୍ଟା ଜାତୀୟ ପରିବା , ପାଣି କଖାରୁ ,ମଧୁରାଳ ,ଅଗସ୍ତି ଶାଗ , କୃଷ୍ଣବର୍ଣ୍ଣ ଜାତୀୟ ଫଳ ଓ ପରିବା ବ୍ରତ କରୁଥିବା ଲୋକ ଭକ୍ଷଣ କରିବେ ନାହିଁ । ଲେମ୍ବୁ , କମଳା , ଜାମ୍ବଳ , ମୂଳା , କାକୁଡି , ଆଦି ଖାଇବା ପାଇଁ ନିଷେଧ କରାଯାଇଛି । କାର୍ତ୍ତିକ ବ୍ରତୀ ମାନେ ଏହି ମାସ ସାରା ଦେହ , ମୁଣ୍ଡରେ ତେଲ ଲଗାଇବେ ନାହିଁ । ଛେଳି ମଇଁଷି କ୍ଷୀର ଖାଇବେ ନାହିଁ ।
ଅଜା ମଇଁଷି ବେନି କ୍ଷୀର
କାର୍ତ୍ତିକେ ନକର ଆହାର ।
ତାମ୍ବୁଳ ଓ ମୁଖବାସ କାର୍ତ୍ତିକ ବ୍ରତ ଧାରୀ ମାନେ ଗ୍ରହଣ କରିବେ ନାହିଁ ନିନ୍ଦିତ ଦ୍ରବ୍ୟ ଓ ଉଛିଷ୍ଟ ଅଧା ସିଜା ଦ୍ରବ୍ୟ ମଧ୍ୟ ବାରଣ ଅଟେ । ବିଷ ପ୍ରୟୋଗ କରାଯାଇଥିବା ଦ୍ରବ୍ୟ ବର୍ଜନକରିବା ଉଚିତ । କୁସଙ୍ଗ ସହିତ ଏହି ମାସରେ ମିଶିଵ ନାହିଁ କି ହସ , କୌତୁକ ହେବ ନାହିଁ । କଳହ ,ହିଂସା ,କ୍ରୋଧ ,ମନ ଭିତରେ ଆଣିବ ନାହିଁ । କାର୍ତ୍ତିକ ବ୍ରତ ଧାରୀ ମାନେ ଏହି ମାସରେ ମିଛ ବଚନ କହିବେ ନାହିଁ କି କାହାକୁ ନିନ୍ଦା କରିବେ ନାହିଁ । ଚଣ୍ଡାଳ ବଚନ ପାଟିରୁ ବାହାରିବା ଅନୁଚିତ । ପୁନଶ୍ଚ ଏହି ମାସରେ ସ୍ତ୍ରୀ ସଂସର୍ଗ କରିବ ନାହିଁ ।
ଚଣ୍ଡାଳ କଥା ନକହିବ
ସ୍ତିରୀ ସଂସର୍ଗ ନ କରିବ ।
ଏହାପରେ ନାରଦ ମୁନି ପୁନଶ୍ଚ କହିଲେ ନିଜ ଶୋଇବା ବିଛଣା ରେ ଆଉ କାହା କୁ ଶୁଆଇ ଦେବନାହିଁ ଅର୍ଥାତ କାହା ସହିତ ସାଙ୍ଗ ହୋଇ ଶୋଇବ ନାହିଁ କୂଟ , କପଟ , ନାଟ ଇତ୍ୟାଦି ଦେଖିବା ଅନୁଚିତ । କାର୍ତ୍ତିକ ବ୍ରତଧାରୀ ମାନେ ଏହି ମାସେ ବୃକ୍ଷ କୁ ଚଢ଼ିବା କୁ ବାରଣ କରାଯାଇଛି । ଅଥଳ ଜଳରେ ପହଁରିବ ନାହିଁ । ଖେଳିବା କୁ ମଧ୍ୟ ବାରଣ ଅଛି । ଆତ୍ମା କୁ ପୀଡା ଯେପରି ନଲାଗେ ସେହିପରି ଆଚରଣ କରିବ । କାର୍ତ୍ତିକ ବ୍ରତ ଧାରୀ ମାନେ ଏହି ମାସରେ କାହାରି ଘରକୁ ବୁଲିବାକୁ ଯିବା ମନା ସହିତ ପରପାକ ରେ ଭୋଜନ କରିବାକୁ ବାରଣ କରାଯାଇଛି । ହବିଷ୍ୟ ଅନ୍ନ ପାଇଁ କୃଷ୍ଣ ବର୍ଣ୍ଣ ର ଧାନ କୁ ବର୍ଚ୍ଚିତ କରିବ , ଅର୍ଥାତ ଧଳା ରଙ୍ଗର ଧାନର ଚାଉଳରେ ହବିଷ୍ୟ ଅନ୍ନ କରି ଭୋଜନ କରିବ । ଶରଦ ଅନ୍ତେ ଯେଉଁ ଧାନ ପାଚିଥିବ ସେହିଶୁକ୍ଳ ରଙ୍ଗର ଧାନରୁ ଚାଉଳ ବାହାର କରି ଶୁଦ୍ଧ ପାତ୍ର ରେ ରନ୍ଧନ କରିବ । ସେହି ଅନ୍ନ କୁ କଦଳୀ ପତ୍ର ବ୍ୟତୀତ ଅନ୍ୟ କୌଣସି ପତ୍ରରେ ଖାଇବ ନାହିଁ ।
ଦେବର୍ଷି ନାରଦ ଏହାପରେ କାର୍ତ୍ତିକ ବ୍ରତଧାରୀ ମାନଙ୍କ ପାଇଁ କେଉଁ ପ୍ରକାର ର ବ୍ୟଞ୍ଜନ କରିବ ତାହା ରାଜା ପୃଥୁଙ୍କ ନିକଟ ରେ ପ୍ରକାଶ କଲେ । ଅଗ୍ନିରେ ପାକ ହୋଇଥିବା ଲୁଣ କୁ ବାରଣ କରାଯାଇଛି । କେବଳ ଖରାରେ ମରା ଯାଇଥିବା ଲୁଣ ହବିଷ୍ୟ ବ୍ୟଞ୍ଜନ ରେ ବ୍ୟବହାର କରାଯିବ । ଗଉଡ଼ ଘର ଖୀର , ଘିଅ ଓ ଲବଣୀ ବ୍ୟତୀତ ଅନ୍ୟ ଘରୁ ଆସିଥିବା କ୍ଷୀର କାର୍ତ୍ତିକ ବ୍ରତଧାରୀ ମାନଙ୍କ ପାଇଁ ଖାଇବା ମନା । ବ୍ରାହ୍ମଣ ଘରୁ ଓ ମନ୍ଦିର ରୁ ଅଣା ଯାଇଥିବା ଘିଅ ଖୀର ଖାଇବା ମନା । ଗଉଡ଼ ଘରୁ ଅଣା ଯାଇଥିବା କ୍ଷୀର କୁ ଯଦି ମଦ୍ୟପ ଛୁଇଁ ଦିଏ ତେବେ ତାକୁ ମଧ୍ୟ ଖାଇବା ପାଇଁ ବାରଣ କରାଯାଇଛି । ମୂଳ ଦ୍ରବ୍ୟ ଭିତରେ କେବଳ ସାରୁ ଓ ଫଳ ଭିତରେ କଞ୍ଚା କଦଳୀ ହବିଷ୍ୟ ବ୍ୟଞ୍ଜନ ପାଇଁ ଉପଯୁକ୍ତ। ମୁଗ ଡାଲି ବ୍ୟତୀତ ଅନ୍ୟ ଡାଲିରେ ରେ ବ୍ୟଞ୍ଜନ ନିଷେଧ ।ଶାଳ , ପଣସ , କଦଳୀ ପତ୍ର ଓ ପଳାଶ ପତ୍ର ରେ କାର୍ତ୍ତିକ ବ୍ରତଧାରୀ ମାନେ ଭୋଜନ କରିବେ । କାର୍ତ୍ତିକ ବ୍ରତଧାରୀ ମାନେ ତୁଳସୀ ମୂଳରେ ମୁରୁଜ ପକାଇ ସାରିଲା ପରେ ଯେଉଁ ବସ୍ତ୍ର ପିନ୍ଧିଥିବେ ତାକୁ ବଦଳେଇ ଦେଇ ଆଉ ଗୋଟିଏ ବସ୍ତ୍ର ପିନ୍ଧି ରୋଷେଇ କରିବେ । ଯଦି କେହି ବ୍ରତ ଧାରୀ ରୋଗ ଗ୍ରସ୍ତ ଥାଆନ୍ତି ତାହାଲେ ତାଙ୍କର ବୋହୁ ମାନେ ତାଙ୍କୁ ଏହି ରୋଷେଇ କାର୍ଯ୍ୟ ରେ ସାହାଯ୍ୟ କରିବା ପାଇଁ ଅନୁମତି ଦିଆ ଯାଇଛି। ରୋଷେଇ କରି ସାରିଲା ପରେ ସେହି ଅନ୍ନ ଓ ବ୍ୟଞ୍ଜନ କୁ ଜନାର୍ଦ୍ଦନ ଙ୍କ ନାମରେ ପାଣି ଛଡ଼ାଇବେ ଓ ସମର୍ପଣ କରିବେ । ଦୁଇଟି ପତ୍ର ପଡିବ । ଗୋଟିଏ ବଡ଼ ପତ୍ର ଓ ଗୋଟିଏ ଛୋଟପତ୍ର । ସୂର୍ଯ୍ୟ ଅସ୍ତ ହୋଇ ପୂର୍ବରୁ ଗୋଟିଏ ଥର ଭୋଜନ କରିବ ଭୋଜନ କରିବା ବେଳେ ଅଶାନ୍ତି ହୋଇ ଖାଇବେ ନାହିଁ । ଭୋଜନ ସମୟେ କାହା ସହିତ କଥା ହେବେ ନାହିଁ ,କାହାରି ଛାଇ ପଡିବନି । କାହାରି ଡାକ ଶୁଣିବେନି ।
ଭୋଜନ କରି ସାରିବା ପରେ ଯେଉଁ ବସ୍ତ୍ର ପିନ୍ଧିଥିବ ସେ ବସ୍ତ୍ର କୁ ବଦଳାଇ ଦେଇ ତୁଳସୀ ମୂଳେ ଜାଗର ଅର୍ଥାତ ଦୀପ ପ୍ରଦାନ କରିବେ । ବିଷ୍ଣୁ ଭଗବାନ ଙ୍କୁ ନମସ୍କାର କରି ପୁନଶ୍ଚ ଲୁଗାକୁ ବଦଳାଇ ଦେବେ । ଯଦି ସକାଳେ କାର୍ତ୍ତିକ ମାହାତ୍ମ୍ୟ ପୁରାଣ ବ୍ରତଧାରୀ ମାନେ ନପଢିଥିବେ ତେବେ ସନ୍ଧ୍ୟା ସମୟରେ କାର୍ତ୍ତିକ ମାହାତ୍ମ୍ୟ ପାଠ କରିବେ । କାର୍ତ୍ତିକ ମାସରେ ଦୀପ ଦାନ କଲେ ,କି ସୁଫଳ ମିଳେ ତାହା ତୁମେ ଶୁଣ ରାଜା ପୃଥୁ ନାରଦ କହିଲେ କାର୍ତ୍ତିକ ରେ ଦୀପ ଦାନ କଲେ ରାଜସୁୟ ଯଜ୍ଞ କଲେ ଯେତିକି ଫଳ ମିଳେ କାର୍ତ୍ତିକ କରେ ଦୀପ ଦାନ କଲେ ସେତିକି ଫଳ ମିଳେ । ଏହାପରେ ଯେଉଁ ଜନ କାର୍ତ୍ତିକ ବ୍ରତ କରିଥିବେ ଅର୍ଥାତ ସଂକଳ୍ପ କରି ଏହା ଆରମ୍ଭ କରିଥିବେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଉଦଯାପନ୍ କରିବେ । ସଂକଳ୍ପ ଫିଟାଇବା ଦିନ ବିପ୍ର ଙ୍କୁ ଦାନ ଦକ୍ଷିଣା ପ୍ରଦାନ କରିବ । ଯେଉଁ ବିପ୍ର ଙ୍କୁ ଦାନ ଦେବେ ତାଙ୍କ ପତ୍ନୀ ପାଇଁ ତିନୋଟି ଶାଢ଼ୀ ତାହା ସହିତ ଦେବେ । ଏହା ସହିତ ଗୁରୁ ଙ୍କୁ ଭୋଜନ ଦେବ ।
ତିଳ କାଞ୍ଚନ ଗୋରୁ ଦାନ
ବିପ୍ରଙ୍କୁ କରି ନିବେଦନ
ତାଙ୍କ ପତ୍ନୀଙ୍କୁ ତିନିଶାଢ଼ୀ
ଦେଇ କହିବ ହାତଯୋଡ଼ି ।
ଏହାପରେ କାର୍ତ୍ତିକ ମାସରେ ଯାହା ଛାଡିଥିବ ତାପର ଦିନ ଅର୍ଥାତ ଛାଡ଼ଖାଇ ରେ ତାହା ଖାଇବ । ତାମାନେ ନୁହେଁ ଯେ ବ୍ରତ ଧାରୀ ମାନେ ସେହି ଦିନ ଆଇଁସ ଖାଇବେ । ଆମେ ସାଧାରଣତଃ ଦୈନ ଦିନ ଜୀବନରେ ଯାହା ଚଳିବା ପାଇଁ ବାରଣ କରା ଯାଇଥିଲା ତାହା ଏହି ଛାଡ଼ଖାଇ ରେ ଖାଇବା ।
କାର୍ତ୍ତିକ ବ୍ରତ କଲେ କି ସୁଫଳ ମିଳେ ତାହା ତୁମେ ଶୁଣ ରାଜନ ଏକଥା ନାରଦ ପୃଥୁ ଙ୍କୁ କହିଲେ । ଗଙ୍ଗା , ଯମୁନା , ସରସ୍ୱତୀ , ମଣି , କାର୍ଣ୍ଣିକା , ନର୍ମଦା , ଗୋଦାବରୀ ସିନ୍ଧୁ , ବୈତରଣୀ ,ଗୋମତି ନଦୀକୁ ଦର୍ଶନ କଲେ ଓ ସ୍ନାନ କଲେ ଯେତିକି ପୁଣ୍ୟ ମିଳେ , କାର୍ତ୍ତିକ ବ୍ରତ କଲେ ସେତିକି ପୁଣ୍ୟ ମିଳେ । ଯେତେ ତିଳ କାଞ୍ଚନ ଦାନ ଦେଲେ ଯେତିକି ଫଳ ମିଳେ ଏହି ବ୍ରତ କଲେ ସେତିକି ଫଳ ମିଳିଥାଏ । କାର୍ତ୍ତିକ ବ୍ରତ ସଂକଳ୍ପ ଦିନ ସବୁ ପାପ ଦୂର ହୋଇଯାଏ ଓ ଉଦ୍ ଯାପନ ଦିନ ଲକ୍ଷେ ଗୁଣରେ ଫଳ ମିଳିଥାଏ । ତୁଳସୀ ଆରାଧନା ର ମାସ ଏହି କାର୍ତ୍ତିକ । ନାରଦ ମୁନି କହିଲେ ହେ ରାଜନ ଏହାହିଁ କାର୍ତ୍ତିକ ବ୍ରତବିଧି ।ବ୍ରାହ୍ମଣ , ଆଦି ଚାରିବର୍ଣ୍ଣ , ସ୍ତ୍ରୀ ,ପୁରୁଷ ସମସ୍ତେ ଏହି ବ୍ରତ କରି ପାରିବେ । ବିନା କାର୍ତ୍ତିକ ବ୍ରତ ରେ କେହି ସୁଦ୍ଧି ହୋଇ ପାରିବେ ନାହିଁ ।ଏହା ନିଜେ ଭଗବାନ ବିଷ୍ଣୁ ନିଜ ମୁଖରେ କହିଛନ୍ତି । ନାରଦଙ୍କ ଠାରୁ ରାଜା ପୃଥୁ ସମସ୍ତ ବୃତ୍ତାନ୍ତ ଶୁଣି କୃତ କୃତ ହେଲେ ଓ ନାରଦ ମୁନିଙ୍କୁ ପ୍ରଣିପାତ କଲେ ।
କ୍ରମଶଃ …………………..
Writer – Dusmanta kumar mishra

