କାର୍ତ୍ତିକ_ମାହାତ୍ମ୍ୟ (ଅଧ୍ୟାୟ- 21 )
ଦେବର୍ଷି ନାରଦ ଙ୍କ ଠାରୁକାର୍ତ୍ତିକ ମାହାତ୍ମ୍ୟ ଶୁଣି ରାଜା ପୃଥୁ କହିଲେ ହେ ମୁନି ଆପଣ ମୋତେ ଧର୍ମ କଥା କହୁଥିବାରୁ ତାହା ଶୁଣି କର୍ଣ୍ଣ ମୋହର ପବିତ୍ର ହୋଇଗଲା । ମୁଁ ସନ୍ତୋଷ ଲାଭ କରିଛି । ନାରଦ ଙ୍କ ବାକ୍ୟ ଶୁଣି ସଂସାରରେ ଧର୍ମ ଉଦୟ ହେଲା । ଜଣ ଜଣ କରି ନାରଦ ଙ୍କ ଠାରୁ ଜ୍ଞାନ ପାଇବା ପରେ ମୁନି ମାନେ ବ୍ରହ୍ମ ଲୋକ କୁ ଚାଲିଗଲେ । ନାରଦ ମୁନିଙ୍କ ଅମୃତ ବଚନ ସଂସାରରେ ବିଖ୍ୟାତ ହେଲା ।ଯେଉଁ ଜନ ଶ୍ରଦ୍ଧା ରେ ଏହି କାର୍ତ୍ତିକ ମାହାତ୍ମ୍ୟ କଥା ପଚାରେ ସେହି ଜନ ମୁକ୍ତି ପଥ ପାଏ ।
ଭଗବାନ ଶ୍ରୀକୃଷ୍ଣ ଙ୍କ ମୁଖରୁ ଏପରି କଥା ଶୁଣି ପତ୍ନୀ ସତ୍ୟଭାମା କହିଲେ ହେ ପ୍ରଭୁ କରୁଣା ସାଗର !ମୋ ମନରୁ ସଂଶୟ ଦୂର କରନ୍ତୁ ? ଭଗବାନ ଶ୍ରୀକୃଷ୍ଣ କହିଲେ କୁହ ସତ୍ୟା ତୁମ ମନରେ କଣ ସଂଶୟ ଅଛି ?ସତ୍ୟା କହିଲେ ପ୍ରଭୁ ! କଳହା ନାମରେ ଯେଉଁ ନାରୀ ସ୍ୱାମୀ ସହିତ ଦ୍ରୋହ ଅର୍ଥାତ ପାପ କରି ବନରେ ପିଶାଚୀ ହୋଇ ବୁଲୁଥିଲା , ବ୍ରାହ୍ମଣ ଧର୍ମଦତ୍ତ ତାକୁ ଧର୍ମ ଦେଲା ସେହି ଧର୍ମ ବଳରେ ମୁକ୍ତି ପାଇଲା । ଏବେ ମୋତେ କୁହନ୍ତୁ ଯେଉଁ ନାରୀ ମୂର୍ଖ ପଣ କରି ସ୍ବାମୀ ଚରଣ ସେବା ନକରେ ,ସ୍ୱାମୀର ଉତ୍ତମ କଥା ନଶୁଣେ ,ଧର୍ମ କଣ ସେ ଯଦି ନ ଜାଣେ ଏମନ୍ତ କର୍ମ ଯେଉଁ ସ୍ତ୍ରୀ ର ଥାଏ ଓ ସେହି ସ୍ତ୍ରୀ କୁ କେହି ଧର୍ମ ଦାନ ନକରନ୍ତି ତାହାର ଅବସ୍ଥା କଣ ହେବ ? ସେହି ସ୍ତ୍ରୀର ଗତି କୁଆଡେ ପ୍ରଭୁ ?
ସତ୍ୟାଙ୍କ କଥା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ ହେ ପ୍ରିୟା !ସଂସାରକୁ ବିଧାତା ଭିଆଣ କରିଛି ।ସଂସାରରେ ଜ୍ଞାନୀ ଓ ଅଜ୍ଞାନୀ ଅଛନ୍ତି ।ସମସ୍ତଙ୍କ ପାପ ଓ ପୁଣ୍ୟ ର ଫଳ କୁ ଦିନ କୁ ଦିନ ହିସାବ କରି ରଖାଯାଏ ।ବିଧାତ ଏହାକୁ ଏକତ୍ରିତ କରି ରଖେ ।ଯିଏ ଯେଉଁ କର୍ମ କରେ ତାହାର ଫଳ ସେହିଁ ବିଚାର କରେ । ଭଗବାନ ଶ୍ରୀକୃଷ୍ଣ ,ସତ୍ୟଭାମା ଙ୍କୁ କହୁଛନ୍ତି ସଂସାର ରେ ଚାରି ଧର୍ମ ସବୁଠାରୁ ଶ୍ରେଷ୍ଠ ଓ ଏହି ଚାରି ଧର୍ମ ମୋର ସବୁଠାରୁ ପ୍ରିୟ । ସେ ଧର୍ମ ଭିତ୍ତରେ ହେଲା ,ବୃକ୍ଷ ଭିତରେ ତୁଳସୀ ,ତିଥି ଭିତରେ ଏକାଦଶୀ ,କ୍ଷେତ୍ର ଭିତରେ ଦ୍ଵାରିକା ,ମାସ ଭିତରେ କାର୍ତ୍ତିକ ।କାର୍ତ୍ତିକବ୍ରତ ସଂକଳ୍ପ କରି ଯିଏ ମୋତେ ସେବେ ଅର୍ଥାତ ସ୍ମରଣ କରେ ତାହାର ସମସ୍ତ ଦୁର୍ଗତି ଦୂର ହୋଇଯାଏ ଓ ସେ ଜଣ ଅନ୍ତ ସମୟରେ ମୋତେ ପାଇ ଥାଏ । ତାହା ସହିତ ଯେଉଁ ଜନ ଥାଏ ତାହା ଅଙ୍ଗରୁ ପାପ ଦୂର ହୋଇଯାଏ । ସେହି ଜନ ମଧ୍ୟ ମୋକ୍ଷ ଗତି ଲାଭ କରେ ।
ଭଗବାନ ଶ୍ରୀକୃଷ୍ଣ ସତ୍ୟଭାମା ଙ୍କୁ କହୁଛନ୍ତି ଯିଏ ଦଣ୍ଡଧାରୀ ଅର୍ଥାତ ରାଜା ,ଗ୍ରାମର ମୁଖିଆ ଅର୍ଥାତ ଗ୍ରାମ ଅଧିକାରୀ ଯେଉଁ ପ୍ରାଣୀ କୁଳର ନାୟକ ଏହି ତିନି ଜଣ ଙ୍କ ମଧ୍ୟରେ ଯେତେ ଲୋକ ରୁହନ୍ତି ଓ ସେମାନେ ଯେତେ ପାପ ପୁଣ୍ୟ ଅର୍ଜନ କରନ୍ତି ତାହା ଛଅ ଭାଗ ହୋଇଯାଏ । କର୍ତ୍ତା ପାଞ୍ଚ ଭାଗ ଭୋଗ କରେ ଅଧିକାରୀ ଗୋଟିଏ ଭାଗ ଭୋଗ କରେ । ଭଗବାନ ଶ୍ରୀକୃଷ୍ଣ ସତ୍ୟାଙ୍କୁ କହୁଛନ୍ତି ଭୋଜନ ବାଢିବା ସମୟରେ ଯିଏ ପର ଓ ନିଜ ର ଭେଦଭାବ ରଖେ , ଆପଣା ଲୋକକୁ ସେହ୍ନରେ ବେଶୀ ଓ ପର ଲୋକକୁ କମ ଭୋଜନ ପ୍ରଦାନ କରେ ତାହାଠାରେ ତିନି ଭାଗ ପାପ ଲାଗେ । ପୁନଶ୍ଚ ଭଗବାନ ଶ୍ରୀକୃଷ୍ଣ ସତ୍ୟାଙ୍କୁ କହୁଛନ୍ତି ଯେଉଁ ଜନ ପର ନିନ୍ଦା କରେ ,ଖରାପ ଭାଷାରେ ଗାଳି ଦିଏ ସେ ମଧ୍ୟ ତିନି ଭାଗ ପାପ ଗ୍ରହଣ କରେ ତାହାରି କଥା ଯିଏ ଶୁଣୁଥାଏ ତାଠାରେ ଚାରି ଭାଗ ପାପ ଲାଗେ । ଯେଉଁ ଲୋକ ସୁନା ଚୋରି କରେ , ଗୁରୁଙ୍କୁ ନିନ୍ଦା କରେ ,ବ୍ରାହ୍ମଣ ଲୋକଙ୍କୁ ନିନ୍ଦା କରେ ,ପାପ କଥା ସବୁବେଳେ ତୁଣ୍ଡରେ ଧରେ ଏହି ଚାରିଜଣ ଙ୍କୁ ଚାରି ଭାଗ ପାପ ଲାଗେ । ଯେଉଁଜନ ପରଦ୍ରବ୍ୟ ହରେ ,ଯେଉଁ ଜନ ଚୋରି କରେ , ଚୋରି ଧନରେ ଧର୍ମ କରେ ,ଅଧର୍ମ କରି ଧନ ରୋଜଗାର କରେ ଏମାନଙ୍କୁ ତିନି ଭାଗ ପାପ ଲାଗେ ଗୃହିଣୀ ,ପୁତ୍ର ,ଶିଷ୍ୟ ,ଭୃତ୍ୟ ଏହି ଚାରି ଜଣଙ୍କୁ ଗୃହକର୍ତ୍ତା ଯଦି ଉପଯୁକ୍ତ ସ୍ନେହ ଶ୍ରଦ୍ଧା ନକରେ ଦୁଇ ଭାଗ ପାପ ଅର୍ଜନ କରେ । ଗୃହସ୍ଥ ଧର୍ମ ଠିକ୍ ଭାବେ ଯେଉଁଜନ ପାଳନ ନ କରେ ତେବେ ଏକ ଭାଗ ପାପ ରଅଂଶୀଦାର ହୁଏ ।
ଯେଉଁଜନ ଋଣ କରି ସୁଝି ନପାରି ମରିଯାଏ ସେ ଯେତେ ଧର୍ମ ଅର୍ଜନ କରିଥାଏ ,ସାଧୁ ହୋଇଥିଲେ ମଧ୍ୟ ଯମ ପୁରରେ ନର୍କ ଭୋଗ କରେ । ଯେଉଁଜନ ଭଗବାନ ଙ୍କ ନାମରେ ଅର୍ଥ ରୋଜଗାର କରି ଗୃହ କାର୍ଯ୍ୟ ରେ ଲଗାଇ ଅର୍ଥାତ ଘର ଚଳାଏ ତାକୁ ଦଶ ଭାଗ ପାପ ଲାଗେ । ଯେଉଁ ସ୍ତ୍ରୀ ସର୍ବଦା ଘରେ ଅଯଥାରେ ପାଟି ତୁଣ୍ଡ କରେ ,କିଛି କଥା ନଥାଇ ରାଉ ରାଉ ହେଉଥାଏ ,ବିଳମ୍ବ ରେ ବିଛଣା ଛାଡେ ସ୍ୱାମୀର ଧନ କୁ ବର୍ବାଦ କରେ ,ନିଜ ପିତା ଓ ଭାଇ ଭଉଣୀ ଙ୍କୁ ସ୍ୱାମୀ ଠାରୁ ଧନ ଲୁଚାଇ ସେମାନଙ୍କୁ ଦିଏ ସେହି ନାରୀ ନର୍କ ଭୋଗିବା ସହିତ ଦଶ ଭାଗ ପାପରେ ଭାଗୀ ହୁଏ । ଯେଉଁ ଜନ ,ବାଳକ ମୁଖରୁ ଆହାର ଛଡାଇ ଆଣିଥାଏ , ଛୁଆ ଖାଦ୍ୟକୁ ଲୁଚାଇ ନିଜେ ଖାଇଦିଏ ସେ ଜନ ଦୁଇ ଭାଗ ପାପ ଅର୍ଜନ କରେ ଯେଉଁ ଜନ ଅମାବାସ୍ୟା , ସଂକ୍ରାନ୍ତି , ଗୁରୁବାର , ପୂର୍ଣ୍ଣମୀ ,ଓ ଦେବ ପୂଜନ ଦିନ ମାନଙ୍କରେ ଆମିଷ ଭକ୍ଷଣ କରେ ଓ ନାରୀ ସୁଖ ଭୋଗ କରେ ତେବେ ଉଭୟ ପୁରୁଷ ଓ ନାରୀ ଙ୍କ ଠାରେ ଦଶ ଭାଗ ପାପ ଲାଗିଥାଏ ଯେଉଁଜନ ବଡ଼ ଲୋକଙ୍କ ସହିତ ଯୁକ୍ତି କରେ ,ଗାଳି କରେ ତାଙ୍କ ଭୁଲ୍ କୁ ବାରମ୍ବାର କହୁଥାଏ ,ସେ ଏକ ଭାଗ ପାପ ଅର୍ଜନ କରେ ।
ଉଭୟ ପୁରୁଷ ଓ ନାରୀ ଯଦି ପିତାମାତାଙ୍କର କ୍ରିୟା କର୍ମ ନକରି କେବଳ ଶୁଦ୍ଧ ହୁଅନ୍ତି ,ପିତୃ ଶ୍ରାଦ୍ଧ ନକରି ସଞ୍ଚା ଟେକି ଦିଅନ୍ତି ତେବେ ସେମାନଙ୍କୁ ନର୍କ ଭୋଗ କରିବାକୁ ପଡେ । ପୁତ୍ର ଓ କନ୍ୟା ଯଦି ପିତାମାତାଙ୍କୁ ଧିକ୍କାର ବଚନ କୁହନ୍ତି ତେବେ ସେମାନଙ୍କୁ ଦୁଇ ଭାଗ ପାପ ଲାଗିଥାଏ । ଭଗବାନ ଶ୍ରୀକୃଷ୍ଣ ପତ୍ନୀ ସତ୍ୟଭାମା ଙ୍କୁ କହୁଛନ୍ତି ସତ୍ୟା ଏମିତି ସଂସାରରେ ପ୍ରତ୍ୟେକ ଦିନ ପାପ ହେଉଥାଏ ।ବିଧାତା ଏସବୁ ନିଜ ଖାତାରେ ଲେଖି ରହନ୍ତି ଓ ସେହି ଅନୁସାରେ ବାଣ୍ଟି କି ଫଳ ପ୍ରଦାନ କରନ୍ତି ।କେବଳ କଲା କର୍ମ ର ଫଳ ସେହିମାନେ ହିଁ ପାଇଥାନ୍ତି ।ସାଧୁ ସହିତ ମିଶିଲେ ସାଧୁ ଫଳ ମିଳେ ଓ ଅସାଧୁ ସହିତ ମିଶିଲେ ମଣିଷ ପାପ ରେ ଘାଣ୍ଟି ହୁଏ । ଏହିପରି ଭାବେ ଜଗତରେ ପ୍ରାଣୀ ପାପ ଓ ପୁଣ୍ୟ ଭୋଗ କରେ ।ଏହି ସଂସାର ସାଗରରେ କେବଳ ଯଦି ସୁଜନ ସଙ୍ଗ ମିଳେ ତେବେ ସଂସାର ରୁ ତରି ଯିବା ସହଜ ହୁଏ ସତ୍ୟଭାମା , ସ୍ୱାମୀ ଜଗତ ଜୀବନ ନାରାୟଣ ଙ୍କ ଠାରୁ ପାପ ବିଷୟରେ ଶୁଣି କହିଲେ ହେ ,ପ୍ରଭୁ ! ଆପଣ ଆଗରୁ ମୋତେ ପୁଣ୍ୟ ବିଷୟରେ ଅନେକ କଥା ଶୁଣାଇ ଥିଲେ ଓ ଆଜି ପାପ ବିଷୟରେ ଶୁଣି ମୁଁ ବହୁତ କଥା ଜାଣିଲି । ଅଭୟ ଙ୍କୁ ପ୍ରଣାମ କଲେ ସତ୍ୟଭାମ।
କ୍ରମଶଃ,,,,,,
ରଚନା:- ✍️ ଦୁଷ୍ମନ୍ତ କୁମାର ମିଶ୍ର ✍️

