ଅଭିଶାପ ଫଳିଲା

ଅଚ୍ଯୁତାନନ୍ଦ ଦାସ

ଗୌତମ ଋଷି ଦୁଇ ପୁଅଙ୍କୁ କାନ୍ଧରେ ବସେଇ ଚାଲୁଛନ୍ତି ଗଙ୍ଗା ନଦୀ ର ତାତିଲା ବାଲି ଉପରେ I ସ୍ତ୍ରୀ ଅହଲ୍ଯା ଓ ଝିଅ ଅଞ୍ଜନା ପଛେ ପଛେ ଚାଲୁଛନ୍ତିI ଋଷିଙ୍କ ସହିତ ପାଦ ମିଳାଇ ଚାଲି ପାରୁ ନଥାନ୍ତି ମାଆ କି ଝିଅ I ସକାଳ ପହରୁ ଚାଲୁଛନ୍ତି I ଦିନ ଆସି ଦି’ ପହର ହେଲାଣି I

ଋଷି ତ ମେହନତି ମଣିଷ କିନ୍ତୁ ମାଆ ଝିଅ ତ ଘରୁ ପ୍ରାୟ ବାହାରନ୍ତି ନାହିଁ I ଯଜମାନ ଙ୍କ ଘରୁ ନିମନ୍ତ୍ରଣ ଆସିଥିଲା ପୁଅର ନାମକରଣ ଉତ୍ସବ ରେ ସପରିବାର ଯୋଗ ଦେବା ପାଇଁ I ଧନାଢ୍ଯ ଯଜମାନ ଜଣକ। ଭୂରିଭୋଜନ ସହିତ ବେଶ ଦି ପଇସା ଦକ୍ଷିଣା ବି ମିଳିବ। ସେହି ଆଶାରେ ସାରା ପରିବାର କୁ ଧରି ବାହାରି ପଡିଛନ୍ତି ଋଷି ବର।

ଯଜମାନ ଜଣକ ଆଶ୍ରମକୁ ଆସି ନିମନ୍ତ୍ରଣ ଦେଇ ଯାଇଛନ୍ତି। ପୂରା ପରିବାରକୁ ନେଇ ଆସିବା ପାଇଁ ବାରମ୍ବାର ଅନୁରୋଧ କରି ଯାଇଛନ୍ତି ସେ ।

ଋଷି ମନେ ପକାଉଥିଲେ । ଗଣନା କରି ଯଜମାନଙ୍କ କପାଳ ରେ ସନ୍ତାନ ସୁଖ ନାହିଁ ବୋଲି କହିଥିଲେ I ଯଜମାନ ଦୁଃଖରେ ଭାଙ୍ଗି ପଡ଼ି ଆଉଥରେ ଭଲ ଭାବରେ ଗଣନା କରିବା ପାଇଁ ଅନୁରୋଧ କରିଥିଲେI ଯେତେଥର ଗଣନା କଲେ ମଧ୍ୟ ଫଳ ସେହି ଏକା I
ସନ୍ତାନ ଘର ଶୁନ୍ୟ I
ଋଷି ତାଙ୍କୁ ଉପଦେଶ ଦେଇଥିଲେ ବଡଭାଇଙ୍କ ପିଲାଙ୍କ ଭିତରୁ ଜଣକୁ ପୋଷ୍ୟ ପୁତ୍ର କରି ଆପଣେଇ ନେବା ପାଇଁ I ଘରର ସମ୍ପତି ଘରେ ରହିଯିବ !
ଯଜମାନ ଜଣକ ମୁହଁ ଶୁଖାଇ ଫେରି ଯାଇଥିଲେ ।

ବର୍ଷ ଟିଏ ନ ଯାଉଣୁ ଯଜମାନ ଙ୍କ ଦ୍ୱାରା ପୁତ୍ର ପ୍ରାପ୍ତି !
ପୁଣି ଋଷିଙ୍କ ଗଣନା ଭୁଲ ହୋଇଥିବାରୁ ତାଙ୍କୁ ଚିଡ଼େଇବା ପାଇଁ ସପରିବାର ନିମନ୍ତ୍ରଣ I

ନିଜ ଭାବନା ରେ ବୁଡ଼ି ଯାଇଥିଲେ ଋଷି ଶ୍ରେଷ୍ଠ ଗୌତମ I ଏମିତି କେମିତି ହେଲା! ଯଜମାନ ଙ୍କ ସ୍ତ୍ରୀ ଙ୍କ କୋଷ୍ଠୀ ବିଚାର କରି ପୁତ୍ର ଯୋଗ ଥିବାର ଜାଣି ପାରିଥିଲେ I ତାହା କେମିତି ସମ୍ଭବ !

ଯେତେ ଅଧିକ ଭାବୁଥିଲେ ତାଙ୍କ ମୁଣ୍ଡ ସେତେ ବେଶି ଗୋଳିଆ ଧରୁଥିଲାI ମୁଣ୍ଡ କାମ କରୁ ନାହିଁ I ଆଃ , ଫାଟି ଯିବ କି ଆଉ !
ଦିବ୍ୟ ଦୃଷ୍ଟି ଉପରେ ଜୋର ଦେଲେ i ବହୁତ କଷ୍ଟ ହେଉଥିଲା I ନିଜ ପାଇଁ ସେ କେବେ ଦିବ୍ୟ ଦୃଷ୍ଟିର ପ୍ରୟୋଗ କରନ୍ତି ନାହିଁ I ଜାଣନ୍ତି ଦିବ୍ୟଦୃଷ୍ଟିର ବ୍ୟବହାର ପ୍ରାଣୀର ମଙ୍ଗଳ ପାଇଁ କଲେ ତାର ଶକ୍ତି ବୃଦ୍ଧି ହୋଇଥାଏ କିନ୍ତୁ ନିଜର ସ୍ୱାର୍ଥସିଦ୍ଧି ପାଇଁ ବ୍ୟବହୃତ ହେଲେ ଶକ୍ତିହୀନ ହୋଇ ଯାଇଥାଏI

ଏଥର ଋଷି ଦିବ୍ୟ ଚକ୍ଷୁରେ ଦେଖି ପାରୁଥିଲେ I
ଯଜମାନ ବ୍ଯବସାୟ ବାଣିଜ୍ଯ ଉଦ୍ଦେଶ୍ଯ ରେ କିଛିଦିନ ପାଇଁ ପତ୍ୱୀଙ୍କୁ ଘରେ ଏକୁଟିଆ ଛାଡି ଯାଇଥିଲେ I ସଂଯୁକ୍ତ ପରିବାର I ଘରେ ବଡଭାଇ , ଭାଉଜ , ପୁତୁରା ,ଝିଆରୀ ସମସ୍ତେ ଏକାଠି ରହନ୍ତି I ଏଭଳି ସୁରକ୍ଷିତ ପରିବେଶ ରେ ପତ୍ନୀଙ୍କୁ ଛାଡ଼ି ଯିବା ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଆଶ୍ବସ୍ତ ଥାନ୍ତି ଯଜମାନ ଜଣକ। ହେବାର କଥା ବି!

ପରବର୍ତ୍ତୀ ଦୃଶ୍ଯ।
ଯଜମାନଙ୍କ ଶ୍ବଶୂର ଆସିଥିଲେ I ଗ୍ରୀଷ୍ମ ଛୁଟି କାଟିବା ପାଇଁ ନାତି ନାତୁଣୀ ଏବଂ ଝିଅକୁ କିଛିଦିନ ପାଇଁ ସାଥିରେ ନେଇ ଯାଉଛନ୍ତି।

ମଧ୍ଯରାତ୍ର ଗତପ୍ରାୟ। ଦେଢଶୂର ଜଣକ ଭ୍ରାତୃବଧୂଙ୍କ ଶୟନକକ୍ଷର ର ପ୍ରବେଶ ପଥରେ ଥିବା ଦ୍ବାରଦେଶରେ ମୃଦୁ କରାଘାତ କରୁଛନ୍ତି। ନିଦୁଆ ଆଖିରେ ଭ୍ରାତୃବଧୂ ଆସି ଦ୍ବାର ମୁକୁଳା କରି ଦେଢଶୂରଙ୍କୁ ଏତେ ରାତିରେ ଆସିବାର କାରଣ ପଚାରୁଛନ୍ତି I
ଦେଢଶୂର ଭ୍ରାତୃବଧୂଙ୍କୁ ଶୂନ୍ୟେ ଶୂନ୍ୟେ ଟେକି ନେଇ ଭିତରକୁ ଚାଲି ଯାଉଛନ୍ତି I ପୁତ୍ରପ୍ରାପ୍ତି ପାଇଁ ବାର ଓଷା, ତେର ବ୍ରତ ଉପବାସ କରି କ୍ଷୀଣତନୁ ବିଶିଷ୍ଟ ହୋଇ ଯାଇଥିବା ନାରୀଟିକୁ ଉଠାଇ ନେବା ପାଇଁ ସୁଠାମ ସୁଗଠିତ ପୁରୁଷ ଟି ପକ୍ଷରେ ଆଦୌ କଷ୍ଟକର ହେଲା ନାହିଁ।
ପଲଂକ ଉପରେ ନେଇ ଅଧିଷ୍ଠିତ କରିବା ଭିତରେ ନାରୀଟିର ଆଶ୍ଚର୍ଯ୍ଯ , ଭୟ ଏବଂ ଲଜ୍ଜା ମିଶ୍ରିତ ଆର୍ତ୍ତ ନାଦ ରାତ୍ରିର ଅନ୍ଧକାର ଭିତରେ ନିଥର, ନୀରବ ଏବଂ ନିଖୋଜ ହୋଇ ଯାଉଥିଲା।

ଋଷି କ୍ରୋଧରେ ଥରୁଥିଲେ। ସାମାଜିକ ବିଧି ବ୍ଯବସ୍ଥାରେ ଦେଢଶୂର ଭାଇବୋହୂଙ୍କୁ ସ୍ପର୍ଶ କରିବା ନିଷିଦ୍ଧ ଆଉ ଏ ପାପୀ ଆଜି ତା’ର ଅସହାୟତାର ସୁଯୋଗ ନେଇ କେବଳ ତାର ପତିବ୍ରତା ପଣର ଧ୍ବସ୍ତ ବିଧ୍ବସ୍ତ କରିବା ପାଇଁ ଯାଉ ନାହିଁ , ଦେଢଶୂରଙ୍କ ଉପରେ ଥିବା ନାରୀଟିର ଅଖଣ୍ଡ ବିଶ୍ୱାସ ଓ ଭରସା ର ମଧ୍ୟ ହତ୍ୟା କରିବାକୁ ଯାଉଛି ଏ ପାଷାଣ୍ଡ।

ତାପରର ଦୃଶ୍ଯ ବଡ ଦୁଃଖଦାୟକ ଥିଲା ଋଷିଙ୍କ ପାଇଁ I ଅବଳା ନାରୀ ଟିର ଅନୁନୟ ବିନୟ ଓ କାକୁତି ମିନତୀକୁ ଭୃକ୍ଷେପ ନ କରି ଦୁଷ୍ଟ ମାନବଟି ବହୁତ ସମୟ ଧରି ନାରୀଟି ଉପରେ ବଳାତ୍କାର କରି ଚାଲେ। ଧୃଷ୍ଟତାର ସୀମା ଲଂଘି ନାରୀଟିକୁ ପୁଣି କହୁଛି, “ତୁମ ଯାଆ କହୁଥିଲେ ଆଉ ମୁଁ ଶୁଣିଥିଲି , ତୁମର କାଳେ ସନ୍ତାନ ଯୋଗ ଅଛି। ସାନ ଭାଇର ଦୁର୍ବଳ ପୁରୁଷତ୍ବ ପାଇଁ ସିନା ତୁମେ ମାଆ ହୋଇ ପାରୁ ନ ଥିଲ। ମୁଁ କିନ୍ତୁ କେବେ ଅକୃତକାର୍ଯ୍ଯ ହୋଇ ନାହିଁ। ଋଷି ବାକ୍ଯ ଫଳିବ ଏବଂ ତୁମେ ଏଥର ମାତୃତ୍ବର ଆନନ୍ଦ ନିଶ୍ଚୟ ପାଇବ।

ବଳାତ୍କାର ଜନିତ ଶାରୀରିକ ପରିଶ୍ରମରୁ ଗଳଦ୍ଘର୍ମ ହୋଇ ପଲଙ୍କ ଉପରେ ଅବିନ୍ୟସ୍ତ କେଶ, ନିର୍ବସ୍ତ୍ର ବେଶ ଏବଂ ଲଜ୍ଜା ପୀଡା ଓ ଆତଙ୍କ ର ଆତିଶଯ୍ଯକୁ ନିରବ ରେ ଯୁଝୁଥିବା ନାରୀଟି ନିରୁତ୍ତର ରହିଲା।

ଏଥର ଭୂପତିତ ପରିଧାନଟିକୁ ଚଳ ଚଞ୍ଚଳ ହାତରେ ପିନ୍ଧୁ ପିନ୍ଧୁ ଶୟନକକ୍ଷ ଭିତରୁ ବାହାରି ଯାଉ ଯାଉ ନରାଧମଟି କହି ଯାଉଛି ତୁମ ଭଳି ସୁନ୍ଦରୀ ରମଣୀର ସଂଗସୁଖ ଅପୂର୍ବ ଆନନ୍ଦ ଦେଲା। ମୁଁ ପୁଣି ଆସିବି। ଏଥର କବାଟ ଖୋଲା ରଖିଥିବ।

ପରବର୍ତ୍ତୀ ପ୍ରଭାତର ପ୍ରଥମ ସୂର୍ଯ୍ୟକିରଣ ଧରିତ୍ରୀମାଆଙ୍କ ଛାତିରେ ପାଦ ଥାପିବା ପୂର୍ବରୁ ନାରୀଟି ନିଜର ପିତ୍ରାଳୟ ଅଭିମୁଖେ ପ୍ରସ୍ଥାନ କରେ ଓ ସ୍ବାମୀ ଘରକୁ ଫେରିବା ପରେ ପ୍ରତ୍ଯାବର୍ତ୍ତନ କରେ। ବଡ ଯା’ ଓ ପୁତୁରା ଝିଆରୀ ମାନେ ମାମୁଁଙ୍କ ଘର କୁ ଯିବା ଦିନ ହିଁ ସେ ବାପ ଘରକୁ ପଳାଇ ଆସିଥିବା କଥା କହି ଦେଢ଼ଶୂର ଙ୍କ ବ୍ୟଭିଚାର କଥାଟିକୁ ଚିର ଦିନ ପାଇଁ ନିଜର ହୃଦୟ ଭିତରେ କବର ଦେଇ ଦିଏ ଏକଥା ଭାବି ଯେ ତାହାହିଁ ବୋଧ ହୁଏ ବିଧିର ବିଧାନ ହିଁ ଥିଲା। ତା’ ନ ହୋଇଥିଲେ ମୋର ସନ୍ତାନଯୋଗ ଥିବା ବେଳେ ସ୍ବାମୀଙ୍କ ସନ୍ତାନ ସ୍ଥାନ ଶୂନ୍ୟ କେମିତି ହୋଇଥାନ୍ତା !

ବାଃ ରେ ଭାରତୀୟ ନାରୀ ! ସବୁ ଦୁର୍ଯ୍ୟୋଗ କୁ ନିୟତି ଲିଖନ ର ଆଖ୍ୟା ଦେଇ ତଜ୍ଜନିତ ଦୁଃଖକଷ୍ଟ କୁ ଅବିଚଳିତ ଭାବରେ ସହି ଯିବାର ଏକ ଅନନ୍ୟ ଉପାୟ !

ସେହି ଜାରଜ ସନ୍ତାନର ନାମକରଣ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିଲେ ଋଷି ଗୌତମ ସପରିବାର। କଣ ନାଆଁ ବା ସେ ଦେବେ ଜାରଜ ସନ୍ତାନଟିର! ପୁଣି ମନକୁ ବୁଝାଉଥାନ୍ତି , ଶିଶୁଟିର ବା କି ଦୋଷ! ତା’ ପ୍ରତି ଅସୂୟା ଋଷିଙ୍କୁ ଶୋଭା ଦିଏନା I

ନାଉରିଆ ନାଆ ନେଇ ଆସୁଥିବାର ଦିଶିଲାଣି I ଋଷିଙ୍କ ପାଦକୁ ମଧ୍ୟ କଷ୍ଟ ହେଲାଣି I ଛୋଟ ଝିଅଟିକୁ ତ ବହୁତ ବାଧିବଣି ଭାବି ପଛକୁ ଫେରି ଦେଖିବା ବେଳକୁ ଅବୋଧ ଶିଶୁଟି କାନ୍ଦ କାନ୍ଦ ହୋଇ କହୁଛି ,” ବାପା , ତୁମ ନିଜ ଝିଅକୁ ତତଲା ବାଲିରେ ଚଲାଉ ଥାଅ, ଆଉ ଜାରଜ ସନ୍ତାନ ମାନଙ୍କୁ କାନ୍ଧ ରେ ବସେଇ ଆନନ୍ଦ ମନରେ ଚାଲୁଥାଅ।

କଥା କେଇ ପଦ ଚଡକ ସଦୃଶ ଋଷିଙ୍କ ମସ୍ତକ ଭେଦ କରି ଗଲା I ଋଷି ତଳେ ପଡ଼ି ଯାଉ ଯାଉ ନିଜକୁ ସମ୍ଭାଳି ନେଲେ I କିନ୍ତୁ ମସ୍ତକ ସହସ୍ର ଖଣ୍ଡ ହୋଇ ଯିବାର ପୀଡା ଅନୁଭବ କରୁଥାନ୍ତି ସେ। ଯେଉଁ ପତ୍ନୀଙ୍କୁ ସେ ବିଶ୍ୱର ସର୍ବ ଶ୍ରେଷ୍ଠ ସତୀ ର ଆସନରେ ବସାଇଛନ୍ତି ଓ ଦୁନିଆଁ ଯାହାକୁ ପଞ୍ଚ ସତୀଙ୍କ ମଧ୍ୟରେ ସର୍ବାଗ୍ରେ ସ୍ଥାନ ଦେଇଛି ସେ କଣ ସତରେ ପର ପୁରୁଷ ର ଅବୈଧ ସମ୍ପର୍କ ରୁ ଦୁଇ ଦୁଇଟି ସନ୍ତାନ ର ଜନନୀ ସାଜିଛନ୍ତି !

ଆଗକୁ ——-

Leave a Comment

Your email address will not be published. Required fields are marked *