। ଭାଗବତ ।
♾️♾️⭕⭕♾️♾️
ଏ ମର୍ତ୍ତ୍ୟେ ମୃତ୍ୟୁ ସର୍ପ ରୂପେ। ଦଂଶିବ ବୋଲି ମହାକୋପେ।
ଦେଖଇ ପ୍ରାଣୀଙ୍କି ନିରତ। କରଇ କ୍ଷଣେ କ୍ଷଣେ ଗ୍ରସ୍ତ।
ଶରଣ ତୋର ପାଦେ ଯେହୁ। ସେ ମୃତ୍ୟୁ ପାଇବଟି କାହୁଁ।
ବାହୁଡ଼ି ହୋଏ ସେ ନିରାଶ। ସେ ପ୍ରାଣୀ ରହେ ତୋର ପାଶ।
ତୁ ଏବେ ହରି ରଖ ତୋତେ। କଂସକୁ ନ ଯାଇ ପରତେ।
ମୋର ଉଦରୁ ତୋର ଜାତ। ଲୋକେ କରିବେ କାହୁଁ ସତ।
ତୋ ରୂପ ନ ଜାଣନ୍ତି କେହି। କଂସକୁ ଡରେ ମୋର ଦେହୀ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଚତୁର୍ଥ ଅଧ୍ୟାୟ )
ପ୍ରସଙ୍ଗ- ଶ୍ରୀକୃଷ୍ଣ ଜନ୍ମ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ପୁତ୍ର ରୂପରେ ଜାତ ହୋଇଥିବା ଭଗବାନ ଶ୍ରୀହରିଙ୍କୁ ଦେବକୀ ଦେବୀ ସ୍ତୁତି କରି କହିଲେ , ହେ ପ୍ରଭୁ ! ଏହି ମର୍ତ୍ତ୍ୟମଣ୍ଡଳରେ ମୃତ୍ୟୁ କାଳସର୍ପ ରୂପରେ ପ୍ରାଣୀକୁ ଦଂଶନ କରିବା ପାଇଁଁ ନିରନ୍ତର ଚେଷ୍ଟିତ ଥିବାରୁ ପ୍ରାଣୀ ମୃତ୍ୟୁକୁ ଭୟ କରୁଛି। ଏହି ସଂସାରରେ ପ୍ରତି ମୂହୁର୍ତ୍ତରେ ମୃତ୍ୟୁ ପ୍ରାଣୀମାନଙ୍କୁ କବଳିତ କରି ଛାଲିଛି। କିନ୍ତୁ ଆପଣଙ୍କ ଚରଣକମଳରେ ଆଶ୍ରୟ ନେଇଥିବା ପ୍ରାଣୀର ମୃତ୍ୟୁକୁ ଭୟ ନଥାଏ। ବରଂ ମୃତ୍ୟୁ ସେହି ପ୍ରାଣୀକୁ ଭୟ କରି ନିରାଶରେ ତା ନିକଟରୁ ପଳାୟନ କରିଥାଏ ଏବଂ ଆପଣଙ୍କ ଚରଣକୁ ଆଶ୍ରୟ କରି ସେହି ପ୍ରାଣୀ ନିର୍ଭୟରେ ରହିଥାଏ। ହେ ପ୍ରଭୁ ! ଦୁଷ୍ଟ କଂସାସୁରକୁ ମୋର ଆଦୌ ବିଶ୍ଵାସ ନାହିଁ। ତେଣୁ ଆପଣ କିଛି ଉପାୟ କରି ନିଜେ ହିଁ ନିଜକୁ ରକ୍ଷା କରନ୍ତୁ। ଆପଣଙ୍କ ଭଳି ପରମପୁରୁଷ ପରମାତ୍ମା ଏଭଳି ଦିବ୍ୟ ଚତୁର୍ଭୁଜ ରୂପ ଧାରଣ କରି ମୋ ପରି ମାନବୀ ଗର୍ଭରୁ ଜନ୍ମ ଗ୍ରହଣ କରିଛନ୍ତି ବୋଲି କହିଲେ ଏକଥାକୁ ଲୋକମାନେ ସତ ବୋଲି ବିଶ୍ବାସ କରିବେ ନାହିଁ। ଆପଣ ଏହି ଦିବ୍ୟ ସ୍ଵରୂପକୁ ଧାରଣ କରି ମୋ ଗର୍ଭରୁ ଜାତ ହୋଇଛନ୍ତି ବୋଲି କେହି ଜାଣି ନାହାଁନ୍ତି। ତେଣୁ ଆପଣ ଏବେ ଆପଣଙ୍କର ଏହି ଦିବ୍ୟ ସ୍ଵରୂପକୁ ଆଉ ପ୍ରକଟ ନକରି ଲୁଚାଇ ଦିଅନ୍ତୁ କାରଣ ଏକଥା ଜାଣିଲେ କଂସ ଆପଣଙ୍କୁ ମାରିବା ପାଇଁ ଚେଷ୍ଟା କରିବ। ଏହି କଥା ଭାବି ମୋ ମନରେ କଂସ ପ୍ରତି ଭୀଷଣ ଭୟ ଆସୁଛି।
ଭାବାର୍ଥ – ଏଠାରେ ଭଗବାନ ଶ୍ରୀହରିଙ୍କୁ ମାତା ଦେବକୀ କରିଥିବା ସ୍ତୁତି ବିଷୟରେ ବର୍ଣ୍ଣନା କରାଯାଇଛି।
.
ଆସନ୍ତୁ ପଢିବା ଗୀତା….
ଅଧ୍ୟାୟ ୧୨ – ଶ୍ଳୋକ ୮ – ଭକ୍ତିଯୋଗଃ
ମୟ୍ୟେଵ ମନ ଆଧତ୍ସ୍ଵ ମୟି ବୁଦ୍ଧିଂ ନିଵେଶୟ | ନିଵସିଷ୍ୟସି ମୟ୍ୟେଵ ଅତ ଊର୍ଧ୍ଵଂ ନ ସଂଶୟଃ || 8 ||
ମୋଠାରେ ଚିତ୍ତ, ବୁଦ୍ଧି ଓ ମନ ନିବେଶକର, ଏହା ଉତ୍ତାରୁ ତୁମେ ମୋଠାରେ ହିଁ ନିବାସ କରିବ ଏଥିରେ ସନ୍ଦେହ ନାହିଁ ।
✿❣️༒ ଜୟ ଜଗନ୍ନାଥ ༒❣️✿

