ଦୈପାୟନରୁ ବେଦବ୍ୟାସ
ସାରଦା ପ୍ରସାଦ ମିଶ୍ର

ସନାତନ ହିନ୍ଦୁ ଧର୍ମଗନ୍ଥ ବେଦ
ଏକ ଅପୌରେଷୟ ସୃଷ୍ଟି
ରୁକ୍, ସାମ, ଯଜୁ ଓ ଅଥର୍ବ ରୂପେ
ରୂପ ଧରେ ଚାରି ଗୋଟି ।
ଦେବ ଆରାଧନା ଆହ୍ୱାନର ମନ୍ତ୍ର
ରୁକ୍ ବେଦରେ ନିହିତ
ସଂକ୍ଷିପ୍ତ ମନ୍ତ୍ରର ମଧୁର ଗାୟନ
ସାମ ବେଦରେ ବର୍ଣ୍ଣିତ ।
ଯଜ୍ଞ ଏବଂ କର୍ମକାଣ୍ଡ ଅନୁଷ୍ଠାନ
ଯଜୁର୍ବେଦ ଦିଏ ଶିକ୍ଷା
ଆୟୁର୍ବେଦ ସଙ୍ଗେ ତନ୍ତ୍ର ଓ ବିଜ୍ଞାନ
ଅଥର୍ବ ବେଦରେ ଲେଖା ।
ଆର୍ଯ୍ୟ ପ୍ରଚେତସ ବିଜ୍ଞ ଋଷିଙ୍କର
ଭିନ୍ନ ଭିନ୍ନ ମତବାଦ
ବଶିଷ୍ଠ ବିଶ୍ଵାମିତ୍ର କୁମ୍ଭ ଆଦି ମତେ
ତ୍ରୟ ବିଦ୍ୟା ଅଟେ ବେଦ।
ଅଥର୍ବ ବେଦକୁ ଉକ୍ତ ଋଷିଗଣ
ବେଦ ରୂପେ ନମ।ନନ୍ତି
ଭୃଗୁ, ଅଙ୍ଗିରା ,ଜ।ବ।ଳି ଆଦିଋଷି
ଚତୁଷ୍ଟୟୀ ବିଦ୍ୟା ପନ୍ଥୀ ।
ବଶିଷ୍ଠଙ୍କ ପୌତ୍ର ଋଷି ପରାଶର
ଚାହିଁଥିଲେ ସମାଧାନ
ଏଥିପାଇଁ ନିଜ ପୁତ୍ର ଦୈପାୟନେ
ଦେଇଥିଲେ ଶିକ୍ଷାଦାନ ।
ମହା ଅଥର୍ବଣ ଜାବ।ଳି ନିକଟୁ
ଯୁବ ଯତି ଦୈପାୟନ
ଅଥର୍ବ ବେଦର ପ୍ରଯୁକ୍ତି ପ୍ରୟୋଗ
କରିଥିଲେ ଅଧ୍ୟୟନ ।
ତ୍ରୟୀ ବିଦ୍ୟା ବେଦ ସଙ୍ଗେ ଅଥର୍ବକୁ
କରିବା ପାଇଁ ମିଳନ
ଯୁବକ ସନ୍ୟାସୀ କୃଷ୍ଣ ଦୈପାୟନ
ସ୍ଥିର କରିନେଲେ ମନ ।
ଶକ୍ତିଶାଳୀ ରାଜା ଅନୁଗ୍ରହ ଦ୍ଵାରା
ହୋଇ ପାରିବ ସଫଳ
ଭରତ ବଂଶିଙ୍କ ଶାସିତ ହସ୍ତିନା
ଶକ୍ତି ଓ ସମୃଦ୍ଧିର ସ୍ଥଳ ।
ହସ୍ତିନା ପହଞ୍ଚି ଶୁଣିଲେ ନୃପତି
ଦୁଃସାଧ୍ୟ ରୋଗେ ପୀଡିତ
ଦରଶନ ପାଇଁ ରାଜ ଉଆସରେ
ଆସିହେଲେ ଉପସ୍ଥିତ ।
ଅଚେତନ ରାଜା ଶଯ୍ୟା ପାଶେ
ମହାରାଣୀ ରାଜଗୁରୁ
ଦୁଃଖେ ଉପବିଷ୍ଟ , ଯୁବରାଜ ଭିଷ୍ମଙ୍କ
ଦୁଃଖରେ କୁଞ୍ଚିତ ଭୂରୁ ।
ଯୁବରାଜ ଗଙ୍ଗାସୂତ ପଚାରିଲେ
ଆଗନ୍ତୁକ ପରିଚୟ
ବଶିଷ୍ଠ ପ୍ରପୌତ୍ର ନାମ ଦୈପାୟନ
ପରାଶରଙ୍କ ତନୟ ।
ଯୁବରାଜ ମୁଖେ ଅବଜ୍ଞାର ଭାବ
ଲକ୍ଷ କରି ଯୁବ ଯତି
ସ୍ମିତ ହସି କହେ ଚିକିତ୍ସା ଦ୍ଵାରା
ଆରୋଗ୍ୟ ହେବେ ନୃପତି ।
ମହାରାଣୀ ସତ୍ୟବତୀ ଦୈପାୟନେ
ଆପଣା ପାଶକୁ ରାଇ
ଧୀରେ ପୁଛ।କଲେ କେ ତାଙ୍କ ଜନନୀ
ପରିଚୟ ଦେବାପାଇଁ ।
କହିଲେ ପିତା ଅନ୍ତେ ମାତୃ ଦରଶନେ
ଯାଇଥିଲେ ମାତା ଘର
ଶୁଣିଲେ ଜନନୀ ହୋଇଛନ୍ତି ମହା –
ରାଣୀ କେଉଁ ରାଜାଙ୍କର ।
ପୁତ୍ରକୁ ନିକଟେ ପାଇ ସତ୍ୟବତୀ
ଆନନ୍ଦରେ ଗଦ ଗଦ
ମାତା ପୁତ୍ର ନିଜ ନିଜ ପରିଚୟେ
ଲଭିଲେ ଅତି ଆନନ୍ଦ ।
ଅଥର୍ବ ବେଦର ମନ୍ତ୍ର ଉପଚାରେ
ଶାନ୍ତନୁ ହେଲେ ଆରୋଗ୍ୟ
ପୁଛିଲେ ନରେଶ କେଉଁ ପୁରସ୍କାର
ଇଛାକର ମହାଭାଗ ।
ଆର୍ଯ୍ୟ ଧର୍ମଶାସ୍ତ୍ର ବେଦ ଶବ୍ଦବ୍ରହ୍ମ
ସୁଖମ।ର୍ଗ ପ୍ରଦର୍ଶକ
ଧର୍ମରକ୍ଷା ପାଇଁ ଚତୁର୍ବିଦ୍ୟା ବେଦ
ଏକ ମାତ୍ର ଆବଶ୍ୟକ ।
ଧର୍ମକ୍ଷେତ୍ର କୁରୁକ୍ଷେତ୍ରେ ‘ ବାଜପେୟ ‘
ଯଜ୍ଞ କର ଆୟୋଜନ
ଯଦ୍ୱାରା ବ୍ରହ୍ମତେଜ କ୍ଷାତ୍ର ତେଜର
ହୋଇବ ମହ।ମିଳନ ।
ଏ ମହା ଯଜ୍ଞରେ ପୁରୋଧା ହୋଇବେ
କୁରୁକୁଳ ପୁରୋହିତ
ମହା ଅଥର୍ବଣ ମହର୍ଷି ଜ।ବ।ଳି
ବ୍ରହ୍ମା ରୂପେ ଉପସ୍ଥିତ ।
ଏହାଦ୍ବାରା ଅଥର୍ବ ବେଦ ପାଇବ
ଚତୁର୍ଥ ବେଦ ସ୍ଵୀକୃତି
ଯାହାକୁ ଆନନ୍ଦେ ଗ୍ରହଣ କରିବେ
ଆର୍ଯ୍ୟାବର୍ତ୍ତେ ସବୁ ଯତି ।
ଏହିଠାରୁ ବେଦ ହେଲା ଚତୁଷ୍ଟୟୀ
ସର୍ବେ କରିଲେ ଗ୍ରହଣ
ବେଦବ୍ୟାସ ନାମେ ହେଲେ ବିଶ୍ୱେକ୍ଷାତ
ଋଷି କୃଷ୍ଣ ଦୈପାୟନ ।


