ଭାଗବତ ୨
♾️♾️⭕⭕♾️♾️
ଶୀତଳ ବହଇ ପବନ। ଦେବକୀ ପାଇଲା ଚେତନ।
ଚକ୍ଷୁ ଫେଇଣ ଚାହେଁ ଧୀରେ। ଯେହ୍ନେ ଉଦୟ ଦିନକରେ।
ଚାହିଁଲା ପୁତ୍ରର ବଦନ। ଚକିତେ ହୋଇ ଛନ୍ନଛନ୍ନ।
ଅପୂର୍ବ କାହୁଁ ଏ ଅଇଲା। ଜଗତେ ନାହିଁ ନା ଦେଖିଲା।
ଏ ତ ପୁରୁଷଙ୍କ ଉତ୍ତମ। କି ଅବା ପ୍ରଭୁ ଭଗବାନ।
ପୂର୍ଣ୍ଣ ଆନନ୍ଦ ଜ୍ଞାନମୟ। ଦେଖି ପାଇଲା ଦେବୀ ଭୟ।
ବିକଳେ ବେନିକର ଯୋଡ଼ି। ହା କୃଷ୍ଣ ବୋଲି ପାୟେ ପଡ଼ି।
ଚଞ୍ଚଳ ମନ କରି ସ୍ଥିର। ଦେବକୀ ବୋଲଇ ଉତ୍ତର।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଚତୁର୍ଥ ଅଧ୍ୟାୟ )
ପ୍ରସଙ୍ଗ – ଶ୍ରୀକୃଷ୍ଣ ଜନ୍ମ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ବସୁଦେବ ଭଗବାନଙ୍କୁ ସ୍ତୁତି କରିବା ଭିତରେ ବନ୍ଦୀଶାଳାରେ ବହୁଥିବା ଶୀତଳ ପବନର ସ୍ପର୍ଶରେ ପ୍ରସବ ବେଦନାରେ ମୂର୍ଚ୍ଛିତା ହୋଇଥିବା ଦେବକୀଦେବୀଙ୍କର ଚେତା ଫେରିଆସିଲା। ସେ ଯେତେବେଳେ ଧୀରେ ଧୀରେ ଚକ୍ଷୁ ଖୋଲି ଚାହିଁଲେ ଅନ୍ଧାରିଆ ବନ୍ଦୀଶାଳାରେ ତାଙ୍କୁ ସୂର୍ଯ୍ୟ ଉଦୟ ହେବାଭଳି ପ୍ରତୀୟମାନ ହେଲା। ତାଙ୍କ ଗର୍ଭରୁ ଜାତ ହୋଇଥିବା ପୁତ୍ରର ମୁଖକୁ ଦେବକୀ ଯେତେବେଳେ ଚାହିଁଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତାଙ୍କର ମନ ଚଞ୍ଚଳ ଓ ପୁଲକିତ ହୋଇ ଉଠିଲା। ସେ ଭାବିଲେ , ଏ କି ଅପୂର୍ବ ରୂପ ମୁଁ ଦେଖୁଛି ! ଏଭଳି ଅପୂର୍ବ ରୂପ ଜଗତରେ ପୂର୍ବରୁ ଥିବାକଥା ମୁଁ ଜାଣିନାହିଁ କି ଏଭଳି ଅପୂର୍ବ ରୂପ ପୂର୍ବରୁ କେହି ଦେଖିଥିବା କଥା ମଧ୍ୟ ମୁଁ ଶୁଣିନାହିଁ। ଏ ତ ସ୍ଵୟଂ ପୁରୁଷୋତ୍ତମ ଭଗବାନଙ୍କ ଭଳି ଦେଖା ଯାଉଛନ୍ତି। ପୁତ୍ର ରୂପରେ ଜାତ ହୋଇଥିବା ଭଗବାନ ଶ୍ରୀହରିଙ୍କର ସେହି ପୂର୍ଣ୍ଣ ଆନନ୍ଦସ୍ଵରୂପ ଜ୍ଞାନମୟ ରୂପକୁ ଦେଖି ଦେବକୀ ଦେବୀ ଆନନ୍ଦିତ ହେଉଥିଲେ ମଧ୍ୟ କଂସ ଭୟରେ ସେ ବିଚଳିତ ହୋଇ ପଡ଼ିଲେ ଓ ବିକଳରେ ଦୁଇ ହାତ ଯୋଡ଼ି ହେ ପ୍ରଭୁ ! ହେ ପ୍ରଭୁ ! ବୋଲି କହି ଭଗବାନଙ୍କର ପାଦତଳେ ପଡ଼ିଗଲେ। ତାପରେ ଦେବକୀ ନିଜର ଚଞ୍ଚଳ ମନକୁ ସ୍ଥିର କରି ଭଗବାନଙ୍କୁ ସ୍ତୁତି କରିବାକୁ ଆରମ୍ଭ କଲେ।
ଭାବାର୍ଥ – ପୁତ୍ର ରୂପରେ ଜାତ ହୋଇଥିବା ଭଗବାନ ଶ୍ରୀହରିଙ୍କର ରୂପକୁ ଦେଖି ମାତା ଦେବକୀ ଚକିତ ହୋଇଗଲେ।

