
꧁ସକାଳର ଭକ୍ତି ଅର୍ଘ୍ୟ꧂
ଏବେ ଏ ବୃନ୍ଦାବନେ ମୋତେ। ମାୟା ନକଲୁ କେତେ କେତେ।
ପ୍ରଥମେ ଦେଖିଲଇଁ ଏକ। କ୍ଷଣକେ ହୋଇଲୁ ଅନେକ।
ଯେତେ ବାଛୁରୀ ଗୋପପୋଏ। ଦିଶିଲେ ତୋହରି ପରାୟେ।
ନୀଳଶରୀର ଚାରିକର। ବ୍ରହ୍ମାଏ ଖଟନ୍ତି ପୟର।
ତୁହି ତୋହର ମାୟା ବହୁ। ବ୍ରହ୍ମା ଶଙ୍କର ରୂପ ବହୁ।
ସୃଷ୍ଟିର ଅଗ୍ରେ ମୋତେ କରି। ସଙ୍ଖୋଳି ଦେଲୁ ବେଦଚାରି।
ଜଗତ କରାଇ ଭିଆଣ। ତୁ ତାହା ପାଳୁ ନାରାୟଣ।
ଶଙ୍କର ରୂପେ କରୁ ଅନ୍ତ। ଏଣୁ ତୁ ବୋଲାଉ ଅନନ୍ତ।

( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ପଞ୍ଚଦଶ ଅଧ୍ୟାୟ )
ପ୍ରସଙ୍ଗ – ବ୍ରହ୍ମା ସ୍ତୁତି
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ବେଦବର ବ୍ରହ୍ମା ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରି କହିଲେ , ହେ ପ୍ରଭୁ ! ଅତୀତରେ ଘଟିଥିବା ଘଟଣା ବିଷୟରେ କଣ କହିବା ? ଏବେ ଏହି ବୃନ୍ଦାବନରେ ମୋତେ ଆପଣ ଯାହା ସବୁ ଦେଖାଇଲେ ସେସବୁ ତ ଆପଣଙ୍କର ମାୟା ଥିଲା। ପ୍ରଥମେ ମୁଁ କେବଳ ଆପଣଙ୍କୁ ଏକୁଟିଆ ଶ୍ରୀକୃଷ୍ଣ ରୂପରେ ଦେଖିଲି। ତାପରେ କ୍ଷଣକ ମଧ୍ୟରେ ଆପଣ ଏକରୁ ଅନେକ ହୋଇ ଯେତିକି ବତ୍ସା ଓ ଗୋପବାଳକଗଣ ଥିଲେ ସେତିକି ଶ୍ରୀକୃଷ୍ଣ ହୋଇଗଲେ। ବୃନ୍ଦାବନରେ ଯେତେ ଗୋପବାଳକ ଓ ବାଛୁରୀ ଥିଲେ ସେମାନେ ସମସ୍ତେ ଆପଣଙ୍କ ପରି ଦିଶିଲେ। ସେ ସମସ୍ତଙ୍କର ଶରୀର ଶ୍ୟାମବର୍ଣ୍ଣ ଥିଲା ଓ ସେ ସମସ୍ତଙ୍କର ଚାରି ଚାରି ଭୁଜ ଥିଲା। ମୋ ପରି ଅନେକ ବ୍ରହ୍ମା ଦାସ ପରି ସେମାନଙ୍କ ଚରଣରେ ସେବା କରୁଥିଲେ। ହେ ପ୍ରଭୁ ! ଆପଣ ହିଁ ଆପଣଙ୍କ ମାୟା ବଳରେ ବ୍ରହ୍ମା ଓ ଶଙ୍କର ରୂପରେ ପ୍ରତିଭାତ ହୋଇଥାନ୍ତି। ହେ ନାରାୟଣ ! ସୃଷ୍ଟିର ପ୍ରାରମ୍ଭରେ ଆପଣ ମୋତେ ସୃଷ୍ଟି କରି ମୋ ହାତରେ ଚାରିବେଦକୁ ଅର୍ପଣ କରିଥିଲେ। ଆପଣ ମୋ ରୂପରେ ଏହି ଜଗତକୁ ସୃଷ୍ଟି କରାଇ ବିଷ୍ଣୁ ରୂପରେ ଏହି ଜଗତକୁ ପାଳନ କରିଥାନ୍ତି ଓ ରୁଦ୍ର ରୂପରେ ଏହି ଜଗତକୁ ସଂହାର କରିଥାନ୍ତି। ଏଣୁ ଆପଣ ଅନନ୍ତ ଅଟନ୍ତି ପ୍ରଭୁ !
ଭାବାର୍ଥ – ଏଠାରେ ବେଦବର ବ୍ରହ୍ମା ଭଗବାନ ଶ୍ରୀକୃଷ୍ଣଙ୍କୁ କରିଥିବା ସ୍ତୁତି ବର୍ଣ୍ଣିତ ହୋଇଅଛି।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୯୩୮
✿❁༒ ଜୟ ଜଗନ୍ନାଥ ༒❁✿