ହିରଣ୍ୟକଶ୍ୟିପୁ ଓ ହିରଣ୍ୟାକ୍ଷ
ମରୀଚି ଋଷିଙ୍କ ପୁତ୍ର କଶ୍ୟପ ଦିନଚର୍ଯ୍ୟା ଅନ୍ତେ ସନ୍ଧ୍ୟା ଆଳତି ଓ ପ୍ରାର୍ଥନା କରିବା ପାଇଁ ପ୍ରସ୍ତୁତ ହେଉଥାନ୍ତି Ι ଏକାଗ୍ରତାର ସହ ଧ୍ୟାନ କରିବାପାଇଁ ସେ ବସିବା ବେଳକୁ ଦକ୍ଷ ପ୍ରଜାପତିଙ୍କ କନ୍ୟା ତଥା ତାଙ୍କର ପତ୍ନୀ ଦିତି ସେହି ସମୟରେ ସ୍ୱାମୀଙ୍କର ଉପାସନା କକ୍ଷରେ ପ୍ରବେଶ କଲେ Ι ତାଙ୍କର ରୂପ ସଜ୍ଜାରେ ,ଭାବ ଭଙ୍ଗୀରେ ଓ କଟାକ୍ଷରେ ପ୍ରେମ ନିବେଦନ ଝଲସୁଥିଲା Ι ସେ ମୁନିଙ୍କର ଧ୍ୟାନ ଭଙ୍ଗ କରିବା ପାଇଁ ନାନାବିଧ ଚେଷ୍ଟା କରିବାରେ ଲାଗିଲେ Ι କେତେବେଳେ କଙ୍କଣ ନିନାଦ, କେତେବେଳେ ନୂପୁର ନିକ୍ୱଣ, କେତେବେଳେ ଅକାରଣ ଅଙ୍ଗ ସ୍ପର୍ଶ ଦ୍ୱାରା ସେ ତାଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଥାନ୍ତି Ι କଶ୍ୟପ ତାଙ୍କର ଉଦ୍ଦେଶ୍ୟ ବୁଝି ପାରିଲେ Ι ସେ କହିଲେ, “ପ୍ରିୟେ, ସାୟଂକାଳ ପ୍ରଭୁଙ୍କ ବନ୍ଦନାର ସମୟ Ι ପୂଜା ଓ ପ୍ରାର୍ଥନାର ସମୟ Ι ଏ ସମୟରେ କୈଳାଶପତି ମହେଶ୍ୱର ନିଜର ଅନୁଚରଙ୍କ ସହ ଶୂନ୍ୟମାର୍ଗରେ ବିଚରଣ କରୁଥାନ୍ତି Ι ଏ ସମୟରେ କୌଣସି ଦମ୍ପତିକୁ ରତି କ୍ରିୟାରେ ରତ ଦେଖିଲେ ସେ କ୍ରୁଦ୍ଧ ହେବେ ଓ ତାର କୁପରିଣାମ ଭୋଗିବାକୁ ପଡିବ Ι ଏହା ସମ୍ଭୋଗର ସମୟ ନୁହେଁ Ι” କିନ୍ତୁ ଦିତି ଅତ୍ୟନ୍ତ କାମାତୁରା ହୋଇ ଋଷିଙ୍କୁ ଆଲିଙ୍ଗନ କଲେ Ι ତାଙ୍କ ମୁଖରେ ହସ୍ତ ଦେଇ ତାଙ୍କୁ କିଛି କହିବାକୁ ଦେଲେ ନାହିଁ Ι ତାଙ୍କର ଗଳାରେ ବାହୁ ବେଷ୍ଟନ କରି ଗଣ୍ଡ ଦେଶରେ କେତୋଟି ଚୁମ୍ବନ ଆଙ୍କିଦେଲେ Ι ପତ୍ନୀଙ୍କର ବାଧ୍ୟ ବାଧକତାରେ ଯତି କଶ୍ୟପ ଶୟନ କକ୍ଷକୁ ଗଲେ Ι ତଥାପି କଶ୍ୟପଙ୍କର ମନ ମାନୁ ନ ଥିଲା Ι ସେ କୋମଳ କଣ୍ଠରେ କହିଲେ, “ପ୍ରିୟେ, ଏହା ନୀତିବିରୁଦ୍ଧ କାର୍ଯ୍ୟ Ι ସ୍ୱାମୀ ସ୍ତ୍ରୀଂକ ଶୃଙ୍ଗାର ପାଇଁ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ କେତୋଟି ସମୟ ବାରଣ କରାଯାଇଛି Ι ସେହି ନିଷିଦ୍ଧ ସମୟରେ ରମଣ ଫଳରେ ଯେଉଁ ସନ୍ତାନ ଜନ୍ମ ହେବ ସେ ସାରା ସୃଷ୍ଟିକୁ ଅଶାନ୍ତି, ଅଧର୍ମ ଓ ଅତ୍ୟାଚାର ଦ୍ୱାରା ଆତଙ୍କିତ କରି ରଖିବ Ι ପରିଣାମରେ ସେ ନିଜ ବିନାଶକୁ ହିଁ ନିମନ୍ତ୍ରଣ କରିବ Ι ମୋ କଥା ମାନି ତୁମେ ବର୍ତ୍ତମାନପାଇଁ ଏ ଅନିଷ୍ଟକାରୀ ଅଭିଳାଷା ତ୍ୟାଗ କର Ι” କିନ୍ତୁ ଦିତିଙ୍କ କର୍ଣ୍ଣ ଗହ୍ୱରରେ ଏ ସବୁ ଉପଦେଶ ପ୍ରବେଶ କରୁ ନ ଥିଲା Ι ଶେଷରେ ଋଷି କଶ୍ୟପ ପତ୍ନୀଙ୍କ ମାଦକ ଯୌବନର କାମନା ଜର୍ଜରିତ ଆମନ୍ତ୍ରଣ ନିକଟରେ ଆତ୍ମସମର୍ପଣ କଲେ Ι
ମୁନିଙ୍କର ଆଶଙ୍କା ସତ୍ୟରେ ପରିଣତ ହେଲା Ι ଏକ କୁକ୍ଷଣରେ ଭୂମିଷ୍ଠ ହେଲା ରାକ୍ଷସୀ ପ୍ରବୃତ୍ତିଯୁକ୍ତ ପୁତ୍ର ହିରଣ୍ୟକଶ୍ୟିପୁ Ι କିଛି ବର୍ଷ ଅନ୍ତେ ଜନ୍ମ ହେଲା ହିରଣ୍ୟାକ୍ଷ Ι ନିଜ ଶକ୍ତିର ଦୁଷ୍ପ୍ରୟୋଗ କରି ହିରଣ୍ୟାକ୍ଷ ପୃଥିବୀକୁ କକ୍ଷଚ୍ୟୁତ କରିବାକୁ ଚେଷ୍ଟା କରୁଥିଲା Ι ‘ବସତି ଦଶନ ଶିଖରେ ଧରଣୀ ତବ ଲଗ୍ନା’Ι ଦେବତାଙ୍କ ଅନୁରୋଧରେ ହିରଣ୍ୟାକ୍ଷକୁ ଶ୍ରୀ ବିଷ୍ଣୁ ବରାହ ରୂପରେ ବଧ କଲେ ଏବଂ ଦନ୍ତ ଅଗ୍ରରେ ଧରଣୀକୁ ଧାରଣ କରି ସ୍ୱସ୍ଥାନରେ ସ୍ଥାପନ କଲେ Ι
ହିରଣ୍ୟକଶ୍ୟିପୁ ନିଜ ଭ୍ରାତାର ନିଧନର ପ୍ରତିଶୋଧ ନେବା ପାଇଁ ପ୍ରତିଜ୍ଞା କଲା Ι କିନ୍ତୁ କିଛି ବିଶେଷ ଶକ୍ତିର ଅଧିକାରୀ ନ ହେଲେ ବିଷ୍ଣୁଙ୍କୁ ହରାଇବା ଅସମ୍ଭବ ବୋଲି ଜାଣି ଦୈତ୍ୟଗୁରୁ ଶୁକ୍ର ତାକୁ ବ୍ରହ୍ମାଙ୍କୁ ତପସ୍ୟା କରିବାକୁ ପରାମର୍ଶ ଦେଲେ Ι
ସୁଦୀର୍ଘ ଓ କ୍ଳିଷ୍ଟ ତପସ୍ୟା ପରେ ବ୍ରହ୍ମା ତୁଷ୍ଟ ହୋଇ ଦର୍ଶନ ଦେଲେ ଓ ବର ଯାଚିଲେ Ι ହିରଣ୍ୟକଶ୍ୟିପୁ ଅମର ବର ପ୍ରାର୍ଥନା କଲା Ι ବ୍ରହ୍ମା କହିଲେ, “ବତ୍ସ, ଅମର ବର ଦେବାର ଶକ୍ତି ମୋ ନିକଟରେ ନାହିଁ Ι ତୁମେ ଅନ୍ୟ କିଛି ମାଗ Ι” ହିରଣ୍ୟ କଶ୍ୟିପୁ କହିଲା, “ପିତା, ମୃତ୍ୟୁ ଯଦି ଅବଧାରିତ, ତେବେ ମୃତ୍ୟୁ ହେଉ Ι କିନ୍ତୁ ମୋତେ ଏମିତି ବର ଦିଅନ୍ତୁ, ଯେମିତି ମୋର ମୃତ୍ୟୁ ଦିବସରେ ହେବନାହିଁ, କିମ୍ବା ରାତ୍ରରେ ହେବ ନାହିଁ Ι ଦେବ, ଦାନବ, ଯକ୍ଷ, ରକ୍ଷ, ଗନ୍ଧର୍ବ କିନ୍ନର, ନାଗ କିମ୍ବା ନର ଦ୍ଵାରା ହେବନାହିଁ Ι ଗୃହ ଅଭ୍ୟନ୍ତରରେ କିମ୍ବା ଗୃହ ବାହାରେ ହେବ ନାହିଁ Ι ଜଳରେ, ସ୍ଥଳରେ କିମ୍ବା ଆକାଶରେ ହେବ ନାହିଁ Ι କୌଣସି ଅସ୍ତ୍ର ଶସ୍ତ୍ରରେ ମଧ୍ୟ ହେବ ନାହିଁ Ι” ବ୍ରହ୍ମା କହିଲେ, “ତଥାସ୍ତୁ’ Ι ଏକ ପ୍ରକାର ଅମରତ୍ୱ ଲାଭ କରି ହିରଣ୍ୟକଶ୍ୟିପୁ ମହାଦର୍ପରେ ନିଜର ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲା Ι
ହିରଣ୍ୟକଶ୍ୟିପୁ ତପସ୍ୟା କରିବାକୁ ଯାଇଥିବା ସମୟରେ ଇନ୍ଦ୍ରଙ୍କ ଆଦେଶରେ ଦେବତାମାନେ ଅସୁର ରାଜଧାନୀ ଉପରେ ଆକ୍ରମଣ କରିଦେଲେ Ι ସେମାନେ ଅନେକ ରାକ୍ଷସଙ୍କୁ ହତ୍ୟା କଲେ Ι ବଞ୍ଚିଥିବା ରାକ୍ଷସମାନେ ଭୟରେ ପଳାୟନ କରି ଆତ୍ମଗୋପନ କଲେ Ι ଶିଶୁ ଓ ବାଳକ ଦୈତ୍ୟମାନଙ୍କୁ ମଧ୍ୟ ଦେବତାମାନେ ହତ୍ୟା କରିଦେଲେ Ι ଦେବରାଜ ଇନ୍ଦ୍ର ଗର୍ଭବତୀ ରାକ୍ଷସୀମାନଙ୍କୁ ମଧ୍ୟ ଅପହରଣ କରି ସ୍ୱର୍ଗକୁ ନେଇଯିବା ପାଇଁ ଆଦେଶ ଦେଲେ Ι ଦୈତ୍ୟ ଶିଶୁମାନେ ଜନ୍ମ ହେବା ମାତ୍ରେ ତାଙ୍କୁ ହତ୍ୟା କରିଦେବା ତାଙ୍କର ଉଦ୍ଦେଶ୍ୟ ଥିଲା Ι ସେତେବେଳେ ରାଣୀ ‘କାୟଧୁ’ ଅନ୍ତଃସତ୍ତ୍ୱା ଥାଆନ୍ତି Ι ତାଙ୍କୁ ହତ୍ୟା କରିଦେଲେ ଏକ ଅବଶ୍ୟମ୍ଭାବୀ ବିପଦରୁ ରକ୍ଷା ମିଳିବ ବୋଲି ଚିନ୍ତା କରି ଇନ୍ଦ୍ର କାୟଧୂଙ୍କୁ ହତ୍ୟା କରିବା ଯୋଜନାରେ ଥାନ୍ତି Ι କିନ୍ତୁ ଯଥା ସମୟରେ ପ୍ରବେଶ କଲେ ଦେବର୍ଷି ନାରଦ Ι ସେ କହିଲେ,”ଏ କଣ କରିବାକୁ ଯାଉଛନ୍ତି ଦେବରାଜ, ଏଭଳି ପାପ କାର୍ଯ୍ୟ ଦେବୋଚିତ ନୁହେଁ Ι. ତଦ୍ ବ୍ୟତୀତ ଦୈତ୍ୟରାଣୀଙ୍କ ଗର୍ଭରେ ଏକ ପୁଣ୍ୟାତ୍ମା ରୂପ ପରିଗ୍ରହ କରୁଛି Ι ଆପଣ ତାଙ୍କୁ ମୋ ସହ ଛାଡ଼ନ୍ତୁ Ι ମୁଁ ଆପଣଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଛି, ତାଙ୍କର ଗର୍ଭଜାତ ପୁତ୍ର ଆପଣଙ୍କ ପାଇଁ ବିପଦର କାରଣ ହେବ ନାହିଁ Ι ଏତିକି ବିଶ୍ୱାସ ମୋ ଉପରେ ସ୍ଥାପନ କରନ୍ତୁ Ι”
ସାକ୍ଷାତ ମୃତ୍ୟୁ ମୁଖରୁ ଉଦ୍ଧାର କରି ନାରଦ ହିରଣ୍ୟପତ୍ନୀଙ୍କୁ ନିଜ ଆଶ୍ରମକୁ ନେଇଗଲେ Ι ସେଠାରେ ସବୁ ସମୟରେ ହରିଙ୍କ ମହିମା ଆଲୋଚନା ହେଉଥାଏ Ι ତଦୁପରି ନାରଦଙ୍କ ମୁଖରେ ସଦା ସର୍ବଦା ହରିର୍ନାମ କେବଳମ୍, “ନାରାୟଣ, ନାରାୟଣ” Ι ଦୁର୍ଦ୍ଦାନ୍ତ ଦୈତ୍ୟ ହିରଣ୍ୟକଶ୍ୟିପୁର ସନ୍ତାନ ଜନ୍ମ ପୂର୍ବରୁ ମାତୃ ଗର୍ଭରେ ହିଁ ବିଷ୍ଣୁଭକ୍ତିରେ ଦୀକ୍ଷିତ ହୋଇସାରିଥିଲା Ι
ତପସ୍ୟାରେ ସିଦ୍ଧିଲାଭ ଅନ୍ତେ ନିଜର ଧ୍ୱସ୍ତ ବିଧ୍ୱସ୍ତ ରାଜଧାନୀକୁ ଫେରି ହିରଣ୍ୟ ପ୍ରଥମେ ଭୀତତ୍ରସ୍ତ ଏବଂ ପ୍ରାଣଭୟରେ ଯତ୍ର ତତ୍ର ଆତ୍ମଗୋପନ କରିଥିବା ରାକ୍ଷସମାନଙ୍କୁ ଅନୁସନ୍ଧାନ କଲେ Ι ସେମାନଙ୍କୁ ଏକତ୍ରିତ କରି ଏକ ଶକ୍ତିଶାଳୀ ଅସୁର ସାମ୍ରାଜ୍ୟ ଗଠନ କଲେ Ι ସ୍ୱର୍ଗ ଆକ୍ରମଣ କରି ଦେବତାମାନଙ୍କୁ ପରାସ୍ତ କଲେ ଓ ସେଠାରେ ବନ୍ଦୀ ଥିବା ଅସୁର ରମଣୀମାନଙ୍କୁ ଉଦ୍ଧାର କଲେ Ι ସେତେବେଳକୁ ରାଣୀ ଲୀଳାବତୀ(କାୟଧୁ) ଏକ ସୁନ୍ଦର ସଦ୍ ଗୁଣ ସମ୍ପନ୍ନ ସନ୍ତାନକୁ ଜନ୍ମ ଦେଇ ସାରିଥିଲେ Ι ଆଶ୍ରମରେ ନାରଦ ହିଁ ଥିଲେ ତାର ପୁଂସ ଅଭିଭାବକ, ପାଳନକର୍ତ୍ତା ଏବଂ ଦୀକ୍ଷାଗୁରୁ Ι
ସ୍ଵର୍ଗପୁରରେ ନିଜ ପତ୍ନୀକୁ ନ ପାଇ ନିରାଶ ହୋଇ ଫେରୁଥିବା ବେଳେ ହିରଣ୍ୟକୁ ଭେଟିଲେ ଦେବର୍ଷି ନାରଦ Ι ସେ ତାକୁ ନିଜ ଆଶ୍ରମକୁ ନେଇଗଲେ Ι ସେଠାରେ ମାତା ପୁତ୍ରଙ୍କୁ ଦେଖି ହିରଣ୍ୟ ଅତି ପ୍ରସନ୍ନ ହୋଇ ନାରଦଙ୍କୁ ପ୍ରଣାମ କଲେ ଓ କହିଲେ,”ଆପଣ ମୋ ସ୍ତ୍ରୀ ପୁତ୍ରର ଜୀବନ ରକ୍ଷା କରିଛନ୍ତି Ι ମୁଁ ସାରା ଜୀବନ ଆପଣଙ୍କ ନିକଟରେ ଋଣୀ ହୋଇ ରହିଲି Ι ଦେବତାକୁଳ ମୋର ଶତ୍ରୁ ହେଲେ ମଧ୍ୟ ଆପଣଙ୍କ ପାଇଁ ମୋର ଦ୍ୱାର ସର୍ବଦା ଉନ୍ମୁକ୍ତ ରହିବ Ι” ନାରଦଙ୍କ ମୁଖରୁ ସ୍ୱଭାବସୁଲଭ ଢଙ୍ଗରେ ଶବ୍ଦ ଦୁଇଟି ବାହାରିଗଲା,”ନାରାୟଣ, ନାରାୟଣ.”Ι ହିରଣ୍ୟ କହିଲା, “ମୋ ରାଜ୍ୟରେ ପ୍ରବେଶ କରିବା ସମୟରେ ଆପଣ ଏ ଦୁଇଟି ଶବ୍ଦକୁ ସାଙ୍ଗରେ ନେବେନାହିଁ ଦେବର୍ଷି Ι ସେ ନାରାୟଣ କେବଳ ମୋ ଭ୍ରାତାର ହତ୍ୟାକାରୀ ନୁହେଁ, ସେ ସାରା ଦାନବ ଜାତିର ଶତ୍ରୁ Ι ଆପଣଙ୍କ ମୁଖରେ ପୁଣି କେବେ ସେହି ଦୈତ୍ୟାରିର ନାମ ଶ୍ରବଣ କଲେ, ମୁଁ ଭୁଲିଯିବି ଯେ ଆପଣ କେବେ ମୋ ଗର୍ଭବତୀ ପତ୍ନୀର ଜୀବନ ରକ୍ଷା କରିଥିଲେ।

