ଅଁଳା ନବମୀ
ସାକ୍ଷୀଗୋପାଳ ମନ୍ଦିର ରେ କେବେଠାରୁ ଶ୍ରୀରାଧାଙ୍କ ପାଦ ଦର୍ଶନ ଅଁଳା ନବମୀ ଉତ୍ସବ ଆରମ୍ଭ ହେଇଥିଲା ତାହାର ସଠିକ୍ ନିର୍ଣ୍ଣୟ କଷ୍ଟକର। ବୋଧହୁଏ ଶ୍ରୀରାଧାଙ୍କ ବିଗ୍ରହ ପ୍ରତିଷ୍ଠା ତିଥି କୁ ଅଁଳା ନବମୀରେ ପାଳନ କରାଯାଏ। ସାକ୍ଷୀଗୋପାଳ ମନ୍ଦିର ରେ ଗହମ ପ୍ରସ୍ତୁତ ଭୋଗ ଗୋପାଳଜୀଙ୍କୁ ଭୋଗ ଲଗାଯାଏ। ମାତ୍ର ଅଁଳା ନବମୀ ଦିନ ନିକଟବର୍ତ୍ତୀ ଗ୍ରାମ ମାନଙ୍କରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଚୁଡାଘଷା ପ୍ରଭୁଙ୍କ ନିକଟରେ ଭୋଗ ଲଗାନ୍ତି।
କାର୍ତ୍ତିକ ଶୁକ୍ଳ ପକ୍ଷ ଅଁଳା ନବମୀ ତିଥି । ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ । ଏହି ପୁଣ୍ୟ ତିଥିରେ ଦର୍ଶନ କରାଯାଏ ଶ୍ରୀରାଧାଙ୍କ ପାଦପଦ୍ମ ଦର୍ଶନ । କୁହାଯାଏ ଏହି ଦିନ ଶ୍ରୀରାଧା ଓଡିଆଣୀ ବେଶରେ ସଜ୍ଜିତ ହୋଇଥାନ୍ତି । ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ନାହିଁନଥିବା ଭିଡ ଲାଗେ । ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଏହିଦିନ ଶ୍ରୀରାଧାଙ୍କ ପାଦ ଦର୍ଶନର ମାହାତ୍ମ୍ୟ ।
ନିଷ୍କାମ ଭକ୍ତିର ପରାକାଷ୍ଠା ଶ୍ରୀରାଧା । ଯାହାର ନାମ ସ୍ମରଣ ମାତ୍ରକେ ମନୁଷ୍ୟର ପାତକ ନାଶ ଯାଏ । ପବିତ୍ର ଅଁଳା ନବମୀରେ ତାଙ୍କର ପାଦ ଦର୍ଶନ ଲାଗି ଭକ୍ତଙ୍କ ମନ ବ୍ୟାକୁଳ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ଶ୍ରୀରାଧାରାଣୀ ଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି। ଏହି ଦିନଟି ପ୍ରତ୍ୟେକ ଓଡିଆଙ୍କ ପାଇଁ ସ୍ୱତନ୍ତ୍ର ।
କିମ୍ବଦନ୍ତୀ ଅନୁସାରେ,ରାଜା ଉନମାଧବ ଯମୁନା ନଦୀକୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇ ଥିଲେ।ପରବର୍ତ୍ତୀ ସମୟରେ ଏହି ମଣିବିଗ୍ରହ ବୃନ୍ଦାବନ ରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣ ପାଇଁ ସାକ୍ଷୀ ଦେବାପାଇଁ ଆସି କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରିଲେ ନାହିଁ ଓ ସାକ୍ଷୀଗୋପାଳ ନାମରେ ପୂଜା ପାଇଲେ ।
ପରବର୍ତ୍ତୀ ସମୟରେ ଓଡ଼ିଶାର ରାଜାପୁରୁଷୋତ୍ତମ ଦେବ କାଞ୍ଚି ବିଜୟକରି ପ୍ରଭୁ ଶ୍ରୀସାକ୍ଷିଗୋପାଳଙ୍କୁ ପୁରୀକୁ ସଙ୍ଗରେ ନେଇଆସିଲେ।ପୁରୀରୁ କଟକସ୍ଥ ବାରବାଟୀ ଦୁର୍ଗ, ବାରବାଟି ଦୁର୍ଗରୁ ଖୋର୍ଦ୍ଧାସ୍ଥ ରଥିପୁର ଓ ପରେ କନ୍ତଳବାଇକୁ ପ୍ରଭୁଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଶେଷରେ ପ୍ରଭୁଙ୍କ ମଣିବିଗ୍ରହ ପୁରୀ ଶ୍ରୀମନ୍ଦିରର ଭୋଗମଣ୍ଡପ ନିକଟ ରେ ସ୍ଥାପିତ ହେଲା। ସାକ୍ଷିଗୋପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପଦିନ ପରେ ରାଜା ରାମଚନ୍ଦ୍ର ଦେବଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ହେଲା – ସାକ୍ଷୀଗୋପାଳ ଭୋଗବୁହା ବାଟ ପାଖରେ ବସି ଆମର ପିଠା ଆଦି ସମସ୍ତ ମିଷ୍ଟାନ୍ନ ପଦାର୍ଥଗୁଡ଼ିକୁ ଆଗରୁ ଅଇଁଠା କରି ଦେଉଛନ୍ତି, ଆମେ ଉପବାସ ରହୁଛି।ରାଜାଙ୍କ ନିଦ ତତକ୍ଷଣାତ ଭାଙ୍ଗିଗଲା, ରାଜା ଭାରିବ୍ୟସ୍ତ ହୋଇ ପଡ଼ିଲେ । ରାଜା ଏହିପରି ଅଶ୍ୱସ୍ତିକର ଅବସ୍ଥାରେ ଥିବା ସମୟରେ ବାବା ବ୍ରହ୍ମଚାରୀ ନାମକ ଜଣେ ମରହଟ୍ଟା ସନ୍ନ୍ୟାସୀ ରାଜାଙ୍କ ପାଖକୁ ଯାଇ ପରାମର୍ଶ ଦେଲେ ପୁରୀ ଠାରୁ ୧୫ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟତୋୟା ରତ୍ନଚିରା ନଦୀ ତୀରବର୍ତ୍ତୀ ଛୁରି ଅନା, ବକୁଳ, ତମାଳ, କେତକୀ ଓ ନାରିକେଳ ବୃକ୍ଷ ପରିପୂର୍ଣ୍ଣ ପ୍ରାକୃତିକ ମନୋମୁଗ୍ଧକର ପରିବେଶରେ ଶ୍ରୀ ସାକ୍ଷୀ- ଗୋପାଳ ଙ୍କୁ ସ୍ଥାପନକର।ଏହି ଧାମଠିକ ବୃନ୍ଦାବନ ଧାମ ସଦୃଶ ପବିତ୍ର।
ରାଜା ଶ୍ରୀରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କ ପରାମର୍ଶକୁ ସାକ୍ଷୀଗୋପାଳଙ୍କ ଇଚ୍ଛା ଭାବି ଏହି ପ୍ରାକୃତିକ ବନରେ ପ୍ରଥମେ ସିଦ୍ଧ ବଳରାମଙ୍କ (ଶ୍ରୀ ଜଗନ୍ନାଥ ଙ୍କ ମାମୁ ଘର) ନିକଟରେ ଏକ ମନ୍ଦିର ପ୍ରତିଷ୍ଠା କରାଇ ଶ୍ରୀସାକ୍ଷୀଗୋପାଳଙ୍କୁ ସ୍ଥାପନ କରାଇଲେ । ପରବର୍ତ୍ତୀ କାଳରେ ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇ ଅଛି । ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ରହିଲେ । ଶ୍ରୀରାଧାଙ୍କ ମୂର୍ତ୍ତି ସ୍ଥାପନା ସମ୍ବନ୍ଧିତ କିମ୍ବଦନ୍ତୀ:– ଗୋପାଳ ଜୀ ଏଠି,ପ୍ରଭୁ ,ଶ୍ରୀରାଧା ବୃନ୍ଦାବନ ରେ। ପରସ୍ପର ସହିତ ମିଳନ ନ ହେବାରୁ ଉଭୟେ ମର୍ମାନ୍ତିକ ବିରହ ବେଦନା ଅନୁଭବ କଲେ । ସମୟକ୍ରମେ ପ୍ରିୟା ଶ୍ରୀରାଧା ସେବକ ସାହିସ୍ଥିତ ଶ୍ରୀସାକ୍ଷୀଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ମାନବୀ ଲକ୍ଷ୍ମୀ ରୂପରେ ଜନ୍ମଲାଭ କଲେ।ପ୍ରଭୁ ସାକ୍ଷୀ ଗୋପାଳ ନିତ୍ୟ ରାତ୍ରର ତୃତୀୟ ପ୍ରହରରେ ମନ୍ଦିର ଛାଡ଼ିଆସି ଲକ୍ଷ୍ମୀସହ ଲକ୍ଷ୍ମୀଙ୍କ ବାସଭବନ ରେ ମିଳିତ ହୁଅନ୍ତି ।
ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ବକୁଳବନରେ ଲକ୍ଷ୍ମୀସହ କେଳି କରନ୍ତି । ଅଧିକାଂଶ ସମୟରେ ପ୍ରଭୁଙ୍କ ବଂଶୀ, ରାତ୍ରପିନ୍ଧା ବସନ, ଚୂଳ ଆଦିଲକ୍ଷ୍ମୀ ଙ୍କ ଶୟନ ପଲଙ୍କରୁ ମିଳିବାରୁ ରାଜା ବଡ଼ପଣ୍ଡାଙ୍କୁ ଚୋର କହି ନାନା ନିର୍ଯ୍ୟାତନା ଦେଲେ । ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ସାକ୍ଷୀ ଗୋପାଳଙ୍କର ଶରଣ ପଶିଲେ ।
ଭକ୍ତବତ୍ସଳ ଭଗବାନ ପ୍ରଭୁ ସାକ୍ଷୀଗୋପାଳ ରାଜାଙ୍କୁ ସ୍ୱପ୍ନରେ କହିଲେ, ବଡ଼ପଣ୍ଡା ନିର୍ଦୋଷ, ମୋର ପ୍ରିୟା ରାଧା ତାଙ୍କ ଘରେ ଲକ୍ଷ୍ମୀ ରୂପରେ ଜନ୍ମଲାଭ କରିଛି । ତୁ ଯଥାଶୀଘ୍ର ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣ ପ୍ରତିମା ଶୀଘ୍ର ନିର୍ମାଣ କରାଇ ମୋ ପାଖରେ ପ୍ରତିଷ୍ଠା କର। ପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁସାରେ ରାଜା ଗଡ଼ଜାତ ରଣପୁର ଅଞ୍ଚଳରୁ କେତେକ କୁଶଳୀ କାରିଗର ଅଣାଇ ଲକ୍ଷ୍ମୀଙ୍କ ପରି ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ । ମୂର୍ତ୍ତିଟି ନିର୍ମାଣ ଆରମ୍ଭ ଦିନରୁ ଲକ୍ଷ୍ମୀ ରୋଗରେ ଶଯ୍ୟାଶାୟୀ ହେଲେ।ମୂର୍ତ୍ତିର ଜୀବନ୍ୟାସ ଦିଆହେବା ସମୟ ରେ ଲକ୍ଷ୍ମୀ ଇହଲୀଳା ସମ୍ବରଣ କରିଥିଲେ । ପ୍ରଭୁ ସାକ୍ଷୀଗୋପାଳଙ୍କ ଇଚ୍ଛାନୁଯାୟୀ ତାଙ୍କର ପ୍ରିୟା ଲକ୍ଷ୍ମୀଙ୍କ ମର ଶରୀରକୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସଂସ୍କାର କରାଯାଇଥିଲା ।
କିମ୍ବଦନ୍ତୀକୁ ସ୍ମରଣ ରଖିବାପାଇଁ ପରବର୍ତ୍ତୀ ସମୟ ରେ ଲକ୍ଷ୍ମୀଙ୍କ ସମାଧି ସ୍ଥଳରେ ଏକ ମହାବୀର ମନ୍ଦିର ପ୍ରତିଷ୍ଠା କରାଗଲା । ଲକ୍ଷ୍ମୀଙ୍କୁ ରାଧିକା ରୂପେ ପାଇ ଶ୍ରୀସାକ୍ଷୀଗୋପାଳଙ୍କ ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେଲା । ଠାକୁର ପଶ୍ଚିମାଞ୍ଚଳ ବାସୀ ହୋଇଥିବାରୁ ଅନ୍ନପ୍ରସାଦ ପରିବର୍ତ୍ତେ ଗହମ ଜାତ ସାମଗ୍ରୀ ଭୋଗ କରାଗଲା । ପଶ୍ଚିମାଞ୍ଚଳ ମହିଳାଙ୍କ ପରି ଦେବୀ ଶ୍ରୀରାଧାଙ୍କ ପିନ୍ଧା ଶାଢ଼ୀ ଦ୍ୱାରା ତାଙ୍କର ପାଦପଦ୍ମ ବର୍ଷସାରା ଘୋଡ଼ାଇ ହୋଇ ରହିଲା ।
ଏହି ଭଳି କିଛି ଦିନ ଯିବା ପରେ କେତେକ ବିଦ୍ୱାନ ପଣ୍ଡିତ ବିଚାର କଲେ ଠାକୁରାଣୀ ମାନବୀ ଲକ୍ଷ୍ମୀ ଶ୍ରୀରାଧା ଙ୍କ ସ୍ଥାନ ନେଲେ।ଆମ ସାଂସ୍କୃତିକ ପରମ୍ପରା କିଛି ନମୁନା ତ ଦିନ ଟିଏ ହେଲେ ମଧ୍ୟ ପାଳିତ ହେବା ବାଞ୍ଛନୀୟ। ତାଙ୍କୁ ବର୍ଷର ଅନ୍ତତଃ ଗୋଟିଏ ଦିନ ହେଲେ ବି ଓଡ଼ିଆଣୀ ବେଶ ଧାରଣ କରିବାକୁ ହେବ। ପରିଶେଷରେ ସ୍ଥିର ହେଲା ରାଧା ରୂପେ ପୂଜା ପାଉଥିବା ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୂର୍ତ୍ତି ପ୍ରତିଷ୍ଠା ଦିବସ କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀ ତିଥିରେ ଓଡ଼ିଆଣୀ ବେଶ ଅନୁଷ୍ଠିତ ହେବ। ବେଶ ସମୟ ରେ ଠାକୁରାଣୀ କାଣିଆ କଛା ମାରନ୍ତି, ଫଳରେ ବର୍ଷସାରା ଶାଢ଼ୀରେ ଆବୃତ ହୋଇ ରହିଥିବା ଠାକୁରାଣୀଙ୍କ ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରିବାର ମହାର୍ଘ ସୁଯୋଗ ଲାଭ କରନ୍ତି। ଏହି ଦିନ ଶ୍ରୀଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ *ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ ।