ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ
ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ
!! ଭାଗ – ୧୪୭ !!
ଡା.କୃପାସିନ୍ଧୁ ମିଶ୍ର
✤●○●○●○✤‼️✤○●○●○●✤
ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍
✤●○●○●○✤♾️✤○●○●○●✤
══━━━━✥◈❤️◈✥━━━━══
ଅପେକ୍ଷା ଗୃହରେ ଲକ୍ଷ୍ମଣଙ୍କୁ ଘେରି ରହିଥିଲେ ମଇନ୍ଦ, ଦ୍ୱିବିନ୍ଦ, ଗବୟ, ଗବାକ୍ଷ, ବୀରବାହୁ, ସୁବାହୁ, ଗଜ ଓ ଶରଭ ଆଦି ବାନର ମୂଖ୍ୟମାନେ Ι କିନ୍ତୁ ଲକ୍ଷ୍ମଣ ସେମାନଙ୍କ ସହ ପ୍ରେମପୂର୍ଣ୍ଣ ସମ୍ଭାଷଣ କରିବା ଅବସ୍ଥାରେ ନ ଥିଲେ Ι ଅନ୍ତଃପୁର ଆଡୁ କୌଣସି ସମ୍ବାଦ ଆସୁ ନ ଥିଲା Ι କ୍ରୋଧରେ ଅଗ୍ନିଶର୍ମା ହୋଇ ସେ ଆସନ ତ୍ୟାଗ କରି ଉଠିଲେ Ι
ତେଣେ ତାରା ଅଙ୍ଗଦଙ୍କୁ ସୁଗ୍ରୀବଙ୍କ ନିକଟକୁ ପଠାଇ ଦେଇ ନିଜେ ଲକ୍ଷ୍ମଣଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହେବାରେ ଲାଗିଲେ Ι ଅଙ୍ଗଦ ରଙ୍ଗମହଲର ଦୃଶ୍ୟ ଦର୍ଶନ କରି ଅଭ୍ୟନ୍ତରକୁ ପ୍ରବେଶ କରିବାକୁ ଇଚ୍ଛା କଲେନାହିଁ Ι ସୁଗ୍ରୀବଙ୍କୁ ସାବଧାନ କରାଇବା ଆବଶ୍ୟକ ଥିଲା Ι ସେ ନ ଯଯୌ ନ ତସ୍ଥୌ ଅବସ୍ଥାରେ ଏ ପଟ ସେ ପଟ ହେଉଥିଲେ Ι
ଲକ୍ଷ୍ମଣ କ୍ରୋଧରେ ହିତାହିତ ଜ୍ଞାନ ବିସର୍ଜନ ଦେଇ ଅନ୍ତଃପୁର ଆଡକୁ ଅଗ୍ରସର ହେଲେ Ι ପ୍ରଥମ ଦ୍ୱାର ଅତିକ୍ରମ କରି ସେ ଯାହା ଦେଖିଲେ ସେଥିରେ ତାଙ୍କର ବାନର ପୁରୀ ଉପରେ ଥିବା ଧାରଣା ପରିବର୍ତ୍ତିତ ହୋଇଗଲା Ι ଯେ କୌଣସି ବିତ୍ତଶାଳୀ ସମ୍ରାଟଙ୍କ ନବର ଅପେକ୍ଷା କିଷ୍କିନ୍ଧ୍ୟା ନବର କୌଣସି ଗୁଣରେ କମ୍ ନ ଥିଲା Ι ସୁବର୍ଣ୍ଣ, ରଜତ, ମଣି, ମାଣିକ୍ୟରେ ଖଚିତ ମହଲର ତୋରଣ ଓ ସ୍ତମ୍ଭମାନ ଜ୍ୟୋତିର୍ମୟ ଲାଗୁଥିଲେ Ι ପ୍ରତ୍ୟେକ ଦ୍ୱାରରେ ଶକ୍ତିଶାଳୀ ବାନରମାନଙ୍କୁ ରକ୍ଷୀ ଭାବରେ ନିଯୁକ୍ତ କରାଯାଇଥିଲା Ι ଦ୍ୱାର ପରେ ଦ୍ୱାର ଅତିକ୍ରମ କରୁଁ କରୁଁ ସେ ଦେଖିଲେ, ସୁନ୍ଦରୀ ବାନରୀମାନେ ପୁଷ୍ପମାଲ୍ୟ ଗୁନ୍ଥିବାରୁ ଆରମ୍ଭ କରି ନାନାବିଧ ଗୃହସଜ୍ଜା କାର୍ଯ୍ୟରେ ରତ ଥିଲେ Ι ଶୟନ ଗୃହମାନ ମୂଲ୍ୟବାନ ଉପକରଣରେ ସଜ୍ଜିତ ଥିଲେ Ι
ସ ସପ୍ତ କକ୍ଷାଃ ଧର୍ମାତ୍ମା ଯାନାସନ ସମାବୃତାଃ,
ପ୍ରବିଶ୍ୟ ସୁମହତ୍ ଗୁପ୍ତମ୍ ଦଦର୍ଶାନ୍ତଃପୁରମ୍ ମହତ୍ Ι
ହୈମ ରଜତ ପର୍ଯ୍ୟଙ୍କେ ବହୁଭି ଚ ବରାସନୈଃ,
ମହାର୍ହାସ୍ତରଣୋପେତୈଃ ତତ୍ର ତତ୍ର ସମାବୃତଂ” Ι[ବାଲ୍ମୀକି ରାମାୟଣ]
କେଉଁଠି ପାଲିଙ୍କି ଓ ସବାରୀମାନ ରଖାଯାଇଛି Ι ଅନ୍ୟ କେଉଁଠି ସ୍ୱର୍ଣ୍ଣ ରୌପ୍ୟ ଆଦି ମୂଲ୍ୟବାନ ଧାତୁଖଚିତ ପଲଙ୍କ ଉପରେ କୁସୁମ ଶଯ୍ୟା ପଡିଛି Ι ଶୋଭନୀୟ କାଷ୍ଠ ଓ ଧାତୁନିର୍ମିତ ଆସନମାନ ଯଥାସ୍ଥାନରେ ରଖାଯାଇଛି Ι ଆଗକୁ ଆଗକୁ ବଢ଼ୁଥିଲେ ଲକ୍ଷ୍ମଣ Ι ରକ୍ଷୀମାନେ ସୁଗ୍ରୀବଙ୍କ ସିଂହାସନ ଆରୋହଣ ସମୟରେ ଲକ୍ଷ୍ମଣଙ୍କୁ ଦେଖିଥିଲେ Ι ସେମାନେ ଦ୍ୱାର ଛାଡି ଆଡେଇ ଯାଉଥିଲେ Ι
“ପ୍ରବିଶନ୍ ଏବ ସତତମ୍ ସୁଶ୍ରାବ ମଧୁର ସ୍ୱନମ୍,
ତନ୍ତ୍ରୀ ଗୀତ ସମାକୀର୍ଣ୍ଣମ୍ ସମତାଳ ପଦାକ୍ଷରମ୍ Ι
ବହ୍ୱୀଃ ଚ ବିବିଧାକାରାଃ ରୂପ ଯୌବନ ଗର୍ବିତାଃ,
ସ୍ତ୍ରୀୟଃ ସୁଗ୍ରୀବ ଭବନେ ଦଦର୍ଶ ସ ମହାବଳଃ Ι”[ବାଲ୍ମୀକି ରାମାୟଣ ]
ଭିତରୁ ଅବିରାମ ନୁପୂର ନିକ୍ୱଣ, ବୀଣା ଓ ଅନ୍ୟ ଅନେକ ବାଦ୍ୟଯନ୍ତ୍ରର ମଧୁର ଧ୍ୱନି ସହ କୌଣସି ସୁଶ୍ରୀ ମର୍କଟୀର ତାଳ ଲୟ ଯୁକ୍ତ କଣ୍ଠନିଃସୃତ ସଙ୍ଗୀତ ଭାସି ଆସୁଥିଲା Ι ଚତୁର୍ପାର୍ଶ୍ୱରେ ନିର୍ଭୟରେ ବିଚରଣ କରୁଥିବା ସୁନ୍ଦରୀ ସୁଶୀଳା ବାନରୀମାନଙ୍କୁ ଦେଖି ଲକ୍ଷ୍ମଣ ସଙ୍କୋଚ ଅନୁଭବ କଲେ Ι ନିୟମ ଅନୁସାରେ “ଅନେନ ପରସ୍ୟ ଅନ୍ତଃପୁରେ ସହସା ନ ପ୍ରବେଶ୍ତବ୍ୟମ୍ ଇତି ସୂଚୀତମ୍ Ι କିନ୍ତୁ ଲକ୍ଷ୍ମଣ ପ୍ରବେଶ କରି ସାରିଥିଲେ Ι ତାଙ୍କ ସମ୍ମୁଖରେ ଗଜଦନ୍ତ ପଲଙ୍କ ଉପରେ ବାନରୀଗଣଙ୍କ ମଧ୍ୟରେ ସୁଗ୍ରୀବ ବିରାଜମାନ ହୋଇଥିଲେ Ι
“ଚନ୍ଦ୍ରମାଙ୍କୁ ତାରାଗଣେ ବେଢ଼ିଥିଲା ପରି Ι ରୋମା ଆଦି ନାରୀଗଣ ରହିଛନ୍ତି ଘେରି Ι
ଏହିପରି ସୁଗ୍ରୀବଙ୍କ ଦେଖି କାରବାର, ଅତ୍ୟନ୍ତ କ୍ରୋଧ ହୋଇଣ ଲଇକ୍ଷଣ ବୀର Ι
ଆପଣା କାର୍ମୁକ ମଧ୍ୟେ ଚଢ଼ାଇଣ ବାଣ, କର୍ଣ୍ଣଯାଏଁ ଟାଣି ବିନ୍ଧିଦେଲେ ତତକ୍ଷଣ Ι
ବଜ୍ର ସମ ଧ୍ୱନି କରି ସେହି ବାଣ ଗଲା Ι ସୁଗ୍ରୀବଙ୍କ ତ୍ରୋଣ ଖମ୍ବେ ନିକିଳି ରହିଲା Ι
ବାଦ୍ୟ ଯନ୍ତ୍ର ବାଉଥିଲେ ଯେ ରମଣୀଗଣ, ଯନ୍ତ୍ର ଛାଡି ପଡିଗଲେ ମୂର୍ଚ୍ଛିତା ହୋଇଣ Ι”
ସତେ ଯେମିତି ଭୂମିକମ୍ପ ହେଲା Ι ସାରା ରାଜଭବନ ଥରହର ହେଲା Ι କେତେକ ବାନର ଓ ବାନରୀ ଅନ୍ତଃପୁର ତ୍ୟାଗ କରି ପଳାୟନ କଲେ Ι ସୁଗ୍ରୀବଙ୍କ ମଦିରାର ନିଶା ଛାଡି ଯାଇଥିଲା Ι ସେ ପଲଙ୍କ ଉପରୁ ଲମ୍ପ ପ୍ରଦାନ କଲେ Ι ତାଙ୍କ ପୂର୍ବରୁ ତଳକୁ ଓହ୍ଲାଇ ପଡ଼ିଥିଲେ ରୋମା Ι ସେ ତାଙ୍କ ପଛପଟେ ଆତ୍ମଗୋପନ କଲେ Ι ଏହା ମଧ୍ୟରେ ତାରା ବନ୍ଦାପନା କରିବା ପାଇଁ ଅର୍ଘ୍ୟଥାଳି ହସ୍ତରେ ଲକ୍ଷ୍ମଣଙ୍କ ନିକଟରେ ଉପସ୍ଥିତ ହୋଇଯାଇଥିଲେ Ι
“ଏହି ସମୟରେ ତାରା ଧରି ଅର୍ଘ୍ୟଥାଳି, କରୀଗତି କରି ଧୀରେ ବାହାରିଲା ବାଳୀ Ι
ବୀର ଲକ୍ଷ୍ମଣଙ୍କ ପାଶେ ପ୍ରବେଶ ହୋଇଣ, ଦରହସି ମୄଦୁବାକ୍ୟେ କହିଲାକ ପୁଣ Ι
ହେ ଦେବର ତୁମ୍ଭେ ଅଟ ଧାର୍ମିକ ପ୍ରବର,କାହା ପରେ କରିଅଛ ରୋଷ କହ ବୀର ?”[କ୍ଷେତ୍ରମୋହନ]
ତୁମେ ଦୟାର ସାଗର Ι ତୁମେ କ୍ଷମାଶୀଳ Ι ତୁମେ ଚାହିଁଲେ ଏ କିଷ୍କିନ୍ଧ୍ୟା ନଗରୀକୁ କ୍ଷଣକରେ ଭସ୍ମୀଭୂତ କରିପାର Ι ମୁଁ ଅବଳା, ଦୁର୍ବଳା, ତୁମକୁ କିପରି ଶାନ୍ତ କରିବି ବୁଝିପାରୁନାହିଁ Ι ତୁମେ ପ୍ରଥମେ ଆସନ ଗ୍ରହଣ କର Ι ତୁମ ଭ୍ରାତାଙ୍କ ମିତ୍ରଙ୍କ ପତ୍ନୀ ଭାବରେ ମୁଁ ମଧ୍ୟ ତୁମର ଭାଉଜ Ι ମୋର ଅନୁରୋଧ ରକ୍ଷା କରି କୋପ ଶାନ୍ତ କର Ι l ଲକ୍ଷ୍ମଣଙ୍କ ରୋଷ ପ୍ରଶମିତ ହେଲା.”
[କ୍ରମଶଃ]
❣️༒ ଜୟ ଶ୍ରୀ ରାମ༒ ❣️

