ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ

“ନ ପାହୁ ରାତି ନ ମରୁ ପତି. ଏକରାତି ହେଉ ସପତ ରାତି “
‘ଲକ୍ଷ୍ମଣଙ୍କ ଶକ୍ତିଭେଦ’ ଏକ ବିବଦମାନ ଅଧ୍ୟାୟ Ι ବାଲ୍ମୀକି ରାମାୟଣରେ ରାବଣ ଲକ୍ଷ୍ମଣଙ୍କୁ ଶତୃଘାତିନୀ ଏକଘ୍ନୀ ଶକ୍ତି ଦ୍ୱାରା ମୂର୍ଚ୍ଛିତ କରିବା ବିଷୟ ଲେଖିଥିଲେ Ι ରାମଚରିତମାନସରେ ଇନ୍ଦ୍ରଜିତ ତାଙ୍କୁ ବୀରଘାତିନୀ ଶକ୍ତି ମାରିଥିଲେ ବୋଲି ବର୍ଣ୍ଣନା କରାଯାଇଛି Ι “କୁମ୍ଭିରିଣୀ, କାଳନେମୀ ଵଧ, ଭରତ ଓ ହନୁମାନଙ୍କ ସାକ୍ଷାତ” ଆଦି କେବଳ ରାମଚରିତ ମାନସରେ ବର୍ଣ୍ଣିତ ଅଛି Ι ବାଲ୍ମୀକି ରାମାୟଣରେ କେବଳ ହନୁମାନ ଗୁଳ୍ମ ଚିହ୍ନି ନ ପାରି ପର୍ବତ ଶୃଙ୍ଗ ଉଠାଇ ଆଣିବା ବିଷୟ ଲେଖା ଅଛି Ι ଆମ ଓଡ଼ିଆ ରାମାୟଣରେ ରାମଚରିତ ମାନସ ଅନ୍ତର୍ଗତ ବିଷୟ ସହ ଏକ ସ୍ୱତନ୍ତ୍ର ଅଧ୍ୟାୟ ଯୋଡି ଦିଆଯାଇଛି.”ନ ପାହୁ ରାତି…Ι”


ଓଡ଼ିଶାର ଘରେ ଘରେ ଏ ବିଷୟ ଏତେ ପରିଚିତ ଯେ “ଏହା ମୂଳ ରାମାୟଣରେ ନାହିଁ” କହିଲେ, ଅନେକ ପାଠକ ପାଠିକା ମନ କଷ୍ଟ କରିବେ Ι ତଥାପି ଏଭଳି ଏକ ଅଧ୍ୟାୟର ସୃଷ୍ଟି ମୂଳରେ ଯୁକ୍ତିଟିଏ ଦିଆଯାଇଛି ଯେ ଏତେ କମ୍ ସମୟ ଭିତରେ ଏତେ ଗୁଡିଏ ଘଟଣା ସଂଘଟିତ ହେବା ବିଶ୍ୱାସଯୋଗ୍ୟ ହେଉନାହିଁ Ι ତେଣୁ ଏହି ଗଳ୍ପର ଅବତାରଣା Ι ପ୍ରଥମେ ଆମେ ଏହି ଅତି ପରିଚିତ ‘ଲକ୍ଷହୀରା’ ବା ‘ନ ପାହୁ ରାତି ନ ମରୁ ପତି’ କାହାଣୀର ସ୍ମୃତିଚାରଣ କରିନେବା Ι ଘଟଣାଟିକୁ ଓଡ଼ିଶାର ବୈତରଣୀ ନଦୀ କୂଳସ୍ଥ ବୈତରଣୀ ଗ୍ରାମରେ ଘଟିଥିବା କଥା କହି କବି ଏହି କାହାଣୀର ଉତ୍ପତ୍ତି ଓଡ଼ିଶାରେ ବୋଲି ସୂଚନା ଦେଇଛନ୍ତି Ι


ସେହି ଗ୍ରାମରେ ବିଷ୍ଣୁ ଦାସ ନାମରେ ଗରୀବ ବ୍ରାହ୍ମଣଟିଏ ଥାଏ Ι ତାର ସ୍ତ୍ରୀ ଅନସୂୟା ଅତ୍ୟନ୍ତ ପତି ପରାୟଣା Ι ବିଷ୍ଣୁଦାସ ଭିକ୍ଷା ବୃତ୍ତି କରି ଯାହା ଆଣେ, ସେଇଥିରେ ଦୁଇ ପ୍ରାଣୀ ଆନନ୍ଦରେ ଚଳନ୍ତି Ι କିଛି ଦିନ ଅନ୍ତେ ବିଷ୍ଣୁଦାସ ଦେହରେ କୁଷ୍ଠ ରୋଗର ଲକ୍ଷଣମାନ ଦେଖାଗଲା Ι ତାକୁ ଗ୍ରାମ ବାସୀ ଗ୍ରାମରୁ ବାହାର କରି ଦେଲେ Ι ଦୁଆର ମୁହଁକୁ ଗଲେ ମାରି ଗୋଡ଼ାଇଲେ Ι ଭିକ୍ଷା ନ ମିଳିବାରୁ ଚଳିବା କଷ୍ଟକର ହେଲା Ι ଅନସୂୟା ଲୋକମାନଙ୍କ ଘରେ କାମ କରି ପେଟ ପୋଷିଲା ଭଳି କିଛି କିଛି ଉପାର୍ଜନ କରୁଥିଲେ Ι ଦୁରାରୋଗ୍ୟ ଘୃଣ୍ୟ ବ୍ୟାଧି ସତ୍ତ୍ୱେ ସେ ସ୍ୱାମୀର ଯତ୍ନ ନେବାରେ ତିଳେ ମାତ୍ର ହେଲା କରୁ ନ ଥାନ୍ତି Ι ତାକୁ ଗାଧୋଇ ଦେବା, ତାର କ୍ଷତ ସ୍ଥାନ ସବୁ ସଫା କରିବା, ତାକୁ ରାନ୍ଧିବାଡ଼ି ଖୁଆଇବା ଏବଂ ଶୋଇବା ବେଳେ ବିଞ୍ଚିଦେବା କାର୍ଯ୍ୟ ଆଗ୍ରହର ସହ କରୁଥାନ୍ତି Ι ବିଷ୍ଣୁଦାସ ଦିନ ସାରା ଗୃହ ବାରଣ୍ଡାରେ ବସିଥାଏ Ι ସେହି ପଥ ଦେଇ ଲୋକେ ନଦୀକୁ ଯାଉଥାନ୍ତି Ι ଦିନେ ନଗରର ସର୍ବଶ୍ରେଷ୍ଠା ରୂପସୀ ବାରାଙ୍ଗନା ‘ଲକ୍ଷହୀରା’ ଅନ୍ୟ ଏକ ସଖୀ ସହ ସେହି ମାର୍ଗ ଦେଇ ଯାଉଥିଲେ Ι ତାଙ୍କର ରୂପଲାବଣ୍ୟ ଦର୍ଶନ କରି ବିଷ୍ଣୁ ଦାସ ମନରେ ଏକ ଅସମ୍ଭବ ଲାଳସା ଜାଗ୍ରତ ହେଲା Ι କିନ୍ତୁ ସେ ଜାଣିଥିଲା ଯେ ଏହା ଏକ ଦୁଷ୍ପ୍ରାପ୍ୟ କାମନା Ι ନିଜ ମନର ଏହି ଅଭିଳାଷାକୁ ସେ କାହାକୁ କହୁ ନ ଥାଏ Ι ସେ ଚିନ୍ତାରେ ବୁଡି ରହି ଆହାର, ନିଦ୍ରା ତ୍ୟାଗ କରିଦେଲା Ι ତାର ସତୀ ସ୍ତ୍ରୀ ଦୃଷ୍ଟିରୁ ଏ କଥା ବା ଲୁଚିପାରନ୍ତା କେମିତି ? ବହୁ ସମୟ ପଚାରିବା ପରେ, ରାଣ ନିୟମ ଦେବାରୁ ବିଷ୍ଣୁଦାସ କହିଲା,” ଗୋଟିଏ ରାତି ପାଇଁ ହେଲେ ବି ମୋର ଲକ୍ଷହୀରା ଦରକାର Ι ତାକୁ ନ ପାଇଲେ ମୁଁ ନ ଖାଇ ନ ପିଇ ପ୍ରାଣ ହାରିଦେବି Ι” ଅନସୂୟା ଚମକି ପଡିଲେ Ι ଲକ୍ଷହୀରାର ଗୋଟିଏ ରାତ୍ରିର ମୂଲ୍ୟ ଏକଲକ୍ଷ ସ୍ୱର୍ଣ୍ଣ ମୁଦ୍ରା Ι ସୁସ୍ଥ ସବଳ ସୁନ୍ଦର ପୁରୁଷମାନେ ମଧ୍ୟ ତାର ସାନ୍ନିଧ୍ୟ ଲାଭ କରିପାରନ୍ତି ନାହିଁ Ι ଏଇ କପର୍ଦ୍ଦକଶୂନ୍ୟ କୁଷ୍ଠରୋଗୀ ଭିକ୍ଷୁକକୁ ସେ ଘୃଣାରେ ମଧ୍ୟ ଥରେ ବୁଲି ଚାହିଁବ ନାହିଁ Ι ସ୍ୱାମୀର ଅନ୍ତିମ ନିର୍ଣ୍ଣୟ ଶ୍ରବଣ କରିବା ପରେ ସେ କହିଲେ,”ସ୍ୱାମୀ, ଆପଣ ଖିଆ ପିଆ କରନ୍ତୁ Ι ନିଶ୍ଚିନ୍ତ ରହନ୍ତୁ Ι

ଯେପରି ହେଉ,ଆପଣଙ୍କୁ ଗୋଟିଏ ରଜନୀ ଲକ୍ଷହୀରାର ସଙ୍ଗସୁଖ ଦେବା ପାଇଁ ମୁଁ ପ୍ରାଣପଣେ ଚେଷ୍ଟା କରିବି Ι” ତା ପର ଦିନ ଠାରୁ ବ୍ରାହ୍ମଣ ପତ୍ନୀ ଅନସୂୟା ବାରବନିତା ଲକ୍ଷହୀରାର ଗୃହାଙ୍ଗନ ସମାର୍ଜନା କରିବାରେ ଲାଗିଲେ Ι ରାତି ଥାଉଁ ଥାଉଁ ସେ ତାର ଗୃହ ଅଗଣା ଏବଂ ତାର ଚତୁର୍ପାର୍ଶ୍ୱରେ ଜଳ ସିଞ୍ଚି ସମାର୍ଜନୀରେ ପରିଷ୍କାର କରିଦେଇ ଗୃହକୁ ଫେରିଆସନ୍ତି Ι ଲକ୍ଷହୀରା ଦିନେ ତାକୁ ଏପରି କରୁଥିବାର ଦେଖିଲେ ଏବଂ ଏଭଳି କରିବାର କାରଣ ପଚାରିଲେ Ι ଅନସୂୟା ତାଙ୍କୁ ନିଜର ପରିଚୟ ଦେଲେ Ι ନିଜର ସ୍ୱାମୀର ପରିଚୟ ଓ ତାର ଅସାଧ୍ୟ ରୋଗ ବିଷୟରେ ମଧ୍ୟ କହିଲେ Ι ସବୁ ଶୁଣିସାରି ଲକ୍ଷହୀରା ହସିଲେ Ι କହିଲେ,” ତୁମେ କେଉଁ ସାହସରେ ତୁମ ସ୍ୱାମୀକୁ ଏପରି ଏକ ଅସମ୍ଭବ ପ୍ରତିଶ୍ରୁତି ଦେଇ ପାରିଲ ?” ଅନସୂୟା କହିଲା ,” ମୋର ମୋ ପତିଭକ୍ତିରେ ଯେଉଁ ନିଷ୍ଠା ଅଛି, ସେହି ସାହସରେ Ι ଆପଣ ଗଣଭୋଗ୍ୟା ରୂପଜୀବୀ ହେଲେ ମଧ୍ୟ ଜଣେ ନାରୀ Ι ଆପଣଙ୍କ ହୃଦୟରେ ଅନ୍ୟ ଏକ ନାରୀ ପାଇଁ ନିଶ୍ଚୟ ସହାନୁଭୂତି ଥିବ Ι ଆପଣ ମୋତେ ଏତିକି ଦୟା କରନ୍ତୁ Ι ଆପଣ ଚାହିଁଲେ, ମୁଁ ଜୀବନ ସାରା ଆପଣଙ୍କ ସେବା କରିବି Ι” ଲକ୍ଷହୀରା କହିଲେ, ”ଅସମ୍ଭବ !” ଅସୂୟା କହିଲେ,”ତା ହେଲେ ମୁଁ ଆପଣଙ୍କ ଦ୍ୱାରଦେଶରେ ମୁଣ୍ଡ ପିଟି ପ୍ରାଣ ଦେଇଦେବି Ι” ଏତିକି କହି ସେ ସତକୁ ସତ ଏକ ପ୍ରସ୍ତର ଉପରେ ମୁଣ୍ଡ ପିଟିବାରେ ଲାଗିଲେ Ι ବାଧ୍ୟ ହୋଇ ଲକ୍ଷହୀରା ଅନସୂୟା ପ୍ରସ୍ତାବରେ ରାଜି ହେଲେ Ι କହିଲେ, ”କାଲି ରାତିରେ ତାଙ୍କୁ ନେଇ ଏଠାକୁ ଆସ Ι”


ସ୍ୱାମୀକୁ ଯଥାସାଧ୍ୟ ପରିଷ୍କାର ପରିଚ୍ଛନ୍ନ କରି ଉତ୍ତମ ବସ୍ତ୍ରଟିଏ ପରିଧାନ କରାଇ ଅନସୂୟା ବେଶ୍ୟାଳୟକୁ ନେଇଗଲେ Ι ସେଠାରେ ସେ ବାହାରେ ଅପେକ୍ଷା କଲେ Ι ବିଷ୍ଣୁ ଦାସ ଗୃହ ଭିତରେ ପ୍ରବେଶ କଲା Ι ସେ ଗୃହର ସାଜସଜ୍ଜା ଦେଖି ଆଶ୍ଚର୍ଯ୍ୟ ହୋଇଗଲା Ι ସେ ଆହୁରି ବିସ୍ମିତ ହେଲା, ଯେତେବେଳେ ଲକ୍ଷହୀରା ସମ୍ପୂର୍ଣ୍ଣ ରୂପସଜାରେ ଭୂଷିତା ହୋଇ ତା ନିକଟରେ ଆସି ବସିଗଲେ Ι ବିଷ୍ଣୁଦାସର ତଣ୍ଟି ଶୁଖିଗଲା Ι ଲକ୍ଷହୀରା ତା ସହ ପ୍ରେମାଳାପ ଆରମ୍ଭ କରିବା ଦେଖି ତାର ଦେହ ଥରିଲା Ι ତାକୁ ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା Ι ବିକଳରେ ସେ ମାଗିଲା, “ପାଣି, ମୋତେ ପିଇବାକୁ ଟିକିଏ ପାଣି ମିଳିବ ?” ଲକ୍ଷହୀରା ତାଳି ମାରିଲେ Ι ଦାସୀ ଦୁଇଟି ପାତ୍ରରେ ଜଳ ନେଇ ଆସିଲା Ι ଗୋଟିଏ ସୁବର୍ଣ୍ଣର ପାତ୍ର Ι ଅନ୍ୟଟି ମୃତ୍ତିକା ନିର୍ମିତ ଜଳପାତ୍ର Ι ବିଷ୍ଣୁଦାସ କିଛି ବୁଝିପାରିଲା ନାହିଁ Ι ପଚାରିଲା,” ଏ କଣ ? ଦୁଇଟି ପାତ୍ରରେ ଜଳ କାହିଁକି ?” ଲକ୍ଷହୀରା କହିଲେ,” ୟେ ଯେଉଁ ସୁବର୍ଣ୍ଣ ପାତ୍ର ଦେଖୁଛ, ଏଥିରେ ପଙ୍କିଳ ପୁଷ୍କରିଣୀର ଗୋଳିଆ ଜଳ ଅଛି Ι ଏହି ମୃତ୍ତିକା ପାତ୍ରରେ ନିର୍ମଳ ପାନୀୟ ଜଳ ଅଛି Ι ତୁମେ କେଉଁ ପାତ୍ରର ଜଳ ପିଇବ ବିଷ୍ଣୁ ?” ବିଷ୍ଣୁଦାସ କହିଲା,” ମୁଁ ସେହି ମୃତ୍ତିକା ପାତ୍ରର ବିଶୁଦ୍ଧ ଜଳ ପିଇବି Ι”


ଲାକ୍ଷହୀରା କହିଲେ,”ମୁଁ ହେଉଛି ଏହି ସୁବର୍ଣ୍ଣ ପାତ୍ରର ଦୂଷିତ ଜଳ Ι ତୁମର ପତିପ୍ରାଣା ପତ୍ନୀ ଏହି ମୃତ୍ତିକା ପାତ୍ରରେ ଥିବା ପବିତ୍ର ନିର୍ମଳ ସଲିଳ Ι କାହାକୁ ଚାହୁଁଛ ବିଷ୍ଣୁ ?” ବିଷ୍ଣୁଦାସ ନିଜର ଭୁଲ୍ ବୁଝିପାରିଲା Ι ସେ ନିଜର ଦେବୀତୁଲ୍ୟା ପତ୍ନୀକୁ ଅନାଦର କରିଥିବାରୁ ଅନୁତାପ କଲା Ι ଲକ୍ଷହୀରା ଅନସୂୟାକୁ ଡାକି ତାକୁ ତାର ସ୍ୱାମୀକୁ ସମର୍ପିଦେଲେ Ι ସେ କହିଲେ, “ଆଉ ତୁମ ସ୍ୱାମୀ କେବେ ମଧ୍ୟ ତୁମ ବ୍ୟତୀତ ଅନ୍ୟ କେଉଁ ନାରୀ ଉପରକୁ ଦୃକ୍ ପାତ କରିବେ ନାହିଁ Ι ” ଅନସୂୟା ଲକ୍ଷହୀରାଙ୍କୁ ନମସ୍କାର କଲେ Ι କହିଲେ, ତୁମର ଶରୀରର ମୂଲ୍ୟ ଏକଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ବୋଲି ଶୁଣିଥିଲି, ଏବେ ଦେଖିଲି, ତୁମ ହୃଦୟର ମୂଲ୍ୟ ବହୁ ଲକ୍ଷ ହୀରା ଠାରୁ ମଧ୍ୟ ଅଧିକ Ι
to be continued-

✿❁❣️༒ ଜୟ ଶ୍ରୀ ରାମ༒ ❣️❁✿

Leave a Comment

Your email address will not be published. Required fields are marked *