ଆମର ପୂର୍ବପୁରୁଷ ଙ୍କ ପାଇଁ କଣ ଦରକାର
ଲୋକନାଥ ମିଶ୍ର
ପିଣ୍ଡଦାନର ମୁଖ୍ୟ ଉଦ୍ଦେଶ୍ୟ :
ପରାଗତ ଆତ୍ମାକୁ ତୃପ୍ତି ବା ମୁକ୍ତିପାଇଁ ସାହାଯ୍ୟ କରିବା । ମୃତ୍ୟୁପରେ ଆତ୍ମା ତା’ କର୍ମଫଳକୁ ନେଇ ତିନି ଲୋକ ଯାଇପାରେ : ମୃତ୍ୟୁ ବା ପ୍ରେତଲୋକ, ଦେବଲୋକ ଏବଂ ସ୍ୱର୍ଗଲୋକ । ସ୍ୱର୍ଗ ଲୋକ ଯିବାରେ ଆତ୍ମା ନିର୍ବାଣ ପ୍ରାପ୍ତି ବା ମୋକ୍ଷହୁଏ । ଆଉ ଦୁଃଖ, ସୁଖ, ଶୋକ ଓ ଯନ୍ତ୍ରଣାକୁ ପୁର୍ନଜନ୍ମ ନାହିଁ : ଚିରଶାନ୍ତି । ଏଥିରୁ ପ୍ରମାଣିତ ଯେ ମୋକ୍ଷାତ୍ମା ପାଇଁ ପିଣ୍ଡଦାନର ଆବଶ୍ୟକତା ନାହିଁ । ତେବେ ଆମେ ଜୀବନ୍ତ ମର୍ତ୍ତ୍ୟବାସୀ ଏକଥା କିମିତି ଜାଣିବୁ ଯେ କିଏ ମୁକ୍ତିପାଇଲା ବା ନପାଇଲା? ଏଥିପାଇଁ ଏ ଶ୍ରାଦ୍ଧ ‘ଛାୟା ଆତ୍ମା’କୁ ଦିଆଯାଏ । ଏହା ଉଭୟ ପଟକୁ ପାଇବ ।
ପିତୃପୁରୁଷଙ୍କୁ ତୃପ୍ତିଦାନ କରି ସେମାନଂକ ମୋକ୍ଷପାଇଁ ମାର୍ଗ ପ୍ରସ୍ତୁତି କରିବା ହେଉଛି ଆମର ପ୍ରଥମ କାମ । ବାର ଶ୍ରାଦ୍ଦ ପରେ ପରେ ଅସ୍ଥିବିସର୍ଜନ ପରି ଏକ ଭୌତିକ କାମ ସରିବା କଥା । ଏହା ଆତ୍ମାଧାରୀ ଦେହର ମୋକ୍ଷତାକୁ ବୁଝାଏ । ମୃତ୍ୟୁବ୍ୟକ୍ତିର ଦହନ ଜନିତ ଦେହାବଶେଷ ହିଁ ଅସ୍ଥି: ଚିତାଭସ୍ମ । ମୃତ ବ୍ୟକ୍ତିକୁ ଶ୍ମଶାନକୁ ନେଲାବେଳେ ଯେଉଁ ଅନ୍ନ ପଥ ଶ୍ରାଦ୍ଦ ବେଳେ ଦିଆଯାଏ, ଏହାହିଁ ତା’ ପାଇଁ ଆଧାର । ତେଣୁ ଅସ୍ଥି ବିସର୍ଜନ ବେଳେ ପିଣ୍ଡଦାନ ବ୍ୟବସ୍ଥା ଅଛି । ଏହାର ପରାଗତ ଆତ୍ମାର ତୃପ୍ତିପାଇଁ ଭୋଜନ । ଅସ୍ଥି ବିସର୍ଜନ ସମୁଦ୍ର ରେ କରିବା କଥା , କାରଣ ସମୁଦ୍ର ର ମେରୁ ସହ ସନଜୋଗ ଅଛି । ଅବଶ୍ୟ ଗଂଗା ସମୁଦ୍ର ରେ ପଡିଛନ୍ତି । ମାତ୍ର ଅସ୍ଥି କୁ ସମୁଦ୍ର ରେ ସିଧା ପକାଇବା ଦ୍ବାରା ପିତ୍ରୂ ପରୁଷ ଶାନ୍ତି ପାଇଥାନ୍ତୀ । ବିଦେଶ ରେ ରହୁ ଥିବା ଲୋକ ମାନେ , ସମୁଦ୍ର ରେ ଅସ୍ଥୀ ପକାଇବା କଥା । ଗଂଗା ରେ ଅସ୍ଥୀ ପକାଇ ଗଂଗା ଜଳ କୁ କଳୁସିତ କରିବା ଅନୁଚିତ ।
ଶ୍ରାଦ୍ଧ ହେଉଛି ଆଠ ପ୍ରକାର : ଯଥା -ପଥ ( ମଶାଣି) , ଦଶ (ଘଟ ବା ତୁଠ) ବାର, ଅସ୍ତି ବିସ୍ରଜନ, ବାର୍ଷିକ, ଦୀପଦାନ ବା ପୟା , ବିଭାହ ଏବଂ ପିତୃପକ୍ଷ ମହାଳୟା ବା ପାର୍ବଣ ଶ୍ରାଦ୍ଧ । ମହାଳୟାର ଅନ୍ୟନାମ ମଉଳା ଶ୍ରାଦ୍ଧ । ମହାଳୟା ଶ୍ରାଦ୍ଧରେ ତିନି ପିତୃ ପୁରୁଷ, ତିନି ମାତୃପୁରୁଷ ଏବଂ ଏକ ଲୁପ୍ତ ପୁରୁଷଙ୍କୁ ମିଶାଇ ଏମିତି ୭ଟି ପିଣ୍ଡଦାନ କରାଯାଏ । ଗୁରୁ, ପରିଚିତ ବ୍ୟକ୍ତି ଅଥବା ପରିବାରର କେହି ଆତ୍ମୀୟ ସ୍ୱଜନ ଶ୍ରାଦ୍ଧ କ୍ରିୟାରୁ ବଂଚିତ ଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଶ୍ରାଦ୍ଧ ଦିଆଯାଏ, ତାକୁ ଲୁପ୍ତପୁରୁଷ ଶ୍ରାଦ୍ଧ କୁହନ୍ତି । ଅନ୍ୟାନ୍ୟ ଶ୍ରାଦ୍ଧରେ କେବଳ ବ୍ୟକ୍ତି ବିଶେଷଙ୍କୁ ଦିଆଯାଏ । ତେବେ ପିଣ୍ଡଦାନର ପ୍ରଥମ ଆହୂତ ଦେବତା ହେଉଛନ୍ତି ବୈଶ୍ୱଦେବ, ବିଷ୍ଣୁଙ୍କର ଭିନ୍ନରୂପ ।
ଶ୍ରାଦ୍ଧତର୍ପଣ କ’ଣ ?
ଶ୍ରଦ୍ଧାରୁ ଶ୍ରାଦ୍ଧ : ଶ୍ରଦ୍ଧାର ଅର୍ଘ୍ୟ ଅର୍ପଣ ହିଁ ଶ୍ରାଦ୍ଧ । ଏଥିରେ ପିତୃପୁରୁଷ ତାଙ୍କ ଜୀବଦଶାର ଭୋଜନ କରୁଥିବା ପଦାର୍ଥ, ବସନ ଏବଂ ଅନ୍ୟାନ୍ୟ ସବୁକିଛି ଅନ୍ତର୍ଭୁକ୍ତ । ତା’ ସହିତ ସମ୍ମାନ ଓ ଭକ୍ତି । ତର୍ପଣ କହିଲେ ତୃପ୍ତିଦାନ । ପିଣ୍ଡକୁ ଦାନ : ଖାଦ୍ୟ ସହ ତୃପ୍ତିପାଇଁ ଅନ୍ୟାନ୍ୟ ହିଁ ପିଣ୍ଡ-ତର୍ପଣ ବା ଶ୍ରାଦ୍ଧ ତର୍ପଣ ।
ଶ୍ରାଦ୍ଧ ଦେବା ବ୍ୟକ୍ତି କିଏ ?
ସାଧାରଣତଃ ପିତାଙ୍କର ଜ୍ୟେଷ୍ଠପୁତ୍ର, ତାଙ୍କ ଅନୁପସ୍ଥିତିରେ ସାନ ପୁତ୍ର, ଜୋଂଇ, ସାନ ଭାଇ, ଭଣଜା ଶ୍ରାଦ୍ଧ ଦେଇପାରିବେ । ଅନ୍ୟମାନେ, ଯିଏକି ଅନୁମୋଦିତ ବ୍ୟକ୍ତି ମଧ୍ୟ ଦେଇପାରିବେ । ଝିଅ ଓ ବୋହୁ ମାନେ ଦେଇ ପାରିବେ । ଯିଏ ଶ୍ରାଦ୍ଧ ଦେବେ, ସେ ପିତୃପକ୍ଷରେ ଶୁଦ୍ଧତା ବା ଶୌଚତା ଆଚରଣ କରିବେ । ବିଶେଷକରି କ୍ଷୌର ହେବା, ଅନ୍ୟପାକରେ ଭୋଜନ କରିବା ଇତ୍ୟାଦି ନିଷେଧ ଅଛି ।
ଶ୍ରାଦ୍ଧତର୍ପଣ କରାଯାଏ କେଉଁଠି ?
ଏମିତି କହିଲେ ଲୋକଟିର ମୃତ୍ୟୁଠାରୁ ବିଭିନ୍ନ ଦିବସ ଧରି ଶ୍ରାଦ୍ଧ-ତର୍ପଣ ହୁଏ । ଦଶ ଖଟିବା, ଦଶ ଆଟିକା ପୋଖରୀ ବା ନଦୀରେ ଭାଙ୍ଗିବା ଇତ୍ୟାଦି ଶ୍ରାଦ୍ଧର ଅନ୍ତର୍ଗତ । ଏହା ନିଜ ବାସଭବନ, ପୋଖରୀତୁଠ, ନଦୀକୁଳ, ସମୁଦ୍ରତଟ, ଇତ୍ୟାଦି ସ୍ଥାନରେ ଦିଆଯାଇପାରେ ।ଶାସ୍ତ୍ରମତେ ତ୍ରିବେଣୀ ଧାର, ଗୟା, ବଦ୍ରିନାଥ ବ୍ରହ୍ମକୁଣ୍ଡଳ , ସମୁଦ୍ର କୁଳ ଏବଂ ଜଗନ୍ନାଥ ମନ୍ଦିରର ବେଢ଼ା ବା ବାଇଶିପାହାଚକୁ ମୋକ୍ଷଧାମ ବୋଲି ବିଚାର କରାଯାଏ । ତେବେ ବାଇଶିପାହାଚ ଶ୍ରାଦ୍ଧକୁ ଅନେକ ଧାର୍ମିକ ବିଶେଷଜ୍ଞ ଗ୍ରହଣ କରନ୍ତି ନାହିଁ । କୁହନ୍ତି : ପ୍ରେତାତ୍ମାମାନେ ଜଗନ୍ନାଥ ବେଢ଼ା ଭିତରେ ପ୍ରବେଶ କରିପାରନ୍ତି ନାହିଁ । ପିଣ୍ଡ ପାଇବେ କିପରି । ତେଣୁ ପୁରୀ ସହର ଭିତରେ ବା ୫ କୋଶ ଭିତରେ ଅଥବା ସମୁଦ୍ର କୁଳରେ ଶ୍ରାଦ୍ଦ ଦେବା ଉଚିତ୍। ଘରେ ଦେବା ଅତି ଭଲ । ତେବେ ଏତିକି କହିବା ଯେ : ମନ ନିର୍ମଳ ଥିଲେ ଗୋବର ଗାଡ଼ିଆ ଗଙ୍ଗା । ଆଉ ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ ଯେ ଶ୍ରାଦ୍ଦ ଦେବା ରାତିରେ ମହାପ୍ରସାଦ ଘର ବାହାରେ ରଖି , ବ୍ରାମ୍ହଣ ଓ ଅତିଥି ମାନଂକୁ ସେବା ପାଇଁ ବାଢ଼ିଲେ ପିତୃପୁରୁଷମାନେ ତାହାକୁ ପାଇ ମୋକ୍ଷ ହୁଅନ୍ତି ।
ପିତୃପକ୍ଷରେ କେତେଦିନ କୋଉଠି ରୁହନ୍ତି ପିତୃପୁରୁଷ ?
ରହଣି ଦୁଇପ୍ରକାର । ଦୀପାବଳୀ ପରଠାରୁ ପିତୃପକ୍ଷ ଆରମ୍ଭ ଯାଏଁ ରୁହନ୍ତି ବିଶ୍ୱ ବ୍ରହ୍ମାଣ୍ଡରେ ଆମକୁ ଅଜ୍ଞାତ ସ୍ଥାନରେ, ପିତୃପୁରୁଷମାନଙ୍କ ଗୋଷ୍ଠୀରେ । ଦ୍ୱିତୀୟଟି ହେଲା ଆମ ଆବାହନର ପିତୃପକ୍ଷର ଦିନଠାରୁ ଦିପାବଳୀ ଯାଏଁ, ଆମ ରୋଷେଇଘରେ, ଇଶାନ କୋଣରେ । ସେଇଠି ଆମେ ନିତି ଦିନ ଖାଦ୍ୟ ପଦାର୍ଥ ସମର୍ପଣ କରୁ, ଧୂପଦେଉ, ଦୀପଜାଳୁ । ଏମିତିରେ ଆମେ ସଦାଦିନ ତାଙ୍କ ସେବାରେ ଅଛୁ । ଭୋକିଲା ରଖୁନାହୁଁ । ସବୁ ଭଲ ମନ୍ଦ ଆଣି ଇଶାନରେ ସମର୍ପଣ । ତା’ପରେ ଆଉ ଯାହା ।
ପିତୃପକ୍ଷ ଅମାବାସ୍ୟା (ପିତୃପକ୍ଷ) ଏବଂ ଦିପାବଳୀ ମଧ୍ୟରେ ପାର୍ଥକ୍ୟ କ’ଣ ?
ପିତୃପକ୍ଷ ହେଉଛି ଆହ୍ୱାନ ସମୟ । ଅନ୍ତରୀମ ଦିପାବଳୀ ଯାଏଁ ରହଣି । ଦିପାବଳୀ ପିତୃପୁରୁଷଙ୍କର ବିଦାୟ ବେଳା । ମହାଳୟା, ଶ୍ରାଦ୍ଧରେ ସଙ୍ଖୁଡ଼ି ଲାଗି, ସଙ୍ଖୁଡ଼ି ପରିବର୍ତ୍ତେ ତଣ୍ଡୁଳ ଇତ୍ୟାଦି ଏବଂ ବ୍ରାହ୍ମଣର ଆବଶ୍ୟକତା ଅଛି । ଦିପାବଳୀରେ ସଙ୍ଖୁଡ଼ି ପରିବର୍ତ୍ତେ, ଶୁଖିଲା ଭୋଗ । ବ୍ରାହ୍ମଣର ଜରୁରତ ନାହିଁ । କର୍ତ୍ତା ନିଜେ ସମର୍ପଣ କରିଦିଏ ।
ଦିପାବଳୀ ଦିନ ଆମେ ବଡ଼ ବଡ଼ିଆଙ୍କୁ କାଉଁରୀଆ କାଠି ଓ ବାଣ ଆଲୋକରେ ବିଦାୟ ଦେଉ, ଜ୍ଞାତିକୁଟୁମ୍ବଙ୍କ ଗହଣରେ । ତା’ ପୂର୍ବରୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଆବଶ୍ୟକୀୟ ଭୋଗରାଗ ସାରି ଦେଉ । ଗଲା ବେଳେ ଆକାଶକୁ ଆଲୋକ ଜାଳି ତାଙ୍କୁ ଦେଖାଇ କହୁ :
ବଡ଼ ବଡ଼ିଆ ହୋ, ଅନ୍ଧାରେ ଆସି ଆଲୋକେ ଯାଅ
ଗୋଷ୍ଠକୁ ଯାଅ, ଖିରିଖାଅ… ,
ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚେ ଗଡ଼ ଗଡଉ ଥାଅ,
ସ୍ୱର୍ଗେ ଯାଅ, ଅମୃତ ଭୋଜନ କରୁଥାଅ ।
ଅର୍ଥାତ୍ ଆସିଥିଲ ଅନ୍ଧାରେ ଯାଅ ଆଲୋକରେ (ମୁକ୍ତିପଥେ) ଯେଉଁ ମେଳରୁ ଆସିଥିଲ, ସେହି ମେଳକୁ ଫେରିଯାଅ, ଖିରିଖାଅ, ଗଙ୍ଗା ଯାଅ, ଗୟା ଯାଅ ଓ ବାଇଶି ପାହଚେ ମଧ୍ୟ ଦେଇ ମୁକ୍ତିମାର୍ଗ/ ମୋକ୍ଷ ମାର୍ଗ ଦେଖ; ଅମୃତ ଭୋଜନ କର; ସ୍ୱର୍ଗପ୍ରାପ୍ତି ହୁଅ ।
କେଉଁ ଅତୀତରୁ ଲମ୍ବିଥିବା ଏ ପରମ୍ପରାର ଗତିଆଉ କେତେବାଟ କହିହେବ ନାହିଁ । ତେବେ ପିତୃଋଣ ଶୁଝିବା ତଥା ତାଙ୍କ ମୋକ୍ଷପ୍ରାପ୍ତିରେ ସହାୟକ ହେବାରେ ଯେ ପୁତ୍ର ଓ କନ୍ଯା ର ଏ ଦୃଷ୍ଟିରୁ ଆବଶ୍ୟକତା ଅଛି, ଏକଥାକୁ କେହି ଅସ୍ୱୀକାର କରିବେ ନାହିଁ । । ସନ୍ତାନ ମାନଂକ ଦ୍ବାରା କୁଳ ଉଦ୍ଧାର ହେବାର ଏକମାତ୍ର ରାସ୍ତା ।

