.
ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ
ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ
!! ଭାଗ – ୧୫୨ !!
ଡା.କୃପାସିନ୍ଧୁ ମିଶ୍ର
✤●○●○●○✤‼️✤○●○●○●✤
ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍
✤●○●○●○✤♾️✤○●○●○●✤
══━━━━✥◈❤️◈✥━━━━══
କପିଯୂଥ ନଦୀ, ହ୍ରଦ ଓ ସମୁଦ୍ର ତଟରେ, ପର୍ବତମାନଙ୍କ ଉପରେ ଓ ପାଦଦେଶରେ, ଗିରିଗୁହାରେ, ଗ୍ରାମ ଓ ନଗରମାନଙ୍କରେ, ଜନଶୂନ୍ୟ ଉପତ୍ୟକାସବୁରେ ତଥା ଅଗମ୍ୟ ନିଘଞ୍ଚ ଅରଣ୍ୟମଧ୍ୟରେ ଯତ୍ନର ସହିତ ଅନୁସନ୍ଧାନ କରିବାରେ ଲାଗିଲେ Ι ଗୋଟିଏ ଦଳର ବାନରମାନେ ରାତ୍ରିରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହୁଅନ୍ତି. ପ୍ରଭୁଙ୍କ ମାୟା ! ସେମାନେ ବିଶ୍ରାମନେବା ସ୍ଥାନରେ ପୂର୍ବରୁ ବୃକ୍ଷମାନେ ସୁମିଷ୍ଟ ଫଳ ଧାରଣ କରିଥାନ୍ତି Ι ପ୍ରାତଃ କାଳରେ ଭୋଜନ ସାରି ସେମାନେ ଦୂରବର୍ତ୍ତୀ ଅନ୍ୟ ଏକ ସ୍ଥାନରେ ଆଶ୍ରୟ ନେବାକୁ ସ୍ଥିର କରନ୍ତି ଓ ସେଠାରୁ ଭିନ୍ନ ଭିନ୍ନ ଦିଗକୁ ଖୋଜିବାକୁ ଯାଆନ୍ତି Ι ପୁନଶ୍ଚ ରାତ୍ରିରେ ସେ ସ୍ଥାନରେ ଏକତ୍ରିତ ହୁଅନ୍ତି Ι ଦଳପତି ଯାତ୍ରାରମ୍ଭ କରିବାଠାରୁ ଦିନ ଗଣିବା ଆରମ୍ଭ କରିଥାନ୍ତି Ι ମାସଟିଏ ବିତିଗଲା Ι ପୂର୍ବ,ପଶ୍ଚିମ ଓ ଉତ୍ତର ଦିଗର ବାନର ଯୂଥ ନିରାଶ ହୋଇ ଲେଉଟିଲେ Ι ଯୁଥପତିମାନେ ଶ୍ରୀରାମ ଓ ସୁଗ୍ରୀବଙ୍କୁ କହିଲେ,” ହେ ଭକ୍ତବତ୍ସଳ କରୁଣାନିଧି ଜାନକୀବଲ୍ଲଭ, ହେ କିଷ୍କିନ୍ଧ୍ୟା ପତି, ଆମ୍ଭ ଦଳର ସଦସ୍ୟ ସମସ୍ତ ବାନର ନିଜର ଅନ୍ୱେଷଣରୁ କୌଣସି ସ୍ଥାନ ବାଦ ଦେଇ ନାହାନ୍ତି Ι
“ ବିଚିତାଃ ପର୍ବତାଃ ସର୍ବେ ବନାନି ଗହନାନି ଚ,
ନିମ୍ନଗାଃ ସାଗରାନ୍ତାଃ ଚ ସର୍ବେ ଜନପଦାଃ ତଥା Ι
ଗୁହାଃ ଚ ବିଚିତାଃ ସର୍ବା ଯାଃ ଚ ତେ ପରିକୀର୍ତ୍ତିତାଃ,
ବିଚିତାଃ ଚ ମହାଗୁଳ୍ମାଃ ଲତାଃ ବିତତ ସନ୍ତତାଃ Ι
ଗହନେଷୁ ଚ ଦେଶେଷୁ ଦୁର୍ଗେଷୁ ବିଷମେଷୁ ଚ Ι
ଯେ ଚୈବ ଗହନାଃ ଦେଶାଃ ବିଚିତାଃ ତେ ପୁନଃ ପୁନଃ Ι”
ସେମାନେ ସୁଉଚ୍ଚ ଭୂଧରରେ , ଗହନ ଅରଣ୍ୟରେ , ନଦୀ ଓ ସମୁଦ୍ର ତଟରେ, ଲୋକାଳୟ ସମୂହରେ, ଲତା ଗୁଳ୍ମ ପରିବେଷ୍ଟିତ ଗିରିଗୁହା ମଧ୍ୟରେ ତଥା ଦୁର୍ଗମ ଦୁର୍ଗ ମାନଙ୍କରେ ବାରମ୍ବାର ଅନୁସନ୍ଧାନ କରିଛନ୍ତି Ι କିନ୍ତୁ ସେମାନଙ୍କ ଚେଷ୍ଟା ବିଫଳ ହୋଇଛି Ι ଆମେ ସେଥିପାଇଁ ଅତ୍ୟନ୍ତ ଦୁଃଖିତ Ι ଆମକୁ କ୍ଷମା କରନ୍ତୁ Ι”
ଦକ୍ଷିଣ ଦିଗକୁ ଯାଇଥିବା ଜାମ୍ବବାନ ଓ କପିବୀରମାନେ ଅନେକ ଅନ୍ୱେଷଣ ସତ୍ତ୍ୱେ କୌଣସିଠାରୁ ଲଙ୍କା ସମ୍ପର୍କରେ ସାମାନ୍ୟତମ ତଥ୍ୟ ମଧ୍ୟ ପାଇଲେ ନାହିଁ Ι ପଥ ମଧ୍ୟରେ କିଛି ଅସୁର ତାଙ୍କର ଗତିରୋଧ କରିଥିଲେ କିନ୍ତୁ ହନୁମାନଙ୍କର ଗୋଟିଏ ଗୋଟିଏ ଚାପୁଡାରେ ସେମାନେ ପଞ୍ଚତ୍ୱ ପ୍ରାପ୍ତ ହେଲେ Ι ଦିନେ ସେମାନେ ଖୋଜି ବୁଲୁଁ ବୁଲୁଁ ବହୁଦୂରକୁ ଚାଲିଗଲେ Ι ବିନ୍ଧ୍ୟ ଗିରିର ପାଦଦେଶରେ ସେମାନେ ଏକ ଗହ୍ୱର ଦେଖି ତନ୍ମଧ୍ୟରେ ପ୍ରବେଶ କରିଗଲେ Ι ପ୍ରଥମେ ପ୍ରଥମେ ସେଠାରେ ଘୋର ଅନ୍ଧକାର ଥିଲା Ι କ୍ରମେ କ୍ରମେ ସୂର୍ଯ୍ୟାଲୋକ ଦୃଶ୍ୟମାନ ହେଲା Ι ସେଠାରେ ପୁଷ୍ପ ଫଳରେ ଭରା ସୁନ୍ଦର କାନନ ଓ ନିର୍ମଳ ଜଳ ଥିବା ଝରଣା ଦେଖି ସେମାନଙ୍କର ମନେ ପଡିଲା ଯେ ସେମାନେ ବହୁ ସମୟ ହେଲା କ୍ଷୁଧା ତୃଷାରେ ବୁଲୁଛନ୍ତି Ι କିନ୍ତୁ ସ୍ଥାନଟି ଅପରିଚିତ ତଥା ଅଦ୍ଭୁତ ଥିଲା Ι ସେହି ଉଦ୍ୟାନଟି ଯାହାର, ତାଙ୍କ ଅନୁମତି ନେବା ଆବଶ୍ୟକ ଥିଲା Ι ସମସ୍ତେ ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କଲେ Ι ଏହି ସମୟରେ ସେଠାରେ ଆବିର୍ଭୂତା ହେଲେ ସ୍ଵୟଂପ୍ରଭା ନାମକ ସନ୍ନ୍ୟାସିନୀ Ι ସେ ଏମାନଙ୍କୁ ଉଦର ପୂର୍ତ୍ତି ପାଇଁ ଅନୁମତି ଦେଲେ Ι କ୍ଷୁଧା ତୃଷା ନିବାରଣ କରିସାରି ସମସ୍ତେ ଏକତ୍ରିତ ହେଲେ Ι ସ୍ଵୟଂପ୍ରଭା ସେମାନଙ୍କୁ ନିଜର ପରିଚୟ ଦେଲେ Ι ସେ ଥିଲେ ମୟ ଦାନବଙ୍କ ପତ୍ନୀ ଅପ୍ସରା ହେମାଙ୍କର ସଙ୍ଗିନୀ Ι ମୟଙ୍କ ଦ୍ୱାରା ନିର୍ମିତ ଏହି ମହଲ ଓ ଉଦ୍ୟାନ ତାଙ୍କୁ ହେମା ଦେଇ ଯାଇଥିଲେ ବୋଲି ସେ କହିଲେ Ι ହନୁମାନ ଓ ଜାମ୍ବବାନଙ୍କଠାରୁ ସେମାନଙ୍କ ଯାତ୍ରାର ଉଦ୍ଦେଶ୍ୟ ଜାଣି ସେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ ଏବଂ ନିକଟରେ ଥିବା ସମୁଦ୍ର କୂଳକୁ ନେଇଗଲେ Ι ସେ କହିଲେ,”ହେ ଭଗବାନ ରାମଙ୍କର ଦୂତଗଣ !ଏହିଠାରେ ତୁମେ ଅନ୍ୱେଷଣ କରୁଥିବା ସ୍ଥାନର ସନ୍ଧାନ ପାଇବ Ι ମୋତେ ବିଦାୟ ଦିଅ Ι” ସ୍ଵୟଂପ୍ରଭାଙ୍କ ଅନ୍ତର୍ଦ୍ଧାନ ପରେ ବାନର ଦଳ ଦେଖିଲେ, ପଶ୍ଚାତରେ ବିନ୍ଧ୍ୟ ଗିରି, ସମ୍ମୁଖରେ ଅନନ୍ତ ଜଳରାଶି Ι ଉଭୟ ପାର୍ଶ୍ୱରେ ବିସ୍ତୃତ ବାଲୁକା Ι କାହାନ୍ତି ମାତା ସୀତା ? କେଉଁଠି ଲଙ୍କା ? କାହିଁ ସେ ଲଙ୍କପତି ଦଶଗ୍ରୀବ ? ସେମାନେ ଜାଣିଥିଲେ ଯେ କଣ୍ଟ ଦିଆ ଯାଇଥିବା ସମୟ ଅତିକ୍ରାନ୍ତ ହୋଇଯାଇଛି Ι ଏବେ ଅସଫଳ ହୋଇ ଫେରିଲେ ମୃତ୍ୟୁଦଣ୍ଡ !
ସବୁଠାରୁ ଅଧିକ ଚିନ୍ତାଗ୍ରସ୍ତ ଥିଲେ ଅଙ୍ଗଦ Ι ସେ କହିଲେ,” ହେ ଋକ୍ଷଶ୍ରେଷ୍ଠ ଜାମ୍ବବାନ, ମହାବୀର ହନୁମାନ, ଯୁବରାଜ ଭାବରେ ମୋତେ ଏହି ଦଳର ଅଧିନାୟକ ପଦ ଦିଆ ଯାଇଥିଲା Ι କାର୍ଯ୍ୟରେ ସଫଳତା ମୋତେ ପୁରଷ୍କୃତ କରିଥାନ୍ତା Ι ଅକୃତକାର୍ଯ୍ୟ ହୋଇ ଫେରିଲେ ମୋତେ ହିଁ ମୃତ୍ୟୁଦଣ୍ଡ ମିଳିବ Ι ମୁଁ ଆଉ ଫେରିବି ନାହିଁ Ι ଏହିଠାରେ ଉପବାସ କରି ପ୍ରାଣ ହାରିଦେବି Ι
“କହ ଅଙ୍ଗଦ ଲୋଚନ ଭରି ବାରି, ଦୁହୁଁ ପ୍ରକାର ଭଇ ମୃତ୍ୟୁ ହମାରୀ Ι
ଈହାଁ ନ ସୁଧୀ ସୀତାକେ ପାଇ, ଊହାଁ ଗଏଁ ମାରିହୀ କପି ରାଇ Ι
ପିତା ବଧେ ପର ମାରତ ମୋହି, ରାଖା ରାମ ନିହୋର ନ ଓହୀ Ι”
ଅଙ୍ଗଦ କହିଲେ, ପିତାଙ୍କ ମୃତ୍ୟୁ ସମୟରେ ସେ ମୋତେ ମାରି ଦେଇଥାନ୍ତେ Ι ତାଙ୍କର ସନ୍ତାନ ବତ୍ସଳତା ନୁହେଁ, ପ୍ରଭୁ ଶ୍ରୀରାମଙ୍କ ଦୟା ଯୋଗୁଁ ମୁଁ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲି Ι ଏବେ ତ ତାଙ୍କ ନିକଟରେ କାରଣ ଅଛି Ι ଅସଫଳ ସେନାନାୟକତ୍ୱର ଅପମାନ ମୁଣ୍ଡାଇ ମୃତ୍ୟୁ ଦଣ୍ଡ ଭୋଗ କରିବା ପାଇଁ ମୁଁ ଆଉ ଫେରିବି ନାହିଁ Ι ଏହିଠାରେ ଆମରଣ ଉପବାସ କରିବା ପାଇଁ ମୁଁ ସ୍ଥିର କରିସାରିଛି Ι” ଅନ୍ୟମାନେ ଯୁବରାଜଙ୍କୁ ଛାଡି ଫେରିବା ପ୍ରସ୍ତାବକୁ ଅନୁମୋଦନ କଲେନାହିଁ Ι ସମସ୍ତେ ସେଠାରେ ଅନଶନ କରିବାପାଇଁ ବସିଗଲେ Ι ନିକଟସ୍ଥ ଗୁମ୍ଫାରେ ବାସ କରୁଥିଲେ ଗୃଧ୍ରଶ୍ରେଷ୍ଠ ଜଟାୟୁଙ୍କର ଅଗ୍ରଜ ସମ୍ପାତି Ι ସେ ପକ୍ଷ ହୀନ ହୋଇଥିବାରୁ ଉଡି ପାରୁ ନ ଥିଲେ Ι ସେ କହିଲେ, “ଆରେ, କିଏ ମରିବ କହୁଛ ? ମର Ι ଶୀଘ୍ର ମୃତ୍ୟୁ ବରଣ କର Ι କେବେ ଠାରୁ ନିରାହାର ରହି କ୍ଷୁଧାରେ ମୋର ପ୍ରାଣ ଛଟପଟ ହେଉଛି Ι ତୁମକୁ ନିଶ୍ଚୟ ଇଶ୍ଵର ମୋ ଦୁଃଖ ସହି ନ ପାରି ପଠାଇଛନ୍ତି Ι”
ବାନରମାନେ ଏମିତିରେ ମୃତ୍ୟୁ ପାଇଁ ପ୍ରସ୍ତୁତ ଥିଲେ Ι ସମ୍ପାତିଙ୍କର କଥା ପ୍ରତି ଲକ୍ଷ ନ ଦେଇ ସେମାନେ ନିଜର ବିଫଳତା ବିଷୟରେ ଆଲୋଚନା କରିବାକୁ ଲାଗିଲେ Ι ଜାମ୍ବୁବାନ କହିଲେ,” ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟ କରି ପ୍ରାଣ ଦେଇଥିଲେ ସ୍ୱର୍ଗକୁ ଯାଇଥାନ୍ତେ Ι କିନ୍ତୁ ଏପରି ଭାବରେ ଅକାରଣ ପ୍ରାଣତ୍ୟାଗ କରିବାରେ କେବଳ ନର୍କ ପ୍ରାପ୍ତି ହିଁ ହେବ Ι ହନୁମାନ କହିଲେ,”ସମସ୍ତେ ଜଟାୟୁଙ୍କ ପରି ପୂଣ୍ୟାତ୍ମା ନୁହନ୍ତି Ι ମାତା ସୀତାଙ୍କୁ ଦୁଷ୍ଟ ରାବଣ କବଳରୁ ରକ୍ଷା କରିବାକୁ ଯାଇ ସେ ରାବଣ ହାତରେ ପ୍ରାଣ ଦେଲେ ସତ, ହେଲେ ପ୍ରଭୁ ଶ୍ରୀରାମଙ୍କ କୋଳରେ ପ୍ରାଣ ଦେଲେ ଓ ନିଜେ ସୀତାପତି ପୁତ୍ର ଭଳି ତାଙ୍କର କ୍ରିୟାକର୍ମ କଲେ Ι ଏତେ ବଡ ଭାଗ୍ୟ ଆମର କାହିଁ ?” ସମ୍ପାତି ଏମାନଙ୍କ ମୁଖରୁ ଜଟାୟୁଙ୍କ ନାମ ଶୁଣି ଏବଂ ତାଙ୍କର ଦୁଃଖଦ ଅନ୍ତ ବିଷୟରେ ଶ୍ରବଣ କରି ଶୋକାଭିଭୂତ ହୋଇ ପଡିଲେ ଓ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ବାନରମାନଙ୍କୁ ନିକଟକୁ ଡାକିଲେ Ι ସେ କହିଲେ, “ଭୟ କର ନାହିଁ Ι ମୋ ନିକଟକୁ ଆସ Ι ମୁଁ ଜଟାୟୁର ଜ୍ୟେଷ୍ଠ ଭ୍ରାତା ସମ୍ପାତି Ι”
[କ୍ରମଶଃ]
✿❁❣️༒ ଜୟ ଶ୍ରୀ ରାମ༒ ❣️❁✿
=≠≠=====ଆଜି ପାଇଁ ସମାପ୍ତ==≠====
🏵️🏵️🙏 ଶୁଭ ରାତ୍ରି 🙏🏵️🏵️

