ଆସନ୍ତୁ ପଢିବା ରାମାୟଣ ର କିଛି ଲେଖା
ହନୁମାନ ଶାଖାମୃଗ ଅର୍ଥାତ୍ ବାନର ରୂପ ଧାରଣ କରିବା ପରେ ‘ଖରପର’ ଅର୍ଥାତ୍ ଖର’ର ଶତ୍ରୁ ଶ୍ରୀରାମ ତାଙ୍କର କିରୀଟ କୁଣ୍ଡଳ ଦେଖି ଆନନ୍ଦିତ ହେଲେ Ι କହିଲେ, ”ଏ କପି ଶରୀରରେ ଏମନ୍ତ ସୁଦିବ୍ୟ କିରୀଟ କେଉଁଠାରୁ ଲାଭ କଲ ?’
“ବହୁ ବୀର ଶାଖା ମୃଗ ତନୁ ତତପର ।
ବହୁତ ଆନନ୍ଦ ଚାହିଁ ହେଲେ ଖରପର ।
ବିଭୁ ଜଗତର ଚାହିଁ ପୁଚ୍ଛିଲେ ଝଟିତ ।
ବିଭୁଷଣ କପି ହୋଇ ଦିବ୍ୟ କିରୀଟି ତ ।
ବ୍ରହ୍ମାବରେ ପାଇଛି ମୁଁ ପବନତନୟ ।
ବ୍ରହ୍ମାଣ୍ଡନାଥ ଶୁଣ ହେ ବୋଲି ସବିନୟ ।
ବାର ବାର ପଦ୍ମପାଦେ ବିହି ଦଣ୍ଡବତ ।
ବାରଣତ୍ରାଣଙ୍କୁ ଘେନି ଗଲା ପରବତ ।“[ବୈଦେହୀଶ ବିଳାସ]
ହନୁମାନ କହିଲେ,” ବ୍ରହ୍ମା ଯେତେବେଳେ ମୋର ଅର୍ଦ୍ଧ ଶକ୍ତି ପ୍ରତ୍ୟାହାର କରିନେଲେ, ଏବଂ ଆପଣଙ୍କୁ ଦର୍ଶନ କଲେ ପୂର୍ଣ୍ଣ ଶକ୍ତି ପ୍ରାପ୍ତ ହେବ ବୋଲି କହିଲେ, ମୁଁ ତାଙ୍କୁ ପ୍ରଶ୍ନ କଲି,” ମୁଁ ପ୍ରଭୁକୁ ଚିହ୍ନିବି କିପରି ଏବଂ ସେ ମୋତେ ଚିହ୍ନିବେ କିପରି ? ସେ ଏହି କିରୀଟ ଓ କୁଣ୍ଡଳ ଦେଇ କହିଥିଲେ ଯେ ଆପଣଙ୍କ ପରିଚୟରୁ ମୁଁ ଆପଣଙ୍କୁ ଚିହ୍ନିବି ଏବଂ ମୋ କିରୀଟ ଓ କୁଣ୍ଡଳରୁ ଆପଣ ମୋତେ ଚିହ୍ନିବେ Ι”
ଶ୍ରୀରାମ ଓ ଲକ୍ଷ୍ମଣ ଋଷ୍ୟମୂକ ପର୍ବତ ଉପରକୁ ଯିବାପାଇଁ ଏବଂ ସୁଗ୍ରୀବଙ୍କ ସହ ସାକ୍ଷାତ ପାଇଁ ଇଚ୍ଛା ପ୍ରକାଶ କଲେ Ι ହନୁମାନ କହିଲେ,” ଏହି ପର୍ବତ ଆରୋହଣ କରିବା ସହଜ ନୁହେଁ Ι ଆପଣ ମୋ ସ୍କନ୍ଧରେ ବସନ୍ତୁ Ι ମୁଁ ଆପଣ ଦୁହିଁକୁ ଏହି ଗିରି ଶିଖରକୁ ନେଇଯିବି Ι” ଲକ୍ଷ୍ମଣ ବିସ୍ମୟ ପ୍ରକାଶ କଲେ Ι
ହନୁମାନ କହିଲେ, “ଯେତେବେଳେ ଦେବତାମାନେ ମୋ ଉପରେ ବର ବର୍ଷଣ କରୁଥିଲେ, ସେତେବେଳେ ସୂର୍ଯ୍ୟ ଦେବ ମୋତେ ଆଶୀର୍ବାଦ କରିଥିଲେ ଯେ, ମୁଁ ଇଚ୍ଛା ଅନୁସାରେ କାୟା ବୃଦ୍ଧି କରିପାରିବି କିମ୍ବା ଅତି କ୍ଷୁଦ୍ରକାୟ ହୋଇଯାଇପାରିବି Ι କିନ୍ତୁ ପ୍ରଭୁ ତ ଅଟଳ ମହାମେରୁ Ι ତାଙ୍କ ସମ୍ମତି ବିନା ତାଙ୍କୁ ଉଠାଇବ କିଏ ?” ଶ୍ରୀରାମ ପ୍ରସନ୍ନ ହେଲେ Ι ହନୁମାନ ନିଜର ଶରୀରର ଆକାର ବୃଦ୍ଧି କଲେ Ι ବାରମ୍ବାର ପ୍ରଣାମ କରି ଗଜୋଦ୍ଧାର କର୍ତାୁ [ବାରଣତ୍ରାଣ] ଙ୍କୁ ତଥା ଲକ୍ଷ୍ମଣଙ୍କୁ କନ୍ଧରେ ବସାଇ ପର୍ବତ ଉପରକୁ ନେଇଗଲେ Ι
ସୁଗ୍ରୀବ ତଥା ଅନ୍ୟମାନେ ଗୁମ୍ଫା ବାହାରକୁ ଆସି ପରିସ୍ଥିତି ଅନୁଧ୍ୟାନ କରୁଥାନ୍ତି Ι ହନୁମାନ ଉଭୟ ଅଜ୍ଞାତ ଧନୁର୍ଦ୍ଧାରୀଙ୍କୁ କାନ୍ଧରେ ବସାଇ ଆଣିବାର ଦେଖି ସମସ୍ତେ ଆଶ୍ୱସ୍ତ ହେଲେ Ι ହନୁମାନ ସୁଗ୍ରୀବଙ୍କୁ ଶ୍ରୀରାମ ଓ ସୌମିତ୍ରୀଙ୍କର ପରିଚୟ,ପରାକ୍ରମ ଓ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଜଣାଇଲେ Ι ସୁଗ୍ରୀବ, ଜାମ୍ବବାନ, ନଳ, ନୀଳ, ସୁଷେଣ, ଗନ୍ଧମାର୍ଦ୍ଦନ ଓ ତାରାକ୍ଷ ଆଦି ସମସ୍ତ ବାନରବୀର ଶ୍ରୀରାମଙ୍କୁ ପ୍ରଣାମ କଲେ ଓ ଲକ୍ଷ୍ମଣଙ୍କୁ ଆଲିଙ୍ଗନ କଲେ Ι ଉଭୟଙ୍କ ଯଥାବିଧି ଚର୍ଚ୍ଚା କଲାପରେ ସୁଗ୍ରୀବ ଶ୍ରୀରାମଙ୍କ ନିକଟରେ ବାଳି କର୍ତ୍ତୃକ ତାଙ୍କର ଅନ୍ୟାୟ ନିର୍ବାସନର କାହାଣୀ ବର୍ଣ୍ଣନା କଲେ Ι ସେ ୟା ମଧ୍ୟ କହିଲେ ଯେ ସେ ତାଙ୍କର ପତ୍ନୀ ରୋମାଙ୍କୁ ବଳ ପୂର୍ବକ କିଷ୍କିନ୍ଧ୍ୟାର ଅନ୍ତଃପୁରରେ ରଖିଛନ୍ତି Ι ରାଘବକହିଲେ,”ଆପଣଙ୍କର ଓ ମୋର ଏକା ଭଳି ଅବସ୍ଥା Ι
ବୋଲେ ସୁଗ୍ରୀବେ ରାମ କ୍ଳେଶ ଭାଷା, ବେନି ଜଣେ ପଡିଛି ଏକ ଦଶା Ι
ବିଶ୍ୱାବସୁ ବଂଶେ ଜାତ ଆମ୍ଭର, ବିଧିରେ ତ ତୁମ୍ଭେ ତାଙ୍କ କୁମର Ι
ବାମା ହରଣ ପର ଧରଷଣେ, ବଞ୍ଚି ଦିନ ଫଳମୂଳ ଭକ୍ଷଣେ Ι
ବାଧା ମାତା ଭ୍ରାତାରେ ଉପୁଜିଛି, ବଇରୀକି ସାଧିବା ଇଛା ଅଛି Ι”(ବୈଦେହୀଶ ବିଳାସ)
ଆମେ ଉଭୟ ମିତ୍ରତା ପାଶରେ ଆବଦ୍ଧ ହେବା ଉଚିତ Ι ସୁଗ୍ରୀବ ମଧ୍ୟ ତାହା ଚାହୁଁଥିଲେ Ι ଅନ୍ୟମାନେ ଏ ପ୍ରସ୍ତାବରେ ଆନନ୍ଦ ପ୍ରକାଶ କଲେ Ι ପ୍ରଜ୍ଜ୍ଵଳିତ ଅନଳକୁ ସାକ୍ଷୀ ରଖି ଉଭୟ ମିତ୍ରତାର ବନ୍ଧନରେ ଆବଦ୍ଧ ହେଲେ Ι ଶ୍ରୀରାମଙ୍କଠାରୁ ବୈଦେହୀଙ୍କ ବିଚ୍ଛିନ୍ନ ହେବାର କରୁଣ କାହାଣୀ ଶୁଣି ସୁଗ୍ରୀବଙ୍କ ଆଖିରେ ମଧ୍ୟ ଲୁହ ଆସିଗଲା Ι
“କହ ସୁଗ୍ରୀବ ନୟନ ଭରି ବାରି, ମିଲିହି ନାଥ ମିଥିଲେଶ କୁମାରୀ Ι
ମନ୍ତ୍ରୀହ୍ନ ସହିତ ଈହାଁ ଏକବାରା,ବୈଠ ରହେଉଁ ମେଁ କରତ ବିଚାରା Ι
ଗଗନ ପନ୍ଥ ଦେଖି ମେଁ ଜାତା, ପରବସ ପରୀ ବହୁତ ବିଲପାତା Ι
ରାମ ରାମ ହା ରାମ ପୁକାରୀ, ହମହୀ ଦେଖି ଦୀହ୍ନେଉ ପଟ ଡାରି Ι
ମାଗା ରାମ ତୁରତ ତେହିଁ ଦୀହ୍ନା, ପଟ ଉର ଲାଇ ଶୋଚ ଅତି କୀହ୍ନା Ι
କହ ସୁଗ୍ରୀବ ସୁନହୁଁ ରଘୁବୀରା, ତଜହୁ ଶୋଚ ମନ ଆନହୁ ଧୀରା Ι
ସବ ପ୍ରକାର କରିହଉଁ ସେବକାଇ, ଯେହି ବିଧି ମିଲିହି ଜାନକୀ ଆଇ Ι”[ରାମଚରିତ ମାନସ]
ଛଳ ଛଳ ନୟନରେ ସୁଗ୍ରୀବ କହିଲେ,”ପ୍ରଭୁ, ମାତା ମୈଥିଳୀଙ୍କୁ ଆମେ ଦେଖିଥିଲୁଁ Ι. ଦିନେ ମନ୍ତ୍ରୀମାନଙ୍କ ସହିତ ମୁଁ ଏହିଠାରେ ବସିଥାଏଁ Ι ଆକାଶରେ କିଛି ଶବ୍ଦ ଶୁଣି ଆମେ ଉପରକୁ ଦ୍ରୁକ୍ ପାତ କଲୁଁ Ι ଦେବୀ ବହୁତ କାନ୍ଦୁଥିଲେ Ι “ରାମ, ରାମ, ହା ରାମ” ଶବ୍ଦ ଶୁଭୁଥିଲା Ι ଆମ୍ଭମାନଙ୍କୁ ଦେଖି ଦେବୀ ଓଢଣୀରେ କିଛି ଅଳଙ୍କାର ବାନ୍ଧି ତଳକୁ ପକାଇ ଦେଲେ Ι ଆମେ ତାହା ସମ୍ଭାଳି ରଖିଛୁଁ Ι ତାଙ୍କ ନିର୍ଦ୍ଦେଶରେ ଜଣେ ବାନର ସେ ବସ୍ତ୍ରାଂଶ ଓ ଅଳଙ୍କାର ଆଣି ଶ୍ରୀରାମଙ୍କୁ ଦେଖାଇଲା Ι ତାହା ଦେଖି ରାମଚନ୍ଦ୍ର ଅତ୍ୟନ୍ତ ବ୍ୟାକୁଳ ହୋଇ ଅଶ୍ରୁ ବର୍ଷଣ କରିବାରୁ ସୁଗ୍ରୀବ ତାଙ୍କୁ ପ୍ରବୋଧନା ଦେଇ କହିଲେ,”ପ୍ରଭୁ, ଆପଣ ଶୋଚନା ତ୍ୟାଗ କରି ଧୈର୍ଯ୍ୟ ଧରନ୍ତୁ Ι ଯେଉଁ ପ୍ରକାର ହେଲେ ଦେବୀ ଜାନକୀଙ୍କୁ ଖୋଜି ବାହାର କରିବା ପାଇଁ ବ୍ୟବସ୍ଥା କରିବା Ι
[କ୍ରମଶଃ]




