ଓଁ ଶ୍ରୀଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

ଓଁ କଦାଚିତ୍ କାଳିନ୍ଦୀ ତଟ
ବିପିନ – ସଂଗୀତ କ-ରବୋ,
ମୁଦାଭିରୀ ନାରୀ ବଦନ
କମଳା ସ୍ବାଦ – ମଧୁପହ୍।
ରମା-ଶମ୍ଭୁ-ବ୍ରହ୍ମା ସୁରପତି
ଗଣେଶାର୍ଚ୍ଚିତ ପଦୋ,
ଜଗନ୍ନାଥ ସ୍ଵାମୀ ନୟନ
ପଥଗାମୀ ଭବତୁ ମେ।

କ୍ଷେତ୍ର ପରିକ୍ରମା ଅବସରରେ ଶ୍ରୀମନ୍ଦିରରେ ଦେବଦର୍ଶନ କ୍ରମରେ କୁତାମ ଚଣ୍ଡୀ -:- ଯଦିଓ କୁତାମ ଚଣ୍ଡୀ ପୋଖରିଆ ମଧ୍ୟରେ ପୂଜିତ ହେଉଥିଲେ, ମରହଟ୍ଟା ଶାସକ ମାନଙ୍କ ଅମଳରେ ଏକ ଭୈରବ ମୂର୍ତ୍ତି ରତ୍ନବେଦୀ ନିକଟରେ ରଖା ଯାଇ ଏହିମୂର୍ତ୍ତି ଅପସାରଣ କରାଯାଇ ଥିଲା। ଏହା ଏକ ତାନ୍ତ୍ରିକ ମୂର୍ତ୍ତି ହୋଇ ଥିବାରୁ ବୈରାଗୀ ମାନେ ଏ ମୂର୍ତ୍ତି ଅପସାରଣ ପାଇଁ ଦାବି କରିଥିଲେ। ଅଷ୍ଟାଦଶ ଶତାବ୍ଦୀରେ ରତ୍ନସିଂହାସନ
ମରାମତି ସମୟରେ ଏହି ମୂର୍ତ୍ତି ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରା ଯାଇଥିଲା। ବୈରାଗୀ ମାନେ ଗୁପ୍ତରେ ନେଇ ସମୁଦ୍ରରେ ଫିଙ୍ଗି ଦେଇଥିଲେ। ଏହାକୁ ଦଣ୍ଡୀ ସନ୍ୟାସୀ ଓ ତାନ୍ତ୍ରିକ ମାନେ ଘୋର ବିରୋଧ କରିବାରୁ,ଆଉ ଏକ ଭୈରବ ମୂର୍ତ୍ତି ଗଢାଯାଇ ପୂର୍ବପରି ଗର୍ଭଗୃହରେ ସ୍ଥାପନ କରାଯାଉ ବୋଲି ମରହଟ୍ଟା ଶାସକ ରଘୁଜୀ ଭୋନସେଲଙ୍କୁ କହିଥିଲେ। ମାତ୍ର ଏହା ଶୁଣିବା ପରେ ବୈଷ୍ଣବ ଓ ସନ୍ଥ ମାନେ ପ୍ରବଳ ବିରୋଧ କରିବାରୁ ରଘୁଜୀ ଆଦେଶ ପ୍ରତ୍ୟାହାର କରି ଭିତର ବେଢାସ୍ଥ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟସ୍ଥ କାନ୍ଥରେ ସ୍ଥାପନ କରା ଯାଇଥିଲା।୧୮୦୬ ଖ୍ରୀଷ୍ଟାବ୍ଦରେ ରାମଶଙ୍କର ଭାରତୀ ଏହି ମୂର୍ତ୍ତି ପୁନଃ ସ୍ଥାପନ ପାଇଁ ଇଂରେଜମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ତାହା ଖାରଜ ହୋଇଯାଇଥିଲା। କୁତାମ ଚଣ୍ଡୀ ବିଗ୍ରହକୁ ଅନେକ ଭକ୍ତ ବେଢା ପରିକ୍ରମା ଅବସରରେ ଜାଣି ପାରି ନଥାନ୍ତି। କ୍ରମଶଃ🙏

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ଚୈତ୍ର ଶୁକ୍ଳ ଅଷ୍ଟମୀ ‘ଅଶୋକାଷ୍ଟମୀ’ ରୂପେ ଅଭିହିତ । ଏଥରେ ଅଶୋକକଳିକାର ପ୍ରାଧାନ୍ୟ ହେତୁ ଏପରି ନାମକରଣ ସମାଚୀନ । ଏହି ଦିବସରେ ଦେବ ଦେବ ମହାଦେବଙ୍କ ଠାରେ ଅଶୋକକଳିକା ମଣୋହି ପୂର୍ବକ ତାକୁ ସେବନ କରିବାର ବିଧି ଧର୍ମଶାସ୍ତ୍ର ସମ୍ମତ । ଚୈତ୍ର ମାସ ପୁନର୍ବସୁ ନକ୍ଷତ୍ର ଯୁକ୍ତ ଶୁକ୍ଳାଷ୍ଟମୀରେ ଯେଉଁମାନେ ଅଷ୍ଟ ଅଶୋକକଳିକା ସେବନ କରନ୍ତି ସେମାନେ ଶୋକଗ୍ରସ୍ତ ହୁଅନ୍ତି ନାହିଁ ।

ବର୍ଷକରେ ଅଶୋକାଷ୍ଟମୀ ଏପରି ଏକ ତିଥ୍ୟ ଯେଉଁଥିରେ ହର, ହରି ଏବଂ ଦେବୀ ଦୁର୍ଗାଙ୍କର ଯୁଗପତ୍ ପର୍ବ ଅନୁଷ୍ଠିତ ହୁଏ। ବାସନ୍ତକଦୁଗୌତ୍ସବ ଚୈତ୍ରଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ । ଏଥିରେ ଅଷ୍ଟମୀ ଦିନଟି ବାସନ୍ତିକ ମହାଷ୍ଟମୀ ଅଟେ, ଯେଉଁଥିରେ ବିଶେଷ ପୂଜାର୍ଚ୍ଚନା କରାଯାଏ । ଶ୍ରୀରାମନବମୀର ପୂର୍ବତିଥ ହେତୁ ଏହା ଗୁରୁତ୍ବପୂର୍ଣ୍ଣ ଯେଉଁଥ‌ିରେ ଶ୍ରୀଜଗନ୍ନାଥରୂପୀ କୌଶଲ୍ୟାଙ୍କ ଗର୍ଭକଷ୍ଟ ନିବାରକ ଜେଉଡ଼ ବା ଜେଉଟ ଭୋଗ ସମର୍ପିତ ହୁଏ । ଶ୍ରୀମନ୍ଦିରରେ ଏହି ତିଥିରେ ସକାଳ ଧୂପ ସରିବାପରେ ଭଣ୍ଡାର ଲୋକନାଥଙ୍କୁ ମହାଜନ ସେବକମାନେ ହସ୍ତରେ ବିଜେ କରି ଝୁଲଣମଣ୍ଡପ ତଳେ ସ୍ଥିତ ପାଲିଙ୍କିରେ ସ୍ଥାପନ କରନ୍ତି । ସେବକମାନଙ୍କ ଦ୍ଵାରା ଘଣ୍ଟଛତ୍ର କାହାଳୀ ବାଦନ ସହ ପାଲିଙ୍କିକୁ ବିମାନ ବଡୁ ସେବକମାନେ ବହନ କରି ଶ୍ରୀ ଈଶାନେଶ୍ଵର ମନ୍ଦିରକୁ ଯାଇଥାଆନ୍ତି । କୂର୍ମବେଢା ଉତ୍ତର ଦିଗ ଭିତର ଗୁମୁଟରେ ହସ୍ତୀ ପାର୍ଶ୍ଵରେ ଐଶାନ୍ୟ କୋଣରେ ଐଶାନେଶ୍ଵର ମହାଦେବ ବିଜେ କରିଅଛନ୍ତି । ଜନଶ୍ରୁତି ଅନୁସାରେ ଐଶାନେଶ୍ଵର ଶ୍ରୀଜଗନ୍ନାଥଙ୍କ ଈଶାନ ବା ଗୁରୁ ରୂପେ ବିଦିତ । ଆଶୋକାଷ୍ଟମୀରେ ଐଶାନେଶ୍ଵରଙ୍କ ଗର୍ଭଗୃହକୁ ଶ୍ରୀ ଲୋକନାଥ ବିଜେ କରିବା ପରେ ଭିତରଚ୍ଛ ମହାପାତ୍ର ସେବକ ଐଶାନେଶ୍ଵରଙ୍କୁ ଅଶୋକକଳିକା, ପୁଷ୍ଯମାଲାଦି ଲାଗି କଲା ପରେ ସେଗୁଡିକୁ ଆଣି ଶ୍ରୀଲୋକନାଥଙ୍କୁ ଅଳଂକୃତ କରନ୍ତି । ଏହାପରେ ଶ୍ରୀ ଲୋକନାଥଙ୍କୁ ପୁନଃ ପାଲିଙ୍କିରେ ଅଧ୍ୟଷ୍ଠିତ କରାଯାଇ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଏ । ସେଠାରେ ଶ୍ରୀଲୋକନାଥଙ୍କର ଭୋଗ, ବନ୍ଦାପନା, ଅଶୋକକଳିକା ମଣୋହି ଆଦି ନୀତି ସମାପ୍ତ ହେବାପରେ ତାଙ୍କୁ ବାହୁଡା ବିଜେ କରାଯାଇ ଭଣ୍ଡାର ଘରେ ସଂସ୍ଥାପିତ କରାଯାଏ ।
ଅଶୋକାଷ୍ଟମୀ ରାତ୍ରିରେ
ସନ୍ଧ୍ୟାଧୂପ ପରେ ପାଣି ପଡ଼ି ଧୋ ପଖାଳ ହେବା ପରେ ଟେରା ବନ୍ଧାଯାଏ । ପ୍ରତିହାରୀ ସେବକ ରୋଷରୁ ଜେଉଡ଼ ଭୋଗ ଡାକିବା ନିମିତ୍ତ ଯାଇଥାଆନ୍ତି । ଭୋଗ ଆସିବା ପରେ ପୂଜାପଣ୍ଡା ସେଗୁଡିକୁ ପଞ୍ଚୋପଚାରରେ ନିବେଦିତ କରିଥାଆନ୍ତି । ଏହାପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ବନ୍ଦାପନା କରିବା ସହ ମହାପ୍ରଭୁଙ୍କ ବାଡ଼ରେ ଗର୍ଭଉଦକ ବନ୍ଦାପନା କରିଥାଆନ୍ତି । ସ୍ବାଦିଷ୍ଟ ଜେଉଡ଼ ଭୋଗ ଗର୍ଭବତୀ କୌଶଲ୍ୟାରୂପୀ ଶ୍ରୀଜଗନ୍ନାଥଙ୍କୁ ଗର୍ଭକଷ୍ଟ ନିବାରଣ ନିମିତ୍ତ ସମର୍ପିତ ହୁଏ । ଶ୍ରୀଜଗନ୍ନାଥ ‘ତ୍ୱମେବ ମାତା ଚ ପିତା ତ୍ୱମେବ’ ଅନୁସାରେ ମାତା ରୂପେ କଳ୍ପିତ ହୁଅନ୍ତି ପୁନଃ ସେ ପୁତ୍ରରୂପେ ଆବିର୍ଭୁତ ହୁଅନ୍ତି । ଏହା ମହାପ୍ରଭୁଙ୍କ ରହସ୍ୟମୟୀ ଲୀଳା ।
ଜେଉଡ଼ ସହ ଏହି ଭୋଗରେ ଶାଗ, ତରକାରୀ, ପିଠା, ଝିଲ୍ଲି, ସାନ ଆରିସା, ଓରିଆ, କ୍ଷୀରା ଆଦି ଭୋଗ ପ୍ରଦତ୍ତ ହୁଏ । ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ ଅଛି – ‘ସର୍ବରୂପମ ହୋଷ ସର୍ବମନ୍ତ୍ରମଶଃ ପ୍ରଭୁ’ ସେ ସବୁ ରୂପରେ ଆବିର୍ଭୂତ ହୁଅନ୍ତି । ତାଙ୍କ ଲୀଳା ଅକଳ୍ପନୀୟା । ‘ସର୍ବଂ ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାନନ୍ତି କୁତୋ ମନୁଷ୍ୟ ।’

Leave a Comment

Your email address will not be published. Required fields are marked *