=======================
⛵କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା⛵
ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ବର୍ଷରେ ଆସୁଥିବା ପ୍ରତ୍ୟେକ ମାସର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଅଛି କିନ୍ତୁ ହିନ୍ଦୁ ଧର୍ମରେ ଯଦି କୌଣସି ମାସକୁ ସମ୍ପୂର୍ଣ୍ଣ ଭାବରେ ଶୁଭ ମାସ ବୋଲି ଗ୍ରହଣ କରାଯାଏ ତାହା ହେଲା ପବିତ୍ର କାର୍ତ୍ତିକ ମାସ।ଆଉ ସେହି କାର୍ତ୍ତିକ ମାସର ଆଜି ହେଉଛି ଶୁକ୍ଳପକ୍ଷର ପବିତ୍ର ପୂର୍ଣ୍ଣିମା ତିଥି।ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା।ଓଡ଼ିଆ ଧର୍ମଧାରା ଓ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ବେଶ୍ ଗୁରୁତ୍ୱ ବହନ କରେ।ଏହି ଦିନଟି କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ନାମରେ ପରିଚିତ ହୋଇଥିବା ବେଳେ ଏହା ତ୍ରିପୁରାରୀ ପୂର୍ଣ୍ଣିମା ନାମରେ ମଧ୍ୟ ଖ୍ୟାତ ଅଟେ।ଓଡ଼ିଶାର ଆଚାର ବିଚାର,ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଅଙ୍ଗାଅଙ୍ଗି ଭାବେ ଜଡିତ।ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ମଧ୍ୟ ନିବିଡ ଭାବେ ସମ୍ପୃକ୍ତ।ଶୁକ୍ଳ ଏକାଦଶୀ ତିଥିଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦ୍ଯାପନ ହୋଇଥାଏ।ଏହି ଦିନ ଲୋକେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ଭଗବାନ ବିଷ୍ଣୁଙ୍କ ଦର୍ଶନ କରିଲେ କୋଟି କୋଟି ପାପ କ୍ଷୟ ହୋଇଥାଏ ବୋଲି ବିଶ୍ଵାସ ରହିଅଛି।ଏହି ଦିବସଟିକୁ ସାରା ଦେଶରେ ହିନ୍ଦୁ,ଶିଖ୍ ଓ ଜୈନମାନେ ମହାଆଡ଼ମ୍ବର ସହକାରେ ପାଳନ କରିଥାଆନ୍ତି।ବିଶେଷକରି ଓଡ଼ିଶାରେ ଏହି ଦିବସଟିକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥାଏ।
ବିଷ୍ଣୁ ପୁରାଣ ଅନୁସାରେ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ଭଗବାନ ବିଷ୍ଣୁ ତାଙ୍କର ଦଶ ଅବତାରର ପ୍ରଥମ ଅବତାର ଧାରଣ କରିଥିଲେ।ଶଙ୍ଖାସୁର ବେଦ ହରଣ କରି ନେଇଥିବାରୁ ଭଗବାନ ବିଷ୍ଣୁ ବେଦ ଉଦ୍ଧାର କରିବା ପାଇଁ ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ।ମତ୍ସରୂପୀ ଶ୍ରୀବିଷ୍ଣୁ ଶଙ୍ଖାସୁରକୁ ବଧ କରି ବେଦ ବ୍ରହ୍ମାଙ୍କୁ ପ୍ରଦାନ କଲେ।ଵେଦ ପାଇ ବ୍ରହ୍ମା ସନ୍ତୁଷ୍ଟ ହେବା ସହ ବିଷ୍ଣୁଙ୍କୁ ବ୍ରହ୍ମା କାର୍ତ୍ତିକ ମାସରେ ଜଳରେ ବାସ କରିବାକୁ ନିବେଦନ କଲେ।ତେଣୁ ବିଶ୍ବାସ ଏହା ରହିଛି ଯେ ଶ୍ରୀବିଷ୍ଣୁ କାର୍ତ୍ତିକମାସରେ ଜଳରେ ବାସ କରନ୍ତି ଏବଂ ପୂର୍ଣ୍ଣମୀ ଦିନ ବୈକୁଣ୍ଠ ଗମନ କରିଥାଆନ୍ତି।ତେଣୁ ଏହି ଦିନ ଶ୍ରୀବିଷ୍ଣୁଙ୍କ ଉପାସନା କଲେ ଅକ୍ଷୟ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଅଛି।କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିବା ଯୋଗୁଁ ବୈଷ୍ଣବ ସମ୍ପ୍ରଦାୟରେ ଏହି ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ରହିଅଛି।ଆଜିର ଦିନରେ ଭଗବାନ ଶିବ ରାକ୍ଷସ ତ୍ରିପୁରାସୁରକୁ ସଂହାର କରିଥଲେ ଯେଉଁଥିପାଇଁ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରାରୀ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ।ସେଥିପାଇଁ ଶିବଙ୍କର ଅନ୍ୟ ନାମ ତ୍ରିପୁରାରୀ।
କାର୍ତ୍ତିକ ପୂର୍ଣ୍ଣିମା ତିଥିରେ କଟକରୁ କୋଚିନ୍,ସୁରଟରୁ ମିରଟ ଯେଉଁଠାରେ ବି ଓଡ଼ିଆ ବାସ କରନ୍ତି ସବୁଠି ଆବାଳ,ବୃଦ୍ଧ,ବନିତା,ରାତି ନ ପାହୁଣୁ ବିଛଣା ଛାଡି ଆଖପାଖ ନଦୀ,ନାଳ,ପୋଖରୀରେ ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ଉତଫୁଲ୍ଲିତ ଚିତ୍ତରେ ‘ଆ କା ମା ବୈ,ପାନ ଗୁଆ ଥୋଇ ପାନ ଗୁଆ ତୋର’ ମାସକ ଧର୍ମ ମୋର ଗୀତ ଗାଇ ମାସକର ଧର୍ମ ଅକ୍ତିଆର କରିନିଅନ୍ତି ଓ ନିଜକୁ ଖାଣ୍ଟି ଓଡ଼ିଆ ଭାବେ ଗର୍ବ ଅନୁଭବ କରନ୍ତି।କିନ୍ତୁ ଡଙ୍ଗା ଭସାଇବାର ପ୍ରକୃତ କାରଣ କ’ଣ ତାହା ଜାଣିବାକୁ କେବେ ବି ଚେଷ୍ଟା ଵି କରନ୍ତି ନାହିଁ।କହିବାକୁ ଗଲେ ଏହି ପର୍ବର ଅସଲ ଗାରିମା ଓ ସ୍ପନ୍ଦନଠାରୁ ଆମେ କାହିଁ କେତେ ଦୂରରେ ଅଛୁ।ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ଜଡ଼ିତ ଯେ ଏହି ଦିବସର ଗୁରୁତ୍ୱକୁ ବାଦ ଦେଲେ ପୂର୍ବକାଳର ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ନ ପାରେ।ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ।
କାର୍ତ୍ତିକ ପୂର୍ଣ୍ଣିମା ସମଗ୍ର ଉତ୍କଳୀୟ ମାନଙ୍କର ଏକ ହୃତ ଗୌରବର ସ୍ମାରକୀ ପର୍ବ।ଉତ୍କଳରେ ଆଜି ବୋଇତ ବନ୍ଦାଣ ନାମରେ ଏକ ସ୍ବତନ୍ତ୍ର ଉତ୍ସବ ପାଳିତ ହୁଏ।ଏହାପଛରେ ରହିଛି ପ୍ରାୟ ଅଢ଼େଇ ହଜାର ବର୍ଷର ଗୌରବପୂର୍ଣ୍ଣ ଐତିହ୍ୟ ଏବଂ ଅନେକ ଲୋକକଥା।ପବିତ୍ର କାର୍ତ୍ତିକ ମାସର ବିଭିନ୍ନ ରୀତି ନୀତି ସହ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମୃତି ଉଜ୍ଜୀବିତ ହୋଇଥାଏ।ବାଲିଯାତ୍ରା,ବୋଇତ ବନ୍ଦାଣ ବା ଡଙ୍ଗାଭସା ସହ ଜଡ଼ିତ ହୋଇ ରହିଛି ଲୋକବିଶ୍ବାସ,କିମ୍ବଦନ୍ତୀ ଓ ଇତିହାସ।ଦିନ ଥିଲା ଓଡ଼ିଆ ସାଧବପୁଅମାନେ ନିଜ ବୋଇତରେ ନୀଳ ବୀଚିମାଳାର ମହାସାଗର ବୁକୁକୁ ଚିରି ବୋଇତ ମେଲାଇ ଜାଭା,ବାଲି,ସୁମାତ୍ରା,ଇଣ୍ଡୋନେସିଆ ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଇ ପରିପୁଷ୍ଟ କରୁଥିଲେ ଏ ମାଟିର ଅର୍ଥନୀତିକୁ,ଏ ମାଟିର ସଂସ୍କୃତିକୁ।କଳିଙ୍ଗବାସୀ ଦେଶ ବିଦେଶରେ ବୋଇତ ଯାତ୍ରାରେ ବାଣିଜ୍ୟ ସହ ଉପନିବେଶ ସ୍ଥାପନ କରିଥିଲେ।ସମୁଦ୍ର ବକ୍ଷରେ ଓଡ଼ିଆ ଜାତିର ଆଧିପତ୍ଯ ଆଜି ବି ମନେ ପକେଇ ଦିଏ।ଯାହା ଆଜି ବଙ୍ଗୋପସାଗର କୁହାଯାଏ ତାହା ସେ ସମୟରେ କଳିଙ୍ଗ ସାଗର ନାମରେ ପରିଚିତ ହେଉଥିଲା।ଓଡ଼ିଆ ସାଧବ ପୁଅମାନେ ଥିଲେ ସୁନାବିକ ଓ କୁଶଳୀ ସାଗର ବକ୍ଷର ଯନ୍ତ୍ରୀ ।
ସାଧବମାନଙ୍କର ସାହସ,ସଫଳତା ଓ ଗାରିମାର ସ୍ମୃତିରେ ପାଳିତ ହୋଇଥାଏ ବୋଇତ ବନ୍ଦାଣ ଉତ୍ସବ।ସେହି ନୌବାଣିଜ୍ୟ ଆଜି ଲୁପ୍ତ ପ୍ରାୟ କିନ୍ତୁ ଛାଡ଼ିଯାଇଛି ମହାର୍ଘ ଇତିହାସ।ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ପାଳିତ ହେଉଥିବା ବାଲିଯାତ୍ରା,ବୋଇତ ବନ୍ଦାଣ ଏହି ମହାନ ଇତିହାସର ଜୀବନ୍ତ ସାକ୍ଷୀ।ଏହି ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉତ୍କଳର ରାଜଧାନୀ ଐତିହାସିକ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ଅନୁଷ୍ଠିତ ବାଲିଯାତ୍ରାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରେ।ସେହି ସ୍ମୃତିକୁ ମନେପକାଇ ଉପକୂଳ ଅଞ୍ଚଳରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ।ଏହି ସମୟକୁ ସାଧବମାନେ ବୋଇତରେ ବିଦେଶ ଯିବା ପାଇଁ ପ୍ରକୃଷ୍ଟ ସମୟ ବୋଲି ଭାବୁଥିଲେ।କାରଣ ଏହି ସମୟରେ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା।ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା।
କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଉତ୍କଳର ଐତିହାସିକ ନଗରୀ କଟକରେ ଆଜିଠାରୁ ମହାନଦୀ କୂଳରେ ଏକ ବିଶାଳ ମହୋତ୍ସବ ଆରମ୍ଭ ହୋଇଥାଏ ଯାହା କଟକ ପ୍ରସିଦ୍ଧ ବାଲିଯାତ୍ରା ନାମରେ ପରିଚିତ।ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ ଅଟେ ବାଲିଯାତ୍ରା।ସାଧବପୁଅଙ୍କ ବୋଇତ ଯାତ୍ରାର ନିରବ ନିଦର୍ଶନ ଅଟେ ବାଲିଯାତ୍ରା।କାହିଁ କେଉଁ ଆବାହମାନ କାଳରୁ ଅୟୋଜିତ ହୋଇ ଆସୁଛି ଏହି ବାଲିଯାତ୍ରା।ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା।କେହି କେହି କହିଥାଆନ୍ତି ବାଲିରେ ଯାତ୍ରା ଆରମ୍ଭ ହୋଇଥିବାରୁ ଏହାର ନାଁ ବୋଧେ ବାଲିଯାତ୍ରା।ପୁଣି କୁହାଯାଏ ଯେ ବାଲି ଦ୍ୱୀପକୁ ଏଠାରୁ ସାଧବପୁଅମାନେ ଯାତ୍ରା କରୁଥିବାରୁ ଏହାର ନାମ ବାଲିଯାତ୍ରା।ହଜାରବର୍ଷର ସହର କଟକରେ କେବେ ଠାରୁ ଏହା ଆୟୋଜନ ହେଉଛି ତାହାର କୌଣସି ସ୍ପଷ୍ଟ ପ୍ରମାଣ ମିଳେ ନାହିଁ।ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର,କଳିଙ୍ଗ,ଉତ୍କଳ,ତୋଷାଳୀ,କଙ୍ଗୋଦ ଓ କୋଶଳର ସମନ୍ଵୟଭିତ୍ତିକ ଯାତ୍ରା।ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ଏକ ରୂପ।ସେହିପରି ଶ୍ରୀଚୈତନ୍ୟ ଯେତେବେଳେ ପଶ୍ଚିମବଙ୍ଗର ନଦୀୟାରୁ ପୁରୀ ଆସୁଥିଲେ ସେତେବେଳେ ସେ ଉଦଣ୍ଡ କୀର୍ତ୍ତନ କରି ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡ଼ି ଯାଇଥିଲେ।ସେଥିପାଇଁ କଟକର ସେହି ଘାଟ ଗଡ଼ଗଡିଆ ଘାଟ ଭାବେ ଜଣାଶୁଣା ହେଲା ଓ ସେହି ସ୍ମୃତି ଆଧାରରେ ଏଠାରେ ବାଲିଯାତ୍ରା ଉତ୍ସବ ଆୟୋଜିତ ହେଲା ବୋଲି କେତେ ଜଣ ମତ ରଖିଥାଆନ୍ତି।କିନ୍ତୁ ଅନେକ ଗବେଷକ ଏହି ମତକୁ ଖଣ୍ଡନ କରିଥାଆନ୍ତି।ସେମାନଙ୍କ କହିବା ଅନୁସାରେ ଗଡ଼ର ଘାଟ ହୋଇଥିବାରୁ ସେଠାରେ ଗଡ଼ଚଣ୍ଡୀ ପୀଠ ରହିଛି ଓ ଲୋକ ଉକ୍ତି ଅନୁସାରେ ଏହା ଗଡ଼ଗଡ଼ିଆ ଘାଟ ଭାବେ ଜଣାଶୁଣା ହୋଇଅଛି।ଉତ୍କଳର ରାଜା ଉଦ୍ୟୋତ କେଶରୀ ସିଂହଳ ବିଜୟ କରି ଜଳପଥରେ ଫେରିବାର ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ବୋଲି କେହି କେହି ଗବେଷକ ମତ ରଖିଥାଆନ୍ତି।ଐତିହାସିକ ତଥ୍ୟ ଅନୁସାରେ ଉଦ୍ୟୋତ କେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାସ୍ତ କରି ଦକ୍ଷିଣ ଭାରତ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ।ସିଂହଳରେ ସେତେବେଳେ ରାଜା ଥିଲେ ଚିତ୍ରକେୟୁର।ସିଂହଳ ବିଜୟ ପରେ ବହୁ ଧନରତ୍ନ ଧରି ସେ ଓଡ଼ିଶା ଫେରିଥିଲେ।ଜଳପଥରେ ମହାନଦୀ ମୁହାଣ ଦେଇ ସେ କଟକରେ ବିଶ୍ରାମ ନେଇଥିଲେ ଆଉ ସେହି ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହୁଏ ବୋଲି ଅନେକ ଲୋକମତ ରହିଅଛି।ବାଲିଯାତ୍ରା ସହ ଓଡ଼ିଶାର ଅଢ଼େଇ ହଜାର ବର୍ଷର ଐତିହ୍ୟ ଜଡ଼ିତ ଥିବା କୁହାଯାଇଥାଏ।ନଅ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ସତରେ ବେଶ୍ ଆକର୍ଷଣୀୟ ହୋଇଥାଏ।
ବିଶ୍ଵାସ ଏହା ରହିଛି ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ।କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ଆବାଳ ବୃଦ୍ଧ ବନିତା ନଦୀ ବା ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ବାସୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି।ଆ କା ମା ବୈ…ପାନ ଗୁଆ ଥୋଇ,ପାନ ଗୁଆ ତୋର,ମାସକ ଧରମ ମୋର…।ଭୋର୍ରୁ ସମସ୍ତ ପୁଷ୍କରିଣୀରେ,ନଦୀ କୂଳରେ ଗୁଞ୍ଜରିତ ହୋଇଥାଏ ଏହି ଗୀତ।କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଆମାନେ ଏହି ଗୀତ ଗାଇ ବୋଇତ ବନ୍ଦାଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଥାଆନ୍ତି।ଶ୍ରଦ୍ଧାଳୁମାନେ ପରମ୍ପରାର ପ୍ରତୀକ କଦଳୀ ପାଟୁକା,ସୋଲରେ ତିଆରି ଡଙ୍ଗାରେ ଦୀପାଳି ଦେଇ ବେଶ୍ ଆଗ୍ରହର ସହିତ ନଦୀଘାଟରେ ଭସାଇବାର ଦୃଶ୍ୟ ବେଶ୍ ରୋମାଞ୍ଚକର ହୋଇଥାଏ।
କୁହାଯାଏ କାର୍ତ୍ତିକ ପୂର୍ଣ୍ଣିମାରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଙ୍ଗନାମାନଙ୍କ ସହ ରାସକ୍ରୀଡ଼ା କରିଥିଲେ।ଶ୍ରୀମଦ୍ ଭାଗବତରେ ଉଲ୍ଲେଖ ଅଛି:-
ରାସୋତ୍ସବଃ ସମ୍ପ୍ରବୃତ୍ତୋ ଗୋପୀ
ମଣ୍ଡଲ ମଣ୍ଡିତଃ,
ଯୋଗେଶ୍ୱରେଣ କୃଷ୍ଣେନ ତାସାଂ
ମଧ୍ୟେ ଦ୍ୱୟୋର୍ଦ୍ୱୟୋଃ।
ଶ୍ରୀମଦ୍ ଭାଗବତ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଶ୍ରୀଧାମ ବୃନ୍ଦାବନରେ ମହା ରାସ ରଚନା କରିଥିଲେ।ଶ୍ରୀକୃଷ୍ଣ ଗୋପୀମାନଙ୍କ ସହ ବୃନ୍ଦାବନରେ ଯେଉଁ ତିନୋଟି ରାସ କ୍ରୀଡା କରିଥିଲେ ତାହା ମଧ୍ୟରୁ ଶରତ ରାସ ଅନ୍ୟତମ।ଶରତ ଋତୁର ଆଗମନ ପରେ ଭଗବାନ ଶ୍ରୀ ବ୍ରଜେନ୍ଦ୍ର ନନ୍ଦନ ବୃନ୍ଦାବନର ଘନ ନିକୁଞ୍ଜରେ ଗୋପାଙ୍ଗନାଙ୍କ ସହ ଶରତ ରାସ କରି ଗୋପିକେ ଗୋବିନ୍ଦ ଗୋଟିଏ ରୂପ ଧାରଣ କରିଥିଲେ।ପୂର୍ଣ୍ଣକାମ,ଯୋଗେଶ୍ୱର,ରାସେଶ୍ୱର ଶ୍ରୀକୃଷ୍ଣ ଦୁଇ ଦୁଇ ଜଣଙ୍କ ମଝିରେ ସ୍ୱୟଂ ଆବିର୍ଭାବ ହୋଇ ଗଳାରେ ହାତ ଛନ୍ଦି ନୃତ୍ୟ କରି ରାସ ରଚନା କରିଥିଲେ।ଷୋଳ ସହସ୍ର ଗୋପୀଙ୍କ ଗହଣରେ ମଣ୍ଡଳାକାରରେ ପରିଵୃତ୍ତ ହୋଇ ଶ୍ରୀକୃଷ୍ଣ ରାସଲୀଳା ରଚନା କରିଥିଲେ।ରାସ ମଣ୍ଡଳରେ ସମସ୍ତ ଗୋପୀଗଣ ପ୍ରିୟ କାହ୍ନୁଙ୍କ ସହିତ ରାସ କରିଥିଲେ।ରାସର ମୁଖ୍ୟ ନାୟିକା ଥିଲେ ପ୍ରାଣପ୍ରିୟା,ରାସେଶ୍ୱରୀ ରାଧାରାଣୀ।ନିଜର ପ୍ରାଣ ପ୍ରିୟଙ୍କୁ ନିଜ ପାଖରେ ସମସ୍ତ ଗୋପୀମାନେ ଅନୁଭବ କରିଥିଲେ।ଏହିପରି ହଜାର ହଜାର ଗୋପୀଙ୍କଦ୍ୱାରା ଶୋଭାୟମାନ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ରାସୋତ୍ସବ ଆରମ୍ଭ ହୋଇଥିଲା।ରାସମଣ୍ଡଳରେ ସମସ୍ତ ଗୋପୀ ସେମାନଙ୍କର ପ୍ରିୟତମ ଶ୍ରୀକୃଷ୍ଣଙ୍କ ସହିତ ନୃତ୍ୟ କରୁଥିଲେ।ରାସକ୍ରୀଡ଼ା କହିଲେ ମାନବୀୟ ଦୈହିକ ପ୍ରେମକୁ ଵୁଝାଏ ନାହିଁ।ରାସ ଅର୍ଥ ହେଲା ରସମୟ ଭଗବାନ ଶ୍ରୀକୃଷ୍ଣ ଅଥବା ପରମାତ୍ମାଙ୍କ ଭାବରେ ନିମଜ୍ଜିତ ହୋଇଯିବା।ରାସ ମାନେ ଆତ୍ମା ପରମାତ୍ମାଙ୍କ ସହ ମିଳନର ଶୁଭମୁହୂର୍ତ୍ତ।ସ୍ରଷ୍ଟା ସହିତ ସୃଷ୍ଟି ଏକାକାର ହୋଇଯିବାର ଏକ ଦିବ୍ୟ ମୁହୂର୍ତ୍ତ।ଏହା ଥିଲା ଏକ ଆତ୍ମିକ ଚେତନାର ମହା ଜାଗରଣ।ସେହି ମିଳନରେ ନ ଥାଏ କାମର ବାସନା…ନ ଥାଏ କାମ ଭାବନାର ଲେସ ମାତ୍ର ଗନ୍ଧ,ଥିଲା କେବଳ ଆନନ୍ଦ ଆଉ ଆନନ୍ଦ।ଥାଏ କେବଳ ହିଁ କେବଳ ସମର୍ପଣର ଭାବ।ବ୍ରହ୍ମାନନ୍ଦର ଅନୁଭବ।ଅନ୍ୟ ଭାବରେ ବୁଝିବାକୁ ହେଲେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପୁରୁଷ,ଶ୍ରୀରାଧା ହେଉଛନ୍ତି ପ୍ରକୃତି ଓ ଷୋଳ ସହସ୍ର ଗୋପାଙ୍ଗନାମାନେ ସେହି ପରମପୁରୁଷଙ୍କ ଅତି ପ୍ରିୟ ଭକ୍ତମାନେ।ସେହି ପୁଣ୍ୟ ଲଗ୍ନରେ ଭଗବାନ ଶ୍ରୀକୃଷ୍ଣ ପ୍ରତ୍ୟେକ ଗୋପୀମାନଙ୍କୁ ପ୍ରଦାନ କରିଥିଲେ ଏକ ଦିବ୍ୟ ଶରୀର।ରକ୍ତମାଂସରେ ଗଢ଼ା ବିନାଶଶୀଳ ଶରୀର ଦିବ୍ୟ ଶରୀରରେ ରୂପାନ୍ତରିତ ହୋଇ ଗୋପାଙ୍ଗନାମାନଙ୍କ ଜୀବନକୁ ସାର୍ଥକ କରାଇଥିଲା।ଭାରତରେ ବୈଷ୍ଣବମାନେ ଏହି ସ୍ମୃତି ଉତ୍ସବକୁ ବହୁତ ଧୁମଧାମରେ ପାଳନ କରିଥାଆନ୍ତି।କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରୁ ଆରମ୍ଭ ହେଉଥିବା ଶରତ ରାସ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପିତ ହୋଇଥାଏ।ତେଣୁ ଧର୍ମରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ନରନାରୀ ଆଜିର ଏ ପୁଣ୍ୟ ଦିବସରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ପ୍ରାତଃ ସ୍ନାନ କରି ଅନ୍ତରରେ ଶ୍ରଦ୍ଧା ଓ ଭକ୍ତି ରଖି ଭଗବାନଙ୍କୁ ଦର୍ଶନ କରିବା ସହ ସଂଧ୍ୟାରେ ଭାଗବତ ଦଶମ ସ୍କନ୍ଦର ୩୦ରୁ ୩୪ ଅଧ୍ୟ୍ୟାୟରେ ବର୍ଣ୍ଣିତ ରାସ ପଞ୍ଚାଧ୍ୟାୟୀ ପାଠ କରିଥାଆନ୍ତି।
ମହାଭାରତରେ କାର୍ତ୍ତିକ ପୂର୍ଣ୍ଣିମାର ମଧ୍ୟ ମହତ୍ତ୍ବ ଉଲ୍ଲେଖ ରହିଅଛି।କଥାନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ଆତ୍ମୀୟଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ଯାଇଥିଲେ।ମୃତ ଆତ୍ମୀୟଙ୍କୁ ତୃପ୍ତ କରିବା ପାଇଁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣ ଗଲେ।ପାଣ୍ଡବଙ୍କ ଚିନ୍ତା ଦେଖି ଭଗବାନ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ କାର୍ତ୍ତିକ ପୂର୍ଣ୍ଣିମାରେ ପିଣ୍ଡଦାନ କରିବାକୁ ପରାମର୍ଶ ଦେଇଥିଲେ।ତେଣୁ ପାଣ୍ଡବମାନେ ଗଡ଼ ମୁକ୍ତେଶ୍ବରରେ ତର୍ପଣ ଓ ଦୀପ ଦାନ କରିଥିଲେ।କୁହାଯାଏ କାର୍ତ୍ତିକ ପୂର୍ଣ୍ଣିମାରେ ଉପବାସ ଓ ବ୍ରତ ଆଦି ରଖିଲେ ହଜାରେ ଅଶ୍ୱମେଧ ଯଜ୍ଞ ଓ ରାଜସୂୟ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ।କାର୍ତ୍ତିକ ପୂର୍ଣ୍ଣିମାରେ ଦେବୀ ଲକ୍ଷ୍ମୀଙ୍କ ଆରାଧନା କରିବା ଦ୍ବାରା ମଧ୍ୟ ସୁଖ ଓ ସମୃଦ୍ଧି ମିଳିଥାଏ ବୋଲି ବିଶ୍ବାସ ରହିଅଛି।କାର୍ତ୍ତିକ ପୂର୍ଣ୍ଣିମା ଦିନ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରି ବିଭିନ୍ନ ପବିତ୍ର ଜଳାଶୟ,ତୀର୍ଥ ସ୍ଥାନରେ ସ୍ନାନ କଲେ ଅଶେଷ ପୁଣ୍ୟ ଅର୍ଜନ ହୋଇଥାଏ।ଏହି ମାସରେ ପୁଷ୍କରିଣୀରେ ସ୍ନାନ କଲେ ପାଞ୍ଚଗୁଣ,ନଦୀରେ ସ୍ନାନ କଲେ ଦଶଗୁଣ ଏବଂ ତୀର୍ଥରେ ସ୍ନାନ କଲେ ଲକ୍ଷେ ଗୁଣ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଅଛି।ସ୍ନାନ ସହ ଦାନ,ଧର୍ମ ଆଦି ଧାର୍ମିକ କାର୍ଯ୍ୟର ମଧ୍ୟ ବିଶେଷ ମହତ୍ତ୍ୱ ରହିଅଛି।ଏହି ପୂର୍ଣ୍ଣିମାରେ କ୍ଷମତା ଅନୁସାରେ ଅନ୍ନ,ବସ୍ତ୍ରାଦି ଦାନ କରିବା ଦ୍ବାରା ଦଶାଶ୍ବମେଧ ଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ।ଏହାଦ୍ୱାରା ଘର ପରିବାରରେ ସୁଖ ସମୃଦ୍ଧି ବଢ଼ିଥାଏ।ଏହା ବି ମଧ୍ୟ କୁହାଯାଏ ଯେ ଏହି ପୂର୍ଣ୍ଣିମାରେ ଅନ୍ନଦାନ,ବସ୍ତ୍ରଦାନ,ଧନଦାନ ଆଦି କଲେ ମନୁଷ୍ୟ ଅକ୍ଷୟ ପୁଣ୍ୟର ଅଧିକାରୀ ହୋଇଥାଏ।ସେହିଭଳି କାର୍ତ୍ତିକ ପୂର୍ଣ୍ଣିମାରେ ଦୀପଦାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି।ଏହି ଦିନ ଗୃହରେ କିମ୍ବା ନଦୀରେ ଦୀପଦାନ କଲେ ଗୃହରେ ସମସ୍ତ ସଙ୍କଟ ସମାପ୍ତ ହେଵା ସହ ଋଣରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଅଛି।
କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତୀଙ୍କର ରାଜରାଜେଶ୍ଵର ବେଶ ଅନୁଷ୍ଠିତ ହୋଇଥାଏ।ଏହା ସୁନାବେଶର ଏକ ଅନୁରୂପ ବେଶ।ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବାପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉଙ୍କୁ ରାଜରାଜେଶ୍ଵର ବେଶରେ ସୁସଜ୍ଜିତ କରିଥାଆନ୍ତି।ମାସେ ଧରି କାର୍ତ୍ତିକ ବ୍ରତ ପାଳନ କରିଥିବା ହବିଷ୍ୟାଳିମାନେ ଆଜି ମହାପ୍ରଭୁଙ୍କୁ ରାଜରାଜେଶ୍ବର ବେଶରେ ଦର୍ଶନ କରିବା ସହ କାର୍ତ୍ତିକ ବ୍ରତ ସମାପନ କରିଥାଆନ୍ତି।ଆଜିର ପବିତ୍ର ଦିନରେ ଶିଖ ଧର୍ମର ପଥପ୍ରଦର୍ଶକ ଗୁରୁ ନାନକ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ଜନ୍ମତିଥି ପାଳନ ଉଦ୍ଦେଶ୍ୟରେ ଆଜିର ଦିନଟିକୁ ଶିଖ୍ ଧର୍ମରେ ପ୍ରକାଶ ପର୍ବ ଭାବେ ପାଳନ କରାଯାଇଥାଏ।କାର୍ତ୍ତିକ ପୂର୍ଣ୍ଣମୀ ଦିନ ସାରା ଦେଶ ବେଶ୍ ଚଳଚଞ୍ଚଳ ହୋଇଉଠିଥାଏ। ତେଣୁ କହିବାକୁ ଗଲେ କାର୍ତ୍ତିକ ପୂର୍ଣ୍ଣିମାର ଗୁରୁତ୍ବ ସାରା ଦେଶରେ ରହିଅଛି ତେଣୁ ଉଭୟ ଆଧ୍ୟାତ୍ମିକ ଓ ଐତିହାସିକ ଦିଗରୁ ଆଜିର ଦିନଟି ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।