କାର୍ତ୍ତିକ ମାହାତ୍ମ୍ୟ
କାର୍ତ୍ତିକ ମାହାତ୍ମ୍ୟ
(ଭାଗ -୯)
ଦେବର୍ଷି ନାରଦ ରାଜା ପୃଥୁକୁ କହୁଛନ୍ତି ହେ ରାଜନ ! ମୁଁ ଯାହା ଇନ୍ଦ୍ରପୁର ରେ କହିଥିଲି ତାହା ତୁମେ ଶୁଣ ।ଦେବତା ମାନଙ୍କ ଏପରି ଦୁଃଖ ଦେଖି ମୋ ସହିତ ସମସ୍ତ ଦେବତା ଜଳନ୍ଧର ପୁରକୁ ଯାତ୍ରା କଲୁ । ସିନ୍ଧୁ ନନ୍ଦନ ସଭା ତଳେ ଆମ୍ଭେ ମାନେ ସମସ୍ତେ ଏକ ଶୁଭ ବେଳ ଦେଖି ପ୍ରବେଶ କଲୁ । ଜଳନ୍ଧର ଆମ୍ଭ ମାନଙ୍କୁ ଦେଖି ପାଦ ପୂଜା କଲା । ନିଜ ନିକଟରେ ସସମ୍ମାନେ ବସାଇ କୋମଳ ବଚନରେ ପଚାରିଲା ହେ ସକଳ ଦେବଗଣ ସହିତ ନାରଦ ମୁନି ମୋ ପୁରକୁ କେଉଁ କାର୍ଯ୍ୟ ପାଇଁ ଆସିଛ କୁହନ୍ତୁ ? କେଉଁଠାରେ କଣ ଅଘଟଣ ଘଟିଛି ଯଦି ମୋ ଆଗରେ ନିର୍ଭର କୁହନ୍ତୁ ଜଳନ୍ଧର କଥାର ଉତ୍ତର ଦେବାକୁ ଯାଇ ନାରଦ କହିଲେ ହେ ମହାଭାଗ ! ଯେଉଁ ସ୍ଥାନରେ ଭଗବାନ ଶଙ୍କର ଅଛନ୍ତି ତାହାକୁ କପିଳାସ ପୁର କୁହାଯାଏ । ସବୁ ଗୁଣରେ ସେ ସ୍ଥାନ ଉତ୍ତମ । କପିଳାସ ପୁରର ଉପମା ଆପଣଙ୍କୁ କଣ ଦେବି ରାଜନ ! ଯେଉଁ ଗିରିର ଉଚ୍ଚତା ଶତ ଯୋଜନ ଅଟେ ।ଆପଣ ଜାଣି ପାରୁଥିବେ ତାହାର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ? ସେଠାରୁ ଧବଳ ବର୍ଣ୍ଣର ଜ୍ୟୋତି ବାହାରୁଛି । ବିଭିନ୍ନ ପ୍ରକାର ଗଛ ଲତା ରେ ପରିପୂର୍ଣ୍ଣ ଏହି ପୁରରେ କଳ୍ପବଟ ବି ରହିଛି । ସେଠାରେ ସୁନନ୍ଦା ନାମକ ନଦୀ ପ୍ରଭାହିତ ହେଉଛି ।ପଶୁ ପକ୍ଷୀ ସେ ବନରେ ମହା ଆନନ୍ଦରେ ବିଚରଣ କରୁଛନ୍ତି । ଶିବ ଓ ଗୌରୀ ଙ୍କ ପ୍ରସନ୍ନ ରେ ସର୍ଵ ସୁଖରେ ରହନ୍ତି । ହେ ରାଜନ ! ଆମେ ସେହି କପିଳାସ ରେ କିଛି ଦିନ କଟାଇଥିଲୁ । ଭଗବାନ ଶଙ୍କର ଙ୍କ ସହିତ ବଞ୍ଚି ଲୁ । ସେଠାରୁ ସ୍ୱର୍ଗକୁ ଯାଇ ରହିଲୁ ଓ ଆଜି ତୋ ପୁରକୁ ଆମେ ଆସିଲୁ ।
ନାରଦ ଦେବର୍ଷି ଙ୍କ ଠାରୁ ଏପରି ବାଣୀ ସାଗର ସୁତ ସନ୍ତୋଷ ଚିତ୍ତରେ କହିଲା ଭୋ ମୁନି ! ମୋତେ ପ୍ରସନ୍ନ ଚିତ୍ତରେ କୁହ ମୋହର ଯେତେ ସମ୍ପତ୍ତି ଅଛି ତାହା ଠାରୁ କଣ ଶିବ ଭଗବାନଙ୍କ ସମ୍ପତ୍ତି ଅଧିକ ହେବ ? ଆମ ଦୁଇ ଜଣଙ୍କ ମଧ୍ୟର କିଏ ଶ୍ରେଷ୍ଠ ହେବ କୁହ ଦେବର୍ଷି ?ଏ କଥା ଶୁଣି ଦେବର୍ଷି ନାରଦ ମୃଦୁ ମୃଦୁ ହସିଲେ ...............
ରାଜା ପୃଥୁ ଦେବର୍ଷି ନାରଦଙ୍କୁ ପ୍ରଣିପାତ କଲେ ଓ ପଚାରିଲେ ଭୋ ମୁନି ! ଜଳନ୍ଧର ପୁରକୁ ଆପଣ ଓ ସମସ୍ତ ଦେବତା ମାନେ ଯାଇଁ ଜଳନ୍ଧରକୁ ଭଗବାନ ଶଙ୍କର ଓ କପିଳାସ ପୁର ର୍ ବର୍ଣ୍ଣନା କଲେ ଜଳନ୍ଧର ଏକଥା ଶୁଣି ଭଗବାନ ଶଙ୍କର ବଡ଼ ନା ସେ ବଡ଼ ବୋଲି ଆପଣଙ୍କୁ ପ୍ରଶ୍ନ କଲା ? ଆପଣ ଜଳନ୍ଧର କଥା ଶୁଣି ହସିଲେ ? ତା ପରେ କଣ ଘଟିଲା ମୋତେ ବିସ୍ତାର କରି କୁହନ୍ତୁ ? ନାରଦ କହିଲେ ହେ ରାଜନ !ତା ପରେ ଯାହା ଘଟିଲା ମୁଁ ତୁମ ନିକଟରେ କହୁଛି ଶୁଣ । ନାରଦ କହିଲେ ...........!!!
ଦେବର୍ଷି ନାରଦ କପିଳାସ ପୁର ର ବର୍ଣ୍ଣନା କରିବା ସହିତ ଶଙ୍କର ଭଗବାନଙ୍କର ପ୍ରସନ୍ନତା ବିଷୟରେ ଜଳନ୍ଧର ନିକଟରେ ପ୍ରକାଶ କରିବାରୁ ଜଳନ୍ଧର ନାରଦ ଙ୍କୁ କହିଲେ ହେ ମୁନି ଆପଣ ମୋ ଧନ ସମ୍ପତ୍ତି ଓ ବିରତ୍ୱ ବିଷୟରେ ଜାଣିଛନ୍ତି । ଏବେ କୁହନ୍ତୁ ଆମ ଦୁଇଜଣଙ୍କ ଭିତରେ କିଏ ବଡ଼ ? ଜଳନ୍ଧର ର ଏପରି କଥା ଶୁଣି ନାରଦ ହସିଲେ ଓ କହିଲେ ହେ ରାଜନ ! ଯଦି ଆପଣ ଏପରି ପ୍ରଶ୍ନ ମୋତେ ପଚାରିଲେ ତେବେ ମୁଁ କହୁଛି ଶୁଣନ୍ତୁ ! ଆପଣଙ୍କ ପୁରରେ ଯେତେ ଧନ ସମ୍ପତ୍ତି ଅଛି ତାହା ଚଉଦ ଭୁବନରେ ନାହିଁ କି ଏହା ସହିତ ତୁଳନା ବି କରାଯାଇ ପାରିବନି । ତୁମର ନଗରରେ ଯେତେ ଲୋକ ଅଛନ୍ତି ଶଙ୍କର ଭଗବାନଙ୍କ ସମ୍ପଦ ଠାରୁ ଅଧିକ ହେବ ।ଏକଥା ସତ୍ୟ ଯେ ତୁମ ପୁରରେ ଯେତେ ରତ୍ନ ଅଛି କପିଳାସ ପୁରରେ ସେତିକି ରତ୍ନ ନାହିଁ । ହେଲେ ରାଜନ ଗୋଟିଏ କଥା ମୁଁ ସିନ୍ଧୁ ଦେଶରେ ଦେଖିବାକୁ ପାଇଲି ନାହିଁ ଯାହା କପିଳାସ ପୁରରେ ଅଛି ଜଳନ୍ଧର ପଚାରିଲା ଦେବର୍ଷି କଣ ମୋ ପୁରରେ ଅଭାବ ଅଛି କୁହନ୍ତୁ ?
ଦେବର୍ଷି ନାରଦ କହିଲେ ସବୁ ଏହି ସିନ୍ଧୁ ଦେଶରେ ଅଛି ମାତ୍ର ସୁନ୍ଦର ଯୁବତୀ ରତ୍ନ ଆପଣଙ୍କ ପୁରରେ ନାହାନ୍ତି , ଯାହାକି ଭଗବାନ ଶଙ୍କରଙ୍କ କପିଳାସ ପୁରରେ ଦେଖିବାକୁ ମିଳେ
ଯୁବତୀ ରତ୍ନ ଯାହା ବୋଲି ।
ତାହା ତୋ ପୁରେ ନଦେଖିଲି
ଯେଉଁ ଯୁବତୀ ଶିବପୁର ।
ସେତ ଅପୂର୍ବ ତୋ ପୁରେ ।
ରତ୍ନ ,କାଞ୍ଚନ ,ଗଜ ,ଲୋକବଳ ,ତୁରଙ୍ଗ ସବୁ ତୁମ ପାଖରେ ଥାଇ ମଧ୍ୟ ସୁନ୍ଦରୀ ସ୍ତ୍ରୀ ତୁମ ପାଖରେ ନାହିଁ କେଶ ବିନା ଯେପରି ଗଭା ଶୋଭା ପାଇନାହିଁ ସେହିପରି ସୁନ୍ଦରୀ ସ୍ତ୍ରୀ ନଥିବାରୁ ତୁମ ପୁର ଶୋଭା ପାଉନାହିଁ ! ସବୁ ସୁନ୍ଦର ଥିଲେ କଣ ହେବ ସୁନ୍ଦରୀ ଯୁବତୀ ବିନା ସେ ଘର କି ପୁର ଶୋଭା ପାଏ ନାହିଁ ରାଜନ ।ଦେବର୍ଷି ନାରଦଙ୍କ ଠାରୁ ଏପରି କଥା ଶୁଣି ଜଳନ୍ଧର ଲଜ୍ୟା ପାଇଲା । କୋପରେ କ୍ରୋଧିତ ହୋଇ ଜଳନ୍ଧର ନାରଦ ମୁନିଙ୍କୁ ପଚାରିଲା ହେ ମୁନି ମୋତେ କୁହନ୍ତୁ ଶଙ୍କର ଭଗବାନଙ୍କ ଘରଣୀ ଦେଖିବାକୁ କେମିତି ? କେତେ ସୁନ୍ଦରୀ ସେ ? ତାହାର ନାମ କଣ ? ମୋତେ ତା ବିଷୟରେ କୁହନ୍ତୁ ବ୍ରହ୍ମଶିଷ୍ୟ ? ମୋ ଘରଣୀ ବୃନ୍ଦାବତୀ ଙ୍କ ଠାରୁ ସେ କଣ ଅଧିକ ସୁନ୍ଦର ? ମୋ ପତ୍ନୀ ବୃନ୍ଦାବତୀ ଏତେ ସୁନ୍ଦର ଯେ ସ୍ୱର୍ଗପୁର ରେ ଯେତେ ଅପ୍ସରୀ ଅଛନ୍ତି ତାଙ୍କ ନିକଟରେ କେହି ସମତୁଲ୍ୟ ହୋଇ ପାରିବେ ନାହିଁ ରମ୍ଭା ,ମେନକା ,ତିଲୋତ୍ତମା ,ଉର୍ବଶୀ ,ଚିତ୍ର ରେଖା ଆଦି ସୁନ୍ଦରୀ ନାରୀଙ୍କ ଠାରୁ ମୋ ପତ୍ନୀ ଅଧିକ ସୁନ୍ଦର । ପୁନଶ୍ଚ ମୋ ପୁରରେ ଅପ୍ସରୀ ସହିତ ମୋ ଭଗ୍ନୀ ଲକ୍ଷ୍ମୀ ଅଛନ୍ତି ସେମାନେ କଣ ସୁନ୍ଦରୀ ଯୁବତୀ ନୁହନ୍ତି ? କପିଳାସ ପୁରରେ ଏମାନଙ୍କ ଠାରୁ କିଏସେ ଅଧିକ ସୁନ୍ଦରୀ ଅଛି ମୋତେ କୁହ ମୁନିବର ?
ଜଳନ୍ଧର ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ଦେବର୍ଷି ନାରଦ କହିଲେ ହେ ରାଜନ ! ଆପଣ ଯେତେ ସୁନ୍ଦରୀ ନାରୀ ମାନଙ୍କ ନାମ କହିଲେ ସେମାନଙ୍କୁ ଏକାଠି କଲେ ଯେତେ ସୁନ୍ଦର ହେବ
ଶଙ୍କର ଭଗବାନ ଙ୍କ ନିକଟରେ ଥିବା ସୁନ୍ଦରୀ ଯୁବତୀ ର ପାଦତଳେ କୁ ଏମାନେ ସମତୁଲ୍ୟ ହେବେନାହିଁ ଅର୍ଥାତ ଶଙ୍କର ଭଗବାନ ଙ୍କ ପତ୍ନୀ ଏମାନଙ୍କ ଠାରୁ ବହୁତ ସୁନ୍ଦର । ତାଙ୍କର ଗୋଟିଏ ଆଙ୍ଗୁଠି କୁ ଆପଣଙ୍କ ପତ୍ନୀ ସମେତ ଯେତେ ଅପ୍ସରୀ ଅଛନ୍ତି କେହି ସମାନ ହୋଇ ନାହାନ୍ତି କି ହେବେନାହିଁ ମଧ୍ୟ । ହଁ ରାଜନ ଆପଣ ଜାଣିବାକୁ ଚାହୁଁ ଥିଲେ ତାଙ୍କ ନାମ କଣ ? ସେ ହେଉଛନ୍ତି ଈଶ୍ୱରଙ୍କ ଘରଣୀ ,ହିମାଳୟ ଦୁଲଣୀ ।ପର୍ବତ ରୁ ଜାତ ହୋଇଥିବାରୁ ତାଙ୍କ ନାମ ପାର୍ବତୀ । ଭଗବାନ ଶିବ ତାହାରି ରୂପ ଦେଖି ଅଗ୍ନି ରେ ଝାସିଲା ହେଲେ ସେମିତିକା ସୁନ୍ଦରୀ ପାଇଲା ନାହିଁ । ହେ ରାଜନ ପାର୍ବତୀ ଙ୍କ ରୂପ ର ବର୍ଣ୍ଣନା କରୁଛି ଶୁଣ ଭଗବାନ ଶିବ କଳ୍ପ କଳ୍ପ ଧରି ତପସ୍ୟା କରି ସେହି କନ୍ୟାକୁ ପାଇଛନ୍ତି । ଏଠାରେ ନାରଦ ଓଲଟା କହିଦେଲେ କାହିଁକିନା ଜଳନ୍ଧର ମନକୁ ଉଚ୍ଚାଟ କରିବା ପାଇଁ । କଥା ହେଉଛି ପାର୍ବତୀ ତପସ୍ୟା କରି ଶିବ ଭଗବାନଙ୍କୁ ପାଇଥିଲେ । ବିଧାତା ଏହି କନ୍ୟା କୁ ଦେଖି ବିଚାରକଲେ ବିଷ୍ଣୁ ଭଗବାନଙ୍କ ସହଏହା ଠାରୁ ଆହୁରୀ ସୁନ୍ଦରୀ ଯୁବତୀ ସୃଷ୍ଟି କରି ବିଷ୍ଣୁ ଙ୍କୁ ବିବାହ କରିଦେବେ । ବିଧାତା ମନେ ମନେ ବିଚାର କରିଲେ ।ମାତ୍ର ବିଧାତାଙ୍କ ବିଚାର ଶହେ ବର୍ଷ ବିତିଗଲା । ଶେଷରେ ବିଧାତା ସୃଷ୍ଟି କରିଥିବା ସୁନ୍ଦରୀ ପାର୍ବତୀଙ୍କ ସହ ସମାନ ହୋଇ ନଥିବାରୁ ତାକୁ ସମୁଦ୍ରରେ ଫିଙ୍ଗି ଦେଲେ । ସେହି କନ୍ୟା ଲକ୍ଷ୍ମୀ ହୋଇଗଲା । ହେ ରାଜନ ଆପଣ କଣ କହୁଛନ୍ତି ଲକ୍ଷ୍ମୀ ସୁନ୍ଦରୀ ବୋଲି ।
ନାରଦ ଆଉ ଏକ ଉଦାହରଣ ଦେଇ କହିଲେ । ସୁନା ସବୁଠାରୁ ସୁନ୍ଦର ହେଲେ ପାର୍ବତୀ ଙ୍କ ନିକଟରେ ସୁନା କୁ ଯଦି ଆମେ ସମାନ କରିବା ତେବେ ସୁନା ସେଠାରେ ଜଉ ହୋଇଯିବ । ନାରଦ ପୁନଶ୍ଚ ଜଳନ୍ଧର କୁ କହିଲେ ହେ ରାଜନ !ଚନ୍ଦ୍ର ସବୁଠାରୁ ସୁନ୍ଦର ବୋଲି ଆମେ ଜାଣିଛେ । ପାର୍ବତୀଙ୍କ ସୁନ୍ଦର ରୂପ ଦେଖି ଚନ୍ଦ୍ର ଈଶ୍ୱର ଭଗବାନଙ୍କ ପଛପଟେ ଲୁଚିଗଲା ଓ ସେହି ଦିନ ଠାରୁ ଚନ୍ଦ୍ର ଛିଡୁଛି ଓ ବଢୁଛି ଏକଥା ତୁମେ ଜାଣ । ପାର୍ବତୀ ଏତେ ସୁନ୍ଦର ଯେ ତାଙ୍କ ରୂପ ଦେଖି ଯୋଗୀ ୠଷି ମାନେ ତଥା କନ୍ଦର୍ପ ସମସ୍ତେ ଭୋଳ ହୋଇ ଯାଆନ୍ତି ।ସମସ୍ତେ ଆଖି ବୁଜି ପାର୍ବତୀ ଙ୍କ ରୂପକୁ ଦେଖନ୍ତି ।ଶିବ ଭଗବାନ ପାର୍ବତୀ ଙ୍କୁ ଦେଖି ତିନୋଟି ଆଖି ସୃଷ୍ଟିକଲେ । କୌଣସି ମୁହୂର୍ତ୍ତେ ହେଲେ ଶଙ୍କର ପାର୍ବତୀ ଙ୍କୁ ନିଜ ପାଖରୁ ଛାଡ଼ନ୍ତି ନାହିଁ । ହେ ରାଜନ ପାର୍ବତୀ ଏତେ ସୁନ୍ଦରୀ ଯେ ତାଙ୍କ ନିମନ୍ତେ ଶିବ ଭଗବାନ ଯୋଗ୍ୟ ନୁହନ୍ତି ।ରୁଦ୍ର ଭଗବାନ ସର୍ବଦା ମସ୍ତକରେ ଜଟା ଓ ଅଙ୍ଗରେ ଭସ୍ମ ଲେପନ କରନ୍ତି ।କିନ୍ତୁ ସେହି ଶିବ ଭଗବାନ କୈଳାଶ ରେ ଅପୂର୍ବ ସୁନ୍ଦରୀ ଙ୍କୁ ବିହାର କରନ୍ତି ।
ଏସବୁ କଥା ନାରଦ ଜଳନ୍ଧର କୁ କହିବାର କାରଣ ଜଳନ୍ଧର ମନ ଉଚ୍ଚାଟ ହେଲେ ସେ କୈଳାଶ ପୁରକୁ ଯିବ । ଦେବର୍ଷି ନାରଦଙ୍କୁ କହିଲେ ହେ ମହାଭାଗ ! ବିଧାତା ଆପଣଙ୍କୁ ସବୁ ଦେଲା । ହେଲେ ସୁନ୍ଦରୀ ଯୁବତୀ ଗୋଟିଏ କାହିଁକି ତୁମକୁ ନଦେଲା ?, କେଡେ ମନ୍ଦ ବୁଦ୍ଧି ସେ ବିଧାତାର । ନାରଦ କଥା ଜଳନ୍ଧର କାନରେ ଶୁଣି ମନେ ମନେ ପାଞ୍ଚିଲା ପାର୍ବତୀ ରୂପ କଣ ଏତେ ସୁନ୍ଦର । ଗୌରୀ ରୂପକୁ ମନ ଭିତରେ ରଖି କନ୍ଦର୍ପ ବାଣ ରେ ଘାରି ହୋଇଗଲା ଜଳନ୍ଧର । ସବୁ ଚିନ୍ତା ଛାଡି କାମ ଜ୍ବରରେ ପୀଡିତ ହେଲା ସେ ।
ଦିନକର କଥା । ଗୋଟିଏ ନିରୋଳା ସ୍ଥାନରେ ଜଳନ୍ଧର ବସି ରାହୁ କୁ ଡାକିଲା ଓ କହିଲା ହେ ସିଂହିକା କୁମର ତୁମେ ଏବେ ହର ଉଦ୍ୟାନ ମଧ୍ୟ ଭାଗକୁ ଯାଅ । ସେହି କପିଳାସ ପର୍ବତରେ ତୁମେ ଯାଇ ତ୍ରିପୁରାରି ଭେଟି ମୋ କଥା କୁହ ? ହଁ ,ଏକଥା କହିବ ଯେ ସିନ୍ଧୁ ସୁତ ଜଳନ୍ଧର ତିନି ଭୁବନର ଏକମାତ୍ର ବୀର ଅଛି । ଯାହାର ପାଖରେ ବିଷ୍ଣୁ ସମେତ ସର୍ଵ ଦେବତା ମାନେ ଖଟୁଛନ୍ତି । ପୁଣି ଜଳନ୍ଧର ଯାହା ମାଗୁଛି ସେ ସବୁ ସେମାନେ ତାକୁ ଦେଉଛନ୍ତି । ତୁମେ ଏହି ଘୋର ବନରେ ଅଛ ? ଜଳନ୍ଧର କୁ କିଛି ଦେଇନ ଏସବୁ ଭଲ କଥା ନୁହେଁ ।ଏବେ ଜଳନ୍ଧର ଙ୍କ ଆଜ୍ଞା ଶୁଣ ଶଙ୍କର ! ତୁମ ଘରଣୀ ହୈମବତୀ ଅତି ସୁନ୍ଦର । ତୁମ ଘରଣୀ ଜଳନ୍ଧର ପାଇଁ ଯୋଗ୍ୟ ।ପାର୍ବତୀ ଙ୍କୁ ଆମ ରାଜା କୁ ଦେଇ ତୁମେ ମନଇଚ୍ଛା ତପ କରୁଥାଅ ।ତାପରେ ଦେଖିବାକୁ ଗଲେ ତୁମେ ଜଣେ ଯୋଗୀ । ସୁନ୍ଦରୀ ସ୍ତ୍ରୀ ଥିଲେ ତୁମକୁ ନିଶ୍ଚିତ ବିପତ୍ତି ପଡିବ ?କାଇଁ ସୁନ୍ଦରୀ ଯୁବତୀ ଏ ବନରେ ରଖିଛି ଜଳନ୍ଧର କୁ ଯଥାଶୀଘ୍ର ଦେଇଦିଅ ।ଏକଥା କହି ଶିବାଙ୍କୁ ଧରି ସେଠାରୁ ଆସିବ ।
ଜଳନ୍ଧର ଆଜ୍ଞା ପାଇ ରାହୁ କପିଳାସ କୁ ଚାଲିଲା । ଶିବପୁର ରେ ପହଁଞ୍ଚି ସିଂହ ଦ୍ୱାର ନିକଟରେ ନନ୍ଦୀ କୁ ଭେଟିଲା ରାହୁ , ନନ୍ଦୀ କୁ କହିଲା ଶିବ ଙ୍କୁ ଖବର ଦିଅ ମୁଁ ରାହୁ ଆସିଛି ,ମୋତେ ସିନ୍ଧୁ ସୁତ ବାର୍ତ୍ତା ଦେଇ ତାଙ୍କ ନିକଟ କୁ ପଠାଇ ଅଛି । ନନ୍ଦୀ ,ରାହୁକୁ ନେଇ ଶିବଙ୍କ ସହିତ ଭେଟ କରାଇଦେଲା । ଭାଗବନ ଶଙ୍କର ସୁବର୍ଣ୍ଣ ମଣ୍ଡପ ,ରତ୍ନ ବେଦି ତଥା ବ୍ୟାଘ୍ରଛାଲ ଉପରେ ବସିଥାନ୍ତି । ଚାରି ପାଖରେ ପାରିଷଦ ଗଣ ଜଣ ଜଣ କରି ଖଟୁଥାନ୍ତି । ଶଙ୍କର ଭଗବାନଙ୍କ କୋଳରେ ପାର୍ବତୀ ବସିଥାନ୍ତି । ଏପରି ଶୋଭା ଦେଖା ଯାଉଥାଆନ୍ତି ହରଗୌରୀ ଯେ କ୍ଷୀର ସମୁଦ୍ର ରେ ଯେପରି ଚନ୍ଦ୍ର ଶୋଭା ପାଉଥାଏ । ଏହି ସମୟରେ ରାହୁ ସେଠାକୁ ଯାଇ ଶିବଙ୍କୁ ଦର୍ଶନ କଲା ।ମଣ୍ଡପ ତଳେ ଠିଆ ହୋଇ ହାତଯୋଡ଼ି କହିଲା ହେ ଦେବ ହର ମୁଁ ରାଜା ଜଳନ୍ଧର ର ଦୂତ । ମୁଁ ଯେଉଁ ବାର୍ତ୍ତା ନେଇ ଆସିଅଛି ସେକଥା କାଶୀଦେଵ ଶୁଣିବା ହୁଅନ୍ତୁ । ରାଜା ଜଳନ୍ଧର ମହାନ ବୀର ଅଟେ । ବିଧାତାଙ୍କ ଠାରୁ ବଳ ପାଇ ସେ ସାଗର ସୁତ ବଳବାନ ହୋଇଛି । ବିଷ୍ଣୁ ଭଗବାନ ଙ୍କ ସହିତ ସବୁ ଦେବତା ମାନଙ୍କୁ ଆୟତ୍ତ କରି ରଖିଛି ସେହି ସିନ୍ଧୁ ସୁତ । ସବୁ ଧନରତ୍ନ ପାଇଛି ସେହି ସିନ୍ଧୁ ସୁତ ମାତ୍ର ସୁନ୍ଦରୀ ଯୁବତୀ ଗୋଟିଏ ପାଇ ନାହିଁ ? ନୃପତି ଚିନ୍ତାକରି ଜାଣିବାକୁ ପାଇଲା ଯେ ତୁମର ଘରଣୀ ଅତ୍ୟନ୍ତ ସୁନ୍ଦରୀ । ଗୌରୀ ହିମବନ୍ତ ଝିଅକୁ ଜଳନ୍ଧର କୁ ଦିଅନ୍ତୁ ପ୍ରଭୁ ! ତୁମେ ତ ତପଚାରୀ ତୁମକୁ ନାରୀ କଣ ଦରକାର ? ହେ ପ୍ରଭୁ ସଂସାର ରେ ଯେତେ ସାର ଦ୍ରବ୍ୟ ଅଛି ଜଳନ୍ଧର କୁ ପ୍ରଦାନ କରନ୍ତୁ । ଏହାକୁ ଉପହାର ବୋଲି ଭାବି ମୋ ସହିତ ପାର୍ବତୀ ଙ୍କୁ ସିନ୍ଧୁ ଦେଶକୁ ପଠାଇବାର ବ୍ୟବସ୍ଥା କରନ୍ତୁ।ତୁମେ ପାର୍ବତୀ ଙ୍କୁ ଦେଇ ଶୁଭରେ ଥାଅ ।
ରାହୁ ଠାରୁ ଏପରି ବାଣୀ ଶୁଣି ଈଶ୍ୱର ଭଗବାନ ସ୍ତମ୍ଭିଭୂତ ହୋଇଗଲେ । ଅତି କୋପ ସୃଷ୍ଟି ହେଲା ଭଗବାନ ଶିବ ଙ୍କ ଠାରୁ ସେ କିଛି ଉତ୍ତର ଦେଇ ପାରିଲେ ନାହିଁ ।ଅତି ରାଗିଯାଇ ଈଶ୍ୱର ନିଜ ଶରୀରରୁ ଏକ ପୁରୁଷ କୁ ଜନ୍ମ ଦେଲେ ।ପୁରୁଷ ଟି ନୃସିଂହ ରୂପ ଧାରଣ କଲା ।ପୁରୁଷ ଟିର ଶରୀର ଧଳାବର୍ଣ୍ଣ ଥିଲା ।ତା ଦେହରୁ କୋଟିଏ ସୂର୍ଯ୍ୟ ଜ୍ୟୋତି ବାହାରୁଥାଏ । ଜିଭକୁ ଚଳ ଚଞ୍ଚଳ କରୁଥାଏ ।ବଡ଼ ବଡ଼ ନଖ ଓ ତୀକ୍ଷ୍ଣ ଦାନ୍ତ ,ପ୍ରଚୁର ଲୋମ ,ଲୋମ ଗୁଡିକ ପିଙ୍ଗଳ ବର୍ଣ୍ଣ । ସେହି ପୁରୁଷ ର ନିଃଶ୍ବାସ ଘନ ଘନ ବାହାରୁଥାଏ । ହାତ ଗୁଡିକ ଚକ୍ର ଆକାର ବୁଲୁଥାଏ । ଆଖି ଗୁଡିକ ଅଗ୍ନି ପରି ଦେଖା ଯାଉଥାଏ ।ରାହୁ ଏହି ପୁରୁଷ ଟିକୁ ଦେଖି ଭୟ କଲା ।
ରାହୁ ଭଗବାନ ଶଙ୍କର ଙ୍କ ପାଦତଳେ ପଡି ଯାଇ କହିଲା ମୋତେ ରକ୍ଷା କରନ୍ତୁ ପ୍ରଭୁ ! ମୁଁ ସାମାନ୍ୟ ଜଣେ ବ୍ରାହ୍ମଣ ଓ ରାଜା ଜଳନ୍ଧର ର ଦୂତ । ରାଜା ଯାହା କହିଲା ମୁଁ ତାକୁ ଆପଣଙ୍କ ନିକଟରେ କହିଲି ମୋତେ କେଉଁ କାରଣ ରେ ବିନାଶ କରିବ ପ୍ରଭୁ ? ତୁମେ ପରମ ଈଶ୍ୱର । ସମସ୍ତ ଙ୍କ ମଙ୍ଗଳ ଆପଣ ଚିନ୍ତା କରନ୍ତି । ତୁମ୍ଭ ଦର୍ଶନ କରି ପାପୀ ମାନେ ଯମ ପୁରକୁ ଯାଆନ୍ତି ନାହିଁ ! ହେ ପ୍ରଭୁ ମୋତେ ରକ୍ଷା କର । ଆପଣଙ୍କ ଦର୍ଶନ ହୋଇଗଲା ସେଇଟା ଥିଲା ମୋହର ଭାଗ୍ୟ । ମୋହର ଅପରାଧ କ୍ଷମା କରନ୍ତୁ । ରାହୁର ମୁଖର ସ୍ତୁତି ଶୁଣି ଉମାପତି ସନ୍ତୋଷ ହେଲେ । ରାହୁର ମୁଣ୍ଡରେ ଭଗବାନ ଶଙ୍କର ଦୁଇ ହାତ ଦେଇ ଅଭୟ ପ୍ରଦାନ କଲେ । ଭଗବାନ ଶଙ୍କର ଙ୍କ ଅଭୟରେ ରାହୁ ରହିଗଲା ମାତ୍ର ଶିବ ଭଗବାନଙ୍କ ଠାରୁ ଜନ୍ମିତ ପୁରୁଷ ଖାଇବାକୁ ମାଗିଲା । ଭଗବାନ ଶିବ କହିଲେ ତୁ ନିଜକୁ ନେଜେ ଖାଇଯା ।କୁପିତ ପୁରୁଷଟି ନିଜ ଗୋଡ଼ ଠାରୁ ହୃଦୟ ପର୍ଯ୍ୟନ୍ତ ଖାଇଦେଲା । ଏହାଦେଖି ଭଗବାନ ଶିବ ପ୍ରସନ୍ନ ହେଲେ । କୁପିତ ପୁରୁଷ ଟିର କେବଳ ମସ୍ତକ ଟିଏ ଥାଏ ।ଶଙ୍କର ଭଗବାନ କହିଲେ କୁପିତ ପୁରୁଷର ମୁଣ୍ଡକୁ ଯେ ତୁ ଏହିଠାରେ ରହ । ମୋର ପୂର୍ବ ଦ୍ୱାରରେ ରହିବୁ ତୁ ତୋହର ନାମ ଆଜିଠାରୁ କୀର୍ତ୍ତି ମୁଖ ହୋଇ ରହିଲା । ମୋ ନିବାସରେ ଥାଇ ପ୍ରଥମେ ତୁ ପୂଜା ବିଧି ପାଇବୁ ।
ଏହାପରେ ଭଗବାନ ଶିବ ରାହୁକୁ ଆଜ୍ଞା ଦେଇ କହିଲେ ତୁ ଏହି ଭବନରୁ ଶୀଘ୍ର ଚାଲିଯା । ରାହୁ ଏକଥା ଶୁଣି ତାହା ଦେହ କମ୍ପିବାକୁ ଲାଗିଲା । ରାହୁ ଲୌହ ରଥରେ ବସି ଖୁବ ଶୀଘ୍ର କପିଳାସ ଛାଡି ପଳାଇ ଆସିଲା ।