କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୩)
ରାଜା ପୃଥୁ ନାରଦ ଙ୍କୁ ପ୍ରଣାମ କଲେ ଓ କହିଲେ ଭୋ ମୁନି !ବୃନ୍ଦାବତୀ ଭଗବାନ ବିଷ୍ଣୁ ଙ୍କୁ ଅଭିଶାପ ଦେଇ ଭସ୍ମ ହୋଇଗଲେ ! ତାଙ୍କ ଅଭିଶାପ ପାଇ ଭଗବାନ ଚିନ୍ତାକରି ବାରେ ଲାଗିଲେ "ବୃନ୍ଦାଙ୍କ ଅଭିଶାପ କଣ ପ୍ରଭୁଙ୍କୁ ସତରେ ପଡିଲା ? ହେ ମୁନି ଜଳନ୍ଧର ଯୁଦ୍ଧ ବିଷୟରେ ମୋତେ କିଛି କୁହନ୍ତୁ ? ଦେବର୍ଷି ନାରଦ କହିଲେ ହେ ରାଜନ !ମୁଁ ଯାହା ଶୁଣିଛି ତାହା ତୁମକୁ କହୁଛି ଶୁଣ ନାରଦ କହିଲେ ........!!!
ଜଳନ୍ଧର ସହିତ ଭଗବାନ ଶିବ ଯୁଦ୍ଧ କରୁଥାନ୍ତି ।ଯୁଦ୍ଧର ପଚିଶ ଦିନ ଚାଲିଥାଏ । ଦିନକୁ ଦିନ ଯୁଦ୍ଧ ବଡ଼ ଆକାରରେ ହେଉଥାଏ କେତେବେଳେ ଶଙ୍କର ହାର ମାନି ଯାଉଥାଆନ୍ତି ତ କେତେବେଳେ ସାଗର ସୁତ ହାର ମାନି ରଥରେ ଲୁଚି ଯାଉଥାଏ । ଯୁଦ୍ଧ ର ପଚିଶ ଦିନରେ ଭଗବାନ ଶଙ୍କର ଯୁଦ୍ଧ କ୍ଷେତ୍ରରେ ନୃତ୍ୟ କରିବାକୁ ଲାଗିଲେ । ଶଙ୍କର ଭଗବାନଙ୍କ ନୃତ୍ୟ ଦେଖି ଜଳନ୍ଧର ଭୟ କରିବାକୁ ଲାଗିଲା ଓ ମନେ ମନେ ବିଚାର କଲା ଏହାଙ୍କୁ ରଣ ରେ ମୁଁ ଜିତି ପାରିବି ନାହିଁ ? ଶତ୍ରୁକୁ ମୋର ଭୟ ଯଦିଓ ନାହିଁ ,ଏ ନୃତ୍ୟ ଦେଖି ମୋତେ ଡର ଲାଗୁଛି । ଶଙ୍କର ଭଗବାନ ଚିନ୍ତାକଲେ , ସାଗର ସୁତ କୁ ମାରିବା ମୋ ପକ୍ଷରେ ବୋଧେ ସମ୍ଭବ ନୁହେଁ ?ଏତେ ଦିନ ଯୁଦ୍ଧ ହେଲାଣି କାଇଁ ତାହାର କିଛି ବି ହେଉନାହିଁ ? ଶଙ୍କର ଭଗବାନ ଙ୍କର ବି ଡର ଥାଏ ଜଳନ୍ଧରକୁ ।
ଜଳନ୍ଧର ଭାବିଲା କେତେଦିନ ଆଉ ଏମିତି ଯୁଦ୍ଧ କରିବି ? ଯେତେ ଯୁଦ୍ଧ କଲେ ବି ଶିବ କାଇଁ ମରୁଛି ?ଏମିତି ଯୁଦ୍ଧ କଲେ ବର୍ଷ ବର୍ଷ ବିତିଯିବ ତଥାପି ଶିବ ମରିବ ନାହିଁ ? କିଛି ଗୋଟିଏ ଉପାୟ ବାହାର କରିବାକୁ ପଡିବ ନହେଲେ ଏ ଶିବ କୁ ଯୁଦ୍ଧରୁ ମାରିବା କଷ୍ଟକର ହୋଇ ପଡିବ !ଏହା ଭାବି ଜଳନ୍ଧର କିଛି ସମୟ ପାଇଁ ଯୁଦ୍ଧରୁ ବାହାରି ଯାଇ ସଂଗେ ସଂଗେ ସମର କ୍ଷେତ୍ରକୁ ଚାଲି ଆସିଲା । ପାର୍ବତୀ କୁ ଦେଖିବାକୁ ଯେମିତି ସେହିପରି ଅବିକଳ ଗୋଟିଏ ନାରୀକୁ ରଥରେ ବସାଇ ଜଳନ୍ଧର ନେଇ ଆସିଲ ।ଏହାଥିଲା ଦୈତ୍ୟ ମାୟା । ପାର୍ବତୀ ଙ୍କୁ ଜଳନ୍ଧର ରଥରେ ବସାଇ ସମର କ୍ଷେତ୍ରକୁ ଆଣୁଥିବାର ସର୍ଵ ଶିଵଗଣ ଦେଖିଲେ ଶିଵଗଣ ଦେଖିଲେ ମାତା ପାର୍ବତୀ ଙ୍କ ପାଦ କୁ ରଥରେ ଜଳନ୍ଧର ବାନ୍ଧି ଦେଇଛି ଜଳନ୍ଧର ସେହି ନାରୀକୁ ନେଇ ଶୁମ୍ଭ ,ନିଶୁମ୍ଭ ଦୁଇ ଭାଇଙ୍କ ନିକଟରେ ନେଇ ଦେଲା । ଜଳନ୍ଧର ସେହି ମାୟା ପାର୍ବତୀ ଙ୍କ ମୁହଁକୁ ଚାପୁଡ଼ା ଗୋଟିଏ ମାରିଦେଲା ଓ ବହୁତଗାଳି ଗୁଲଜ କଲା । ବିକଳରେ ମାୟା ପାର୍ବତୀ କାନ୍ଦିବାରେ ଲାଗିଲେ । ଦୈତ୍ୟର ମାଡ଼ ଓ ଗାଳିରେ ମାୟା ପାର୍ବତୀ କହିଲେ ହେ ଶୂଳ ପାଣି ମୋତେ ରକ୍ଷା କରନ୍ତୁ ହେ ରୁଦ୍ରଗଣ ! ହେ ଗଣପତି ! ତୁମେ ଥାଉ ଥାଉ ମୁଁ ଏତେ ଶାସ୍ତି ପାଉଛି ତୁମେ ସବୁ ଦେଖି ନିରବ ରହୁଛ କିପରି ? ମୋର ପୁତ୍ର କାର୍ତ୍ତିକ ତୁ ମୋର ଏତେ ଦୁଃଖ ଦେଖି କିଛି କହୁନାହୁଁ କେମିତି ?ନନ୍ଦୀ , ଭୃଙ୍ଗୀ ଧିକ ତୁମର ବଳ ଦୈତ୍ୟ ମୋତେ ଧରି ଆଣି ତୁମ ଆଗରେ ଦଣ୍ଡ ଦେଉଛି ଅର୍ଥାତ ତୁମେ ଚୁପ ହୋଇ ରହିଛ ପୂର୍ବ ଜନ୍ମ ରେ ପୁଣ୍ୟ କରିଥିବାରୁ ଈଶ୍ୱର ଭଳି ପତି ପାଇଛି ! ହେ ପ୍ରଭୁ ତ୍ରିଲୋଚନ ତୁମେ ଏସବୁ କେମିତି ଦେଖି ସହି ପାରୁଛ ।ଅସୁର ମୋତେ ଗଞ୍ଜୁ ଅଛି ତୁମେ କଣ ପାଇଁ ଜୀବନ ଧରି ଅଛ ? ଯଦି ପାରୁଛ ମୋତେ ରକ୍ଷା କର ନହୋଇଲେ ସାଗର ପୁତ୍ର ଜଳନ୍ଧର ଠାରୁ ଯୁଦ୍ଧରୁ ଓହରି ଯାଅ । ମାୟା ପାର୍ବତୀ ଏମିତି ମିଛରେ କାନ୍ଦିବାକୁ ଲାଗିଲେ ।
ମାୟା ପାର୍ବତୀଙ୍କ କାନ୍ଦ ଦେଖି ଶିଵଗଣ ତଟସ୍ଥ ହୋଇଗଲେ । ଜଣ ଜଣ କରି କେହି ଅସ୍ତ୍ର ଧରି ପାରିଲେ ନାହିଁ ଭଗବାନ ଶିବ ସତୀ ଙ୍କ ଅପମାନ ଦେଖି ବହୁତ ମନ ଦୁଃଖ କଲେ । ନିଜକୁ ଧିକ୍କାର କଲେ ଶିବ । ତ୍ରିପୁରାରୀଙ୍କ ମୁହଁ ତଳକୁ ହୋଇଗଲା । ଧରଣୀକୁ ଚାହିଁ କହିଲେ ଶଙ୍କର ଭଗବାନ ମୋ ଭାଗ୍ୟରେ ବିଧାତା କଣ ଏୟା ଲେଖିଥିଲା କାହିଁକି ମୁଁ ଏ ଯୁଦ୍ଧ କରିବାକୁ ଆସିଲି ।ଏଡ଼େ ବିବାଦ କାହିଁକି ? ସତୀ କାହିଁକି ଶତ୍ରୁ ହାତରେ ପଡିଲା ? ଚାରି ଯୁଗରେ ଧର୍ମ ଅଛି ।ଅସୁର ଜଳନ୍ଧର ଏମିତି କି ତପ କରିଛି ଯେ ସେ ପାର୍ବତୀଙ୍କ ଯୁଦ୍ଧକୁ ଆଣିଲା ?ଶଙ୍କର କହିଲେ ମୁଁ ଜାଣିଛି ପାର୍ବତୀ ଅଙ୍ଗରେ ପାପ ଲାଗିବ ନାହିଁ ଯେଉଁ ରାକ୍ଷାସ ପାର୍ବତୀଙ୍କୁ ଧରି ଦଣ୍ଡୁଛି ସେ ପାର୍ବତୀଙ୍କ ଦ୍ୱାରା ନିହତ ହେଉ ।ଶୁମ୍ଭ , ନିଶୁମ୍ଭ ରାକ୍ଷାସ ଗୌରୀ ସକାଶେ ମରନ୍ତୁ ।ଏହିପରି ଅଭିଶାପ ଦେଲେ ଉମାପତି ଅସୁର ମାନଙ୍କୁ । ଶଙ୍କର ଭଗବାନ ଜାଣିଗଲେ ଉଗ୍ରତାର ଙ୍କୁ ଯେଉଁ ଦୈତ୍ୟ ଛୁଇଁବ ସିଏ ମରିବ ଏହାକହି ଶଙ୍କର ପୁନଶ୍ଚ ଯୁଦ୍ଧ କ୍ଷେତ୍ରରେ ନାଚିବାକୁ ଲାଗିଲେ ।
ଶଙ୍କର ଭଗବାନ ଙ୍କ ନାଚ ଦେଖି ଜଳନ୍ଧର କୋଟି କୋଟି ଶର ବିନ୍ଧିବାରେ ଲାଗିଲା ।ବର୍ଷା ସମୟରେ ଯେପରି କୋଟି କୋଟି ଜଳବିନ୍ଦୁ ପଡେ ସେହିପରି ଜଳନ୍ଧର ର ଶର ବିନ୍ଧି ଚାଲିଲା ।ଜଳନ୍ଧର ର ଶର ଶିବ ଭଗବାନଙ୍କ ଶରୀରରେ ବାଜିବାରୁ ଶିବ ଭଗବାନ କୋପ କଲେ !ରୁଦ୍ର ରୂପ ଧାରଣ କଲେଶୂଳପାଣି।ତାଙ୍କ ଦେହରୁ ଅଗ୍ନି କଣିକା ବାହାରିଲା ।ନିର୍ଭୟରେ ଯୁଦ୍ଧ କରି ଚାଲିଲେ ବହୁତ ଅସୁର ମାରି ଚାଲିଲେ ବତାସ ରେ ଯେପରି କଦଳୀ ବନ ଭାଙ୍ଗି ଯାଏ ସେହିପରି ଶଙ୍କରଙ୍କ ଶରରେ ବହୁ ଦୈତ୍ୟ ମରି ଶୋଇଲେ । ଜଳନ୍ଧର ଏସବୁ ଦେଖି କୋପକଲା ।ଅସଂଖ୍ୟ ବାଣ ବିନ୍ଧିବାରେ ଲାଗିଲା ।ରୁଦ୍ରଙ୍କ ବାଣ ନିକଟରେ ଜଳନ୍ଧରର ବାଣ ଆଉ କାମ ଦେଲାନାହିଁ ବଡ଼ ବଡ଼ ଦୈତ୍ୟ ମାନେ ଶଙ୍କରଙ୍କ ଶର ରେ ଟଳି ପଡିଲେ ।ଆଉ ଯେତେକ ବରିଷ୍ଠ ସୈନ୍ୟ ଥିଲେ ଯୁଦ୍ଧ କ୍ଷେତ୍ରରୁ ଛାଡି ପଳାଇଗଲେ ।ସୈନ୍ୟ ର ଅଭାବ ଜଳନ୍ଧର ପାଇଁ ହୋଇଗଲା ।ମରଣ କୁ ଆଶା ନିଶ୍ଚିତ ଭାବେ ରଖିଲା ଜଳନ୍ଧର । କିନ୍ତୁ କ୍ଷତ୍ରିୟ ଗୁଣ ବଜାୟ ରଖିବା ପାଇଁ ଯୁଦ୍ଧ କରି ଚାଲିଲା ଜଳନ୍ଧର ବାଣ ପ୍ରୟୋଗରେ ରୁଦ୍ର ଙ୍କର ରଥ ଭାଙ୍ଗିଗଲା ।ବୃଷଭ ମୂର୍ଚ୍ଛା ହୋଇ ପଡିଗଲା ।ବାହାନ ଅଭାବରେ ଈଶ୍ୱର ଅତ୍ୟନ୍ତ କ୍ରୋଧିତ ହେଲେ ।ବିଷ୍ଣୁ ଦେଇଥିବା ସୁଦର୍ଶନ ଚକ୍ର କୁ ହାତରେ ଶଙ୍କର ଭଗବାନ ଧରିଲେ ।ବିଶ୍ୱମୂର୍ତ୍ତି ପ୍ରକାଶି କାଳ ପୁରୁଷ ପରି ଦେଖାଗଲେ ।ସହଜେ ସେ ହେଉଛନ୍ତି ଅନନ୍ତ ପୁରୁଷ ପୁଣି ତାଙ୍କ ହାତରେ ବିଷ୍ଣୁ ଙ୍କର ଅସ୍ତ୍ର ଅଛି ।ସୁଦର୍ଶନ ଚକ୍ର କୁ ଧରିବା ମାତ୍ରେ ସେ ଚକ୍ର ର ତେଜ ବଢିଗଲା ।ଦୈତ୍ୟ କୁ ନାଶ କରିବା ପାଇଁ ବିଶ୍ୱନାଥ ସୁଦର୍ଶନ ଚକ୍ର କୁ ଧରି ବିଷ୍ଣୁ କୁ ସ୍ମରଣା କରି ପେଷିଦେଲେ ।ସୁଦର୍ଶନ ଚକ୍ର ଭୀଷଣ ଭାବେ ଶବ୍ଦ କଲା ।ଧରଣୀ ଆକାଶ କମ୍ପମାନ ହେଲା । ସେଥିରୁ ଯେଉଁ ଜ୍ୟୋତି ବାହାରିଲା ସେ ଜ୍ୟୋତି ଦେଖି ବହୁ ଅସୁର ଆଖି ବୁଜିଦେଲେ । ପର୍ବତ ଉପରେ ଚଡକ ପଡିଲେ ପଥର ଯେମିତି ଭାଙ୍ଗି ଯାଏ ସେହିପରି ଚକ୍ର ଟି ଜଳନ୍ଧର ବକ୍ଷ ସ୍ଥଳରେ ପଡିଯିବାରୁ ତାହାର ମୁଣ୍ଡ ଛିଣ୍ଡି ପଡିଲା ।ଜଳନ୍ଧର ମୁଣ୍ଡ କୁ କାଟି ସୁଦର୍ଶନ ଚକ୍ର ଶଙ୍କରଙ୍କ ନିକଟକୁ ଫେରି ଆସିଲା ।ଜଳନ୍ଧର ଭୀଷଣ ରଡି କରି ସେହିଠାରେ ମରି ପଡିଲା । ତାହାର ରଡି ଶବ୍ଦ ତିନିପୁର କୁ ଶୁଭିଲା । ଆଖି ଖୋଲି ଚାହିଁଲା ଜଳନ୍ଧର ! ଦେଖିଲା ଶିବ ଭଗବାନଙ୍କୁ । ଜଳନ୍ଧର ର ଶରୀରରୁ ଗୋଟିଏ ଜ୍ୟୋତି ବାହାରି ଶଙ୍କର ଭଗବାନଙ୍କ ଶରୀରରେ ମିଶିଗଲା ।ଜଳନ୍ଧର ଘରଣୀ ସତୀ ବୃନ୍ଦାବତୀ ଯିଏକି ଅଗ୍ନି ରେ ଝାସ ଦେଇଥିଲେ ତାହାରି ଆତ୍ମା ଜଳନ୍ଧର କୁ ଅପେକ୍ଷା କରି ରହିଥିଲା ପାର୍ବତୀଙ୍କ ଶରୀରରେ ସେହି ଆତ୍ମା ମିଶିଗଲା ।
ଆକାଶରେ ଦେବତାମାନେ ଏସବୁ ଦେଖି ଭଗବାନ ଶଙ୍କରଙ୍କ ର ଜୟ ଜୟ ଗାନ କରିବାକୁ ଲାଗିଲେ । ବ୍ରହ୍ମାଙ୍କ ସହିତ ସମସ୍ତ ଦେବତା ଶଙ୍କର ଙ୍କ ନିକଟରେ ମିଳିଲେ ଓ ତାଙ୍କୁ ପୂଜାର୍ଚ୍ଚନା କଲେ । ବିବିଧ ଉପହାର ଦେଇ ଶିବ ଙ୍କୁ ଗଙ୍ଗାଜଳ ରେ ସ୍ନାନ କରାଇଲେ ଅଙ୍ଗରେ ବିଭିନ୍ନ ଅଳଙ୍କାର ଓ ଗନ୍ଧ ପୁଷ୍ପ ଦେଇ ଶିବ ଭଗବାନଙ୍କୁ ସନ୍ତୋଷ କଲେ । ସ୍ତୁତି କଲେ ସର୍ଵ ଦେବତା ଭଗବାନ ଶିବ ଙ୍କୁ ଦେବତା ମାନଙ୍କ ସ୍ତୁତି ଦେଖି ଶଙ୍କର ଭଗବାନ କହିଲେ ମୋର ଏଥିରେ କିଛି ଅବଦାନ ନାହିଁ ଏ ସବୁ ଭଗବାନ ବିଷ୍ଣୁ ଙ୍କର ମାୟା । ସେ ଚାହିଁ ନଥିଲେ ମୁଁ ଏତେବଡ଼ ଦୈତ୍ୟ ଜଳନ୍ଧର କୁ ମାରି ପାରି ନଥାନ୍ତି । ହେ ଦେବଗଣ ତୁମେ ମୋତେ ପୂଜା ନକରି ଭଗବାନ ବିଷ୍ଣୁ ଙ୍କୁ ପୂଜା କର । ତୁମର ଦୁର୍ଗତି ସେହିଁ ଖଣ୍ଡନ କରିବେ ! ଦେବତା ମାନଙ୍କୁ ଏହା କହି ଶଙ୍କର କପିଳାସ କୁ ଚାଲିଗଲେ । ଶିବ ଭଗବାନ ଚାଲିଗଲା ପରେ ସମସ୍ତ ରୁଦ୍ରଗଣ କପିଳାସ ଚାଲିଲେ । ମାତା ପାର୍ବତୀଙ୍କ ନିକଟରେ ଶିବ ପହଁଞ୍ଚିଲେ । ଗୌରୀ ଆନନ୍ଦିତ ହୋଇ ସ୍ୱାମୀ ଶଙ୍କର ଙ୍କୁ ବନ୍ଦାପନା କରି ଅନ୍ତପୁର କୁ ନେଇଗଲେ । ଏହାପରେ ଶଙ୍କର ଭଗବାନଙ୍କ ଆଜ୍ଞାରେ ସମସ୍ତ ଦେବତା ଜାହ୍ନବୀ ନଦୀରେ ସ୍ନାନ କରି ଯୋଗମାୟା ଙ୍କୁ ସ୍ତୁତି କରି ମହାଶୂନ୍ୟ କୁ ଚାହିଁ ହାତଯୋଡ଼ି ସବୁ ଦେବତା ସ୍ତୁତି କରିବାରେ ଲାଗିଲେ । ସବୁ ଦେବତାଙ୍କ ମୁହଁରେ ଗୋଟିଏ ସ୍ତୁତି ବାହାରୁ ଥାଏ ,ନମଃ ଆଦିଶକ୍ତି ,ତ୍ରିପୁରା ମହମାୟେ , ମନ ମୋହିନୀ ,ବିଶ୍ୱକାୟା , ସିଦ୍ଧେଶ୍ୱରୀ , ସର୍ଵ ମଙ୍ଗଳା ଆପଣଙ୍କୁ ନମସ୍କାର । ଦେବୀ ମହାମାୟା ଙ୍କୁ ନମସ୍କାର କରି ସକଳ ଦେବ ଗଣ ନାରାୟଣ ଙ୍କ ନିକଟକୁ ଚାଲିଲେ ।ସକଳ ଦେବଗଣ ତିନି ଦେବୀଙ୍କ ନାମରେ ତିନୋଟି ମଞ୍ଜି ବୁଣି ତା ଉପରେ ଶୀତଳ ଜଳ ଢାଳି ନିଜ ନିଜ ପୁରକୁ ଚାଲି ଗଲେ । ମଞ୍ଜି ବୁଣିବାର ପଞ୍ଚମ ଦିନରେ ବୃକ୍ଷ ଅଙ୍କୁରିତ ହେଲା। ତିନୋଟି ବୃକ୍ଷ ଅପୂର୍ବ ଶୋଭା ଦେଖାଯାଉଥିଲେ ।ଏହି ତିନୋଟି ବୃକ୍ଷ କିଏ କିଏ ?ରାଜନ ! ମନ ଦେଇ ଶୁଣ ! କେଉଁ ଦେବୀଙ୍କ ଠାରୁ କେଉଁଗୁଣ ନେଇ ଏହି ବୃକ୍ଷ ହେଲେ ତାହା ମୁଁ ଏବେ କହୁଛି ରଜ ଗୁଣ ନେଇ ସରସ୍ୱତୀ ତାଙ୍କ ଅଂଶରୁ ଅଁଳା ବୃକ୍ଷ ସତ୍ତ୍ୱ ଗୁଣରେ ଗୌରୀ ତାଙ୍କ ଅଂଶୁରୁ ତୁଳସୀ ଓ ତମ ଗୁଣରେ ଲକ୍ଷ୍ମୀ ଓ ତାଙ୍କ ଅଂଶରୁ ମାଳତୀ ଏହିପରି ତିନୋଟି ବୃକ୍ଷ ବନରେ ଉଠିଲା । ଅଁଳା , ତୁଳସୀ ଓ ମାଳତୀ ବୃକ୍ଷ ଭଗବାନ ବିଷ୍ଣୁ ବୃନ୍ଦାବତୀ ଙ୍କୁ ଯେଉଁ ବନରେ ତାଙ୍କ ସତିତ୍ୱ ନଷ୍ଟ କରିଥିଲେ ସେହି ବନରେ ଏହି ତିନୋଟି ବୃକ୍ଷ ବଢ଼ିବାରେ ଲାଗିଲେ ।
ବୃନ୍ଦାବତୀ ଙ୍କ ସତିତ୍ୱ ନଷ୍ଟ କରିବା ପରେ ଭଗବାନ ବିଷ୍ଣୁ ସ୍ଥାଣୁ ହୋଇଥିଲେ ।ଏହି ବୃକ୍ଷ ତିନୋଟି ର ଅପୂର୍ବ ଶୋଭା ଦେଖି ତାଙ୍କ ମନ ପରିବର୍ତ୍ତନ ହୋଇଗଲା । ଦେବର୍ଷି ନାରଦ କହିଲେ ହେ ରାଜନ !ଏହି ତିନି ବୃକ୍ଷ ର ରୂପ ମୁଁ ତୁମକୁ କହୁଛି ଶୁଣ ! ସରସ୍ୱତୀ ଅଂଶ ରୁ ଯେଉଁ ଅଁଳା ବୃକ୍ଷ ହେଲା ସେ ଶୁକ୍ଳ ବର୍ଣ୍ଣ ର ଗଛ ହେଲା । ଗୋଲ ଗୋଲ ଫଳ ସହିତ ଛୋଟ ଛୋଟ ପତ୍ର ରେ ସେ ଅଁଳା ଗଛ ଶୋଭା ପାଇଲା । ଏହି ଗଛ କୁ ଦେଖି ଗୋବିନ୍ଦ ଆନନ୍ଦିତ ହେଲେ । ଗୌରୀ ଅଂଶରୁ ତୁଳସୀ ବୃକ୍ଷ ଜାତ ହେଲା । ଏହି ତୁଳସୀ ଦେଖିବାକୁ କୃଷ୍ଣବର୍ଣ । ତୁଳସୀ ଗଛରେ ଜଟା ଓ ଅତି ଛୋଟ ଛୋଟ ଫୁଲ ସହିତ ତାହାର ପତ୍ର ସୁବାସ ପ୍ରଦାନ କଲା । ଏହି ବୃକ୍ଷ ଦେଖି ଗୋବିନ୍ଦ ସନ୍ତୁଷ୍ଟ ହେଲେ ।ଲକ୍ଷ୍ମୀ ଙ୍କ ଅଂଶ ରୁ ମାଳତୀ । ଏହି ବୃକ୍ଷ ଠିଆ ହୋଇ ନପାରି ମାଡିବାରେ ଲାଗିଲା ।ଏହାର ଫୁଲ ଭଗବାନ ବିଷ୍ଣୁ ଙ୍କୁ ସନ୍ତୋଷ ପ୍ରଦାନ କଲା । ଏହି ତିନୋଟି ବୃକ୍ଷ ଭଗବାନ ବିଷ୍ଣୁ ଙ୍କୁ ଆନନ୍ଦ ପ୍ରଦାନ କରୁ ଥିଲେ ମଧ୍ୟ ବୃନ୍ଦା ପ୍ରତି କରିଥିବା କାର୍ଯ୍ୟ ବିଷ୍ଣୁଙ୍କ ମନରୁ ଯାଉ ନଥାଏ । ବୃନ୍ଦା ରୂପକୁ ଵିଷ୍ଣୁ ଭଗବାନ ଧ୍ୟାୟି ଥିଲେ ।ଏହାପରେ ଭଗବାନ ବିଷ୍ଣୁ ନିଜର ଦିବ୍ୟରୁପ ଧରି ସେହି ବନରୁ ବାହାରି ଗଲେ । ସାଥିରେ ଅଁଳା ଓ ତୁଳସୀ ବୃକ୍ଷ କୁ ନେଇ ଚାଲିଗଲେ ଭଗବାନ ବିଷ୍ଣୁ ବଣରେ କେବଳ ମାଳତୀ ଲତା ରହିଲା । ବନରୁ ,ତୁଳସୀ ଓ ଅଁଳା ବୃକ୍ଷକୁ ନେଇ ବୈକୁଣ୍ଠ ରେ ପହଁଞ୍ଚିଲେ ଲକ୍ଷ୍ମୀପତି ଭଗବାନ ବିଷ୍ଣୁ । ବ୍ରହ୍ମା ଓ ସକଳ ଦେବତା ଙ୍କ ସହ ଶଙ୍କର ଭଗବାନ ଦେଖିଲେ ବିଷ୍ଣୁ ଭଗବାନ ବୈକୁଣ୍ଠ କୁ ଚାଲିଗଲେ !କିନ୍ତୁ ଲକ୍ଷ୍ମୀ ସିନ୍ଧୁ ଦେଶରେ ଅଛନ୍ତି । ବିଷ୍ଣୁ ଙ୍କ ନିକଟକୁ ସର୍ଵ ଦେବଗଣ ନଯାଇ ସିନ୍ଧୁ ଦେଶ କୁ ଚାଲିଲେ । ସକଳ ଦେବତା ଏକତ୍ରିତ ହୋଇ ଲକ୍ଷ୍ମୀ ଙ୍କୁ ଆରଧନା କଲେ । ଯୋଗମାୟା କୁ ସ୍ତୁତି କରି ବୃନ୍ଦା କୁ ଉଦ୍ଧରି ଆଣିଲେ । କମଳଧ୍ଵଜ ରଥରେ ଲକ୍ଷ୍ମୀ ଙ୍କୁ ବସାଇ ଦେବତା ମାନେ ବୈକୁଣ୍ଠ ପୁରରେ ନେଇ ଲକ୍ଷ୍ମୀ ମା ଙ୍କୁ ଛାଡିଦେଲେ ।ବୈକୁଣ୍ଠ ପୁରରେ ସକଳ ଦେବଗଣ ଲକ୍ଷ୍ମୀ ନାରାୟଣ ଙ୍କୁ ଦର୍ଶନ କଲେ ।ଲକ୍ଷ୍ମୀ ଙ୍କୁ ବିଷ୍ଣୁ ଭଗବାନ ଙ୍କ କୋଳରେ ଦେଇ ଦେବତା ମାନେ ଦର୍ଶନ କରି କୃତ କୃତ ହୋଇଗଲେ। ଏହାପରେ ଭଗବାନ ସମସ୍ତ ଦେବତାଙ୍କ ଉପରେ ସନ୍ତୋଷ ହୋଇ କହିଲେ ହେ ଦେବଗଣ !ଏବେ ମୁଁ କହୁଛି ତୁମ୍ଭମାନେ ଶୁଣ ! ତୁମ ମାନଙ୍କର ଉପକାର କରିବା ପାଇଁ ମୁଁ ବୈକୁଣ୍ଠ ଛାଡି ଜଳନ୍ଧର ପୁରରେ ରହିଲି ! ସେହି ଦୁଷ୍ଟ କୁ ନାଶ କରିବା ପାଇଁ ମୁଁ ସେଠାକୁ ଯାଇଥିଲି ଜଳନ୍ଧର ଘରଣୀ ବୃନ୍ଦାବତୀ ସର୍ଵ ଲକ୍ଷଣା , ଗୁଣବତୀ ଓ ସତୀ ସାଧ୍ଵୀ ନାରୀ । ବୃନ୍ଦାବତୀ ର ପତି ଧର୍ମ ପାଇଁ ଦୈତ୍ୟ ଜଳନ୍ଧର ତିନିପୁର କୁ ଜୟ କରୁଥିଲା । ମୁଁ ଏକଥା ଜାଣି ବୃନ୍ଦାବତୀ ର ସତିତ୍ୱ କୁ ନାଶ କଲି । ମାୟା ରେ ମୁଁ ବୃନ୍ଦାବତୀ ଙ୍କୁ ବହୁତ ଦୁଃଖ ଦେଇଛି ସେ ଧର୍ମ ନୁହେଁ ,ସେ ଅଧର୍ମ ।ମୁଁ ସେହି ବନରେ ଥିଲି ଯେଉଁଠାରେ ବୃନ୍ଦାଙ୍କ ସତିତ୍ୱ ନଷ୍ଟ ମୁଁ କରିଥିଲି ।ତୁମେ ସକଳ ଦେବଗଣ ଯୋଗମାୟା ଙ୍କୁ ସ୍ତୁତି କରି ବୃନ୍ଦାବତୀ ଙ୍କୁ ଉଦ୍ଧରି ଆଣିଲ ସେହି ବୃନ୍ଦାବତୀ ମୋ ଠାରୁ ଅପମାନ ପାଇ ଅଗ୍ନିରେ ଝାସ ଦେଇଥିଲା । ମୋ ଉପରେ ଦୋଷ ଦେଇ ନିଜ ଶରୀର କୁ ଧ୍ୱଂସ କରିଥିଲା ବୃନ୍ଦା । ବୃନ୍ଦାର ଆତ୍ମା ତିନିଗୁଣରେ ତିନି ଭାଗ ହୋଇଗଲା ।ମନରେ ଯେତେକ ତମ ଗୁଣ ଥିଲା ତାହା ଲକ୍ଷ୍ମୀ ଙ୍କ ଠାରେ ମିଶିଲା । ତାହାର ରଜ ଗୁଣ ଶାରଦା ଙ୍କ ଠାରେ ମିଶିଲା । ସାତ୍ତ୍ୱିକ ଭାବ ଜାତ ହୋଇ ପାର୍ବତୀଙ୍କ ଅଙ୍ଗରେ ମିଶିଲା । ଏହିପରି ବୃନ୍ଦାର ତିନିଗୁଣ ତିନି ଭାଗ ହୋଇ ଆତ୍ମା ରୂପରେ ତିନି ଦେବୀଙ୍କ ଠାରେ ମିଶିଗଲା ।
ସେ ପୁଣି ଯୋଗ ମାୟା ବଳେ
ଅଶେଷ ଜନ୍ମ ପୁଣ୍ୟ ଫଳେ
ବୀଜ ସ୍ୱରୂପ ଜାତ ହୋଇ
କ୍ରୋଧେ ସେ ସ୍ଥାବର କୁ ପାଇ
ଯେଣୁ ତା ପୂର୍ବେ ଦୋଷ ନାହିଁ
ତେଣୁ ମୁଁ ଅଙ୍ଗେ ଥିବି ବହି ।
ଭଗବାନ ବିଷ୍ଣୁ ଦେବତା ମାନଙ୍କୁ କହୁଛନ୍ତି ଏହି ତିନି ବୃକ୍ଷ ମୋହର ଆତ୍ମା ସହିତ ସମାନ । ଏହି ତିନି ବୃକ୍ଷ ସର୍ଵଲୋକ ଙ୍କ ଠାରେ ପୂଜା ପାଇବେ ।ଯେଉଁମାନେ ଏହି ତିନି ବୃକ୍ଷ କୁ ଆଣି ମୋତେ ପୂଜାବିଧି କରିବେ ଓ ମୋତେ ସମର୍ପଣ କରିବେ କଣ କଣ ଧର୍ମ ପାଇବେ ତାହା ତୁମ ଆଗରେ କହୁଛି । ବୃନ୍ଦାବତୀ ତିନି ମୂର୍ତ୍ତି ହୋଇଗଲେ । ପ୍ରଥମେ ତୁଳସୀ ,ଦ୍ଵିତୀୟ ଅଁଳା ଓ ତୃତୀୟ ରେ ମାଳତୀ । ମୁଁ ସେହି ତିନି ବୃକ୍ଷକୁ କେଉଁଠାରେ ରଖିଛି ତାହା ବି କହୁଛି ଶୁଣ ।ଏହି ତିନୋଟି ବୃକ୍ଷ ବନରେ ଥିଲେ ।
ମୁଁ ଯେତେବେଳେ ଯଦୁକୁଳ ଜନ୍ମ ନେଇ ବନ କୁ ଯିବି ସେତେବେଳେ ମାଳତୀ ଲତା ସହିତ ମୋହର କ୍ରୀଡା ହେବ । ଯେଉଜନ ମୋତେ କାର୍ତ୍ତିକ ମାସରେ ଅଥବା ଯେକୌଣସି ଦିନରେ ବିଶେଷ କରି ଏକାଦଶୀ ଦିନ ମାଳତୀ ପୁଷ୍ପ ର ମାଳ ଅର୍ପଣ କରିବ ଗୋଟିଏ ରାଜସୁୟ ଯଜ୍ଞ କଲେ ଯେତିକି ପୁଣ୍ୟ ମିଳେ ସେତିକି ପୁଣ୍ୟ ସେହି ଜନ ଲାଭକରିବ । ଦ୍ଵିତୀୟ ରେ ତୁଳସୀ କଥା କହିଲେ ଭଗବାନ ବିଷ୍ଣୁ ,,ତୁଳସୀ କୁ କାର୍ତ୍ତିକ ମାସ ସହିତ ସବୁ ମାସରେ ଯେଉଁ ଜନ ଜଳ ଦାନ ଦେବେ ତୁଳସୀକୁ ଯେଉଁମାନେ ପ୍ରଦକ୍ଷିଣ କରିବେ କୃଷ୍ଣ ବର୍ଣ୍ଣ ତୁଳସୀ ନିକଟରେ ଯେଉଁମାନେ ଆରାଧନା କରିବେ ସେମାନେ କୋଟି ଯଜ୍ଞର ଫଳ ପ୍ରାପ୍ତି ହେବେ । ଏହା ସହିତ ବହୁ ତୀର୍ଥ ଦର୍ଶନ କରି ଯେତିକି ପୁଣ୍ୟ ପାଇଥିବ ତୁଳସୀ ସେବା କଲେ କ୍ଷଣକ ମଧ୍ୟରେ ସେତିକି ଫଳ ପାଇବ । ବ୍ରହ୍ମ ହତ୍ୟା ଦୋଷ କରିଥିଲେ ମଧ୍ୟ ତୁଳସୀ କୁ ଆରାଧନା କଲେ ସେହି ଦୋଷ କଟି ଯିବ । ଯେଉଁମାନେ ଯଜ୍ଞ ଆରମ୍ଭ କରିବେ ପ୍ରଥମେ ତୁଳସୀ ପୂଜା କଲେ ତାଙ୍କର ସର୍ଵସିଦ୍ଧି ପୂର୍ଣ୍ଣ ହେବ । ଯେଉଁ ଜନ ତୁଳସୀ ନିକଟରେ ମଥା ପାତି ପ୍ରଣାମ ଜଣାଇବ ତାହାର ସର୍ଵ ପାପ ଭୂମି ରେ ଯାଇ ତାହାରି ଅଙ୍ଗରେ ପୁଣ୍ୟ ପ୍ରବେଶ କରିବ । ବିଷ୍ଣୁ ଭଗବାନ ଦେବତା ମାନଙ୍କୁ କହୁଛନ୍ତି ,,,ହେ ଦେବଗଣ ! ଯେଉଁମାନେ ତୁଳସୀ ପାଳିବେ ସେମାନେ ଚଉଁରା କୁ ବିଧିମତେ ସ୍ଥାପନ କରି ସେଥିରେ ତୁଳସୀ ବୃକ୍ଷ ରୋପଣ କରି ପ୍ରତିଦିନ ପାଣି ଛିଞ୍ଚି ଚଉଁରା କୁ ଗୋମୟ ରେ ଲେପନ କରିବେ । ଚଉଁରା ଯେତେ ପିଢ଼ ହେବ ସେତିକି ରତ୍ନ କୁଢ଼ ହୋଇଛି ବୋଲି ଜାଣିବ ।
ଗୃହ ଦେବତା ପଶ୍ଚିମାଭିମୁଖ ସୂତ୍ରରେ ଘରର ଐଶାନ୍ୟ କୋଣରେ ତୁଳସୀ ଚଉରା ସ୍ଥାପନ କରିବା କଥା କିନ୍ତୁ ଅନେକ କ୍ଷେତ୍ରରେ ଗୃହର ଦ୍ୱାର ଆଗକୁ ଘରୁ ବାହାରିବାର ଡାହାଣପଟେ ବୃନ୍ଦାବତୀଙ୍କୁ ସ୍ଥାପନ କରିଥାନ୍ତି । ସେହି ଦୃଷ୍ଟିରୁ ବିଚାର କଲେ କେବଳ ଉତ୍ତର ଦ୍ୱାରରେ ଡାହାଣପଟେ ବୃନ୍ଦାବତୀ ରହିଲେ ଘରୁ ବାହାରିଲା ବେଳେ ସମ୍ମୁଖରେ ପ୍ରଣାମକରି ବାହାରକୁ ଯାତ୍ରା କରିହେବ । ଦକ୍ଷିଣ ଦ୍ୱାରରେ ବାମ ପଟରେ ବୃନ୍ଦାବତୀଙ୍କୁ ସ୍ଥାପନ କଲେ ସମ୍ନାରେ ପ୍ରଣାମକରି ଯାତ୍ରା କରିବେ ଏବଂ ପୂର୍ବ ଦ୍ୱାରରେ ବାମପଟେ ବା ଦକ୍ଷିଣପଟେ ଯେଉଁଠି ବୃନ୍ଦାବତୀଙ୍କୁ ସ୍ଥାପନ କରିଲେ ମଧ୍ୟ ସାମ୍ନାରେ ପ୍ରଣାମ କରି ଯାତ୍ରା କରିପାରିବେ । ବାସ୍ତୁ ଅନୁସାରେ ପଶ୍ଚିମଦ୍ୱାର କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି କିନ୍ତୁ ଅନେକ କ୍ଷେତ୍ରରେ ଅନେକ ଲୋକ ପଶ୍ଚିମ ଦ୍ୱାର ଗୃହ ନିର୍ମାଣ କରିଛନ୍ତି । ଯାହାଫଳରେ ବୃନ୍ଦାବତୀଙ୍କୁ ଦ୍ୱାର ପାଶ୍ୱର୍ରେ ଯେଉଁଠି ରଖିଲେ ମଧ୍ୟ ପଛରୁ ହିଁ ପ୍ରଣାମ କରିବାକୁ ପଡିବ । ବାମରେ ହେଉ ବା ଡାହାଣରେ ହେଉ ପଶ୍ଚିମ ପଟେ ଦେବତା ମାନଙ୍କର ସ୍ଥାନ ନୁହେଁ । ପଶ୍ଚିମପଟେ ବୃନ୍ଦାବତୀ ରହିଲେ ମଶାଣିରେ ଉଠିଥିବା ତୁଳସୀ ଗଛସହ ସମାନ ବୋଲି ଜାଣିବାକୁ ହେବ । ତେବେ ଶାସ୍ତ୍ରାନୁସାରେ, “ଦକ୍ଷିଣ ଦରଜା ରାଜା, ଉତ୍ତର ଦରଜା ପ୍ରଜା, ପୂରୁବେ ଦରଜା ମଜା, ପଶ୍ଚିମେ ଭୋଗିବ ସଜା” ଏଥିରୁ ସମୀକ୍ଷା କଲେ ଜଣାଯାଏ ଯେ ଦକ୍ଷିଣ ଦରଜା ସର୍ବଶ୍ରେଷ୍ଠ ଓ ସର୍ବାନୁମୋଦିତ । ଏହି ଦ୍ୱାରରେ ଯଦି ତୁଳସୀ ଚଉରା ସ୍ଥାପନ କରିବାକୁ ହୁଏ ତେବେ ବାମ ପଟରେ ପଶ୍ଚିମକୁ ମୁଖ କରି ଚଉଁରା ସ୍ଥାପନ କରିବେ । ଏହି ଦ୍ୱାରର ଦକ୍ଷିଣ ପଟରେ ଯଦି ତୁଳସୀ ଚଉଁରା ରୁହେ ତେବେ ବଂଶନାଶ, ପୁତ୍ରହାନୀ, ବନ୍ଧନଯୋଗ, ଆକସ୍ମିକ ଦୁର୍ଘଟଣା ଗ୍ରସ୍ତ, ହାତ, ଗୋଡ଼ରେ ଆଘାତ, ମୋକଦ୍ଦମା ଗ୍ରସ୍ତ, ନୀଚ୍ଚକର୍ମରେ ନିଯୁକ୍ତ, ଦାରିଦ୍ରତା ମଧ୍ୟରେ ଜୀବନ ଅତିବାହିତ ହେବ । କାରଣ ପଶ୍ଚିମଦିଗ ଶନିଙ୍କର, ନୈଋତକୋଣ ରାହୁଙ୍କର ହୋଇଥିବାରୁ ଏହି କ୍ଷେତ୍ରରେ ବିଷ୍ଣୁ ପତ୍ନୀ ବୃନ୍ଦାବତୀ ବାସ କରିଲେ ଶନି ଓ ରାହୁଙ୍କର କୋପରେ ଗୃହକର୍ତ୍ତା ପୀଡିତ ହେବାଟା ହିଁ ସୁନିଶ୍ଚିତ । ଗୃହ ବାସ୍ତୁର ପଶ୍ଚିମରେ ଘୋଡ଼ା, ହାତୀ, ଗୋରୁ, ଗାଈ ବାନ୍ଧିବା କଥା । ଯାନ, ବାହନ, ଚାକର ଚାକରାଣୀ ବା ଦାସ ଦାସୀମାନେ ବାସ କରିଲେ ଗୃହ କର୍ତ୍ତାଙ୍କର ଆଜ୍ଞାବହ ହୋଇ ରହିବେ ।
କ୍ରମଶଃ…….