ଚୈତ୍ର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳାଙ୍କର ପ୍ରଥମ ପାଳି ଯାତ୍ରା

ଚୈତ୍ର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳାଙ୍କର ପ୍ରଥମ ପାଳି ଯାତ୍ରା

(Lokanath Mishra)


ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ପାଇଁ ସାହାଣମେଲା କରା ଦିଆଯାଏ ଏବଂ ମା ଙ୍କର ରାଜରାଜେଶ୍ଵରୀ ବେଶ ଦର୍ଶନ କରିବା ସହ ସୀମନ୍ତିନୀ ଗଣ ମନ୍ଦିର ବେଢାରେ ପନ୍ଥେଇ ପୂଜା କରିଥାନ୍ତି।

ପ୍ରାୟତଃ ମଧ୍ୟାହ୍ନରେ ନେତ୍ର ଉତ୍ସବ ଅନୁଷ୍ଠିତ ହୁଏ। ପରେ ଶାରଳା ପୀଠରୁ ଆସିଥିବା ରାଉଳ ସେବକ ମାନେ ଓ ଭୋଇ ସେବକ ମାନେ ପାଣିତୋଳି ମନ୍ଦିର ବେଢାରେ ପାଟୁଆ ନୃତ୍ୟ କରାଯାଏ। ଏହା ପରେ ମନ୍ଦିର ଗର୍ଭଗୃହ ଖାଲି କରାଯାଇ ଦ୍ବିପ୍ରହର ଧୂପ ଓ ଭଅଣ୍ଡ ଧୂପ କରାଯାଏ ଏବଂ ଦ୍ବିପ୍ରହର ପହୁଡ ପଡେ। ସଂନ୍ଧ୍ଯା ଆଳତି କରାଯାଇ ଉଲାଗି ଓ ମାର୍ଜନା କରାଯାଏ। ବେଶ ପରେ ଭାଗବତ ପାଠ, ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣ ନୀତି ଅନୁଷ୍ଠିତ ହୋଇଥାଏ।

ଭ୍ରମଣୀ ନୀତି ଚୈତ୍ର ମାସର ଚାରି ମଙ୍ଗଳବାର, ଝାମୁପାଳି, ଓ ଆଶ୍ଵିନ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ଠାରୁ ସପ୍ତମୀ ପର୍ଯ୍ୟନ୍ତ ଛଅଦିନ ପାଳିତ ହୋଇଥାଏ। ଉକ୍ତ ଦିନ ମାନଙ୍କରେ ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମା’ ଙ୍କର ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମା ଙ୍କୁ ଗୋଟିଏ ଆସନରେ ରଖି ମା’ ଙ୍କର ମନ୍ଦିର ର ବେଢା କୁ ତିନି ଥର ପରିକ୍ରମା କରାଯାଇଥାଏ। ଏହାପରେ ମନ୍ଦିରକୁ ଫେରାଇ ନିଆଯାଇ ସିଂହାସନ ଉପରେ ‘ଭ୍ରମଣୀ ଭୋଗ’ ନାମରେ ଏକ ବାଲ୍ୟ ଭୋଗ ଅର୍ପଣ କରାଯାଇଥାଏ। ଏହାପରେ ମା’ ଙ୍କର ପହଡ ପଡିଥାଏ।

👉 ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ସହ ସଂପର୍କ

ଏକଦା ବର୍ଷେ ଗୋବିନ୍ଦ ଦ୍ଵାଦଶୀ ବୁଡ ପୁରୀରେ ଅନୁଷ୍ଠିତ ହେବାର ଥିଲା, ସେହି ବର୍ଷ ରାଜା ଯଯାତି କେଶରୀ(ରାଜଧାନୀ ଥିଲା ଯାଯପୁର) ଗୋବିନ୍ଦ ଦ୍ଵାଦଶୀ ବୁଡ ଅବସରରେ ମହୋଦଧିରେ ବୁଡ ପକାଇବା ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ। ତେବେ ବୁଡ ପରେ ତୀର୍ଥ ନିକଟସ୍ଥ ଦେବତାଙ୍କୁ ଦର୍ଶନ କରିବାର ବିଧି ଥିବା ହେତୁ ଶ୍ରୀମନ୍ଦିରକୁ ଯାଇ ଦେଖନ୍ତେ ରତ୍ନ ସିଂହାସନ ଖାଲି ପଡିଥିଲା। ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହ ସୋନପୁରର କୋଟସମଲାଏ ଠାରେ ୧୪୪ ବର୍ଷ ଧରି ପାତାଳୀ ହୋଇଥିଲେ। ସେହି ସମୟରେ ଯଯାତି କେଶରୀ ତତ୍କାଳୀନ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ମହାପ୍ରଭୁଙ୍କ ଶ୍ରୀବିଗ୍ରହମାନଙ୍କୁ ଉଦ୍ଧାର କରିବା ନେଇ ଚେଷ୍ଟାରତ ହେଲେ । ତେବେ ପାତାଳୀ ରୁ ଉଦ୍ଧାର କରିବା ପରେ ଶ୍ରୀବିଗ୍ରହମାନେ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ। ତେଣୁ ନବକଳେବର ପ୍ରକ୍ରିୟାର ଭିତ୍ତିଭୂମି ଏହିଠାରୁ ହିଁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ନବକଳେବର ନିମନ୍ତେ ନିମ୍ବ କାଠର ଆବଶ୍ୟକତା ପଡିଲା।

ସେହି ସମୟରେ ପ୍ରାଚୀ ଉପତ୍ୟକା ଅତ୍ୟନ୍ତ ସମୃଦ୍ଧ ଥିଲା ଏବଂ ଏହାର ପଠା ରେ ବହୁଳ ପରିମାଣରେ ନିମ୍ବ ବୃକ୍ଷ ଥିଲା। ପ୍ରାଚୀ ତୀର୍ଥର ଅଧୀଶ୍ବରୀ ମା’ ମଙ୍ଗଳା ସେଠାରେ ପୂଜା ପାଉଥିଲେ। ତେବେ ଶଙ୍କରାଚାର୍ଯ୍ୟ ନବ କଳେବର କରିବା ଉଦ୍ଦେଶ୍ୟରେ ମା’ ମଙ୍ଗଳାଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରି ଉକ୍ତ ସ୍ଥାନରୁ ନିମ୍ବ କାଠ କାଟି ଆଣି ଦାରୁ ନିର୍ମାଣ କରିବା ପାଇଁ ସ୍ଥିର କଲେ। ପରବର୍ତ୍ତୀ ସମୟରେ ଜଣା ପଡିଲା ଯେ ମା’ ମଙ୍ଗଳା ପ୍ରାଚୀ ନଦୀରେ ଆସିଥିବା ବନ୍ୟା ପାଣିରେ ଭାସି ଯାଇଛନ୍ତି ଓ ତାଙ୍କର ପୂର୍ବତନ ପୂଜାସ୍ଥଳ ଦେଉଳି ମଠରେ ଆଉ ନାହାଁନ୍ତି। ତେଣୁ ମା’ ମଙ୍ଗଳାଙ୍କୁ ଉଦ୍ଧାର କରିବା ପାଇଁ ତତ୍କାଳୀନ ଗଜପତିଙ୍କ ନିର୍ଦ୍ଦେଶାନୁଶାରେ ହଟ ଓ ବଟ ଦୀକ୍ଷିତ ବୋଲି ଦୁଇ ତାନ୍ତ୍ରିକଙ୍କୁ କାକଟପୁରର ପ୍ରାଚୀ ଉପତ୍ୟକାରୁ ମଙ୍ଗଳାଙ୍କ ଅନ୍ୱେଷଣ ନିମନ୍ତେ ପ୍ରେରିତ କରାଗଲା। ସେମାନେ ସେଠାକୁ ଯାଇ ଉକ୍ତ ଗ୍ରାମର ଗ୍ରାମଦେବତୀ କାକଟେଇ ଙ୍କ ନିକଟରେ ମା ମଙ୍ଗଳାଙ୍କ ଉଦ୍ଧାର ନିମନ୍ତେ କୃପା ଭିକ୍ଷା କଲେ। କାକଟେଇ ତାଙ୍କ ଉପରେ ପ୍ରସନ୍ନ ହୋଇ ନିଜେ ଗ୍ରାମର ଗ୍ରାମଦେବତୀ ହେବେ ବୋଲି ତାଙ୍କ ଠାରୁ ବଚନ ନେଇ ମଙ୍ଗଳା ପ୍ରାଚୀ ନଦୀରେ ବୁଡିକି ଅଛନ୍ତି ବୋଲି ତାଙ୍କୁ ସ୍ୱପ୍ନାଦେଶ କଲେ। ଯେହେତୁ ମଙ୍ଗଳା ପ୍ରାଚୀ ନଦୀରେ ବୁଡିକି ଥିଲେ ତେଣୁ ଚୈତ୍ର ମାସର ପ୍ରଥମ ପାଳି ମଙ୍ଗଳ ବାରରେ ହଟ ଓ ବଟ ଦୀକ୍ଷିତ ପ୍ରାଚୀରୁ ପାଣି ତୋଳି ମା ଙ୍କର ଆବାହନ କରିଥିଲେ। କିନ୍ତୁ ସେଠାରେ ମା’ ଙ୍କର କୌଣସି ସନ୍ଧାନ ମିଳିଲା ନାହିଁ। ଏହିପରି ଭାବେ ଚାରିପାଳି ଅନ୍ତ ହେଲେ ମଧ୍ଯ ମା ମଙ୍ଗଳାଙ୍କ ଆବିର୍ଭାବର କୌଣସି ସଙ୍କେତ ମିଳିଲା ନାହିଁ। ଏଣେ ଦାରୁ ଅନ୍ୱେଷଣ ପାଇଁ ବନଯାଗଯାତ୍ରୀ ମାନେ ଶ୍ରୀକ୍ଷେତ୍ରରୁ ଆସି ଗଲେଣି। ତେବେ ଚୈତ୍ର ଶେଷ ପାଳି ମଙ୍ଗଳବାର ଦିନ ହଟ ଓ ବଟ ଦୀକ୍ଷିତ ରାଜଦଣ୍ଡ ଭୟରେ କାକଟେଇଙ୍କ ସମ୍ମୁଖରେ ଅଗ୍ନିଗାଡ କରି ନିଜକୁ ଝାସ ଦେବାକୁ ପ୍ରସ୍ତୁତ ହୁଅନ୍ତେ କଲ୍ୟାଣ ମୟୀ ଭକ୍ତବତ୍ସଳା ଭଗବତୀ ମଙ୍ଗଳା ପ୍ରାଚୀ ନଦୀରୁ ଆବିର୍ଭାବ ହୋଇ ନିଜ ଭକ୍ତଙ୍କୁ ତାଙ୍କର ଠିକଣା ଦେଲେ ଏବଂ ମା’ ଙ୍କର ମୂର୍ତ୍ତିର ପୁନରୁଦ୍ଧାର କରାଗଲା। ଏହା ହିଁ ମା ଙ୍କ ଚଇତି ଯାତ ବା ଝାମୁଯାତ ର କିମ୍ବଦନ୍ତୀ। ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ଏକ କାଷ୍ଠ ମଣ୍ଡପରେ ମା ମଙ୍ଗଳା ଙ୍କୁ ସ୍ଥାପନା କରାଗଲା। ମଙ୍ଗଳପୁର ଗ୍ରାମର ଗ୍ରାମଦେବତୀ ହେଉଛନ୍ତି ମା ଦକ୍ଷିଣଚଣ୍ଡୀ । ଆଜି ମଧ୍ୟ ଶାରଳା ପୀଠ ରୁ ଆସିଥିବା ପାଟୁଆମାନେ ପ୍ରଥମ ଚାରିପାଳି ଘଟ ସାହାଯ୍ୟ ରେ ପ୍ରାଚୀ ନଦୀ ରୁ ପାଣି ତୋଳି ମା ଙ୍କ ଆଜ୍ଞାମାଳ ପାଇ ମା ଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିଥାନ୍ତି ଏବଂ ଶେଷ ପାଳି ରେ ଅଗ୍ନି ଗର୍ତ୍ତରେ ରଡ ନିଁଆ ଉପରେ ଚାଲି ମା ଙ୍କ ନିକଟରେ ନିଜ ଭକ୍ତି ର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି।

ଓଡିଆ ଜାତିର ଅସ୍ମିତା ହେଲେ ମହାପ୍ରଭୁ ଓ ଓଡିଆ ଜାତିର ପରିଚୟ ହେଲେ ମହାପ୍ରଭୁ। ତାଙ୍କ ସେବାରେ ନିୟୋଜିତା ସମସ୍ତ ଅଷ୍ଟକୀଳଶକ୍ତି ମାନଙ୍କ ମଧ୍ଯରୁ ମା’ ମଙ୍ଗଳା ହେଉଛନ୍ତି ଅନ୍ୟତମା।

ତନ୍ତ୍ରସାର ଅନୁସାରେ – “ମଙ୍ଗଳା
“ସର୍ବଶୁଭଦା ପ୍ରାଚୀ ନଦୀ ତଟେ ସ୍ଥିତା।”

ମା’ ମଧ୍ଯ କାକଟପୁରରେ ଥାଇ ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ସେ ପରଂବ୍ରହ୍ମଙ୍କ ସହଚରୀ ଓ ସହଯୋଗୀ ହୋଇଥିବା ହେତୁ ମଙ୍ଗଳା ହେଉଛନ୍ତି ପରାଶକ୍ତି। ତେବେ ଏ ଜାତି ମହାପ୍ରଭୁ ଙ୍କୁ ଛାଡି କେବେ ତିଷ୍ଠି ପାରିନି। ଏ ଜାତିର ସମସ୍ତ ପର୍ବପର୍ବାଣୀ ଓ ଶୁଭ କର୍ମରେ ମହାପ୍ରଭୁଙ୍କ ସଂଶ୍ଲିଷ୍ଟ ହେବା ବିଧେୟ। ତେବେ ମା’ ମଙ୍ଗଳା ବା ଏଥିରୁ ବାଦ୍ ପଡିଥାନ୍ତେ କେମିତି ! ତେଣୁ ଆଜି ମା’ ମଙ୍ଗଳାଙ୍କ ଝାମୁଯାତ୍ରା ମହାପ୍ରଭୁଙ୍କ ସେହି ଗୌରବମୟ ଗାଥାକୁ ବହନ କରେ।🙏

ଚୈତ୍ର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳାଙ୍କର ପ୍ରଥମ ପାଳି ଯାତ୍ରା

Leave a Comment

Your email address will not be published. Required fields are marked *