ପରଂବ୍ରହ୍ମ ଶ୍ରୀଜଗନ୍ନାଥ
ବଡ଼ ଦେଉଳର ଷୋଡ଼ଶ ମଣ୍ଡପ
୧ – ରତ୍ନ ମଣ୍ଡପ
ଶ୍ରୀମନ୍ଦିରର ସ୍ଵତ୍ତ୍ଵଲିପିର ଉଲ୍ଲେଖ ପ୍ରକାରେ ବଡ଼ ଦେଉଳର ପ୍ଲଟ ନମ୍ବର ୧ ରେ ରତ୍ନବେଦୀ ବା ରତ୍ନ ମଣ୍ଡପ ଅବସ୍ଥିତ। ଯେଉଁଥିରେ କି ବଲଭଦ୍ର, ଦେବୀ ସୁଭଦ୍ରା, ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖ ପୂର୍ବକ ଅବସ୍ଥାନ କରିଛାନ୍ତି। “ଶ୍ରୀଜଗନ୍ନାଥ” ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ଶ୍ରୀସୁଦର୍ଶନ ଓ ଶ୍ରିମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି। ଏହି ରତ୍ନ ମଣ୍ଡପର ଲମ୍ବା ୧୬ ଫୁଟ ଓ ପ୍ରସ୍ଥ ୧୩ ଫୁଟ। ରତ୍ନ ମଣ୍ଡପର ଉଚ୍ଚତା ୪ ଫୁଟ। ଏହାକୁ ରତ୍ନବେଦୀ, ରତ୍ନ ମଣ୍ଡପ ଓ ରତ୍ନ ସିଂହାସନ ଆଦି ନାମରେ କୁହାଯାଇଥାଏ। ପରଂବ୍ରହ୍ମରୂପୀ
ଶ୍ରୀବିଗ୍ରହମାନେ ଏହି ମଣ୍ଡପ ବା ବେଦୀରେ ଅବସ୍ଥାନ କରୁଥିବାରୁ ଏହା ଅତ୍ୟନ୍ତ ପବିତ୍ରମୟ ତଥା ବ୍ରହ୍ମଶିଳାମୟ ହୋଇଛି ।
୨- ଦେବସଭା ମଣ୍ଡପ
ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ମୁତାବକ ପ୍ଲଟ ନଂ ୩୦ ରେ ଦେବସଭା ମଣ୍ଡପ ଅବସ୍ଥିତ। ମୁଖ୍ୟ ମନ୍ଦିର ସଂଲଗ୍ନ ଉତ୍ତର ପାର୍ଶ୍ଵ ତଥା ନାଭିକଟା ମଣ୍ଡପର ପଶ୍ଚିମ ଭାଗରେ ଗୋଟିଏ ବିରାଟ ମୁକ୍ତାକାଶ ଖୋଲା ମଣ୍ଡପ ରହିଅଛି। ଏହା ‘ଦେବସଭା ମଣ୍ଡପ ‘ନାମରେ କଥିତ। ଜନଶ୍ରୁତି ଅନୁଯାୟୀ ନିଶାର୍ଦ୍ଧରେ ଏହି ସ୍ଥାନରେ ଦେବତାମାନେ ସେମାନଙ୍କର ସଭା କରିଥାନ୍ତି।
୩ -ସ୍ନାନ ମଣ୍ଡପ
ଶ୍ରୀମନ୍ଦିର ବାହାର ବେଢ଼ାସ୍ଥିତ ଆନନ୍ଦ ବଜାର ପରିସରରେ ସ୍ନାନ ମଣ୍ଡପ ବା ସ୍ନାନ ବେଦୀ ଅବସ୍ଥିତ। ମଣ୍ଡପଟି ପୂର୍ବାଭିମୁଖୀ। ସ୍ଵତଲିପି ମୁତାବକ ପ୍ଲଟ ନଂ ୧୪୮ ରେ ଏହି ମଣ୍ଡପଟି ରହିଅଛି। ବଉଳମାଳା ପ୍ରସ୍ତରରେ ନିର୍ମିତ ଏହି ମଣ୍ଡପର ଦୈର୍ଘ୍ୟ ଓ ପ୍ରସ୍ଥ ଉଭୟ ୭୫ ଫୁଟ ଅଟେ। ମଣ୍ତପ ଉପରକୁ ଯିବା ପାଇଁ ଉଭୟ ଦକ୍ଷିଣ ଓ ଉତ୍ତର ପାର୍ଶରେ ପ୍ରସ୍ତର ପାହାଚ ରହିଛି। ମଣ୍ଡପରେ ଏକ ସିଂହାସନ ଓ ତିନୋଟି ଚକା ସ୍ଥାପିତ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଚତୁ୍ଦ୍ଧା ବିଗ୍ରହ ରତ୍ନ ସିଂହାସନରୁ ଏହି ମଣ୍ଡପ ବା ବେଦୀରେ ବିରାଜମାନ କରିଥାନ୍ତି। ମଣ୍ତପ ଉପରେ ଶ୍ରୀବିଗ୍ରହମାନେ ବିରାଜମାନ କରିଥିବା ସମୟରେ ସମୁଦାୟ ୧୦୮ ଗଡୁ ସଂସ୍କାରିତ ଚନ୍ଦନ, କର୍ପୁର, କେଶରାଦି ମିଶ୍ରିତ ଜଳରେ ସ୍ନାନ କରିଥାନ୍ତି। ଏହି ମଣ୍ଡପରେ ମହାପ୍ରଭୂମାନଙ୍କ ପ୍ରସିଦ୍ଧ ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ।
୪ -ଗୁଣ୍ଡିଚା ମନ୍ଦିର
ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ଗୁଣ୍ଡିଚା ମନ୍ଦିରର ପବିତ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ରହିଅଛି ।
ଯଥା ଗୁଣ୍ଡିଚାମଣ୍ତପଂ ନାମ ଯତ୍ରାହମଜନଂ ପୁରା।
ଅଶ୍ଵମେଧସହସ୍ରସ୍ୟ ମହାବେଦୀ ତଦାଭବତ୍।
ତସ୍ୟାଃ ପୁଣ୍ୟମତଂ ସ୍ଥାନଂ ପ୍ରୁଥିବ୍ୟାଂ ନେହ ବିଦ୍ୟତେ ।
ଏହି ମଣ୍ଡପକୁ ଯଜ୍ଞବେଦୀ, ମହାବେଦୀ, ଆଡ଼ପ ମଣ୍ଡପ, ରାସ ମଣ୍ଡପ , ଆଟୋପ ମଣ୍ତପ ଇତ୍ୟାଦି ନାମରେ ଉଲ୍ଲେଖ ହୋଇଥିବା ଜଣାଯାଏ । ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀରେ ଗୁଣ୍ଡିଚା ମଣ୍ଡପଟି କାଷ୍ଠ ମଣ୍ତପ ଥିଲା। ଗଙ୍ଗ ବଂଶର ରାଜା ନରସିଂହ ଦେବ (୨ ୟ)( ଖ୍ରୀ. ୧୨୭୮-୧୩୦୬) ରାଜତ୍ବ ସମୟରେ ପଥର ମଣ୍ତପ ତିଆରି ନିର୍ମାଣ ହୋଇଥିଲା। ଗୁଣ୍ଡିଚା ଘର ଗର୍ଭଗୃହରେ ପ୍ରତିଷ୍ଠିତ ମଣ୍ତପ ବା ସିଂହାସନଟି କଳା ମୁଗୁନି ପ୍ରସ୍ତରରେ ନିର୍ମିତ। ଏହି ମଣ୍ଡପର ଉଚ୍ଚତା ୪ ଫୁଟ ଏବଂ ଲମ୍ବରେ ୧୯ ଫୁଟ ବିଶିଷ୍ଟ ଅଟେ।
୫ – ମଣି ମଣ୍ଡପ
ବିଶିଷ୍ଟ କବି ଡିଣ୍ଡିମ ଜୀବଦେବାଚାର୍ଯ୍ୟଙ୍କ
“ଉତ୍ସାହବତୀ ରୁପକମ” ନାଟକ କାବ୍ୟଟି ଶ୍ରୀମନ୍ଦିର ପାର୍ଶ୍ୱରେ ମଣି ମଣ୍ଡପରେ ଅଭିନୀତ ହୋଇଥିଲା ” ଅସ୍ମିନ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ ପ୍ରାସାଦ ପାର୍ଶେ ମଣି ମଣ୍ଡପ ( ଦ୍ର. କୋଣାର୍କ, ପଞ୍ଚସଖା, ବିଶେଷାଙ୍କ, ପୃ.୧୪)
୬ – ଭେଟ ମଣ୍ତପ
ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିର ପ୍ଲଟ ନଂ.୧୮୨ ରେ ଭେଟ ମଣ୍ଡପଟି ଅବସ୍ଥିତ। ଶ୍ରୀମନ୍ଦିର ରୋଷଘର ପରିସରର ପୂର୍ବାଭିମୁଖୀ ଏହି ମଣ୍ଡପକୁ ନିଳାଦ୍ରୀ ବିଜେ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରୁ ପହଣ୍ଡି ବିଜେରେ ଅବତରଣ କରିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଏଠାରେ ଉଭା ହୋଇ ଠାକୁରଙ୍କୁ ଭେଟିଥାନ୍ତି। ଦିବ୍ୟସିଂହ ଦେବ। ( ଖ୍ରୀ. ୧୬୮୮-୧୭୧୭) ଙ୍କ ସମୟରେ ଏହି ମଣ୍ଡପଟି ତିଆରି ହୋଇଥିଲା।
୭ -ଚାହାଁଣି ମଣ୍ତପ
ଶ୍ରୀମନ୍ଦିର ଆନନ୍ଦ ବାଜାରସ୍ଥିତ ସ୍ନାନ ମଣ୍ଡପର ଦକ୍ଷିଣ ପାର୍ଶ୍ଵରେ ପ୍ଲଟ ନଂ. ୧୪୯ ଉପରେ ଏହି ମଣ୍ଡପଟି ଅବସ୍ଥିତ। ବାହୁଡ଼ା ରଥ ସମୟରେ ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ରଖାଯାଇଥାଏ। ଏହି ସମୟରେ ଲକ୍ଷ୍ମୀ ଠାକୁରାଣୀ ଚାହାଁଣି ମଣ୍ଡପକୁ ପାଲିଙ୍କିରେ ବିଜେ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଥମେ ଚାହିଁବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ନିମନ୍ତେ ଶ୍ରୀନଅର ସମ୍ମୁଖକୁ ବିଜେ କରିଥାନ୍ତି। ମୋଟ ୧୨ ଗୋଟି ଖମ୍ବ ଉପରେ ୭ ଫୁଟ ଉଚ୍ଚତା ବିଶିଷ୍ଟ ପିଢ଼ ଶୈଳୀ ଛାତ ନିର୍ମିତ ଏକ ଖୋଲା ମଣ୍ଡପ ଅଟେ।
ପିଆଶାଳ କାଠର କଡ଼ିବରଗା ଖମ୍ବ ଉପରେ ଚତୁଃଷ୍କୋଣୀ ଭାବେ ନିର୍ମିତ। ମଣ୍ଡପଟି ଦୈର୍ଘ୍ୟ ଓ ପ୍ରସ୍ଥରେ ପ୍ରାୟ ୧୨ ଫୁଟ ମଧ୍ୟରେ ସୀମିତ ଅଟେ। ଏହି ମଣ୍ଡପଟିକୁ ସପ୍ତଦଶ ଶତାବ୍ଦୀରେ ଖୋଜାବେଣୁ ଛୋଟରାୟ ନିର୍ମାଣ କରିଥିଲେ। ଶ୍ରୀଗୁଣ୍ଡିଚା ଦିନ ଏଠାରେ ରଥ ପ୍ରତିଷ୍ଠା କର୍ମ ଅନୁଷ୍ଠିତ ହୋଇଥାଏ।
୮- ମୁକ୍ତି ମଣ୍ତପ
ଶ୍ରୀମନ୍ଦିର ଭିତର ବେଢାସ୍ଥ ପ୍ଲଟ ନଂ. ୮୨ ରେ ମୁକ୍ତି ମଣ୍ତପ ପ୍ରତିଷ୍ଠିତ। ଶ୍ରୀମନ୍ଦିର ବେହେରଣ ଦ୍ଵାର ସମ୍ମୁଖରେ ଥିବା ମୁକ୍ତି ମଣ୍ତପଟି ପ୍ରତ୍ୟେକ ହିନ୍ଦୁ ଓ ଜନମାନସରେ ଅତ୍ୟନ୍ତ ପବିତ୍ର ତଥା ସୁପରିଚିତ ଅଟେ। କଳା ମୁଗୁନି ପ୍ରସ୍ତରରେ ନିର୍ମିତ ଏହି ମଣ୍ଡପଟିର ଦୈର୍ଘ୍ୟ ଓ ପ୍ରସ୍ଥ ପ୍ରତ୍ୟେକ ୩୮ ଫୁଟ ଅଟେ। ଏଥିରେ ୧୬ ଗୋଟି ଖମ୍ବ ରହିଅଛି। ପୁରାତନ ମୁକ୍ତି ମଣ୍ଡପଟି ଜୀର୍ଣ୍ଣ ହୋଇଯିବାପରେ ଭୋଇ ବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ ( ୧) ଙ୍କ ୧୪ ଅଙ୍କ ଖ୍ରୀ .୧୫୮୦ ରେ ମୋଗଲ ସେନାପତି ମାନସିଂହଙ୍କ ପତ୍ନୀ ଗୌରରାଣୀଙ୍କ ଉଦ୍ୟମରେ ଏହା ଜିର୍ଣୋଦ୍ଧାର ହୋଇଥିଲା। ଶଙ୍କରାଚାର୍ଯ୍ୟ ଦଣ୍ଡିସନ୍ୟାସୀ, ଦେଉଳ ପୁରୋହିତ, ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନ୍ତର୍ଭୂତ ବିଭିନ୍ନ ବ୍ରାହ୍ମଣ ସାସନର ମହାଜନ ତଥା ପଣ୍ଡିତ ମଣ୍ଡଳୀ ଏହି ମଣ୍ଡପରେ ବସିବାର ଅଧିକାର ରହିଛି। ଉକ୍ତ ମଣ୍ଡପରେ ନୃସିଂହ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିର ନିର୍ମାଣ ସମୟରେ ବ୍ରହ୍ମା ଏହି ସ୍ଥାନରେ ବସି ନିର୍ମାଣ ସମ୍ବନ୍ଧୀୟ ପରାମର୍ଶ ଦେଇଥିବା ହେତୁ ଏହାକୁ ବ୍ରହ୍ମାସନ ବୋଲି କୁହାଯାଇଥାଏ। ସଂପ୍ରତି ଅନେକ ବର୍ଷ ଧରି ଏହି ମଣ୍ଡପରେ ଶ୍ରୀଜିୟୁମାନଙ୍କର ଝୁଲଣ ମହୋତ୍ସବ ଅନୁଷ୍ଠିତ ହେଉଅଛି।
୯- ମାଜଣା ମଣ୍ଡପ
ଶ୍ରୀମନ୍ଦିର ଭିତର ବେଢାସ୍ଥ ବେହେରଣ ଦ୍ୱାର ଡାହାଣ ପାର୍ଶ୍ଵରେ ପ୍ଲଟ ନଂ.୨୧ ରେ ମାଜଣା ମଣ୍ଡପଟି ଅବସ୍ଥିତ। ସ୍ଵତ୍ତ୍ଵଲିପି ମୁତାବକ ଏଠାରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ମାଜଣା ହୁଏ।
ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ଏହି ମଣ୍ଡପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ବିବାହ ଉତ୍ସବ ହୁଏ। ପୁରାଣ ଅନୁସାରେ ଏହିଦିନ ରୁକ୍ମିଣୀଙ୍କ ସହିତ ଶ୍ରୀକୃଷ୍ଣଙ୍କ ବିବାହ ହୋଇଥିଲା। ତେଣୁ ଏହି ଏକାଦଶୀକୁ ରୁକ୍ମିଣୀ ବିବାହ ଏକାଦଶୀ କହନ୍ତି। ସେହି କାରଣରୁ ଏହି ମଣ୍ଡପକୁ ବିବାହ ମଣ୍ଡପ ବା ବିବାହ ବେଦୀ ମଧ୍ଯ କୁହାଯାଇଥାଏ।
ଉକ୍ତ ମଣ୍ଡପରେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ବାମନ ଜନ୍ମ ନୀତି, ଆଶ୍ୱିନ କୃଷ୍ଣ ଅଷ୍ଟମୀ ( ମୂଳାଷ୍ଟମୀ) ଦିନ ଏଠାରେ ଦୂର୍ଗାଦେବୀଙ୍କର ସହସ୍ର କୁମ୍ଭାଭିଷେକ ପାଳିତ ହୋଇଥାଏ।
ଏହି ମଣ୍ଡପର ଅନ୍ୟନାମ ସୋମନାଥ ମଣ୍ଡପ। ପିଢ଼ ଶୈଳୀରେ ନିର୍ମିତ ମାଜଣା ମଣ୍ଡପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତ୍ୟହ ସନ୍ଧ୍ୟାରେ ପାରମ୍ପରିକ ଭକ୍ତି ସଙ୍ଗୀତ, ଶ୍ରୀଗୀତଗୋବିନ୍ଦ ଇତ୍ୟାଦି ଗାନ କରାଯାଇଥାଏ। ଶ୍ରୀବିଗ୍ରହମାନଙ୍କର ଚିତା ଓ ରାହୁରେଖା ସଫା କାର୍ଯ ଏହି ମଣ୍ଡପ ଉପରେ କରାଯାଇଥାଏ।
୧୦- ନାଭିକଟା ମଣ୍ଡପ
ଶ୍ରୀମନ୍ଦିର ଭିତରେ ବେଢ଼ାସ୍ଥିତ ଗାରଦ ଘରର ପଶ୍ଚିମ ପାର୍ଶ୍ଵରେ ଥିବା ଏକ ପିଢ଼ ଶୈଳୀର ଖୋଲା ମଣ୍ଡପକୁ ନାଭିକଟା ମଣ୍ଡପ କୁହାଯାଉଛି। ଏହାର ଅନ୍ୟନାମ ବଜନ୍ତିର ମଣ୍ଡପ। ଶ୍ରୀକୃଷ୍ଣ ଜନ୍ମ ଦିନ ଏଠାରେ ନାଭିକଟା କର୍ମ ସମାପିତ ହୋଇଥାଏ। ଦୋଳ ପୂର୍ଣ୍ଣିମା ଦିନ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କ ମାଜଣା, ବେଶ, ଭୋଗାଦି ଏହିଠାରେ ହେବା ଉତ୍ତାରେ ଦୋଳବେଦୀରେ ବିଜେ କରନ୍ତି। ସଂପ୍ରତି ଏହି ମଣ୍ଡପରେ ପ୍ରତ୍ୟହ ସନ୍ଧ୍ୟାରେ ‘ ହୁଣ୍ଡି ‘ଗଣତି କାର୍ଯ୍ୟ ହେଉଅଛି।
୧୧- ନିର୍ମାଲ୍ୟ ମଣ୍ଡପ
ଶ୍ରୀମନ୍ଦିର ବାହାରେ ବେଢ଼ାସ୍ଥିତ ନୀଳାଚଳ ଉପବନ ପରିସରରେ ‘ ନିର୍ମାଲ୍ୟ ମଣ୍ଡପ ‘ ଅବସ୍ଥିତ। ଏହି ମଣ୍ଡପର ଅନ୍ୟନାମ ନିର୍ମାଲ୍ୟ ଖଳା। ପ୍ରାୟ ୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବର୍ଗାକାର ଖୋଲା ମଣ୍ଡପ ଅଟେ। ନିର୍ମାଲ୍ୟ ଖଳା ବା ମଣ୍ଡପ ଜୀର୍ଣ୍ଣୋଦ୍ଧାର ସମ୍ପର୍କରେ ଜଣାଯାଏ ଯେ, ସପ୍ତଦଶ ଶତାବ୍ଦୀରେ ଗଜପତି ବୀର କେଶରୀଙ୍କ ରାଜତ୍ଵ ସମୟରେ ଏହାର ନବୀକରଣ ହୋଇଥିଲା।
୧୨- ଜଳକ୍ରୀଡା ମଣ୍ଡପ
ନୃସିଂହ ମନ୍ଦିରର ପାଶ୍ଚାତ୍ ଭାଗରେ
( ପଶ୍ଚିମ ଦିଗରେ ) ପ୍ଲଟ ନଂ. ୮୦* ରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ। ଏହି ମଣ୍ଡପର ପ୍ରବେଶ ପଥରେ ଜୟ ବିଜୟ ମୂର୍ତି ପ୍ରତିଷ୍ଠିତ ହୋଇଛନ୍ତି। ଶ୍ରୀବିଗ୍ରହମାନଙ୍କର ଭିତର ଚନ୍ଦନଯାତ୍ରା ଅବସରରେ ଏହି ମଣ୍ଡପରେ ଜଳକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ। ଏହି ମଣ୍ଡପଟିର ଉଚ୍ଚତା ପ୍ରାୟ ୨୩ ଫୁଟ ଅଟେ ଏବଂ ଭିତରବେଢ଼ା ପତନଠାରୁ ମଣ୍ଡପଟି ୭ ଫୁଟ ଉଚ୍ଚରେ ଅବସ୍ଥିତ। ମଣ୍ଡପ ମଧ୍ୟ ଭାଗରେ ଏକ ପ୍ରସ୍ତର ନିର୍ମିତ କୁଣ୍ଡ ରହିଛି। ଜ୍ୟେଷ୍ଠ କୃଷ୍ଣ ଓ ଶୁକ୍ଳ ଏକାଦଶୀ , ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏଠାରେ ମଦନମୋହନଙ୍କ ତରଫରୁ ଦୋଳଗୋବିନ୍ଦ ଓ ଶ୍ରୀଦେବୀଙ୍କ ଜଳକ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏ।
୧୩- ଦୋଳ ମଣ୍ଡପ
ଅତୀତରେ ଶ୍ରୀମନ୍ଦିରର ଅଗ୍ନିକୋଣରେ ଥିବା ଏକ ମଣ୍ଡପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୋଳ ଉତ୍ସବ ଅନୁଷ୍ଠିତ ହେଉଥିଲା। ତେଣୁ ଏହି ମଣ୍ଡପକୁ ଦୋଳ ମଣ୍ଡପ ନାମରେ ନାମିତ କରାଯାଇଛି। ଏକଦା ଦୋଳଉତ୍ସବ ସମୟରେ ଦୋଳି ଛିଡି ପଡ଼ିବାରୁ ବଡ଼ଠାକୁରଙ୍କ ଶ୍ରୀଭୂଜ ଭଗ୍ନ ହେବାରୁ ପରବର୍ତ୍ତୀ ଦୋଳଯାତ୍ରାମାନଙ୍କର ଚଳନ୍ତି ପ୍ରତିମା ଦୋଳ ମଣ୍ଡପକୁ ବିଜେ କରିଥିଲେ। ଏହି ମଣ୍ଡପଟି ଜୀର୍ଣ୍ଣ ହେବାରୁ ବୀର କେଶରୀ ଦେବ ଶ୍ରମନ୍ଦିରର ମେଘନାଦ ପ୍ରାଚୀର ବାହାରେ ଉତ୍ତର ପୂର୍ବ କୋଣରେ ଅନ୍ୟ ଏକ ନୂତନ ମଣ୍ଡପ ଗଢ଼ାଇଥିଲେ, ଯାହାକି ‘ ଦୋଳବେଦୀ ‘ ନାମରେ ସୁପରିଚିତ। ସଂପ୍ରତି ଏହି ମଣ୍ଡପରେ ଶ୍ରୀଜୀଉଙ୍କର ଦୋଳଯାତ୍ରା ଅନୁଷ୍ଠିତ ହେଉଅଛି।
୧୪- ଭୋଗ ମଣ୍ଡପ
ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିର ଉଲ୍ଲେଖ ପ୍ରକାରେ ପ୍ଲଟ ନଂ. ୧୧ ରେ ଭୋଗ ମଣ୍ଡପ ଅବସ୍ଥିତ। ‘ଶ୍ରୀପୁରୁଷୋତ୍ତମ ଦେଉଳ କାର୍ଯ୍ୟବିଧି ‘ ପୋଥିର ଉଲ୍ଲେଖ ପ୍ରକାରେ ଭୋଗ ମଣ୍ଡପଟି ‘ ଟେରା ମଣ୍ଡପ ‘ ନାମରେ ଅଭିହିତ । ଏତଦବ୍ୟତୀତ କେତେକ ଏହାକୁ ‘ ନୀଳାଦ୍ରି ମଣ୍ଡପ ‘ ନାମରେ ଉଚ୍ଚାରଣ କରିଥାନ୍ତି।
ଏହି ମଣ୍ଡପରେ ପ୍ରତ୍ୟେକ ଭୋଗମଣ୍ଡପ ପୂଜା ହୁଏ। ମଣ୍ଡପର ଦକ୍ଷିଣ ପାର୍ଶ୍ଵରେ ଭୋଗ ବୁହା ପାଇଁ ଅଚିନ୍ତା ପହଣ୍ଡି ନାମରେ ଏକ ସୁଡ଼ଙ୍ଗ ପଥ ସଂଲଗ୍ନ ହୋଇଛି। ମାଦଳା ପାଞ୍ଜିରୁ ଜଣାଯାଏ ଯେ, ମଣ୍ଡପଟି ସୂର୍ଯ୍ୟବଂଶୀ ପୁରୁଷୋତ୍ତମ ଦେବଙ୍କ ସପ୍ତମ ଅଙ୍କରେ ନିର୍ମିତ। ଭୋଗମଣ୍ଡପ ପରିସରରେ ନୀଳାଦ୍ରି ମହୋଦୟର ପୂର୍ବଦିନ ଜଳ ଅଧିବାସ, ପୁଷ୍ୟାଭିଷେକ ପୂର୍ବଦିନ ଜଳ/ ଘିଅ ଅଧିବାସ, ମକର ସଂକ୍ରାନ୍ତି ପୂର୍ବଦିନ ଚାଉଳ ଅଧିବାସ, ଅକ୍ଷୟ ତୃତୀୟା ପୂର୍ବଦିନ ଚନ୍ଦନ ଅଧିବାସ ଓ ଦୟଣା ଚତୁର୍ଦ୍ଦଶୀ ପୂର୍ବଦିନ ଦୟଣା ଅଧିବାସ ଅନୁଷ୍ଠିତ ହୋଇଥାଏ।
୧୫- ନାଟ ମଣ୍ଡପ
ଶ୍ରୀମନ୍ଦିରର ଜଗମୋହନ ଓ ଭୋଗମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନକୁ ନାଟ ମଣ୍ଡପ କୁହାଯାଏ। କେତେକ ପୋଥି ଶିଳାଲେଖରେ ଏହା ‘ ନାଟପା ‘ ମଣ୍ଡପ ବୋଲି ଉଲ୍ଲେଖ ରହିଛି। ପ୍ଲଟ ନଂ. ୧୦ ରେ ଥିବା ଏହି ନାଟ ମଣ୍ଡପରେ ଶ୍ରୀକୃଷ୍ଣ ଜନ୍ମଲୀଳା ପ୍ରସଙ୍ଗରେ ଭିନ୍ନ ଭିନ୍ନ ଟିଥିରେ ଅନ୍ଧ ଲୀଳା ପ୍ରସ୍ତାବ, ଦାହ ଲୀଳା ପ୍ରସ୍ତାବମାନ ଅନୁଷ୍ଠିତ ହୋଇଥାଏ। ନାଟ ମନ୍ଦିର କାନ୍ଥ ଓ ଖୁମ୍ବମାନଙ୍କରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି, ଚିତ୍ର ଭାସ୍କର୍ଯ୍ୟମାନ ଖୋଦିତ ହୋଇଛି। ଏହି ସ୍ଥାନରେ ପୂର୍ବେ ଦେବଦାସୀ ମାନେ ସକାଳଧୂପ ପଟୁଆର ସମୟରେ ନୃତ୍ୟ କରୁଥିଲେ। ପ୍ରତ୍ୟହ ସକାଳ ଓ ରାତ୍ର ସମୟରେ ମଙ୍ଗଳ ଆଳତୀ ତଥା ପହୁଡ଼ ନୀତି ସମୟରେ ବଡ଼ଛତା ମଠର ବୈଷ୍ଣବ, ବାବାଜୀ ଏଠାରେ ପାରମ୍ପରିକ ସଂଗୀତ ଗାନ କରିଥାନ୍ତି।
୧୬- ରାହାସ ମଣ୍ଡପ
ଖ୍ରୀଷ୍ଟୀୟ ୧୬ଶ ଶତାବ୍ଦୀରେ ଶ୍ରୀମନ୍ଦିରରେ ସୁପରିଚିତ ଥିବା ରାହାସ ମଣ୍ଡପଟି ବଟ ଗଣେଶ ମନ୍ଦିର ସନ୍ନିକଟ ବଟବୃକ୍ଷ ମୂଳେ ଅବସ୍ଥିତ ଥିଲା। ଏହି ରାହାସ ମଣ୍ଡପରେ ଅତିବଡ଼ି ଜଗନ୍ନାଥ ଦାସ ସଂସ୍କୃତଭାଷୀ ମୂଳ ଭାଗବତକୁ ଓଡ଼ିଆ ଭାଷାରେ ମଧୁର ସ୍ଵରରେ ତଥା ସରଳ ଭାଷାରେ ଉପସ୍ଥିତ ଶ୍ରୋତାମାନଙ୍କୁ ପଢ଼ି ଶୁଣାଉଥିବାର ପ୍ରମାଣ ବୈଷ୍ଣବ ଲିଳାମୃତ, ଶ୍ରୀଚୈତନ୍ୟ ଚକଡା଼ ଓ ଶ୍ରୀଜଗନ୍ନାଥ ଚରିତାମୃତ ଗ୍ରନ୍ଥରୁ ସୂଚନା ମିଳେ।

