ପିତୃପକ୍ଷ କଣ ?
ଏହା ଭାରତର ଏକ ଧର୍ମଭିତ୍ତିକ ପର୍ବ । ହିନ୍ଦୁମାନଙ୍କ ଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ କରାଯାଇଥାଏ । ଆଶ୍ୱିନ ମାସ ପ୍ରତିପଦା ରୁ ଆରମ୍ଭ ହୋଇ ମହାଳୟା ଅମାବାସ୍ୟାରେ ଶେଷ ହୋଇଥାଏ। ଏହିଦିନର ଶ୍ରାଦ୍ଧକୁ ”’ମହାଳୟା ଶ୍ରାଦ୍ଧ”’, ”’ସାମ୍ବତ୍ସରିକ ଶ୍ରାଦ୍ଧ”’ ବା ”’ପାର୍ବଣ ଶ୍ରାଦ୍ଧ”’ ବା ”’ମଉଳା ଶ୍ରାଦ୍ଧ”’ କୁହାଯାଏ ।
ଆଶ୍ୱିନ ମାସର ପ୍ରଥମ ପକ୍ଷ “ପିତୃ ପକ୍ଷ” ନାମରେ ଜଣା । ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଭାଦ୍ରବ ମାସ ପୂର୍ଣ୍ଣିମା ଠାରୁ ଆଶ୍ୱିନମାସ କୃଷ୍ଣ ପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତକୁ ପିତୃପକ୍ଷ କୁହାଯାଏ । ନବରାତ୍ରର ପ୍ରଥମ ପନ୍ଦର ଦିନକୁ ପିତୃ ପକ୍ଷ କୁହାଯାଉଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ। ହିନ୍ଦୁ ଧାର୍ମିକ ପରଂପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହା ଦ୍ବାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ବାସ କରାଯାଏ । କିମ୍ବଦନ୍ତି କହେ, ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ଵରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇନଥିଲା । କାରଣ, ଜୀବିତାବସ୍ଥାରେ ସେ କେବେ ଅନ୍ନଦାନ କରିନଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇନଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃ ପକ୍ଷ ।
ପିତୃପକ୍ଷ, ଆମର ପୂର୍ବପୁରୁଷ ଙ୍କ ପାଇଁ ଶ୍ରଦ୍ଧା ର ପର୍ବ
ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପଃ,
ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା।

ଉପରୋକ୍ତ ଶ୍ଳୋକରୁ ଜଣାପଡେ ଯେ ପିତୃ ଉପାସନା ଆଗରେ ସମସ୍ତ ଦେବାଦେବୀଙ୍କ ଉପାସନା ମଳିନ ପଡ଼ିଯାଏ।
ଏହି ଶ୍ଳୋକର ଅର୍ଥ ହେଲା “ପିତା ମୋର ଧର୍ମ, ପିତା ମୋର ସ୍ୱର୍ଗ, ପିତା ମୋର ସମସ୍ତ ଜପ, ତପ, ଓ ଉପାସନାର କେନ୍ଦ୍ର। ପିତାଙ୍କର ସନ୍ତୁଷ୍ଟିରେ ସମସ୍ତ ଦେବୀ ଦେବତା ସନ୍ତୁଷ୍ଟ ହୁଅନ୍ତି।
ପୁତ୍ରର ଭାବନା ସର୍ବଦା ଏହା ହେବା ଉଚିତ ଯେ, ମୋ ପିତା ଜଗତପିତା ପରଂବ୍ରହ୍ମ ପରମେଶ୍ୱରଙ୍କ ଅଂଶ ବିଶେଷ | ସେ ମୋର ପୂଜ୍ୟ, ଇଷ୍ଟ ଓ ପ୍ରେରଣାର ଉତ୍ସ | ମାତା ଜନ୍ମ ଦେଇ ଲାଳନ ପାଳନ କରି ଛୋଟରୁ ବଡ଼ କରନ୍ତି, କିନ୍ତୁ ପିତା ଶୈଶବ ଓ କୈଶୋର ଅବସ୍ଥାର ସମସ୍ତ ଆବଶ୍ୟକତା ପୂରଣ କରି ଦାଣ୍ଡରେ ଠିଆ କରାନ୍ତି |କଥାରେ ଅଛି, “ବାପା ଥିବା ପୁଅ ସଭାରେ ହାରେନା “ତାତ୍ପର୍ଯ୍ୟ ହେଲା ପିତାଙ୍କର ଆଶୀର୍ବାଦ ପୁଅ ଉପରେ ଥିବାରୁ ସେ କୌଣସି କ୍ଷେତ୍ରରେ ପରାଜୟ ଲଭେନି |ପୁତ୍ରକୁ ସୁପୁତ୍ର କରି ଗଢି ତୋଳିବା ଦକ୍ଷତା ପିତାଙ୍କର ହିଁ ଅଛି। ତାଙ୍କର ସାମାନ୍ୟତମ ଅସାବଧାନତାରୁ ପୁତ୍ର ବିପଥଗାମୀ ହୁଏ। ପୁତ୍ର ବିପଥଗାମୀ ହେଲେ କେବଳ ମାତା ପିତାଙ୍କର ଅପଯଶ ହୁଏନି, ବରଂ ବଂଶ ନଷ୍ଟ ହୁଏ ଓ ଓ ଏହା ସଂକ୍ରାମକ ରୋଗ ପରି ସମାଜ ଓ ଦେଶକୁ ମଧ୍ୟ ନଷ୍ଟ କରିଚାଲେ।
ଆମେ ବୁଝିବା ଦରକାର ଯେ ପିତୃତ୍ବ ଏକ ପରିଚୟ ନୁହେଁ, ଏହା ଏକ ସାଧନା ଓ ଏଥିରେ ସିଦ୍ଧିଲାଭ କରି ଉତ୍ତମ ପୁତ୍ର ପ୍ରାପ୍ତି କରିବାକୁ ହୁଏ |
ପ୍ରତ୍ୟେକ ବ୍ୟକ୍ତିର ପାଞ୍ଚଗୋଟି ପିତା ଅଛନ୍ତି।
ଯଥା :-“ବନିତା ଚୋପନେତାଚ ଯସ୍ତୁବିଦ୍ୟା ପ୍ରୟଛତି,ଅନ୍ନଦାତା, ଭୟତ୍ରାତା, ପଞ୍ଚତେୟୀ ପିତରଃ ସ୍ମୃତାଃ।
ଅର୍ଥାତ ଯେ ଜନ୍ମଦାତା, ଯେ ଉପନୟନ କରାନ୍ତି, ଯେ ଅନ୍ନ ଦାନ କରନ୍ତି, ଯେ ଅଭୟ ପ୍ରଦାନ କରି ବିପଦ ଆପଦରୁ ରକ୍ଷା କରନ୍ତି, -ସେମାନେ ସମସ୍ତେ ପିତା ପଦବାଚ୍ୟ।
ପିତୃ ହେଉଛନ୍ତି ଏପରି ଦେବତା ଯାହାଙ୍କୁ ଉଭୟ ଜୀବିତ ଅବସ୍ଥାରେ ଓ ମୃତ୍ୟୁ ପରେ ପୂଜା କରାଯାଏ। ସେ ତାଙ୍କର ଜୀବିତ ଅବସ୍ଥାରେ ଆମକୁ ସ୍ନେହ ପ୍ରଦାନ କରନ୍ତି ଓ ମୃତ୍ୟୁ ପରେ ଆମ ପାଇଁ ସମ୍ପତ୍ତି ଛାଡି ଯା’ନ୍ତି, ଯାହାକୁ ଆମେ ପୈତୃକ ସମ୍ପତ୍ତି କହୁ।
ପିତା ଧନୀ କିମ୍ବା ନିର୍ଦ୍ଧନ ହୁଅନ୍ତୁ, ସୁପୁତ୍ର ପାଇଁ ସେଥିରେ କିଛି ଫରକ ପଡ଼େନି | ସେ ଭୌତିକ ସମ୍ପତ୍ତି ହେଉ ବା ବୌଦ୍ଧିକ ସମ୍ପତ୍ତି, ପୁତ୍ର ପାଇଁ ସବୁ କିଛି ସମାନ | ମୃତ୍ୟୁ ପରେ ପିତା ପିତୃଲୋକ ଗମନ କରନ୍ତି, ଓ ସେଠାରୁ ପୁତ୍ର କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି,। ହିନ୍ଦୁ ଶାସ୍ତ୍ର ଅନୁସାରେମାନବର ଗୋଟିଏ ବର୍ଷ, ପିତୃଙ୍କର ଗୋଟିଏ ଦିନ |ସେ ଦିନରେ ତାଙ୍କୁ ପିଣ୍ଡ ଦାନ କଲେ ତାଙ୍କର ଆତ୍ମା ଶାନ୍ତି ଲାଭ କରେ।
ପ୍ରତି ବର୍ଷ ପିତୃ ପକ୍ଷର ଶେଷ ଦିନ ମହାଳୟା ତିଥିରେ ପିତୃ ପିତୃ ପୁରୁଷ ମାନେ ପିତୃ ଲୋକର ଅମୃତ ଧାମ ତ୍ୟାଗ କରି ମର୍ତ୍ତ୍ୟ ଲୋକକୁ ଆଗମନ କରନ୍ତି ଓ ନିଜ ପୁତ୍ର ପ୍ରଦତ୍ତ ପିଣ୍ଡ ଗ୍ରହଣ କରି ଆଶୀର୍ବାଦ ପ୍ରଦାନ କରନ୍ତି ଓ ନିଜ ଲୋକକୁ ଫେରି ଯା’ନ୍ତି | ମାସଯାକ ମର୍ତ୍ତ୍ୟଲୋକରେ ରହି ଦୀପାବଳିର ପ୍ରଜ୍ବଳିତ ଆଲୋକ ଶିଖାରେ ପୁତ୍ର ତାଙ୍କୁ ମେଲାଣି ଦିଏ।
🕉️ ପିତୃପକ୍ଷ 🕉️
ଶ୍ରାଦ୍ଧର ବିଶେଷ ତିଥି
ଆରମ୍ଭ ହୋଇସାରିଛି ପିତୃପକ୍ଷ। ହିନ୍ଦୁ ଧର୍ମରେ ଶ୍ରାଦ୍ଧ କର୍ମ ନିଜର ମୃତ ପୈତୃକ ଓ ମାତୃକ ପୂର୍ବଜ ମାନଙ୍କ ଆତ୍ମା ଶାନ୍ତି ପାଇଁ ଅଭିପ୍ରେତ ଏକ ଧାର୍ମିକ କାର୍ଯ୍ୟ। ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ପୂର୍ଣ୍ଣିମାରୁ ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଯାଏଁ ଶ୍ରାଦ୍ଧପକ୍ଷ ପାଳିତ ହୁଏ। ତେଣୁ ଏହି ଷୋହଳ ଦିନ ଭିତରେ ଯେଉଁ ତିଥିରେ ଯାହାର ମୃତ୍ୟୁ ହୋଇଥିବ, ସେଇ ତିଥିରେ ତାଙ୍କୁ ଶ୍ରାଦ୍ଧ ଦେବାର ବିଧାନ ରହିଛି। ଉଦାହରଣ ସ୍ୱରୂପ ଯଦି ଜଣଙ୍କର ମୃତ୍ୟୁ ଅଷ୍ଟମୀ ତିଥିରେ ହୋଇଛି, ତେଣିକି ତାଙ୍କ ମୃତ୍ୟୁ ବର୍ଷର ଯେ କୌଣସି ମାସ ବା ଯେ କୌଣସି ପକ୍ଷ (ଶୁକ୍ଳ ବା କୃଷ୍ଣ) ରେ ହୋଇଥିଲେ ମଧ୍ୟ ସେହି ବ୍ୟକ୍ତିଙ୍କ ଶ୍ରାଦ୍ଧ ତିଥି ଅଷ୍ଟମୀ ରହିବ ପିତୃପକ୍ଷ ସମୟରେ। ତେବେ ଏଥିରେ ଆଉ କେତୋଟି ବ୍ୟତିକ୍ରମ ବି ରହିଛି, ଯେପରିକି – ଭରଣୀ ଚତୁର୍ଥୀ କିମ୍ବା ଭରଣୀ ପଞ୍ଚମୀ – ଯାହାଙ୍କର ମୃତ୍ୟୁ ଗତବର୍ଷ ହୋଇଥିବ, ତାଙ୍କ ଶ୍ରାଦ୍ଧ ପିତୃପକ୍ଷର ଚତୁର୍ଥୀ କିମ୍ବା ପଞ୍ଚମୀ ଦିନ କରିବା ପାଇଁ ବିଧାନ ରହିଛି। ଅବିଧା ନବମୀ – କୌଣସି ନାରୀ ସଧବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ସେହି ସ୍ତ୍ରୀ ପାଇଁ ସ୍ୱାମୀ ନବମୀ ତିଥିରେ ଶ୍ରାଦ୍ଧ କରନ୍ତି ଏବଂ ସଧବା ମହିଳା ମାନଙ୍କୁ ନିମନ୍ତ୍ରଣ କରି ଭୋଜନ ଓ ଉପହାର ଦେଇ ଶ୍ରାଦ୍ଧ କର୍ମ ସମାପନ କରନ୍ତି। ଦ୍ଵାଦଶୀ ତିଥି – ଏହି ତିଥିରେ ମୃତ ବାଳକ ଓ ସାଧୁ ମାନଙ୍କ ଶ୍ରାଦ୍ଧ କରାଯାଏ। ଘାତ ଚତୁର୍ଦ୍ଦଶୀ – ଶସ୍ତ୍ର କିମ୍ବା ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶ୍ରାଦ୍ଧ କରାଯାଏ। ସ୍ୱାଭାବିକ ଭାବରେ ମୃତ୍ୟୁବରଣ କରିଥିବା ପୂର୍ବଜଙ୍କ ଶ୍ରାଦ୍ଧ ଚତୁର୍ଦ୍ଦଶୀ ରେ କରିବା ଅନୁଚିତ, ବରଂ ତହିଁ ପରଦିନ କରିପାରିବେ। ନଚେତ ପରିବାରରେ ଅନାବଶ୍ୟକ କଳହ, ସମସ୍ୟା, ଏପରିକି ଅସମୟ ମୃତ୍ୟୁ ବି ହୋଇପାରେ ବୋଲି ମାନ୍ୟତା ରହିଛି। ସର୍ବପିତୃ ଅମାବାସ୍ୟା – ଏହା ସର୍ବଶ୍ରେଷ୍ଠ ତିଥି ଅଟେ। ତେଣୁ ଯେଉଁ ମୃତକଙ୍କ ମୃତ୍ୟୁ ତିଥି ଜ୍ଞାତ ନଥିବ କିମ୍ବା କୌଣସି କାରଣ ବଶତଃ ଯଦି ଶ୍ରାଦ୍ଧ କରିପାରି ନଥିବେ, ତେବେ ସେ ସମସ୍ତଙ୍କ ଶ୍ରାଦ୍ଧ ଏହି ତିଥିରେ କରିଦିଆଯାଏ। ଏହି ଦିନ କରାଯାଇଥିବା ଶ୍ରାଦ୍ଧ, ଗୟାଶ୍ରାଦ୍ଧ ସମାନ ଫଳଦାୟୀ ହୋଇଥାଏ। ହିନ୍ଦୁ ପୌରାଣିକ ମାନ୍ୟତା ଅନୁସାରେ, କୌଣସି ମୃତାତ୍ମାଙ୍କୁ ସେ ପର୍ଯ୍ୟନ୍ତ ମୋକ୍ଷ ମିଳେ ନାହିଁ ଯେପର୍ଯ୍ୟନ୍ତ ତାଙ୍କ ପୁତ୍ର କିମ୍ବା ପୌତ୍ର ତାଙ୍କ ଶ୍ରାଦ୍ଧ କରିନଥାନ୍ତି। ସେ ପର୍ଯ୍ୟନ୍ତ ସେହି ମୃତାତ୍ମା ମାନେ ପିତୃଲୋକରେ ହିଁ ନିବାସ କରନ୍ତି। ହିନ୍ଦୁ ମାନ୍ୟତା ଅନୁସାରେ ଜ୍ୟେଷ୍ଠ ପୁତ୍ରହିଁ ନିଜ ମାତା ପିତାଙ୍କ ଶ୍ରାଦ୍ଧ କରିବା ପାଇଁ ଅଧିକାର ବହନ କରେ। ହିନ୍ଦୁ ସମାଜରେ ଏଥିପାଇଁ ପୁତ୍ରର ମହତ୍ତ୍ୱ ସର୍ବ ବିଦିତ ଅଟେ। ପୁତ୍ର ନଥିଲେ କିମ୍ବା ପୁତ୍ରର ଅନୁପସ୍ଥିତିରେ ପିତା ପକ୍ଷରୁ ଯେ କୌଣସି ପୁରୁଷ ଶ୍ରାଦ୍ଧ କରିପାରିବେ। ସେହିପରି ମାତୁଳ ପକ୍ଷରେ କୌଣସି ପୁରୁଷ ସଦସ୍ୟ ନଥିଲେ ଝିଅର ପୁଅ (ଭଣଜା) ଶ୍ରାଦ୍ଧ କରିପାରିବ।
🍀🌻☘️🌻☘️🌻☘️🌻☘️
Collected by : Lokanath Mishra: