ପ୍ରଶିଦ୍ଧ ଶାରଦୀୟ ନବରାତ୍ର ଦୁର୍ଗାପୂଜା
By- Lokanath Mishra
ନବରାତ୍ରୀ ଏ ବର୍ଷ ଆରମ୍ବ ହେଇ ଯାଇଛି । ମା ଦୁର୍ଗା ଆମ ମାନକଂ ମୁହଁ ରେ ହସ ଦେଇଛନ୍ତି ।
ଏ ଦୁନିଆରେ ସବୁଠାରୁ କଷ୍ଟ କାମ ହେଲା କାହା ଓଠରେ ଟିକେ ହସ ଦେବା । ଲୁହ ତ ସମସ୍ତେ ଦିଅନ୍ତି ହେଲେ ହସ କେବଳ ସିଏ ହିଁ ଦିଅନ୍ତି … ଯିଏ ଆମକୁ ପ୍ରକୁତରେ ଭଲ ପାଆନ୍ତି । ମା ଆମକୁ ଭଲ ପାଆନ୍ତି ।
ପରଂବ୍ରହ୍ମେଶ୍ୱରୀ ପରାଶକ୍ତି ଶ୍ରୀଦୁର୍ଗା ଦେବୀଙ୍କର ସବୁଠାରୁ ପ୍ରିୟ ନବରାତ୍ରୀର ନବ ତିଥିର ଶୁଭ ଆଗମନ ହୋଇସାରିଛି । ନବରାତ୍ରୀ ରେ ସମସ୍ତ ଭକ୍ତଜନ ତଥା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ମାଁ ଆଦିପରାଶକ୍ତିଙ୍କୁ ଗିରିକନ୍ୟା ମାତା ଶୈଳପୂତ୍ରୀ ଦେବୀଙ୍କ ସ୍ୱରୂପରେ ପ୍ରଥମ ଦିନ ପୂଜା କରନ୍ତି । ଶାସ୍ତ୍ରୀୟ ମତ ଅନୁସାରେ ସମସ୍ତ ନବଦୁର୍ଗା ମାନେ ମାଁ ପରାଶକ୍ତି ଶ୍ରୀଦୁର୍ଗାଙ୍କର ଦକ୍ଷିଣ ଅଙ୍ଗରୁ ପ୍ରକଟିତ ମହାଶକ୍ତି ଅଟନ୍ତି । ସେଥିପାଇଁ ନବଦୁର୍ଗାଙ୍କର ସର୍ବାଧିକ ଦକ୍ଷିଣାଚାରୀ ପୂଜା କରାଯାଏ କିନ୍ତୁ ସମସ୍ତ ନବଦୁର୍ଗା ବାମାଚାରୀ ତନ୍ତ୍ରରେ ମଧ୍ୟ ପୂଜା କରାଯାଏ ।
ମାଁ ପରାଶକ୍ତି ଶ୍ରୀଦୁର୍ଗାଙ୍କର ପ୍ରତ୍ୟକ୍ଷ ଲୀଳା ବିଗ୍ରହ ଦେବୀ ପାର୍ବତୀ ପର୍ବତରାଜ ହିମାଳୟଙ୍କର କନ୍ୟା ହେବା କାରଣରୁ ମାଁଙ୍କୁ ଶୈଳାଧିରାଜତନୟା ମଧ୍ୟ କୁହାଯାଏ । କିଛି ତନ୍ତ୍ର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଦେବୀ ଦେବୀ ହିମାଳୟରେ ଶଲଂଗାସୁର ନାମକ ଦୈତ୍ୟର ବଧ କରିଥିଲେ । ତେଣୁ ଦେବୀଙ୍କୁ ଶଲଂଗହନ୍ତ୍ରିଣୀ ମଧ୍ୟ କୁହାଯାଏ । ମାଁ ଶୈଳପୁତ୍ରୀ ମୂଳାଧାର ଚକ୍ରର ଅଧିଶ୍ୱରୀ । ତ୍ରିନେତ୍ରଧାରୀ ଦେବୀ ଦ୍ୱିଭୂଜା ଅଟନ୍ତି ତଥା ନିଜର ଦକ୍ଷିଣ ହସ୍ତରେ ଶ୍ରୀଚକ୍ରସମ୍ବର ନାମକ ତ୍ରିଶୂଳ ଏବଂ ବାମ ହସ୍ତରେ ଭବମୋହିନୀ ନାମକ କମଳ ପୁଷ୍ପ ଧାରଣ କରି ଶ୍ୱେତ ବୃଷଭ ଉପରେ ଉତ୍ତରିମୁଦ୍ରାରେ ବିରାଜିତା । ଶ୍ୱେତବସ୍ତ୍ର ପରିହିତା ଦେବୀ ଶୈଳପୁତ୍ରୀ ଅଗ୍ନିମହାଭୂତ ଉପରେ ନିୟନ୍ତ୍ରଣ ରଖନ୍ତି ଏବଂ ସମସ୍ତ ପର୍ବତ ତାଙ୍କର ଭ୍ରାତା ଅଟନ୍ତି । ନବଗ୍ରହ ମାନଙ୍କ ମଧ୍ୟରେ ଦେବୀ ଶୈଳପୁତ୍ରୀ ଶୁକ୍ର ମହାଗ୍ରହଙ୍କ ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି ।
ଶୈଳପୁତ୍ରୀ ସ୍ୱରୂପରେ ଦେବୀଙ୍କର ଭୈରବ ହେଉଛନ୍ତି ସୁରମୂଖଭୈରବ । ଏବଂ ସ୍ୱାମୀ ଅଘୋରେଶ୍ୱର ମହାଦେବ ଅଟନ୍ତି ।
ଦେବୀଙ୍କର ରକ୍ଷକ ଶକ୍ତି ସ୍ତମ୍ଭିନୀ ଅଟନ୍ତି ।
ଦେବୀଙ୍କର ମନ୍ତ୍ର:- ॐ ଐଂ ଶୈଂ ଭଗବତୀ ଶୈଳାଧିରାଜତନୟେ ହୃଂ ନମଃ ।
ମାଁ ଶୈଳପୁତ୍ରୀ ହରିଡ଼ା ବୃକ୍ଷରେ ନିବାସ କରନ୍ତି । ହରିଡ଼ା ବୃକ୍ଷ ସାଧାରଣତଃ ସାତ ପ୍ରକାରର । ପଥୟା, ହରିତିକା, ଅମୃତା, ହେମବତୀ, କାୟସ୍ଥ, ଚେତା, ଶ୍ରେୟାସୀ ।
ଶୈଳପୁତ୍ରୀ ସମସ୍ତ ଜଡ଼ ପଦାର୍ଥର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି । ଶୈଳପୁତ୍ରୀ ପୂଜନର ଅର୍ଥ ଜଡ଼ ପଦାର୍ଥରେ ପରମାତ୍ମାଙ୍କ ସ୍ୱରୂପର ଉପସ୍ଥିତ ଅନୁଭବ କରିବା ।