❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀
♾️♾️♾️♾️⭕⭕♾️♾️♾️♾️
ଯେ ଦେବୀ ଜଗତ ସଂହାରେ। କାହାର ବଳ ତାକୁ ମାରେ।
କଂସର ହସ୍ତରୁ ଉଛୁଳି। ଆକାଶେ ଯେସନେ ବିଜୁଳି।
ତେଜେ ଦଶଦିଗ ବିରାଜେ। ବେନିଚରଣ ଅଷ୍ଟଭୁଜେ।
କେ କହୁ ଦେବୀ ଆଭରଣ। ଅଙ୍ଗଦ ନୂପୁର କଙ୍କଣ।
ଗନ୍ଧ ଚନ୍ଦନ ପୁଷ୍ପମାଳୀ। ତେତେଶକୋଟି ଦେବେ ମିଳି।
ସ୍ତୁତି କରନ୍ତି ସୁରମୁନି। କଂସକୁ କହନ୍ତି ଭବାନୀ।
ରେ କଂସ ଶୁଣ ମୋ ଉତ୍ତର। ତୋର ବଇରୀ ଚକ୍ରଧର।
ସେ ତୋତେ କରିବେ ସଂହାର। ଆବର ଯେତେକ ଅସୁର।
ତୋହର ପାଇଁ ଦେହ ବହି। ଜନ୍ମ ହୋଇଲେ ଯହିଁ ତହିଁ।
ତୁ ମୋତେ ନ ଜାଣି କଚାଡ଼ୁ। ନିୟତ ପଥ କିପାଁ ହୁଡ଼ୁ।
ଦେବେ ଯେ ତୋହର ବଇରୀ। ତାହାଙ୍କ ବୋଲକୁ ତୁ ଡରି।
ଛ ପୁତ୍ର ମାଇଲୁ ଏହାର। ଧର୍ମକୁ ଛାଡ଼ିଲୁ ଅସୁର।
ଏବେ ମୁଁ କହୁଅଛି ତୋତେ। ହରିଙ୍କି ଭାବ ହୃଦଗତେ।
ସେ ବିଶ୍ଵମ୍ଭର ବିଶ୍ଵମୂର୍ତ୍ତି। ଭାବିଲେ ପାଇବୁ ମୁକତି।
ସେ ହରି ତୋହର ବଇରୀ। ତୋର ମରଣେ ଅବତରି।
ସେ ଶୂନ୍ୟ ପୁରୁଷ ଗୋସାଇଁ। ତାହା ଭେଟିବୁ ଅବା କାହିଁ।
ଏବେ ତୁ ଶୁଣ କଂସ ବୀର। ଏ ତୋର ବହେଣୀ ସୋଦର।
ଏହାଙ୍କୁ ବନ୍ଦୀଘରୁ ଫେଡ଼। ବେନି ଚରଣ ତଳେ ପଡ଼।
ତୋଷିଣ ନିଅ ନିଜପୁର। ତୋର। ବଇରୀ ପିତାମ୍ବର।
କହି ଚଳିଲେ ନିଜସ୍ଥାନ। ଉଚ୍ଚାଟ କରି କଂସ ମନ।
ଯାହା କହିଲେ ଜଗନ୍ନାଥ। ଜଗତେ ହୋଇଲା ବିଖ୍ୟାତ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ପଞ୍ଚମ ଅଧ୍ୟାୟ )
ପ୍ରସଙ୍ଗ – କଂସ ଦୁର୍ଗାଙ୍କୁ ଶିଳା ଉପରେ କଚାଡ଼ିବା
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଯେଉଁ ଭଗବତୀ ଯୋଗମାୟା ସମସ୍ତ ଜଗତକୁ ସଂହାର କରି ପାରନ୍ତି କେଉଁ ବଳଶାଳୀ ବ୍ୟକ୍ତି ବା ଆପଣାର ଶକ୍ତି ବଳରେ ତାଙ୍କୁ ମାରି ପାରିବ ! କଂସ ଯେତେବେଳେ ଦେବକୀଙ୍କ କୋଳରୁ ଶିଶୁକନ୍ୟା ରୂପିଣୀ ଯୋଗମାୟା ଦୁର୍ଗାଙ୍କୁ ବଳପୂର୍ବକ ଝିଙ୍କି ନେଇ ଶିଳା ଉପରେ କଚାଡ଼ି ଦେଲା ମାତା ଦୁର୍ଗା ତା ହାତରୁ ଖସି ଯାଇ ଆକାଶରେ ବିଜୁଳି ସମ ପ୍ରକଟିତ ହେଲେ। ତାଙ୍କ ତେଜରେ ଦଶଦିଗ ଉଜ୍ଜ୍ବଳ ଦେଖାଗଲା। ନିଜର ଅଷ୍ଟଭୁଜରେ ଅଷ୍ଟ ଆୟୁଧ ଧରି ମାତା ଦୁର୍ଗା ବେନି ପାଦରେ ଉଭା ହୋଇଥିଲେ। ମାତାଙ୍କର ଆଭୂଷଣ ବିଷୟରେ କିଏ ବା ବର୍ଣ୍ଣନା କରିପାରିବ ! ମାତାଙ୍କର ବାହୁରେ ଅଙ୍ଗଦ , ପୟରରେ ନୂପୁର ଓ ହସ୍ତରେ କଙ୍କଣ ଶୋଭା ପାଉଥିଲା। ସେ ଗନ୍ଧ , ଚନ୍ଦନ ଓ ପୁଷ୍ପମାଳାରେ ବିଭୂଷିତା ହୋଇଥିଲେ। ମୁନିଗଣଙ୍କ ସହିତ ତେତିଶ କୋଟି ଦେବାଦେବୀ ମାତା ଦୁର୍ଗାଙ୍କୁ ସ୍ତୁତି କରୁଥିଲେ। ମା ଭବାନୀ କଂସକୁ କହିଲେ , ରେ କଂସ ! ମୁଁ ତୋତେ ଯାହା କହୁଛି ତୁ ତାହା ଶୁଣ୍। ମୁଁ ତୋର ଶତ୍ରୁ ନୁହେଁ। ତୁ ମୋତେ କାହିଁକି ବିନାଶ କରିବାକୁ ଚେଷ୍ଟିତ ହେଉଛୁ ? ଭଗବାନ ଶ୍ରୀହରି ତୋର ଶତ୍ରୁ ଅଟନ୍ତି। ସେ ତୋତେ ବିନାଶ କରିବା ପାଇଁଁ ଶରୀର ଧାରଣ କରି ଯେଉଁଠି ଜନ୍ମ ହେବା କଥା ଜନ୍ମ ହୋଇ ସାରିଲେଣି। ସେ ଖାଲି ତୋତେ ନୁହେଁ , ତୋ ସହିତ ସମସ୍ତ ଅସୁରମାନଙ୍କୁ ମଧ୍ୟ ସଂହାର କରିବେ। ଏକଥା ନଜାଣି ତୁ ମୋତେ ଶିଳା ଉପରେ କଚାଡ଼ି କାହିଁକି ଧର୍ମ ମାର୍ଗରୁ ବିଚ୍ୟୁତ ହେଲୁ ? ତୁ ତୋର ଶତ୍ରୁ ଦେବତାମାନଙ୍କ କଥାକୁ ବିଶ୍ଵାସ କଲୁ ଓ ନିଜ ପ୍ରାଣ ଭୟରେ ଧର୍ମାଧର୍ମ ବିଚାର ନକରି ଦେବକୀଙ୍କର ଛଅଟି ପୁତ୍ରଙ୍କୁ ହତ୍ୟା କଲୁ। ଏବେ ତୁ ମୋ କଥା ମାନି ଭଗବାନ ଶ୍ରୀହରିଙ୍କୁ ମନ ମଧ୍ୟରେ ସ୍ମରଣ କର। ସେହି ବିଶ୍ଵମ୍ଭର ବିଶ୍ଵମୂର୍ତ୍ତି ଭଗବାନ ଶ୍ରୀହରିଙ୍କୁ ସ୍ମରଣ କଲେ ତୁ ଏହି ଅସୁର ଜନ୍ମରୁ ମୁକ୍ତି ପାଇଯିବୁ। ତୋର ଶତ୍ରୁ ଭଗବାନ ଶ୍ରୀହରି ତୋତେ ବିନାଶ କରିବା ପାଇଁଁ ଅବତାର ଧାରଣ କରି ସାରିଛନ୍ତି। ସେହି ଭଗବାନ ଶ୍ରୀହରି ତ ଶୂନ୍ୟପୁରୁଷ ଅଟନ୍ତି। ତେଣୁ ତୁ ତାଙ୍କୁ ବିନାଶ କରିପାରିବୁ ବୋଲି କିପରି ଭାବୁଛୁ ! ରେ ବୀର କଂସ ! ତୁ ଏବେ ମୋର କଥା ମାନ୍। ଏହି ଦେବକୀ ଓ ବସୁଦେବ ତୋର ଭଉଣୀ ଓ ଭିଣୋଇ ଅଟନ୍ତି। ଏମାନେ ତୋର ଶତ୍ରୁ ନୁହଁନ୍ତି। ତୋର ଶତ୍ରୁ ତ ଭଗବାନ ଶ୍ରୀହରି ଅଟନ୍ତି। ତେଣୁ ତୁ ଏବେ ଦେବକୀ ଓ ବସୁଦେବଙ୍କୁ ବନ୍ଧନରୁ ମୁକ୍ତ କରିଦେ ଓ ସେମାନଙ୍କ ପାଦତଳେ ପଡ଼ି କ୍ଷମା ଭିକ୍ଷା କରିବା ସହିତ ସେମାନଙ୍କୁ ସସମ୍ମାନେ ନିଜ ରାଜଭବନକୁ ପାଛୋଟି ନେ। ଏହିପରି କହି ମା ଅମ୍ବିକା କଂସର ମନକୁ ବିଚଳିତ କରିଦେଇ ଶୂନ୍ୟରେ ଅନ୍ତର୍ଦ୍ଧାନ ହୋଇଗଲେ। ପୂର୍ବରୁ ଭଗବାନ ଶ୍ରୀହରି ମା ଅମ୍ବିକାଙ୍କୁ ଯାହା କହିଥିଲେ ସେହି ଅନୁସାରେ ମା ଅମ୍ବିକା ଜଗତରେ ବିଭିନ୍ନ ନାମରେ ବିଖ୍ୟାତ ହେଲେ।
ଭାବାର୍ଥ – ଦେବକୀ ଓ ବସୁଦେବଙ୍କୁ ବନ୍ଧନରୁ ମୁକ୍ତ କରିବାକୁ କଂସକୁ କହି ମା ଅମ୍ବିକା ଶୂନ୍ୟରେ ଅନ୍ତର୍ଦ୍ଧାନ ହୋଇଗଲେ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୮୨୭
✿❁❣️༒ ଜୟ ଜଗନ୍ନାଥ ༒❣️❁✿

