❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀
♾️♾️♾️♾️⭕⭕♾️♾️♾️♾️
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
ତୁ କିମ୍ପା ଡରୁ ଦେବଗଣେ। ସେବନ୍ତି ତୋହର ଚରଣେ।
ତୋ ତୁଲେ କେ କରୁ ସଂଗ୍ରାମ। ଦେବେ ନୁହଁନ୍ତି ସରିସମ।
ତୋହର ଶୁଣି ଧନୁଘୋଷେ। ପଳାନ୍ତି ସଂଗ୍ରାମୁଁ ତରାସେ।
ଜୀବନ ପାଇଁ ଛାଡ଼ି ରଣ। ବେଗେ ପଳାନ୍ତି ଦେବଗଣ।
କେ ପିନ୍ଧି ନ ପାରନ୍ତି ବାସ। କାହାର ଭୟେ ଫିଟେ କେଶ।
ନିସତେ ନ ପଳାନ୍ତି ଯେହୁ। ନ ମାରି ତାଙ୍କୁ ଦୟା ବହୁ।
ଜୀବନ ପାଇଁ ଯାର ଆଶ। ସେ ତୋର କରିବେଟି କିସ।
ତହୁଁ ଅଧିକ ତିନିଦେବ। ବ୍ରହ୍ମା ଶଙ୍କର ପଦ୍ମନାଭ।
ଆତ୍ମାର ସୁଖେ ସେ ରମନ୍ତି। ସେ କିମ୍ପା ତୋତେ ବାଦ ଚିନ୍ତି।
ଅଗାଧ କ୍ଷୀରସିନ୍ଧୁ ଜଳେ। ଶୟନ ଅନନ୍ତର କୋଳେ।
ପାଦେ ଖଟନ୍ତି ବେନି ନାରୀ। ସୁଖେ ଶୟନ ଦେବ ହରି।
ସେ କାହିଁ ତୋର ତୁଲେ ରଣ। ମିଥ୍ୟା କହିଲେ ଦେବଗଣ।
ବ୍ରହ୍ମାତ ଥାଇ ତାର ସୁଖେ। ଚିନ୍ତା କରଇ ତିନିଲୋକେ।
ତପହୁଁ ନ ଜାଣଇ ଆନ। ଚିନ୍ତଇ ପ୍ରଭୁ ଭଗବାନ।
କୃଷ୍ଣହୁଁ ନ ଜାଣଇ କିଛି। ସେ କିମ୍ପା ତୋତେ ବାଦ ଇଚ୍ଛି।
ଈଶ୍ୱର ରହେ ଭୂତମେଳେ। ଅମ୍ବିକା ଥାଇ ତାର କୋଳେ।
ସେ କିମ୍ପା ସମର କରିବ। ନିତ୍ୟେ ଉଦାସୀ ସଦାଶିବ।
ଇନ୍ଦ୍ର ତ ବଳେ ନୋହେ ସରି। ତୋତେ ତ ଦିଗପାଳେ ଡରି।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ପଞ୍ଚମ ଅଧ୍ୟାୟ )
ପ୍ରସଙ୍ଗ – କଂସର ଅସୁରମାନଙ୍କ ସହିତ ମନ୍ତ୍ରଣା
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଅସୁରମାନେ କଂସକୁ କହିଲେ , ହେ ଭୋଜରାଜା ! ଆପଣ ଦେବତାମାନଙ୍କୁ ଭୟ କରୁଛନ୍ତି କାହିଁକି ? ସେମାନେ ତ ଆପଣଙ୍କ ପାଦତଳର ଦାସ ଅଟନ୍ତି। ଦେବତାମାନେ ପରାକ୍ରମରେ ଆପଣଙ୍କ ସହିତ ଯୁଦ୍ଧ କରିବାକୁ ସମକକ୍ଷ ନୁହଁନ୍ତି। ସେମାନେ ବା ଆପଣଙ୍କ ସହିତ କଣ ସଂଗ୍ରାମ କରିବେ ! ଆପଣଙ୍କ ଧନୁର ଟଙ୍କାର ଶୁଣି ଦେବତାମାନେ ଭୟରେ ଯୁଦ୍ଧ ଭୂମି ଛାଡ଼ି ତରତର ହୋଇ ପ୍ରାଣ ବିକଳରେ ପଳାୟନ କରିଥାନ୍ତି। ଯୁଦ୍ଧ ଭୂମିରୁ ତରତର ହୋଇ ଭୟରେ ପଳାୟନ କରିବା ସମୟରେ ସେମାନଙ୍କ ମଧ୍ୟରୁ କାହାର ବସ୍ତ୍ର ଖୋଲିଯାଏ ତ କାହାର ମଥାର କେଶ ଖୋଲିଯାଏ , ହେଲେ ନିଜର ବସ୍ତ୍ର ଓ କେଶକୁ ସଜାଡ଼ିବାକୁ ସେମାନଙ୍କୁ ତର ସହେ ନାହିଁ। ଆଉ ଯେଉଁମାନେ ଶକ୍ତିହୀନ ହୋଇ ଯୁଦ୍ଧ ଭୂମିରୁ ପଳାୟନ କରି ପାରନ୍ତି ନାହିଁ ସେମାନେ ନିରୁପାୟ ହୋଇ ଆପଣଙ୍କ ନିକଟରେ ଶରଣ ପଶନ୍ତି। ଆପଣ ମଧ୍ୟ ସେମାନଙ୍କୁ ନମାରି ସେମାନଙ୍କ ଉପରେ ଦୟା ଦେଖାଇଥାନ୍ତି। ଯେଉଁ ଦେବତାମାନଙ୍କର ଜୀବନକୁ ଏତେ ଭୟ ସେମାନେ ବା ଆପଣଙ୍କର କଣ କ୍ଷତି କରିପାରିବେ ! ଆଉ ଦେବତାମାନଙ୍କ ଉପରେ ଯେଉଁ ବ୍ରହ୍ମା , ବିଷ୍ଣୁ ଓ ଶଙ୍କର ରହିଛନ୍ତି ସେମାନେ ସମସ୍ତେ ତ ନିଜ ନିଜ ସୁଖରେ ମଗ୍ନ ରହିଥାନ୍ତି। ସେମାନେ କାହିଁକି ବା ଆପଣଙ୍କ ସହ ଶତ୍ରୁତା ଆଚରଣ କରିବେ ? ବିଷ୍ଣୁ ତ ଅଗାଧ କ୍ଷୀରସିନ୍ଧୁ ଜଳରେ ଅନନ୍ତ କୋଳରେ ସୁଖରେ ଶୟନ କରିଥାନ୍ତି ଓ ତାଙ୍କର ବେନି ନାରୀ ଲକ୍ଷ୍ମୀ ଓ ସରସ୍ଵତୀ ସର୍ବଦା ତାଙ୍କର ପାଦସେବା କରୁଥାନ୍ତି। ସେ କାହିଁକି ଅନନ୍ତଶୟନର ସୁଖ ଛାଡ଼ି ଆପଣଙ୍କ ସହିତ ଯୁଦ୍ଧ କରିବେ ! ତେଣୁ ବିଷ୍ଣୁ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜାତ ହୋଇ ଆପଣଙ୍କୁ ବିନାଶ କରିବେ ବୋଲି ଦେବତାମାନେ ଯାହା କହିଲେ ସେସବୁ ମିଥ୍ୟା ଅଟେ। ବ୍ରହ୍ମା ତ ଆପଣା ସୁଖରେ ରହିଥାନ୍ତି ଓ ସବୁବେଳେ ତିନିଲୋକର କଥା ଚିନ୍ତା କରୁଥାନ୍ତି। ସେ ସର୍ବଦା ତପସ୍ୟାରେ ମଗ୍ନ ରହି ଭଗବାନ ଶ୍ରୀହରିଙ୍କୁ ଧ୍ୟାନ କରୁଥାନ୍ତି। ତେଣୁ ଯେଉଁ ବ୍ରହ୍ମା ଭଗବାନ ଶ୍ରୀହରିଙ୍କ ଧ୍ୟାନରେ ମଗ୍ନ ରହିବା ବ୍ୟତୀତ ଅନ୍ୟ କିଛି ଜାଣନ୍ତି ନାହିଁ ସେ କାହିଁକି ଆପଣଙ୍କ ସହିତ ଶତ୍ରୁତା ଆଚରଣ କରିବେ ! ଆଉ ଶଙ୍କର ତ ସର୍ବଦା ଭୂତମାନଙ୍କ ଗହଣରେ ରହିଥାନ୍ତି। ଅମ୍ବିକାଙ୍କୁ କୋଳରେ ଧରିଥିଲେ ମଧ୍ୟ ସେହି ଶଙ୍କର ବୈରାଗୀ ଅଟନ୍ତି। ସେ ବା କାହିଁକି ଆପଣଙ୍କ ସହିତ ସଂଗ୍ରାମ କରିବେ ! ଆଉ ଦେବତାମାନଙ୍କର ରାଜା ଇନ୍ଦ୍ର ତ ପରାକ୍ରମରେ ଆପଣଙ୍କ ସହିତ ସମକକ୍ଷ ନୁହେଁ। ଆପଣଙ୍କ ପରାକ୍ରମ ଯୋଗୁଁ ଆପଣଙ୍କୁ ତ ସକଳ ଦିଗପାଳମାନେ ମଧ୍ୟ ଭୟ କରିଥାନ୍ତି। ତେଣୁ ବ୍ରହ୍ମା , ବିଷ୍ଣୁ , ଶଙ୍କର ଓ ଇନ୍ଦ୍ରାଦି ଦେବତାମାନଙ୍କୁ ଆପଣ ଭୟ କରିବାର କୋୖଣସି କାରଣ ନାହିଁ।
ଭାବାର୍ଥ – ବ୍ରହ୍ମା ବିଷ୍ଣୁ ଓ ଶଙ୍କର ଆଦି ଦେବତାମାନଙ୍କୁ କଂସ ଭୟ କରିବାର କୋୖଣସି କାରଣ ନାହିଁ ବୋଲି ଅସୁରମାନେ କଂସକୁ ବୁଝାଇଦେଲେ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୮୩୦
✿❁❣️༒ ଜୟ ଜଗନ୍ନାଥ ༒❣️❁✿


