❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀
♾️♾️♾️♾️⭕⭕♾️♾️♾️♾️
ମିତ୍ର ଆଗମ ନନ୍ଦ ଦେଖି। ଉଠିଲା ଆସନ ଉପେକ୍ଷି।
ଆନନ୍ଦେ ହୋଇ କୋଳାକୋଳ। ବସିଲେ ଯାଇ ଏକମେଳ।
ପୂର୍ବର କଥାମାନ କହି। ଏକ ଆରକେ ଭାବ ବହି।
ବୋଲନ୍ତି ବସୁଦେବ ହସି। ନନ୍ଦ କୁଶଳ ପରଶଂସି।
ବୃଦ୍ଧ ବୟସେ ତୋର ସୁତ। ଶୁଣି ହୋଇଲି କୃତକୃତ୍ୟ।
ମନୁଷ୍ୟ ଜନ୍ମର ଏ ସାର। ବୋଲନ୍ତି ସଂସାର ବେଭାର।
ଦାରା ତନୟ ବନ୍ଧୁଗଣ। ଧନସମ୍ପଦ ଏ କାରଣ।
ଏତେ ନଥିଲେ ଦୁଃଖ ପାଇ। ଉଭୟଲୋକେ ସୁଖ ନାହିଁ।
ଏ ପୁଣି ନୁହଁଇନା ସତ୍ୟ। ଦର୍ପଣେ ପ୍ରତିମା ଯେମନ୍ତ।
ଚିତ୍ରପ୍ରତିମା ପ୍ରାୟେ ଠୁଳ। ଯେମନ୍ତେ ସମୁଦ୍ର ଉଲ୍ଲୋଳ।
ଭଲେ ଅଛନ୍ତି ନା ଗୋ-କୁଳ। ତୃଣ ବୀରୁଧ କନ୍ଦ ମୂଳ।
ଗୋପୀଏ ଅଛନ୍ତି ନା ଭଲେ। ରୋହିଣୀ ଯଶୋଦାର ତୁଲେ।
ମୋହର ରୋହିଣୀର ସୁତ। ତୁମ୍ଭେ ତାହାର ତାତମାତ।
ପିତା ବିଚ୍ଛେଦେ ଅରକ୍ଷିତ। ତୁମ୍ଭର ପାଳିବା ଉଚିତ।
ମୁଁ କି କରିବି ଉପକାର। ଏତେ ଅନ୍ତରେ ଗୃହ ମୋର।
ଜୀବନ୍ତେ ଏକୁ ଆର ସଖା। ମରଣେ ପରଲୋକେ ଦେଖା।
ଏମନ୍ତ ମିତ୍ରର ସ୍ଵଭାବ। ଆନନ୍ଦେ କହେ ବସୁଦେବ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଷଷ୍ଠ ଅଧ୍ୟାୟ )
ପ୍ରସଙ୍ଗ – ନନ୍ଦଙ୍କ ସହିତ ବସୁଦେବଙ୍କର ସାକ୍ଷାତ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ନିଜର ପରମ ମିତ୍ର ବସୁଦେବଙ୍କୁ ଆସିବାର ଦେଖି ନନ୍ଦ ବସିଥିବା ସ୍ଥାନରୁ ଉଠି ପଡ଼ି ଆନନ୍ଦରେ ବସୁଦେବଙ୍କୁ ପାଛୋଟି ନେଲେ। ତାପରେ ଦୁଇବନ୍ଧୁ ଆନନ୍ଦରେ କୋଳାକୋଳି ହେବାପରେ ଏକାଠି ବସି ଉଭୟ ଉଭୟଙ୍କ ସହିତ ଅତ୍ୟନ୍ତ ପ୍ରେମରେ ଅତୀତର କଥା ସବୁ କୁହାକୁହି ହେଲେ। ବସୁଦେବ ହସି ହସି ନନ୍ଦଙ୍କୁ ତାଙ୍କର ସମସ୍ତ କୁଶଳବାର୍ତ୍ତା ପଚାରିଲେ। ବସୁଦେବ କହିଲେ , ମିତ୍ର ! ଏ ପରିଣତ ବୟସରେ ତୁମ୍ଭର ପୁତ୍ର ହେବା କଥା ଶୁଣି ମୁଁ ଅତ୍ୟନ୍ତ ପ୍ରୀତ ହେଲି। ସାଂସାରିକ ମତରେ ସ୍ତ୍ରୀ ,ପୁତ୍ର , ବନ୍ଧୁବାନ୍ଧବ ଓ ଧନସମ୍ପଦ ଆଦି ମନୁଷ୍ୟ ଜୀବନର ସାର ଅଟେ। ଏସବୁ ନଥିଲେ ମନୁଷ୍ୟ ତା ଜୀବନରେ ଦୁଃଖ ପାଇଥାଏ ଓ ତାର ଉଭୟଲୋକ ସୁଖମୟ ହୋଇ ନଥାଏ। କିନ୍ତୁ ବାସ୍ତବରେ ଦେଖିଲେ ଦର୍ପଣରେ ପ୍ରତିଫଳିତ ହେଉଥିବା ମୂର୍ତ୍ତିର ପ୍ରତିବିମ୍ବ ପରି ଏସବୁ ଅସତ୍ୟ ଅଟନ୍ତି। ସମୁଦ୍ରର ଲହରୀ ଭଳି ଏସବୁ କ୍ଷଣସ୍ଥାୟୀ ଅଟନ୍ତି । ହେ ମିତ୍ର ! ଗୋକୁଳରେ ଗାଈଗୋରୁମାନେ ଭଲରେ ଅଛନ୍ତି ତ ? ସେମାନଙ୍କ ଖାଇବା ପାଇଁ ତୃଣ , ଲତା , କନ୍ଦ ଓ ମୂଳ ଆଦି ଯଥେଷ୍ଟ ପରିମାଣରେ ଉପଲବ୍ଧ ହେଉଛି ତ ? ଗୋକୁଳରେ ଗୋପୀ ଓ ଗୋପାଳମାନେ କୁଶଳରେ ଅଛନ୍ତି ତ ? ରୋହିଣୀ ଓ ଯଶୋଦା ଉଭୟ ଭଲରେ ଅଛନ୍ତି ତ ? ମୋର ଓ ରୋହିଣୀଙ୍କର ପୁତ୍ର ତ ତୁମ୍ଭ ନିକଟରେ ଅଛି। ତୁମ୍ଭେ ଓ ଯଶୋଦା ତ ପିତାମାତା ଭାବରେ ତାର ଲାଳନପାଳନ କରୁଛ। ପିତାକୁ ଛାଡ଼ି ପିତାଠାରୁ ଦୂରରେ ରହୁଥିବା ମୋର ସେହି ପୁତ୍ରକୁ ପାଳନ କରି ତୁମେ ତ ବନ୍ଧୁ ହିସାବରେ ତୁମର କର୍ତ୍ତବ୍ୟ ସମ୍ପାଦନ କରୁଛ। ତୁମ୍ଭ ଘର ଠାରୁ ମୋ ଘର ତ ଏତେ ଦୂରରେ ଅବସ୍ଥିତ। ମୁଁ ବା କଣ କରି ତୁମ୍ଭର ଉପକାର ଶୁଝି ପାରିବି ! ବସୁଦେବ ପୁଣି ହସି ହସି କହିଲେ , ମିତ୍ର ! ମରିଗଲା ପରେ ସିନା ଆମର କର୍ମ ଅନୁସାରେ ଆମେ ପରଲୋକ ଭୋଗ କରିବା। କିନ୍ତୁ ଏ ଜନ୍ମରେ ଆମ୍ଭେ ଦୁଇଜଣ ଯେତେଦିନ ପର୍ଯ୍ୟନ୍ତ ବଞ୍ଚି ରହିଛେ ଉଭୟ ଉଭୟଙ୍କ ସହିତ ମିତ୍ରତା ନିଭାଇବା। ଏହାହିଁ ତ ପ୍ରକୃତ ମିତ୍ରତା।
ଭାବାର୍ଥ – ନନ୍ଦ କଂସ ରାଜାଙ୍କୁ ବାର୍ଷିକ କର ପୈଠ କରି ଫେରିବା ସମୟରେ ବସୁଦେବ ମିତ୍ର ନନ୍ଦଙ୍କୁ ଭେଟି ଗୋପପୁରର କୁଶଳବାର୍ତ୍ତା ପଚାରିଲେ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୮୩୮
✿❁❣️༒ ଜୟ ଜଗନ୍ନାଥ ༒❣️❁✿
