ସ୍ୱର୍ଗ ଯାତ୍ରା
ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ରେ ମହାକୁମ୍ଭ ସ୍ନାନ ଚାଲିଥାଏ। ଘାଟରେ ପ୍ରବଳ ଭିଡ। ଠିକ୍ ସେହି ସମୟରେ ଭଗବାନ ଶିବ ଓ ମା ପାର୍ବତୀ ଆକାଶ ମାର୍ଗରେ ଯାତ୍ରା କରୁଥିଲେ। ତଳେ ଏତେ ଭିଡ ଦେଖି ମା’ ପାର୍ବତୀ ଏହାର କାରଣ ଜାଣିବାକୁ ଚାହିଁଲେ, ଶିବ କହିଲେ, ମର୍ତ୍ତ୍ୟବାସୀ ଙ୍କର ବିଶ୍ୱାସ ତ୍ରିବେଣୀ ସଙ୍ଗମ ରେ ମହାକୁମ୍ଭ ସ୍ନାନ କଲେ ଯେଉଁ ପୂଣ୍ୟଫଳ ମିଳେ, ତାହାଦ୍ବାରା ସ୍ୱର୍ଗପ୍ରାପ୍ତି ହୋଇଥାଏ। ସେଥିପାଇଁ ଏ ଭିଡ ଲାଗି ରହିଛି।
ପାର୍ବତୀ ବିସ୍ମୟଭରା ଆଖିରେ ପ୍ରଶ୍ନ କଲେ – ଏଠାରେ ଯେତେଲୋକ ସ୍ନାନ କରୁଛନ୍ତି, ସମସ୍ତେ କଣ ପୁଣ୍ୟ ଅର୍ଜନ କରି ସ୍ୱର୍ଗକୁ ଯିବେ ?
ଭଗବାନ ଶିବ କହିଲେ, ନା, ସଙ୍ଗମ ଜଳରେ ବୁଡ଼ ପକେଇ ଖାଲି ଶରୀର ଧୋଇଦେଲେ ତାକୁ ସ୍ନାନ କୁହାଯାଏନି।ମନର ମଳିନତାକୁ ଯିଏ ଧୋଇଦେଇ ମନକୁ ପରିଷ୍କାର କରି ପାରିଲା ; ସେହି ଲୋକର ହିଁ କେବଳ ସ୍ୱର୍ଗପ୍ରାପ୍ତି ହୋଇଥାଏ। ସେଭଳି ଭକ୍ତ କିଏ – ଆସ, ଆଜି ଆମେ ପରୀକ୍ଷା କରି ଦେଖିବା |
ଶିବ ଏକ କୁରୂପ କୁଷ୍ଠ ରୋଗୀର ବେଶ ଧାରଣ କରି ରାସ୍ତାକଡ଼ରେ ବସି ପଡିଲେ। ମା’ ପାର୍ବତୀ ସୁନ୍ଦରୀ ସ୍ତ୍ରୀ ବେଶରେ ସଜେଇ ହୋଇ ତାଙ୍କର ସେବା କରିବାକୁ ଲାଗିଲେ। ସ୍ନାନ ପାଇଁ ଯାଉଥିବା ଲୋକମାନେ ସେ ଦୁହିଁଙ୍କ ନିକଟରେ ଅଟକି ସେମାନେ କିଏ, କେଉଁଠାରୁ ଆସିଛନ୍ତି – ଏଭଳି ବିଭିନ୍ନ ପ୍ରଶ୍ନ ପଚାରିଲେ। ପାର୍ବତୀ ଉତ୍ତର ଦେଲେ – ଏ ମୋର ପତି। ଦୀର୍ଘଦିନ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି। ତ୍ରିବେଣୀରେ ସ୍ନାନ କଲେ ସେ ରୋଗମୁକ୍ତ ହୋଇଯିବେ – ଏହି ବିଶ୍ୱାସ ରଖି ମୁଁ ତାଙ୍କୁ ମୋ କାନ୍ଧରେ ବୋହି ନେଇ ଆସିଛି। ଥକା ଲାଗିବାରୁ ଏଇଠି ଟିକେ ବସି ବିଶ୍ରାମ କରୁଛି।
ପାର୍ବତୀଙ୍କର ସୁନ୍ଦର ରୂପକୁ ପ୍ରଶଂସା କରି ଅଧିକାଂଶ କହିଲେ – ହେ ସୁନ୍ଦରୀ ! ତୁମେ ଏ କୁରୂପ କୁଷ୍ଠରୋଗୀ ପାଇଁ କାହିଁକି ତୁମ ଜୀବନକୁ ନଷ୍ଟ କରୁଛ ? ଏ ରୋଗ କେବେ ଭଲ ହେବ ନାହିଁ। ତୁମେ ଏହାଙ୍କୁ ପରିତ୍ୟାଗ କରି ବରଂ ଆମ ସହିତ ଚାଲିଆସ, ଜୀବନକୁ ମନଭରି ଉପଭୋଗ କରିବା।
ସେହି ଦୁଷ୍ଟଲୋକ ମାନଙ୍କର କୁତ୍ସିତ ମନୋଭାବ ଦେଖି ପାର୍ବତୀ ଆଶ୍ଚର୍ଯ୍ୟ ହୋଇଗଲେ। ଭାବିଲେ – ଏପରି କଳୁଷିତ ମନ ନେଇ କୁମ୍ଭସ୍ନାନ କଲେ ଏମାନେ ପୁଣ୍ୟ ଅର୍ଜନ କରିପାରିବେ କିପରି ? ଏତେ ଯାତ୍ରୀଙ୍କ ମଧ୍ୟରେ ସତରେ କଣ କେହି ଭଲ ଲୋକ ନାହାନ୍ତି ?
ଧୀରେଧୀରେ ସଞ୍ଜ ନଇଁ ଆସିଲା। ଜଣେ ଶାନ୍ତ, ସରଳ, ନିରୀହ ଲୋକ ସେଠାରେ ଉପସ୍ଥିତ ହୋଇ ପାର୍ବତୀଙ୍କ ମୁହଁରୁ ତାଙ୍କ ଦୁଃଖଭରା କାହାଣୀ ଶୁଣିଲେ। ଆଖି ତାଙ୍କର ଲୁହରେ ଓଦା ହୋଇଗଲା। ସେ ବିନମ୍ର ସହକାରେ କହିଲେ – ମା’ ! ତୁମେ ଜମା ବ୍ୟସ୍ତ ହୁଅନି। ମୁଁ ତୁମର ସହାୟତା କରିବି। ତୁମ ସ୍ୱାମୀଙ୍କୁ କାନ୍ଧରେ ବୋହି ମୁଁ ତଟ ନିକଟରେ ପହଞ୍ଚାଇ ଦେବି। କ୍ଷୁଧା ଯୋଗୁ ଆପଣ ଦୁଇଜଣ ଖୁବ୍ ଦୁର୍ବଳ ଲାଗୁଛନ୍ତି। ମୋ ପାଖରେ କିଛି ଫଳ ଅଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆପଣ ଦୁଇଜଣ ଦୟାକରି ତାହା ଗ୍ରହଣ କରନ୍ତୁ।
ଏହାପରେ ବ୍ୟକ୍ତିଜଣକ କୁଷ୍ଠରୋଗୀଙ୍କୁ କାନ୍ଧରେ ବୋହି ତଟ ନିକଟକୁ ନେଇ ଆସିଲେ। ସେମାନଙ୍କଠାରୁ ବିଦାୟ ନେବା ଅବସରରେ ପାର୍ବତୀଙ୍କୁ ପ୍ରଣାମ କରି କହିଲେ – ଆପଣ ସାକ୍ଷାତ ଦେବୀ ମା’ ଭଳି ପ୍ରତୀତ ହେଉଛନ୍ତି। ଆପଣଙ୍କୁ ଦେଖିଲେ ସତରେ ମୋ ମୁଣ୍ଡ ଭକ୍ତିରେ ନଇଁ ଯାଉଛି। ଆପଣ ରୋଗଗ୍ରସ୍ତ ପତିଙ୍କର ସେବା କରି ଏ ଦୁନିଆଁ ପାଇଁ ପତ୍ନୀଧର୍ମର ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିଛନ୍ତି। ମା’ ! ଆପଣଙ୍କ ପତି ନିଶ୍ଚୟ ଭଲ ହୋଇଯିବେ – ଏହି ଶୁଭକାମନା କରିବା ସହ ମୁଁ ଏବେ ଆସୁଛି।
ବ୍ୟକ୍ତିଜଣକ ଚାଲିଯିବା ପରେ ଶିବ, ପାର୍ବତୀ ମଧ୍ୟ କୈଳାସ ଅଭିମୁଖେ ଯାତ୍ରା ଆରମ୍ଭ କଲେ।
ରାସ୍ତାରେ ଶିବ କହିଲେ, ପାର୍ବତୀ ! ଏତେଲୋକଙ୍କ ଭିତରୁ କେବଳ ଏହିଲୋକଟି ମନକୁ ଧୋଇ ଶୁଦ୍ଧ କରି ପାରିଛି ଓ ସ୍ୱର୍ଗକୁ ଯିବାପାଇଁ ପଥ ନିର୍ମାଣ କରି ପାରିଛି।
ପାର୍ବତୀ ଭଲ ଭାବରେ ବୁଝିଗଲେ – ସଙ୍ଗମ ରେ ଏତେଲୋକ ସ୍ନାନ କରୁଥିଲେ ବି ଅଧିକାଂଶ କାହିଁକି ପୂଣ୍ୟଫଳରୁ ବଞ୍ଚିତ ହେଉଛନ୍ତି ଓ ସେମାନଙ୍କ ଭାଗ୍ୟରେ ସ୍ୱର୍ଗପ୍ରାପ୍ତି ନାହିଁ।
ସଂଗୃହୀତ