❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀
♾️♾️♾️♾️⭕⭕♾️♾️♾️♾️
ଶୁଣି ବୋଲନ୍ତି ନନ୍ଦରାୟ। ଭୋ ମୁନି ନ କର ତୁ ଭୟ।
ତୋ ତହୁଁ ନ ଜାଣିବେ ଆନ। ଏମନ୍ତ ଅଛି ମୋର ସ୍ଥାନ।
କହି କରାଇ ସାବଧାନ। ଆଣିଲା ହୋମର ବିଧାନ।
ଦ୍ଵିଜ ବେଭାରେ ଶୁଚିମନ୍ତ। ସଂସ୍କାର କଲେ ବେନିସୁତ।
ଗାର୍ଗ୍ୟ ଅଇଲେ ଯହିଁ ପାଇଁ। ଦେଖିଲେ ନନ୍ଦପୁତ୍ର ଦୁଇ।
ନୟନେ ଦେଖି ନିସ୍ତରିଲେ। ବେଦବଚନେ ସ୍ତୁତି କଲେ।
ବିଚାରି ହୃଦେ ପରିମାଣି। ଜ୍ଞାନଦର୍ଶନେ ମୁନିମଣି।
ସଭୟ କରି ହୃଦଗତେ। ଗୋବିନ୍ଦ ଭାବ ଅନୁମତେ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ନବମ ଅଧ୍ୟାୟ )
ପ୍ରସଙ୍ଗ – ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କର ନାମକରଣ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଗର୍ଗମୁନି ଯେତେବେଳେ ନନ୍ଦଙ୍କୁ କହିଲେ ଯେ ଯଦୁବଂଶର କୁଳପୁରୋହିତ ହୋଇଥିବାରୁ ସେ ନନ୍ଦଙ୍କ ପୁତ୍ରର ସଂସ୍କାର ଓ ନାମକରଣ କଲେ କଂସ ଏହି ପୁତ୍ରକୁ ବସୁଦେବଙ୍କର ପୁତ୍ର ବୋଲି ମନେକରି ତାଙ୍କର ଦୁଇ ପୁତ୍ରଙ୍କୁ ମଥୁରାପୁରକୁ ନେଇ ହତ୍ୟା କରିବ ନନ୍ଦରାଜା କହିଲେ , ହେ ମୁନିବର ! ଆପଣ ସେଥିପାଇଁ ମୋଟେ ଭୟ କରନ୍ତୁ ନାହିଁ। ମୋ ଘରେ ଏପରି ସ୍ଥାନ ରହିଛି ଯେଉଁଠି ସଂସ୍କାର ଓ ନାମକରଣ କଲେ ତାହା ସମ୍ପୂର୍ଣ୍ଣ ଗୋପନ ରହିବ ଓ ଆପଣଙ୍କ ବ୍ୟତୀତ ସେ କଥା ଅନ୍ୟ କେହି ଜାଣି ପାରିବେ ନାହିଁ। ଗର୍ଗମୁନିଙ୍କୁ ଏହିପରି ଭାବରେ ସାବଧାନ କରି କହି ନନ୍ଦରାଜା ସଂସ୍କାର ଓ ନାମକରଣ ନିମନ୍ତେ ହୋମର ଆବଶ୍ୟକୀୟ ସାମଗ୍ରୀ ଆଣିଲେ। ଗର୍ଗମୁନି ଶୁଚିମନ୍ତ ହୋଇ ଦୁଇ ପୁତ୍ରଙ୍କର ସଂସ୍କାର ଓ ନାମକରଣ କାର୍ଯ୍ୟ କଲେ। ଯେଉଁ ଦୁଇ ପୁତ୍ରଙ୍କର ସଂସ୍କାର ଓ ନାମକରଣ ଉଦ୍ଦେଶ୍ୟରେ ଗର୍ଗମୁନି ଗୋପପୁରକୁ ନନ୍ଦରାଜାଙ୍କ ଘରକୁ ଆସିଥିଲେ ନନ୍ଦରାଜାଙ୍କର ସେହି ଦୁଇ ପୁତ୍ରଙ୍କୁ ଦର୍ଶନ କରି ସେ ନିଜକୁ ଧନ୍ୟ କଲେ। ସେ ନିଜର ଜ୍ଞାନ ଚକ୍ଷୁ ଦ୍ଵାରା ଶିଶୁ ରୂପୀ ଭଗବାନଙ୍କୁ ଚିହ୍ନି ପାରିଲେ ଓ ଭକ୍ତି ଗଦଗ୍ଦିତ ଚିତ୍ତ ହୋଇ ଭଗବାନଙ୍କୁ ବେଦୋକ୍ତ ମାର୍ଗରେ ମନ ମଧ୍ୟରେ ସ୍ତୁତି କଲେ।
ଭାବାର୍ଥ – ନନ୍ଦରାଜାଙ୍କ ଘରେ ଏକ ଗୋପନ ସ୍ଥାନରେ ପୁତ୍ର ମାନଙ୍କର ନାମକରଣ କଲେ ଗର୍ଗମୁନିଙ୍କ ବ୍ୟତୀତ ସେକଥା ଅନ୍ୟ କେହି ଜାଣି ପାରିବେ ନାହିଁ ବୋଲି ନନ୍ଦରାଜା ଗର୍ଗମୁନିଙ୍କୁ କହିଲେ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୮୬୦
✿❁❣️༒ ଜୟ ଜଗନ୍ନାଥ ༒❣️❁✿