॥ ଶାବରୀ॥
॥ ଶାବରୀ॥
ଅନେକ ଦିନ ତଳର କଥା Ι ପମ୍ପା ସରୋବରଠାରୁ କିଛି ଦୂରରେ ଭୀଲ ମାନଙ୍କର ଗୋଟିଏ ଜନବସତି ଥାଏ Ι ଭୀଲ୍ ରାଜାଙ୍କର କନ୍ୟା ଶ୍ରମଣାକୁ ବିବାହ ବୟସ ହେବାରୁ ଅନ୍ୟ ଏକ ଭୀଲ ସର୍ଦ୍ଦାରଙ୍କ ପୁତ୍ର ସହିତ ତାଙ୍କର ବିବାହ ସ୍ଥିରୀକୃତ ହେଲା Ι ଶବର ପଲ୍ଲୀରେ ବିବାହ ଉତ୍ସବ ସମୟରେ କିଛି ଛାଗ ଓ ମହିଷ ଆଦି ପଶୁଙ୍କୁ ଗ୍ରାମଦେବତୀଙ୍କ ଆଗରେ ବଳି ପକାଇ ସେହି ପଶୁମାନଙ୍କର ମାଂସରେ ଭୋଜି କରିବାର ପ୍ରଥା ଥିଲା Ι ଶ୍ରମଣା ପିଲା ଦିନରୁ ଏଭଳି ନିଷ୍ଠୁର ପ୍ରଥାକୁ ମନେ ମନେ ଘୃଣା କରୁଥିଲେ Ι କିନ୍ତୁ ଭୀଲ ସର୍ଦ୍ଦାରଙ୍କ କନ୍ୟାର ବିବାହ ! ବଳି ଉଦ୍ଦେଶ୍ୟରେ ବହୁ ସଂଖ୍ୟକ ଛାଗ, ମେଷ, ମହିଷ ଆଦି ଧରା ହୋଇ ଆସିଲେ Ι ପର ଦିନ ବିବାହ Ι ଦୟାବତୀ ଶ୍ରମଣାଙ୍କ ହୃଦୟ ନିରୀହ ପ୍ରାଣୀମାନଙ୍କ ପ୍ରତି କରୁଣାରେ ବିଗଳିତ ହୋଇଗଲା Ι ସେମାନଙ୍କ ଉଦ୍ଧାର ପାଇଁ ସେ ଏକ ଉପାୟ ସ୍ଥିର କଲେ Ι ଅର୍ଦ୍ଧରାତ୍ରରେ ସେ ପଶୁମାନଙ୍କୁ ବନ୍ଧନମୁକ୍ତ କରି ଗୃହ ତ୍ୟାଗ କରି ପଳାୟନ କଲେ Ι ଶବର ଜାତିର ପ୍ରଥା ଅନୁସାରେ ଏପରି ପଳାୟନ କରିଥିବା ବାଳିକା ପାଇଁ ପଲ୍ଲୀରେ ଆଉ ସ୍ଥାନ ନ ଥିଲା Ι ଶ୍ରମଣା କିଛିଦିନ ଆଶ୍ରୟ ସ୍ଥଳ ଅନ୍ୱେଷଣରେ ଘୁରି ବୁଲିଲେ Ι ନିକଟବର୍ତ୍ତୀ ଅରଣ୍ୟରେ ବହୁ ଋଷି ଆଶ୍ରମ ଥିଲା Ι କିନ୍ତୁ ଜାତିରେ ଶବର , ଦ୍ଵିତୀୟରେ ନାରୀ Ι କୌଣସି ଆଶ୍ରମରେ ତାଙ୍କୁ ସେବା କରିବା ପାଇଁ ମଧ୍ୟ ସ୍ଥାନ ମିଳିଲା ନାହିଁ Ι ଶ୍ରମଣାଙ୍କର ବିଷ୍ଣୁ ଭକ୍ତିରେ ପ୍ରବଳ ଆଗ୍ରହ ଥାଏ Ι ଦିନେ ସେ ମାତଙ୍ଗ ଋଷିଙ୍କର ଆଶ୍ରମ ପାର୍ଶ୍ଵ ଦେଇ ଯାଉଥାନ୍ତି Ι ଦୂରରୁ ଭଜନ କୀର୍ତ୍ତନ ଆଦି ଶୁଣି ତାଙ୍କର ମନ ପ୍ରଭୁ ଭକ୍ତିରେ ଦ୍ରଵୀଭୂତ ହୋଇଯାଉଥାଏ Ι ଋଷିମାନଙ୍କର ସେବା କରି କିଛି ପୂଣ୍ୟ ଅର୍ଜନ କରିବା ଅଭିପ୍ରାୟରେ ସେ ଏକ ପନ୍ଥା ଗ୍ରହଣ କଲେ Ι ପ୍ରତିଦିନ ରାତି ଥାଉଁ ଥାଉଁ ସେ ଆଶ୍ରମ, ଆଶ୍ରମରୁ ନଦୀକୁ ଯିବାର ପଥ ଏବଂ ଆଶ୍ରମର ଚତୁର୍ପାର୍ଶ୍ୱକୁ ଓଲାଇ ସଫା କଲେ Ι ଅରଣ୍ୟରୁ ହୋମ ପାଇଁ ସମିଧ ଆଣି ଆଶ୍ରମର ପ୍ରବେଶ ଦ୍ୱାର ନିକଟରେ ରଖିଲେ Ι ପ୍ରଭାତର ଆଲୋକ ଅରଣ୍ୟକୁ ସ୍ପର୍ଶ କରିବା ପୂର୍ବରୁ ଶ୍ରମଣା ଅନ୍ତର୍ହିତା ହୋଇ ଯାଉଥିଲେ Ι କିନ୍ତୁ ଦିନେ ଏ ରହସ୍ୟ ଉନ୍ମୋଚିତ ହେଲା Ι ଶ୍ରମଣାଙ୍କୁ ଋଷି ମାତଙ୍ଗଙ୍କ ନିକଟକୁ ନିଆଗଲା Ι ଋଷି ମାତଙ୍ଗ ଶ୍ରମଣାଙ୍କ ଗୁପ୍ତ ସେବା ସମ୍ପର୍କରେ ଜାଣି ପ୍ରସନ୍ନ ହେଲେ ଓ କହିଲେ,”କନ୍ୟା, ଆଜିଠାରୁ ତୁମେ ଏହି ଆଶ୍ରମରେ ରହିବ Ι ଅନ୍ୟ ଋଷିମାନଙ୍କ ଆପତ୍ତିକୁ ଭୃକ୍ଷେପ ନ କରି ସେ ତାଙ୍କୁ ଆଶ୍ରମରେ ରହିବା ପାଇଁ ସ୍ଥାନ ଦେଲେ Ι ଲଜ୍ଜା ଓ ଭୟରେ ତ୍ରସ୍ତା ତଥା ସଙ୍କୁଚିତା ଶ୍ରମଣା କହିଲେ,” ପିତା, ମୁଁ ଅସ୍ପୃଶ୍ୟା Ι ମୁଁ ଏକ ପରିତ୍ୟକ୍ତା ନାରୀ Ι ଆପଣଙ୍କୁ ଅନେକ ବିରୋଧର ସମ୍ମୁଖୀନ ହେବାକୁ ପଡିବ Ι” ମାତଙ୍ଗ କହିଲେ,”ମୋ ନାମ ମାତଙ୍ଗ ଅର୍ଥାତ ହାତୀ Ι ହସ୍ତୀ ରାସ୍ତାରେ ଗତି କଲା ବେଳେ ଅନ୍ୟମାନଙ୍କ ଆପତ୍ତିକୁ ଭୃକ୍ଷେପ କରେ ନାହିଁ Ι ତୋର ଭକ୍ତିଭାବ ମୋତେ ମୁଗ୍ଧ କରିଛି Ι ମୁଁ କେବଳ ତୋତେ ଏଠାରେ ରହିବାକୁ ସ୍ଥାନ ଦେଉଛି ତାହା ନୁହେଁ, ମୋ ଅନ୍ତେ ତୁ ହିଁ ଏ ଆଶ୍ରମର ଅଧିକାରିଣୀ ହେବୁ Ι”
ଋଷି ମାତଙ୍ଗଙ୍କ ଛତ୍ରଛାୟା ତଳେ ଶ୍ରମଣାଙ୍କ ଭକ୍ତିର ବୀଜ ଅଙ୍କୁରିତ ହେଲା Ι କ୍ରମେ ତାହା ବୃକ୍ଷରେ ପରିଣତ ହେଲା Ι ପୁଷ୍ପ ଫଳମଣ୍ଡିତ ହେଲା Ι ଗୁରୁ ମାତଙ୍ଗଙ୍କ ଆଦେଶ କ୍ରମେ ସେ ରାମଙ୍କ ନାମ ଜପିବାରେ ଲାଗିଲେ Ι ଦିନେ ମାତଙ୍ଗ ତାଙ୍କର ଶିଷ୍ୟ ଓ ଶ୍ରମଣାଙ୍କୁ ଡାକିଲେ Ι ସେ କହିଲେ,”ଏବେ ମୋର ଯିବା ସମୟ ହୋଇଗଲା Ι ମୋ ଅନ୍ତେ ଶ୍ରମଣା ଏ ଆଶ୍ରମର ମୂଖ୍ୟ ପରିଚାଳିକା ହେବ Ι” ଶ୍ରମଣା ରୋରୁଦ୍ୟମାନ କଣ୍ଠରେ ପ୍ରଶ୍ନ କଲେ,”ମୋର କଣ ହେବ ପିତା ?” ମାତଙ୍ଗ କହିଲେ,” ତୋତେ ରାମଙ୍କ ଦର୍ଶନ ପାଇବା ଯାଏଁ ବଞ୍ଚିରହିବାକୁ ହେବ Ι ଶ୍ରମଣା କହିଲେ,” ମୁଁ ଛାର ଶବରୀ, ତାଙ୍କୁ ଦେଖିନାହିଁ, ଚିହ୍ନିନାହିଁ Ι ନା ଧ୍ୟାନ, ନା ଜ୍ଞାନ, ନା ତପ ନା ଭକ୍ତି ? ମୁଁ ମ୍ଳେଚ୍ଛା ଶବରୀ Ι ସିଏ ପ୍ରଭୁ ରଘୁପତି Ι ମୁଁ ତାଙ୍କୁ କେଉଁଠି ଖୋଜିବି ?” ମାତଙ୍ଗ କହିଲେ, “ତୁ ଅପେକ୍ଷା କରିବୁ Ι ତୋର କୁଆଡେ ଯିବା ଆବଶ୍ୟକ ନାହିଁ Ιତୋତେ ଖୋଜି ଖୋଜି ଆସିବେ ଶ୍ରୀରାମ ଓ ଲକ୍ଷ୍ମଣ Ι” ଶ୍ରମଣା “କେବେ ଆସିବେ” ବୋଲି ପଚାରିବା ପୂର୍ବରୁ ମାତଙ୍ଗ ଶରୀର ତ୍ୟାଗ କଲେ Ι ସେହି ଦିନରୁ ଶ୍ରମଣା ଗୁରୁଙ୍କ କଥାକୁ ବେଦର ଗାର ମନେ କରି ‘ଶ୍ରୀରାମ ଆସିବେ’ ବୋଲି ପ୍ରତୀକ୍ଷା କରିଥାଏ Ι ପ୍ରତିଦିନ କୁଟୀର ସମ୍ମୁଖ ରାସ୍ତାରୁ ବାଲି ଗୋଡି ଓଲାଇ ସଫା କରେ Ι ଜଳ ସିଞ୍ଚି ଦିଏ Ι ଗୋବରପାଣିରେ ଲିପିଦିଏ Ι ଫୁଲ ତୋଳି ରାସ୍ତାରେ ବିଛାଏ Ι ଅରଣ୍ୟରୁ ଚାଖି ଚାଖି ସୁମିଷ୍ଟ ଫଳ, ବରକୋଳି, ଜାମୁ କୋଳି ଆଦି ଆଣି ପତ୍ର ଦୋନାରେ କିମ୍ବା ଅନ୍ୟ କୌଣସି ପାତ୍ରରେ ସଜାଇ ରଖେ Ι ପ୍ରତିଦିନ ଭାବୁଥାଏ ” ଆଜି ଆସିବେ Ι” କୁଟୀର ବାହାରେ ବାୟସ’ର କା କା ରାବ ଶୁଣି ସେ ପଚାରେ,” କିରେ କାକ , ଆଜି ଆସିବେ କି ମୋ ରାମ ?” ବାହାରେ କାହାରି ପଦଶବ୍ଦ ଶୁଣିଲେ କୁଟୀରରୁ ବାହାରି ଆସୁଥିଲା Ι ଆଶ୍ରମରୁ ଲମ୍ବିଯାଇଥିଵା ପଥକୁ ଚାହିଁ ରହୁଥିଲା Ι ଦିନ ଯାଉଥାଏ Ι ମାସ ଯାଉଥାଏ Ι ବର୍ଷ ମଧ୍ୟ ବିତିଯାଉଥାଏ Ι କିନ୍ତୁ ଶ୍ରମଣାଙ୍କର ଅପେକ୍ଷାର ଅନ୍ତ ହେଉ ନ ଥାଏ Ι “କବ ଦରଶନ ଦେଙ୍ଗେ ରାମ ଦୀନ ହିତକାରୀ, ରାସ୍ତା ଦେଖତ ଶବରୀକୀ ଉମର୍ ଗଈ ସାରୀ” ୟା ମଧ୍ୟରେ ଷୋଡ଼ଶୀ ଶ୍ରମଣା କେବେ ବୃଦ୍ଧା ଶବରୀମାତା ପାଲଟି ଗଲେ, ସେ ଜାଣି ପାରିଲେ ନାହିଁ Ι କେହି କେହି କହନ୍ତି, ସବୁର (ସବ୍ର) କରିବାର ଉଦାହରଣ ସୃଷ୍ଟି କରିଥିବା ସେହି ମହୀୟସୀ ମହିଳାଙ୍କୁ ସଵରୀ କୁହାଗଲା Ι ଆଉ କେହି ସେ ଜାତିରେ ଶବର ହୋଇଥିବାରୁ ତାଙ୍କୁ ଶବରୀ କହୁଥିଲେ Ι
ସବୁଦିନ ପରି ସେ ଦିନ ମାତା ଶବରୀ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କଲେ Ι ତାଙ୍କର ବାମ ଚକ୍ଷୁ ସ୍ଫୁରୁଥିଲା Ι ବାମ ବାହୁରେ ସ୍ପନ୍ଦନ ଅନୁଭୂତ ହେଉଥିଲା Ι ମନ ଅବର୍ଣ୍ଣନୀୟ ଆନନ୍ଦରେ ପରିପୂର୍ଣ୍ଣ ହୋଇ ଯାଉଥିଲା Ι ସେ ଭାବିଲେ ,” ଆଜି ଅସିବେ ନା କଣ ? ମିଛଟାରେ ପ୍ରଭୁ ମୋର ମନରେ ଆଶା ସୃଷ୍ଟି କରୁଛନ୍ତି Ι କିଏ ଜାଣେ, ଆଜି ଆସିଯିବେ ଯଦି ? ବାଲି ଗୋଡ଼ି ଉପରେ ଚାଲିଲେ ତାଙ୍କର କୋମଳ ଚରଣକୁ କଷ୍ଟ ହେବ Ι ମୁଁ ମୋ ପ୍ରଭୁଙ୍କ ପାଇଁ ପଥ ପରିଷ୍କାର କରିବି Ι ଏ ରାସ୍ତାକୁ ପୁଷ୍ପ ସଜ୍ଜିତ କରିବି Ι ତାଙ୍କ ପାଇଁ ତାଜା ସୁମିଷ୍ଟ ଫଳ ସଂଗ୍ରହ କରିବି Ι” ଶବରୀ କାମରେ ଲାଗିଗଲେ Ι କିନ୍ତୁ ମନ ଚଞ୍ଚଳ ଥିଲା Ι କାନନରୁ ଫଳ ଆଣିବାକୁ ଯାଇ, ଚାଖିବା ଭୁଲି ସେ କେବଳ ଗୁଡିଏ ବରକୋଳି ତୋଳି ଆଣିଲେ Ι . .
[କ୍ରମଶଃ]


