କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୦)
ରାଜା ପୃଥୁ ଦେବର୍ଷି ନାରଦ ଙ୍କୁ ପ୍ରଣିପାତ କଲେ ଓ କହିଲେ ଭୋ ମୁନି !ଭଗବାନ ଶଙ୍କରଙ୍କ ଠାରୁ ରାହୁ ପ୍ରାଣ ପାଇ ଫେରି ଆସିଲା ?ଜଳନ୍ଧର ରାହୁ ଠାରୁ ସମସ୍ତ କଥା ନିଶ୍ଚିତ ଶୁଣିଥିବ ?ତାପରେ ଜଳନ୍ଧର କଣ ପଦକ୍ଷେପ ନେଲା ନା ନୀରବରେ ବସିଗଲା ? ଯଦି କିଛି ପଦକ୍ଷେପ ନେଲା ତେବେ ସେ ବିଷୟରେ ମୋତେ କହିବା ହୁଅନ୍ତୁ ? ଦେବର୍ଷି ନାରଦ କହିଲେ ହେ ରାଜନ ! ମୁଁ ଯାହା ଶୁଣିଛି ତାହା କହୁଛି ଶୁଣ ? ନାରଦ କହିଲେ ......!!!
ନାରଦ କହିଲେ ରାଜନ !ଶଙ୍କର ଭଗବାନଙ୍କ ଠାରୁ ରାହୁ ମହାଭୟ ପାଇ କୈଳାଶ ପୁରରୁ ବିଦା ହୋଇଗଲା ସେଠାରୁ ଆସି ବିରସ ମନରେ ଜଳନ୍ଧର ନିକଟରେ ମନଦୁଃଖରେ ବସିଲା ।ସାଗର ସୁତ ଜାଣି ପାରିଲା ମୋ ବାର୍ତ୍ତା ସଫଳ ହୋଇନାହିଁ । ତଥାପି ରାହୁ ମୁହଁରୁ ଶୁଣିବାକୁ ଇଛକରି କହିଲା କହ ରାହୁ କହ ଶିବ ତୋତେ କଣ କହିଲା ? ରାହୁ ଅତି ବିରସ ହୋଇ କହିଲା ନୃପତି ଏତିକି ଜାଣ ମୋ ଜୀବନ ବଞ୍ଚି ଗଲା ! ଆଉ କଣ କହିବି ? ଏହା କହି ସମସ୍ତ ବୃତ୍ତାନ୍ତ ରାହୁ ଜଳନ୍ଧର ଆଗରେ ଗୋଟି ଗୋଟି କରି ବର୍ଣ୍ଣନା କଲା ।
ରାହୁ କଥା ଶୁଣି ସାଗର ସୁତ ଅତି କ୍ରୋଧିତ ହୋଇ ସମସ୍ତ ଅସୁର ମାନଙ୍କୁ ଡକାଇଲା । ଶୁମ୍ଭ ,ନିଶୁମ୍ଭ ଓ ଅନ୍ୟ ମାନଙ୍କୁ ଡକାଇ ଜଳନ୍ଧର କହିଲା ହେ ମୋର ସହୋଦର ମାନେ ତୁମେ ଶୀଘ୍ର ରଥ , ଗଜ ,ତୁରଙ୍ଗ ପାଦାତିକ ମାନଙ୍କୁ ସଜବାଜ କରି ବାହାରି ପଡ଼ । ଆମେ କୈଳାଶ ପୁର କୁ ଯିବା । ସେଠାରେ ଗୋଟେ ଯୋଗୀ ଅଛି ତା ସହିତ ଆମେ ବଳ ପ୍ରୟୋଗ କରି ତାହାର ସମସ୍ତ ସମ୍ପତ୍ତି ଧରି ଆସିବା । ଜଳନ୍ଧର କଥାରେ ସଂଗେ ସଂଗେ ସମସ୍ତ ସୈନ୍ୟ ସାମନ୍ତ ପ୍ରସ୍ତୁତ ହୋଇଗଲେ । ଚାଲାକ ଜଳନ୍ଧର ଶୁକ୍ର ମୁନିଙ୍କୁ ଆଗରେ କରି ଯୁଦ୍ଧ କରିବା କୁ ବାହାରଲା
ଐଶାନ ମାର୍ଗ ଦେଇ ଜଳନ୍ଧରର ସୈନ୍ୟ ସାମନ୍ତ ମାନେ ମାଡି ଚାଲିଲେ ।ରତ୍ନମୟ ରଥ ସହିତ ସମସ୍ତ ଙ୍କ ହାତରେ ଧନୁ ଓ ଖଡ୍ଗ ଥାଏ । ସୈନ୍ୟ ମାନେ ବନ ପାହାଡ଼ କିଛି ନମାନି ଆଗେଇ ଯାଉଥାଆନ୍ତି ନିଶାଚର ମାନେ ଏପରି ଗତି ରେ ଯାଉଥାଆନ୍ତି ଯେ ସତେ ଯେପରି ଆକାଶରେ ମେଘ ଗର୍ଜନ କଲା ପରି ପ୍ରତୀୟମାନ ହେଉଥାଏ ।ସତେ ଯେପରି ମେଦିନୀ କୁ ପ୍ରଳୟ କରିଦେବେ ? ସିନ୍ଧୁ ଦେଶରୁ କୈଳାସ ପର୍ବତ ପ୍ରାୟେ ସାତସହ ଯୋଜନ । ପ୍ରଥମ ଦିନ ଜଳନ୍ଧର ର ଥାଟ ମାନେ ହାଲିଆ ହୋଇ ସୁବର୍ଣ୍ଣରେଖା ନଦୀ କୁଳ ପାରି ହୋଇ ହିମଗିରି ପର୍ବତ ର ଶିଖରରେ ରହିଲେ ।
ସ୍ଵର୍ଗରେ ଦେବତା ମାନେ ଥାଇ ଏସବୁ ଦୃଶ୍ୟ ଦେଖୁଥିଲେ । ଦୈତ୍ୟ ମାନେ ଏତେ ଯୋରରେ ପାଟି କରି ଆସୁଥିବାରୁ ଦେବଗଣ ଭୟ ପାଇଲେ । ଦେବତା ମାନେ ଚିନ୍ତା କଲେ ଆମେ
ସ୍ୱର୍ଗପୁରରେ ରହିଲେ ଜଳନ୍ଧର ନିଶ୍ଚିତ ଏଠାକୁ ଆସିବ ଓ ଆମକୁ ପୁଣି ବାନ୍ଧି ନେବ । ଏହାଭାବି ସବୁ ଦେବତା ମନସ୍ତ କଲେ ଆମେ କୈଳାଶ ପୁରକୁ ଯାଇ ଶଙ୍କର ଭଗବାନ ଙ୍କ ନିକଟରେ କିଛି ଦିନ ରହିବା । ତାହାହିଁ ହେଲା । ଦେବତା ମାନେ କୈଳାଶ କୁ ଚାଲିଲେ । କୈଳାଶ ରେ ପହଁଞ୍ଚି ଦେବତା ମାନେ ରୁଦ୍ର ଙ୍କୁ କରଯୋଡି କହିଲେ ହେ ପ୍ରଭୁ ! ଅମ୍ବିକା ରମଣ ! ଆମ୍ଭର ଗୁହାରି ଶୁଣିବା ହେଉ ! ଅସୁର ଜଳନ୍ଧର ସ୍ୱର୍ଗପୁର କୁ ଜୟ କରି ଭଗବାନ ବିଷ୍ଣୁ ଙ୍କୁ ଯୁଦ୍ଧରେ ଜିଣି ସର୍ଵ ସମ୍ପତ୍ତି ନେଇ ସିନ୍ଧୁ ପୁରରେ ଆରାମ ରେ ରହୁଛି । ପ୍ରଭୁ ! ଆପଣଙ୍କ ନିକଟକୁ ଜଳନ୍ଧର ଦୂତ ପଠାଇ ଥିବାର ଆମ୍ଭେମାନେ ଜାଣିଛୁ ରାହୁ ଆସି ଏଠାରୁ ଯାହା ଘଟଣା ଘଟିଲା ସବୁ ଜଳନ୍ଧର ଆଗରେ କହିଛି ।ଅସୁର ଜଳନ୍ଧର କ୍ରୋଧିତ ହୋଇ ତୁମ ସହିତ ଯୁଦ୍ଧ କରିବାକୁ ଆସୁଛି । ହେ ଭଗବାନ ଶଙ୍କର ସେମାନେ ଆସି ହିମଗିରି ନିକଟରେ ପହଁଞ୍ଚି ଗଲେଣି । କାଲି ନିଶ୍ଚିତ ଯୁଦ୍ଧ ହେବ । ଏହା ଆମେ ଜାଣି ପାରି ଆପଣଙ୍କୁ କହୁଛୁ ଏଥି ପ୍ରତି ସାବଧାନ ରହିବାକୁ ଅନୁରୋଧ ପ୍ରଭୁ !
ଦେବତା ମାନଙ୍କ ଠାରୁ ଏମନ୍ତ କଥା ଶୁଣି ତ୍ରିଲୋଚନ ବିସ୍ମୟ ହୋଇଗଲେ!ଶଙ୍କର ଭଗବାନ ବିଷ୍ଣୁ ଭଗବାନଙ୍କୁ ଚିନ୍ତାକରି ଯୋଗରେ ବସିଗଲେ । ଯୁଗାଧି ପୁରୁଷ ହର ଙ୍କ ନିକଟରେ ଆସି ପହଁଞ୍ଚିଗଲେ । ବିଷ୍ଣୁ ଙ୍କ ଦର୍ଶନ ପାଇ ଶିବ ଭଗବାନଙ୍କ ସହିତ ସମସ୍ତ ଦେବଗଣ ନମସ୍କାର କଲେ । ଭଗବାନ ଶଙ୍କର ଜଳନ୍ଧର ବିଷୟରେ ଭଗବାନ ବିଷ୍ଣୁଙ୍କ ଜଣାଇଲେ ଓ କହିଲେ ହେ ପ୍ରଭୁ !ନାରାୟଣ ! ଆପଣ ପ୍ରାଣୀଙ୍କ ପଞ୍ଚଭୂତ କିନ୍ତି ଆପଣଙ୍କ ମହିମା ବିପରୀତ ପରି ଲାଗୁଛି । ଖଳ ନାଶନ ବାନା ବୋହିଛନ୍ତି ମାତ୍ର ଅସୁର ପୁରରେ ଅଛନ୍ତି । ନିଜ ସେବକ ମାନଙ୍କୁ ଦୁଖଃଦେଇ କି ସୁଖ ପାଉଛନ୍ତି ପ୍ରଭୁ ? ଦେବତା ମାନଙ୍କ କଳଙ୍କ ଜଳନ୍ଧର ତାକୁ କାହିଁକି ବିନାଶ କରୁ ନାହାଁନ୍ତି ଆପଣ ? ଏବେ ସେହି ଅସୁର ମୋ ପତ୍ନୀ ପାର୍ବତୀ ଙ୍କୁ ଇଛା କରିଛି ଓ ମୋତେ ମାଗିଛି ମଧ୍ୟ । ମୁଁ ଏ ପ୍ରସ୍ତାବରେ ରାଜି ନହେବାରୁ ଅର୍ଥାତ ପାର୍ବତୀ ଙ୍କୁ ଜଳନ୍ଧର କୁ ନଦେବାରୁ ସେ ମୋ ସହିତ ଯୁଦ୍ଧ କରିବାକୁ ଆସୁଛି । ଏ କି କଥା
ଆପଣ ବିଚାର କରି କୁହନ୍ତୁ ଚକ୍ରପାଣି !।
ରୁଦ୍ରଙ୍କ ବଚନ ଶୁଣି ଚକ୍ରଧର କହିଲେ ହେ ହର ! ଜଳନ୍ଧର ତୁମ ଅଂଶରୁ ସିନ୍ଧୁ ଦେଶରେ ଜାତ ହୋଇଛି । ଯେହେତୁ ସେ ଲକ୍ଷ୍ମୀ ଙ୍କର ସାନ ଭାଇ ତେଣୁ ମୋହର ତାହା ଠାରେ ଦୟା ଆସୁଛି । ମୁଁ ଯେଉଁଠି ହାର ମାନି ମୋ ଯଶ କୁ ଜଳାଞ୍ଜଳି ଦେଇ ତାହାରି ପୁରରେ ରହୁଛି ,ତୁମ କଥା କଣ କହିବି ? କେବଳ ଏତିକି କହିବି ଦୁଷ୍ଟ ନିବାରି ସନ୍ଥ ରଖ । ଏମିତି କଥା ଭଗବାନ ବିଷ୍ଣୁ କହୁଥାନ୍ତି ଓ ହସୁଥାନ୍ତି ।ବିଷ୍ଣୁ ଭଗବାନ ଙ୍କ ଏପରି ବଚନ ଶୁଣି ଶିବ ଭଗବାନ ଛାନିଆ ହୋଇ ଦୁଇ ହାତକୁ ମୁଣ୍ଡରେ ଦେଇ ଚିନ୍ତା କରିବାକୁ ଲାଗିଲେ ବିଶ୍ୱନାଥ କିଛି ସମୟ ପରେ କହିଲେ ହେ ପ୍ରଭୁ ଗଦାଧର ଅସୁର ଜଳନ୍ଧର କୁ ମାରିବା ପାଇଁ ସମସ୍ତ ଦେଵତା ମାନେ ଓ ଆପଣ ମିଶି ମୋତେ ଗୋଟିଏ ଶର ଦିଅନ୍ତୁ ଯେଉଁଥିରେ ସବୁ ଆୟୁଧ ଭରି ହୋଇ ରହିଥିବ । ବିଶ୍ୱନାଥ ଙ୍କର କଥା ଶୁଣି ସକଳ ଦେବଗଣ ତାଙ୍କର ସମସ୍ତ ଅସ୍ତ୍ର ମିଶାଇ ଗୋଟିଏ ଅସ୍ତ୍ର କରି ବିଶ୍ୱନାଥ ଙ୍କୁ ପ୍ରଦାନ କଲେ । ବିଷ୍ଣୁ ଭଗବାନ ନିଜର ସୁଦର୍ଶନ ଚକ୍ର କୁ ଶଙ୍କର ଙ୍କୁ ପ୍ରଦାନ କଲେ ।
ସକଳ ଦେବତା ଙ୍କ ସହିତ ଭଗବାନ ବିଷ୍ଣୁ ନିଜ ନିଜର ଅସ୍ତ୍ର ଦେଇ ନିଜ ପୁରର କୁ ଚାଲିଗଲେ ,କାରଣ ଦୈତ୍ୟ କାଳେ ଜାଣିଦେଵ ଏହି ଡର ରେ ଦେବତା ଓ ଭଗବାନ ବିଷ୍ଣୁ ସେଠାରୁ ଖସି ଚାଲିଗଲେ । ଭଗବାନ ବିଷ୍ଣୁ କୈଳାସ ରୁ ଯାଇ
ଦାନବ ପୁରର ରେ ରହିଲେ । ଏକଥା ଲକ୍ଷ୍ମୀ ଙ୍କୁ କହିଲେ ନାହିଁ ଭଗବାନ ବିଷ୍ଣୁ ।
ଏହାପରେ ରାତି ପାହିଗଲା ।ସୂର୍ଯ୍ୟ ଆକାଶରେ ଦେଖାଦେଲେ । ଛାୟାପତି ପୂର୍ବ ଦିଗରେ ଉଦୟ ହେବାରୁ ରାତି ଅସ୍ତ ହୋଇଗଲା । ଦୈତ୍ୟ ମାନେ ହିମଗିରି ରେ ଥିଲେ । ଯେମିତି ସକାଳ ହୋଇଛି ସମସ୍ତେ ଘୋର ରଡି କରି କୈଳାଶ ଅଭିମୁଖେ ଚାଲିଲେ । ଅସୁର ମାନେ ଶରଣୀ ନଦୀ ତଟ ରେ ପହଁଚି ଟ ମକ
ନିଶାଣ ବଜାଇ ବାରେ ଲାଗିଲେ ଅସୁରଙ୍କ ବାଦ୍ୟ ଶୁଣି ରୁଦ୍ରଗଣ ସେହି ନଦୀ ଆଡକୁ ଧାଇଁବାରେ ଲାଗିଲେ କାରଣ ରୁଦ୍ରଗଣ ରାତିରୁ ବାର୍ତ୍ତା ପାଇଥିଲେ ଓ ସେମାନେ ସଜ ହୋଇ ବସିଥିଲେ । ରୁଦ୍ର ଙ୍କ ଆଜ୍ଞା ରେ ଦୁଇପୁତ୍ର କାର୍ତ୍ତିକ ଓ ବିନାୟକ ରୁଦ୍ରଗଣ ଙ୍କ ସହିତ ସେଠାକୁ ଗଲେ ।ଏହାପରେ ନନ୍ଦୀ ,ଭୃକୁଟି ,ଭୀମକ , ବିରଭଦ୍ର ମେଳ ,ଜୟନ୍ତ ,ଅଜୟନ୍ତ ,, ବୀରଚଣ୍ଡ , କୁଷ୍ମାଣ୍ଡ ,ଯୋଗୀ ,ସନ୍ୟାସୀ ଦଣ୍ଡ ଧାରୀ ସମସ୍ତେ ଯୁଦ୍ଧ କରିବା ପାଇଁ ବାହାରି ପଡିଲେ । ଏମାନେ ସମସ୍ତେ ପର୍ବତ ଉପରୁ ଓହ୍ଲାଇ ଅସୁର ମାନଙ୍କ ଆଗରେ ମିଳିଲେ । ଦୁଇ ପକ୍ଷର ସୈନ୍ୟ ସାମନ୍ତ ରଣ ପାଇଁ ପ୍ରସ୍ତୁତ ।
ରୁଦ୍ରଗଣ କୈଳାଶପର୍ବତ ଉପରୁ ଓହ୍ଲାଇ ଜଳନ୍ଧର ର ସୈନ୍ୟ ମାନଙ୍କ ଆଗରେ ମିଳିଲେ । ଅସୁର ମାନେ ଦେଖିଲେ ରୁଦ୍ରଗଣ ଙ୍କୁ । ଆଉ ଅପେକ୍ଷା ନକରି ନିଜ ନିଜର ଶର ବିନ୍ଧି ଚାଲିଲେ । ଚଉଦ କୋଟି ରୁଦ୍ରଗଣ ଙ୍କ ସହିତ ଏକ ଲକ୍ଷ ଅଶିକୋଟି ଅସୁର ଏହି ଯୁଦ୍ଧରେ ସାମିଲି ହୋଇଥିଲେ । ଅସୁରଙ୍କ ପକ୍ଷରୁ ଶୁମ୍ଭ ଓ ନିଶୁମ୍ଭ ସେନାପତି ହୋଇଥିବା ବେଳେ ରୁଦ୍ରଙ୍କ ତରଫରୁ କାର୍ତ୍ତିକ ସେନାପତି ରୂପେ ଏହି ଯୁଦ୍ଧ ପାଇଁ ନିଯୁକ୍ତି ହୋଇଥିଲେ ।
ଘାମାଘୋଟ ଯୁଦ୍ଧ ଚାଲିଲା । ଚକ୍ର ,ନାରାଚ ,ଶୂଳ ଧରି ଉଭୟ ପଟ ସୈନ୍ୟ ମାନେ ଯୁଦ୍ଧ କରିବାରେ ଲାଗିଲେ ।ଏହି ଯୁଦ୍ଧ ସମୁଦ୍ର ନିକଟରେ ଚାଲିଥାଏ ।ବାଦ୍ୟ ଧ୍ୱନି ରେ ତିନି ଭୁବନ କମ୍ପି ଉଠୁଥାଏ । ନିର୍ଘାତ ବାଣ ବୃଷ୍ଟି ଫଳରେ ଆକାଶ ଧୂଆଁ ମୟ ଦେଖାଯାଉଥାଏ ଉଭୟ ପଟ ସୈନ୍ୟ ମାନଙ୍କର ପାଟିରେ ଜଳ ସ୍ଥଳ ଆକାଶ ପଡୁଥାଏ ଓ ଉଠୁଥାଏ । ସମୁଦ୍ରନିକଟରୁ ରୁ ଯୁଦ୍ଧ ଆରମ୍ଭ ହୋଇ ଶରଣୀ ନଦୀ କୂଳ ପର୍ଯ୍ୟନ୍ତ ଲମ୍ବି ଯାଇ ଥାଏ । ରୁଦ୍ର ସେନାଙ୍କ ଚକ୍ର ଓ ବାଣ ରେ ଦୈତ୍ୟ ସେନା ରକିଛି ଦୈତ୍ୟ ବିନାଶ ହେଉଥିଲେ । ଧରିଣୀ ରେ ଅସଂଖ୍ୟ ମୃତଦେହ ପଡିବାରେ ଲାଗିଲା ଯେ ଠିଆ ହେବାକୁ ଆଉ ସ୍ଥାନ ମିଳିଲା ନାହିଁ ! ପାଞ୍ଚ ଯୋଜନ ଆୟତ୍ତ ରେ ଶବ ସବୁ ପଡି ରହିଲା । ପୋଖରୀ ରୁ ପାଣି କାଟି ଦେଲେ ପଦ୍ମଫୁଲ ଯେପରି ଝାଉଁଳି ଯାଏ ସେହିପରି ମଡା ମାନେ ଭୂମି ଉପରେ ପଡି ରହିଲେ । କାର୍ତ୍ତିକ ଙ୍କର ବାଣ ରେ ନିଶାଚର ମାନେ ଜଣ ଜଣ ହୋଇ ଟ ଳି
ପଡ଼ିଥାନ୍ତି । ଭୀମକ ଓ ଭଦ୍ରସେନ ବୀର ଏହି ଦୁଇ ଜଣଙ୍କ ବଜ୍ର ସମାନ ଶରରେ ବହୁ ଦୈତ୍ୟଙ୍କ ମୁଣ୍ଡ ଛେଦନ ହୋଇ ରକ୍ତର ନଦୀ ସୃଷ୍ଟି ହେଲା । ଶିବ ସୈନ୍ୟ ଧର୍ମ ବଳରେ ଯୁଦ୍ଧ କରୁଥିଲେ । ଯୁଦ୍ଧର ପ୍ରଥମ ଦିନ ଥିଲା ରୁଦ୍ରଗଣ ଙ୍କ ବିଜୟର ଦିନ । ଅସୁର ମାନେ ପ୍ରଥଦିନ ଯୁଦ୍ଧରେ ହାରିଗଲେ । ସୂର୍ଯ୍ୟ ଅସ୍ତ ହୋଇ ଯିବାରୁ ପ୍ରଥମ ଦିନ ଯୁଦ୍ଧ ସମାପ୍ତି ଘୋଷଣା କଲେ କାର୍ତ୍ତିକ ।
ସମର ଛାଡି ନଦୀର ଗୋଟିଏ କୂଳରେ ରୁଦ୍ରଗଣ ଓ ଆଉ ଗୋଟିଏ କୂଳରେ ଅସୁରଗଣ ରାତ୍ରି ଯାପନ କଲେ । ରାତ୍ରି ହୋଇଯିବାରୁ ଭୃଗୁ ସୁତ ଯୁଦ୍ଧର ଭୂମି ଉପରେ ଠିଆ ହୋଇ ମୃତ୍ୟୁ ସଂଜୀବନି ମନ୍ତ୍ର ଦ୍ୱାରା ଅସୁର ମାନଙ୍କ ପକ୍ଷରୁ ଯେତେ ସୈନ୍ୟ ମରି ପଡ଼ିଥିଲେ ସମସ୍ତଙ୍କୁ ଜୀଵଦାନ ପ୍ରଦାନ କଲେ । ସୈନ୍ୟ ମାନେ ଜୀଵଦାନ ପାଇବା ପରେ ଜଳନ୍ଧର ନିକଟକୁ ଆସିଲେ । ଜଳନ୍ଧର ଅଭୟ ବାଣୀ ସୈନ୍ୟମାନଙ୍କୁ ପ୍ରଦାନ କଲା । ଯୁଦ୍ଧର ଦ୍ଵିତୀୟ ଦିନ । ସକାଳ ହେବାରୁ ଉଭୟ ସୈନ୍ୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ । କାର୍ତ୍ତିକ ଦେଖିଲେ ଯେଉଁ ସୈନ୍ୟମାନଙ୍କୁ ସେ ପ୍ରଥମ ଦିନ ଯୁଦ୍ଧ ରେ ବିନାଶ କରିଥିଲେ ସେହି ସୈନ୍ୟ ମାନେ ଜୀବତ ହୋଇ ପୁଣି ଯୁଦ୍ଧ କରିବାକୁ ଆସିଛନ୍ତି ! ଆଶ୍ଚର୍ଯ୍ୟ ହୋଇଗଲେ କାର୍ତ୍ତିକ ! ଏମିତି ଯୁଦ୍ଧ ଚାଲିଥାଏ । ଦ୍ଵିତୀୟ ଦିନରେ ରୁଦ୍ରଗଣ ଙ୍କର କିଛି ସୈନ୍ୟ ମଲେ ଏବଂ ଦୈତ୍ୟମାନଙ୍କ ମଧ୍ୟରୁ କିଛି ଅସୁରୁ ମଲେ । ଏହି ଦିନରେ ସେମିତି କିଛି କାହାର ବିଜୟ ହୋଇ ନଥିଲା । ସମ ଯୁଦ୍ଧ ଥିଲା ଦ୍ଵିତୀୟ ଦିନଟି । ରୁଦ୍ରଗଣ ଅସୁର ସୈନ୍ୟ ମାନଙ୍କୁ ମାରୁଥାନ୍ତି ମାତ୍ର ଭୃଗୁସୁତ ସବୁଦିନ ରାତ୍ରିରେ ସେହି ମୃତ ଅସୁର ମାନଙ୍କୁ ଜୀଵଦାନ ପ୍ରଦାନ କରି ଚାଲିଥାନ୍ତି ।ଏମିତି କେତେଦିନ ଚାଲିଲା ।
ରୁଦ୍ରଗଣ ଙ୍କ ମନରେ ଭାଲେଣି ପଡିଲା ।ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଓ କହିଲେ ଆମ୍ଭେମାନେ ଯେତେ ଅସୁରକୁ ବିନାଶ କରୁଛେ ସେହି ଅସୁରମାନେ ପୁଣି ଜୀବନ ପାଇ ଯୁଦ୍ଧରେ ଯୋଗ ଦେଉଛନ୍ତି କେମିତି ? ଚିନ୍ତାକଲେ ରୁଦ୍ରଗଣ ଓ ରାତିରେ ଜଗି ବସିଲେ । ଜାଣିଗଲେ ସେମାନେ ଅସୁରମାନଙ୍କୁ କିଏ ଜୀଵଦାନ ପ୍ରଦାନ କରୁଛନ୍ତି କିଛି ଉପାୟ ନପାଇ ରୁଦ୍ରଗଣ ଶଙ୍କର ଭଗବାନଙ୍କ ନିକଟକୁ ଗଲେ ଓ କହିଲେ ହେ ଶଙ୍କର ! ଆମେ ବିପରୀତ ଦେଖୁଛୁ ଆମେ ଯୁଦ୍ଧରେ ଯେତେ ଅସୁର ମାନଙ୍କୁ ମାରୁଛୁ ଶୁକ୍ର ରାତ୍ରିରେ ଆସି ସେମାନଙ୍କୁ ଜୀଵଦାନ ଦେଉଛନ୍ତି ରୁଦ୍ରଗଣ ମାନଙ୍କ ଠାରୁ ଏମନ୍ତ କଥା ଶୁଣି ବ୍ୟୋମକେଶ କ୍ରୋଧିତ ହୋଇଗଲେ ଓ ଘନ ଘନ ନିଃଶ୍ବାସ ଛାଡିବାରେ ଲାଗିଲେ। ଶଙ୍କର ଭଗବାନ ବିବ୍ରତ ହୋଇଗଲେ । ଯୁଗର ଅନ୍ତ ହେଲାବେଳେ ଯେପରି ଘୋର ପବନ ବହେ ଓ ସମସ୍ତ ଜୀବନକୁ ନଷ୍ଟ କରିଦିଏ ସେହି ଘୋର ପବନ ଭଳି ଏକ ପିଶାଚୀ କୁ ନିଜ ଶରୀରରୁ ଜାତ କଲେ ଶଙ୍କର ।ତାହାର ମୂର୍ତ୍ତି ଏମନ୍ତ ଥିଲା ....ପିଶାଚୀ ଗର୍ଜନ କଲେ ଧରିତ୍ରୀ କମ୍ପିଉଠେ ।ମୁକୁଳା କେଶ ଫରଫର ହୋଇ ଉଡୁଥାଏ ।ମୁହଁ ତାହାର ପର୍ବତ ସମାନ ।କର୍ଣ୍ଣ ,ନାସିକା , ଆଖି , ଓ ପାଟି ରୁ ସାତ କୁଣ୍ଡ ନିଆଁ ବାହାରୁ ଥାଏ । ସେହି ପିଶାଚୀ ର ସ୍ତନ ଦୁଇଟି ପର୍ବତ ପରି ଦେଖା ଯାଉଥାଏ , ସ୍ତନ ରୁ ସତେ ଯେପରି ସୂର୍ଯ୍ୟ ଉଦୟ ହେଉଅଛନ୍ତି କି ? କୁଚ ଦୁଇଟି ହଲାଇ ଦେଲେ ମର୍ତ୍ତ୍ୟ ଲୋକ ତାହା ଭିତରେ ଲୁଚକାଳି ଖେଳିବା ପରି ମନେହୁଏ । ଉଦର କଥା ଶୁଣିଲେ ଆହୁରି ଭୟ ଲାଗିବ । ପିଶାଚି ର ଉଦର ଏତେ ବଡ଼ ଯେ ତାଳ ଗଛ ମଧ୍ୟ ଖାଇ ସେ ହଜମ କରିଦେବ ।
ଶଙ୍କର ଭଗବାନ ଏହିପରି ଭୟଙ୍କର ପିଶାଚି କୁ ସୃଷ୍ଟିକରି ଆଜ୍ଞା ଦେଇ କହିଲେ ଅସୁର ଗୁରୁ ଭୃଗୁଋଷି ଙ୍କ ପୁଅ ଶୁକ୍ର ଯିଏକି ମହା ୠଷି ନାମରେ ଖ୍ୟାତ ତାହାଙ୍କୁ ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଗୁପ୍ତରେ ବିନାଶ କର ।ମନେ ରଖ ଶୁକ୍ର ୠଷି ଙ୍କୁ ଜୀବନରୁ ମାରୁଦେବୁ ନାହିଁ ତାକୁ ଗୁପ୍ତରେ ଲୁଚାଇ ରଖି ସମର ଶେଷ ହେଲେ ଛାଡ଼ିଦେବୁ ।
ଶଙ୍କରଭଗବାନଙ୍କ ଠାରୁ ଆଜ୍ଞାପାଇ ପିଶାଚୀ ରଣସ୍ଥାନକୁ ଗଲା ସେଠାରେ ଯୁଦ୍ଧର ଗତିବିଧି ଲୁଚିକରି ଦେଖିଲା । ସେଦିନ ଯୁଦ୍ଧ ସରିଗଲା ପରେ ରାତ୍ରି ହେବାରୁ ସମସ୍ତ ସୈନ୍ୟ ଆଶ୍ରୟ ନେଲେ । ରାତ୍ରିରେ ପିଶାଚି ମଲା ଶବ ନିକଟରେ ଉପସ୍ଥିତ ହୋଇ ମଲା ଶବକୁ ଗିଳିବାରେ ଲାଗିଲା । ହଂସ ଯେପରି କ୍ଷୀରରେ ମିଶିଥିବା ପାଣି ରୁ କେବଳ କ୍ଷୀର ପିଇ ପାଣିକୁ ଅଲଗା କରିଦିଏ ସେହିପରି ପିଶାଚି କେବଳ ଅସୁର ମାନଙ୍କ ଶବ କୁ ବାଛି ବାଛି ଗିଳିବାରେ ଲାଗିଲା । ଅସୁର ଗଣ ଦେଖିଲେ ପିଶାଚୀ ଜଣଙ୍କ ଅସୁର ମାନଙ୍କ ଶବ କୁ ଗିଳି ଦେଉଛି ,ଏଣୁ ବିଭିନ୍ନ ଅସ୍ତ୍ର ତା ଉପରେ ପ୍ରୟୋଗ କଲେ ମାତ୍ର କିଛି ଅସ୍ତ୍ର ତା ଶରୀରକୁ ଭେଦ କଲାନାହିଁ ପିଶାଚୀ ମଲା ଶବ କୁ ଖାଇ ନିଜ ଉଦରକୁ ପୂର୍ଣ୍ଣ କରି ଅସୁରଗୁରୁ ଶୁକ୍ର ଙ୍କ ନିକଟକୁ ଆସିଲା ।
ଗୁରୁ ଶୁକ୍ରଚାର୍ଯ୍ୟ ଙ୍କ ନିକଟକୁ ପିଶାଚୀ ଯାଇ ରଥରୁ ଟାଣି ଆଣିଲା ଶୁକ୍ରଙ୍କୁ ।ଫୁଲ ଗଛରୁ ଫୁଲ ତୋଳି ଯେମିତି ମୁଣ୍ଡରେ ଖୋସନ୍ତି ସେହିପରି ଶୁକ୍ରଙ୍କୁ ଫୁଲ ମନେ କରି ପିଶାଚୀ ରଥରୁ ଶୁକ୍ର ଙ୍କୁ ତୋଳି ଆଣି ନିଜ ମୁଣ୍ଡରେ ବସାଇ ଗିରି ଗୁମ୍ଫାରେ ପଶିଗଲା । ଶୁକ୍ରଙ୍କୁ ପିଶାଚୀ ନେଇ ଯାଉଥିବାର ଦେଖି ଅସୁର ମାନେ ହାହାକାର କରି ଯୁଦ୍ଧରୁ କିଛି ସୈନ୍ୟ ଅପସରି ଯିବାକୁ ଲାଗିଲେ ।
ଗୁରୁ ଶୁକ୍ରଚାର୍ଯ୍ୟ ଙ୍କ ଅନୁପସ୍ଥିତ ଦେଖି ଅସୁରମାନେ ଅତି କ୍ରୋଧିତ ହୋଇ ରୁଦ୍ରଗଣ ଙ୍କୁ ଶର ବିନ୍ଧି ବାରେ ଲାଗିଲେ ।ଜଳନ୍ଧର ଠାରୁ ଆଜ୍ଞା ପାଇ ଶୁମ୍ଭ ,ନିଶୁମ୍ଭ ଦୁଇଭାଇ କାଲନେମି କୁ ସାଙ୍ଗରେ ନେଇ ତିନିଜଣ ଯୁଦ୍ଧର ଭାର ସମ୍ଭାଳିଲେ ।ଏପଟେ କାଲନେମି କୁ ନନ୍ଦୀ ,ଶୁମ୍ଭ କୁ ବିନାୟକ ନିଶୁମ୍ଭ କୁ କାର୍ତ୍ତିକ ବାଣ୍ଟି ନେଇ ଯୁଦ୍ଧ କଲେ । ଏହି ଛଅ ଜଣ ଙ୍କ ମଧ୍ୟରେ ଯୁଦ୍ଧ ଘମାଗୋଟ ଲାଗିଲା । ନିଶୁମ୍ଭ ପଞ୍ଚ ବାଣ ର ଅଧିକାରୀ । ଏହି ପଞ୍ଚ ବାଣ କୁ କାର୍ତ୍ତିକ ଉପରେ ପ୍ରୟୋଗ କଲା । ନିଶୁମ୍ଭ ର ପଞ୍ଚ ବାଣ ପ୍ରୟୋଗରେ କାର୍ତ୍ତିକ ବାହାନ ମୟୁର ଅଚେତ ହୋଇଗଲା ।ନନ୍ଦୀ ର ଶୂଳ ପ୍ରୟୋଗରେ କାଲନେମି ରଥ ଭାଙ୍ଗିଗଲା । ଏହାପରେ କାଲନେମି ର ଧନୁ ଖସି ପଡ଼ିଲା । ଶମ୍ଭୁ ସହିତ ଗଣ ପତି ମଲ୍ଲଯୁଦ୍ଧ କଲେ । ଭୂମି ଉପରେ ଗଡ଼ାଗଡ଼ି ହୋଇ ଯୁଦ୍ଧ କଲେ । ଶମ୍ଭୁର ଆଘାତରେ ଗଜାନନ ଅଚେତନ ହୋଇଗଲେ । ପୁନଶ୍ଚ ଚେତା ପାଇ ଯୁଦ୍ଧ ଆରମ୍ଭ କଲେ । ଶେଷରେ ଶମ୍ଭୁ ମୂର୍ଛିତ ହୋଇଗଲା ।
ଭଗବାନ ଶଙ୍କର ଯୁଦ୍ଧର ଘୋର ଧ୍ୱନି ଶୁଣି ବୃଷଭ ବାହାନରେ ନିଜେ ଯୁଦ୍ଧ ଭୂମିକୁ ବିଜେ କଲେ । ଶଙ୍କର ଭଗବାନଙ୍କ ସହିତ ଭୁତ ,ବେତାଳ ,ଦଣ୍ଡ ଧାରୀ , ଡାକିନୀ , ଯୋଗିନୀ ମାନେ ଆସିଥିଲେ । ଶଙ୍କରଙ୍କ ସହିତ ଆସିଥିବା ସମସ୍ତ ରୁଦ୍ରଗଣ ସମର ସ୍ଥଳେ ଉପସ୍ଥିତ ହେଲେ । ପଶୁପତି ଅତି ଆନନ୍ଦିତ ହୋଇ ହୋଇ ବାଣ ବିନ୍ଧିବାରେ ଲାଗିଲେ ପିନାକ ଧନୁରୁ ଶର ନିର୍ଗତ ହୋଇ ଅସୁର ମାନଙ୍କ ଶରୀର ରେ ବାଜିବାରୁ ବହୁ ଅସୁର ନିପାତ ହେଲେ । ଏକା ଭଗବାନ ଶିବ କୋଟି କୋଟି ଅସୁରଙ୍କୁ ମାରି ଭୂମି ଉପରେ ପକାଇ ଦେଲେ ।
ଜଳନ୍ଧର ଆଉ ସମ୍ଭାଳି ନପାରି ଧନୁକୁ ହାତରେ ଧରି ରଥ ଉପରେ ବସି ଶିବ ଭଗବାନଙ୍କୁ ତିନୋଟି ଶର , ଗଣପତିକୁ ପାଞ୍ଚ ଶର ,ବିରଭଦ୍ର କୁ ଚାରି ଶର ଏକାବେଳେ ମାରିଲା । ନନ୍ଦୀ ଓ କାର୍ତ୍ତିକ ଙ୍କୁ ଗୋଟିଏ ଚକ୍ର ଫୋପାଡ଼ି ଦେଲା ଜଳନ୍ଧର । ଏହାପରେ ଶହେଟି ଶରକୁ ଏକା କରି ଜଳନ୍ଧର ଭଗବାନ ଶିବ ଙ୍କ ନିକଟକୁ ପ୍ରେରଣ କଲା । ପଶୁପତି , ଜଳନ୍ଧର ର ଶର ବିଷୟରେ ଚିନ୍ତାକଲେ ।ଦଳନ୍ଧର ଉପରକୁ ଶର ନିକ୍ଷେପ କଲେ ଶଙ୍କର । ବ୍ରହ୍ମ ଶର ପ୍ରୟୋଗ ରେ ଦୈତ୍ୟ ଜଳନ୍ଧର ରଥ ଭାଙ୍ଗିଗଲା । ଏହାପରେ ଜଳନ୍ଧର ନିଜର ଶର ଦ୍ୱାରା ବିରଭଦ୍ର କୁ ସବୁଦିନ ପାଇଁ ବିନାଶ କରିଦେଲା । ଯୁଦ୍ଧ ଏପରି ଲାଗିଲା ଯେ କେତେବେଳେ ଭଗବାନ ଶିବ ହଡ଼ବଡ଼ ହେଉଥିଲେ ତ କେତେବେଳେ ଜଳନ୍ଧର ନିଜ ଉପରୁ ବିଶ୍ୱାସ ହରାଇ ବସୁଥିଲା ।ହେତି , ପ୍ରହେତୀ ଦୁଇ ବିର ଶାଳ ଗଛ ମାନ ଉପାଡି ଯୁଦ୍ଧ କରୁଥିଲେ । ଶଙ୍କର ଭଗବାନ ଓ ଜଳନ୍ଧର ଙ୍କ ଯୁଦ୍ଧ ଚାଲିଥାଏ ,ଏହି ସମୟରେ ସୂର୍ଯ୍ୟ ଅସ୍ତ ହୋଇଗଲେ । ଦୁଇ ପକ୍ଷ ରଣ ରୁ ଓହରିଗଲେ । ରୁଦ୍ରଗଣ ଓ ଅସୁରଗଣ ଦୁଇ ଭାଗ ହୋଇ କିଛି ଯୋଜନ ଦୂରରେ ରହିଲେ ।
ଏହାପରେ ଭଗବାନ ଶିବ ଗଙ୍ଗା ପାଣିରେ ସ୍ନାନ ସାରି ନିଜ ପୁରରେ ପାରିଷଦ ମାନଙ୍କୁ ନେଇ ଆନନ୍ଦରେ ରାତ୍ରି କଟାଇଲେ।
କ୍ରମଶଃ …………………..