ଦେବୋତ୍ଥାପନ ଏକାଦଶୀ
କାର୍ତ୍ତିକ ଶୁକ୍ଳ ଏକାଦଶୀ / ତୁଳସୀ ବିବାହ
କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି । ଏହି ଏକାଦଶୀକୁ ଦେବଉଠନୀ, ଦେବୋତ୍ଥାନ ଏବଂ ପ୍ରବୋଧିନୀ ଏକାଦଶୀ ମଧ୍ୟ କୁହାଯାଇଥାଏ।
ଦେବଉଠନୀ ଏକାଦଶୀ ବିଷୟରେ କୁହାଯାଇଥାଏ ଯେ ଭଗବାନ ବିଷ୍ଣୁ ଚାରି ମାସ ଯୋଗ ନିନ୍ଦ୍ରା ପରେ ଜାଗ୍ରତ ହୋଇଥାନ୍ତି। ଏହି ଏକାଦଶୀ ଦୀପାବଳି ପରେ ପାଳନ କରାଯାଇଥାଏ। ଦେବଉଠନୀ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଜାଗ୍ରତ ହେବା ପରେ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏଥିସହ, ଏହି ଦିନ ତୁଳସୀ ବିବାହ ମଧ୍ୟ କରାଯାଇଥାଏ।
ସମସ୍ତ ଏକାଦଶୀ ମଧ୍ୟରେ ଦେବଉଠନୀ ଏକାଦଶୀ ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି ଦିନ ଭଗବାନ ନାରାୟଣ ଜାଗ୍ରତ ହେବା ପରେ ଚତୁର୍ମାସ ବି ଶେଷ ହୋଇଯାଏ । ଏହାପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ମାନ୍ୟତା ଅନୁଯାୟୀ ଦେବଶୟନ ଏକାଦଶୀ ଆରମ୍ଭ ହେବା ପରେ ବିବାହ ଭଳି ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇଥାଏ।
ତୁଳସୀ ବିବାହ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ । ତୁଳସୀ ବିବାହରେ ମାତା ତୁଳସୀଙ୍କ ବିବାହ ଭଗବାନ ଶାଲିଗ୍ରାମ ସହ କରାଯାଇଥାଏ । ବିଶ୍ବାସ ରହିଛି ଯେ ଯେଉଁ ବ୍ୟକ୍ତି ତୁଳସୀ ବିବାହର ଅନୁଷ୍ଠାନ କରିଥାନ୍ତି ସେମାନଙ୍କୁ କନ୍ୟାଦାନର ବରାବର ପୁଣ୍ୟ ଫଳ ମିଳିଥାଏ । ଆସନ୍ତୁ ଜାଣିବା ତୁଳସୀ ବିବାହର ତାରିଖ,ମୁହୂର୍ତ୍ତ ଏବଂ ଧାର୍ମିକ ମହତ୍ତ୍ବ –
ତୁଳସୀ ବିବାହ ପ୍ରତି ବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି ଦିନ କରାଯାଇଥାଏ । ଅନେକ ସ୍ଥାନରେ ଦ୍ବାଦଶୀ ଦିନ ମଧ୍ୟ ତୁଳସୀ ବିବାହ କରାଯାଇଥାଏ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥିକୁ ଦେବୋତ୍ଥାନ ଏକାଦଶୀ ମଧ୍ୟ କୁହାଯାଇଥାଏ ।
ତୁଳସୀ ବିବାହର ପୂଜା ବିଧି :
ତୁଳସୀ ଗଛର ଚାରିପଟେ ମଣ୍ଡପ ବନାନ୍ତୁ ।
ତୁଳସୀ ଗଛ ଉପରେ ଲାଲ ଓଢ଼ଣୀ ଚଢ଼ାନ୍ତୁ ।
ତଳସୀ ଗଛରେ ଶୃଙ୍ଗାର ଜିନିଷ ଅର୍ପଣ କରନ୍ତୁ ।
ଶ୍ରୀ ଗଣେଶଙ୍କ ପୂଜା ଏବଂ ଶାଳିଗ୍ରାମର ବିଧିବଦ୍ଧ ପୂଜା କରନ୍ତୁ ।
ଭଗବାନ ଶାଳିଗ୍ରାମଙ୍କ ମୂର୍ତ୍ତିର ସିଂହାସନ ହାତରେ ନେଇ ତୁଳସୀଙ୍କ ୭ପରିକ୍ରମା କରନ୍ତୁ ।
ଆରତୀ ପରେ ବିବାହ ମଙ୍ଗଳଗୀତ ସହ ବିବାହୋତ୍ସବ ପୂର୍ଣ୍ଣ କରାଯାଇଥାଏ ।
#ତୁଳସୀ_ବିବାହ🌹
#ଶ୍ରୀପରୀକ୍ଷିତ_ଉବାଚ
ତୁଳସୀ ଦେବୀଙ୍କ ଚରିତ । ଶ୍ରବଣେ ରାଜା ପରୀକ୍ଷିତ ।।
ହୋଇଣ ଅତୀବ ସନ୍ତୋଷ । ପୁଛନ୍ତି ଆହେ ବ୍ୟାସ ଶିଷ୍ୟ।।
ସାର୍ଥକ ହୋଇଲା ଜନମ । ତୁମ୍ଭ ମୁଖୁ ଶୁଣି ବଚନ ।।
ସକଳ କହିଲ ବଖାଣି , । ଦୟାସାଗର ଆନ୍ଦୁ ମୁନି ।।
ତୁଳସୀ ବିବାହ କିପରି । କୁହନ୍ତୁ ବାରେ କୃପାକରି ।।
ଶୁଣନ୍ତେ ହୋଇବି ମୁଁ ଧନ୍ୟ । ବନ୍ଦୁଛି ଯୁଗଳ ଚରଣ ।।
ରାଜନ ଭକ୍ତିଭାବ ଜାଣି । ହସି ବୋଲନ୍ତି ଶୁକମୁନି ।।
#ଶ୍ରୀଶୁକ_ଉବାଚ
ଶୁଣନ୍ତୁ ହସ୍ତିନା ନରେଶ । ପୁଚ୍ଛିଲ ମତେ ଯା ସନ୍ଦେଶ।।
ପଦ୍ମ ପୁରାଣର ନିୟମ । ଆନନ୍ଦେ କରନ୍ତୁ ଶ୍ରବଣ ।।
ବିଷ୍ଣୁ ଯାମଳାଙ୍କ ମତରେ । ଯେବେ ଉତ୍ତର ଅୟନରେ।।
ଗୁରୁ ଓ ଶୁକ୍ରଙ୍କ ଉଦୟ । ମନରେ ନକର ସଂଶୟ।।
ଅଥବା କାର୍ତ୍ତିକ ମାସରେ । ଭୀଷ୍ମ ପଞ୍ଚଦିନ ମଧ୍ୟରେ ।।
ଶୁକ୍ଳ ଏକାଦଶୀ କାର୍ତ୍ତିକ । ତହୁଁ ପୂର୍ଣ୍ଣିମାଯାଏ ଦେଖ ।।
ଏ ପବିତ୍ର ପାଞ୍ଚଦିନରେ । ବିବାହୋନ୍ତି ନକ୍ଷତ୍ରାଦିରେ ।।
ପୂର୍ଣ୍ଣିମା ତିଥି ବିଶେଷତଃ । ବିବାହ ପାଇଁ ଉପଯୁକ୍ତ ।।
ପଦ୍ମ ପୁରାଣଙ୍କ ମତରେ । ବୈଶାଖ କାର୍ତ୍ତିକ ମାଘରେ।।
ଶୁଭଦିନକୁ ରଖି ଧ୍ୟେୟ । କରିବ ତୁଳସୀ ବିବାହ ।।
ବିଶେଷତଃ କାର୍ତ୍ତିକ ମାସ । ଶୁକ୍ଳ ଚତୁର୍ଦ୍ଦଶୀ ସାରସ।।
ବିବାହ ପାଇଁ ଉପଯୁକ୍ତ । ଶୁଣନ୍ତୁ ରାଜା ପରୀକ୍ଷିତ।।
ତୁଳସୀ ବୃକ୍ଷ ଗୃହେ ଥାଉ । ଅବା ବନରେ ଉଠିଥାଉ ।।
ତାହାକୁ ଏକମାସ ଯାଏ । ଜଳଦାନ କରିବ ରାଏ।।
ଏଭାବେ ଯତ୍ନେ ବଢ଼ାଇବ । ତତ୍ପରେ ପୂଜନ କରିବ ।।
ବିବାହ ବିଧି ଅନୁସାରେ । ବେଦୀ ନିର୍ମାଣିବ ସେଠାରେ ।।
କୁଣ୍ଡ ଓ ମଣ୍ଡପ ନିର୍ମାଣ । ଅତି ଯତ୍ନେ କରିବ ଶୁଣ ।।
ଆଚାର୍ଯ୍ୟ ଓ ଚାରି ବ୍ରାହ୍ମଣ । ରତ୍ୱିଜ କରିବ ବରଣ।।
ଶୁଣ ବିବାହ ପୂର୍ବଦିନ । ସସ୍ତ୍ରୀକ ହୋଇ ଯଜମାନ ।।
ବ୍ରାହ୍ମଣ ଆଚାର୍ଯ୍ୟ ସହିତ । ପାଳିବ ଉପବାସ ବ୍ରତ।।
କୃଷ୍ଣଙ୍କୁ କରି ନିମନ୍ତ୍ରଣ । ସାୟଂକାଳେ କର ଅର୍ଚ୍ଚନ।।
ପଞ୍ଚୋପଚାରେ ପୂଜାକରି । ହସ୍ତେ ମାଲ୍ୟ ଚନ୍ଦନ ଧରି ।।
ତାହାଙ୍କୁ କରିବ ଅର୍ପଣ । ଲଭିବ ଅଶେଷ କଲ୍ୟାଣ ।।
କରିବ ପୁଣି ଗ୍ରହପୂଜା । ଅଷ୍ଟାଦଶ ମାତୃକା ପୂଜା ।।
ବସୋଦ୍ଧାରା ଓ ନାନ୍ଦୀଶ୍ରାଦ୍ଧ । ହୋଇବ ପୁଣି ବିଧିବଦ୍ଧ।।
ସ୍ବର୍ଣ୍ଣ ପ୍ରତିମା ବିଷ୍ଣୁଙ୍କର । ତୁଳସୀ ପ୍ରତିମା ରୂପାର।।
ନିର୍ମାଣ କରି ବେଦୀପରେ । ଯତ୍ନେ ସ୍ଥାପିବ ଭକ୍ତିଭରେ ।।
ତୁଳସୀ ଦେବୀଙ୍କୁ ତତ୍ପରେ । ସଜାଇବି ନାନାଳଂକାରେ।।
ଭକ୍ତିରେ କରିବ ପୂଜନ । ସମୟ ଗୋଧୂଳି ଲଗନ ।।
ବିବାହର ବିଧି ବିଧାନ । ବିଷ୍ଣୁଙ୍କୁ କରିବ ପ୍ରଦାନ ।।
ତତ୍ପରେ ‘ ଓଁ ସଧଶ୍ନୁ ତେନ ‘ ।ଏହି ମନ୍ତ୍ର କରି ପଠନ ।।
ବସ୍ତ୍ରରେ କରିବ ବେଷ୍ଟନ । ପ୍ରତିମା ଓ ଚରୁକୁ ଜାଣ ।।
ଓଁ ଯଦାବଧ ‘ ମନ୍ତ୍ର ଗାଇ । ପ୍ରତିମାଙ୍କୁ କଙ୍କଣ ଦେଇ ।।
ବିଷ୍ଣୁ ପ୍ରତିମା ହସ୍ତ ସହ । ତୁଳସୀ ହସ୍ତ ଯୋଗ ଦିଅ।।
ଓଁ ଆଜଂ ତଦାତ୍ ’ ମନ୍ତ୍ରରେ । କରିବ ବିଧି ଅନୁସାରେ।।
ଦେବୀ ସ୍ଥିତ କୁଣ୍ଡ ମଧ୍ୟରେ । ହୋମ କରିବ ତତପରେ।।
ବାସୁଦେବଙ୍କର ମନ୍ତ୍ରରେ। ଦବ ଆହୂତି ଭକ୍ତିଭରେ।।
ଆଚାର୍ଯ୍ୟ କରିବେ ପ୍ରଦାନ । ହୋଇ ଅତୀବ ହର୍ଷମନ।।
ତଦନନ୍ତରେ ରାୟ ଶୁଣ । ସପତ୍ନୀକ ଯେ ଯଜମାନ ।।
ବନ୍ଧୁବାନ୍ଧବ ଏକତ୍ରିତ । ବିଷ୍ଣୁଙ୍କୁ ତୁଳସୀ ସହିତ ।।
ଚାରିଥର ଯେ ପ୍ରଦକ୍ଷିଣ । କରିବ ଆନନ୍ଦେ ମଗନ ।।
ଶାନ୍ତିକ ଅଧ୍ୟାୟ ସେକାଳେ । ପାଠ କରିବ ଭକ୍ତିଭୋଳେ ।।
ବିଷ୍ଣୁ ସ୍ତବକୁ ପଢୁଥିବ । ନାନାବାଦ୍ୟ ବଜାଉଥୁବ।।
ନାରୀମାନେ ମଙ୍ଗଳ ଗାନ । ସେକାଳେ କରୁଥିବେ ଶୁଣ।।
କର୍ତ୍ତା ଯେ କରିବେ ପ୍ରଦାନ । ଗୋ ଆସନ ଓ ଶଯ୍ୟାମାନ।।
ଋତ୍ୱିକମାନଙ୍କ ଦକ୍ଷିଣା । ନହୋଇ କେବେ ଆନମନା।।
ବ୍ରାହ୍ମଣେ ଉତ୍ତମ ଭୋଜନ । ତୋଷେ କରିବ ସମ୍ପ୍ରଦାନ।।
ତୁଳସୀ ବିବାହ ଏ ଭାବେ । ହୃଷ୍ଟଚିତ୍ତେ କରିବ ଯେବେ।।
ଆଜନ୍ମ ପାପରୁ ସେ ଜୀବ । ଅଚିରେ ମୁକତି ଲଭିବ ।।
ତୁଳସୀ ଦେବୀ ଭକ୍ତିରସ। ଶୁଣନ୍ତେ ପାପହୁଏ ନାଶ ।।
ସୁଜନେ ନକର ସଂଶୟ । ଗୀତଛନ୍ଦେ ଭଣେ ଅଜୟ ।।
ବାରେ ନଧରିବ ମୋ ଦୋଷ । ମୁଁ ତୁମ୍ଭ ଦାସଙ୍କର ଦାସ ।।
‼️ ହରି ଓଁ ନମୋ ଭଗବତେ ବାସୁଦେବାୟ ‼️