ଆସ ଆଜିଠାରୁ ଭାଗବତ ପଢିବା —….!
♾️♾️♾️♾️⭕⭕♾️♾️♾️♾️
ତୁ ଏବେ ମୋର ଘରେ ନାଥ। ଅଂଶେ ହୋଇଲୁ ଦେହବନ୍ତ।
ଜାଣିଲି ଯେତେକ ଅସୁର। ମାରି କରିବୁ ମହୀ ସ୍ଥିର।
ତୋର ଜନମ ମୋର ଘରେ। ଶୁଣିଣ କଂସ କୋପଭରେ।
ଛ ପୁତ୍ର ମାଇଲା ମୋହର। ତୁ କି ନଜାଣୁ ଚକ୍ରଧର।
ପ୍ରହରୀମାନେ ଜଗିଛନ୍ତି। ଶୁଣିବେ ବୋଲି ମନେ ଭୀତି।
କଂସକୁ କହିବେ ତୁରିତେ। ସେ ଆସି ମାରିବଟି ତୋତେ।
ତୋତେ ହିଁ ତୁହି ରକ୍ଷା କର। ମୁଁ ଛାର ମନୁଷ୍ୟ ମାତର।
ଏମନ୍ତେ ଗଡ଼ଘାଲି ଶୋଇ। କମ୍ପଇ କୃଷ୍ଣ ମୁଖ ଚାହିଁ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଚତୁର୍ଥ ଅଧ୍ୟାୟ )
ପ୍ରସଙ୍ଗ – ଶ୍ରୀକୃଷ୍ଣ ଜନ୍ମ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ! ପୁତ୍ର ରୂପରେ ଜାତ ହୋଇଥିବା ଭଗବାନ ଶ୍ରୀକୃଷ୍ଣଙ୍କୁ ବସୁଦେବ ସ୍ତୁତି କରି କହିଲେ , ହେ ପ୍ରଭୁ ! ପୃଥିବୀର ଭାରାଭାର ହରଣ କରିବା ପାଇଁଁ ଆପଣ ଏବେ ସ୍ଵୟଂ ମୋ ଘରେ ମନୁଷ୍ୟ ଶରୀର ଧାରଣ କରି ଜାତ ହୋଇଛନ୍ତି। ମୁଁ ଜାଣୁଛି ଯେ କଂସ ସହିତ ପୃଥିବୀର ସକଳ ଦୁଷ୍ଟ ଅସୁରମାନଙ୍କୁ ବିନାଶ କରି ଆପଣ ଏ ପୃଥିବୀର ଭାରାଭାର ହରଣ କରିବେ। ହେ ପ୍ରଭୁ ଚକ୍ରଧର ! ଆପଣ ତ ଜାଣିଛନ୍ତି , ଆପଣ ମୋ ଘରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜାତ ହେବେ ବୋଲି ଜାଣିବା ପରେ ଆପଣଙ୍କ ଭୟରେ ଦୁଷ୍ଟ କଂସାସୁର କ୍ରୋଧିତ ହୋଇ ଆପଣଙ୍କ ପୂର୍ବରୁ ଦେବକୀଙ୍କ ଗର୍ଭରୁ ଜାତ ହୋଇଥିବା ମୋର ଛଅ ପୁତ୍ରଙ୍କୁ ମାରି ପକାଇଲା। ଏହି ବନ୍ଦୀଶାଳାକୁ କଂସର ପ୍ରହରୀମାନେ ଜଗି ରହିଛନ୍ତି। ମୋତେ ଭୟ ଲାଗୁଛି ଯେ ଯଦି ସେହି ପ୍ରହରୀମାନେ ଆପଣଙ୍କ ଜନ୍ମ ହେବା କଥା ଶୁଣିବେ ତାହେଲେ ସେମାନେ ତୁରନ୍ତ ଯାଇ ସେକଥା ଦୁଷ୍ଟ କଂସାସୁରକୁ ଜଣାଇବେ ଯାହା ଫଳରେ କି ସେହି ଦୁଷ୍ଟ କଂସାସୁର ସାଙ୍ଗେସାଙ୍ଗେ ଆପଣଙ୍କୁ ମାରିବାକୁ ଧାଇଁ ଆସିବ। ତେଣୁ ହେ ପ୍ରଭୁ ! ମୁଁ ତ ଛାର ମନୁଷ୍ୟ। ମୁଁ ବା କଣ କରି ପାରିବି ! ଏ ପରିସ୍ଥିତିରେ ଆପଣ ନିଜେ ହିଁ ନିଜକୁ ରକ୍ଷା କରନ୍ତୁ। ତାପରେ ବସୁଦେବ ଭଗବାନ ଶ୍ରୀକୃଷ୍ଣଙ୍କୁ ଚାହିଁ ଭୂମି ଉପରେ ଶିର ଲଗାଇ ଲମ୍ବ ହୋଇ ପଡ଼ିଗଲେ ଓ ଦୁଷ୍ଟ କଂସ କଥା ଭାବି ଭୟରେ ଥରିବାକୁ ଲାଗିଲେ।
ଭାବାର୍ଥ – ଏଠାରେ ବସୁଦେବଙ୍କର ଭଗବାନଙ୍କୁ ସ୍ତୁତି କରିବା ବିଷୟ ବର୍ଣ୍ଣିତ ହୋଇଅଛି।

