.
ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ
ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ
!! ଭାଗ – ୧୪୪ !!
ଡା.କୃପାସିନ୍ଧୁ ମିଶ୍ର
✤●○●○●○✤‼️✤○●○●○●✤
ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍
✤●○●○●○✤♾️✤○●○●○●✤
══━━━━✥◈❤️◈✥━━━━══
ପ୍ରସ୍ରବଣ ପର୍ବତର ପାଦ ଦେଶରେ ଅତି ବିସ୍ତୃତ ଗୁମ୍ଫାଟିଏ ଥିଲା Ι ସତେ ଯେପରି ବ୍ରହ୍ମା ତାହା ପ୍ରଭୁଙ୍କର ବର୍ଷା ନିବାସ ହେବ ବୋଲି କଳ୍ପନା କରି ନିର୍ମାଣ କରିଥିଲେ Ι ହନୁମାନ ଅନ୍ୟ କିଛି ବାନରଙ୍କୁ ନେଇ ସେହି ଗିରିଗୁହାକୁ ବାସୋପଯୋଗୀ କରିଦେଲେ Ι ସେହି ଗୁହାରେ ଉଭୟ ଭ୍ରାତା ବର୍ଷା କାଳ ବିତାଇବା ଉଦ୍ଦେଶ୍ୟରେ ଅବସ୍ଥାନ କଲେ Ι
“ସୁନ୍ଦର ବନ କୁସୁମିତ ଅତି ଶୋଭା, ଗୁଞ୍ଜତ ମଧୁପ ନିକର ମନ ଲୋଭା Ι
ଦେଖି ମନୋହର ଶୈଳ ଅନୂପା, ରହେ ତହଁ ଅନୁଜ ସହିତ ସୁରଭୂପା Ι”
ମଧୁକର, ଖଗ, ମୃଗ, ତନୁ ଧରି ଦେବା, କରହି ସିଦ୍ଧ ମୁନି ପ୍ରଭୁକି ସେବା Ι”
ମୃଦୁ ମନ୍ଦ ସୁଗନ୍ଧିତ ସମୀରଣରେ ଦୋଳାୟିତ ତରୁଶ୍ରେଣୀ, ବିବିଧ ପଲ୍ଲବିତ ପୁଷ୍ପିତ ବୃକ୍ଷରାଜିରେ ଭରା କାନନ ସତେ ଯେପରି ବର୍ଷାଗମକୁ ଅପେକ୍ଷା କରି ହିଲ୍ଲୋଳିତ ହେଉଥଆନ୍ତି Ι ଆକାଶରେ ମେଘମାଳା ଘୋଟିବା ଦେଖି ମୟୂର ମୟୂରୀ ନୃତ୍ୟ କଲେ Ι ସେ ନୟନାଭିରାମ ଦୃଶ୍ୟ ସନ୍ଦର୍ଶନରେ ଶ୍ରୀରାମଙ୍କର ହୃଦୟ ସୀତାଙ୍କ ଅଭାବ ଅନୁଭବ କରି ବ୍ୟାକୁଳ ହେଲା Ι ସେ ଲକ୍ଷ୍ମଣଙ୍କୁ କହିଲେ,
“ଲକ୍ଷ୍ମଣ ଦେଖ, ଘନ ଦର୍ଶନରେ ଶିଖୀମାନେ କିପରି ପୁଚ୍ଛ ବିସ୍ତାରି ନୃତ୍ୟ କରୁଛନ୍ତି ! ଯେମିତି ଗୃହୀମାନେ ବିଷ୍ଣୁ ଭକ୍ତଙ୍କୁ ଦେଖି ପରମ ଆନନ୍ଦ ଲାଭ କରନ୍ତି Ι
“ଘନ ଘମଣ୍ଡ ନଭ ଗରଜତ ଘୋରା, ପ୍ରୀୟାହୀନ ତରପତ ମନ ମୋରା.
ଦାମିନୀ ଦମକ ରହ ନ ଘନ ମାହି, ଖଲ କେ ପ୍ରୀତି ଯଥା ଥିର ନାହିଁ.”
ବିଜୁଳି ଚମକୁଛି Ι କ୍ଷଣେ ଦେଖା ଦେଇ ପୁଣି ଲୁଚିଯାଉଛି Ι ଖଳଲୋକଙ୍କ ପ୍ରୀତି ଏହିପରି ଅସ୍ଥିର Ι ମୋ କୋଳରେ ଜାନକୀ ବିରାଜିଲା ପରି ନୀଳ ମେଘରେ ସୌଦାମିନୀ ଶୋଭାପାଉଛି Ι ଅମ୍ବରରେ ଘନ ଘନ ନିନାଦିତ ଘନର ଡମ୍ବରୁ ଶୁଣ Ι ଅନତିଦୂରରେ ସ୍ଥିତ କିଷ୍କିନ୍ଧ୍ୟା ରାଜନବରରୁ ନୃତ୍ୟଗୀତର ମଧୁର ଧ୍ୱନି ଭାସି ଆସୁଛି Ι ମିତ୍ର ସୁଗ୍ରୀବ ତାଙ୍କର ପତ୍ନୀମାନଙ୍କ ସହ ଆନନ୍ଦରେ କାଳ ଯାପନ କରୁଛନ୍ତି Ι କିନ୍ତୁ ମୁଁ ଏଠାରେ ଓ ମୈଥିଳୀ କେଉଁ ଅଜ୍ଞାତ ରାକ୍ଷସ ପୁରୀରେ ବିରହ ବେଦନାରେ ଜର୍ଜରିତ ହୋଇ କାଳ କାଟୁଛୁଁ Ι”
ପ୍ରସ୍ରବଣ ଗିରି ବନ ଉପରେ ବହୁ ରୂପ ରଙ୍ଗ ଓ ଶବ୍ଦ ସମ୍ଭାର ଘେନି ବର୍ଷାଋତୁ ପ୍ରବେଶ କରିଥିଲା Ι ଆକାଶରେ ମେଘମାନଙ୍କର ସମାଗମ ଯୋଗୁଁ ପର୍ବତ ଓ ପାର୍ଶ୍ୱବର୍ତ୍ତୀ ଅରଣ୍ୟରେ ଖରା ଛାଇର ଖେଳ ଲାଗିଥିଲା Ι ସମୟ ସମୟରେ ଇନ୍ଦ୍ରଧନୁ ତାର ବର୍ଣ୍ଣ ବୈଭବ ସହ ଆତ୍ମପ୍ରକାଶ କରୁଥିଲା Ι କ୍ରମେ କ୍ରମେ ଘୋର ବର୍ଷା ଆରମ୍ଭ ହେଲା Ι
“ଯହୁଁ ପ୍ରବେଶ ହୋଇଲା ଦୁଃସହ ବରଷା, ନାନା ପକ୍ଷୀମାନେ ତହିଁ ଭିଆଇଲେ ବସା Ι
ମୃଗ ଭୟ ଛାଡ଼ିଣ ଚରନ୍ତି ଏଣେ ତେଣେ, କୋକିଳ ଝିଙ୍କାରୀ ପଶିଲେ ଗହନ ବନେ Ι
ବୃକ୍ଷମାନେ ଦିଶନ୍ତି ଯେ ନୂଆ ପରକାର, କଦମ୍ବ ପୁଷ୍ପମାନେ ଫୁଟନ୍ତି ନିରନ୍ତର Ι
ଶ୍ରାବଣ ପ୍ରବେଶ ହୁଏ ଏଥୁ ଅନନ୍ତରେ, ଘୋର ବୃଷ୍ଟି କରି ବରଷନ୍ତି ଜଳଧରେ Ι
ଅଖଣ୍ଡିତ ଧାରା ଯେ ନ ଦିଶେ ଦଶ ଦିଶ, ବନ ପଲ୍ଲବିଣ ପୁଣି ହୁଅଇ ଅଦୃଶ୍ୟ Ι
ନଦୀମାନେ ବଢ଼ନ୍ତି ଯେ ପୂରେ ପୁଷ୍କରିଣୀ, ପର୍ବତ ଉପରୁ ଝରି ପଡ଼ଇ ଯେ ପାଣି Ι
ସୂର୍ଯ୍ୟଙ୍କ କିରଣ ତେଜ ନ ଦିଶେ ଗଗନେ, ବୃକ୍ଷେ କମ୍ପମାନ ହ୍ୱନ୍ତି ପ୍ରଚଣ୍ଡ ପବନେ Ι “[ବଳରାମ ଦାସ ]
ରାମ କହିଲେ,”ଲକ୍ଷ୍ମଣ ଲକ୍ଷକର,
ଏଷା ଧର୍ମ ପରିକ୍ଳିଷ୍ଟା, ନବବାରି ପରିପ୍ଲୁତା
ସୀତୈବ ଶୋକସନ୍ତପ୍ତା ମହୀ ବାଷ୍ପମ୍ ବିମୁଞ୍ଚତି”
ଗ୍ରୀଷ୍ମ କାଳରେ ଶୁଷ୍କ ହୋଇଥିବା ଧରିତ୍ରୀ ନୂତନ ଜଳରେ ପ୍ଲାବିତ ହୋଇ ବାଷ୍ପ ନିର୍ଗତ ହେଉଛି Ι ମୋତେ ଲାଗୁଛି, ସତେ ଯେମିତି ଶୋକ ସନ୍ତପ୍ତା ସୀତା ଦୀର୍ଘଶ୍ୱାସ ତ୍ୟାଗ କରୁଛନ୍ତି !
ଦାଦୁର ଧୁନି ଚହୁଁ ଦିଶା ସୁହାଇ, ବେଦ ପଢ଼ହି ଜନୁ ବଟୁ ସମୁଦାଇ Ι
ଖୋଜତ କତହୁଁ ମିଲହିଁ ନାହିଁ ଧୂରୀ, କରଇ କ୍ରୋଧ ଜିମି ଧରମ ହିଁ ଦୂରୀ.
ମହାବୃଷ୍ଟି ଚଲି ଫୁଟି କିଆରୀ, ଜିମି ସ୍ୱତନ୍ତ୍ର ଭଏଁ ବିଗରହିଁ ନାରୀ”.
ମଣ୍ଡୁକମାନେ ସମ୍ମିଳିତ ସ୍ୱରରେ ଶବ୍ଦ କରୁଛନ୍ତି, ଯେମିତି ବ୍ରାହ୍ମଣମାନେ ଏକତ୍ର ବେଦପାଠ କରନ୍ତି Ι କ୍ରୋଧ ଯେ କୌଣସି ବ୍ୟକ୍ତିର ଧର୍ମ ଭାବ ଲୋପ କରି ଦେଲାପରି ବର୍ଷା ଧରଣୀଉପରୁ ଧୂଳି ସବୁ ଧୋଇ ନେଇ ଯାଇଛି Ι ବର୍ଷାଜଳ ଶସ୍ୟ କ୍ଷେତ୍ରରେ କିଆରୀର ହିଡ଼ ଭାଙ୍ଗି ବହିଯାଉଛି ଠିକ୍ ଯେମିତି ପଥଭ୍ରଷ୍ଟା ନାରୀ ବାଧା ବନ୍ଧନ ନ ମାନି ସ୍ୱେଚ୍ଛାଚାରୀ ହୋଇ ବିଚରଣ କରେ Ι
“ନବ ଦୁର୍ବାଦଳେ ବସୁମତୀ ଶୋଭା ପାଏ, ସାଧବାଣୀ ପୋକେ ମଣ୍ଡି ହୋଇଛନ୍ତି କାୟେ Ι
ଏ ବର୍ଷା କାଳ ଗୃହୀଙ୍କ ଅଟେ ସୁଖପ୍ରଦ,କିନ୍ତୁ ବିରହ ଅନଳ ଦହୁଛି ମୋ ହୃଦ Ι”
[କ୍ଷେତ୍ରମୋହନ]
(ପାଠକମାନଙ୍କୁ ପୁରାତନ ରଚନାର ସ୍ୱାଦ ପରିବେଷଣ ପାଇଁ ଏହି ବର୍ଷାରୁତୁ ବର୍ଣ୍ଣନାରେ ବାଲ୍ମୀକି ରାମାୟଣ, ରାମଚରିତ ମାନସ, ଦାଣ୍ଡି ରାମାୟଣ ଓ କ୍ଷେତ୍ରମୋହନ ରାମାୟଣର କେତେକ ଉଦ୍ଧୃତି ଯୋଗ କରାଯାଇଛି Ι )
[କ୍ରମଶଃ]
✿❁❣️༒ ଜୟ ଶ୍ରୀ ରାମ༒ ❣️❁✿
=≠≠=====ଆଜି ପାଇଁ ସମାପ୍ତ==≠====
🏵️🏵️🙏 ଶୁଭ ରାତ୍ରି 🙏🏵️🏵️

