। ଭାଗବତ ।
♾️♾️⭕⭕♾️♾️
ଶୁଣି ବୋଲନ୍ତି ନାରାୟଣ। ଭୋ ମାତ ଶୁଣ ମୋ ବଚନ।
ବ୍ରହ୍ମା ଯେ ସୃଷ୍ଟି ଭିଆଇଲା। ତୁମ୍ଭ ଦୁହିଁଙ୍କି ଜାତ କଲା।
ପୃଶ୍ନି ସୁତପା ନାମ ବହି। ଜନ୍ମ ହୋଇଲ ତୁମ୍ଭେ ଦୁଇ।
ତାର ଆଦେଶ ଘେନି ଶିରେ। ମିଳିଲ ଗହନ ବନରେ।
ଅନେକ ଦୁଃଖେ ତପ କରି। ଜଳ ପବନ ପତ୍ର ଚରି।
ବରଷା ଗ୍ରୀଷ୍ମ ଶୀତ ହିମେ। ଶ୍ଵାସ ନିରୋଧି ମହାଶ୍ରମେ।
ଶତେବରଷ ଦେବମତେ। ତପ ସାଧିଲ ଦୃଢ଼ ଚିତ୍ତେ।
ନିରତେ କଲ ମୋତେ ଧ୍ୟାନ। ମୁଁ ପୁଣି ହୋଇଲି ପ୍ରସନ୍ନ।
ଆନନ୍ଦେ ଯାଚିଲି ମୁଁ ବର। ଜାଣିଲି ତୁମ୍ଭର ବିଚାର।
ମୋର ପ୍ରସନ୍ନ ଭାବ ଘେନି। ଭାବେ ବୋଇଲ ତୁମ୍ଭେ ବେନି।
ବୋଇଲ ଶୁଣ ଚକ୍ରଧର। ଆମ୍ଭର ହୋଇବ କୁମର।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଚତୁର୍ଥ ଅଧ୍ୟାୟ )
ପ୍ରସଙ୍ଗ – ଶ୍ରୀକୃଷ୍ଣ ଜନ୍ମ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ମାତା ଦେବକୀଙ୍କ ସ୍ତୁତି ଶୁଣି ଭଗବାନ ଶ୍ରୀହରି କହିଲେ , ହେ ମାତା ! ତୁମ୍ଭେ ଏବେ ମୋର ବଚନ ଶୁଣ। ସୃଷ୍ଟି ରଚନା କରିବା ପରେ ବ୍ରହ୍ମା ତୁମ୍ଭ ଦୁଇଜଣକୁ ଉତ୍ପନ କଲେ। ପ୍ରଥମ ଜନ୍ମରେ ତୁମ୍ଭର ନାମ ପୃଶ୍ନି ଥିଲା ଓ ପିତା ବସୁଦେବଙ୍କ ନାମ ସୁତପା ଥିଲା। ବେଦବର ବ୍ରହ୍ମା ତୁମ୍ଭ ଦୁଇଜଣକୁ ସନ୍ତାନ ଉତ୍ପନ କରିବାକୁ ଆଜ୍ଞା ଦେବାରୁ ତାଙ୍କର ଆଦେଶକୁ ଶିରୋଧାର୍ଯ୍ୟ କରି ତୁମ୍ଭେ ଦୁଇଜଣ ତପସ୍ୟା କରିବା ନିମନ୍ତେ ଗହନ ବନକୁ ଚାଲିଗଲ। ବନରେ କେତେବେଳେ ଜଳ ତ କେତେବେଳେ ପବନ ଓ ଆଉ କେତେବେଳେ ପତ୍ର ଆହାର କରି ତୁମ୍ଭେ ଦୁହେଁ ଅନେକ କଷ୍ଟକର ତପସ୍ୟା କଲ। ସେଠାରେ ଗ୍ରୀଷ୍ମ , ବର୍ଷା , ଶୀତ ଓ କାକରର କଷ୍ଟକୁ ସହ୍ୟ କରିବା ସହିତ ପ୍ରାଣାୟମ ଦ୍ଵାରା ଶ୍ଵାସକୁ ନିରୋଧି ତୁମ୍ଭେ ଦୁଇଜଣ ଦେବମତରେ ଶହେ ବର୍ଷ ପର୍ଯ୍ୟନ୍ତ ଦୃଢ଼ ତପସ୍ୟା କଲ ଓ ସନ୍ତାନ ପ୍ରାପ୍ତି ନିମନ୍ତେ ନିରନ୍ତର ମୋତେ ଧ୍ୟାନ କଲ। ମୁଁ ତୁମ୍ଭ ଦୁଇଜଣଙ୍କ ତପସ୍ୟାରେ ପ୍ରସନ୍ନ ହେଲି ଓ ତୁମ୍ଭମାନଙ୍କର ମନୋଭାବ ଜାଣିପାରି ତୁମ୍ଭର ଅଭୀଷ୍ଟ ପୂର୍ଣ୍ଣ କରିବାକୁ ତୁମ୍ଭ ନିକଟରେ ପ୍ରକଟ ହୋଇ ଆନନ୍ଦରେ ତୁମ୍ଭ ଦୁହିଁଙ୍କୁ ବର ଯାଚିଲି। ମୁଁ ତୁମ୍ଭ ଦୁହିଁଙ୍କ ଉପରେ ପ୍ରସନ୍ନ ହୋଇଥିବାର ଜାଣି ତୁମ୍ଭେ ଦୁହେଁ ମୋତେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହିତ କହିଲ , ହେ ପ୍ରଭୁ ଚକ୍ରଧର ! ଆପଣ ଯଦି ଆମ୍ଭ ଦୁହିଁଙ୍କୁ ବର ପ୍ରଦାନ କରିବାକୁ ଚାହୁଁଛନ୍ତି ତା’ହେଲ ଆମ୍ଭେ ଆପଣଙ୍କୁ ଏହି ବର ମାଗୁଛୁ କି ଆପଣ ଆମ୍ଭର ପୁତ୍ର ରୂପରେ ଜାତ ହେବେ।
ଭାବାର୍ଥ – ଦେବକୀ ଓ ବସୁଦେବ ପ୍ରଥମ ଜନ୍ମରେ ପୃଶ୍ନି ଓ ସୁତପା ରୂପରେ ଜନ୍ମ ହୋଇ ଭଗବାନଙ୍କୁ ତାଙ୍କ ପୁତ୍ର ରୂପରେ ଜାତ ହେବାପାଇଁ ଭଗବାନଙ୍କୁ ବର ପ୍ରାର୍ଥନା କରିଥିଲେ।
ଆସନ୍ତୁ ପଢିବା ଗୀତା….
ଅଧ୍ୟାୟ ୧୨ – ଶ୍ଳୋକ ୯ – ଭକ୍ତିଯୋଗଃ
ଅଥ ଚିତ୍ତଂ ସମାଧାତୁଂ ନ ଶକ୍ନୋଷି ମୟି ସ୍ଥିରମ | ଅଭ୍ୟାସୟୋଗେନ ତତୋ ମାମିଚ୍ଛାପ୍ତୁଂ ଧନଂଜୟ ||
ଯଦି ମୋଠାରେ ଚିତ୍ତ ନିବେଶ ସ୍ଥିର ରଖିବାକୁ ସକ୍ଷମ ନହୁଅ ତେବେ ଧନଞ୍ଜୟ ତୁମେ ଅଭ୍ୟାସଯୋଗ ଦ୍ୱାରା ମତେ ପ୍ରାପ୍ତ ହେବାକୁ ଚେଷ୍ଟାକର ।
✿❣️༒ ଜୟ ଜଗନ୍ନାଥ ༒❣️✿

