.
ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ
ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟ
ଡା.କୃପାସିନ୍ଧୁ ମିଶ୍ର
✤○●○●○●✤
══━━━━✥◈❤️◈✥━━━━══
ପ୍ରସ୍ରବଣ ଶୈଳ ଉପରେ ଜାନକୀଙ୍କ ବିରହରେ ଜାନକୀବଲ୍ଲଭ ଅତି ଦୁଃଖରେ କାଳ କାଟୁଥାଆନ୍ତି Ι ଅମ୍ବରରେ ଘନଘନ ନିନାଦିତ ଘନର ଡମ୍ବରୁ, ପ୍ରଭୁଙ୍କର ଅନ୍ତରରେ ପ୍ରଳୟର ଦୁନ୍ଦୁଭି ନିଃସ୍ୱନ ପରି ପ୍ରତୀୟମାନ ହେଉଥାଏ Ι ପୂଣ୍ୟତୋୟା ତଟିନୀ ଗୋଦାବରୀ ଦୁଇକୂଳ ଖାଇ ଉଛୁଳି ଉଛୁଳି ବହୁଥାଏ Ι ରିମ୍ ଝିମ୍ ବରଷାର ସଙ୍ଗୀତ ପ୍ରତିଧ୍ୱନିତ ହେଉଥାଏ ଗିରି ଗୁହାରେ Ι
“ବହନ୍ତି, ବର୍ଷନ୍ତି, ନଦନ୍ତି, ଭାନ୍ତି. ଧ୍ୟାୟନ୍ତି,ନୃତ୍ୟନ୍ତି, ସମାଶ୍ୱସନ୍ତି,
ନଦ୍ୟୋ, ଘନାଃ, ମତ୍ତଗଜାଃ ବନାନ୍ତାଃ, ପ୍ରୀୟାବିହୀନାଃ ଶିଖିନଃ ପ୍ଲବଙ୍ଗାଃ Ι[ବାଲ୍ମୀକି ରାମାୟଣ]
[ନଦ୍ୟଃ ବହନ୍ତି, ଘନାଃ ବର୍ଷନ୍ତି, ମତ୍ତଗଜାଃ ନଦନ୍ତି, ବନାନ୍ତାଃ ଭାନ୍ତି,
ପ୍ରୀୟାବିହୀନାଃ ଧ୍ୟାୟନ୍ତି, ଶିଖିନଃ ନୃତ୍ୟନ୍ତି, ପ୍ଳବଙ୍ଗାଃ ସମାଶ୍ୱସନ୍ତି]
ନଦୀମାନେ ପ୍ରବଳ ବେଗରେ ବହୁଛନ୍ତି Ι ମେଘମାଳା ବର୍ଷୁଛନ୍ତି Ι ମତ୍ତହସ୍ତୀମାନଙ୍କର ବୃଂହଣରେ ବନସ୍ଥଳୀ କମ୍ପମାନ ହେଉଛି Ι ବର୍ଷାବିଧୌତ ଅରଣ୍ୟାନୀର ଉଜ୍ଜ୍ୱଳ ଆଭା ପ୍ରସରି ଯାଉଛି Ι ଏ ବର୍ଷାର୍ଦ୍ର ରଜନୀରେ ବିରହୀ ପୁରୁଷ ଓ ବିରହିଣୀ କାମିନୀମାନେ ନିଜର ପ୍ରିୟ ବା ପ୍ରିୟାର ଚିନ୍ତାରେ ଅତି ଦୁଃଖରେ କାଳଯାପନ କରୁଛନ୍ତି Ι ମୟୂର, ମୟୂରୀ ଆନନ୍ଦରେ ନୃତ୍ୟ କରିବାରେ ଲାଗିଛନ୍ତି Ι ବୃକ୍ଷ ବାସୀ ବାନରମାନେ ଯତ୍ର ତତ୍ର ଭ୍ରମଣ କରିବା ତ୍ୟାଗ କରି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବାସ କଲେଣି Ι
ଦୁଇ ମାସ ରାଜୁତି କଲାପରେ ବର୍ଷା ରାଣୀ ତାର ରାଜତ୍ୱ ସମାପ୍ତ କଲା Ι ଧୀରେ ଧୀରେ ଧରିତ୍ରୀ ଉପରୁ ବର୍ଷାର ପ୍ରକୋପ କମିବାରେ ଲାଗିଲା Ι
“ ବରଷା ବିଗତ ଶରଦ ଋତୁ ଆଇ, ଲଛମନ ଦେଖହୁ ପରମ ସୁହାଈ Ι
ଫୁଲେ କାଶ ସକଳ ମହୀ ଛାଈ, ଜନୁ ବରଷା କୃତ ପ୍ରଗଟ ବୁଢାଈ Ι “
ମନୋହର ଶରତ ଋତୁ ଆଗମନରେ ପାର୍ବତୀୟ ପ୍ରକୃତିରେ ବ୍ୟାପକ ପରିବର୍ତ୍ତନ ଦେଖା ଦେଲା Ι କାଶତଣ୍ଡି ପୁଷ୍ପର ଶ୍ୱେତ ବର୍ଣ୍ଣ, ବର୍ଷା ଋତୁର ବାର୍ଦ୍ଧକ୍ୟଜନିତ ଶୁକ୍ଲ କେଶ ପରି ପ୍ରତୀୟମାନ ହେଉଥିଲା Ι ପୁଷ୍କରିଣୀରେ କମଳ ଓ କୁମୁଦମାନେ ବିକଶିତ ହେଲେ. Ι ତହିଁରେ ହଂସ ହଂସରାଳି କ୍ରୀଡା କରିବାର ଦୃଶ୍ୟ ଜନମନ ହରଣ କଲା Ι କାନନରେ ଅନ୍ୟ କୁସୁମକଳିମାନ ପ୍ରଷ୍ଫୁଟିତ ହେଲେ Ι ଅଳିମାନଙ୍କ ଗୁଞ୍ଜରଣରେ ଧ୍ୱନିତ ହେଲା ପୁଷ୍ପ ବାଟିକା Ι ଋତୁ ପରିବର୍ତ୍ତନ ସହ ନଦୀର ଜଳ, ସମୀରର ଆର୍ଦ୍ରତା ଓ ଆକାଶର ବର୍ଣ୍ଣ ପରିବର୍ତ୍ତିତ ହେବାରେ ଲାଗିଲା Ι ତରଙ୍ଗିଣୀର ଅସ୍ୱଚ୍ଛ ଜଳ ନିର୍ମଳ ପାଲଟିଗଲା Ι ଧୂସର ଆକାଶ ନୀଳ ବର୍ଣ୍ଣ ଧାରଣ କଲା Ι ଏବେ ବି କେବେ କେମିତି ଆକାଶରେ ଜଳଦମାଳ ଦୃଶ୍ୟମାନ ହେଉଥିଲେ Ι
ଚପଳା ଅବଳା ଏବେ ନେତ୍ରେ ନ ଦିଶଇ,
ଘନ କୋଳ ତେଜି ଦୂରେ ଗଲା କି ପଳାଇ Ι
“ନିର୍ମଳ ଚନ୍ଦ୍ର ମଣ୍ଡଳ ଆକାଶେ ବିରାଜି,
ଦିଶେ ଯଥା ଦର୍ପକ ଦର୍ପଣ ଥିଲେ ମାଜି Ι”
ଶାରଦୀୟ ରଜନୀର ଆକାଶରେ ନିର୍ମଳ ଚନ୍ଦ୍ରମଣ୍ଡଳ ଦର୍ଶନ କରି ଶ୍ରୀରାମ ବିରହ ଯନ୍ତ୍ରଣାରେ ଅତ୍ୟନ୍ତ କାତର ହୋଇ ସୀତାଙ୍କ ରୂପ ଗୁଣ ବାହୁନିବାରେ ଲାଗିଲେ Ι
ମୈଥିଳୀଙ୍କ ଅବସ୍ଥା ମଧ୍ୟ କାରୁଣ୍ୟ ଭରା ଥିଲା Ι ଅଶୋକ ବନ ରାକ୍ଷସ ରାକ୍ଷସୀଙ୍କ ପାଇଁ ଶୋକହୀନ ଥିଲା Ι କିନ୍ତୁ ଜାନକୀଙ୍କ ପାଇଁ ତାହା ଘୋର ବିଷାଦପୂର୍ଣ୍ଣ ଏକ କାରାଗାର ପରି ଅନୁଭୂତ ହେଉଥିଲା Ι ଅବିରତ ସ୍ୱାମୀଙ୍କୁ ସ୍ମରଣ କରି କ୍ରନ୍ଦନ କରିବା ଫଳରେ ତାଙ୍କର ସୁବର୍ଣ୍ଣ ବର୍ଣ୍ଣା କାନ୍ତି ମଳିନ ପଡିଯାଇଥିଲା Ι ଚନ୍ଦ୍ରମୁଖ ମଳିନ ପଡି ଯାଇଥିଲା Ι କୁତ୍ସିତ ଦର୍ଶନା ନିଶାଚରୀମାନଙ୍କର କର୍ଣ୍ଣକଟୁ ଗର୍ଜନ ତର୍ଜନ ଶ୍ରବଣ କରିବାକୁ ପଡୁଥିଲା Ι ମଧ୍ୟେ ମଧ୍ୟେ ବିଜେ କରୁଥିଲେ ଦଶାନନ Ι ସେ ଯେଉଁ ପ୍ରେମପୂର୍ଣ୍ଣ ସମ୍ଭାଷଣ କରୁଥିଲେ, ତାହା ଉତ୍ତପ୍ତ ତୈଳ ଭଳି ତାଙ୍କର କର୍ଣ୍ଣ ଗହ୍ୱରରେ ପ୍ରବେଶ କରୁଥିଲା Ι ନାନା ଚିନ୍ତା ତାଙ୍କ ମନକୁ ଆଚ୍ଛାନ୍ନ କରି ରଖିଥିଲା Ι “ପତିଙ୍କ ନିକଟରେ ତାଙ୍କର ଅବସ୍ଥାନର କୌଣସି ସମ୍ବାଦ ଅଛି କି ନା ? ସେ ତଳକୁ ଫିଙ୍ଗି ଦେଇ ଆସିଥିବା ଅଳଙ୍କାର ଆଦି ପାଇ ତାଙ୍କୁ କେହି କହିଲେ ନା ନାହିଁ ? ପିତା ଜଟାୟୁ ତାଙ୍କୁ ସମ୍ବାଦ ଦେବାଯାଏଁ ବଞ୍ଚିଥିଲେ ତ ?” ନିରାଶାର ଅନ୍ଧକାର ମଧ୍ୟରେ କେବଳ ତ୍ରିଜଟାଙ୍କର ଆଶ୍ୱାସନା ଓ ‘ରାମ ଲକ୍ଷ୍ମଣ ଆସିବେ’ ବୋଲି ଦୃଢ ଭବିଷ୍ୟବାଣୀ ତାଙ୍କୁ କ୍ଷୀଣ ଆଲୋକରେଖା ଭଳି ସାମୟିକ ଆଶ୍ୱସ୍ତି ପ୍ରଦାନ କରୁଥିଲା Ι
ବିରହ ବିଧୂର ଶ୍ରୀରାମଙ୍କ ହୃଦୟର ଦାରୁଣ ଦୁଃଖ ଦୁଇଜଣ ମର୍ମେ ମର୍ମେ ଅନୁଭବ କରୁଥିଲେ Ι ଲକ୍ଷ୍ମଣ ଓ ହନୁମାନ Ι କିନ୍ତୁ ମିତ୍ର ସୁଗ୍ରୀବ ରାଜସୁଖ ମଧ୍ୟରେ ବୁଡି ରହି ସବୁ କିଛି ଭୁଲିଯାଇଥିଲେ Ι ମଦିରାପାନ କରି ଓ ବାନର ରମଣୀଙ୍କ ପ୍ରେମରେ ଉନ୍ମତ୍ତ ହୋଇ ନାନା ରଙ୍ଗରସ ମଧ୍ୟରେ ସେ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲେ Ι ଦିନେ ହନୁମାନ ସୁଗ୍ରୀବଙ୍କୁ ଭେଟି ତାଙ୍କର ମିତ୍ରଙ୍କ ପ୍ରତି କର୍ତ୍ତବ୍ୟ ବିଷୟରେ ସଚେତନ କଲେ Ι ସୁଗ୍ରୀବ ଆବଶ୍ୟକ ମାତ୍ରାରେ ଉଦ୍ ଗ୍ରୀବ ପ୍ରତେ ନ ହେବାରୁ ସେ ବିଳମ୍ବରେ ଘଟିବାକୁ ଯାଉଥିବା ସମ୍ଭାବ୍ୟ ବିପଦ ସମ୍ପର୍କରେ ଚେତାବନୀ ମଧ୍ୟ ଦେଲେ Ι କିଷ୍କିନ୍ଧ୍ୟାପତିଙ୍କର କ୍ଷଣକ ପାଇଁ ଚୈତନ୍ୟୋଦୟ ହେଲା Ι କିଷ୍କିନ୍ଧ୍ୟା ଓ ରାଜ୍ୟ ବାହାରେ ଥିବା ବିଶିଷ୍ଟ ବାନରମାନଙ୍କ ନିକଟକୁ ସମ୍ବାଦ ପ୍ରେରଣ କରିବା ପାଇଁ ନଳ ଓ ନୀଳଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରି ସେ ପୁନର୍ବାର ରାଣୀମାନଙ୍କର ଅଙ୍କ ପଲଙ୍କ ମଣ୍ଡନ କରିବାକୁ ଚାଲିଗଲେ Ι କିନ୍ତୁ ତାଙ୍କ ଅନ୍ତଃପୁରରେ ମଧ୍ୟ କେହି ଥିଲେ, ଯିଏ ତାଙ୍କର ମଙ୍ଗଳ କାମନା କରୁଥିଲେ Ι ସେ ଥିଲେ ରାଜନୀତି ପ୍ରବୀଣା, ଅଭିଜ୍ଞା ମହାରାଣୀ ତାରା Ι
[ଅନ୍ତର୍ଗତ ଉଦ୍ଧୃତି ଗୁଡ଼ିକ ପରିଚିତ କବିଙ୍କର]
[କ୍ରମଶଃ]
✿❁❣️༒ ଜୟ ଶ୍ରୀ ରାମ༒ ❣️❁✿


