‼️ ବ୍ରହ୍ମଦାରୁ ସ୍ମରାମି ‼️
” ସହସ୍ର ଶ୍ରୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍ ।
ସ ଭୂମିଂ ବିଶ୍ୱତୋବୃତ୍ବା ତ୍ୟତିଷ୍ଠଦ୍ ଦଶାଙ୍ଗୁଳମ୍।।”
ଈଶ୍ୱରଙ୍କ ପ୍ରକୃତ ସ୍ୱରୂପ ବା ସାକାର ରୂପ ବିଷୟରେ ଯଜୁର୍ବେଦରେ ବର୍ଣ୍ଣନା କରାଯାଇଛି :-
ଅସଂଖ୍ୟ ଶିର, ଅସଂଖ୍ୟ ଚକ୍ଷୁ, ଅସଂଖ୍ୟ ପାଦଯୁକ୍ତ ପୁରୁଷ ସର୍ବଦା ପରିପୂର୍ଣ୍ଣ ଅଟେ। ଏହା ସର୍ବାଶ୍ରୟ ପ୍ରକୃତିକୁ ସମସ୍ତ ପ୍ରକାରର ବ୍ୟାପ୍ତିକରି ଦଶ ଆଙ୍ଗୁଳ ଅର୍ଥାତ୍ ଦଶ ଅଂଶ ବିକାର ଯଥା ଯଥା-ମହତ ଆଦି ସ୍ଥୂଳ ଓ ସୂକ୍ଷ୍ମ ଭୂତକୁ ଆକ୍ରମଣ କରି ଏସବୁର ଅଧ୍ୟକ୍ଷ ରୂପରେ ପ୍ରକାଶିତ।
ଜଗନ୍ନାଥ କହିଲେ ଆମେ କ’ଣ ବୁଝିବା ?
ସାଧାରଣ ଅର୍ଥରେ ବିଚାର କଲେ ମହାପ୍ରଭୁ ନୀଳାଦ୍ରି ବିହାରୀ ଶ୍ରୀଜଗନ୍ନାଥ ଦୁଇଟି ଚକାଚକା ଆଖି ଆଉ ଗୋଟିଏ ଅଧାଗଢା କାଠ କଣ୍ଢେଇ ପରି ଶରୀର ।ସେ ରୂପ ନା ମଣିଷ ଭଳି, ନା ପଶୁ ନା ପକ୍ଷୀ ନା ସରିସୃପ ନା ୧ଲକ୍ଷ ୮୪ ହଜାର ଯୋନି ରେ ଥିବା କୌଣସି ରୂପ ସହ ତାଳ ଖାଇବ। ସେ ପୁଣି ନାମ ବୋଲାଉଅଛି ଜଗନ୍ନାଥ !
ସେହି ଅସଂପୂର୍ଣ୍ଣ ରୂପ କୁ ଦେଖିବା ଲାଗି ବଡ଼ଦେଉଳ ରେ ନୀତି ଭକତ ଙ୍କ ଭୀଡ଼। କିଏ ବଡ଼ଦେଉଳ ଖୁସି ମନରେ ଯାଉଛି ତ ସେ ରୂପକୁ ଦେଖି କାନ୍ଦି ପକାଉଛି କିଏ ବାଉଳା ହୋଇ ସେ ଅଧାଗଢା କଣ୍ଢେଇ ରୂପକୁ କୁଣ୍ଢେଇବ ବୋଲି ଧାଇଁ ଧାଇଁ ହୋଇ ଯାଉଛି , କିଏ ମନରେ କେତେ କ’ଣ ମାଗିବ ବୋଲି ଯାଇ ସେ ଚକାଚକା ଆଖି ଦେଖି ସବୁ ଭୁଲିବସୁଛି। କାହାମନ ସେ ରୂପକୁ ଦେଖି ନାଚି ଉଠୁଛି ତ କିଏ ଆବାକ୍ ହୋଇ ଚାହିଁ ବସିଛି ସେ ରୂପକୁ।
ସେ କାଠ କଣ୍ଢେଇକୁ ଦାରୁବ୍ରହ୍ମ କହି ତା ପାଇଁ ଦୁନିଆ ସେବାୟତ ଖଞ୍ଜା। ସିଂହାରୀ କେତେ ସୁଗନ୍ଧିତ କୋମଳ ପୁଷ୍ପରେ ସେ ଅଧାଗଢା କାଠର ମୂର୍ତ୍ତିଟାକୁ ସଜାଉଛନ୍ତି ତ ପୂଜାପଣ୍ଡା ଷାଠିଏ ପଉଠି ଭୋଗ ବିଭିନ୍ନ ଉପଚାରରେ କାଠ କଣ୍ଢେଇ ପାଖରେ ଲାଗି କରାଉଛନ୍ତି, କିଏ ଆଲଟ ଚାମର ଧରି ବିଞ୍ଚି ପକାଉଛି ତ କିଏ ଚନ୍ଦନ ଘୋରି ବୋଳି ପକାଉଛି। ଏପରି କେତେ ଯେ ସେବା ସେ କାଠର କଣ୍ଢେଇ ପାଖରେ ହେଉଛି ତାର ଧାରଣା ନାହିଁ। ଯାହାହେଲେ ମନକୁ ତ ପ୍ରଶ୍ନ ଆସିବ ନା ୟେ କ’ଣ ସତରେ ଭଗବାନ? ପୁଣି ଭଗବାନ କାହାକୁ କହିବ! ଆମ ସନାତନ ଧର୍ମ ରେ କାହିଁ କେତେ ଯାଇ ଶାସ୍ତ୍ର କୁହେ ୩୩କୋଟି ଦେବୀ ଦେବତା ଅଛନ୍ତି ପୁଣି ଯିଏ ଯାହାକୁ ଇଷ୍ଟ ଆସନରେ ପୂଜିଲା ସେ ତାକୁ ଭଗବାନ ଆଖ୍ଯା ଦେଲା।
ଶାସ୍ତ୍ର ଅନୁସାରେ ଜଣାପଡ଼େ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆଉ ସୁଦର୍ଶନ। ଏ ସତେ ଯେପରି ଦ୍ବାପର ଯୁଗର କୃଷ୍ଣ, ବଳରାମ, ସୁଭଦ୍ରା। ପୁଣି ମନେହୁଏ ଦ୍ବାପର ଯୁଗର କୃଷ୍ଣ ତ କଳାକଳେବର ଶରୀର କିନ୍ତୁ ୟେ ଅଧାଗଢା ଜଗନ୍ନାଥ ଯାହାକୁ ଲୋକେ କହୁଛନ୍ତି ତା’ର ଖାଲି ମୁଖଟା କଳା ବାକି ଯାହା କଳେବର ରହିଲା ସେତ ଚନ୍ଦନ ଭଳି ଧଳା ! ୟେ କ’ଣ ସେହି କୃଷ୍ଣ ?
ପୁଣି ପ୍ରଶ୍ନ ପରେ ପ୍ରଶ୍ନ। କିଏ କହେ ୟେ ମାୟାପତି ନାରାୟଣ, କିନ୍ତୁ ମାୟାପତି ନାରାୟଣ ଭୈରବୀ ଚକ୍ର ଉପରେ ବସିବେ କ’ଣ ପାଇଁ ? ସେ ତ ବିଷ୍ଣୁ ଯନ୍ତ୍ରରେ ରହିବା କଥା ପୁଣି ଜଗନ୍ନାଥ ଓ ଦକ୍ଷିଣ କାଳୀକାଙ୍କ ବୀଜମନ୍ତ୍ର ଏକ ଅଟେ। ପୁଣି କିଏ କହେ ୟେ ପରମପୁରୁଷ ଭଗବାନ। ତେବେ ପରମପୁରୁଷ କ’ଣ ଶାଢ଼ୀ ପିନ୍ଧନ୍ତି ? କ’ଣ ପୁରୁଷ ନାକଫୁଲ ପିନ୍ଧେ ? ତ ପରମପୁରୁଷ ତ ଦୂରକଥା ୟେ ପୁରୁଷ କିପରି ? ପୁଣି କିଏ କହେ ୟେ ପୁରୁଷ ନୁହଁ ନାରୀ, ସାକ୍ଷାତ ଦକ୍ଷିଣ କାଳୀକା (*ତାରା ଯନ୍ତ୍ର ମହାଶେଷ ଶୁଭଦ୍ରା ଭୁବନେଶ୍ୱରୀ , ଶ୍ୟାମାଚକ୍ରେ ଜଗନ୍ନାଥ ସ୍ୱୟଂ ଦକ୍ଷିଣ କାଳୀକା) ତାହେଲେ ତାଙ୍କ ପାଦ ତଳେ ଶିବ କାହାନ୍ତି ? ଏପରି ଖାଲି ପ୍ରଶ୍ନ ପରେ ପ୍ରଶ୍ନ !
ଜଣେ ସାଧାରଣ ମଣିଷ ଶ୍ରୀମନ୍ଦିର ଆସିଲେ କେଉଁ ଦିଅଁ ଭାବି ସେ ଭକ୍ତି ଅର୍ଘ୍ୟ ଅର୍ପଣ କରିବ ! ପୂର୍ବରୁ ସନ୍ଥ ତୁଳସୀ ଦାସ ଶ୍ରୀ ମନ୍ଦିର ଆସି ସେହି ରୂପରେ ସେ ମର୍ୟ୍ଯାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ କରି ପ୍ରସିଦ୍ଧ ରାମଚରିତ ମାନସ ଶ୍ରୀକ୍ଷେତ୍ର ରେ ହି ରଚନା କରିଛନ୍ତି, ବଙ୍ଗପ୍ରଦେଶରୁ ଶ୍ରୀ ଚୈତନ୍ୟ ଦେବ ଆସି ସେହି ମୂର୍ତ୍ତିରେ ରାଧାକୃଷ୍ଣଙ୍କ ଦର୍ଶନକରି ଶେଷ ଜୀବନ ସେଇଠି କଟାଇଛନ୍ତି। ସେ ତ ରାଧାକୃଷ୍ଣ ଙ୍କ ଭକ୍ତ ଥିଲେ ମଥୁରା, ବ୍ରୁନ୍ଦାବନ ନହେଲେ ସେ ଦ୍ବାରିକା ରେ ସେ ନିଜ ଆରାଧ୍ୟ କୁ ଖୋଦିଥାନ୍ତେ କିନ୍ତୁ ଶ୍ରୀକ୍ଷେତ୍ର କ’ଣ ପାଇଁ ?
ସେହିପରି ମହାରାଷ୍ଟ୍ରର ଗଣପତି ଭଟ୍ଟ ସେହି ଅଧାଗଢା ରୂପରେ ନିଜ ଇଷ୍ଟ ମହାଗଣେଷଙ୍କୁ ଦର୍ଶନ ପାଇଛନ୍ତି।
ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଯିଏକି ପରମ ଶିବଭକ୍ତ ସେ ସେହି ଅଧାଗଢା ରୂପରେ ପରଂବ୍ରହ୍ମ ଙ୍କ ଦର୍ଶନ କରି ଜଗନ୍ନାଥ ଅଷ୍ଟକମ୍ ରଚନା କରିଛନ୍ତି :-
” ରମା ଶମ୍ଭୁବ୍ରହ୍ମାସୁରପତି ଗଣେଶାର୍ଚିତ ପଦୋ।
ଜଗନ୍ନାଥଃ ସ୍ବାମୀ ନୟନପଥଗାମୀ ଭବତୁ ମେ “
ଅର୍ଥାତ୍ ଲକ୍ଷ୍ମୀ, ଶିବ, ଗଣେଶ , ଇନ୍ଦ୍ରାଦି ସକଳଦେବ ସେହି ଅଧାଗଢା ଶରୀରର ପାଦକୁ ନିତ୍ଯ ବନ୍ଦନ କରନ୍ତି। (* ପାଦ ବନ୍ଦନା ରୁ କୈାଣସି ଦେବଦେବୀ ଙ୍କ ସ୍ଥାନ ନିର୍ଣୟ କରାଯାଏ ନାହିଁ) ତନ୍ତ୍ରର ଅଧିଶ୍ବରୀ ମା ଜଗଜ୍ଜନନୀ ବିମଳା ଦେବୀ 🙏 ସେହି ବେଢା ମଧ୍ଯରେ ଅବସ୍ଥାନ କରନ୍ତି ଓ ସେ ମଧ୍ଯ ସେହି ଅଧାଗଢା ଶରୀର ର ଲାଗୁଥିବା ମହାପ୍ରସାଦକୁ ସସମ୍ମାନେ ଗ୍ରହଣ କରନ୍ତି।
ତନ୍ତ୍ର ଶାସ୍ତ୍ର ଅନୁଯାୟୀ “ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ ” ସେହି ଅଧାଗଢା ରୂପ ମା ବିମଳା ଙ୍କ ଭୈରବ ପୁଣି ସେହି ଅଧାଗଢା ରୂପ ହିଁ ବାସ୍ତବରେ ଜଗନ୍ନାଥ ନାମ ତଥା ପଦବାଚ୍ୟ ଅଟନ୍ତି।
ଜନୈକ ଭକ୍ତ ଯାହାର ଭି ଆରଧନା କରୁ ନା କାହିଁକି କିନ୍ତୁ ଯଦି ତାହାର ଭକ୍ତି ତଥା ସମର୍ପଣ ତା ଇଷ୍ଟ ପ୍ରତି ନିଷ୍ଠାପର ଥିବ ସେହି ଅଧାଗଢା ରୂପ ଜଗନ୍ନାଥ ତାକୁ ତାଙ୍କୁ ଯିଏ ଯେଉଁଭଳି ନିଷ୍ଠାପର ସହ ଭକ୍ତି କରନ୍ତି
ସେହି ରୂପରେ ସେ ଦର୍ଶନ ଦେଇଥାନ୍ତି।
ତେଣୁ ସେ ନା ଦେବ, ନା ଦେବୀ ,ନା ନର, ଗନ୍ଧର୍ବ, ରାକ୍ଷସ, କୀଟ, ପଶୁ ଭୈରବ ! କିନ୍ତୁ ସେ ହିଁ ସବୁକିଛି ତେଣୁ ସେ ଜଗନ୍ନାଥ। ସେହି ଅଧାଗଢା ଶରୀର ହିଁ ପୂର୍ଣ ପରଂବ୍ରହ୍ମ।
ଏହିପରି ଆଉ ଉଦାହରଣ ଦେଇପାରିବେ କି? ଦେଉଳ ରେ ଦିଅଁ କେହିବି ଥାଆନ୍ତୁ ଯେଉଁଠାରେ ଭକ୍ତ ତା’ର ଇଷ୍ଟ ର ଦର୍ଶନ କରିପାରିବ!! ଯେଉଁ ଶ୍ରୀ ମନ୍ଦିର ରେ କାହା ଶରୀର ରେ କ୍ଷତ ହୋଇ ରକ୍ତ ଟୋପାଏ ବାହାରିଲେ ମହାପ୍ରଭୁ ଙ୍କ ସବୁ ନୀତି ବନ୍ଦ ହୋଇ ମହାସ୍ନାନ ହୋଇ ପୁନର୍ବାର ନୀତି ଆରମ୍ଭ ହୁଏ ।
ଏହି ମନ୍ଦିର ବେଢା ରେ ଶାରଦୀୟ ଦୁର୍ଗାପୂଜା ରେ ତ୍ରିଦିନାତ୍ମକ ମହାପୂଜା ରେ ମା ବିମଳା ଙ୍କ ପାର୍ଶ୍ୱଦ ଦେବୀ ଛାୟା ଓ ମାୟା ଙ୍କ ପାଇଁ ଆମିଷ ଶଙ୍ଖୁଡ଼ି ଲାଗି ହୁଏ ( * ମା ବିମଳା ଯଦ୍ୟପି ତନ୍ତ୍ର ସ୍ବାମୀନୀ ସେ କଦାପି ସୁରା ମାଂସ ଭକ୍ଷଣ କରନ୍ତି ନା
ହିଁ) ତେବେ କହନ୍ତୁତ କେଉଁ ବୈଷ୍ଣବ ମନ୍ଦିରରେ ଏପରି ହୁଏ ?
“ଜଗନ୍ନାଥ ସର୍ବ ରହସ୍ଯମୟ ଠାକୁର”
ସେଥିପାଇଁ ତାଙ୍କୁ ପ୍ରଭୁ ନୁେହଁ ” ମହାପ୍ରଭୁ ” କୁହାଯାଏ ଓ ତାଙ୍କର ପାଖରେ ଅର୍ପିତ ନୈବେଦ୍ଯ କୁ ପ୍ରସାଦ ନୁହଁ “ମହାପ୍ରସାଦ” କୁହାଯାଏ।
ସେହି ପରଂବ୍ରହ୍ମ ଙ୍କ ମହାପ୍ରସାଦ ପାଇବା ପାଇଁ ମଣିଷ ତ ଛାର ସ୍ବୟଂ ଦେବାଦେବୀ ମଧ୍ଯ ଲାଳାୟିତ। * ଶ୍ରୀମଦ୍ଭଗବଦ୍ ମହାପୁରାଣ ରେ ଶ୍ରୀ ଭଗବାନ ଙ୍କ ମହାପ୍ରସାଦ ପାଇ ସ୍ବୟଂ ଶିବ ଙ୍କ ଆନନ୍ଦ ଓ ଜଗନ୍ନାତା ପାର୍ବତୀ ଙ୍କ ତପସ୍ୟା ରେ ସନ୍ତୁଷ୍ଟ ହୋଇ ଭଗବାନ ଙ୍କ ବରଦାନ ମା ବିମଳା ରୂପା ପାର୍ବତୀ ଶ୍ରୀ ମନ୍ଦିରରେ ସର୍ବ ପ୍ରଥମେ ମହାପ୍ରସାଦ ପାଇଥାନ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଏଇ ଚାରି ଜଣକୁ ନେଇ ହିଁ ଶ୍ରୀ ଜଗନ୍ନାଥ କୁହାଯାଏ। ଜଣକୁ ବାଦ ଦେଲେ ବାକି ତିନିଜଣ ଅସ୍ତିତ୍ବ ବିହୀନ ହୋଇଯାଆନ୍ତି। ଆଉ ଏହି ଚାରିଜଣଙ୍କ ଠାରୁ ଆଉ କେହି ବଡ଼ ନାହାନ୍ତି ସେଥିପାଇଁ ତାଙ୍କୁ ବଡ଼ଠାକୁର କହନ୍ତି। ଶ୍ରୀ ବଳଭଦ୍ର ମହାରୁଦ୍ର ସ୍ବରୁପ ସେ ସମସ୍ତ ଶିବଙ୍କର ଭି ଶିବ , ମା ସୁଭଦ୍ରା ଆଦ୍ୟାଶକ୍ତି ଭୁବନେଶ୍ୱରୀ, ଶ୍ରୀ ଜଗନ୍ନାଥ ପରଂବ୍ରହ୍ମ ମହାବିଷ୍ଣୁ ସ୍ବରୁପ , ଶ୍ରୀ ସୁଦର୍ଶନ ସାକ୍ଷାତ ସୂର୍ୟ୍ଯ ନାରାୟଣ ସ୍ବରୁପ। ଆଉ ମାଧବ ରୂପରେ ମହାଗଣେଷ ବିଦ୍ୟମାନ ତ ରତ୍ନସିଂହାସନ ରେ ପଞ୍ଚବ୍ରହ୍ମ ହିଁ ବିଦ୍ୟମାନ।
ସେଥିପାଇଁ ଶ୍ରୀ ମହାପ୍ରଭୁ ମାନଙ୍କ ମାହାର୍ଦ୍ଦ ବାକି ଶକ୍ତି ପୀଠରେ ଲାଗି ହୁଏ।
ମୋଗଲ, ନବାବ, ଇଂରେଜ ମାନଙ୍କ ସମୟରେ ୧୮ଥର ଧରି ଏ ଜାତିର ସ୍ବାଭିମାନ ଶ୍ରୀ ମନ୍ଦିର ଓ ଶ୍ରୀ ଜଗନ୍ନାଥ ଙ୍କ ଉପରେ ଆକ୍ରମଣ ହୋଇଛି,ମହାପ୍ରଭୁଙ୍କୁ ମଧ୍ୟ ପାତଳୀ କରାଯାଇଛି ତଥାପି ଆଜି ବଡ଼ଦେଉଳ ରେ ପତିତପାବନ ବାନା ଉଡ଼ୁଛି ମଣିମା ଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଗଡ଼ୁଛି ଗଡୁଥିବ ମଧ୍ୟ।
ମହାପ୍ରଭୁଙ୍କ ସେହି ଚକାଚକା ଆଖିରେ ଅପଲକ ନୟନରେ ସେ ସାରା ବିଶ୍ଵ ବ୍ରହ୍ମାଣ୍ତକୁ ଅବଲୋକନ କରୁଛନ୍ତି ଆଉ ତାଙ୍କରି ମାୟାରେ ପଡ଼ି ସମସ୍ତେ ବାୟାହୋଇ ଧାଇଁ ଆସୁଛନ୍ତି ସେହି ନୀଳାଦ୍ରି ବିହାରୀଙ୍କୁ ଦର୍ଶନ କରିବାକୁ। ସଂଗୃହିତ ତଥ୍ୟ।
ତେବେ ଆସନ୍ତୁ ସମସ୍ତେ ଉଦାତ୍ତ କଣ୍ଠରେ କହିବା :-
‼️ଜୟ ଜୟ ଜଗନ୍ନାଥ 🙏
ଲୋକନାଥ ମିଶ୍ର ॥

