ଭୀଷ୍ମାଷ୍ଟମୀ
ଭାରତୀୟ ପୁରାଣମାନଙ୍କରେ ବିଭିନ୍ନ ପ୍ରସଙ୍ଗରେ ପିତା ଓ ପୁତ୍ରଙ୍କର ଆଶ୍ଚର୍ଯ୍ୟ ସୁନ୍ଦର ଜୀବନ ଉପରେ ବହୁ ଆଲୋଚନା ଦେଖାଯାଇଥାଏ। କିନ୍ତୁ ଗଙ୍ଗାପୁତ୍ର ଦେବବ୍ରତଙ୍କର, ପିତା ଶାନ୍ତନୁଙ୍କ ପ୍ରତି ଯେଉଁ ଅନୁରାଗ, ପ୍ରେମ ଓ ଭକ୍ତି, ତାହା ଅନନ୍ୟ। କୌଣସି ପୁତ୍ର ଦେବବ୍ରତଙ୍କ ପରି କଠୋର ପ୍ରତିଜ୍ଞା କରି ନିଜପିତାଙ୍କୁ ସୁଖୀ କରିବାପାଇଁ ପ୍ରଚେଷ୍ଟା କରିନାହାନ୍ତି। ମାଘ ଶୁକ୍ଳ ଅଷ୍ଟମୀ ‘#ଭୀଷ୍ମାଷ୍ଟମୀ’ ନାମରେ ପ୍ରସିଦ୍ଧ।ଏହା ‘#ମହାଭାରତ’ର ମହାନ୍ ଚରିତ୍ର ପିତାମହ ଭୀଷ୍ମଙ୍କ ସହିତ ସଂପର୍କିତ। ହସ୍ତିନାପୁରର ରାଜା ଶାନ୍ତନୁ ଓ ମାତା ଗଙ୍ଗାଙ୍କ ପୁତ୍ର ହେଉଛନ୍ତି #ଦେବବ୍ରତ। ଦେବଗୁରୁ ବୃହସ୍ପତିଙ୍କଠାରୁ ସେ ଶାସ୍ତ୍ରବିଦ୍ୟା ଏବଂ #ପର୍ଶୁରାମଙ୍କଠାରୁ ଶସ୍ତ୍ରବିଦ୍ୟା ଶିକ୍ଷା କରିଥିଲେ। ସେ ଥିଲେ ଜ୍ଞାନୀ, ବୀର, ସଦାଚାରୀ ଓ ଧାର୍ମିକ। ତାଙ୍କର ପିତା ଶାନ୍ତନୁ ସତ୍ୟବତୀଙ୍କୁ ଭଲପାଇ ବିବାହ କରିଥିଲେ। ତେବେ ବିବାହ ପୂର୍ବରୁ ସତ୍ୟବତୀଙ୍କ ପିତାଙ୍କର ସର୍ତ୍ତ ଥିଲା, ଯେ ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ହେବ ହସ୍ତିନାପୁରର ରାଜା। ତେଣୁ ଦେବବ୍ରତ ହସ୍ତିନାପୁରର ଯୁବରାଜ ହେଲେ ମଧ୍ୟ, ପିତାଙ୍କ ଖୁସିପାଇଁ ପ୍ରତିଜ୍ଞା କରିଥିଲେ, ଯେ ସେ ଅବିବାହିତ ରହିବେ। ତାହା ଥିଲା ଏକ ଭୀଷଣ ପ୍ରତିଜ୍ଞା। ସେଥିପାଇଁ ତାହା ‘#ଭୀଷ୍ମପ୍ରତିଜ୍ଞା’ ରୂପେ ଖ୍ୟାତ। ସେ ‘#ଭୀଷ୍ମ’ ରୂପେ ପ୍ରଖ୍ୟାତ। ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ଶରରେ ଆହତ ହୋଇଥିଲେ ଭୀଷ୍ମ। ସେ ଇଚ୍ଛାମୃତ୍ୟୁ ବର ପାଇଥିଲେ। ତେଣୁ ସୂର୍ଯ୍ୟ ଦକ୍ଷିଣାୟନରେ ଥିବାବେଳେ ସେ ଦେହତ୍ୟାଗ କରିବାକୁ ନଚାହିଁ ଉତ୍ତରାୟଣକୁ ଅପେକ୍ଷା କରି ରହିଥିଲେ।
ସେଥିପାଇଁ ମାଘଶୁକ୍ଳଅଷ୍ଟମୀର ପୁଣ୍ୟକାଳରେ ସେ ଇଚ୍ଛାମୃତ୍ୟୁ ବରଣ କରିଥିଲେ। ସାରା ଜୀବନ ଅବିବାହିତ ଥିବାରୁ ଭୀଷ୍ମ ଥିଲେ ଅପୁତ୍ରକ। ତେଣୁ ତାଙ୍କର ଶ୍ରାଦ୍ଧ ଓ ପିଣ୍ଡଦାନ କରିବାପାଇଁ କେହି ନଥିଲେ। କିନ୍ତୁ ତାଙ୍କର ମହତ୍ ଓ ଆଦର୍ଶ ଚରିତ୍ର ଦୃଷ୍ଟିରୁ ହିନ୍ଦୁମାନେ ପୁତ୍ରରୂପେ #ଭୀଷ୍ମାଷ୍ଟମୀ ଦିନ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଭକ୍ତିର ସହିତ ତର୍ପଣ କରିଥାନ୍ତି।
ଏହିଦିନ ପ୍ରାତଃସ୍ନାନ କରି ଏହି ତର୍ପଣ ଓ ଜଳଦାନ କଲେ ମନୁଷ୍ୟ ସୁନ୍ଦର ଓ ଗୁଣବାନ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ଏହାଦ୍ୱାରା ସାରା ବର୍ଷର ପାପ ନାଶଯାଏ ବୋଲି ମଧ୍ୟ ‘#ମହାଭାରତ’ରେ ଉଲ୍ଲେଖ ଅଛି।
ଏହାର ବାର୍ତ୍ତା ହେଉଛି-
ଜଣେ ବ୍ୟକ୍ତି ଅପୁତ୍ରକ ହେଲେ ମଧ୍ୟ, ମହତ୍ ଚରିତ୍ର ଓ ଆଦର୍ଶ କର୍ମ ଫଳରେ ଅଗଣିତ ଜନସାଧାରଣଙ୍କର ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରେ।
(ସଂଗୃହିତ)



