❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀
♾️♾️♾️♾️⭕⭕♾️♾️♾️♾️
ଯେ ବନେ ବିଜେ ଗୋପୀନାଥ। ସର୍ବଦା ବହଇ ବସନ୍ତ।
ସୀମା ଆବୋରି ଗୋପପୁର। ଯେଝାରେ ତୋଳିଲେ ମନ୍ଦିର।
ଗ୍ରାମର ମଧ୍ୟେ ନନ୍ଦଘର। ଯହିଁ ବିଜୟ ଦାମୋଦର।
କୃଷ୍ଣ ଦେଖିଲେ ଗୋବର୍ଦ୍ଧନ। ଯମୁନା ନଦୀ ବୃନ୍ଦାବନ।
ଦେଖି ସାନନ୍ଦ ବେନିଭାଇ। ବୋଲନ୍ତି ନନ୍ଦକୁ ବସାଇ।
ଯେତେ ଅଛନ୍ତି ବତ୍ସା ଘରେ। ଆମ୍ଭେ ରଖିବୁ ନଦୀତୀରେ।
ଭୋ ତାତ ନାହିଁ ତୁ ନକର। ବତ୍ସା ରଖିବୁ ଆମ୍ଭେ ତୋର।
ନନ୍ଦ ବୋଇଲେ ତୋଷ ହୋଇ। କାଲିହୁଁ ବତ୍ସା ରଖ ନେଇ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ଦ୍ଵାଦଶ ଅଧ୍ୟାୟ )
ପ୍ରସଙ୍ଗ – ବ୍ରଜବାସୀମାନଙ୍କର ବୃନ୍ଦାବନରେ ବସତି ସ୍ଥାପନ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ବିରାଜମାନ କରିବାରୁ ସେଠାରେ ସବୁଋତୁ ବସନ୍ତ ଋତୁ ଭଳି ଲାଗିଲା। ଗୋପପୁରର ସୀମାକୁ ଲାଗି ବୃନ୍ଦାବନରେ ଗୋପାଳମାନେ ନିଜ ନିଜର ରହିବା ପାଇଁ ଘର ସବୁ ତିଆରି କଲେ। ସେହି ଗ୍ରାମ ମଧ୍ୟରେ ନନ୍ଦରାଜା ତାଙ୍କ ରହିବା ପାଇଁ ଯେଉଁ ଘର ତିଆରି କଲେ ସେହିଘରେ ଭଗବାନ ଶ୍ରୀକୃଷ୍ଣ ବିରାଜମାନ କଲେ। ବୃନ୍ଦାବନରେ ଗୋବର୍ଦ୍ଧନ ପର୍ବତ , ଯମୁନା ନଦୀ ଓ ବୃନ୍ଦାବନର ସୁନ୍ଦର ବନ ଦେଖି କୃଷ୍ଣ ଓ ବଳରାମ ଦୁଇ ଭାଇ ଖୁବ୍ ଆନନ୍ଦିତ ହେଉଥିଲେ। ଦିନେ କୃଷ୍ଣ ଓ ବଳରାମ ଦୁହେଁ ପିତା ନନ୍ଦଙ୍କୁ କହିଲେ , ହେ ପିତା ! ତୁମେ ଅନୁମତି ଦେଲେ ଆମ ଘରେ ଯେତେ ବାଛୁରୀ ଅଛନ୍ତି ଆମ୍ଭେ ଦୁଇଭାଇ ସେମାନଙ୍କୁ ନେଇ ଯମୁନା ନଦୀ ତଟରେ ଚରାଇବୁ। ବାଛୁରୀମାନଙ୍କୁ ନେଇ ନଦୀତଟରେ ଚରାଇବା ପାଇଁ ତୁମେ ଆମ ଦୁଇ ଭାଇଙ୍କୁ ମନା କର ନାହିଁ। ସେମାନଙ୍କର କଥା ଶୁଣି ନନ୍ଦରାଜା ଅତି ଆନନ୍ଦରେ କହିଲେ , ଠିକ୍ ଅଛି। ଆସନ୍ତାକାଲି ଠାରୁ ତୁମେ ଦୁଇଭାଇ ବାଛୁରୀମାନଙ୍କୁ ନଦୀତଟକୁ ଚରାଇବାକୁ ନିଅ।
ଭାବାର୍ଥ – ବାଛୁରୀମାନଙ୍କୁ ନେଇ ନଦୀତଟରେ ଚରାଇବା ପାଇଁ ପିତା ନନ୍ଦ କୃଷ୍ଣ ଓ ବଳରାମଙ୍କୁ ଅନୁମତି ଦେଲେ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୮୯୮
