
ଶୈଳ କନ୍ୟାର ଜ୍ଵାଳା
ସାରଦା ପ୍ରସାଦ ମିଶ୍ର

ଶୈଳ ଅଧିପତି ହିମାଚଳ ଛୁଇଁ
ପୂର୍ବ ଉତ୍ତର ଅଞ୍ଚଳେ
ମଣିପୁର ନାମେ କ୍ଷୁଦ୍ର ରାଜ୍ୟ ଅଛି
ଭାରତ ଜନନୀ କୋଳେ।
ମୈତେୟୀ ସହିତ କୁକି ଆଉ ନାଗା
ଏ ରାଇଜ ଅଧିବାସୀ
ଗଣନାନୁସ।ରେ ନାଗା କୁକୀ ଠାରୁ
ମୈତେୟୀ ଙ୍କ ସଂଖ୍ୟା ବେଶୀ ।
ସମତଳେ ବ।ସ ମୈତେୟୀ କରନ୍ତି
କୁକି ଗଣ ଗିରି ପରେ
ମୈତେୟୀ ଟି ହିନ୍ଦୁ କୁକି ଖ୍ରୀଷ୍ଟିଆନ
କଳି ଜାତି ଧର୍ମ ବିଦ୍ୱେଷରେ।
କୁକି ନାଗା ଗଣ ଜନ ଜାତି ରୂପେ
କରନ୍ତି ସୁବିଧା ଭୋଗ
ଶିକ୍ଷା ଅନୁଷ୍ଠାନେ ଚାକିରୀ କ୍ଷେତ୍ରରେ
ସେମାନଙ୍କ ସ୍ଥାନ ଆଗ ।
ଗିରି ଇଲାକାରେ ପୋସ୍ତ ବୃକ୍ଷ କରି
ଅଫିମ କରନ୍ତି ଉତ୍ପନ୍ନ
ଏହାଦ୍ବାରା ଭଲ ଅର୍ଥ ଲାଭ ପାଆନ୍ତି
ମୈତେୟୀଙ୍କ ଉଣ। ମନ।
ଶାସନ କ୍ଷେତ୍ରରେ କୁକି ତୁଳନାରେ
ମୈତେୟୀ ସଂଖ୍ୟା ଅଧିକ
ସେମାନଙ୍କ ଦାବି ଜନଜାତି ରୂପେ
ସ୍ଵୀକୃତି ତାଙ୍କର ହକ।
ମୈତେୟୀ ଙ୍କ ଉକ୍ତି କୁକି ନାଗା ନୁହେଁ
ରାଜ୍ୟ ମୂଳ ଅଧିବାସୀ
ମିଆଁମାର ଠାରୁ ଇଂରେଜ ଶାସକ
ଦ୍ଵାରା ରହିଛନ୍ତି ଆସି।
ଅନ୍ୟ ଦେଶୁ ଆସି ଆମ ମାଟି ପରେ
ନେବେ ସମସ୍ତ ସୁବିଧା
ଆମେ ଏ ମାଟିର ସନ୍ତାନ ହେଲେବି
ସବୁଆଡୁ ଆସେ ବାଧା ।
ଏଥିପାଇଁ ଦୁଇ ଧାର୍ମିକ ଗୋଷ୍ଠୀରେ
ଲାଗି ରହିଛି କନ୍ଦଳ
ଜନ ପ୍ରତିନିଧି ଦେଶ ଓ ରାଜ୍ୟର
ସମାଧାନରେ ବିଫଳ ।
ହିଂସା ରକ୍ତପାତ ଅତି ଭୟଙ୍କର
ହୋଇଅଛି ବର୍ତ୍ତମାନ
ଶତାଧିକ ମୃତ ସହସ୍ର ସହସ୍ର
ଗୃହ ଛାଡ଼ି ପଳାୟନ।
ନାରୀକୁ ବିବସ୍ତ୍ର କରି ରାସ୍ତାପରେ
କରାଯାଉଛି ଦୁଷର୍ମ
ମାତୃଜାତି ପ୍ରତି ମାନବ ମାନଙ୍କ
ଏ କିପରି ଆଚରଣ ।
ପାଶବିକ କ୍ଷୁଧା ଆଦିମ ପ୍ରବୃତ୍ତି
ସଭ୍ୟତାକୁ ପଦାଘାତ
କରି କହୁଅଛି ତୁମେ ସବୁ ପଶୁ
ନୁହଁଇ ମନୁଷ୍ୟ ସତ।
ବୁଦ୍ଧ ଗାନ୍ଧୀ ଠାରୁ ଦେଶର ଜନତା
କିସ କରିଥିଲେ ଶିକ୍ଷା
ହିଂସା ରକ୍ତପାତ ଧ୍ଵଂସ ଓ ଧର୍ଷଣ
ହୋଇଛି ତାଙ୍କର ଦୀକ୍ଷା।
ବିବସନ କାଳେ କାତରେ ଦ୍ରୌପଦୀ
ଡାକିଲା ରଖ ହେ କୃଷ୍ଣ
ପ୍ରଭୁ ଚିନ୍ତାମଣି ଆରାଧନା ଶୁଣି
ଫେଡିଥିଲେ ତାର କଷ୍ଟ।
ଆଜି ଏହି ନାରୀ ମାନଙ୍କ ବିପତ୍ତି
ଫେଡିବାକୁ କେହି ନାହିଁ
ଦେଶ ଓ ରାଜ୍ୟର ପ୍ରମୁଖ ଶାସକ
ତୁନି ହୋଇଛନ୍ତି କାହିଁ ।
ସମାଧାନ ସୂତ୍ର କରନ୍ତୁ ବାହାର
ଲିଭିଯାଉ ଏହି ନିଆଁ
ଯାହା ଜଳୁଥିଲା ବର୍ଷ ବର୍ଷ ଧରି
ଶାନ୍ତି ପାଉ ଶୈଳକନ୍ୟା ।
————-
