ଇନ୍ଦ୍ରାବତୀ ର ଟନେଲ ଦୁର୍ଘଟଣା ଓ ପୁନଃ ନିର୍ମାଣ କରି ଜାତି ପାଇଁ ଅର୍ପଣ ର ଅନୁଭୂତି

ଇନ୍ଦ୍ରାବତୀ ର ଟନେଲ ଦୁର୍ଘଟଣା ଓ ପୁନଃ ନିର୍ମାଣ କରି ଜାତି ପାଇଁ ଅର୍ପଣ ର ଅନୁଭୂତି:

ଏବେକାର ଯୁଗ ହେଉଛି ଆଗ କଡ଼ିର | ସୁନୀଲ ବିଶ୍ୱାଳ ଙ୍କ ର ପ୍ରଚେଷ୍ଟା ମୋତେ ଅଭିଭୂତ କରିଛି | ଭାବିଲି ତାଙ୍କର ଏହି ପ୍ରଚେଷ୍ଟା ରେ ମୁଁ ମଧ୍ୟ ଗୋଟିଏ କଡ଼ି ଆଗକୁ ନିଏ | ମୋତେ ସେ ନିମନ୍ତ୍ରଣ କରିଥିଲେ ତାଙ୍କର “କଳିଙ୍ଗ ଇତିହାସ” ଚାନେଲରେ ଇନ୍ଦ୍ରାବତୀ ପ୍ରକଳ୍ପ କୁ ନେଇ ଇଞ୍ଜିନିୟର ମାନଙ୍କ ର ଦୃଷ୍ଟିକୋଣ କୁ podcast ରେ କହିବାକୁ | କିନ୍ତୁ ମୋର ବ୍ୟକ୍ତିଗତ କିଛି ଅସୁବିଧା କୁ ନେଇ ମୁଁ ହଁ କରି ପାରି ନ ଥିଲି | ଏବେ ତାଙ୍କ ଦ୍ୱାରା ପ୍ରସ୍ତୁତ ଇନ୍ଦ୍ରାବତୀ କାହାଣୀ ର ଭିଡ଼ିଓ ଦେଖି ତାଙ୍କୁ ପ୍ରଶଂସା ନ ଜରି ରହି ପାରିଲି ନାହିଁ |

ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ତ୍ରିପାଠୀ ଙ୍କୁ ମୁଁ ଗୁରୁ ହିସାବ ରେ ଗଣେ | କିନ୍ତୁ ସାର 1961-63 ଭଳି ସମୟ ରେ ଇନ୍ଦ୍ରାବତୀ ପ୍ରକଳ୍ପ ରେ କାମ କରିଥିଲେ ବୋଲିମୁଁ ଏହି ଭିଡ଼ିଓ ରେ ତାଙ୍କ ଆଲୋଚନା ଶୁଣି ନ ଥିଲେ ଜାଣି ପାରି ନ ଥାନ୍ତି | ସାର ଙ୍କ ବକ୍ତବ୍ୟ ରୁ ଆପଣ ଜାଣି ପାରିଥିବେ ଷାଠିଏ ଦଶକ ରେ କିପରି ଘଞ୍ଚ ଜଙ୍ଗଲ, ବନ୍ୟ ଜୀବ ଜନ୍ତୁଙ୍କ ମଧ୍ୟରେ ଦେଓପାଲି, ମହୁଲ ପାଟଣା, ମୁରାନ ଭଳି ସ୍ଥାନ ରେ ତମ୍ବୁ ଟାଣି ରହି କାର୍ଯ୍ୟ କରୁଥିବା ଇଂଜିନିୟର ମାନେ କି ଭଳି ପରିସ୍ଥିତି ସାମନା କରିଥିବେ | ଦେହ ଶୀତେଇ ଉଠୁଛି ନା !!! ଏବେକାର ଯୁବ ପିଢ଼ି ଅନୁମାନ କରିବା ଅସମ୍ଭବ | ଏହି ପ୍ରକରଣ ରେ ଇନ୍ଦ୍ରାବତୀ ପ୍ରକଳ୍ପ ସମ୍ବନ୍ଧରେ ମୋର ଅନୁଭୂତି ର ଅବତାରଣା କରୁଛି |

ସ୍ୱାଧୀନତା ପୁର୍ବରୁ ମାଡ୍ରାସ ପ୍ରେସିଡେନସି ରେ ଥିବା କୋରାପୁଟ ଓ କଳାହାଣ୍ଡି ଜିଲ୍ଲା ପାଇଁ କଳାହାଣ୍ଡି ର ରାଜ ପରିବାର ଙ୍କ ଅବଦାନ ଅତୁଳନିୟ | ସେ ସମ୍ବନ୍ଧ ରେ ଶ୍ରୀଯୁକ୍ତ ଦାଶରଥି ନନ୍ଦ ଙ୍କ ର ବକ୍ତବ୍ୟ ପ୍ରଣିଧାନ ଯୋଗ୍ୟ | ମୋର ଅନୁଭୂତି ରୁ ଏକ ଘଟଣା ର ଅବତାରଣା କରୁଛି | ମୋର ଇନ୍ଦ୍ରାବତୀ ପ୍ରକଳ୍ପ ରେ ସହକାରୀ ଯନ୍ତ୍ରୀ ସମୟ ର କଥା |1987 ରୁ 1992 ମସିହା ଓ ତା ପରେ OCC ରେ 14 ବର୍ଷ ମଧ୍ୟରେ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ କରିଥିବା କାର୍ଯ୍ୟ ସମୟର କଥା |

ଖାତିଗୁଡା ଠାରେ 1990 ମସିହା ର ଇଂଜିନିୟର ଦିବସ କୁ ସେପ୍ଟେମ୍ବର 15 ତାରିଖ ରେ ପାଳନ କରୁଥିଲୁ | ଆମେ ପ୍ରାୟ 100 ଇଂଜିନିୟର ବିଭିନ୍ନ ବର୍ଗ ର | ଆମେ କଳାହାଣ୍ଡି ର ପୂର୍ବତନ ମହାରାଜା ଶ୍ରୀଯୁକ୍ତ ପ୍ରତାପକିଶୋର ଦେଓ ଓ କଳାହାଣ୍ଡି ର ସୁଯୋଗ୍ୟ ସନ୍ତାନ ଓ ଓଡିଶା ଇଂଜିନିୟର ମାନଙ୍କ ର ଗର୍ବ ଶ୍ରୀଯୁକ୍ତ ଭୁବନେଶ୍ୱର ବେହେରା ମହୋଦୟ ଙ୍କୁ ବିଶିଷ୍ଟ ଅତିଥି ଭାବେ ନିମନ୍ତ୍ରଣ କରିଥିଲୁ | ସେହି ସଭା ରେ ମହାରାଜା ଦେଓ ଙ୍କ ର ବକ୍ତବ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ ହୋଇ ଥିଲା | ସେ କଳାହାଣ୍ଡି ରାଜ ପରିବାର ର ସ୍ବପ୍ନ ଇନ୍ଦ୍ରାବତୀ ନଦୀ ଯାହାକି ଥୁଆମୂଳରାମପୁର ର ଉଚ୍ଚ ମାଳଭୂମି ରୁ ଉତ୍ପତ୍ତି, ତା ଉପରେ ବନ୍ଧ ଯୋଜନା ହେଉ ଓ ତା ପାଇଁ କଳାହାଣ୍ଡି ରାଜ ପରିବାର ପରାଧୀନ ଭାରତ ସମୟ ରୁ କରିଥିବା ଚେଷ୍ଟା ବିଷୟରେ କହିବା ସମୟରେ ଅତ୍ୟନ୍ତ ଭାବ ବିହ୍ଵଳ ହୋଇ କହିଲେ ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ଆସି ଥିବା ଇଂଜିନିୟର ମାନଙ୍କୁ ମୁଁ ପ୍ରଣାମ ଜଣାଉଛି ଓ କହିଲେ ଆପଣ ମାନଙ୍କ ନିଷ୍ଠା ଓ ତ୍ୟାଗ ଯୋଗୁଁ ଖାତିଗୁଡା ଓ ମୂଖିଗୁଡା ଭଳି ଆଖ୍ୟାତ ପଲ୍ଲୀ ରେ ଆପଣ ମାନେ ରହି ପ୍ରକଳ୍ପ କାମ ସମ୍ପୂର୍ଣ କରୁଛନ୍ତି ସେଥିପାଇଁ ଆମେ ଚିର ଋଣୀ | ଏତେ ବଡ ଲୋକ ଙ୍କର ଏପରି ବକ୍ତବ୍ୟ ରେ ଆମେ ସ୍ତମ୍ଭିଭୁତ ହେଲୁ ଏବଂ କରତାଳି ଦେଇ ସଭା କୁ ପ୍ରକମ୍ପିତ କରିଥିଲୁ | “ଗାଁ ର ଡାକ” ର ସୁନାମ ଧନ୍ୟ ଲେଖକ ଓ ଓଡିଶା ର ଉଭୟ ବୁର୍ଲା ଓ ରାଉରକେଲା ରେ ଇଞ୍ଜିନିୟରିଙ୍ଗ କଲେଜ ର ସ୍ରଷ୍ଟା ଶ୍ରୀଯୁକ୍ତ ଭୁବନେଶ୍ୱର ବେହେରା ଙ୍କ ବକ୍ତବ୍ୟ ଗାଁ ର ଅର୍ଥନୀତି ର ଅଭିବୃଦ୍ଧି ପାଇଁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ର ଭୂମିକା ଓ ରାଜ୍ୟ କୁ ସମୃଦ୍ଧ କରିବା ପାଇଁ ଇଂଜିନିୟର ମାନଙ୍କର ତ୍ୟାଗପୁତ ଯୋଗ ଦାନ ର ମହତ୍ୱ କୁ ଅତି ସାବଲୀଳ ଭାବେ ଭାଷଣ ଦେଇ ଆମକୁ ପ୍ରେରଣା ଯୋଗାଇ ଥିଲେ | ଶ୍ରୀଯୁକ୍ତ ଦାସରଥୀ ନନ୍ଦ ମଧ୍ୟ ତାଙ୍କ ବକ୍ତବ୍ୟ ରେ ରାଜା ଙ୍କ ବିଷୟରେ ଜଣେଇଛନ୍ତି | ଶ୍ରୀଯୁକ୍ତ ଦାସରଥୀ ନନ୍ଦ ଜଣେ ଉତ୍ତମ ଲେଖକ | ତାଙ୍କର ଲେଖା ଶିକ୍ଷା ବିଭାଗ ରେ ବ୍ୟବହାର ହୁଏ ବୋଲି ଶୁଣିଚି | ସାର ଙ୍କ ସଂଗେ କାମ କରିବାର ସୁଯୋଗ ପାଇ ନାହିଁ |

ଏଭଳି ଦୁର୍ଗମ ଅଂଚଳ ରେ ପ୍ରକଳ୍ପ ର ସର୍ଭେ ଓ ଅନୁସନ୍ଧାନ 50-60 ଦଶକ ରେ ହୋଇଥିବା କଥା ଶ୍ରୀଯୁକ୍ତ ଦାଶରଥୀ ନନ୍ଦ ଓ ଶ୍ରୀଯୁକ୍ତ ରମେଶ ତ୍ରିପାଠୀ ମହୋଦୟ ଙ୍କର ନିଜସ୍ୱ ଉକ୍ତି ମର୍ମସ୍ପର୍ଶୀ ହୋଉଛି ଏବଂ ଇଞ୍ଜିନିୟର ମାନେ କିପରି ପ୍ରତିକୂଳ ପରିସ୍ଥିତି ରେ କାମ କରିଥାନ୍ତି ବର୍ଣନା କରିଛନ୍ତି |

ମୁଁ ଇନ୍ଦ୍ରାବତୀ ପ୍ରୋଜେକଟ ରେ ଯୋଗ ଦେଲା ବେଳକୁ ରାସ୍ତା ଘାଟ ଓ ବାସଗୃହ ହୋଇ ଖାତିଗୁଡା ଓ ମୂଖିଗୁଡା ଏକ କ୍ଷୁଦ୍ର ସହର ହୋଇଥିଲା | ତଥାପି ମ୍ୟାଲେରିଆ ପ୍ରବଣ ମୁରାନ, ମହୁଲପାଟଣା, କୁରୁମୁଲି, ବେଣାଖମାର, ଗୁଣ୍ଠୁରପାଲି ଓ କୁସୁମପଦରଆଦି ଅଞ୍ଚଳ ର କଥା ହୃଦୟ ବିଦାରକ | ସେଠାରେ ରହି କାମ ଜରୁଥିବା ଇଞ୍ଜିନିୟର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ତ୍ୟାଗ ଅତୁଳନୀୟ |

ସେତେବେଳେ ଇଞ୍ଜିନିୟର ମାନଙ୍କୁ ପ୍ରୋଜେକଟ ର ଚିଫ ଇଞ୍ଜିନିୟର ଙ୍କ ନିଜଟରେ ପୋଷ୍ଟିଙ୍ଗ କରା ଯାଉଥିଲା | ତେଣୁ ଦଳପତି ନିଜ ର କର୍ମୀ ବଳକୁ ଏକ ଦଳଗତ ପ୍ରଚେଷ୍ଟା ରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦିଅନ୍ତି | ସବୁକିଛି ଡିସିସନ ସଂଗେ ସଂଗେ | ଚିଫ ଇଞ୍ଜିନିୟର ଙ୍କ ଉପରେ ଆଉ କେହି ଥାନ୍ତି ବୋଲି ଆମେ ଜାଣି ନ ଥାଉ | ମନେ ପଡେ ସ୍ବର୍ଗତ ବିଜୟା ନନ୍ଦ ତ୍ରିପାଠୀ, ସ୍ବର୍ଗତ ଦାମୋଦର ସାହୁ ଓ ସ୍ବର୍ଗତ ରମେଶ ଚନ୍ଦ୍ର ରଥ ଙ୍କ ପରି ଚିଫ ଇଞ୍ଜିନିୟର ଯେଉଁ ମାନେ କି ଯୁଧ୍ୟ ଭୂମି ର ଆଗରେ ରହି ପରିଚାଳନା କରୁଥିଲେ | ସ୍ନେହ ରେ ସମସ୍ତ ଙ୍କୁ ବାନ୍ଧି ରଖି କାର୍ଯ୍ୟ ସମ୍ପାଦନା କରୁଥିଲେ | ଦଳପତି ଙ୍କ ପାଇଁ ନିଜର ସବୁ ସମୟ ଓ ସାମର୍ଥ୍ୟ ଦେବା ପାଇଁ ସମସ୍ତେ ସର୍ବଦା ଲାଗି ପଡୁଥିଲେ | ସେଥି ପାଇଁ ହିଁ ଓଡିଶା ରେ ଏତେ ବଡ ବଡ ପ୍ରକଳ୍ପ ହେବା ସମ୍ଭବ ହୋଇ ପାରିଛି | ଆଉ ଏବେ ସଚିବାଳୟ ରୁ କେଁଉ ସବଡ଼ିଭିଜନ ରେ କିଏ ପୋଷ୍ଟିଙ୍ଗ ହେବ ନିର୍ଧାରଣ କରା ଯାଉଛି | ଏପରି ସ୍ଥଳେ ଦଳଗତ ଦାୟିତ୍ୱ ବଳି ପଡିଛି | ପ୍ରକଳ୍ପ ନିର୍ମାଣ ଫାଇଲ ଚାଷ ନୁହେଁ |

28 ଜୁଲାଇ, 1991 ଦିନ ଥୁଆମୂଳରାମପୂର ଯାହାର ପାହାଡ଼ମାଳା ଇନ୍ଦ୍ରାବତୀ ନଦୀ ର ଉତ୍ପତି ସ୍ଥଳ, ସେଠାରେ ହଠାତ ବୋଧ ହୁଏ ବାଦଲ ଫଟା ବର୍ଷା ହେଲା | ଆଜିକାଲି ପରି ସେତେବେଳେ ବର୍ଷା ର ପୂର୍ବାନୁମାନ ବ୍ୟବସ୍ଥା ନ ଥିଲା | ଏପରି କି ଆମେ ମାନେ ଯିଏ ଖାତିଗୁଡା ରେ ରହିଥିଲୁ, ନଦୀ ର ଉପର ମୁଣ୍ଡ ରେ ଏତେ ବର୍ଷା ହୋଇଚି ବୋଲି ଜାଣି ପାରି ନ ଥିଲୁ କାରଣ ଖାତିଗୁଡା ଯାହା 30 କିମି ଦୂରରେ ସେଠାରେ ବର୍ଷା ସାମାନ୍ୟ ରୁ କିଛି ଅଧିକ ହୋଇଥିଲା | ଥୁଆମୂଳରାମପୂର ଠାରୁ ଇନ୍ଦ୍ରାବତୀ ଟନେଲ ଇନଟେକ ର ଦୂରତା କମ | ନଦୀ ର ସ୍ଲୋପ ମଧ୍ୟ ଅଧିକ | ହଠାତ 825 mm ର ବାଦଲ ଫଟା ବର୍ଷା ଇନ୍ଦ୍ରାବତୀ ଟନେଲ ରେ( ଇନ୍ଦ୍ରାବତୀ ନଦୀ ଶଯ୍ୟା ଠାରୁ ଇନଟେକ ର ପତନ ପ୍ରାୟ 10ମି ତଳକୁ ) ପଶିଗଲା କଫର ବନ୍ଧ ଭାଙ୍ଗି | ସେ ଦିନ ରବିବାର, NPCC ଟନେଲ କଣ୍ଟ୍ରାକ୍ଟର ର ବିଶେଷ କାମ ହେଉ ନ ଥିଲା | ଟନେଲ ଭିତରେ ଶ୍ରମିକ କମ ଥିଲେ ବୋଲି କୁହ ଯାଏ | କିନ୍ତୁ ଭୟଙ୍କର ଦୁର୍ଘଟଣା | ଟନେଲ ର ଶେଷ ରେ ମୂଖିଗୁଡା ପାୱାର ହାଉସ ପଟେ ପାହାଡ଼ ତଳକୁ ଭୁସ ଭୁସ ହୋଇ ପାଣି ଭୟଙ୍କର ଶବ୍ଦ କରି ବାହାରିଲା | 5.25 ମି ର ପ୍ରେସର ଟନେଲ ର ଲାଇନର ଓ ପାହାଡ଼ ର ସ୍ଲୋପ ରେ ଲାଗିଥିବା କିଛି 3.5 ମି ବ୍ୟାସ ବିଶିଷ୍ଟ ପେନଷ୍ଟକ ପାଇପ କୁ ମୋଡି ଫୋଫାଡ଼ି ଦେଇଥିଲା | 7 ମି ବ୍ୟାସ ଓ 4.5 କିମି ଲମ୍ବା ର ଟନେଲ ରେ ଜଳ ର ଗତି ତୀବ୍ର ଥିଲା ଓ ଆଡ଼ିଟ ବାଟେ ପାଣି ବାହାରି ଘାଟି ରାସ୍ତା କୁ ମଧ୍ୟ ତାଡି ନେଲା | ପେନଷ୍ଟକ ର ଆଙ୍କର ବ୍ଲକ ଶହ ପାହାଡ଼ ର କିଛି ଅଂଶ ତାଡି ନେଇ ତଳେ ଅର୍ଦ୍ଧ ନିର୍ମିତ ମୂଖିଗୁଡା ପାୱାର ହାଉସ ଉପରେ ବର୍ଜ୍ୟ ମାଟି ଓ ପଥର ଜମା ହୋଇଗଲା | କିଛି ମୃତ ଦେହ ଘାଟି ରାସ୍ତା ଉପରେ କିଛି ମାଟି ପଥର ତଳେ ଚାପି ହୋଇ ରହିଲା | ଶାନ୍ତ ପରିବେଶ ମୂଖିଗୁଡା ର କିନ୍ତୁ ସମସ୍ତେ ମ୍ରିୟମାଣ ହୋଇ ପଡିଲେ | ଲାଗିଲା ଯେପରି ଭୁକମ୍ପ ର ପରବର୍ତୀ ଅବସ୍ଥା | ସମସ୍ତ ଙ୍କ ମନରେ ପ୍ରଶ୍ନ କଣ ଇନ୍ଦ୍ରାବତୀ ପ୍ରକଳ୍ପ ର ସ୍ବପ୍ନ ଧୂଳିସାତ ହେଲା | ଚାରିଆଡେ ଶ୍ମଶାନ ନୀରବତା |

ଖାତିଗୁଡା ରେ 28 ତାରିଖ ଦିନ ଆମେ କିଛି ଜାଣି ପାରିନଥିଲୁ | ମୋବାଇଲ ଯୁଗ ନୁହେଁ ତେଣୁ 35 କି ମି ଦୂର ମୂଖିଗୁଡା ରେ ହୋଇଥିବା ଦୁର୍ଦ୍ଧଶା କଥା ଆମେ 29 ତାରିଖ ସୋମ ବାର ଦିନ ଜାଣିଲୁ | ଶୁଣିଲୁ ଚିଫ ଇଞ୍ଜିନିୟର ବର୍ତ୍ତମାନ ସ୍ବର୍ଗତ ରମେଶ ରଥ ରାତି ଅଧରେ ଖବର ପାଇ ମହୁଲ ପାଟଣା ଯାଇଛନ୍ତି | ଅରୁଣ ପାଢ଼ୀ, ବିଭୁତି ପଣ୍ଡା, ମୁଁ, ମୁରଲୀ ପଣ୍ଡା ଏବଂ ନୂତନ ଭାବେ ଯୋଗ ଦେଇଥିବା ଯୁବ ଇଞ୍ଜିନିୟର ମାନେ ଯେଉଁ ମାନେ ବର୍ତ୍ତମାନଜଳ ସମ୍ପଦ ବିଭାଗ ର ସର୍ବୋଚ୍ଚ ଅଥବା ମୁଖ୍ୟ ଯନ୍ତ୍ରୀ ଅଛନ୍ତି ଥି କଲୁ ଅବସ୍ଥା କିପରି ଅଛି ଅନୁଧ୍ୟାନ କରିବୁ ଓ ଏଭଳି ଦୁଃଦିନ ରେ ମୁଖ୍ୟ ଙ୍କ ପାଖରେ ଛିଡା ହେବୁ | ପାହାଡ଼ ରାସ୍ତା ଓ ନଦୀ ରେ ପଶି ମହୁଲ ପାଟଣା ରେ ପହଂଚିଲୁ | ସେଠାରେ ଚିଫ ଇଞ୍ଜିନିୟର ରମେଶ ରଥ ଙ୍କ ସଂଗେ ଦେଖା ହେଲା | ମୂଖିଗୁଡା କୁ ଯାଇଥିବା ଘାଟି ରାସ୍ତା କଟି ଯାଇଥାଏ | ସ୍ଥିତପ୍ରଜ୍ଞ ରମେଶ ରଥ ସାର ଙ୍କୁ ଦେଖି ଆମେ ସହକାରୀ ଯନ୍ତ୍ରୀ ମାନେ କିଂକର୍ତଵ୍ୟ ବିମୂଢ଼ | ସୋମ ବାର ଦିନ କୌଣସି ରନ୍ଧା ଖାଦ୍ୟ ସାର ଖାଆନ୍ତି ନାହିଁ | ସେ ଖାଡା ଓପାସ | ଚା ପିଇବାକୁ ମଧ୍ୟ ମନା କଲେ | ଏତେ ବଡ ଦୁର୍ଘଟଣା ଭିତରେ ମଧ୍ୟ ରମେଶ ରଥ ସାର ଙ୍କ ଧର୍ଯ୍ୟ ଓ ଦର୍ଶନ ଶାସ୍ତ୍ର ର ଜ୍ଞାନ ଓ ସବୁ କିଛି ଠିକ ହୋଇଯିବ ର ଉପଦେଶ ଏବଂ ସମୟ ସବୁ ଦୁଃଖ କୁ ଆମଠୁ ଦୁରେଇ ନେବ କହିବା ଆମ ମନକୁ ସାହସ ଦେଉଥାଏ | ଶ୍ରୀ ରମେଶ ରଥ ଦେବ ପ୍ରତିମ ବ୍ୟକ୍ତି | ଅତି ଜ୍ଞାନୀ ଓ ସ୍ଥିତପ୍ରଜ୍ଞତା ର ମନୁଷ୍ୟ | ମୂଖିଗୁଡା ଯିବାକୁ ହେଲେ ପୁଣି ଫେରି ନବରଙ୍ଗପୂର ହୋଇ ଯିବାକୁ ହେବ | ରାତିରେ ଖାତିଗୁଡା ଫେରି ଆସିଲୁ |

ଏତେ ବଡ ଦୁର୍ଘଟଣା, ସାରା ଓଡିଶା ଓ ଭାରତ ରେ ହୁଲସ୍ଥୁଲ |
କଳାହାଣ୍ଡି ରେ ଜନତା ଙ୍କର ରୋଷ ଏବଂ ଭବାନୀପାଟଣା ବନ୍ଦ | କଥା ରାଜନୀତି ଧରିଲା | ସେତେବେଳେ ଶ୍ରୀ ବିଜୟ ମହାପାତ୍ର ଜଳସେଚନ ବିଭାଗ ମଂତ୍ରୀ | ଜନମତ କୁ ଥଣ୍ଡା କରିବା ପାଇଁ ଦୁଇ ଜଣ ନିରୀହ ଇଞ୍ଜିନିୟର ଙ୍କୁ ଗିରଫ କରାଗଲା | ଶ୍ରୀ ଭଡାଲି ଅଧିକ୍ଷଣ ଯନ୍ତ୍ରୀ, କ୍ୱାଲିଟି କଣ୍ଟ୍ରୋଲ ଓ ସେଫଟି ଏବଂ ଶ୍ରୀ ମୁକୁଲ ବେରା, ସହକାରୀ ଯନ୍ତ୍ରୀ, ମହୁଲପାଟଣା | ଉଭୟ ନିର୍ଦୋଷ | କିନ୍ତୁ ରାଜନୀତି ର ଶିକାର |

ଆମେ ସବୁ ସହକାରୀ ଯନ୍ତ୍ରୀ ବନ୍ଧୁ କୁସୁମଖୁଣ୍ଟି ର ନିର୍ବାହ ଯନ୍ତ୍ରୀ ବର୍ତ୍ତମାନ ସ୍ବର୍ଗତ ଅନାଦି ବେଉରିଆ ଙ୍କ ନେତୃତ୍ୱ ରେ ଭବାନୀପାଟଣା ଗଲୁ ବେଲ ରେ ଗିରଫ ହୋଇଥିବା ଚେଷ୍ଟା ଆମ ଇଞ୍ଜିନିୟର ଙ୍କୁ ଆଣିବୁ | ଆମଜୁ ଭବାନୀପାଟଣା ଲୋକଙ୍କ ତିରସ୍କାର ସହିବାକୁ ପଡିଲା | ଓକିଲ କି ବେଲର ମିଳିଲେ ନାହି | ଶେଷରେ ସେମାନଙ୍କୁ ହାଜତ କୁ ଯିବାକୁ ପଡିଲା | ଆମକୁ କୌଣସି ହୋଟେଲ ରେ ଖାଇବାକୁ ଦେଲେ ନାହିଁ | ଗାଡ଼ି ରେ ବି ତେଲ ଦେଲେନାହିଁ | ଲୋକଙ୍କ ଆକ୍ରୋଶ ର କରାଳ ରୂପ ଦେଖିଲୁ | ଜେଲ ରେ ଦେଖା କରିବାକୁ ଗଲୁ | ଭଡାଲି ବାବୁ ମୋତେ କୁଣ୍ଢାଇ ପକେଇ କହିଲେ କୋର୍ଟ ରୁମ ରେ ଏତେ ତାତ୍ସଲ୍ୟ ଶୁଣିବା ଅପେକ୍ଷା ଜେଲ ର ଶାନ୍ତ ପରିବେଶ ଭଲ ଲାଗୁଚି | ଦୁହିଁ ଙ୍କର ଏପରି ଅବସ୍ଥା ଦେଖି ଆମକୁ ବହୁତ ବ୍ୟସ୍ତ ଲାଗୁଥାଏ | ଭବାନୀପାଟଣା ର ଏପରି ଆକ୍ରୋଶ ଭିତରେ ସେମାନଙ୍କୁ କିପରି ବାହାରକୁ ଆଣିବୁ ଜାଣି ପାରୁ ନ ଥିଲୁ | କିନ୍ତୁ ବେଉରିଆ ବାବୁ ଙ୍କ ଧର୍ଯ୍ୟ ଆମକୁ ସାହସ ଦେଉଥାଏ | ତାଙ୍କର ଏକ ଫୋନ କଲ ରେ କେସିଙ୍ଗା ରୁ ଜଣେ ଭଦ୍ର ବ୍ୟକ୍ତି ଶ୍ରୀ ତ୍ରିନାଥ ନାୟକ ତା ପର ଦିନ ନିଜର ଜମି କାଗଜ ନେଇ ପହଞ୍ଚିଲେ ଓ ଆମେ ଦୁହିଁଙ୍କୁ ବେଲ ରେ ଆଣି ପାରିଲୁ | ବେଉରିଆ ସାର ଙ୍କ ଲୋକ ସମ୍ପର୍କ ରଏକ ଆଦର୍ଶ ନମୁନା ଦେଖିବାକୁ ମିଳିଲା | ବେଲରେ ଆଣିଲା ପରେ ଗଡ଼ ଜିଣିଲା ଭଳି ଲାଗିଲା | ହୃଦୟ କୁ ବିଦାରି ଦେଲା ଯେତେବେଳେ ଶୁଣିଲୁ ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ରେ ନେତୃତ୍ୱ ନେଉଥିବା ବିନ୍ଧାଣି ସେବା ନିବୃତ ହୋଇ ସାରିଥିବା ଶ୍ରୀ ଦାମୋଦର ସାହୁ ତାଙ୍କର ପ୍ରାଣ ପ୍ରିୟ ପ୍ରକଳ୍ପ ର ଅବସ୍ଥା ଦେଖିବାକୁ ଆସି ଥିବା ସମୟ ରେ ହୃଦଘାତ ହେଲା ଓ ଜୟପୁର ଫେରି ଯାଇଛନ୍ତି | ଅଳ୍ପ କିଛି ଦିନରେ ତାଙ୍କର ପ୍ରାଣ ବାୟୁ ଯିବାର ଖବର ମିଳିଲା | ନିଜର ସନ୍ତାନ ଭାବେ ଇନ୍ଦ୍ରାବତୀ ପ୍ରକଳ୍ପ ଗଢୁଥିଲେ ଓ ସମ୍ମୁଖ ରେ ସନ୍ତାନ ର ମୃତପ୍ରାୟ ଅବସ୍ଥା କୁ ପିତା ସହ୍ୟ କରି ପାରିଲା ନାହିଁ |

ଓଡିଶା ସରକାର ସ୍ୱାଧୀନ ଭାରତ ରେ ପ୍ରତିଷ୍ଠା ହୋଇ ଥିବା ଓଡିଶା ର ପ୍ରଥମ ଇଂଜିନୀୟରିଙ୍ଗ କଲେଜ ର ପ୍ରଥମ ବ୍ୟାଚର ଦୁଇ ବିଶିଷ୍ଟ ଯନ୍ତ୍ରୀ ସ୍ବର୍ଗତ ଶରତ ଚନ୍ଦ୍ର ମହାନ୍ତି ଓ ସ୍ବର୍ଗତ ନରେଶ ରାଉତ ମହାଶୟ ଙ୍କୁ ଘଟଣା ର କାରଣ ଓ ପୁନଃ ନିର୍ମାଣ ଉପରେ ରିପୋର୍ଟ ପ୍ରଦାନ କରିବାକୁ ପଠାଇଲେ | ଆଶା ର ସଂଚାର ହେବାକୁ ଆରମ୍ଭ ହେଲା ବେଳକୁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତା ଦେବା ବନ୍ଦ କରିବାର ଘୋଷଣା କଲା |

ବିଶ୍ୱ ବ୍ୟାଙ୍କ ର ଆର୍ଥିକ ଋଣ ରେ ଇନ୍ଦ୍ରାବତୀ ପ୍ରକଳ୍ପ ବହୁତ ଜୋର ସୋର ରେ ଚାଲିଥିଲା| ସେତେବେଳେ 80 ବର୍ଷୀୟ ସେଣ୍ଟ୍ରାଲ ୱାଟର କମିସନ ର ବିଶିଷ୍ଟ ଇଞ୍ଜିନିୟର ଶ୍ରୀଯୁକ୍ତ ମୂର୍ତ୍ତୀ ଙ୍କ ଅଧ୍ୟକ୍ଷତା ଗଠିତ ବିଶେଷଜ୍ଞ କମିଟିଙ୍କ ପ୍ରାୟ ତ୍ର୍ୟମାସିକ ପ୍ରକଳ୍ପ ର ନିରକ୍ଷଣ ଓ ଉପଦେଶ ବହୁତ କିଛି ସୃଷ୍ଟି ହେଉଥିବା ବୈଷୟିକ ସମସ୍ୟା ର ତୁରନ୍ତ ସମାଧାନ ହୋଇ ପାରିଥିଲା | ମୁଁ ସହକାରୀ ଯନ୍ତ୍ରୀ ହିସାବ ରେ ପ୍ରକଳ୍ପ ର ବିଶେଷଜ୍ଞ କମିଟି ଙ୍କ ସହ କାଗଜ ପତ୍ର ଦେବା ଓ ଆଲୋଚନା ଶୁଣିବା ର ସୌଭାଗ୍ୟ ପାଇଥିଲି | ପୋଡ଼ଗଡ଼ ବନ୍ଧ ଯାହାକି ପ୍ରଥମେ କଂକ୍ରିଟ ଡ୍ୟାମ ହେବ ବୋଲି ବିଚାର କରାଯାଉ ଥିଲା, ମୁଲଦୁଆ ଉପଯୁକ୍ତ ନ ହେବା ଫଳରେ ମାଟି ବନ୍ଧ ରେ ପରିଣତ କରିବା ଓ ସେଠାରେ goose neck shaped diversion – cum- depletion tunnel ଏକ ବିଶେଷତ୍ୱ | ସେହିପରି ମୁରାନ ବନ୍ଧ ର ମୁଲଦୁଆ ରେ fault zone ର treatment ଆଦି ବିଶେଷତ୍ୱ |

ମୋର ମନେ ପଡେ ହେଡ଼ ରେସ ଟନେଲ ବା ପେନଷ୍ଟକ ବା ପାୱାର ହାଉସ ଅଥବା 210 cumec ର 9 କି ମି ଲମ୍ବା ଟେଲ ରେସ କାର୍ଯ୍ୟ ଭିତରୁ କୌଣସି କାମ ଡେରି ହେଲେ ଆଗୁଆ ଜଳସେଚନ କରିବା ପାଇଁ ଏକ ଇରିଗେସନ ଟନେଲ ର ନିର୍ମାଣ ର ନିର୍ଣ୍ଣୟ ଓ ତାର ଡିଜାଇନ ରେ ମୋର ଭୂମିକା ଅଗ୍ରଜ ଇଞ୍ଜିନିୟର ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି ଙ୍କ ସହ ଅବିସ୍ମରଣୀୟ | ଶ୍ରୀ ମହାନ୍ତି ସେଣ୍ଟ୍ରାଲ ୱାଟର କମିସନ ରେ ଓଡିଶା ର ପ୍ରକଳ୍ପ ର ଅନୁମୋଦନ କରାଇବା ରେ 15 ବର୍ଷ ବିତାଇ ଥିଲେ |

ସେତେବେଳକୁ ଇନ୍ଦ୍ରାବତୀ, ପୋଡାଗଡ଼, କପୁର ଓ ମୁରାନ ବନ୍ଧ ସହ 8ଟି ଡାଇକ 4.5 କିମି ଲମ୍ବା 7ମି ବ୍ୟାସ ର ଟନେଲ 5.25 ମି ବ୍ୟାସର ଦୁଇଟି ପ୍ରେସର ଟନେଲ ଏବଂ ଭାଲଭ ହାଉସ 3.5 ମି ବ୍ୟାସର ଓ 16 ମିମି ରୁ 36 ମି ମି ମୋଟେଇର ଜାପାନ ରୁ ଅଣାଯାଇଥିବା ASTM ଷ୍ଟିଲ ଚାଦର ରେ ନିର୍ମିତ ହେଉଥିବା ପେନଷ୍ଟକ, ଆଙ୍କର ବ୍ଲକ ଓ ଗୁଣ୍ଟୁରଖାଲ ଏବଂ କୁସୁମ ପଦର ଲିଙ୍କ ଚାନେଲ ଓ ସବୁ ବନ୍ଧରେ କେଵେଳ କପୁର କି ଛାଡି ସ୍ପିଲୱୟ ଗେଟ ଓ ହଏଷ୍ଟ ଆଦି କାର୍ଯ୍ୟ ICB contract ମାଧ୍ୟମ ରେ ଭାରତ ର ପ୍ରମୁଖ କଣ୍ଟ୍ରାଂକ୍ଟର ଙ୍କ ଦ୍ୱାରା ଯୁଧ୍ୟ ଭିତ୍ତିରେ ଆଗେଇ ଚାଲିଥାଏ |
ବିଦ୍ୟୁତ ବିଭାଗ ମଧ୍ୟ ପାୱାର ହାଉସ ପାଇଁ ଟରବାଇନ ଓ ଜେନେରେଟର ର ନିର୍ମାଣ କାର୍ଯ୍ୟ ଓ ବିଦ୍ୟୁତ ନିକାସ ପାଇଁ ସୁଇଚୟାର୍ଡ଼ ର ନିର୍ମାଣ ଜୋର ସୋର ରେ ଆଗେଇ ନେଉଥାନ୍ତି |
ବିଶ୍ୱ ବ୍ୟାଙ୍କ ର ନିୟମ ଫଳରେ ଓଡିଶା ସରକାର ଙ୍କ କୌଣସି ନିଗମ ବିଶେଷ କରି OCC ଭାଗ ନେବାରୁ ବଂଚିତ ଥାଏ | ବିଶ୍ୱ ବ୍ୟାଙ୍କ ର ପ୍ରସ୍ଥାନ ପରେ ପରେ ପ୍ରାୟ ସବୁ ବଡ ବଡ ICB contract କୁ ବନ୍ଦ କରାଗଲା | କାରଣ ତାଙ୍କ କଂଟ୍ରାକଟ ରେ ଥିବା ମୂଲ୍ୟ ରେ ସେମାନେ କରି ପାରିବେ ନାହିଁ | ତା ସହ ଆଇନ ଗତ ସମସ୍ୟା ମୁଣ୍ଡ ଟେକିବ |

ପ୍ରକୃତି ର କରାଳ ପ୍ରଭାବ ରେ ଏପରି ଅତି ବୃଷ୍ଟି ସବୁ ସ୍ବପ୍ନ କୁ ଧୂଳିସାତ କଲା କି, ଏତେ ବଡ ପ୍ରକଳ୍ପ କଣ ଏହି ଧ୍ବଂସଲୀଳା ରେ ବିଲୀନ ହେବ ର ପ୍ରଶ୍ନ ସମସ୍ତ ଙ୍କୁ ଆନ୍ଦୋଳିତ କରୁଥାଏ???

କିନ୍ତୁ କଥାରେ ଅଛି “There is always light at the end of the tunnel” | ଦର୍ଶନ ଶାସ୍ତ୍ର ରେ ପ୍ରବୀଣ ସ୍ବର୍ଗତ ରମେଶ ଚନ୍ଦ୍ର ରଥ ଙ୍କ ହାତ ରେ କମାଣ | ଆମେ ନିଶ୍ଚୟ ପାରିବା ର ସଂକଳ୍ପ ସବୁ ଇଞ୍ଜିନିୟର nk ମନ ରେ ଦୁର୍ବାର ପଣ ସୃଷ୍ଟି ହେଲା | ଆମକୁ ଓଡିଶା ପାଇଁ 600 MW ଜଳବିଦ୍ୟୁତ ଶକ୍ତି ଯୋଗାଇବାକୁ ହେବ | କିଛି କଳାହାଣ୍ଡି ବାସୀ ଓ ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ଆସୁଥିବା ଲାଞ୍ଚନା କୁ ପ୍ରତିହତ କରିବାକୁ ହେବ | ଆମକୁ ଦୁଭିକ୍ଷ ପ୍ରପୀଡ଼ିତ କଳାହାଣ୍ଡି କୁ ଶସ୍ୟ ଶ୍ୟାମଳା କରିବାକୁ ହେବ | ଆମର ଜଳ କୁ ଗୋଦାବରୀ ରେ ବୋହି ସମୁଦ୍ର କୁ ଯିବାକୁ ନ ଦେଇ ମହାନଦୀ ଅବବାହିଜକା କୁ ତେଲ ନଦୀ ମାଧ୍ୟମ ରେ ନେଇ ଅବିଭକ୍ତ ବଲାଙ୍ଗୀର ଜିଲ୍ଲା କୁ ମଧ୍ୟ ଶସ୍ୟ ଶ୍ୟାମଳା କରିବାକୁ ହେବ | ଏ ସ୍ବପ୍ନ କୁ ପୂରଣ କରିବାକୁ ହେବ |

ଏକ ମହା ଭାରତ, ଏକ ଯଜ୍ଞ ରେ ଝାସ ଦେବାକୁ ଓଡିଶା ର ଇଞ୍ଜିନିୟର, ଅନ୍ୟ କର୍ମଚାରୀ, କଂଟ୍ରାକଟର ଓ ଶ୍ରମିକ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେଲା |

ବହୁତ ଦୀର୍ଘ ରଚନା ହେଲାଣି |

କ୍ରମଶଃ : ଇନ୍ଦ୍ରାବତୀ ପ୍ରକଳ୍ପ ର ପୁନଃନିର୍ମାଣ ର ସମସ୍ୟା ଓ ସମାଧାନ

Leave a Comment

Your email address will not be published. Required fields are marked *