kartik-mahatmya

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୨)

କଦାଚିତ୍ କାଳିନ୍ଦୀ ତଟ ବିପିନ ସଙ୍ଗୀତ କରବୋ
ମୁଦାଭୀରୀ ନାରୀ ବଦନ କମଳାସ୍ଵାଦ ମଧୁପଃ
ରମା ଶମ୍ଭୁ ବ୍ରହ୍ମାମର ପତି ଗଣେଶାର୍ଚିତ ପଦୋ
ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ।।

ଦ୍ଵାରିକା ନଗର ରେ ମାଆ ସତ୍ୟଭାମା ଭଗବାନ ଶ୍ରୀକୃଷ୍ଣ ଙ୍କୁ ପଚାରିଲେ ନାଥ ସବୁଠାରୁ ଶ୍ରେଷ୍ଠ ବ୍ରତ କାହାକୁ କହନ୍ତି ? ଏହା କେଉଁ ମାସରେ ପାଳନ କରାଯାଏ ? ଏହି ବ୍ରତ କଲେ କଣ କଣ ସୁଫଳ ମିଳେ ? ଭଗବାନ ଶ୍ରୀକୃଷ୍ଣ ସତ୍ୟଭାମା ଙ୍କୁ କହୁଛନ୍ତି ଏମିତି ଗୋଟିଏ ବ୍ରତ ଅଛି ତାହାଠାରୁ ଅନ୍ୟ କିଛି ବଡ଼ ବ୍ରତ ନାହିଁ ..ସତ୍ୟଭାମା କହିଲେ ପ୍ରଭୁ ସେହି ବ୍ରତର ନାମ୍ କଣ ? ଭଗବାନ ଶ୍ରୀକୃଷ୍ଣ କହିଲେ ସେହି ବ୍ରତ ହେଉଛି କାର୍ତ୍ତିକ ବ୍ରତ । ସତ୍ୟଭାମା କହିଲେ ସେ ବ୍ରତର ମହତ୍ୱ କଣ ? କାର୍ତ୍ତିକ ବ୍ରତର ମର୍ମ କଣ ନାଥ ମୋ ଆଗରେ ବିସ୍ତାର କରି କୁହନ୍ତୁ । ଭଗବାନ ଶ୍ରୀକୃଷ୍ଣ କହିଲେ ଭଗବାନ ଶ୍ରୀକୃଷ୍ଣ ମାଆ ସତ୍ୟ ଭାମାଙ୍କୁ କହୁଥିବା କଥା କୁ ସୂତ ମୁନି ଶୁଣୁଥିଲେ ।ସୂତ ମୁନି ଅନ୍ୟ ୠଷି ମାନଙ୍କୁ କହିଲେ ହେ ଋଷିଗଣ ଭଗବାନ ଶ୍ରୀକୃଷ୍ଣ ଙ୍କ ଠାରୁ ଯାହା ମୁଁ ଶୁଣିଛି ତାହା କହୁଛି ଶୁଣ ।

ସତ୍ୟଭାମା ଠାକୁରାଣୀ କହିଲେ ନାଥ ଏଡ଼େ ସୁନ୍ଦର ବ୍ରତ ! ଏଡ଼େ ମହିମା ଏହାର ମୋତେ ଟିକେ ବତେଇ ଦିଅନ୍ତୁ ପ୍ରଭୁ ? ଆପଣ ଯଦି ମୋତେ ନବତେଇବେ ତେବେ ମୁଁ ଭୋଜନ , ଶୟନ ସବୁ ତ୍ୟାଗକରି କେବଳ କାନ୍ଦି ବାକୁ ଲାଗିବି ପ୍ରଭୁ ! କେବଳ କାନ୍ଦିବାକୁ ଲାଗିବି । ପତ୍ନୀ ସତ୍ୟଭାମା ଙ୍କର ଏପରି କଥା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ ମୁଁ ତୁମକୁ କହିବି ଯେ ମୁଁ ତୁମର କଣ ନକରିଛି ଯେ ତୁମେ ମୋତେ ସନ୍ଦେହ କରୁଛ ଓ ନକହିବି ବୋଲି କହିଲ ? ମାଆ ସତ୍ୟଭାମା କହିଲେ ଆପଣ କଣ କହିବାକୁ ଚାହୁଁଛନ୍ତି ପ୍ରଭୁ ? ଭଗବାନ ଶ୍ରୀକୃଷ୍ଣ କହିଲେ ମୁଁ ତୁମର କଣ ନକରିଛି ! ତୁମ ବାପା ଙ୍କ ଅପମାନ ପାଇଁ ମୁଁ ଯୁଦ୍ଧ କରି ଶତଧନୁ କୁ ମାରିଲି।ପାରିଜାତ ପୁଷ୍ପକୁ ସ୍ୱର୍ଗ ପୁରରୁ ଆଣି ତୁମକୁ ଦେଲି । କଳ୍ପବଟ ଉପରେ ଥିଲା , ତାକୁ ତୁମେ ତଳକୁ ଆଣିବା ପାଇଁ ତୁମେ ଦିନେ କାନ୍ଦିଲ ଓ କହିଲ ଯଦି କଳ୍ପବଟ ତଳକୁ ନଆସେ ତେବେ ମୁଁ ଅନ୍ନ ଜଳ ସ୍ପର୍ଶ କରିବି ନାହିଁ ? କଳ୍ପବଟ କୁ ଉପର ,ତଳକୁ ମୁଁ ଆଣିଲି ! ଦିନେ ତୁମେ କହିଲ ଯେ ସମସ୍ତେ ପୁତ୍ରବତୀ ହେଉଛନ୍ତି ମୁଁ ପୁତ୍ରବତୀ ହେବି ! ତୁମରି କଥା ରଖି ତୁମକୁ ଦଶଟି ପୁତ୍ର ଦେଲି । ଯଦି ସବୁ କଥା ତୁମର ମୁଁ ପୂରଣ କରି ପାରିଲି ତେବେ ତୁମେ କେମିତି ଭାବିପାରୁଛ ସତ୍ୟଭାମା ଯେ ମୁଁ ତୁମକୁ କାର୍ତ୍ତିକ ବ୍ରତ କଥା ନକହିବି ବୋଲି ? ପୁଣି ମୋତେ କହୁଛ ଯେ ମୁଁ କାର୍ତ୍ତିକ ବ୍ରତ କଥା ନକହିଲେ ତୁମେ କାନ୍ଦିବ ଓ ଅନ୍ନଜଳ ସ୍ପର୍ଶ କରିବ ନାହିଁ ?

 ଭଗବାନ ଶ୍ରୀକୃଷ୍ଣ କହିଲେ ସତ୍ୟଭାମା ତୁମକୁ ମୁଁ କାର୍ତ୍ତିକ ବ୍ରତ କଥା କହିବିନିତ କହିବି କାହାକୁ ? ମୁଁ ନିଶ୍ଚିତ ତୁମକୁ କହିବି ସତ୍ୟଭାମା ହେଲେ ଚାଲ ଆମେ ଗୋଟିଏ  ଉତ୍ତମ ସ୍ଥାନରେ ଦୁଇଜଣ ବସିବା । ସେହିଠାରେ ମୁଁ ତୁମକୁ କାର୍ତ୍ତିକ ବ୍ରତ କଥା କହିବି । ଏହାପରେ ସତ୍ୟଭାମା ଙ୍କୁ ସାଙ୍ଗରେ ଧରି ଭଗବାନ ଶ୍ରୀକୃଷ୍ଣ ଦ୍ଵାରିକା ଉପବନ ରେ ପ୍ରବେଶ ହେଲେ । ପକ୍ଷୀରାଜ ଗରୁଡ଼ ପୃଷ୍ଠରୁ ଓହ୍ଲାଇ ଗରୁଡ଼ କୁ ଆଜ୍ଞା ଦେଇ ପଠାଇ ଦେଲେ ଭଗବାନ ଶ୍ରୀକୃଷ୍ଣ । ଗରୁଡ଼ ଆଜ୍ଞା ପାଇ ରମ୍ୟକ ଦ୍ବୀପକୁ ଚାଲିଗଲା । ନିଜ ବାହୁ ଯୁଗଳରେ ସତ୍ୟଭାମା ଙ୍କୁ କୃଷ୍ଣ ଭଗବାନ ଧରି ଦ୍ଵାରିକା ଉପବନରେ ବିହାର କଲେ । ସତ୍ୟଭାମା ଓ ଶ୍ରୀକୃଷ୍ଣ ଭଗବାନ କଳ୍ପଦ୍ରୁମ ତଳେ ବସିଲେ ଯେଉଁ ଦ୍ରୁମ ତଳେ ବସିଲେ ସବୁ ପ୍ରକାର ସୁଖ ମିଳେ ସେହି କଳ୍ପଦ୍ରୁମ ତଳେ  ପତ୍ନୀ ସତ୍ୟଭାମା ଙ୍କୁ ଧରି ଭଗବାନ ଶ୍ରୀକୃଷ୍ଣ ବସିଛନ୍ତି । ଭଗବାନ ଶ୍ରୀକୃଷ୍ଣ ଙ୍କୁ ସନ୍ତୋଷ କରିବା ପାଇଁ ବସନ୍ତ ଆଦି ଷଡ଼ ଋତୁ ଯିଏ ଯେପରି ଅଭ୍ୟର୍ଥନା ଜଣାଇବାକୁ ଲାଗିଲେ । ଦ୍ଵାରିକା ଉପବନରେ ବୃକ୍ଷ ମାନଙ୍କରେ ଫଳପୁଷ୍ପ ଭରି ଗଲା । ସାରି ,ଶୁକ ଓ ଅନ୍ୟ ପକ୍ଷୀମାନେ ନିଜ ନିଜର ସ୍ୱରରେ  ଗୀତ ଗାଇବାକୁ ଲାଗିଲେ । ଦ୍ଵାରିକା ଉପବନରେ ଶ୍ରୀକୃଷ୍ଣ ଭଗବାନ ସତ୍ୟଭାମା ଙ୍କୁ ଏକ ପୁଷ୍କରିଣୀ ଦେଖାଇଲେ ।କଳ୍ପଦ୍ରୁମ ନିକଟରେ ଏହି ପୁଷ୍କରିଣୀ କୁ ଚାହିଁ ଶ୍ରୀକୃଷ୍ଣ ଭଗବାନ କହିଲେ  ଏଠାରେ ଯାହା ଯିଏ ମନସ୍ତ କରେ ତାହାର ସର୍ଵ କାମ ସିଦ୍ଧି ହୁଏ ଏହାପରେ ଭଗବାନ ଶ୍ରୀକୃଷ୍ଣ ପତ୍ନୀ ସତ୍ୟଭାମାଙ୍କୁ କହିଲେ ସତ୍ୟା ତମେ ଏ କାର୍ତ୍ତିକ ବ୍ରତ ଶୁଣିବା ପୂର୍ବରୁ ତମେ କିଏ ଆଗେ ଶୁଣ  ?
 ଭଗବାନ କହୁଛନ୍ତି ସତ୍ୟଭାମା ଟିକେ ଶୁଣ ! ସତ୍ୟଭାମା କହିଲେ ପ୍ରଭୁ କଣ ଶୁଣିବି ? ଶ୍ରୀକୃଷ୍ଣ ଭଗବାନ କହିଲେ ..

ସତ୍ୟ ଯୁଗର ଶେଷ ସମୟ । ହିମାଳୟ ର ଉତ୍ତର ଦିଗରେ ମାୟପୁର ଗ୍ରାମରେ ଆତ୍ରେୟ ବଂଶରେ ଏକ ବ୍ରାହ୍ମଣ ଥିଲା ।ତାହାର ନାମ ଦେବଶର୍ମା । ଦେବଶର୍ମା ସବୁ ଗୁଣରେ ପରିପୂର୍ଣ୍ଣ ଅଟନ୍ତି ଦେବଶର୍ମା ଙ୍କ ପତ୍ନୀ ଗୋଟିଏ ଗୁଣବତୀ ଝିଅ ଜନ୍ମ ଦେଇ ଦେବଶର୍ମାଙ୍କୁ ଛାଡି ସବୁଦିନ ପାଇଁ ବିଦାୟ ନେଇ ଗଲେ । ଝିଅଟି ମାତୃହୀନ ହୋଇପଡିଲା । ଏତେ ଛୋଟ ଝିଅ ,ମାଆ ର ସେହ୍ନ କଣ ଜାଣି ପାରିଲା ନାହିଁ ? ଆଗେଇ ଆସିଲେ ପିତା ଦେବଶର୍ମା । ଅତି ଯତ୍ନ ସହକାରେ ଝିଅଟିକୁ ପାଳିଲେ । ରୂପବତୀ ଓ ଗୁଣବତୀ ଝିଅଟି କ୍ରମେ ବଢି ବଡ଼ ହେଲା । ଝିଅର ଯୌବନ ବୟସ ଆସିବା ଦେଖି ପିତା ଦେବଶର୍ମା ଚିନ୍ତା କଲେ ଝିଅକୁ ବିବାହ ଦେବାପାଇଁ ! ମାତ୍ର ଦେବଶର୍ମା ମନେ ମନେ ଭାବିଲେ ଏ ଝିଅ ପାଇଁ ବରପାତ୍ର କେଉଁଠୁ ପାଇବି ? ଏହା ଭାବି ଦେବଶର୍ମା ଦାଣ୍ଡ କୁ ବାହାରିଛନ୍ତି ଏ ସମୟରେ ଗୋଟିଏ ଅରକ୍ଷିତ ବ୍ରାହ୍ମଣ ପିଲା ତାଙ୍କ ନଜରରେ ପଡିଲା । ବ୍ରାହ୍ମଣ ପିଲାର ନାମ ଥିଲା ଚନ୍ଦ୍ରହୋତ୍ର । ବ୍ରାହ୍ମଣ ଯୁବକ କୁ ଦେବଶର୍ମା ନିଜ ଘରକୁ ଡାକିକରି ନେଲେ । ବ୍ରତ ଆଦି ବିଭିନ୍ନ ପ୍ରକାର ବିଦ୍ୟା ବ୍ରାହ୍ମଣ ଯୁବକ କୁ ଦେବଶର୍ମା ଶିଖାଇ ଦେଲେ ।

              ଦେବଶର୍ମା ତାଙ୍କ ଦୁହିତା କୁ ସେହି ବ୍ରାହ୍ମଣ ଯୁବକ ସହିତ ବିଭା କରାଇଦେଲେ । ବରକନ୍ୟା  ଚନ୍ଦ୍ର , ରୋହିଣୀ ଯେପରି ଶୋଭା ପାଆନ୍ତି ସେହିପରି ଶୋଭା ପାଇଲେ । ଝିଅ ,ଜ୍ୱାଇଁ ଙ୍କୁ ନେଇ ଦେବଶର୍ମା ବ୍ରାହ୍ମଣ  ନିଜ ଘରେ ଆନନ୍ଦରେ ରହିଲା । ଏମିତି କିଛି ଦିନ ବିତିଗଲା  । ଦିନେ ଦେବଶର୍ମା ଜ୍ୱାଇଁ ଙ୍କୁ  ସାଙ୍ଗରେ ଧରି ବିନ୍ଧ୍ୟ ପର୍ବତ କୁ କାଠ ଆଣିବା କୁ ଗଲା । ବିନ୍ଧ୍ୟ ପର୍ବତ ଯେଉଁଠାରେ ଘୋର ଜଙ୍ଗଲ ସେହି ଜଙ୍ଗଲ ରେ ଦିନରେ ସୂର୍ଯ୍ୟ ତେଜ ପଡେନାହିଁ । ଘୋର ବନ ମଧ୍ୟରେ  ଶଶୁର ଜ୍ବାଇଁ  ସମିଧ କାଠ ଆଣିବା ପାଇଁ ପଶିଲେ । ସମିଧ କାଠ ଖୋଜୁଥିବା ବେଳେ ତାଙ୍କ ନିକଟରେ ଏକ ରାକ୍ଷାସ ଆସି ପହଁଞ୍ଚିଲା । ଦେବଶର୍ମା ଓ ଚନ୍ଦ୍ରହୋତ୍ର ଙ୍କୁ ରାକ୍ଷାସ ବଧ କରିଦେଲା ।ରାକ୍ଷାସ ଶଶୁର ଜ୍ବାଇଁ ଦୁଇଜଣଙ୍କୁ ମାରି ସେଠାରୁ ଚାଲିଗଲା  । ଭଗବାନ ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ କହିଲେ ମୋର ଦୂତ ମାନେ ସେଠାରେ ପହଁଞ୍ଚିଲେ ।ଶଶୁର , ଜ୍ବାଇଁ ଦୁଇ ଜଣଙ୍କୁ ବିମାନରେ ବସାଇ ବୈକୁଣ୍ଠ ଭୁବନ କୁ ନେଇଗଲେ ।ସତ୍ୟଭାମା ପଚାରିଲେ ନାଥ ସେମାନେ ବୈକୁଣ୍ଠ ପୁରକୁ କାହିଁକି ଗଲେ  । ଶ୍ରୀକୃଷ୍ଣ ଭଗବାନ କହିଲେ ସତ୍ୟା ! ସେହି ଦୁଇ ବିପ୍ର ସର୍ଵଦା ଭକ୍ତି ସହକାରେ ସୂର୍ଯ୍ୟଙ୍କୁ ପୂଜା କରନ୍ତି । ତେଣୁ ମୋର ମନ ତାଙ୍କ ପ୍ରତି ସନ୍ତୁଷ୍ଟ ଥିଲା । ସେ ଦୁଇଜଣ ମୋର ଭକ୍ତ ମଧ୍ୟ ଥିଲେ  । ଧର୍ମ ବଳରେ ସେ ବିପ୍ର ଦୁଇଜଣ ମୋତେ ପାଇଥିଲେ ସତ୍ୟା । ଭଗବାନ ଶ୍ରୀକୃଷ୍ଣ ଙ୍କ ଠାରୁ ଏପରି ବଚନ ଶୁଣି  ସ୍ଵଭାମାଙ୍କ ମନ ତୋଷ ହୋଇଗଲା । କିଛି ଦୂରରେ ନିଷାଦମାନେ ଥିଲେ । ସେମାନେ ଯାଇ ଦେବଶର୍ମା ଙ୍କ  ଝିଅ ଆଗରେ ସମସ୍ତ ବୃତାନ୍ତ କହିଲେ ।ଚନ୍ଦ୍ରହୋତ୍ର ଘରଣୀ ପତି ଓ ପିତାଙ୍କ ମୃତ୍ୟୁ ଖବର ଶୁଣି  ରୋଦନ କରୁବାକୁ ଲାଗିଲେ  । ବିକଳ ରେ କାନ୍ଦି କାନ୍ଦି ଦେବଶର୍ମା ଙ୍କ ଝିଅ କହୁଥାଏ ହେ ବିଧାତା ! ତୁ ଏପରି କାହିଁକି  କଲୁ ? ମୋର କଣ ପାପ ଫଳ ଥିଲା କି ? ମୋ ପାପ ଫଳ ଯୋଗୁ ପତି ପିଅର ଏକାବେଳକେ ବିନାଶ ହୋଇଗଲେ । କେମିତି ବଞ୍ଚିବି ମୁଁ ? ମୋ ଘରେ ଏବେ କେହି ନାହାନ୍ତି ? କେମିତି ଦେହ ଧରି ରହିବି ମୁଁ ? ତାପରେ ମୋହର ବୟସ  ଅଳ୍ପ । ଏହି ବୟସରେ ମୋତେ ଏତେ ବିପଦ ଦେଲୁ କାହିଁକି  ପ୍ରଭୁ ? ନିଜ କର୍ମଫଳକୁ ଧିକାର କଲା ଦେବଶର୍ମା ଙ୍କ ସେହି ଅଳ୍ପ ବୟସ୍କା ଝିଅଟି । ଝିଅଟି କହୁଥାଏ ସକାଳ ହେଉ ହେଉ  ଅସ୍ତ ହୋଇଗଲା । ମୋର ଦୁଇଟି ଆଖିକୁ ତୁମ ଛଡାଇ ନେଲ ପ୍ରଭୁ । ହେ ପ୍ରଭୁ !ମୁଁ କଣ କରିବି ମୋତେ କିଛି ବୁଦ୍ଧି ଦେଖାଯାଉ ନାହିଁ  । ମୋ ଜୀବନକୁ ଧିକ  ।ଏ ଜୀବନ ମୋର କେମିତି ସରିବ ?କେମିତି ସରିବ ମୋ ଦିନ ? ପିତାଙ୍କୁ ମନେ ପକାଇ ଝିଅ କହିଲା ଭୋ ପିତା ! ତୁ ଥିଲୁ ମୋ ଜୀବନ । ଦଣ୍ଡେ ହେଲେ ମୋତେ ଦୁଃଖରେ ରଖିନଥିଲୁ । କିନ୍ତୁ ଏବେ ମୋ ଅବସ୍ଥା ଦେଖନ୍ତୁ ପିତା । ଦେବଶର୍ମାଙ୍କ ଝିଅ କହୁଥାଏ ଭୋ ପିତା ଆମ ଘର ଶୁନ୍ୟ ନହେବାପାଇଁ ତୁମେ ମୋତେ ଅନ୍ୟ ଦେଶରେ ବିବାହ ନଦେଇ ଘରେ ରଖିଲ ।ପର ପୁଅକୁ ନିଜ ପୁଅ ପରି ପାଳି ଆସିଥିଲ ? ମୋତେ ତାଙ୍କ ସହିତ ବିଭାଦେଲ ଓ ତାଙ୍କୁ ସାଙ୍ଗରେ ଧରି ଚାଲିଗଲ !। ମୋତେ ଅନାଥ କରିଦେଲପିତା ! ଉଭୟ କୂଳରେ କେହି ଜ୍ଞାତି କୁଟୁମ୍ବ ନାହାନ୍ତି ! କିଏ ଆପଣ ଦୁଇଜଣ ଙ୍କର ତିଳ ତର୍ପଣ କରିବ ? ପ୍ରେତ କୁ ପବିତ୍ର କିଏ କରିବ ? ଏହିପରି ଭାଳି ଭାଳି ଝିଅ ଗୁଣବତୀ କିଛି ସମୟ ପରେ ନିଜକୁ ସମ୍ଭାଳି ନେଲା ଓ ଶାନ୍ତି ମଧ୍ୟ ହେଲା ।

    ଗୁଣବତୀ ଚିନ୍ତାକଲା  ସଂସାର ରେ ସବୁ ଅସତ୍ୟ । କେବଳ ବିଷ୍ଣୁ ଲୀଳା ହିଁ ସତ୍ୟ  । ସମସ୍ତଙ୍କ ଦେହରେ ବିଷ୍ଣୁଙ୍କ ଲୀଳା ଅଛି । ତାଙ୍କ ବିନା ଅନ୍ୟ ଗତି ନାହିଁ । ଏଣୁ ମୁଁ ତାଙ୍କର ଅନୁଗତ ହୋଇବି ଏହାପରେ ଝିଅ ଗୁଣବତୀ ପତି ଓ ପିତାଙ୍କର ପ୍ରେତକର୍ମ ସାରିଲା । ପିତା ଓ ପତିଙ୍କ ପ୍ରେତକର୍ମ ସାରି ଲକ୍ଷ୍ମୀସାଇଁଙ୍କ ଶରଣ ପଶିବା ପାଇଁ ଝିଅ ଗୁଣବତୀ  ମନେ ମନେ ଭାବିଲା । ଏହାପରେ ବିପ୍ର ନାରୀ  ବ୍ରାହ୍ମଣ ମାନଙ୍କୁ ଧରି ପିତା ଓ ପତି ଙ୍କର କ୍ରିୟା ଓ କର୍ମ ଆରମ୍ଭ କଲା । ପ୍ରେତ କର୍ମ ସାରିଦେବାପରେ  ଗୁଣବତୀ  ଘରେ ଯେତେ ଧନ ସମ୍ପତ୍ତି ଥିଲା  ସେହି ଦେଶର ରାଜା ତାହାର ସବୁ ଧନ ନେଇଗଲେ ଯେହେତୁ ତାହାର କେହି ରକ୍ଷକ ନଥିଲେ ରାଜା ବଳ ପୂର୍ବକ ଗୁଣବତୀ ର ଧନ ସମ୍ପତ୍ତି ଛଡାଇ ନେଲେ । ଅସହାୟ ଅବସ୍ଥା ଦେଖିସେହି ଗ୍ରାମର ଜଣେ ବ୍ରାହ୍ମଣ ଦେବଶର୍ମା ଙ୍କ ଡିହ ବାଡ଼ି କୁ ଗୁଣବତୀ ଠାରୁ ଛଡାଇ ନେଲେ । ଦେବଶର୍ମା ଙ୍କ ସୁତା ଚିନ୍ତାକଲା ବ୍ରାହ୍ମଣ ସହିତ ଗଣ୍ଡଗୋଳ କଲେ କିଛି ସୁଫଳ ମିଳିବ ନାହିଁ ! ତାପରେ କିଏ ଅଛିଯେ ଗଣ୍ଡଗୋଳ କରିବ ? ଗୁଣବତୀ ଅତି ବିନମ୍ର ସହକାରେ ସେହି ବ୍ରାହ୍ମଣଙ୍କୁ ଗୋଟିଏ ବଖରା ଘର କରିବା ପାଇଁ ଯେତିକି ଜାଗା ଦରକାର ସେତିକି ଜାଗା ହାତ ଯୋଡ଼ି ମାଗିଲା ।

    ବ୍ରାହ୍ମଣ ଜଣଙ୍କ ଭାବିଲେ ନିରାଶ୍ରୟ ଲୋକ ଏହାର ଆଗକୁ କିଏ ଅଛି ନା ପଛରେ କିଏ ଅଛି ? ଏ ମଲା ପରେ ପୁଣି ସେ ଜାଗାକୁ ମୁଁ ଦଖଲ କରିବି । ଏହା ଭାବି ତାକୁ ଦଶହାତ ଜାଗା ଘର କରିବାପାଇଁ ଦେଲେ । ଗୁଣବତୀ କାଠ ,ମାଟି ସଂଗ୍ରହ କରି ତାଳ ବରଡ଼ା ତାଟି ଦେଇ ଏକ କୁଡ଼ିଆ ତିଆରି କରି ରହିଲା । ପେଟ ପୋଷିବା ପାଇଁ କପା ସୁତା ବିକ୍ରି କଲା । ସେଥରୁ ଯେତିକି ଆୟ ହୁଏ ତାକୁ ନେଇ ଗୁଣବତୀ କଷ୍ଟ ସହକାରେ ଚଳି ଯାଏ  । ସର୍ବଦା ରାମ ,ଗୋବିନ୍ଦ ଙ୍କ ନାମ କୁ ଜପ କରୁଥାଏ ଗୁଣବତୀ । ଗୁଣବତୀ ପୂର୍ବରୁ ପୁରାଣ ରୁ ଶୁଣିଥିଲା ଆତ୍ମା କିପରିମୁକ୍ତି ପାଏ ? ଦେବଶର୍ମା ଝିଅ ଗୁଣବତୀ କୁ କହିଥିଲେ ଭଗବାନ ଶ୍ରୀକୃଷ୍ଣ ଙ୍କର ଅତି ପ୍ରିୟ ବ୍ରତ କାର୍ତ୍ତିକ ମାସରେ ପାଳନ କରାଯାଏ । ଝିଅ ଗୁଣବତୀ କାର୍ତ୍ତିକ ମାସ ଆସିବାରୁ ବ୍ରତ କରିବା ପାଇଁ ସଂକଳ୍ପ କଲା  । ସେହି ସମୟରେ ଏକାଦଶୀ ତିଥି ଥାଏ । ଝିଅଟି ପାପ କୁ ଭୟ କରି ସର୍ବଦା ସତ କହୁଥାଏ । ସଂକଳ୍ପ ର ସମସ୍ତ ବିଧି ଅନୁଯାୟୀ ଉପବାସ ରହି ଏକାଦଶୀ ବ୍ରତ ଆରମ୍ଭ କଲା । କାର୍ତ୍ତିକ କୃତ୍ୟ ରେ ଯାହା କରିବା କଥା ଗୁଣବତୀ ସେସବୁ କାର୍ତ୍ତିକ ମାସ ସାରା କରିବାରେ ଲାଗିଲା । ସତ୍ୟଭାମା , ଭଗବାନ ଶ୍ରୀକୃଷ୍ଣ ଙ୍କୁ ପଚାରିଲେ ହେ ନାଥ ! ଗୁଣବତୀ କାର୍ତ୍ତିକ ମାସ ସାରା କି ,କି ,ଉପଚାର କଲା ମୋତେ ବିସ୍ତାର କରି କୁହନ୍ତୁ ? ଭଗବାନ ଶ୍ରୀକୃଷ୍ଣ କହିଲେ ସତ୍ୟା ସବୁ କହିବି ପ୍ରଥମେ ତୁମେ ଦ୍ଵାରିକା ଉପବନ  ଶୋଭାକୁ ଉପଭୋଗ କର । ଶ୍ରୀକୃଷ୍ଣ ଭଗବାନ ନିଜ ବାହୁ ବନ୍ଧନରେ ସତ୍ୟଭାମା ଙ୍କୁ ଧରି ଉପବନ ର ମନ୍ଦ ମନ୍ଦ ପବନ କୁ ଉପଭୋଗ କରୁଥିଲେ ।

                      ଭଗବାନ ଶ୍ରୀକୃଷ୍ଣଙ୍କ ପତ୍ନୀ ସତ୍ୟଭାମା  କୃଷ୍ଣ ଭଗବାନଙ୍କୁ ପଚାରିଲେ  ହେ ନାଥ ଦେବଶର୍ମା ଙ୍କ ଝିଅ ଗୁଣବତୀ କାର୍ତ୍ତିକ ବ୍ରତ ଆରମ୍ଭ କଲା ?ସେ ଏହି ବ୍ରତ ପାଇଁ କି ,କି ଉପଚାର କରି ଥିଲା ମୋ ଆଗରେ ବିସ୍ତାର କରି କୁହନ୍ତୁ ? ଭଗବାନ ଶ୍ରୀହରି ହସିଲେ ଓ ପତ୍ନୀଙ୍କ ଆଗ୍ରହ ଦେଖି କହିଲେ ଶୁଣିବ ସତ୍ୟା ? ତେବେ ମୁଁ କହୁଛି ତୁମେ ଶୁଣ?।ଭଗବାନ ଶ୍ରୀକୃଷ୍ଣ କହିଲେ ..

        ଗୁଣବତୀ କାର୍ତ୍ତିକ ଆସ ଆରମ୍ଭ ହେବା ଦିନଠାରୁ ପ୍ରତ୍ୟହ ଦିନ ସକାଳୁ ଅର୍ଥାତ ସୂର୍ଯ୍ୟ ଉଦୟ ନହେବା ଆଗରୁ ସ୍ନାନ କରେ । ସ୍ନାନକଲା ବେଳେ ବିଷ୍ଣୁ ଙ୍କ ନାମ ଜପକରୁଥାଏ । ନଦୀରେ ସ୍ନାନ ସାରି ନିଜ ଭଙ୍ଗା ପଲା କୁ ଆସି ସେଠାରେ ତୁଳସୀ ବୃକ୍ଷ ମୂଳକୁ ଲିପାପୋଛା କରି ପଞ୍ଚବର୍ଣ୍ଣ ମୁରୁଜ ରେ ଚିତା ପକାଏ । ତୁଳସୀ ବୃକ୍ଷକୁ ଆରଧନା କରେ । ସନ୍ଧ୍ୟା ସମୟରେ ତୁଳସୀ ଚଉରା ମୂଳେ ଦୀପ ଦେଇ ସାରିବାପରେ ହବିଷ୍ୟ ଅନ୍ନ ଗୋଟିଏ ଥର ଖାଏ । ନିନ୍ଦିତ କର୍ମକୁ ତେଜ୍ୟା କରି ଘାସର ଶଯ୍ୟା ରେ ରାତି ଶୁଏ । ଏମିତି କେତେଦିନ ଗଲାପରେ ଗୁଣବତୀ କୁ ଜ୍ୱର ହେଲା ।କାର୍ତ୍ତିକ ମାସ ଶୀତ ସକାଳ ସମୟରେ ଥଣ୍ଡା ପାଣିରେ ସ୍ନାନ କରିବା ଜ୍ୱର ଅଧିକ ହେବାରେ ଲାଗିଲା । ଦିନ ରାତି ମିଶି ଗୋଟିଏ ଥର ଅନ୍ନ ଖାଇବା ଫଳରେ ଜଠର ଅଗ୍ନି ତେଜହିନୀ ହୋଇଗଲା ଦିନକୁ ଦିନ ରୋଗ ମାଡି ବସିଲା ଭୀଷଣ ଜ୍ୱର ହେବାରୁ ଦେହ କମ୍ପିବାକୁ ଲାଗିଲା ।ତଥାପି ଗୁଣବତୀ ବିଷ୍ଣୁ ବ୍ରତ କରି ଚାଲିଥାଏ । ଜ୍ୱର ଥାଇ ମଧ୍ୟ ସେ ସକାଳୁ ସୁର ନଦିରେ ସ୍ନାନ କରେ । ଗୁଣବତୀ ଙ୍କୁ ସନ୍ନିପାତ ହୋଇଗଲା । ସେହି ରୋଗରେ ସେ ଆର ପାରିକୁ ଚାଲିଗଲେ ।

    ଅଙ୍ଗେ ବ୍ୟାପିଲା ସନ୍ନିପାତ 
   ତକ୍ଷଣେ ପାଇଲା ପଞ୍ଚତ୍ୱ ।

 ଭଗବାନ ଶ୍ରୀକୃଷ୍ଣ ସତ୍ୟା ଙ୍କୁ କହିଲେ ଯେମିତି ଗୁଣବତୀ ପଞ୍ଚତ୍ୱ ପ୍ରାପ୍ତ ହେଲା ବିଷ୍ଣୁ କିଙ୍କର ମାନେ ହେମମୟ ରଥରେ ମଙ୍ଗଳଧ୍ୱନି କରି ଗୁଣବତୀ ଙ୍କ ଆତ୍ମାକୁ ବୈକୁଣ୍ଠ ପୁର ନେଇଗଲେ । ଗୁଣବତୀ ବୈକୁଣ୍ଠ ପୁରରେ ବିଷ୍ଣୁଙ୍କୁ ଦର୍ଶନ କଲା ।ଗୁଣବତୀ ବିଷ୍ଣୁଙ୍କ ପାଦପଦ୍ମ ରେ ପ୍ରମାଣ ଜଣାଇଲା । ଲକ୍ଷ୍ମୀ ମାତାଙ୍କ ସଖୀ ହୋଇ ଗୁଣବତୀ ଦିବ୍ୟ ଭୋଗ ପାଇ ବୈକୁଣ୍ଠ ରେ ରହିଲା । ଭଗବାନ ଶ୍ରୀକୃଷ୍ଣ କହିଲେ ସତ୍ୟା ତାପରେ କଣ ହେଲା ମୋଠାରୁ ଶୁଣ ! ଦ୍ଵାପର ଯୁଗରେ ଭଗବାନ ବିଷ୍ଣୁ ନାରାୟଣ ରୂପ ନେଲେ । ଅଵନୀ ଭାର କୁ ସମ୍ଭାଳିବା ପାଇଁ ଶ୍ରୀକୃଷ୍ଣ ରୂପେ ଗୋପପୁର ରେ ଜନ୍ମ ନେଲେ । ରୁକ୍ମିଣୀ , ଲକ୍ଷ୍ମୀ ଙ୍କୁ ଉତ୍ପତି କଲେ ସ୍ୱୟଂ ନାରାୟଣ !  ଆଉ ତୁମେ ପୂର୍ବରେ ପୁଣ୍ୟବତୀ ହୋଇ ଜନ୍ମ ନେଇଥିଲ। ଏ ଜନ୍ମରେ ସତ୍ୟଭାମା ହୋଇ ଜନ୍ମ ନେଲ ।ଯେଉଁ ଚନ୍ଦ୍ର ହୋତ୍ର ବ୍ରାହ୍ମଣ ସେହିଁ ଏ ଜନ୍ମରେ ଭକ୍ତ ଅକ୍ରୁର ହୋଇ ଜନ୍ମ ନେଇଛନ୍ତି । ହେ ସତ୍ୟା ତୁମ୍ଭର ପିତା ଦେବଶର୍ମା ଥିଲେ ଏ ଜନ୍ମରେ ଶକ୍ରାଜିତ ହୋଇଛି । ତୁମେ ଯେଉଁ ତୁଳସୀ କୁ ପୂଜା କରୁଥିଲ ସେ ଏହି  ଜନ୍ମରେ କଳ୍ପଦ୍ରୁମ ହୋଇଛି । ଏସବୁ ହେଉଛି ତୁମ ଧର୍ମ ର ଫଳ ସତ୍ୟା  କାର୍ତ୍ତିକ ବ୍ରତ କଲେ କଣ ଫଳ ମିଳେ ତାହା ମୁଁ ତୁମକୁ କହିଲି ସତ୍ୟା କାହିଁକି କହିଲି ଯାଣ ? ଯେହେତୁ ତୁମେ ମୋହର ଅତି ପ୍ରିୟ ଅଟ । ପୂର୍ବେ ତୁମେ ଏପରି ତପ କରିଥିଲ ସତ୍ୟଭାମା ସନ୍ଧ୍ୟା ସମୟରେ ତୁମେ ଦୀପ ଜାଳିଥିଲ ଏହା ନିଶ୍ଚିତ ସତ୍ୟ । ତୁମର ଏହି ଆଚରଣ ଦେଖି କମଳିନୀ ସନ୍ତୋଷ ହେଲେ ଓ ତୁମକୁ ସଉତୁଣୀ କରିବା ପାଇଁ ମନ ବଳାଇଲେ । ହେ ସତ୍ୟଭାମା ତୁମେ ମନରେ କେଭେ ଅହଂକାର ଆଣିବ ନାହିଁ ? ଏକଥା କରୁଣାକର ଭଗବାନ ମାତା ସତ୍ୟଭାମା ଙ୍କୁ କହିଲେ । ସ୍ୱାମୀ ଙ୍କର ବଚନ ଶୁଣି ସତ୍ୟଭାମା  ଅତି ଆନନ୍ଦିତ ହେଲେ ଓ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପ୍ରଣିପାତ କଲେ ।

 ଭଗବାନ ଶ୍ରୀକୃଷ୍ଣ ଙ୍କ ବଚନ ସତ୍ୟାଙ୍କୁ କହୁଥିବାର ସୂତ ମୁନି ଶୁଣିଲେ । ସେହି କଥାକୁ ସୂତ ମୁନି ଅନ୍ୟ ଋଷି ମାନଙ୍କୁ କହିବାକୁ ଲାଗିଲେ । ଏପଟେ ଭଗବାନ ଶ୍ରୀକୃଷ୍ଣ ଯାହା ପତ୍ନୀ ସତ୍ୟଭାମା ଙ୍କୁ କହୁଥାନ୍ତି ତାହା ସୂତ ମୁନି ଶୁଣି ଅନ୍ୟ ଋଷି ମାନଙ୍କୁ କହି ଚାଲିଥାନ୍ତି । ସୂତ ମୁନି କହିଲେ  ହେ ୠଷି ଗଣ ସତ୍ୟଭାମା ନିଜର ପୂର୍ବ ଜନ୍ମ ବୃତ୍ତାନ୍ତ ଭଗବାନଙ୍କ ଠାରୁ ଶୁଣି  ମନେ ମନେ ଆନନ୍ଦ ହେଉଥାଆନ୍ତି। ପତି ଙ୍କ ପାଦତଳେ ପଡି ଯୋଡି ହସ୍ତରେ ନମସ୍କାର କରୁଥାନ୍ତି ସତ୍ୟା । ପୁଣି ସତ୍ୟଭାମା ଭଗବାନ ଶ୍ରୀକୃଷ୍ଣ ଙ୍କୁ ପଚାରିଲେ  ଭୋ ନାଥ !ମୋତେ ଅନୁଗ୍ରହ ସହକାରେ କାର୍ତ୍ତିକ ବ୍ରତକଥା କୁହନ୍ତୁ । ସତ୍ୟାଙ୍କ ଆଗ୍ରହ ଦେଖି  ହୃଷୀକେଶ କାର୍ତ୍ତିକ ମହିମା  ବିଶେଷ ଭାବରେ ବର୍ଣ୍ଣନା କଲେ। ପୂର୍ବଜନ୍ମ ରେ ଯେଉଁ ସବୁ କୀର୍ତ୍ତି କରିଛ ସେହି କଥା ଶୁଣ ସତୀ ସତ୍ୟା ପୂର୍ବକାଳରେ ପୃଥୁ  ନାମକ ଜଣେ ରାଜା ଥିଲେ । ସେ ନାରଦ ମୁନିଙ୍କ ପାଦ ପୂଜା କରି ତୁମେ ଯେଉଁ ପ୍ରଶ୍ନ ମୋତେ ପଚାରୁଛ ସେହି ପ୍ରଶ୍ନ ରାଜା ପୃଥୁ ନାରଦ ମୁନିଙ୍କୁ ପଚାରିଥିଲେ । ନାରଦ ଯାହା କହିଥିଲେ ମୁଁ ତୁମ ଆଗରେ କହୁଛି ଶୁଣ ସତ୍ୟଭାମା  । କଳ୍ପର ଅନ୍ତରେ ଯୁଗ ଶେଷ ହେଲା ଧରଣୀ ନିଜ କର୍ମ ଭୋଗ କରିବାକୁ ଲାଗିଲା । ଧରଣୀ ପୃଷ୍ଠରେ କୋଟି କୋଟି ଜୀଵ ଜାତ ହେଲେ । ଦେବତା ଅସୁର ମାନେ ଜାତ ହେଲେ । ସିନ୍ଧୁ ନନ୍ଦନ ଶଙ୍ଖାସୁର  ସଂସାର ମଧ୍ୟରେ ଅବତାର ହେଲା । ଅସୁର ନିଜ ବୁଦ୍ଧି ବଳରେ ତିନି ଲୋକ କୁ ଜିଣି ଗଲା । ବ୍ରହ୍ମା ଆଦି ଦେବତା ମାନଙ୍କୁ ସାଧ୍ୟ କରି ସବୁ ସମ୍ପଦ ନିଜର କରିବାରେ ଲାଗିଲା ଶଙ୍ଖାସୁର ବେଦ , ପୁରାଣ  ଶାସ୍ତ୍ର ଯାହାଥିଲା  ନିଜ ବାହୁ ବଳରେ ସବୁ ଆଣିଲା ଶଙ୍ଖାସୁର ।ସେସବୁକୁ ଗୁପ୍ତ ଭାବରେ ସିନ୍ଧୁ ମଧ୍ୟରେ ରଖିଲା । ଶଙ୍ଖାସୁର ପ୍ରତ୍ୟେକ ଦିନ ନିଜ  ଶତ୍ରୁକୁ ନିଧନ କରିବାରେ ଲାଗିପଡ଼େ ।ଦେବତା , ଯକ୍ଷ , ନର  ସମସ୍ତଙ୍କୁ ହଇରାଣ କଲା ସେହି ଶଙ୍ଖାସୁର  । ମୁନି ମାନେ ବେଦ କୁ ନପାଇ  ହୋମ ଯଜ୍ଞ ଆଉ କଲେ ନାହିଁ । ଶଙ୍ଖାସୁର ର ଉତ୍ପାତ  ଆଉ ଦେବତା ମାନେ ସହି ନପାରି ବୈକୁଣ୍ଠ  ଭୁବନ କୁ ଚାଲିଲେ । ଭଗବାନ ବିଷ୍ଣୁ ସେତେବେଳେ ଯୋଗ ନିଦ୍ରାରେ ଥିଲେ । ସମସ୍ତ ଦେବତା ମାନେ ଭଗବାନ ବିଷ୍ଣୁ ଙ୍କ ପାଦତଳେ ପଡିଗଲେ ଓ ପାର୍ଥନା କରିବାକୁ ଲାଗିଲେ । ଭଗବାନ ବିଷ୍ଣୁ ଯୋଗ ନିଦ୍ରା ରୁ ଉଠିଲା ପରେ ବେଦ ବର କହିଲେ ହେ ପ୍ରଭୁ ସାଗର ସୁତ ଶଙ୍ଖାସୁର ବଳ ପୂର୍ବକ ମୋର ବେଦ କୁ ଚୋରି କରି ନେଲା । ଚୋରି କରି ନେଇ ସମୁଦ୍ର ଭିତରେ ଲୁଚାଇ ରଖିଛି । ବେଦ ନଥିବାରୁ ମୋର ବୁଦ୍ଧି ସବୁ ସାରିଗଲାଣି ପ୍ରଭୁ । ହେ ପ୍ରଭୁ ମୋର ଆଉ କିଛି ଉପାୟ ନାହିଁ । ତୁ ଭାବଗ୍ରାହୀ ତୋ ବିନୁ ଏ ସମସ୍ୟା ସମାଧାନ କେହି କରି ପାରିବେ ନାହିଁ ।ହେ ପ୍ରଭୁ ଆମ୍ଭ ଗୁହାରି ଶୁଣ । ଅସୁରକୁ ମାରି ବେଦ କୁ ଉଦ୍ଧାର କର । ନରହରି ବ୍ରହ୍ମାଙ୍କ ମୁଖକୁ ଚାହିଁଲେ ଓ କହିଲେ ହେ ଦେବଗଣ  ତୁମ୍ଭେମାନେ ଯେଉଁ ଉଦ୍ଦେଶ୍ୟ ରେ ଆସିଅଛ ମୁଁ ତାହା ଜାଣିଲି । ମୁଁ ନିଶ୍ଚିତ ତାହାର ପ୍ରାଣ ହରିବି ।

        ଦେବତା ମାନଙ୍କୁ ଭଗବାନ ବିଷ୍ଣୁ କହୁଛନ୍ତି । ହେ ଦେବଗଣ ଆଜିଠାରୁ ତୁମ୍ଭେମାନେ ଯଜ୍ଞ ଆଚରଣ କର ।କାର୍ତ୍ତିକ ମାସ ରେ ପ୍ରତ୍ୟେକ ଦିନ ପ୍ରାତଃସ୍ନାନ କରି ତୁଳସୀ ସେବନ କର । ନିରାମିଷ ଭୋଜନ ଏହି ମାସରେ ପାଳନ କରିବ କ୍ରୋଧ ମତ୍ସର ମୋହ କୁ ତେଜି ଏହି ମାସରେ ଯଜ୍ଞକର । ଏହାଦ୍ବାରା ସମସ୍ତଙ୍କ ବିଘ୍ନ କ୍ଷୟ ହୋଇଯିବ । ଏହା କଲେ ସେ ସାଗର ପୁତ୍ର ନିଶ୍ଚିତ ମରିବ।

            ଦେବତା ମାନଙ୍କୁ ଏମନ୍ତ କହି ଭଗବାନ ଶ୍ରୀକୃଷ୍ଣ ମୀନ ରୂପ ଧାରଣ କରି ସିନ୍ଧୁ ତୀର ନିକଟରେ ପ୍ରବେଶ କଲେ ।

କ୍ରମଶଃ ……………………………….
Writer :-Dusmant Kumar mishra

India International Conference & Felicitation Ceremony – 2025 Held in Puri

Leave a Comment

Your email address will not be published. Required fields are marked *