🍃🍂🍃 କାର୍ତ୍ତିକ ମାହାତ୍ମ୍ୟ 🍃🍂🍃
(ଭାଗ -୮)
—🌺🌺🌺🌺—
ରାଜା ପୃଥୁ ପଦ୍ମଯୋନି ସୁତଙ୍କୁ ପ୍ରଣାମ କଲେ ଓ କହିଲେ ଭୋ ମୁନି ! ଜଳନ୍ଧର ଭୟରେ ଇନ୍ଦ୍ର ଆଦି ସର୍ଵ ଦେବତା ସ୍ୱର୍ଗପୁର ଛାଡି କନକ ଗିରି ଗୁମ୍ଫାରେ ଲୁଚିକରି ରହିଲେ ତାପରେ ସେମାନେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ସ୍ମରଣା କଲେ ଭଗବାନ କଣ ଦେବତା ମାନଙ୍କ ଗୁହାରି ଶୁଣିଲେ ? ଯଦି ଶୁଣିଲେ ତାହାଲେ ଭଗବାନ କଣ କଲେ ? ଏସବୁ ବିଷୟ ମୋତେ ବିସ୍ତାର କରି କୁହନ୍ତୁ ।ନାରଦ କହିଲେ ହେ ରାଜନ ! ଯାହା ମୁଁ ଶୁଣିଛି ତାହା ତୁମ ନିକଟରେ କହୁଛି ଶୁଣ ..ନାରଦ କହିଲେ ..
ଦିନକର କଥା । ଜଳନ୍ଧର ,ମନ୍ତ୍ରୀ ଶୁକ୍ରଚାର୍ଯ୍ୟ ଙ୍କୁ ଡାକି କହିଲା ହେ ଗୁରୁଦେବ ! ଦେବତା ମାନେ କୁଆଡେ ଗଲେ ? କାଇଁ ଆମେ ସମସ୍ତେ ତାଙ୍କୁ ଦେଖି ପାରୁନାହେଁ ? ଯଦି ଦେବତାମାନେ ଜୀବନ ଧରି ବଞ୍ଚି ଥାଆନ୍ତି ତେବେ ମୁଁ କେଭେ ତାଙ୍କ କୁଶଳ ଚାହିଁବି ନାହିଁ ?କାରଣ ସେମାନେ ମୋହର ଶତ୍ରୁ ଅଟନ୍ତି ? ଯେମିତି ଦେହ କୁ ରୋଗ ଲୁଚି କରି ହୋଇଥାଏ କିନ୍ତୁ ଆତ୍ମାକୁ ଶତ୍ରୁ ପଣେ ଦେଖେ । ଏହି ଦେବତା ମାନେ ଆଉ କିଛି ଦିନ ଲୁଚି ରହିବା ପରେ ପୁଣି ନିଜ ବୁଦ୍ଧି ବଳରେ ମୋ ସହିତ ପୁଣି ଯୁଦ୍ଧ କରି । ହେ ମନ୍ତ୍ରୀ ! ମୁ ଜାଣିଛି ଯେ ଶଚୀପତି ମୋର ଶତ୍ରୁ । ଯଦି ସେ ଜୀବନରେ ବଞ୍ଚିଥାଏ ତାହାଲେ ମୋ ସମ୍ପତ୍ତି ମୋତେ ଦେଇ ଦେଉ ହେ ମନ୍ତ୍ରୀବର ମୋତେ କୁହନ୍ତୁ ଦେବତା ମାନେ କେଉଁଠାରେ ଅଛନ୍ତି ? ଯଦି ମୁଁ ଜାଣିବାକୁ ପାଏ ଯେ ସେମାନେ କେଉଁଠାରେ ଲୁଛିଛନ୍ତି ତାହାଲେ ମୁଁ ସେମାନଙ୍କୁ ଲୁଚିଲା ସ୍ଥାନରୁ ଧରି ଆସିବି । ଇନ୍ଦ୍ର ଓ ଅନ୍ୟାନ୍ୟ ଦେବତା ମାନଙ୍କୁ ମାରିଲେ ମୋର ଚିନ୍ତା ଯିବ ।
ମାରିବି ଇନ୍ଦ୍ରାଦି ଦେବତା ।
ତେବେ ମୁଁ ହୋଇବି ଅଚିନ୍ତା ।।
ଜଳନ୍ଧର ର ଏମନ୍ତ ବଚନ ଶୁଣି ଭୃଗୁ ନନ୍ଦନ କହିଲେ ବୃହସ୍ପତି ନିର୍ଦ୍ଦେଶ ଅନୁଯାୟୀ ସକଳ ଦେବତା ତୁମରି ଡରରେ କନକ ପର୍ବତ ଗୁମ୍ପା ରେ ଲୁଚି ଅଛନ୍ତି । ଗୁପ୍ତ ଭାବରେ ଥିବା ସମସ୍ତ ଅସୁରଙ୍କୁ ସେଠାକୁ ଯାଇ ଧରି ଆଣ ।ମନ୍ତ୍ରୀ ଙ୍କ ମୁଖରୁ ଏକଥା ଶୁଣି ଜଳନ୍ଧର ଅସୁର ମାନଙ୍କୁ ଧରି କନକ ଗିରି କୁ ଯିବା ଓ ତାହାର ଯୋଜନା କରି ଅସୁର ମାନଙ୍କୁ କହିଲା ତୁମେମାନେ କନକ ଗିରି ନିକଟରେ ପହଁଞ୍ଚି ଗୁମ୍ପା ନିକଟରେ ପହଁଞ୍ଚିବି। ସମସ୍ତ ଅସୁର ମାନେ ସେଠାରେ ଜଗି ରହିବ । ସମୁଦ୍ର ସୁତ କହିଲା ଦେଖ ଅସୁର ଗଣ ଆମେ ଏଠାକୁ ଆସିଛେ ବୋଲି ଦେବତା ମାନେ ଜାଣି ସାରିବେଣୀ । ତେଣୁ ସତର୍କତା ସହିତ ତୁମ୍ଭେମାନେ କାମ କରିବ । ଦେବତା ମାନଙ୍କ ବୁଦ୍ଧି ବଳ ଜାଣି ଆମେ ଯୁଦ୍ଧ କରିବା । ଆମେମାନେ ସେମାନଙ୍କୁ ମାରି ତାଙ୍କ ମୁଣ୍ଡ କୁ ଆଣି ସମୁଦ୍ରରେ ପକାଇବା । ଏଣୁ ଆଜି ଦିନଟି ତୁମେ ଗିରି ଗୁମ୍ଫା କୁ ଜଗି କରି ରୁହ । ସମସ୍ତ ଅସୁର ମାନଙ୍କୁ ଜଗାଇ ଦେଇ ଜଳନ୍ଧର ଅନ୍ତ ପୁରରେ ପଶିଲା । ସ୍ନାନ ଓ ଭୋଜନ ସାରି ନିଶା ଖାଇ ପଲଙ୍କ ଉପରେ ଶୟନ କଲା ।
ଥାଟମାନେ ଯେତେବେଳେ କନକ ଗିରି କୁ ଯାଉଥିଲେ ସତେ ଯେପରି ମନେ ହେଉଥିଲା ସମୁଦ୍ର ଆଉ ଉଛୁଳି ପଡୁଛି କି ? ଅସୁରମାନେ କନକ ଗିରି ତଳେ ଗୋଟିଏ ପୁର ନିର୍ମାଣ କଲେ ସେଠାରୁ ଗିରି ଉପରକୁ ଚଢ଼ିଲେ । ଅସୁର ମାନଙ୍କ ପାହାଡ଼ ଛାଡିବାରେ ଏପରି ଶବ୍ଦ ହେଉଥିଲା ଯେ ସତେ ଯେପରି ବର୍ଷା କାଳରେ ବଜ୍ରପାତ ହେଉଛି ।ସେମାନେ ଙ୍କ କଥା ଏତେ ଯୋର ଥିଲା ଯେ ସତେ ଯେପରି ବାଣ ଫୁଟି ବା ପରି ଜଣା ପଡୁଥିଲା । ପର୍ବତ ଗର୍ଭରେ ଦେବତା ମାନେ ଜାଣି ପାରିଲେ ଯେ ଅସୁର ଏଠାକୁ ଧାଡ଼ି ଦେଲେଣି। ଆଉ କାଳ ବିଳମ୍ବ ନକରି ଦେବତା ମାନେ ଆତଙ୍କେ ଗୋବିନ୍ଦ ଙ୍କୁ ସ୍ମରଣା କଲେ ।
ହେ ଦେବ ,ଦେବ ଚକ୍ରଧର ।
ଖଳ ନାଶନ ବାନା ତୋର ।।
ଭକ୍ତବତ୍ସଳ ବାନା ବୋହୁ ।
ସୁଜନ ସନ୍ତାପ ନ ସହୁ ।।
ସନ୍ଥ ପାଳନେ ଦେହଧରୁ ।
ସୁଜନ ଜନ ଦୁଃଖ ହରୁ ।।
ତୁ ଆମ୍ଭ ପ୍ରଭୁ ପଦ୍ମମୁଖ ।
ଘୋର ଦାନବ ଦଣ୍ଡୁ ରଖ ।
ଏମନ୍ତ ବୋଲି ଦେବ ଲୋକେ।
ସ୍ତୁତି କରନ୍ତି ଗୁରୁ ଶୋକେ ।।
ଦେବତା ମାନଙ୍କ ଆତଙ୍କ ବାର୍ତ୍ତା ଭଗବାନ ଶ୍ରୀକୃଷ୍ଣ ଜାଣି ପାରିଲେ । ପ୍ରଭୁ ଅନନ୍ତ ଶୟନ ରୁ ଉଠି ପଡି ଅପୂର୍ବ ରୂପ ଧରି ଗରୁଡ଼ କାନ୍ଧେ ବସିଗଲେ । ଲକ୍ଷ୍ମୀ ଙ୍କୁ ଚାହିଁଲେ ପ୍ରଭୁ ଚକ୍ରପାଣି ଓ କହିଲେ ସିନ୍ଧୁ ନନ୍ଦନ ଜଳନ୍ଧର ସେ ତୁମର ସାନ ଭାଇ ହେବ । ସେ ତାହାର ସୈନ୍ୟ ମାନଙ୍କୁ ନେଇ ଦଶପାଳ ଙ୍କୁ ଜିଣି ତିନିପୁର ରେ ତାହାର ବାନା ଉଡାଇଲା । ଦେବଗଣ ମାନେ ତାହାରି ଭୟରେ ଗୁମ୍ପାରେ ଲୁଚି ରହିଲେ । ତଥାପି ତୁମ ସାନ ଭାଇ ର ରାଗ ଶାନ୍ତି ହେଲାନାହିଁ ? ସେ ଗୁମ୍ପା ନିକଟକୁ ଆସି ଦେବତା ମାନଙ୍କୁ ଜୀବନରେ ମାରି ଦେବାକୁ ମନସ୍ତ କରିଛି ! ଶୁଣ କମଳା ! ମୋ ଅଧୀନରେ ସମସ୍ତ ଦେବଗଣ ! ତାଙ୍କ ବିପତ୍ତି ମୋର ଚିନ୍ତା ର କାରଣ । ଯେ ସାଧୁ ଜନ ଙ୍କୁ ହିଂସା କରେ ତୁମେ ଯାଇଛ ମୁଁ ତାହାର ଶତ୍ରୁ ହୋଇଯାଏ । ଏବେ ମୁଁ ଦେବତାଙ୍କୁ ରକ୍ଷା କରିବାକୁ ଯାଇ ଜଳନ୍ଧର କୁ ମାରିବାକୁ ଯାଉଛି କମଳିନୀ
ପ୍ରଭୁ ଚକ୍ରପାଣି ଙ୍କ ଠାରୁ ଏମନ୍ତ ବାକ୍ୟ ଶୁଣି ସାଗର ଦୁଲଣୀ କହିଲେ ଆପଣ ହେଉଛନ୍ତି ତିନି ଲୋକର ନାହା ।ଆପଣଙ୍କ ଶ୍ରୀମୁଖରୁ ଯାହା ଆଜ୍ଞାଦେଲେ ତାହା ମୁଁ କେବଳ ଶୁଣୁଛି । ମୋ ମନରେ ଦୁଃଖ ଜାତ ହେଉଛି ପ୍ରଭୁ ! କିନ୍ତୁ ଜଳନ୍ଧର ଈଶ୍ୱର ଅଂଶେ ଅବତାର ହୋଇଛି ବେଦପତି ବ୍ରହ୍ମା ପ୍ରସନ୍ନ ହୋଇ ତାକୁ
ଉତ୍ତପ୍ତି କରିଛନ୍ତି । ଅଭୟ ବର ତାକୁ ଦେଇଛନ୍ତି ପ୍ରଭୁ ! ତେଣୁ ସେ ସାରା ଜଗତ କୁ ଜିଣି ପାରିବ ।ପ୍ରଭୁ !ଛୋଟ ମୁହଁରେ ବଡ଼ କଥା । ମୁଁ ଜାଣିଛି ଜଳନ୍ଧର କି ମୋ ଭାଇ କୁ କେହି ଜିଣି ପାରିବେ ନାହିଁ ତେଣୁ ତା ନିକଟକୁ ଯୁଝି ବା ପାଇଁ ଯାଆନ୍ତୁ ନାହିଁ । ଲଘୁ ଜନ ସହିତ ଯୁଦ୍ଧ କରିଲେ କିଛି ପୌରୁଷ ଶୋଭା ପାଏନା ପ୍ରଭୁ ! ଏକଥା କୁ ବୁଝି ତୁମେ ଯାହା କରୁଛ କର ତୁମେ ତ ଜଗତ ଈଶ୍ୱର ମୁଁ କଣ ତୁମକୁ ଅଧିକ କହିବି ।
ଭକ୍ତ ମାନଙ୍କ ଆତୁର ଭଗବାନ ବିଷ୍ଣୁ ,ଲକ୍ଷ୍ମୀ ଙ୍କୁ କହିଲେ ମୋର ଗୋଟିଏ ନାମ ଖଳନାଶନ ।ଏହି ବାନା ରେ ମୁଁ ପରିଚିତ ଏଣୁ ତୁମେ ମୋତେ ବାରଣ କର ନାହିଁ କି ବିରୋଧ କର ନାହିଁ
କମଳିନୀ । ଏହାକହି ଦୈତାରି ଖଗ ପିଠିରେ ବସି ଯୁଦ୍ଧ କରିବା କୁ ବାହାରି ପଡିଲେ । ଭଗବାନ ବିଷ୍ଣୁ ଯୁଦ୍ଧ କରିବାକୁ ଯାଉଛନ୍ତି ତାଙ୍କର କି ଉପମା ଏ ଅଧମ ଦେବ ।
ଯେଶନେ ହେମଗିରି ଶିର ।
ଉଦୟ ନବ ଜଳଧର ।।
ଗଗନ ପବନର ଗତି ।
ଦିଗେ ବିରାଜେ ବିଷ୍ଣୁ ଜ୍ୟୋତି ।।
ତମାଳ ପତ୍ର ବର୍ଣ୍ଣ ତନୁ ।
ତେଜ ବିରାଜେ କୋଟି ଭାନୁ ।।
ଦୁର୍ଦ୍ଦଣ୍ଡ ଦଣ୍ଡ ଭୁଜ ଚାରି ।
ଗଦା ଖଡ଼ଗ ଚକ୍ରଧାରୀ ।।
କନକ ବମ୍ବୁ ବାମ କରେ ।
ବିନା ସମୀରେ ଧ୍ୱନି କରେ ।।
ଶବଦେ ଦଶ ଦିଗ୍ ପୂରି ।
ଦନୁଜ ପୁରେ ପଡେ ହୁରୀ ।।
ସିନ୍ଧୁଙ୍କ ଦେଶେ ଉତପାତ ।
ଗଗନୁ ପଡେ ନିରିଘାତ ।।
ଅସ୍ଥି ,ଖପରା ଧୂମ ଧୂଳି ।
ଆଚ୍ଛାଦି ଗଗନୁ ନିକିଳି ।।
ଲୋମ ରୁଧିର ଭସ୍ମ ମିଶି ।
ମିର୍ମେଘେ ଗଗନୁ ବରଷି।।
ଭୂମି କମ୍ପଇ ଥରହର ।
ତାଦେଖି ବୀର ଜଳନ୍ଧର ।।
ବିଷ୍ଣୁ ଭଗବାନ ଙ୍କ ଆଗମନ ଦେଖି ଜଳନ୍ଧର ଭୟ କରିଗଲା । କି ଭୟଙ୍କର ମୂର୍ତ୍ତି ! ଆଗରୁ କେଭେ ଦେଖି ନଥିଲା ଜଳନ୍ଧର ! କିଛି ସମୟ ନିରବ ହୋଇଯାଇ ଗୁରୁ ଶୁକ୍ରଚାର୍ଯ୍ୟ ଙ୍କୁ କହିଲା ହେ ଗୁରୁଦେବ ମୁଁ କଣ ଏମିତି ବିପରୀତ ଦେଖୁଛି ? ଶୁକ୍ର କହିଲେ ହେ ରାଜନ ଆପଣ ଦେବତା ମାନଙ୍କୁ ହଇରାଣ କରିବାରୁ ନାରାୟଣ ଗରୁଡ଼ କୁ ଆକାଶ ମାର୍ଗରେ ଧରି ତୁମରି ଉଦ୍ଦେଶ୍ୟ ରେ ଆସୁଛନ୍ତି । ତାଙ୍କର ନାମ ଦୈତାରି ।ଦୈତ୍ୟ ମାନଙ୍କ ବିନାଶ ତାଙ୍କରି ହାତରେ ହୁଏ ରାଜନ । ମନ୍ତ୍ରୀ ଶୁକ୍ରଙ୍କ ଠାରୁ ନାରାୟଣ ଙ୍କ କଥା ଶୁଣି ସିନ୍ଧୁ ସୁତ କ୍ରୋଧରେ କମ୍ପି ଉଠିଲା । ଯୁଦ୍ଧ ଆରମ୍ଭ କରିବା ପାଇଁ ସୈନ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଲାଜଳନ୍ଧର
ରାଜା ପୃଥୁ ଦେବର୍ଷି ନାରଦଙ୍କୁ ପ୍ରଣିପାତ କଲେ ଓ କହିଲେ ଭୋ ମୁନି ଭଗବାନ ବିଷ୍ଣୁ ଗରୁଡ଼ ପୃଷ୍ଠରେ ଆସି ଜଳନ୍ଧର ନିକଟରେ ପହଁଞ୍ଚିଲେ ସତରେ କଣ ଭଗବାନ ବିଷ୍ଣୁ ,ଜଳନ୍ଧର ସହିତ ଯୁଦ୍ଧ କଲେ ଯଦି ଯୁଦ୍ଧ କଲେ ତାହାଲେ ଯୁଦ୍ଧରେ ବିଜୟ ହେଲେ ନା ପରାଜିତ ହେଲେ ? ଏ ବିଷୟରେ ମୋତେ ବିସ୍ତାର କରି କୁହନ୍ତୁ ? ବ୍ରହ୍ମାଙ୍କ ନନ୍ଦନ କହିଲେ ହେ ରାଜନ ମୁଁ ଯାହା ଶୁଣିଛି ତାହା ତୁମ ନିକଟରେ କହୁଛି ଶୁଣ ନାରଦ କହିଲେ ...!
ଭଗବାନ ବିଷ୍ଣୁ ଗରୁଡ଼ ପୃଷ୍ଠ ରେ ବିଜେ କରି ହେମକୁଟ ପର୍ବତ ନିକଟରେ ପହଁଞ୍ଚିଗଲେ । ଭଗବାନ ବିଷ୍ଣୁ ଆଗମନ ଦେଖି ଜଳନ୍ଧର ର ସମସ୍ତ ସୈନ୍ୟମାନେ ଆତଙ୍କିତ ହୋଇଗଲେ । ଦେବତା ମାନଙ୍କୁ ବନ୍ଦୀ କରି ରଖିଥିବା ଅସୁର ମାନେ ବିଷ୍ଣୁ ଭଗବାନଙ୍କୁ ଦେଖି ଯିଏ ଯୁଆଡେ ପଳାଇ ଗଲେ । ଘାସ ଯେପରି ପବନରେ ଉଡେ ସେହିପରି ଗୋବିନ୍ଦ ଭଗବାନଙ୍କ ଦର୍ଶନ ରେ ଦୈତ୍ୟମାନ ପବନ ରେ ଉଡିବାକୁ ଲାଗିଲେ।ସେତେବେଳେ କୁ ସକାଳ ହୋଇଥିଲା ।ଜଳନ୍ଧର ହେମକୁଟ ପର୍ବତ ନିକଟରେ ପହଁଞ୍ଚି ଦେଖିଲା ଅସୁର ମାନେ ଛତ୍ର ଭଙ୍ଗ ଦେଉଛନ୍ତି ,ଜଳନ୍ଧର ଅଟକାଇଲା ଅସୁର ମାନଙ୍କୁ । କିଛି ଅସୁର ଜଳନ୍ଧର କଥାମାନି ସେଠାରେ ରହିଲେ ଆଉ କିଛି ଭୟ ପାଇ ପଳାଇ ଆସିଲେ । ଯେଉଁ କେତେକ ସୈନ୍ୟ ସେଠାରେ ରହିଲେ ଭଗବାନ ବିଷ୍ଣୁ ଏପରି ପବନ ସୃଷ୍ଟି କଲେ ଯେ ଦୈତ୍ୟମାନେ ଆକାଶରେ ଉଡିବାକୁ ଲାଗିଲେ । କିଛି ସମୟ ପର୍ଯ୍ୟନ୍ତ ଆକାଶରେ ଉଡି ଦୈତ୍ୟ ମାନେ ପର୍ବତ ତଳେ ମୁହଁ ମାଡି ପଡିଗଲେ ଅର୍ଥାତ ବିନାଶ ହୋଇଗଲେ ।
ସୈନ୍ୟମାନଙ୍କ ଏପରି ଅବସ୍ଥା ଦେଖି ଜଳନ୍ଧର ଖୁବ ଯୋରରେ ରାଗିଗଲା ଚାରିଦିଗ୍ କୁ ବାଣ ବିନ୍ଧିବାରେ ଲାଗିଲା ।ଜଳନ୍ଧର ବାଣ ର ପ୍ରଭାବ ଏପରି ଥିଲାଯେ ଚାରିଦିଗ ଅନ୍ଧକାର ହୋଇଗଲା । ଜଳନ୍ଧର ଶର ବିନ୍ଧିବାରେ ଲାଗିଲା। ବିଷ୍ଣୁ ଭଗବାନଙ୍କ ଦେହରେ ଶର ବାଜି ଗଲା । ଶର ବାଜିବାରୁ ଭଗବାନ ବିଷ୍ଣୁ ଶରପୀଡା ଅନୁଭବ କଲେ । ଏତେ ପୀଡା ଲାଗିଲା ଯେ ଭଗବାନ ଶ୍ରୀକୃଷ୍ଣ ଆଉ ଚଳି ପାରିଲେ ନାହିଁ ଆଶ୍ଚର୍ଯ୍ୟ ହୋଇଗଲେ ଖଗେଶ୍ବର! ନିଜ ଦେହରୁ ଯେତିକି ଶର ବାହାର କରୁଥାନ୍ତି ସେତିକି ଶର ତାଙ୍କ ଦେହରେ ଆସି ପଡୁଥାଏ । ଚକ୍ରଧର ଏସବୁ ଦେଖି ଆଉ ସ୍ଥିର ହୋଇ ରହି ପାରିଲେ ନାହିଁ ।
ଗର୍ଜି ଉଠିଲେ ଖଗେଶ୍ବର । ଦେବତା ମାନଙ୍କୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଉଗ୍ରମୁର୍ତ୍ତି ଧାରଣ କଲେ । ନିଜର ଗଦା କୁ ବୁଲାଇ ଫିଙ୍ଗିଦେଲେ ଶ୍ରୀକୃଷ୍ଣ ଭଗବାନ। ଗଦା ଟି ଯାଇ ଜଳନ୍ଧର ବିମାନ କୁ ପିଟିବାରେ ଲାଗିଲା । ଗଦା ପ୍ରହାରରେ ବିମାନଟି ଅର୍ଥାତ ଜଳନ୍ଧର ରଥ ଭାଙ୍ଗିଗଲା । ଏହାପରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଅସ୍ତ୍ର ଜଳନ୍ଧର ର ହୃଦୟରେ ଶସ୍ତ୍ର ବାଜିଲା । ଶସ୍ତ୍ର ବାଜିଲା ପରେ ବି ଜଳନ୍ଧର କିଛି ବିଚଳିତ ହେଉନଥିଲା ।ଏମିତି ଯୁଦ୍ଧ ଚାଲିଥିବା ବେଳେ ଭଗବାନ ଶ୍ରୀକୃଷ୍ଣ ଙ୍କ ହସ୍ତରୁ ଗଦାଟି ଭୂମି ଉପରେ ପଡିଗଲା । ମହାବଳୀ ଜଳନ୍ଧର ଆଉ ବିଳମ୍ବ ନକରି ଭଗବାନଙ୍କ ଗଦା କୁ ନେଇଗଲା । ସେହି ଗଦାରେ ଅର୍ଥାତ ଭଗବାନ ଶ୍ରୀକୃଷ୍ଣ ଙ୍କ ଗଦାରେ ଜଳନ୍ଧର ଖଗେଶ୍ୱର ମୁଣ୍ଡକୁ ପିଟିବାରେ ଲାଗିଲା ।ଯେପରି ଗରମ ଲୁହାକୁ କମାର ବାଡେଇ ବାଡେଇ ପତଳା କରେ ସେହିପରି ସିନ୍ଧୁ ନନ୍ଦନ ଖଗେଶ୍ୱର ଙ୍କ ମୁଣ୍ଡକୁ ପିଟି ଚାଲୁଥାଏ । ଜଳନ୍ଧର ର ଏପରି ମାଡ଼ରେ ଆକାଶରୁ ଘଡ଼ଘଡି ଶବ୍ଦ ଶୁଭିବାକୁ ଲାଗିଲା । ଗରୁଡ଼ ସେହିଠାରେ ମୂର୍ଛିତ ହୋଇ ପଡିଗଲା । ଏପରି ଘଟଣା ଦେଖି ଜଗତ ଈଶ୍ୱର ଗରୁଡ଼ ମୁଣ୍ଡରେ ଶଙ୍ଖ ଛୁଆଇଁ ଦେଲେ । ଗରୁଡ଼ ଉଠି ବସିଲା । ଗରୁଡ଼କୁ ଜୀଵଦାନ ଦେଇ ଭଗବାନ ଶ୍ରୀକୃଷ୍ଣ କହିଲେ ହେ ପକ୍ଷୀରାଜ ତୁମେ ଏବେ ତୁମ ନିଜ ସ୍ଥାନ କୁ ଯାଅ ।ଭଗବାନ ଶ୍ରୀକୃଷ୍ଣ ଙ୍କ ଆଜ୍ଞା ପାଇ ଗରୁଡ଼ ସେଠାରୁ ଚାଲିଗଲା ।
ଏହାପରେ ଜଳନ୍ଧର ସହିତ ଭଗବାନ ବିଷ୍ଣୁଙ୍କର ଘମାଘୋଟ ଲଢେଇ ଚାଲିଲା ।ବିଷ୍ଣୁ ଭଗବାନ ହାତରେ ଖଡ୍ଗ ଧରି ଜଳନ୍ଧର କୁ ପ୍ରହାର କଲେ । ଜଳନ୍ଧର ମଧ୍ୟ ମାୟା ପଥ ଅନୁଶରଣ କରି ବିଷ୍ଣୁ ଭଗବାନଙ୍କୁ ପ୍ରହାର କଲା । ଜଳନ୍ଧର ମୁଥା ମାରି ଚାଲିଥାଏ ମୁଥ ଆଘାତ ସମ୍ଭାଳି ନପାରି ବିଷ୍ଣୁ ଭଗବାନ ଜଳନ୍ଧରର ହାତକୁ ଧରିଲେ । ଯେମିତି ଜଳନ୍ଧର ହାତ କୁ ଭଗବାନ ବିଷ୍ଣୁ ଧରିଛନ୍ତି ଜଳନ୍ଧର ସବୁ ଅସ୍ତ୍ର ଫୋପାଡ଼ି ଦେଇ ବିଷ୍ଣୁ ଭଗବାନଙ୍କୁ ବାମ ହାତରେ ଧରିଲା ଜଳନ୍ଧର । ଆଉ ଭଗବାନ ବିଷ୍ଣୁ ଜଳନ୍ଧର ହାତରୁ ଖସି ପାରିଲେ ନାହିଁ । ଏହାପରେ ବ୍ରହ୍ମରାଶି ନିଜର ପ୍ରକୃତ ରୂପ ପ୍ରକାଶ କଲେ । ଶଙ୍ଖ ,ଚକ୍ର ଓ ଖଡ୍ଗ କୁ ଆୟୁଧ ହୋଇ ଜଳନ୍ଧର କୁ ଚାରି ଭୁଜରେ ଧରିଲେ ଚକ୍ରଧର । ଜଳନ୍ଧର ଦୁଇ ହାତରେ ଧରିଥାଏ ଭଗବାନ ବିଷ୍ଣୁ ଙ୍କୁ ।ବିଷ୍ଣୁ ଭଗବାନ ଚାରି ହାତରେ ଧରିଥାନ୍ତି ଜଳନ୍ଧରକୁ । ମଲ୍ଲ ଯୁଦ୍ଧ ଆରମ୍ଭ ହୋଇଗଲା । ଭୂମି ଉପରେ ଗଡାଗଡି ହେଲେ ଵିଷ୍ଣୁ ଭଗବାନ ଓ ଜଳନ୍ଧର ।ସିଂହ ସହିତ ଶିଆଳ ଯେପରି ଲଢେଇ କରେ ସେହିପରି ଦୃଶ୍ୟ ସେଠାରେ ପ୍ରତୀୟମାନ ହେଲା । ଯାହାଙ୍କର ମହିମା ସାରା ଜଗତ ଜାଣିଛି ତାଙ୍କ ସହିତ ସିନ୍ଧୁ ସୁତ ଜଳନ୍ଧର ଯୁଦ୍ଧ କରି କାହିଁ ବା ବର୍ତ୍ତି ଯିବ । ବାହୁ ,ସହିତ ବାହୁ ଛନ୍ଦି ଗୋଡ଼ ,ସହିତ ଗୋଡ଼ କୁ ଛନ୍ଦି ,ଗଡା ଗଡି ହୋଇ ହୃଦୟ କୁ ହୃଦୟ ସହିତ ଲଢେ଼ଇ କରି ଚାଲିଥାନ୍ତି ଭଗବାନ ବିଷ୍ଣୁ ଓ ସିନ୍ଧୁ ସୁତ ଜଳନ୍ଧର । କେତେବେଳେ ଆକାଶ ରେ ଉଡି ଉଡି ଯୁଦ୍ଧତ କେତେବେଳେ ଭୂମି ଉପରେ । ଏମିତି ଯୁଦ୍ଧ ଚାଲିଥାଏ ଯେ ପର୍ବତର ଶୀଳା ମାନ ଭାଙ୍ଗି ଖଣ୍ଡ ଖଣ୍ଡ ହେଉଥାଏ । ଅନେକ ଜୀବଜନ୍ତୁ ଙ୍କ ପ୍ରାଣ ନାଶ ମଧ୍ୟ ହେଉଥାଏ ।
ଏମିତି ଯୁଦ୍ଧ ଚାଲିଥାଏ ।ରାତି ,ଦିନ ସବୁବେଳେ ଯୁଦ୍ଧ ଲାଗି ରହିଲା ।ଦିନକୁ ଦିନ ଯୁଦ୍ଧ ଟାଣ ହେବାରେ ଲାଗିଲା ।କେହି କାହାକୁ ଛାଡିବାର ନାହିଁ । ଜଳନ୍ଧର କେତେବେଳେ ଆଘାତ ହେଉଥାଏ ତ ଭଗବାନ ବିଷ୍ଣୁ କେତେବେଳେ ଆଘାତ ହେଉଥାଆନ୍ତି ।ଯୁଦ୍ଧରେ ବିଶ୍ରାମ ମଧ୍ୟ ନଥାଏ ।ଏମିତି କେତେ କାଳ ଗଲା । କେହି କାହାକୁ ଜିଣି ପାରିଲେ ନାହିଁ । ଭଗବାନ ବିଷ୍ଣୁ ଚିନ୍ତାକଲେ ଏହି ଦୈତ୍ୟ ସହ ଯୁଦ୍ଧକଲେ ସଂସାର ଆଉ ରହିବ ନାହିଁ । ଏମିତି ଅନେକ ଯୁଗ ବିତିଯିବ ତଥାପି ଏ ଅସୁର ମରିବ ନାହିଁ ? ଏଠାରେ ଭଗବାନ ବିଷ୍ଣୁ କମଳା ଙ୍କ କଥା ଚିନ୍ତାକଲେ ଓ ଭାବିଲେ କମଳିନୀ ଠିକ୍ କହୁଥିଲେ ପୁନଶ୍ଚ ଭଗବାନ ଚିନ୍ତା କଲେ ଧନ୍ୟ ବିଧାତା ତୁମେ ,ଧନ୍ୟ ତୁମ ବର ଦାନ!
ଧନ୍ୟ ବିଧାତା ବର ତୋର
କମଳା ବାକ୍ୟ ନିରାଧାର ।
ବିଷ୍ଣୁ ଭଗବାନ ଏଠାରେ ଭାବିଛନ୍ତି ଯେ କମଳା ଙ୍କ ବାରଣ ସତ୍ତ୍ୱେ ଯୁଦ୍ଧ କରିବାକୁ ଆସିଲି କିନ୍ତି ତାହା ଫଳପ୍ରଦ ହେଲାନାହିଁ
ଜଳନ୍ଧର କୁ ମାରିବା ମୋ ପକ୍ଷରେ ଆଉ ସମ୍ଭବ ନୁହେଁ ? ଏପଟେ ଯୁଦ୍ଧ ରେ ସମୟ ବିତାଇବା ମଧ୍ୟ ସମ୍ଭବ ନୁହେଁ ? ତାପରେ ଭଗବାନ ବିଷ୍ଣୁ ବିଚାର କଲେ ଯଦି ମୁଁ ଯୁଦ୍ଧରୁ ଓହରି ଯାଇ ଜଳନ୍ଧର ନିକଟରେ ଶରଣ ପଶିବି ସବୁଦିନ ପାଇଁ ଅପଯଶଃ ଓ ନିନ୍ଦିତ ହୋଇ ରହିବି । ରଣ ରୁ ଘୁଞ୍ଚିଗଲେ ଲାଜ । ନଘୁଂଚିଲେ ମହୀ ସାରା ଦୁଃଖିତ ।କଣ କରିବେ ! ବିଷ୍ଣୁ ଭଗବାନ ଏଠାରେ ହଡ଼ବଡ଼ ହୋଇଗଲେ ।
ରଣେ ଘୁଞ୍ଚିଲେ ହେବ ଲାଜ
ଏତେ ବିଚାରି ଦେବରାଜ ।
ଭଗବାନ ବିଷ୍ଣୁ ଏଠାରେ ମାୟା ରଚନା କରି ଜଳନ୍ଧର କୁ ପ୍ରୀତି
ପୂର୍ଣ୍ଣ ବାକ୍ୟରେ କହିଲେ ହେ ମହାବୀର ଜଳନ୍ଧର ! ତୁ ମୋହର ବନ୍ଧୁ ଅଟୁ । ମୁଁ ତୁମ୍ଭର ଭଉଣୀ କୁ ବିବାହ କରିଛି । ତୁମ ବଡ଼ ଭଉଣୀ ଯିଏକି ସମୁଦ୍ରରୁ ଜାତ ହୋଇଛି ତାଙ୍କ ନାମ ଲକ୍ଷ୍ମୀ । ଏହି ଦୃଷ୍ଟିରୁ ତୁମେ ଆମ ଶାଳକ । ତୁମେ ଏକଥା ଜାଣି ନଥିଲେ । ହେଉ ହେଲା ମୁଁ ତୁମର ବଳ ପରୀକ୍ଷା କରୁଥିଲି । ଏବେ ତୁମେ ବଳବାନ୍ ବୋଲି ଜାଣିଗଲି । ବନ୍ଧୁ ,ବନ୍ଧୁ ଭିତରେ କଣ କଳି ହେଲେ ଶୋଭା ପାଇବ ? ଏହା ଥିଲା ଦୈବ୍ୟ ଯୋଗ ।ଯାହା ଫଳରେ ଆମେ ଶଳା ,ଭିଣୋଇ ଯୁଦ୍ଧ ଲାଗିଲେ । ଛାଡ଼ ଜଳନ୍ଧର ସେସବୁ ।ତୁମ ଠାରେ ମୁଁ ପ୍ରସନ୍ନ ହୋଇଛି !କଣ ବର ମାଗୁଛ ମାଗ ?
ବିଷ୍ଣୁଙ୍କ ମୁଖରୁ ଏ କଥା ଶୁଣି ଜଳନ୍ଧର ମନେ ମନେ ଚିନ୍ତାକଲା
ଏ ହେଉଛି ଶୁଭ ବେଳ । ଯିଏ ଜଗତ ଈଶ୍ୱର ସେ ମୋତେ ବର ଯାଚି କରି ଦେଉଛନ୍ତି ! ସେ ବନ୍ଧୁ ପଣେ ହେଉ କି ନିଜେ ଯୁଦ୍ଧରୁ ହାରିବା ଭୟରେ ହେଉ ।ବିଷ୍ଣୁ ପରୋକ୍ଷରେ ତ ମୋ ନିକଟରୁ ହାରିଲେ । ଜଳନ୍ଧର କହିଲା ତୁମେ ଯଦି ମୋତେ ବର ଦେବାକୁ ଚାହୁଁ ଛ ତେବେ ମୋ ଭଉଣୀ ଲକ୍ଷ୍ମୀ ସହିତ ଅଷ୍ଟନିଧି କୁ ଧରି ତୁମେ ମୋ ଘରେ ରହିବ । ଲକ୍ଷ୍ମୀ ଯେହେତୁ ମୋର ବଡ଼ ଭଉଣୀ ଓ ତୁମେ ପ୍ରଭୁ ପଣ ରେ ଶ୍ରେଷ୍ଠ ସେଥିପାଇଁ ତୁମେ ଦୁଇଜଣ ମୋ ପୁରରେ ରହିବ । ମୁଁ ତୁମକୁ ପୂଜା କରି ଶାନ୍ତି ପାଇବି ।
ଜଳନ୍ଧର ଅସୁର ମୁଖରୁ ଏପରି ବାଣୀ ଶୁଣି ଭଗବାନ ବିଷ୍ଣୁ ସନ୍ତୋଷ ହୋଇଗଲେ । ଗଦାଧର କହିଲେ ଜଳନ୍ଧର ତୁ ଯାହା ବର ମାଗିଲୁ ସେହି ବର ତୋତେ ମୁଁ ପ୍ରଦାନ କରୁଛି । ବିଷ୍ଣୁ ଭଗବାନ ଦେବତାମାନ ଙ୍କ ହିତ ପାଇଁ ଅସୁର ଜଳନ୍ଧର କୁ କହିଲେ ହେ ମହାବୀର ଆମେ କମଳାଙ୍କ ସହିତ ବ୍ରହ୍ମା ଆଦି ଦିଗପାଳଙ୍କ ସହିତ ସମସ୍ତେ ତୁମ୍ଭ ପୁରରେ ବାସ କରିବୁ । ତୁମେ ଯେତେବେଳେ ଯାହା ମାଗିବ ଆମ୍ଭେ ତାହା ଦେବୁ । ଲକ୍ଷ୍ମୀ ଯେବେ ତୋ ପୁରରେ ଥିବେ ତେବେ ତୋହର ଅଭାବ ଆଉ କଣ ରହିବ ? ମୋର ଗୋଟିଏ କଥା ମାନ ଜଳନ୍ଧର ! ଦେବତା ମାନଙ୍କ ଅଧିକାର ତାଙ୍କୁ ଫେରାଇ ଦେ ,ତୋହର ଏହି ଯଶ କାଳ କାଳ କୁ ରହୁ ଯେତେଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଆତଯାତ ହେଉଥିବେ ତୋହର ଏହି ମହାନ ଗୁଣ ସମସ୍ତେ ମନେ ରଖିବେ ।
ଭଗବାନ ବିଷ୍ଣୁ ଙ୍କ ବଚନରେ ଜଳନ୍ଧର ସନ୍ତୋଷ ହୋଇ ଦେବତା ମାନଙ୍କୁ ସ୍ୱର୍ଗପୁର ଫେରାଇ ଦେଲା । ବିଷ୍ଣୁ ଭଗବାନ ପତ୍ନୀ କମଳାଙ୍କୁ ସ୍ମରଣ କରିବାରୁ କମଳା ସେଠାରେ ଆସି ପହଁଞ୍ଚିଲେ ।କମଳାଙ୍କ ସହିତ ଅଷ୍ଟ ନିଧି ମଧ୍ୟ ଆସିଲେ ।ଏ ସମସ୍ତଙ୍କୁ ଦେଖି ଜଳନ୍ଧର ଖୁସି ହୋଇଗଲା ।ଭଉଣୀ , ଭିଣୋଇ ଙ୍କୁ ଧରି ଜଳନ୍ଧର ନିଜ ପୁରକୁ ଚାଲିଗଲା । ସିନ୍ଧୁ ଦେଶରେ ପହଞ୍ଚି ବା ପରେ ଭଗବାନ ବିଷ୍ଣୁ ଙ୍କ ପାଇଁ ଦିବ୍ୟବାସ ନିର୍ମାଣ କଲା । ସେଠାରେ ଲକ୍ଷ୍ମୀ ନାରାୟଣ ଓ ଅଷ୍ଟନିଧି ରହିଲେ । ବିଷ୍ଣୁ ଭଗବାନଙ୍କୁ ପାଇ ଜଳନ୍ଧର ନେତ୍ର ପବିତ୍ର ହୋଇଗଲା । ଦେବତା ମାନେ ସ୍ୱର୍ଗପୁର ରେ ରହିଲେ ମାତ୍ର ବିଷ୍ଣୁ ଭାଗବାନ ମର୍ତ୍ତ୍ୟରେ ଜଳନ୍ଧର ନିକଟରେ ରହିଥାନ୍ତି ।
ସିନ୍ଧୁ ସୁତ ଜଳନ୍ଧର ମର୍ତ୍ତ୍ୟରେ ଦ୍ଵିତୀୟ ବୈକୁଣ୍ଠ ନିର୍ମାଣ କରି ଭଗବାନ ଶ୍ରୀକୃଷ୍ଣ ଙ୍କୁ ନିତି ପୂଜାର୍ଚ୍ଚନା କଲା । ନୀତି ପୂଜାକଲେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଙ୍କ ଆତ୍ମା ଙ୍କୁ ଚିନ୍ହି ପାରିନଥିଲା ଜଳନ୍ଧର ।ଏଣେ ସ୍ୱର୍ଗପୁରରୁ ସମସ୍ତ ଦେବତା ଙ୍କ ସହିତ ଯକ୍ଷ ,ଗନ୍ଧର୍ବ ଓ ୠଷି ମାନେ ଜଳନ୍ଧର ମନ ଜାଣି ଖଟି ବାରେ ଲାଗିଲେ । ଦେବତା ମାନେ ହରି ଙ୍କ ଦର୍ଶନ ନପାଇବାରୁ ତାଙ୍କ ମନ ସର୍ବଦା ବିକଳ ହେଉଥାଏ । ସବୁଦିନ ବିଷ୍ଣୁଙ୍କ ପାଦ ଧ୍ୟାନ କରି ଦୁଃଖରେ ଦିନ କାଟୁଥାନ୍ତି ।
କ୍ରମଶଃ…………
Writer – Dusmanta kumar mishra
ପୌରାଣିକ କଥାବସ୍ତୁ “ନାଗ ଚତୁର୍ଥୀ”
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୪)
୩୧ ତାରିଖ ଅଁଳା ନବମୀ । ଘରେ କେଉଁଠି ଏହି ଗଛ ରହିଲେ ହୋଇଥାଏ ଧନର ବର୍ଷା , ଜାଣନ୍ତୁ…..

