କାର୍ତ୍ତିକ ମାହାତ୍ମ୍ୟ (ନବମ ଅଧ୍ୟାୟ)
ନବମ ଅଧ୍ୟାୟ
#ନାରଦ_ଉବାଚ
ପ୍ରବିଷ୍ଟେ ନଗରୀଂ ଦୈତ୍ୟେ ଦେବାଃ ଶକ୍ରପୁରୋଗମାଃ।
ସୁବର୍ଣ୍ଣାଦ୍ରି ଗୁହାଂ ପ୍ରାପ୍ୟନ୍ୟବିଶନ୍ ଦୈତ୍ୟତାପିତାଃ ।।
କହନ୍ତି ପଦ୍ମଯୋନି ସୁତ ।ପଦ୍ମ ପୁରାଣେ ଯେ ଉକତ।।
ଉତ୍ତର ଖଣ୍ଡେ ଗ୍ରନ୍ଥସାର।ଶୁଣ ହେ ପୃଥୁ ନୃପବର।।
ଦେବେ ଯେ ସ୍ଵର୍ଗ ଛାଡ଼ିଗଲେ ।କନକ ଗୁହା ଆଶ୍ରେ କଲେ।।
ଅସୁରେ ତିନିପୁରେ ପୂରି ।ଭୁଞ୍ଜନ୍ତି ତିନି ଲୋକ ଶିରୀ।।
ଦିନେ ନୃପତି ଜଳନ୍ଧର ।ହକାରି ଶୁକ୍ର ମନ୍ତ୍ରୀବର।।
ଅଇରି ଭାବେ ହିଂସା ବହି । ପୁଚ୍ଛଇ ଦେବେ ଗଲେ କାହିଁ।।
ଯେବେ ବି ପ୍ରାଣେ ଥବେ ସୁର।ତେବେ କୁଶଳ କାହିଁ ମୋର।।
ଦେହେ ଯେ ଲୁଚିଥାଇ ବ୍ୟାଧି।ଆତ୍ମାକୁ ଶତ୍ରୁପଣେ ସାଧୁ।।
ବଇରୀ ସେହି ପରକାରେ ।ପଳାଇ ଥାଇ ଯେବେ ଡରେ।।
ଗୁପତେ ଥାଇ ଦିନାକେତେ । ପୁଣି ସାଧଇ ବୁଦ୍ଧିମତେ।।
ଏଥକୁ ବିଚାରଇ ମୁହିଁ । ମୋର ବଇରୀ ଶଚୀ ସାଇଁ ।।
ସେ ଯେବେ ପ୍ରାଣ ଘେନି ଅଛି । ମୋର ସମ୍ପଦ କାହିଁ ଅଛି ।।
ଏଥକୁ କହ ମନ୍ତ୍ରୀବର। କାହିଁ ଅଛନ୍ତି ସର୍ବସୁର ।।
ଜାଣିଲେ ଯିବୁ ଏହି କ୍ଷଣି ।ଲୁଚିଲା ଠାରୁ ଧରି ଆଣି ।।
ମାରିବି ଇନ୍ଦ୍ରାଦି ଦେବତା। ତେବେ ମୁଁ ହୋଇବି ଅଚିନ୍ତା ।।
ଏମନ୍ତେ ନୃପତି ବଚନେ । କହନ୍ତି ଭୃଗୁଙ୍କ ନନ୍ଦନେ ।।
ଶୁଣ ରାଜନ ବିହି ବଶେ। ସକଳ ଦେବେ ତୋର ତ୍ରାସେ ।।
କନକ ଗିରି ଗହ୍ଵରରେ ।ଲୁଚି ପାଷାଣ ଢାଙ୍କି ଦ୍ବାରେ।।
ଗୁପତେ ରହିଛନ୍ତି ସର୍ବେ ।ଶୁଣି କି ଉପାୟ କରିବେ।।
ତାଙ୍କ ଉପାୟ ସିଦ୍ଧି ନୋହୁ ।ପାଇଲେ ଧରି ଆଣ ତହୁଁ।।
ଏମନ୍ତ ମନ୍ତ୍ରୀ ମୁଖୁ ଶୁଣି ।ସେ ଜଳନ୍ଧର ବୀରମଣି।।
ଅସୁର ବଳଙ୍କୁ ଅନାଇଁ ।ବୋଲଇ ଯାଅ ବେଗ ହୋଇ।।
କନକ ଗିରି କ୍ରୋଟରାଜ ।ନିର୍ବନ୍ଧେ ଜଗିଥାଅ ଆଜ।।
ସେ ଗିରି କ୍ରୋଟେ ସର୍ବ ସୁରେ ।ଲୁଚି ଅଛନ୍ତି ମୋର ଡରେ।।
ଆମ୍ଭଙ୍କୁ ଜିଣିବା ଉପାୟେ ।ବିଚାରୁଛନ୍ତି ଦେବତାଏ ।।
ତାହାଙ୍କ ବୁଦ୍ଧି ବଳ ପାଞ୍ଚି ।ଯୁଦ୍ଧ ଆରମ୍ଭ ବିଧି ପାଞ୍ଚି ।।
ଆମ୍ଭେ ମାରିବା ତାଙ୍କୁ ଧରି । ଉପାଡ଼ି ଗିରି ଆଦିକରି ।।
ସମୁଦ୍ରେ ପକାଇବା ଆଣି ।ସକଳ ସୁର ଶିର ହାଣି।।
ଏଥକୁ ଆଗେ ତୁମ୍ଭେ ଯାଅ ।ଆଜକ ଗିରି ଜଗିଥାଅ।।
ମୋତେ ଅବେଳ ଆଜ ଦିନ।ପ୍ରଭାତେ କରିବି ଗମନ।।
ଏମନ୍ତ ବୋଲି ଥାଟ ପେଷି ।ନୃପତି ଅନ୍ତପୁରେ ପଶି।।
ସାରିଲେ ସ୍ନାହାନ ଭୋଜନ ।ନିଶାରେ ପଲ୍ୟଙ୍କ ଶୟନ ।।
ଥାଟେ ଯେ ଗଲେ ଆଗେ ଚଳି ।ଯେସନେ ସମୁଦ୍ର ଉଛୁଳି।।
କୂଳ ଲଙ୍ଘଇ କାଳ ବଶେ ।ତେସନେ ଦୁର୍ଦ୍ଦାନ୍ତ ରାକ୍ଷସେ ।।
କନକଗିରି ତଳେ ପୂରି ।ବସିଲେ ଶତେପୁର କରି ।।
ପର୍ବତେ ଉଠିଲେକ ସୈନ୍ୟ ।ବରଷା କାଳେ ଯେହ୍ନେ ଘନ ।।
ସେହି ପ୍ରକାରେ ଦୈତ୍ୟ ବଳେ । ଘୋଟିଲେ କନକ ଶଇଳେ।।
ବାଣ ବଚନ ବାଦ୍ୟ ଧ୍ବନି । ଶବଦେ କମ୍ପଇ ମେଦିନୀ।।
ପର୍ବତ ଗର୍ଭୁ ଦେବେ ଶୁଣି ।ଅସୁର ଧାଡ଼ି ବୋଲି ଜାଣି ।।
ବିବାଦେ ଭରସା ନ କରି ।ଆତଙ୍କ ଗୋବିନ୍ଦ ସୁମରି ।।
ହେ ଦେବ ଦେବ ଚକ୍ରଧର ।ଖଳନାଶନ ବାନା ତୋର।।
ଭକ୍ତବତ୍ସଳ ବାନା ବହୁ ।ସୁଜନ ସନ୍ତାପ ନ ସହୁ।।
ସନ୍ଥ ପାଳନେ ଦେହଧରୁ ।ସୁଜନ ଜନ ଦୁଃଖ ହରୁ।।
ମତ୍ସ୍ୟ କଚ୍ଛପ କାଳ ରୂପୀ।ନମୋ ନୃସିଂହ ବିଶ୍ଵ ବ୍ୟାପୀ।।
ନମୋ ବାମନ ଦ୍ବିଜବର । ଶଙ୍ଖ ଶାରଙ୍ଗ ଚକ୍ରଧର।।
ଗଦା ସହିତେ ଭୁଜ ଚାରି ।ଦୁଷ୍ଟ ଦାନବ ଦର୍ପହାରୀ।।
ଅବନୀ ଭାରା କରୁ ନାଶ ।ତୋତେ ସୁନ୍ଦର ପୀତବାସ।।
କୌସ୍ତୂଭମଣି ହୃଦେ ସାଜେ।ନମୋ ଦେବାଧି ଦେବରାଜେ।।
ଗରୁଡ଼ଧ୍ଵଜ ଲକ୍ଷ୍ମୀକାନ୍ତ । ଅନନ୍ତ ଶୟନ ଅଚ୍ୟୁତ।।
ଅଖିଳ ଜନ ଆତ୍ମା ରୂପୀ ।ଆକାଶ ଜଳସ୍ଥଳ ବ୍ୟାପୀ ।।
ସକଳ ହୃଦପଦ୍ମେ ଥାଉ ।ଭାବେ ଅଭାବେ ଗତି ହେଉ।।
ଏଣୁ ତୋ ନାମ ଅନ୍ତର୍ଯ୍ୟାମୀ ।ଆମ୍ଭ ଆତଙ୍ଗ ଫେଡ଼ ସ୍ଵାମୀ।।
ତୁ ଆମ୍ଭ ପ୍ରଭୁ ପଦ୍ମମୁଖ ।ଘୋର ଦାନବ ଦଣ୍ଡୁରଖ।।
ଏମନ୍ତ ବୋଲି ଦେବ ଲୋକେ ।ସ୍ତୁତି କରନ୍ତି ଗୁରୁ ଶୋକେ।।
ଦେବଙ୍କ ଆତଙ୍କ ବାରତା ।ଜାଣିଲେ ଜଗତ କରତା ।।
ଉପେକ୍ଷି ଅନନ୍ତ ଶୟନ ।ସନ୍ନିଧେ ରାଇଲେ ସୁପର୍ଣ୍ଣ।।
ଅପୂର୍ବ ରୂପ ହୋଇ ହରି ।ଗରୁଡ଼ କନ୍ଧେ ବିଜେ କରି।।
ଲକ୍ଷ୍ମୀଙ୍କି ଚାହିଁ ଚକ୍ରପାଣି ।ବୋଲନ୍ତି ଶୁଣ କମଳିନୀ।।
ସିନ୍ଧୁ ନନ୍ଦନ ଜଳନ୍ଧର ।ସେ ଦୁଷ୍ଟ ସାନୁଜ ତୁମ୍ଭର।।
ସଙ୍ଗେ ତା ଘେନି ଦୈତ୍ୟବଳ ।ଜିଣିଲା ଦଶ ଦିଗପାଳ ।।
କାରେଣୀ ହେଲା ତିନିପୁରେ।ଦେବେ ପଳାଇ ତାର ଡରେ।।
ଲୁଚିଲେ ଗହନ କାନନେ ।ଏତେକେ ଶାନ୍ତି ନାହିଁ ମନେ।।
ଦେବଙ୍କୁ ନିବାରିବ ଢାଳେ ।ଏମନ୍ତ ଭାବି ଦୈତ୍ୟବଳେ ।।
କନକ ଗିରି ବେଢ଼ିଛନ୍ତି । ଦେବେ ଆତଙ୍କ ମୋତେ ଚିନ୍ତି।।
ସେ ମୋର ଅଧୀନ ଦେବତା । ତାଙ୍କ ବିପତ୍ତି ମୋତେ ଚିନ୍ତା।।
ଯେ ସାଧୁଜନେ ହିଂସାକରି ।ସେ ନିଶ୍ଚେ ମୋହର ବଇରୀ।।
ଏବେ ମୁଁ ଦେବତାଙ୍କ ଛଳେ ।ମାରିବି ଜଳନ୍ଧର ହେଳେ।।
ଏମନ୍ତ ପ୍ରଭୁ ବାକ୍ୟ ଶୁଣି ।କହନ୍ତି ସାଗର ଦୁଲଣୀ।।
ଭୋ ପ୍ରଭୁ ତ୍ରୈଲୋକ୍ୟର ନାହା।ଶ୍ରୀମୁଖେ ଆଜ୍ଞା ଦେଲେ ଯାହା।।
ସେ ବାକ୍ୟ ଶୁଣନ୍ତେ ମୁଁ କର୍ଣ୍ଣେ ।ସଂଶୟ ଘେନୁଅଛି ମନେ।।
ସେ ଜଳନ୍ଧର ମହାବୀର ।ଈଶ୍ବର ଅଂଶେ ଅବତାର।।
ସାଗରୁ ହେଲା ଉତପତ୍ତି ।ପ୍ରସନ୍ନ ହୋଇ ବେଦପତି।।
ଅଭୟ ବର ତାକୁ ଦେଲା ।ତେଣୁ ସେ ଜଗତ ଜିଣିଲା।।
ଏ କଥା ଜାଣଇ ମୁଁ ଭଲେ ।ତୁମେ ନ ଯୁଝ ତାର ତୁଲେ।।
ଲଘୁତ୍ଵ ଜନେ ପଉରୁଷ ।ଉଭୟ ଲୋକେ ନାହିଁ ଯଶ ।।
ଏକଥା ବୁଝି କାର୍ଯ୍ୟକର ।ତୁମ୍ଭେ ତ ଜଗତ ଈଶ୍ବର।।
ଏତେ ଜଣାଇ କମଳିନୀ ।ଶିରେ ନିବେଶି ବେନିପାଣି।।
ଭକ୍ତ ଆତୁରେ ଭଗବାନ ।ଲକ୍ଷ୍ମୀଙ୍କୁ କହନ୍ତି ବଚନ।।
ଖଳନାଶନ ବାନା ମୋର ।ତୁ ମୋତେ ବିରୋଧ ନକର।।
ଏମନ୍ତ ବୋଲି ଦଇତ୍ୟାରି ।ଖଗ ଆସନେ ବିଜେ କରି।।
ଯୁଦ୍ଧକୁ କରନ୍ତି ଗମନ ।ଅଶେଷ ଜଗତ ଜୀବନ।।
ଗରୁଡ଼ କନ୍ଧେ ଭାବଗ୍ରାହୀ।କିବା ଉପମା ଦେବା ତହିଁ।।
ଯେସନେ ହିମଗିରି ଶିର।ଉଦୟ ନବ ଜଳଧର।।
ଗଗନ ପବନର ଗତି ।ଦିଗେ ବିରାଜେ ବିଷ୍ଣୁ ଜ୍ୟୋତି।।
ତମାଳ ପତ୍ର ବର୍ଣ୍ଣ ତନୁ ।ତେଜ ବିରାଜେ କୋଟି ଭାନୁ।।
ଦୁର୍ଦ୍ଦଣ୍ଡ ଦଣ୍ଡ ଭୁଜ ଚାରି ।ଗଦା ଖଡ଼ଗ ଚକ୍ରଧାରୀ।।
କନକ ବମ୍ବୁ ବାମକରେ ।ବିନା ସମୀରେ ଧ୍ବନି କରେ।।
ଶବଦେ ଦଶଦିଗ ପୂରି ।ଦନୁଜ ପୁରେ ପଡ଼େ ହୁରି।।
ସିନ୍ଧୁଙ୍କ ଦେଶେ ଉତପାତ ।ଗଗନୁ ପଡ଼େ ନିରିଘାତ।।
ଅସ୍ଥି ଖପରା ଧୂମ ଧୂଳି ।ଆଚ୍ଛାଦି ଗଗନୁ ନିକିଳି।।
ଲୋଭ ରୁଧିର ଭସ୍ମ ମିଶି ।ନିର୍ମେଘେ ଗଗନ ବରଷି।।
ଭୂମି କମ୍ପଇ ଥରହର ।ତା’ଦେଖି ବୀର ଜଳନ୍ଧର।।
ପୁଚ୍ଛଇ ଶୁକ୍ରଙ୍କ ଅଗ୍ରତ ।ଭୋ ମୁନି ଏ କି ବିପରୀତ।।
ମୋର ଭୁବନେ ଉତପାତ।କହ ଏ କେବଣ ଚରିତ।।
ଶୁକ୍ର ବୋଲନ୍ତି ରାଜା ଶୁଣ ।ଦେବଙ୍କ ଛଳେ ନାରାୟଣ ।।
ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଜୟ ଜଗନ୍ନାଥ।।
ଗରୁଡ଼ ଆରୋହି ଆକାଶେ ।ଆସନ୍ତି ତୋହର ଉଦ୍ଦେଶ୍ୟେ।।
ତାଙ୍କର ଦଇତ୍ୟାରି ବାନା ।ତେଣୁ ଏ ଉପଦ୍ରବ ସିନା।।
ମନ୍ତ୍ରବରର ଏ ଉକତ ।ଶୁଣି ସକ୍ରୋଧେ ସିନ୍ଧୁ ସୁତ।।
ଯୁଦ୍ଧ ଆରମ୍ଭ ସଜ ହୋଇ । ତୁରିତେ ସୈନ୍ୟ ସଖା ରାଇ।।
ଆରୋହି ହେମମୟ ରଥେ ।ଧାମେ ଉତ୍ତର ଦିଗ ପଥେ ।।
କହଇ ବ୍ରହ୍ମାଙ୍କ ନନ୍ଦନ ।ଏଥୁ ଉତ୍ତାରୁ ଭଗବାନ।।
ଗରୁଡ଼ ପୃଷ୍ଠେ ବିଜେ କରି ।ମିଳିଲେ ହେମକୁଟ ଗିରି।।
ଦୈତ୍ୟ ଯେ ଜଳନ୍ଧର ବୋଲେ। ଦେବଙ୍କୁ ବନ୍ଦୀ କରିଥିଲେ।।
ଗୋବିନ୍ଦ ଆଗମନ କାଳେ । ଭୟେ ଭାଜିଲେ ଦୈତ୍ୟବଳେ ।।
ବହୁତ ତୃଣ ଠୁଳ ହୋଇ । ଯେସନେ ଏକ ଠାବେ ଥାଇ।।
ସେ ଯେହ୍ନେ ଉଡ଼ନ୍ତି ପବନେ।ଅସୁର ଗୋବିନ୍ଦ ଦର୍ଶନେ।।
ଭାଜିଲେ ସେହିମତି ହୋଇ । ଏମନ୍ତେ ଜଳନ୍ଧର ଯାଇ।।
ସୈନ୍ୟଙ୍କୁ ରହିଲା ଆବୋରି ।ଦୈତ୍ୟଙ୍କୁ ଦେଖି ଦଇତ୍ୟାରି।।
ଦେବଙ୍କ ଛଳେ କୋପମୂର୍ତ୍ତି । ସେ କଥା ଜାଣି ଖଗପତି ।।
ପକ୍ଷ ପବନ ଘୋର ବାତେ । ଗଗନେ ଉଡ଼ିଲେ ଦଇତେ।।
ବତାସେ ରେଣୁ ପ୍ରାୟ ଉଡ଼ି । ପଡ଼ିଲେ ବନଗିରି ମାଡ଼ି ।।
ପବନ ଯେହ୍ନେ ରମ୍ଭା ବନ। ତେହ୍ନେ ବିଚ୍ଛିନ୍ନ ଦୈତ୍ୟ ସୈନ୍ୟ ।।
ତା ଦେଖି ଜଳନ୍ଧର କୋପୀ। ବାଣ ବିନ୍ଧିଲା ଦିଗବ୍ୟାପୀ ।।
ପ୍ରଭୁଙ୍କୁ କଲା ଶର ପୀଡ଼ା। ତିଳାର୍ଦ୍ଧେ ନ ଦିଶଇ ଛଡ଼ା ।।
ଚକିତ ହୋଇ ଶର କାଢେ। ବେଳକୁ ବେଳ ଶର ପଡ଼େ ।।
ତା ଦେଖି ପ୍ରଭୁ ଚକ୍ରପାଣି। ଅସୁର ଶର ପଥୁ ହାଣି ।।
ଦିଗ ଦିଶିଲା ଶୋଭାକର। ଗର୍ଜି ଗମଇ ଖଗେଶ୍ଵର ।।
ଗରୁଡ଼ କନ୍ଧେ ଜଗଜ୍ୟୋତି। ଦେବଙ୍କ ଛଳେ ଉଗ୍ରମୂର୍ତ୍ତି ।।
ଗଦା ବୁଲାଇ କୋପ ମନେ। ପିଟିଲା ଅସୁର ବିମାନେ ।।
ପ୍ରହାରେ ରଥ ଗଲା ଭାଜି । ଅସୁର ହୃଦେ ଶସ୍ତ୍ର ବାଜି ।।
ଜଗନ୍ନାଥଙ୍କ କରୁ ଝଡ଼ି । ଭୂମି ଉପରେ ଗଦା ପଡ଼ି ।।
ଦେଖି ଅସୁର ମହାବଳୀ । ଗଦା ଘେନିଲା କରେ ତୋଳି ।।
ପିଟିଲା ଖଗେଶ୍ଵର ମୁଣ୍ଡେ । ଯେହ୍ନେ କୁଳିଶ ଗିରି ଖଣ୍ଡେ ।।
ତେହ୍ନେ ଶୁଭିଲା ଘଡ଼ଘଡ଼ି । ସୁପର୍ଣ୍ଣ ମୂର୍ଚ୍ଛା ଯାଇ ପଡ଼ି ।।
ତା ’ ଦେଖି ଜଗତ ଈଶ୍ବର । ଶଙ୍ଖ ଛୁଆଁଇ ତାର ଶିରଃ ।।
ଭୃତ୍ୟକୁ ଦେଲେ ଜୀବ ଦାନ। ବୋଇଲେ ଯାଅ ନିଜ ସ୍ଥାନ ।।
ଅଜ୍ଞାନେ ଗଲା ଖଗପତି । ଏଥି ଉତ୍ତାରେ ଯୁଦ୍ଧରୀତି ।।
ଖଡ଼ଗ ଧରି ବିଷ୍ଣୁ କରେ। ପ୍ରହାର କଲେ ଜଳନ୍ଧରେ ।।
ଦୈତ୍ୟ ବଞ୍ଚାଇ ମାୟା ପଥେ। ବିଷ୍ଣୁଙ୍କୁ ପ୍ରହାରିଲା ମୁଥେ ।।
ମୁଥ ବିଘାତେ ଜଗନ୍ନାଥ । ଧଇଲେ ଦାନବର ହାତ ।।
ଅସୁର ଅସ୍ତ୍ର ଅପସରି ।ବିଷ୍ଣୁଙ୍କୁ ବାମ କରେ ଧରି ।।
ତା ’ ଦେଖି ପ୍ରଭୁ ବ୍ରହ୍ମରାଶି ।ତେଜିଲେ ଶଙ୍କ ଚକ୍ର ଆସି।।
ହତ ଆୟୁଧ ହୋଇ ହରି ।ଦୈତ୍ୟକୁ ଚାରି ଭୁଜେ ଧରି।।
ଦୈତ୍ୟ ଧରିଲା ବେନି କରେ।ମାଲ ବିନ୍ଧାଣି ଯୁଦ୍ଧ ପରେ।।
ପୁଣି ଉଭୟେ ମନେ ଛାଡ଼ି ।ନିର୍ବନ୍ଧେ ଭୁଜେ ଭିଡ଼ାଭିଡ଼ି।।
ପଡ଼ି ଗଡ଼ନ୍ତି ଭୂମି ଭାଗେ ।ଯେହ୍ନେ ସମରେ ବେନି ଭାବେ।।
ସିଂହ ଶାର୍ଦ୍ଦୂଳ ପ୍ରାୟେ ଦିଶି ।ଯୁଝନ୍ତି ଅଙ୍ଗେ ଅଙ୍ଗ ମିଶି ।।
ପୁଣି ଛାଡ଼ିଣ ପୁଣି ଧରି ।ମୁଣ୍ଡକୁ ମୁଣ୍ଡ ମରାମରି।।
ନିର୍ଘାତ ପ୍ରାୟେ ଶୁଭେ ଧ୍ଵନି । ଅଗ୍ନି ଉଛୁଳେ ତେଜ ଘେନି।।
ପଟ୍ଟ ସଂଯୋଗେ ପ୍ରାୟେ ଜଳେ । ଲିଭି ପଡ଼ଇ ଅଙ୍ଗ ଝାଳେ ।।
ପାଦେ ମର୍ଦିତ ମହାସ୍ଥଳୀ । କ୍ଷଣ କ୍ଷଣକେ ଉଡ଼େ ଧୂଳି ।।
ଦାନବ ତୁଲେ ଦଇତ୍ୟାରୀ । ଦେବଙ୍କ ଛଳେ ଯୁଦ୍ଧକରି ।।
ସେ ଜଳନ୍ଧର ମହାବଳୀ। ମୂର୍ଖ ସ୍ଵଭାବେ କରେ କଳି ।।
ଯାର ମହିମା ଅପ୍ରମିତ। ତାର ସଙ୍ଗତେ ସିନ୍ଧୁ ସୁତ ।।
ଯୁଦ୍ଧ ଆରମ୍ଭେ ମାଲ ବନ୍ଧେ ।ସୁମରି ମୁଥେ ମୁଥେ ସନ୍ଧେ।।
ଅଳପ ଅପସରି ରହି ।ମାରନ୍ତି ମର୍ମସ୍ଥାନେ ଚାହିଁ।।
ଭୁଜକୁ ଭୁଜ ଛନ୍ଦି ଧରି ।ଚରଣେ ଚରଣ ଉଭାରି ।।
ଗଡ଼ି ପଡ଼ନ୍ତି ମହୀ ଲୋଟି ।ହୃଦକୁ ହୃଦ ପିଟାପିଟି।।
କେ ଛାଡ଼ି ପଛକୁ ପଳାଇ।ଛଡ଼ାଇ ଗଗନେ ଉଡ଼ଇ।।
ପୁଣି ମିଳନ୍ତି ଆସି ଆଗେ ।ଧରି ଉଡ଼ନ୍ତି ଶୂନ୍ୟମାର୍ଗେ।।
ଆକାଶେ ହୋଇ ମିଶା ମିଶି ।ପୁଣି ଭୂମିରେ ପଡ଼େ ଆସି।।
ମେରୁ ପର୍ବତ ପ୍ରାୟେ ହୋଇ ।ଶବଦ ପୂରି କମ୍ପେ ମହୀ।।
ପାଦେ ଧରଣୀ ଟଳମଳ।ପଡ଼ନ୍ତି ଭାଙ୍ଗି ଶିଳାଶିଳ।।
ଗ୍ରାମ ପାଟଣା ପୁର ଦେଶ ।ଅନେକ ଜୀବଜନ୍ତୁ ନାଶ।।
ରାତ୍ର ଦିବସ ଘୋର ରଣ ।ଦିନକୁ ଦିନ ଯୁଦ୍ଧ ଟାଣ।।
ବିଶ୍ରାମ ନ କରନ୍ତି କ୍ଷଣେ ।କାଳ ବିକାଳ ପ୍ରାୟ ରଣେ।।
ଘୋର ପ୍ରତିଜ୍ଞା ଦୀର୍ଘ ରଡ଼ି । ଯେସନେ ମେଘ ଘଡ଼ଘଡ଼ି।।
ପ୍ରଖର ନିଃଶ୍ବାସ ପବନେ । ସ୍ଥାବର ପଡ଼ିଲେ ଗଗନେ ।।
ମେରୁ ସହିତେ ଟଳମଳ । ଭୟେ କମ୍ପିଲେ ଦିଗପାଳ ।।
ଦୈତ୍ୟ ଅଙ୍ଗରେ ଦଇତ୍ୟାରି । ବାହୁ ଯୁଦ୍ଧରେ ସମସରି ।।
ଏମନ୍ତେ କେତେ କାଳ ଗଲା । କେହି କାହାକୁ ନ ଜିଣିଲା ।।
ସତ ଅବଦ ପଞ୍ଚଗୁଣେ । ଯୁଦ୍ଧ କରନ୍ତି ଅନୁକ୍ଷଣେ ।।
ଦୈତ୍ୟ ନୋହିଲା ଯହୁଁ କ୍ଷୟ । ମନେ ଭାଳନ୍ତି ଦେବରାୟ ।।
ଏ ଦୈତ୍ୟ ତୁଲେ ଯୁଦ୍ଧ କଲେ । ସଂସାର ନ ରହିବ ଭଲେ ।।
ଅନେକ ଯୁଗ ବହିଯିବ । ଅସୁର ରଣେ ନ ଘୁଞ୍ଚିବ ।।
ଧନ୍ୟ ବିଧାତା ବର ତୋର। କମଳା ବାକ୍ୟ ନିରାଧାର ।।
ବାରଣ ବାକ୍ୟ ଯୁଦ୍ଧ ଆସି । ଦୈତ୍ୟକୁ ନ ପାରିଲା ନାଶି ।।
ସମର କଲେ କାର୍ଯ୍ୟ ନାହିଁ । ଦୁଃଖିତ ହେବ ଏବେ ମହୀ ।।
ରଣେ ଘୁଞ୍ଚିଲେ ହେବ ଲାଜ। ଏତି ବିଚାରି ଦେବରାଜ।।
ଯୁଦ୍ଧ ଉପେକ୍ଷି ଭାବଗ୍ରାହୀ । ଦୈତ୍ୟକୁ ପ୍ରୀତି ପଣେ କହି ।।
ହେ ଜଳନ୍ଧର ମହାବୀର । ତୁ ଅଟୁ ବାନ୍ଧବ ଆମ୍ଭର ।।
ଆମ୍ଭେ ଅଶେଷ ଲୋକପତି ।ଲକ୍ଷ୍ମୀ ଆମ୍ଭର ପ୍ରିୟବତୀ ।।
ସେ ଯେ ସମୁଦ୍ର ଅବତାର।ତୁ ବୀର ସମୁଦ୍ର କୁମର।।
ତେଣୁ ତୁ ଆମ୍ଭର ଶାଳକ । ନ ବୁଝି ଯୁଝିଲୁ ଅନେକ ।।
ଏଥକୁ ନାହିଁ ଆମ୍ଭ ଛଳ। ଆମ୍ଭେ ଜାଣିଲୁ ତୁମ୍ଭ ବଳ ।।
ଏଣେ ସନ୍ତୋଷ ଆମ୍ଭ ଚିତ୍ତ। ବନ୍ଧୁରେ ପଡ଼ିବ ଏମନ୍ତ ।।
ଦଇବ ଯୋଗେ ହୋଏ କଳି । ଯେ ସାଧୁ ସେ ତାହା ସମ୍ଭାଳି।।
ବିବାଦେ ନାହିଁ କିଛି ଲାଭ । ପ୍ରୀତି ଯେ ପରମ ଦୁର୍ଲଭ ।।
ଏ କଥା ତୋର ମନେ ଘେନ। ଆମ୍ଭେ ହୋଇଲୁ ପରସନ୍ନ ।।
ସନ୍ତୋଷେ ଯାଚୁଅଛୁ ବର। ଯେ ଇଚ୍ଛା ମାଗ ଜଳନ୍ଧର ।।
ଯେ ପ୍ରଭୁ ଜଗତ ଈଶ୍ବର ।ସନ୍ତୋଷେ ଯାଚୁଛନ୍ତି ବର ।।
ଆବର ବନ୍ଧୁପଣ ଦେଖି। ଏ ଯେ ସଫଳ କର୍ମ ଦେଖି।।
ଏତେ ବିଚାରି ଜଳନ୍ଧର। ବୋଲଇ ଦେବୁ ଯେବେ ବର।।
ମାଗଇ ମୋର ଆତ୍ମ ହିତେ। ତୁ ନାଥ ସ୍ୱଗୁଣ ସହିତେ।।
ଲକ୍ଷ୍ମୀ ସହିତେ ଅଷ୍ଟନିଧି ।ଯେ ତୋର ପ୍ରଭୁ ପଣ ବିଧି ।।
ସକଳ ଘେନି ତୋ ସଙ୍ଗରେ। ବାସ କରିବୁ ମୋର ପୁରେ ।।
ଲକ୍ଷ୍ମୀ ଯେ ମୋର ଭଗ୍ନୀ ଜ୍ୟେଷ୍ଠ। ତୁ ନାଥ ପ୍ରଭୁପଣେ ଶ୍ରେଷ୍ଠ ।।
ତୁମ୍ଭଙ୍କୁ ପ୍ରଭୁପଣେ ପାଇ। ରହି ଭଜିବି ଶାନ୍ତ ହୋଇ ।।
ଅସୁର ମୁଖୁ ପ୍ରିୟବାଣୀ। ଶୁଣି ସନ୍ତୋଷ ଚକ୍ରପାଣି ।।
ଯାହା ମାଗିଲା ଦୈତ୍ୟବୀର। ହେଉ ବୋଇଲେ ଗଦାଧର ।।
ପୁଣି ଦୈତ୍ୟକୁ ପ୍ରିୟମତେ । କହନ୍ତି ଦେବତାଙ୍କ ହିତେ ।।
ବୋଇଲେ ଶୁଣ ମହାବୀର। ଆମ୍ଭେ ରହିଲୁ ତୁମ୍ଭପୁର ।।
କମଳା ଥିବ ଆମ୍ଭ ତୁଲେ। ବ୍ରହ୍ମା ସହିତେ ଦିଗପାଳେ ।।
ତୋର ବଚନ ପାଳିଥୁବୁ।ଯାହା ମାଗିବୁ ତାହା ଦେବୁ ।।
ଲକ୍ଷ୍ମୀ ତୋ ପୁରେ ଥିବେ ଯେବେ ।ତୋତେ ଅପୂର୍ବ କିସ ତେବେ।।
ଏବେ ତୁ ଆମ୍ଭ ବୋଲକର । ଦେବଙ୍କ ଯଥା ଅଧିକାର।।
ସନ୍ତୋଷେ ଆଦି ତାଙ୍କୁ ମୂଳେ।ତୋ ଯଶ ରହୁ ରବି ତଳେ।।
ଶୁଣି ସନ୍ତୋଷ ଜଳନ୍ଧର।ଦେବଙ୍କୁ ଦେଲା ସ୍ଵର୍ଗପୁର।।
ଧ୍ୟାନେ ଚିନ୍ତିଲେ ବ୍ରହ୍ମରାଶି ।ଦେବେ ମିଳିଲେ ପାଶେ ଆସି।।
ତାଙ୍କର ଯଥା ଅଧିକାର ।ଦେଇ ପଶିଲେ ସ୍ଵର୍ଗପୁର।।
ପୁଣି ଚିନ୍ତିଲେ ଚକ୍ରପାଣି ।ଆସି ମିଳିଲେ କମଳିନୀ।।
ତାଙ୍କ ସହିତେ ଅଷ୍ଟନିଧି ।ସର୍ବ ସମ୍ପଦ ସୁଖ ସିଦ୍ଧି।।
ବିଷ୍ଣୁ ଛାମୁରେ ଉପଗତ ।ଆନନ୍ଦ ଜଳନ୍ଧର ଚିତ୍ତ ।।
ଭଗ୍ନୀ ଭିଣୋଇ ଘେନି ସଙ୍ଗେ । ନିଜ ଭୁବନେ ଗଲା ବେଗେ।।
ସିନ୍ଧୁଙ୍କ ଦେଶେ ପରବେଶ ।ବିଷ୍ଣୁ ନିମନ୍ତେ ଦିବ୍ୟବାସ ।।
ମଣ୍ଡିଲା ଅତି ଯତ୍ନକରି ।ବିଜୟ କଲେ ତହିଁ ହରି।।
ସଙ୍ଗତେ ଦେବୀ କମଳିନୀ ।ତ୍ରୈଲୋକ୍ୟ ମାତା ଠାକୁରାଣୀ।।
ଅଷ୍ଟନିଧିକୁ ଘେନି ତୁଲେ ।ଅସୁର ପୁରେ ବିଜେ କଲେ ।।
ସେ ଜଳନ୍ଧର ନେତ୍ରେ ଦେଖି ।ବିଷ୍ଣୁଙ୍କୁ ପାଇ ମହାସୁଖୀ।।
ଦେବଙ୍କୁ ଦେଲା ସ୍ଵର୍ଗପୁର ।ଆପେ ଯେ ମର୍ତ୍ତ୍ୟେ ନୃପବର।।
ବଳିକି ତଳପୁର ଦେଇ ।ଆବର ଦୈତ୍ୟଗଣ ରାଇ।।
ଯେ ଯାହା ଅନୁରୂପେ ବାସ । ସଭିଙ୍କୁ ଦେଇ କଲା ତୋଷ।।
ଦେବଙ୍କୁ କଲା ସର୍ବସୁଖୀ । ପ୍ରଜା ପାଳଇ ନେତ୍ରେ ଦେଖି।।
ଶସ୍ୟ ସମ୍ପଦ ବସୁନ୍ଧରୀ । ଦିଅଇ ମନ ପୂର୍ଣ୍ଣ କରି ।।
ବୃକ୍ଷେ ଫଳନ୍ତି ଫୁଟେ ଫୁଲ । ସର୍ବଦା ନଦୀ ବହେ ତୁଲ ।।
ନିତ୍ୟ ସେବନ୍ତ ଷଡ଼ଋତୁ । ସଦା ଆନନ୍ଦ ଜୀବଜନ୍ତୁ ।।
ଅକାଳ ମୃତ୍ୟୁ ରୋଗ ଶୋକ। ଖଣ୍ଡିଲେ ସ୍ଵର୍ଗପୁର ଲୋକ ।।
ଏମନ୍ତେ ସିନ୍ଧୁ ରାଜବଳା। ଦ୍ବିତୀ ବୈକୁଣ୍ଠ ମର୍ତ୍ତ୍ୟେ କଲା ।।
ବିଷ୍ଣୁଙ୍କୁ ନିଜପୁରେ ରଖି। ପ୍ରଭୁଙ୍କୁ ବନ୍ଧୁ ଭାବେ ଦେଖି ।।
ନିତି କରଇ ପୂଜା କର୍ମ। ଆତ୍ମା ନ ଚିହ୍ନି ମତି ଭ୍ରମ ।।
ଦେବେ ଯେ ସ୍ୱର୍ଗପୁରୁ ଆସି। ଯକ୍ଷ ଗନ୍ଧର୍ବଗଣ ଋଷି ।।
ଜଳନ୍ଧରକୁ ଭେଟି ନିତି। ତା ମନ ଜାଣି ଖଟିଥାନ୍ତି ।।
ନ ପାଇ ହରି ଦରଶନ। ତେଣୁ ବିକଳ ତାଙ୍କ ମନ ।।
ନିରତେ ବିଷ୍ଣୁ ପାଦେ ଧ୍ୟାନ । ଦେବେ ବଞ୍ଚନ୍ତି ଦୁଃଖେ ଦିନ ।।
ସେ ଦୁଃଖ ନିବାରଇ ଯେହୁ । ମୋ ମନ ତାଙ୍କ ପାଦେ ରହୁ।।
ସଂସାର ଦୁଃଖ ଯିବ ନାଶ । ଭଣଇ ମହାଦେବ ଦାସ ।।
ଏ ପଦ୍ମ ପୁରାଣ ଚରିତ। ଉତ୍ତର ଖଣ୍ଡେ ଯେ ଉଦିତ ।।
ଗୀତ ଯେ କଲି ଗ୍ରନ୍ଥସାର । ସୁଜନେ ଦୋଷ କ୍ଷମାକର ।।
ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ମାହାତ୍ମ୍ୟେ
ବିଷ୍ଣୁ ଜଳନ୍ଧର ସଂଗ୍ରାମେ ନାମ ନବମୋଽଧ୍ୟାୟଃ ।।🌹🌹


Pingback: କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୧) - UniverseHeaven